Unknown

 

 

 

 

 

 

 

 

 

 

 

ଚିଦ୍‌ବିସ୍ତାର

ଚିତ୍ତରଞ୍ଜନ ଦାସ

 

ଆଗେ ଚିଦ୍‌ବିଳାସ ବୋଲି କୁହାଯାଉଥିଲା, ଏବେ ଆମେ ଚିଦ୍‌ବିସ୍ତାର ବୋଲି କହିବା । ବିଳାସରୁ ବିସ୍ତାର ପ୍ରକୃତରେ ବହୁତ ଦୂର ହୋଇଥିବ । କେତେ ମଣିଷ ବିଳାସରୁ ଆରମ୍ଭ କରନ୍ତି, ସେହି ବିଳାସ ପାଖରେ ହିଁ ଅସଲ ବିଳାସ ବୋଲି ଅଙ୍ଗେ ନିଭାଇବା–ସେଇଟା ସତକୁ ଏକ ଅନ୍ୟ ସୌଭାଗ୍ୟ !

 

ପ୍ରସ୍ତୁତ ସଂକଳନର ଲେଖାଗୁଡ଼ିକ ବିଭିନ୍ନ ସମୟରେ ନାନା ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା । ପ୍ରତ୍ୟେକ ବିଷୟର ଶେଷରେ ତାହା ସୂଚିତ କରି ଦିଆଯାଇଛି । ସଂପୃକ୍ତ ସମ୍ପାଦକମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।

Image

 

ସୂଚୀପତ୍ର

 

୧.

ମୁଁ କାହିଁକି ଲେଖେ ?

୨.

ସାହିତ୍ୟର ତିନୋଟି ଥାକ

୩.

ସର୍ଜନାତ୍ମକ ସାହିତ୍ୟ ସମୀକ୍ଷା

୪.

ସାମ୍ପ୍ରତିକ ଜୀବନ : ସାମ୍ପ୍ରତିକ ସମୀକ୍ଷା

୫.

ବାସ୍ତବବାଦ : ସାହିତ୍ୟରେ ଓ ଜୀବନରେ

୬.

ଜୀବନର ସୌନ୍ଦର୍ଯ୍ୟବୋଧୀ ବିଚାର

୭.

ସୌନ୍ଦର୍ଯ୍ୟ ତତ୍ତ୍ଵର ବ୍ୟାଖ୍ୟା : ଶ୍ରୀ ଅରବିନ୍ଦ

୮.

ସାହିତ୍ୟରେ ଚୟନ ଓ ଅଚୟନ

୯.

ଜୀବନ ଥିବ, ସାହିତ୍ୟ ବିଥିକ

୧୦.

ସୌମ୍ୟ ଜୀବନ,ସୌମ୍ୟ ସାହିତ୍ୟ

୧୧.

ଯୁବ-ବୃଦ୍ଧ ସାହିତ୍ୟ

୧୨.

ସାହିତ୍ୟ ପଥ

୧୩.

ଏବର ସାହିତ୍ୟ : ଆଗାମୀ ସାହିତ୍ୟ

୧୪.

ଆଗାମୀର ପରିଭାଷା

୧୫.

ଆଗାମୀ ଶତାବ୍ଦୀର ସାହିତ୍ୟରେ ସ୍ୱରୂପ

୧୬.

ଆମ ସାହିତ୍ୟର ଆକାଶ

୧୭.

କରୁଣ, କାରୁଣ୍ୟ ଓ କରୁଣା

୧୮.

ଭାରତୀୟ ସଂସ୍କୃତିର ନବ ମୂଲ୍ୟାୟନ

୧୯.

ଆଦିବାସୀ ସଂସ୍କୃତିର ସ୍ୱରୂପ

୨୦.

କୃଷ୍ଣ ଆଫ୍ରିକାର ଦର୍ପଣରେ

୨୧.

ଶିଶୁ ସାହିତ୍ୟର ଔଚିତ୍ୟ

୨୨.

ପ୍ରବନ୍ଧ ପତ୍ରିକା–'କୋଣାର୍କ'

୨୩.

ଅନୁବାଦ,–ଭାଷାର ଗବାକ୍ଷ

୨୪.

ଓଡ଼ିଆ ଅନୁବାଦ–ସାହିତ୍ୟ

୨୫.

ଅନୁବାଦ ଓ ଓଡ଼ିଆ ସାହିତ୍ୟ

୨୬.

ଓଡ଼ିଶାର ସାହିତ୍ୟ ଓ ଓଡ଼ିଶା ସାହିତ୍ୟ ଏକାଡେମୀ

୨୭.

ଜଗନ୍ନାଥଂ ପ୍ରଣିପତ୍ୟ

Image

 

ମୁଁ କାହିଁକି ଲେଖେ ?

 

ମୁଁ କାହିଁକି ଲେଖେ,–ଏକଥା ପଚାରିବାକୁ ଆପଣ କିଏ ? ଏହି ପ୍ରଶ୍ନଟିର ଉତ୍ତର ଦେଇ ମୁଁ ଗୋଟିଏ କଥାରେ କହିବି ଯେ, ମୁଁ ଭଲ ପାଏ ବୋଲି ଲେଖେ । ଭଲ ପାଇ ପାରିଲେ ଯାଇ ଜୀବନ ସତକୁ ସତ ଭଲଲାଗେ । ମତେ ଜୀବନ ଭଲ ଲାଗେ । ଜୀବନକୁ ଏ ଯାଏ ବାହି ଆଣିଥିବା ଅତୀତ ଭଲ ଲାଗେ, ଜୀବନର ଭୂମି ରୂପେ କାର୍ଯ୍ୟ କରୁଥିବା ଓ ମୋତେ ସେହି ଭୂମିଟି ଉପରେ ଠିଆ କରି ରଖିଥିବା ବର୍ତ୍ତମାନ ଭଲ ଲାଗେ ଏବଂ ଏହି ସବୁକିଛିକୁ ପୁଞ୍ଜି ପରି ବ୍ୟବହାର କରି ଉକୁଟି ଉକୁଟି ରୂପାୟିତ ହେବାରେ ଲାଗିଥିବା ଭବିଷ୍ୟତ ବି ଭଲ ଲାଗେ ।

 

ଏହି ଭଲ ପାଇବାର ପଛରେ କୌଣସି କାହିଁକି ନାହିଁ । ହୁଏତ ଅଛି; ମାତ୍ର ତାହାକୁ କଥାରେ କହି ହୁଏନାହିଁ; ଅଳପ କହିବା ବେଳକୁ ବେଶୀ କହି ହୋଇଯାଏ; ବେଶୀ କହିବା ବେଳକୁ ପୁଣି ଅଳପ ବି ହୋଇଯାଏ । ଅଳଙ୍କାର ଲଗାଇ କହିଲେ ଅଧିକ ଅବର୍ଜିଆ ଦିଶେ ଏବଂ ଅଳଙ୍କାରନ ଲଗାଇ କହିବା ଲାଗି ବାହାରିବା ବେଳକୁ ଅନ୍ୟମାନେ ସେଗଡ଼ାକୁ ମୋଟେ ବୁଝି ପାରନ୍ତି ନାହିଁ । ଭଲ ପାଇବାର ଭାଷା ହେଉଛି ସଂପୂର୍ଣ୍ଣ ଭାବରେ ଏକ ନିଜସ୍ଵ ଭାଷା । ଯେତେବେଳେ ନିଜର ଭାଷାଟିକୁ ଦେଇ ଲୋକମାନେ ଆଉ ଜଣକର ଭଲ ପାଇବାକୁ ବୁଝିବା ଲାଗି ଚେଷ୍ଟା କରନ୍ତି, ସେଇଥିରୁ ପ୍ରମାଦ ଜାତ ହୁଏ । ଦୂରତାଗୁଡ଼ାକ ଅଧିକ ବଢ଼ିଯାଏ । ତେଣୁ ଅନ୍ୟର ଭାଷାରେ ଅନ୍ୟକୁ ବୁଝିବା, ସେଇ ଅନ୍ୟର ଭାଷାରେ ହିଁ ଅନ୍ୟର ଭଲ ପାଇବାକୁ ବୁଝିବା,–କଥାଟି ସବୁ ଯୁଗରେ ଏକ ଅତ୍ୟନ୍ତ କଠିନ ବିଦ୍ୟା ହୋଇ ରହିଥାଏ ।

 

ମୋର ଏହି ଭଲ ପାଇବାର ତାଲିକାରେ ମୁଁ ସମ୍ଭବତଃ ନିଜକୁ ହିଁ ସବାଆଗ ଭଲ ପାଏ-। ନିଜକୁ ହିଁ ସବାଆଗ ଚିହ୍ନେ ଏବଂ ସବାଆଗ ବୁଝେ । ନିଜକୁ ଦର୍ପଣ କରି ମୁଁ ଯାହାକିଛି ଦେଖେ ଓ ଯାହାକିଛି ଲେଖେ । ନିଜକୁ ସାଙ୍ଗ କରି ନ ପାରିଲେ ଏହି ସଂସାରରେ ମୋଟେ ବାଟ ଚାଲି ହୁଏ ନାହିଁ । ଲେଖିଲା ଭଳି ମୋଟେ କିଛିହେଲେ ଲେଖି ହୁଏ ନାହିଁ । ନିଜେ ନିଜର ସାଙ୍ଗ ହୋଇ ପାରି ନଥିଲେ ବାହାରେ ଆଉ ଭିତରେ କେତେ ମୁଖା ପିନ୍ଧିବାକୁ ପଡ଼େ, କେତେ ମିଛ ନାୟକ ମିଛ ନାୟିକା ବନି ଫୁଲେଇ ହେବାକୁ ହୁଏ ଏବଂ ଆପଣାର ଲେଖା ଭିତରେ ସେଗୁଡ଼ାକ ଗୋଟାସୁଦ୍ଧା ଧରା ପଡ଼ିଯାଏ ଭାବଗୁଡ଼ାକୁ ଭାବପ୍ରବଣତାରେ ପରିଣତ ହୋଇଯିବା ମାତ୍ରକେ ଫଟ୍ କରି ଧରା ପଡ଼ିଯାଏ । ବାହାରେ ଭାରି ଜାକଜମକ ସହିତ ଖସିଯାଇ ପାରୁଥିଲେ ମଧ୍ୟ ଭିତରେ ଆପଣ ପାଖରେ ଭାରି ହାସ୍ୟାସ୍ପଦ ପଡ଼େ । ଭିତରେ ଆପଣାକୁ ସାଙ୍ଗ କରି ନପାରି ଥିବାର ଦାରିଦ୍ର୍ୟ ବାହାରେ ନାନା ଉଗ୍ରତାକୁ ପ୍ରଶ୍ରୟ ଦିଏ । ସାହିତ୍ୟ ଲେଖାରେ ଦାଣ୍ଡ ଭର୍ତ୍ତି ହୋଇଯାଏ, ଦାଣ୍ଡରୁ ମିଳୁଥିବା ନକଲି ଉପାୟନ ଓ ଉପଢ଼ୌକନ ଗୁଡ଼ାକ ଦ୍ଵାରା ଘର ଭର୍ତ୍ତି ହୋଇଯାଏ । କିନ୍ତୁ ଅସଲ ପକ୍ଷୀଟିକୁ ମୋଟେ ଆହାର ମିଳେ ନାହିଁ । ଅସଲ ହୃଦୟଟି ଶୁଖି ଶୁଖି ଯାଉଥାଏ ।

 

ଆପଣା ସହିତ ସାଙ୍ଗ ହେବାର ଅର୍ଥ ହେଉଛି ଆପଣାର ଭିତରକୁ ପ୍ରବେଶ କରିବା । ଗୁହାଟାକୁ ନ ଡରି ଶ୍ରଦ୍ଧାରେ ଗୁହା ଭିତରେ ପ୍ରବେଶ କରିବା । ଆପଣାର ଅବଚେତନ ମଧ୍ୟକୁ ଯାଇ ତାହାକୁ ଚେତନାରେ ଅର୍ଥାତ୍ ଏକ ସମଗ୍ର ସ୍ଵାଭାବିକତା ଏବଂ ସ୍ଵତଃସ୍ପୂର୍ତ୍ତତାରେ ପରିଣତ କରିବା । ଆମ ଜୀନବରେ ଗଭୀରତା ବୋଲି ଯେ ଗୋଟିଏ ପ୍ରସ୍ଥ ରହିଛି, ତାହାକୁ ଅଙ୍ଗେ ନିଭାଇବା । ଆଧୁନିକ ବିଚାରର ଜଣେ ଅନ୍ୟତମ ଅଗ୍ରଣୀଙ୍କର ବକ୍ତବ୍ୟ ହେଉଛି ଯେ, ଗଭୀରତାର ପ୍ରସ୍ଥଟିକୁ ଛୁଇଁ ପାରିବା ମାତ୍ରକେ ହିଁ ଆମ ଜୀବନର ଯାବତୀୟ ଅନୁଧାବନ ଧର୍ମର ସ୍ତରକୁ ହିଁ ଉତ୍ତୋଳିତ ହୋଇ ଯାଇଥାଏ । ଆପଣାକୁ ସାଙ୍ଗ କରି ଅର୍ଥାତ୍ ଆପଣାର ଗଭୀରତା ଅର୍ଥାତ୍ ଉଚ୍ଚତାଗୁଡ଼ାକୁ ସ୍ପର୍ଶ କରି ଯେଉଁ ସାହିତ୍ୟ ଲେଖାଯାଏ, ତାହା ଏକ ମନ୍ତ୍ରରେ ପରିଣତ ହୁଏ । ନିଜପାଇଁ ତାହା ଆହୁରି ଅନେକ ଉନ୍ମୋଚନ ଘଟାଇବାରେ ସହାୟତା କରେ ଏବଂ ବାହାରେ ଅନ୍ୟମାନଙ୍କର ଗଭୀରତାକୁ ଠିକ୍ ଏକ ମନ୍ତ୍ର ପରି ପ୍ରବେଶ କରିବାର ଓ ମନ୍ତ୍ରପରି ଆଘାତ କରିବାର ସ୍ପର୍ଦ୍ଧା ମଧ୍ୟ ରଖିଥାଏ ।

 

ନିଜକୁ ସାଙ୍ଗ କଲେ ନିଜର ଦୁଆର ଖୋଲିଯାଏ ଏବଂ ସେହି ଅସଲ ଦୁଆରଟି ଖୋଲିଯିବା ସଙ୍ଗେ ସଙ୍ଗେ ବାହାରକୁ ମଧ୍ୟ ଆହୁରି କେତେ ନା କେତେ ଦୁଆର ଖୋଲିଯାଏ । ଅସଲ ଗଣ୍ଠିଟି ଫିଟିଯିବା ମାତ୍ରକେ ବାହାରେ କେତେ କେତେ ଗଣ୍ଠି ପଡ଼ି ଯାଉଥାଏ । କେଡ଼େ ସହଜରେ କେତେ କେତେ ଜାଗାରେ ବାନ୍ଧି ହୋଇଯିବା ସମ୍ଭବ ହୁଏ । ସେହି ବାନ୍ଧି ହୋଇଯିବାର ଅନ୍ତରଙ୍ଗ ଇତିବୃତ୍ତଟି ହେଉଛି ସାହିତ୍ୟ ।

 

ଆପଣମାନେ କେବେ ବାନ୍ଧି ହୋଇ ଯିବାକୁ ମନ କରିଛନ୍ତି ? ଗୋଟାସୁଦ୍ଧା, ଆଉ କାହାର ଅର୍ଥାତ୍ ଏହି ସବୁକିଛିର ଓ ସମସ୍ତଙ୍କର ହୋଇଯିବାକୁ ମନ କରିଛନ୍ତି ? ଆପଣ କେବେ ମୁଖାଗୁଡ଼ାକୁ କାଢ଼ି ଫୋଫାଡ଼ି ଦେବାକୁ ମନ କରିଛନ୍ତି ? ପୋଷାକୀ ଓ ଆଠପହରୀ ଭିତରେ ବରାଦ ଅନୁସାରେ ତିଆରି ହୋଇ ରହିଥିବା ବ୍ୟବଧାନ ଗୁଡ଼ାକୁ ଅତିକ୍ରମି ଯିବାପାଇଁ ମନ କରିଛନ୍ତି-? ବିରକ୍ତ ହୋଇ, ରୁଷି ଓ ବୈରାଗୀ ବେଶ ଧରି ଆଉ କୁଆଡ଼େ ପଳାଇ ନ ଯାଇ, ଆପଣାକୁ କୌଣସି ପ୍ରକାରେ ଲୁଚାଇ ନରଖି ଆପଣ କେବେ ଆପଣାର ଆଲୋକଚୁମ୍ବନ ଦ୍ଵାରା ଧରଣୀକୁ ସ୍ପର୍ଶ କରିବାକୁ ଆସୁଥିବା ସୂର୍ଯ୍ୟ ଭିତରେ ଆପଣାଙ୍କୁ ଅନୁଭବ କରିଛନ୍ତି ? ତେବେ ଆମେ ନିଶ୍ଚୟ ସାଙ୍ଗହୋଇ ପାରିବା, ନିଶ୍ଚୟ ସାହିତ୍ୟ ବୋଲି କୁହାଯିବ ।

 

ଏହିପରି ସୃଷ୍ଟିଛାଡ଼ି ଆତ୍ମୀୟତା ଦ୍ଵାରା ଚଳିତ ହୋଇ ଓ ତାହାରି ପାଖରେ ଆପେ ଧରା ଦେଇ ମୁଁ ଲେଖେ । ଏଠି ଏହି ସୃଷ୍ଟି ମଧ୍ୟରେ ଥାଇ ମଧ୍ୟ ତାହା ପ୍ରକୃତରେ ସୃଷ୍ଟିଛଡ଼ା । ସିଏ କାହାକୁ ମାନିବ ନାହିଁ । କୌଣସି କୃତ୍ରିମତାକୁ ମାନିବ ନାହିଁ । ବଡ଼ ଆସନଗୁଡ଼ାକ ଉପରେ ଏଡ଼େ ଗର୍ବର ସହିତ ବସିଥିବା ସାନ ‘ମୁଁ’ ଗୁଡ଼ାକର ମାମଲତକାରୀ ଗୁଡ଼ାକୁ ମୋଟେ ମାନିବ ନାହିଁ । ରାଜା ଲଙ୍ଗଳା ହୋଇ ଭାଣ୍ଡ ସାଜି ତୋଷାମଦକାରୀମାନଙ୍କୁ ଗହଣରେ ନେଇ ଶୋଭାଯାତ୍ରା କରି ବାହାରିଲେ ସିଏ ତଥାପି ରଜାଟା ଲଙ୍ଗଳା ବୋଲି ଫଟ୍‌କରି କହିଦେବ ଏବଂ ଶୋଭାର ସକଳ ବଜାରକୁ ତଥାପି ବଜାର ବୋଲି ଘୋଷଣା କରିବ । ଅନେକ ମଣିଷ କ୍ଷମତାକୁ ଭଲ ପାଆନ୍ତି, ସୁନ୍ଦର ଦିଶିବାକୁ ଭଲ ପାଆନ୍ତି । ଉଚ୍ଚ ହୋଇ ଦିଶିବାକୁ ବି ଭଲ ପାଆନ୍ତି, କୌଣସି ରାଜନୀତିକ ନେତା କର୍ମୀମାନଙ୍କୁ ନିଜ କାମରେ ଲଗାଇଲା ପରି ସେମାନେ ସାହିତ୍ୟକୁ ବି କାମରେ ଲଗାନ୍ତି–ସାହିତ୍ୟ ଲେଖି ଆପଣାକୁ ଏକାବେଳେକେ ଅନେକ କ୍ଷେତ୍ରରେ ଚକ୍ରବର୍ତ୍ତୀ ଏବଂ ଅଧିକାରୀ ରୂପେ ଦେଖାଇ ହେବାକୁ ଭାରି ଇଚ୍ଛା କରୁଥାନ୍ତି । ଏମାନଙ୍କ ଭିତରୁ ସବୁଯାକ ଆତ୍ମୀୟତା ମରି ସାରିଥାଏ–ସେହି ଅସଲ ହରାଇବାଜନିତ ଦାରିଦ୍ର୍ୟଟାକୁ ଘୋଡ଼ାଇ ରଖିବା ଲାଗି ସେମାନେ କ୍ଷମତା ଲୋଡ଼ନ୍ତି, କର୍ତ୍ତୃତ୍ଵ ଲୋଡ଼ନ୍ତି, ସାଆନ୍ତପଣ ଲୋଡ଼ନ୍ତି ଏବଂ ସାହିତ୍ୟକୁ ବି ସେହି ଲୋଡ଼ିବାରେ ଲଗାଇବାକୁ ବାହାରନ୍ତି । ଅସଲ ଆତ୍ମୀୟତା ଯାବତୀୟ କର୍ତ୍ତୃତ୍ଵଗିରିକୁ ଚୂନୌତି ଦିଏ-। ଅସଲ ସାହିତ୍ୟ ଯାବତୀୟ କ୍ଷମତାକୁ ଚାଲେଞ୍ଜ କରେ । କ୍ଷୁଦ୍ରମତି କ୍ଷମତା ବର୍ତ୍ତମାନଟାକୁ କାମୁଡ଼ିଧରି ପଡ଼ିଥାଏ, ଗାଦୀଗୁଡ଼ାକୁ ଗୌରବ ବୋଲି ପ୍ରଚାର କରେ, ସମ୍ପତ୍ତିଗୁଡ଼ାକୁହିଁ ସଂସ୍କୃତି ବୋଲି କହେ । ରୀତିଗୁଡ଼ାକୁ ହିଁ ପ୍ରୀତି ବୋଲି କହେ । ଦରବାରଟାକୁ ହିଁ ସଂସାର ବୋଲି କହେ-। ସାହିତ୍ୟ ଏହି ସବୁକିଛିକୁ ଅସ୍ଵୀକାର କରେ, କାରଣ ଆପଣାର ଆତ୍ମୀୟତାଟିର ପ୍ରସ୍ଥ ଉପରେ ଠିଆହୋଇ ସିଏ ଏକ ଅନ୍ୟ ଉଜ୍ଜ୍ୱଳତାର ସ୍ଵପ୍ନ ଦେଖେ । ଅନ୍ୟ ସମ୍ଭାବନାର ସ୍ୱପ୍ନ ଦେଖେ, ମଣିଷ ଲାଗି ଏକ ଅନ୍ୟ ଭବିଷ୍ୟର ସ୍ୱପ୍ନ ଦେଖେ । କର୍ତ୍ତାମାନେ ତାକୁ ଯେତେ ଫାଶିଆ ପିନ୍ଧାଇ ଘୁଙ୍ଗୁର ଲଗାଇ ରାଜଧାନୀର ଖାସ୍ ସଉକ ଭିତରେ ରଖିବାଲାଗି ଚେଷ୍ଟା କରନ୍ତୁ ପଛକେ, ସିଏ ସର୍ବଦା ଏକ ସ୍ଵପ୍ନ ଦେଖେ । ସାହିତ୍ୟିକ ଯାହା ସ୍ଵପ୍ନ ଦେଖେ, ଆପଣ ସାହିତ୍ୟର ମଞ୍ଜରୀଦେଇ ସିଏ ତାହାକୁ ହିଁ କହିବାକୁ ଚେଷ୍ଟା କରୁଥାଏ । ଏକ ଭୂମାର ସ୍ଵପ୍ନରେ ସିଏ ଅଳପକୁ ଛାଡ଼ିଯାଏ । ଏକ ସମଗ୍ରତାର ସ୍ୱପ୍ନରେ କ୍ଷୁଦ୍ରାତାକୁ ଛାଡ଼ିଯାଏ–ଏକ ଅନ୍ୟ ସୌନ୍ଦର୍ଯ୍ୟର ସ୍ଵପ୍ନ ଦେଖୁଥାଏ ବୋଲି ସିଏ ପୂଚ୍ଛ ଟେକି ନାଚୁଥିବା ପୃଚ୍ଛହୀନ ପକ୍ଷମାନଙ୍କୁ ଦେଖି ନ ହସି ରହି ପାରେନାହିଁ । ତାହାକୁ କେବଳ ଏକ ବେରସିକତା ବୋଲି କହେ ।

 

ମୋର ଲେଖାସବୁ ପ୍ରକୃତରେ ଏକ ଅନ୍ୟ ପ୍ରକାରର ସ୍ଵପ୍ନ ଦେଖେ । ଯେଉଁଠି କୌଣସି ମୁଖା ନଥିବ, କୌଣସି ଗଜୁପସା ନଥିବ, ସିଏ ସେହିପରି ଗୋଟିଏ ଜୀବନର ସ୍ଵପ୍ନଦେଝେ । ଏକ ଅନ୍ୟ ଅଭିକ୍ରମର ସ୍ଵପ୍ନ ଦେଖେ, ତେଣୁ ଏକ ଅନ୍ୟ ପ୍ରକାର ସମ୍ବନ୍ଧର ବି ସ୍ଵପ୍ନ ଦେଖେ । ଏଡ଼େ ସୁନ୍ଦର ଆମର ଏହି ପୃଥିବୀ–ଏହି ଆକାଶ, ଏହି ଆଲୁଅ ଓ ଚତୁର୍ଦ୍ଦିଗରୁ କେବଳ ଡେଣାର ଆହ୍ଵାନ ଦେଇ ଯାଉଥିବା ଏକ ପୃଥିବୀ ଭିତରେ ମଣିଷକୁ ମଣିଷ କାହିଁକି ଗିଳି ପକାଇବାକୁ ଇଚ୍ଛା କରୁଥିବ–ମୋର ଲେଖା ସେହିପରି ଗୋଟିଏ ପ୍ରଶ୍ନର ଉତ୍‌ଥାପନ କରି ଆପଣାକୁ ଜନ୍ମଦିଏ । ଆମର ଧର୍ମ, ଆମର ସଭ୍ୟତା, ଆମର କଳା ଓ ଆମର ଏହି ଯାବତୀୟ ନାନାବିଧ କୌଶଳଗୁଡ଼ାକ ମଣିଷକୁ ତା'ର କେଉଁ ଦାରିଦ୍ର୍ୟ ହେତୁ ଓ କେଉଁ ବୈରାଗ୍ୟ ହେତୁ ତଥାପି ଗୋଟିଏ ଗୋଟିଏ ଗାତ ଭିତରେ କାହିଁକି ରୁଷ୍ଟ, ଉଗ୍ର ଏବଂ ଭୀତ କରି ରଖିଥିବେ, ମୋର ଲେଖା ସଂପୃକ୍ତ ସମସ୍ତଙ୍କୁ ଏହି ପ୍ରଶ୍ନଟିକୁ ପଚାରି ଆପଣାର ଔଚିତ୍ୟଟିକୁ ବ୍ୟକ୍ତ କରେ ।

 

ତେଣୁ ଗାତଗୁଡ଼ାକ ସହିତ, ମୁଖାଗୁଡ଼ାକ ସହିତ ଓ ଆଣ୍ଟଗୁଡ଼ାକ ସହିତ ସାଲିସ୍ କରି ରହିଯିବାକୁ ମୁଁ କେବେହେଲେ କିଛି ଲେଖିପାରେ ନାହିଁ । ନିଜକୁ କିମ୍ବା ଅନ୍ୟ କାହାକୁ ଶୀତଳ କରି ପକାଇବା ଲାଗି ମୁଁ କେବେ କିଛି ଲେଖେନାହିଁ । ମୁଁ ସଖ୍ୟ ଲୋଡ଼ୁଥାଏ ବୋଲି ଲେଖେ, ଆହୁରି ପାଖକୁ ଆସିପାରିବି ବୋଲି ଲେଖେ, ଅସଲ ଦୁଆରଟି ଉପରେ ଆଘାତ କରି ପାରିବାକୁ ଓ ଅସଲ ତାରାଟିକୁ ସ୍ପର୍ଶ କରିପାରିବାକୁ ମୁଁ ଲେଖେ । ଯେଉଁ ସାହିତ୍ୟ ବୁଢ଼ା କରି ପକାଏ, ଯେଉଁ ସାହିତ୍ୟ ଗୋଟାଏ ଘରକୁ ସତେଅବା ଗୋଟାଏ ଗାଡ଼ରେ ପରିଣତ କରି ରଖିବାର ଅଭିସନ୍ଧି କରୁଥାଏ, ଦୁର୍ବଳତା ଓ ବ୍ୟାଧିଗ୍ରସ୍ତତା ଗୁଡ଼ାକୁ ଉଖାରି ଉଖାରି ଦେଖାଇବାରେ ଯିଏ ରତିସୁଖ ଲାଭ କରେ ଏବଂ ସବା ଶେଷକୁ କୋଉଠି ଆଦୌ କିଛି ସମ୍ଭବ ହେବନାହିଁ ବୋଲି ଫତୁଆଟିଏ ଦେଇ ପାଷଣ୍ଡବତ୍ ଏକ ଆତ୍ମପ୍ରସାଦ ଅନୁଭବ କରୁଥାଏ, ମୁଁ ତାକୁ ଦୂରରୁ ଦଣ୍ଡବତ୍ କରେ । ମୁଁ ତାହାଠାରୁ ସର୍ବଦା ଦୂରରେ ରହେ ।

 

ସବାଶେଷ କଥାଟି ହେଉଛି, ମୁଁ କୌଣସି ଜନ୍ମଭୂମି ପାଇଁ ଲେଖେନାହିଁ କିମ୍ବା କୌଣସି ମାତୃଭାଷାର ସେବା କରିବାଲାଗି କିଛି ଲେଖେ ନାହିଁ । ମୋର ଏକ ଜନ୍ମଭୂମି ଅବଶ୍ୟ ରହିଛି, ଏକ ମାତୃଭାଷା ଅବଶ୍ୟ ରହିଛି । ମୁଁ ସେମାନଙ୍କୁ ସ୍ତନ୍ୟଦାୟିନୀ ମାଆ ପରି ଭଲ ପାଏ । ସେମାନେ ଅନ୍ତୁଡ଼ିଶାଳ ପରି ହୋଇ ଏହି ଅପାର ଆକାଶ, ଅଗାଧ ଜୀବନ ଏବଂ ଅନନ୍ତ ଭବିଷ୍ୟଟିକୁ ନିଜ ଭିତରେ ଅନୁଭବ କରିବାଲାଗି ମୋତେ ଆଖିଟିଏ ଯୋଗାଇ ଦେଇଛନ୍ତି ବୋଲି ସେମାନଙ୍କ ପାଖରେ ମୁଁ ସର୍ବପ୍ରଥମେ କୃତଜ୍ଞ । ତଥାପି ମୁଁ ସେମାନଙ୍କ ପାଇଁ କିଛି ଲେଖେ ନାହିଁ । ସେମାନଙ୍କର ମାଧ୍ୟମରେ ମୁଁ ଯେଉଁ ଆକାଶ, ଯେଉଁ ଭବିଷ୍ୟ ଓ ଯେଉଁ ସମ୍ଭାବ୍ୟ ଜୀବନକୁ ମୋ ସମ୍ମୁଖରେ ଅଙ୍କ ପ୍ରସାର କରି ରହିଥିବାର ଦେଖିବାକୁ ଯାଏ, ମୁଁ ସେହିଗୁଡ଼ିକ ପାଇଁ ଲେଖେ । ବାର ବାର ମରି ବାର ବାର ଜନ୍ମ ହେବାପାଇଁ ଲେଖେ । ଏହି ଆପେକ୍ଷିକ ଅର୍ଦ୍ଧସୋପାନ ଗୁଡ଼ିକୁ ଗୋଟି ଗୋଟି କରି ପାର ହୋଇଯିବାକୁ, ଶାସ୍ତ୍ରର ଭାଷାରେ କହିଲେ ଶୃଙ୍ଗରୁ ଶୃଙ୍ଗକୁ ଅତିକ୍ରମ କରି ଯିବାକୁ ମୁଁ ଲେଖେ । ମୋ’ରି ଭିତରୁ ଆପଣାକୁ ଜନ୍ମ ଦେବାପାଇଁ ଲେଖେ । ଯିଏ ଏହି ସବୁକିଛିକୁ ଜନ୍ମ ଦେଇଛି, ମୋତେ ବି ଜନ୍ମ ଦେଇଛି, ତାହାରି ଜନନୀତ୍ଵକୁ, ମୁଁ ଅପରୋକ୍ଷ ଭାବରେ ଆପଣା ଭିତରେ ଅନୁଭବ କରିବା ଲାଗି ଲେଖେ । ଦେବକୀର ତପଃ, ଜଗତରେ ଏତିକି ଯଥେଷ୍ଟ ।

 

କିନ୍ତୁ ଆପଣମାନେ କହନ୍ତୁ ତ, ମୁଁ ପ୍ରକୃତରେ କାହିଁକି ଲେଖେ ?

 

ଗୋଧୂଳି, ପୂଜାସଂଖ୍ୟା ୧୯୮୦

Image

 

Unknown

ସାହିତ୍ୟର ତିନୋଟି ଥାକ

 

ତିନି ପ୍ରକାର ଭୂମି, ତେଣୁ ତିନି ପ୍ରକାରର ଜୀବନ । ଅର୍ଥାତ୍ ତିନି ପ୍ରକାରର ଚେତନା । ତିନି ପ୍ରକାରର ଚେତନାରୁ ତିନି ପ୍ରକାରର ସାହିତ୍ୟ । ଜଣେ ମଣିଷ ଯେଉଁ ଭୂମିରେ ଥାଏ, ଅର୍ଥାତ୍ ଯେଉଁ ଭୂଇଁରେ ବିଚରଣ କରୁଥାଏ, ତାହାର ଯାବତୀୟ ସର୍ଜନାତ୍ମକତା ସେହି ଭୂମିରେ ହୋଇ ରହିଥାଏ । ଜିଜ୍ଞାସା ସେହି ଭୂମିର ହୋଇ ରହିଥାଏ, ତେଣୁ ସମୀକ୍ଷା ମଧ୍ୟ ସେହି ଭୂମିର ହୋଇ ରହିଥାଏ । ସାହିତ୍ୟରେ ଦୁଇଟି ପାର୍ଶ୍ଵ–ଗୋଟିଏ ସାହିତ୍ୟ–ଲେଖକର ପାର୍ଶ୍ଵ ଓ ଆରଟି ସାହିତ୍ୟ–ପାଠକର ପାର୍ଶ୍ଵ । ଯାବତୀୟ ସାହିତ୍ୟ ଲେଖିବାକୁ କାଳେ କାଳେ ଏକ ସର୍ଜନାତ୍ମକ ପ୍ରକ୍ରିୟା ରୂପେ ବୁଝାଯାଇ ଆସିଛି । ସାହିତ୍ୟର ଯଥାର୍ଥ ପାଠକକୁ ମଧ୍ୟ ସର୍ଜନାତ୍ମକ ହେବାକୁ ପଡ଼ିଥାଏ । ଯେମିତି ସବୁ ମଣିଷ ଲେଖକ ହୋଇ ପାରନ୍ତି ନାହିଁ, ସେମିତି ସବୁ ମଣିଷ ପାଠକ ମଧ୍ୟ ହୋଇ ପାରନ୍ତିନାହିଁ-। ଲେଖିବାର ପ୍ରକ୍ରିୟା ପରି ପାଠକ ହେବାର ପ୍ରକ୍ରିୟାଟିକୁ ମଧ୍ୟ ନାନା ଦୃଷ୍ଟିରୁ ଏକ ଉପନୟନ ବୋଲି କୁହାଯାଇପାରେ ।

 

ସର୍ଜନାତ୍ମକ ହେବାର ଅର୍ଥ ହେଉଛି ଆପଣାକୁ ଦେବାଲାଗି ରାଜି ହୋଇଯିବା । କୃପଣ ମଣିଷ ଆପଣାକୁ ଦେଇ ପାରେନାହିଁ; ସିଏ ନିଜ ଭିତରେ ସତେଅବା ନିଜକୁ କାମୁଡ଼ି କରି ଧରିଥାଏ-। ଆପଣାକୁ ବାଟ ଛାଡ଼ିଦେବା ସକାଶେ ଆଦୌ ମଙ୍ଗୁ ନଥାଏ । କୃପଣ ମଣିଷ କବାଟ କିଳି ବସିଥାଏ, ତେଣୁ ସିଏ ଆଦୌ କେଉଁଠି ହେଲେ ପ୍ରବେଶ କରି ପାରେନାହିଁ । ଗଣ୍ଠିଗୁଡ଼ାକୁ ଖୋଲିବା ସକାଶେ ରାଜି ହୋଇଗଲେ କୃପଣତା ଯାଏ ଏବଂ ତା’ପରେ ଯାଇ ଆପଣାର ଜୀବନରେ ସୃଜନାତ୍ମକତା ଏକ ଆୟାମ ପ୍ରକୃତରେ ରହିଛି ବୋଲି ଏକ ପ୍ରତ୍ୟୟ ଜନ୍ମଲାଭ କରିଥାଏ । ସେହି ପ୍ରତ୍ୟୟ ହିଁ ଦ୍ଵାରଗୁଡ଼ିକୁ ଖୋଲିଦିଏ, ଅନୁରାଗୀ କରାଏ । କେବଳ ଲେଖକ ହେବାପାଇଁ ନୁହେଁ, ପାଠକ ହେବାଲାଗି ମଧ୍ୟ ଅନୁରାଗୀ ହେବାକୁ ପଡ଼ିଥାଏ । ପାଠକ ଯଥାର୍ଥ ଭାବରେ ଅନୁରାଗୀ ହୋଇପାରିଲେ ଯାଇ ଏକ ଅନୁରୂପ ପ୍ରବେଶାଧିକାର ଲାଭ କରିବାକୁ ସମର୍ଥ ହୋଇଥାଏ ଏବଂ ସେହି ଅନୁରାଗର ମଧ୍ୟ ହୁଏତ ତିନୋଟି ଭୂମି ଓ ତିନୋଟି ସ୍ତର ରହିଥାଏ । ଆମର ଅନୁରାଗ ଆମକୁ ଯେଉଁ ସ୍ପର୍ଶ ଲାଗି ଓ ଯେଉଁ ପ୍ରବେଶ ଲାଗି ଭାଜନ କରାଇଆଣେ, ପ୍ରସ୍ତୁତ କରାଇଆଣେ ତାହା ହିଁ ଆମ ସାହିତ୍ୟାବଗାହନର ଭୂମିଟିକୁ ମଧ୍ୟ ନିରୂପିତ କରି ଦେଇଥାଏ । ସେହି ନିରୂପଣର ନିୟମ ଅନୁସାରେ ସାହିତ୍ୟରୂପୀ ଯାବତୀୟ ଭେଟ ବା ରସଗ୍ରହଣର ମୀମାଂସା ମଧ୍ୟ ହେବାରେ ଲାଗିଥାଏ ।

 

ତେଣୁ ସାହିତ୍ୟରେ ତିନୋଟି ଥାକ–ପ୍ରଥମଟି ପୁଲକ, ଦ୍ଵିତୀୟଟି ଆଦର୍ଶବାଦ ଏବଂ ତୃତୀୟଟି ହେଉଛି ଆରୋହଣ । ଯେକୌଣସି ସାହିତ୍ୟ ଲେଖି ବସିବା ବେଳେ ଲେଖକ ଏହି ତିନୋଟି ଭିତରୁ ପ୍ରକୃତରେ, ଅର୍ଥାତ୍ ଆପଣା ଅନୁରାଗ–ଜଗତର ଅନ୍ତ୍ରଗୁଡ଼ିକର କ୍ଷେତ୍ରରେ ଯେଉଁ ସ୍ତରରେ ଅବସ୍ଥାନ କରୁଥାଏ, ସିଏ ପ୍ରାୟ ନିପାତନସିଦ୍ଧ ଭାବରେ ସେହି ସ୍ତରର ସାହିତ୍ୟ ସୃଷ୍ଟି କରିବାକୁ ସମର୍ଥ ହୁଏ । ସିଏ ତୁଚ୍ଛା ପୁଲକ ଦ୍ଵାରା ପରିଚାଳିତ ବା ଅନୁପ୍ରାଣିତ ହୋଇ ସାହିତ୍ୟ ଲେଖିପାରେ । ପ୍ରାଚୀନ କାଳର ଅଧିକାଂଶ କାବ୍ୟ ଓ କବିଶିଳ୍ପକୁ ଆମେ ହୁଏତ ଏହି ପୁଲକସ୍ତରୀୟ ବୋଲି କହିପାରିବା । ଆଧୁନିକ ସାହିତ୍ୟର ପରିମାଣାତ୍ମକ ବିବେଚନା କରୁଥିବା ବେଳେ ଆମକୁ ଆମ ଏଯୁଗରେ ମଧ୍ୟ ପ୍ରସରୁଥିବା ଅଧିକତର ସାହିତ୍ୟ ଉତ୍ପାଦନ ହୁଏତ ପ୍ରଧାନତଃ ସେହି ପୁଲକସ୍ତରର ବୋଲି ଦେଖାଯିବାକୁ ଆରମ୍ଭ କରିବ । ପୁଲକ ବା ଚିତ୍ତବିନୋଦନର ଅବସରକୁ ଖୋଜି ସାହିତ୍ୟ ଭିତରକୁ ବାହାରିଥିବା ପାଠକମାନଙ୍କ ଲାଗି ଯେ ଏହି ଭୂମିର ସାହିତ୍ୟ ସର୍ବୋପାଦେୟ ଓ ସର୍ବଶ୍ରେଷ୍ଠ ବୋଲି ପ୍ରତୀତ ହେବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ, ସେଥିରେ ଆଶ୍ଚର୍ଯ୍ୟ ହେବା ଲାଗି କୌଣସି କାରଣ ମଧ୍ୟ ନାହିଁ ।

 

ଆଗକାଳର ସଭା ଏବଂ ଦରବାରମାନଙ୍କରେ ସାହିତ୍ୟାମୋଦର ଯେଉଁ ଅନୁଷ୍ଠାନମାନ ହେଉଥିଲା, ସେଥିରେ ସ୍ରଷ୍ଟା ଓ ଶ୍ରୋତା ଉଭୟେ କାମନାର ଭୂମିରେ ସେହି ବିନୋଦ ଏବଂ ପୁଲକ ପାଖରେ ହିଁ ରହିଥିଲେ । ଘଡ଼ିକଲାଗି ଗଦ୍‌ଗଦ ହୋଇ ଯାଉଥିଲେ, ଘଡ଼ିକଲାଗି ବାଉଳା ହେଉଥିଲେ । ନିଶା ଲାଗିଥିବାର ଘଡ଼ିଟି ଅତିକ୍ରାନ୍ତ ହୋଇଗଲେ ମଣିଷ ଯେମିତି ପୁନର୍ବାର ଆପଣାର ସତ ସଂସାରଟି ମଧ୍ୟକୁ ଫେରିଆସେ ଏହି ସଂସାରର ସତଗୁଡ଼ାକୁ ମାୟା ବୋଲି କହେ, ଦୁଃଖ ବୋଲି କହେ ଓ ତୃଷ୍ଣା ବୋଲି କହେ ଏବଂ ପୁନର୍ବାର ସେହିପରି ବାଉଳା ହୋଇ ପାରିବାର, ଗଦ୍‌ଗଦ ହେବାର ଅଥଚ ଗୋଟାସୁଦ୍ଧା ନିର୍ବାପିତ ହୋଇ ବସି ଏଠା ଆହ୍ଵାନଗୁଡ଼ିକର ଯାବତୀୟ ଜ୍ଵାଳାକୁ ଏଡ଼ି ପାରିବାର ଘଡ଼ିଟି ସକାଶେ ଅତ୍ୟନ୍ତ ମର୍ମଘାତୀ ଭାବରେ ଅପେକ୍ଷା କରି ରହିଥାଏ, ବିନୋଦର ଭକ୍ଷଣକୁ ହିଁ ଜୀବନର ଓ ତେଣୁ ସାହିତ୍ୟର ପ୍ରାୟ ଏକ ଦେବଦତ୍ତ ସମ୍ପତ୍ତି ବୋଲି ମଣି ପ୍ରଧାନତଃ ତାହାରି ଲାଗି ସାହିତ୍ୟ ଭିତରେ ପଶିଥିବା ମଣିଷ ସେହିପରି ଜୀବନ ଓ ସାହିତ୍ୟ ମଧ୍ୟରେ ସତେଅବା ଭାରି ମର୍ମଘାତୀ ଭାବରେ ଦୁଇଫାଳ ହୋଇ ରହିଥାଏ । ବିନୋଦର ଭୂମିକୁ ଅର୍ଥାନ୍ତରରେ ଏକ ବିସ୍ମରଣର ଭୂମି ବୋଲି ମଧ୍ୟ ବେଶ୍ କୁହାଯାଇ ପାରିବ ।

 

ବିନୋଦନ ତଥା ବିସ୍ମରଣକୁ ସବାବଡ଼ ପୀଠ କରି ସାହିତ୍ୟ ଭିତରେ ରମଣ ଓ ସନ୍ତରଣ କରିବାକୁ ଆସୁଥିବା ଲେଖକ ଓ ପାଠକମାନେ ଅନେକ ସମୟରେ ଏକ କାଳିସୀତତ୍ତ୍ଵର ଅବତାରଣା କରିଥାନ୍ତି ଓ ସତେଅବା ନିଜର କୌଣସି ଗେହ୍ଲାପୁଅର ନାମକରଣ କରୁଥିବା ପରି ତାହାକୁ ନନ୍ଦନତତ୍ତ୍ଵ ବୋଲି କହିଥାନ୍ତି । କାଳିସୀ ବେଳେବେଳେ ଆସେ, ଆସି ଗୋଟାସୁଦ୍ଧା ମାଡ଼ିବସେ–ସତେଅବା ନିକର୍ତ୍ତବ୍ୟ କରି ପକାଏ । ନିକର୍ତ୍ତବ୍ୟ କରି ସତେ ଯେପରି ଏକ ଶୋକପାସୋରା ଅପସରାଭୁବନକୁ ଉଡ଼ାଇ ନେଇଯାଏ–ଚିତ୍ରନଦୀର ଦର୍ଶନ କରାଏ–ଘଡ଼ିକ ଲାଗି ମଜ୍ଜାଇ ରଖିଥାଏ–ପ୍ରାୟ ଏକ ପଞ୍ଚମକାରୀ ଅନ୍ୟ ପ୍ରପଞ୍ଚର ସର୍ଜନା କରି ରଖିଥାଏ । ସେହି କେତେ ଘଡ଼ି ନିଜକୁ ସତେଅବା ଜଣେ ଅପ୍ରତିଦ୍ଵନ୍ଦ୍ଵୀ ଚାରଣ–ଚକ୍ରବର୍ତ୍ତୀ ଭଳି ମନେହେଉଥାଏ । ଶବ୍ଦମାନେ, ଭାବନାମାନେ, ଛନ୍ଦମାନେ ତଥା ଚିତ୍ରକଳ୍ପମାନେ ଆଦେଶ ପ୍ରମାଣେ ସେବା ଖଟିବାରେ ଲାଗିଥାନ୍ତି-। ସେହି ଘଟିଟି ବା କେତେ ଘଡ଼ି ଅତିକ୍ରାନ୍ତ ହୋଇ ଯିବା ପରେ ପୁନର୍ବାର ଏଠି କିଏ ସତେ ଅବା ଏକ ଦନ୍ଥଡ଼ା ଭୂତଳ ଉପରେ ଆଣି ଆମକୁ ଫୋପାଡ଼ି ଦେଇଗଲା ପରି ମନେହୁଏ । ବିସ୍ମରଣର ସେହି ଘଡ଼ିଟିରେ ସୁନ୍ଦର ଓ ସୁବେଶ ହୋଇ, କଣ୍ଢେଇଟିଏ ହୋଇ ନାଚୁଥିବାର ଓ ଭୁବନମନ ମୋହୁଥିବାର ଗୋଟିପୁଅଟିର ବିସ୍ମରଣର ମୁହୂର୍ତ୍ତଟି ଅତିକ୍ରାନ୍ତ ହୋଇଯିବା ପରେ ବେଶ ବଦଳି ଏପାଖକୁ ଫେରି ଆସି ମୁହଁଯାକ ସତେଅବା ପୁଣି ରୂଢ଼ ମାଡ଼ି ଯାଇଥିବା ପରି ଅନୁଭବ କରିବାରେ ଲାଗିଥାଏ । ସିଏ ପ୍ରକୃତରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ଜୀବନ । ତଥାକଥିତ ଆନନ୍ଦ ଭିତରେ, ରସର ଆନନ୍ଦଘନ ସମୁଦ୍ର ଭିତରେ ଘଡ଼ିକଲାଗି ବଡ଼ ଅଣଆୟତ୍ତ ଭାବରେ କଚିହେବା ପରେ ପୂନର୍ବାର ଏହି ସଂସାରକୁ ଫେରି ଆସି ଏଠାରେ ପ୍ରାୟ ଅସରନ୍ତି ଭାବରେ ବାଧ୍ୟ ହୋଇ କଚିହେବାରେ ଲାଗିଥିବା,–ଏଇଟି ପ୍ରକୃତରେ ଏକ ଦାରୁଣ ଅବସ୍ଥା । ଜୀବନ ପ୍ରତି, ଆପଣା ପ୍ରତି ଓ ଜଗତ ପ୍ରତି ମୂଳତଃ ସତକୁସତ ଏକ ସଦିଚ୍ଛା ରଖିଥିବା କୌଣସି ମଣିଷ ତା’ ଶତ୍ରୁଲାଗି ମଧ୍ୟ କଦାପି ଏଭଳି ଏକ ଦୁର୍ଦ୍ଦଶାର କାମନା କରିବ ନାହିଁ ।

 

କାଳିସୀତତ୍ତ୍ଵର ଏହି ବିବେଚନାଗତ ଭୂମିଟି ସତେଅବା ଏକ ଅବିଶ୍ଵାସକୁ ହିଁ ଆପଣାର ସର୍ବପ୍ରଧାନ ଖାଦ୍ୟରୂପେ ଗ୍ରହଣ କରି ନେଇଥାଏ ଓ ସେହି ଖାଦ୍ୟଦ୍ଵାରା ନିଜର ପୁଷ୍ଟିସାଧନ କରେ-। ସେହି ଅବିଶ୍ଵାସଟି ହେଉଛି ଏକ ମୂଳଭୂତ ନେତିବାଦ, ଏକ କର୍ମବାଦୀ ପ୍ରତ୍ୟାଖ୍ୟାନ, ଯାହାକି ସତେଅବା ଏକ ଅମୋଘ ସତ୍ୟ ରୂପେ ଧରି ନେଇଥାଏ ଯେ, ଏଠାରେ ଆଦୌ କୌଣସି ପରିବର୍ତ୍ତନ କଦାପି ସମ୍ଭବ ହେବ ନାହିଁ; ଏହି ପୃଥିବୀର ବିଡ଼ମ୍ବନାଗୁଡ଼ାକ ସବୁଦିନ ରହିବ,–ମଣିଷର ଭିତରେ ଏବଂ ବାହାରେ ତାକୁ ନାନାଭାବରେ କୋରି ଖାଇବାରେ ଲାଗିଥିବା ବିଭାଜନଗୁଡ଼ାକ କେବେହେଲେ କଟିବ ନାହିଁ,–ତେଣୁ ଘଡ଼ିଏ କାଳିସୀ ପାଇଁ ଛାଡ଼ିଦେଇ କିଞ୍ଚିତ୍ ପାସୋରିଯିବା ଓ ଗଦଗଦ ହୋଇ ରହିବା ବ୍ୟତୀତ ମଣିଷ ଲାଗି ସୁଖ ଭୁଞ୍ଜିବାର ଆଉ ଅନ୍ୟ କୌଣସି ଗତି ନାହିଁ । ଆମେ ଜୀବନରେ ଏପରି ଆଦୌ କୌଣସି ବୃହତ୍ତର ଅନୁରାଗ ଅଥବା ଚେତନାବୃତ୍ତକୁ ସମ୍ଭବ କରି ପାରିବା ନାହିଁ, ଯାହାକି ଆମକୁ ବିଭାଜିତ ଓ ବହୁଭର୍ତ୍ତୃକ କରି ରଖିଥିବା ଏହି ଖଣ୍ଡବୃତ୍ତଗୁଡ଼ିକୁ ଏକତ୍ର ଗୋଟିଏ ସମଗ୍ରତା ଭିତରକୁ ଯୋଡ଼ିଆଣି ପାରିବ । ବର୍ତ୍ତମାନ ଯୁଗରେ ସେହି ଅବିଶ୍ଵାସ ଓ ସେହି ଅସହାୟତା ହିଁ ଆମକୁ ଏତେ ବିଭକ୍ତ କରି ରଖିଛି, ତେଣୁ ଏତେ ଉଗ୍ର କରି ରଖିଛି । ଆମ ସାହିତ୍ୟର ଭାବପ୍ରସ୍ଥ ଓ ବେଦନାପ୍ରସ୍ଥ ଗୁଡ଼ିକୁ ମଧ୍ୟ ତାହା ପ୍ରକୃତରେ ଅତ୍ୟନ୍ତ ବିକ୍ଷୁବଧ ଏବଂ ଭାବପ୍ରବଣ କରି ରଖିଛି । ଜୀବନ ବହୁଧା ବହୁ ଅନୁରକ୍ତି ଦ୍ଵାରା ବଡ଼ ମିଛ ଉତ୍ତେଜନାପୂର୍ଣ୍ଣ ହୋଇ ରହିଛି ।

 

ସାହିତ୍ୟର ଦ୍ଵିତୀୟ ଥାକଟି ହେଉଛି ଆଦର୍ଶବାଦର ଥାକ । ମନୁଷ୍ୟର ଉଦ୍‌ଭବ ହେବା ଦିନୁ ସଂସାରର ଆଦର୍ଶ ଓ ଆଦର୍ଶବାଦ ଉଭୟେ ରହି ଆସିଛନ୍ତି । ଆଦର୍ଶବାନ ଓ ଆଦର୍ଶବାଦୀ ଉଭୟ କିସମର ମଣିଷ ମଧ୍ୟ ଅଛନ୍ତି । ଆଦର୍ଶବାଦୀ ପାଠକ ମଧ୍ୟ ରହିଛନ୍ତି । ପୃଥିବୀର ପ୍ରାୟ ସବୁ ଲୋକସମୂହର ଇତିହାସରେ ଜାତୀୟତାବାଦ ନାମକ ଏକ ଆଦର୍ଶଗତ ବଳୟ ଯେତେବେଳେ ସାମୂହିକ ଜୀବନକୁ ସତେଅବା ଗୋଟାସୁଦ୍ଧା ଆବୋରି ପକାଇବାକୁ ବାଟ ପାଇଯାଇଛି, ସେତେବେଳେ ସାହିତ୍ୟ ଆଦର୍ଶବାଦୀ ହୋଇଛି । ଅନେକାନ୍ତବାଦକୁ ଗ୍ରାସ କରି ଯେତେବେଳେ ଏକାନ୍ତବାଦୀ ଧାରଣ ଓ ସକ୍ରିୟତାମାନେ ପ୍ରାୟ ଦଶପ୍ରହରଣ ଧାରଣକରି ଅତ୍ୟୁତ୍ସାହି ଏବଂ ଅତ୍ୟାଗ୍ରହୀ ହୋଇ ଉଠିଛନ୍ତି, ସେତିକିବେଳେ ସାହିତ୍ୟ ଆଦର୍ଶବାଦର ଶୋଭନ ଗୁଳାଟି ଭିତରେ ଆସି ପଡ଼ିଯାଇଛି । ସେତେବେଳେ ପ୍ରାୟ ଅତ୍ୟାତୁର ଭାବରେ ଗୋଟାଏ କ’ଣ ଆଦର୍ଶ ଲାଗି ନିଜକୁ ଉତ୍ସର୍ଗ କରିବାର କଥା କୁହାଯାଉଛି । ନିଜର ବାଡ଼ଗୁଡ଼ାକ ହୁଏତ ଏଡ଼େ ଉଚ୍ଚ ହୋଇ ଦିଶିଛି ଯେ, ବାଡ଼ ସେପାଖରେ ରହିଥିବା ପୃଥିବୀଟି ସତେଅବା ଆଦୌ ଦୃଷ୍ଟିଗୋଚର ହୋଇ ପାରିନାହିଁ । ନିଜଟି ଏତେ ଅଧିକ ପରିମାଣରେ ସୁନ୍ଦର ଓ ଅଭିରାମ ଦେଖାଯାଇଛି ଯେ, ଅନ୍ୟ ସବୁଗୁଡ଼ାକ ହୀନତର ଓ ନିମ୍ନତର ବୋଲି ଦେଖାଯାଇଛି । ନିଜ ଦେଶ, ନିଜ ଜାତି, ନିଜ ଅତୀତ ଓ ନିଜ ଐତିହ୍ୟ,–ଏହିପରି ନାନାବିଧ ଅରଣ୍ୟ ମଧ୍ୟରେ ନିଜ ଭାବନା ତଥା ଉଚ୍ଚାଟନାର ବଳଦମାନଙ୍କୁ ସେମାନଙ୍କ ବେକରେ ଘଣ୍ଟିଘାଗୁଡ଼ିର ମାଳ ପିନ୍ଧାଇ ଛାଡ଼ି ଦିଆଯାଇଛି । ସେତେବେଳେ ସାହିତ୍ୟ ଜାତୀୟତାବାଦୀ ହୋଇଛି, ଆଦର୍ଶବାଦୀ ହୋଇଛି । ଏ କଥା ସାରା ପୃଥିବୀରେ ହୋଇଛି, ଆମ ଭାରତବର୍ଷ ତଥା ଓଡ଼ିଶାରେ ମଧ୍ୟ ହୋଇଛି । ଏବେ ମଧ୍ୟ ତାହାର ପ୍ରତିନିଧିତ୍ଵ କରୁଥିବା ଶ୍ରଦ୍ଧା ଓ ଶିବିରମାନେ ଆମ ଭିତରେ ରହିଛନ୍ତି । ଆଦର୍ଶବାଦୀ ଲେଖକ ଅଛନ୍ତି, ଆଦର୍ଶବାଦୀ ପାଠକ ମଧ୍ୟ ଅଛନ୍ତି । ଏକଆଖିଆ ହେବାରେ ଯେ ଏକ ବିଶେଷ ଉଚ୍ଚାଟନ ରହିଛି, ଆଦର୍ଶବାଦୀ ସାହିତ୍ୟ ତାହାକୁ ଭାରି ଜଳଜଳ କରି ପ୍ରମାଣ କରି ଦେଇଛି ।

 

ଆଦର୍ଶବାଦୀ ଭାଡ଼ିର ଆଉ ଏକ ସାହିତ୍ୟ ହେଉଛି ଧର୍ମୀୟ ସାହିତ୍ୟ । ଇତିହାସର ପ୍ରତ୍ୟେକ ଧର୍ମରେ ଗୁରୁମାନେ ରହିଛନ୍ତି; ପ୍ରତ୍ୟେକ ଧର୍ମର ଭଳିଭଳି ସନ୍ତକ ଅଛି, ବୀର ଦିଗ୍‌ବିଜୟୀମାନେ ରହିଛନ୍ତି । ବ୍ୟୂହଗୁଡ଼ିକ ଭିତରୁ କେତେ କେତେ ବାନା ଉଡ଼ୁଛି । ତଥ୍ୟର ବାନା, ତତ୍ତ୍ଵର ବାନା, ପ୍ରମତ୍ତ ଭକ୍ତିର ବାନା, ଏବଂ ସ୍ଵୟଂ ଅଶେଷ ଭାଗ୍ୟର ଅନୁଗ୍ରହବଳରେ ସେହି ଏକମାତ୍ର ପଥଟିକୁ ଆଶ୍ରୟ କରି ପଡ଼ିଥିବା ଜନିତ ନାନା ସ୍ଵାଧିକାରପ୍ରମତ୍ତତାର ବାନା । ସେହି ବାନାଗୁଡ଼ିକର ଉପାଖ୍ୟାନଗୁଡ଼ିକୁ ଧର୍ମର ପରିଭାଷାରେ ପୁରାଣ ବୋଲି କୁହାଯାଇଛି । ପୁରାଣମାନେ ଆଦର୍ଶମାନଙ୍କୁ ଆଦର୍ଶବାଦ ରୂପେ ଗଢ଼ି ଥୋଇ ଦେଇଛନ୍ତି । ଭାରତୀୟ କେତେ ପୁରାଣରେ କେଉଁଠି ବିଷ୍ଣୁ ଘୋଡ଼ା ହୋଇଛନ୍ତି ଓ ଶିବ ତାଙ୍କ ଉପରେ ବସିଛନ୍ତି ତ ଆଉ କେଉଁଠି ବିଚରା ଶିବ ଘୋଡ଼ା ହୋଇଛନ୍ତି ଏବଂ ବିଷ୍ଣୁ ତାଙ୍କ ଉପରେ ସଇସ ହୋଇ ବସିଛନ୍ତି । କେଉଁଠି ଇନ୍ଦ୍ର ବାହାନ ହୋଇ ବୁଦ୍ଧଦେବଙ୍କୁ ବହନ କରିଛନ୍ତି ତ ଆଉ କେଉଁଠି ବୁଦ୍ଧ ଇନ୍ଦ୍ରଙ୍କ ଲାଗି ବାହନ ରୂପେ କାର୍ଯ୍ୟ କରିଛନ୍ତି । ଏହିସବୁ ଉପାଖ୍ୟାନରେ ଆଦର୍ଶବାଦ ଉତ୍ସାହ ପୂର୍ଣ୍ଣ ହୋଇ ରହିଛି, ଆଦର୍ଶବାଦର ପ୍ରକୋପ ମଧ୍ୟ ପୂର୍ଣ୍ଣ ହୋଇ ରହିଛି । ଅନୁରୂପ ରୀତିମତ ଅବଲମ୍ବନ କରାଯାଇ ସାହିତ୍ୟକୁ କେଡ଼େ ସୁମଣ୍ଡିତ ଭାବରେ ପ୍ରକୋପଯୁକ୍ତ କରି ରଖାଯାଇଛି । ଆମ ସାହିତ୍ୟର ତଥାକଥିତ ଅନେକ ସ୍ତୋତ୍ର, ସ୍ତୁତି, ଅଷ୍ଟକ, ଶତକ, ଭଜନ ତଥା ଜଣାଣରେ ସେହି ପ୍ରକୋପନ ଭାଗଟା ହିଁ ଅଧିକତର ପରିମାଣରେ ରହିଛି । ଆମ ଠାକୁର ହେଉଛନ୍ତି ସବୁଠାରୁ ବଡ଼ ଠାକୁର, ତାଙ୍କର ଦେଉଳ ସବୁଠାରୁ ବଡ଼ ଦେଉଳ, ସିଏ ଏକାବେଳେକେ ଏତେ ପଉଟି ଭୋଗ ଖାଆନ୍ତି ଓ ସ୍ଵମହିମାରେ ଅନ୍ୟ ସବୁ ଦେବତାଙ୍କର ମୁହଁକୁ ମଳିନ ପକାଇ ଦିଅନ୍ତି,–ଏହିସବୁ ଭାବାତୁର ଉଗ୍ରକଥା ମଣିଷର ମନରେ ସେହି ପ୍ରକୋପନଟାକୁ ହିଁ ସବୁଠାରୁ ଅଧିକ ପରିମାଣରେ ବିଚିତ୍ର ବେଶଦ୍ଵାରା ମଞ୍ଜୁଳକରି ଦେଖାଇବାରେ ସାହାଯ୍ୟ କରିଥାନ୍ତି ।

 

ଆଦର୍ଶବାଦୀ ସାହିତ୍ୟ ସଚରାଚର ଏକ ସହଜ ସମାଧାନର ସମ୍ମୋହନ ସୃଷ୍ଟି କରି ରଖିଥାଏ,–ଏକ ମିଛ ଆତ୍ମସନ୍ତୋଷ ମଧ୍ୟ ଆଣିଦେବାରେ ଭାରି ସାହାଯ୍ୟ କରେ । ଯଥାର୍ଥ ଆହ୍ଵାନଗୁଡ଼ିକୁ ଭଣ୍ଡାଇ ରଖେ, ଅଭାବଗୁଡ଼ାକୁ ହିଁ ଭାବ ବୋଲି ଦେଖାଇବାକୁ ଚେଷ୍ଟା କରୁଥାଏ । ଅସଲ ଉଦ୍ୟମଟିକୁ ପ୍ରକୃତରେ ବହୁଦୂର କରି ରଖିଥାଏ । ପୃଥିବୀର ଯାବତୀୟ ଆଦର୍ଶବାଦ ପୃଥିବୀକୁ ଯାବତୀୟ ଆଦର୍ଶ ପାଖକୁ ବହୁଦୂର କରି ରଖିବାରେ ଭାରି ସାହାଯ୍ୟ କରିଆସିଛି ଓ ଏଣେ ମଣିଷକୁ ସତେଅବା ଯାବତୀୟ ଲକ୍ଷକୁ ହାସଲ କରି ସାରିଥିବାର ଏକ ଭ୍ରାନ୍ତି ମଧ୍ୟ ଆଣି ଯୋଗାଇ ଦେଇଛି । ଯୁଗ ଅନୁସାରେ ଆଦର୍ଶବାଦୀମାନେ ବଦଳି ବଦଳି ଯାଇଛନ୍ତି ସତ, ମାତ୍ର ତଥାପି ଆମ ପୃଥିବୀରେ ଆଦର୍ଶମାନେ ଚିରକାଳ ରହିଛନ୍ତି ଓ ତେଣୁ ଆଦର୍ଶବାଦୀ ସାହିତ୍ୟ ମଧ୍ୟ ରହିଛି । ମଣିଷକୁ କୌଣସି ଏକ ଗୁଳାରେ ପକାଇଦେଇ ଅଥବା ତାକୁ ଏକ ମୁଖା ପିନ୍ଧାଇଦେଇ ଆଦର୍ଶବାଦ ମନୁଷ୍ୟକୁ ଅଧବାଟରେ ଅଟକାଇ ରଖିବାରେ ଭାରି ସାହାଯ୍ୟ କରିଛି । ଆସ୍ତିକତା ଯେପରି ଏକ ଆଦର୍ଶବାଦରେ ପରିଣତ ହୋଇପାରେ, ନାସ୍ତିକତା ମଧ୍ୟ ସେହିପରି ଏକ ସମାନ ଉତ୍ସାହ ତଥା ଉଗ୍ରତା ସହିତ ଆଦର୍ଶବାଦର ତୀକ୍ଷ୍‌ଣତା ଧାରଣ କରିପାରେ । ଏହି ପୃଥିବୀରେ ଆଦର୍ଶ ବୋଲି ଆଦୌ କେଉଁଠି କିଛି ନାହିଁ,–ଏହି କଥାଟିକୁ ଆଳ କରି ମଧ୍ୟ ଏକ ଏକ ଆଦର୍ଶବାଦ ଆପଣାକୁ କେଡ଼େ ଡଉଲଡ଼ାଉଲ କରି ଠିଆ କରି ରଖିପାରେ । ଆଧୁନିକ ସାହିତ୍ୟରେ ଯେଉଁମାନେ କାରଣ ଓ ଅକାରଣରେ ମଣିଷର ନିଃସଙ୍ଗତକୁ ହିଁ ସବୁଠାରୁ ବଡ଼ ବାନା ବୋଲି ଉଡ଼ାଇବାକୁ ଚେଷ୍ଟା କରୁଛନ୍ତି, ସେମାନେ ମଧ୍ୟ ସ୍ଵମାର୍ଗରେ ପ୍ରାୟ ଏକ ଆଦର୍ଶବାଦୀ ରୀତିରେ ହିଁ ଅବତାରଣ କରୁଛନ୍ତି । ଏହି ରୀତିରେ ବାଟ ଚାଲିଲେ ଅସଲ ଜିଜ୍ଞାସାଗୁଡ଼ିକ କ୍ରମେ ମରିମରି ଯାଆନ୍ତି । ପୃଥିବୀରୁ ଜିଜ୍ଞାସା କମିଆସେ, ତେଣୁ ବାଦ ବଢ଼େ, ବିବାଦ ବି ବଢ଼େ,–ପ୍ରତ୍ୟେକେ ନିଜ ଗଉଁଗୁଡ଼ାକ ଭିତରେ ନିଜକୁ ସଂପୂର୍ଣ୍ଣ ବୋଲି ବିଚାର କରୁଥାନ୍ତି ସତ, ମାତ୍ର ସତକୁ ସତ ଭାରି ଖଣ୍ଡିଆ ହୋଇ ରହିଥାନ୍ତି । ଆଦର୍ଶବାଦୀ ସାହିତ୍ୟର ଲେଖକ ଓ ପାଠକ ଉଭୟେ ସତ୍ୟକୁ ସତେଅବା ଗୋଟାସୁଦ୍ଧା ଅଧିକାର କରି ରହିଥିବା ପାରି ଆଚରଣ କରୁଥାନ୍ତି ସତ, ମାତ୍ର ସତକୁସତ ଅସଲ ସତ୍ୟଟି ପାଖରୁ ଓ ତେଣୁ ଜୀବନର ଅସଲ ଅଭିକ୍ରମ ଗୁଡ଼ିକର କ୍ଷେତ୍ରରେ ଭାରି ବଞ୍ଚିତ ହୋଇ ରହିଥାନ୍ତି ।

 

ସାହିତ୍ୟର ତୃତୀୟ ଥାକଟି ହେଉଛି ଆରୋହଣର ସାହିତ୍ୟ । ଭାରତୀୟ ଅଧ୍ୟାତ୍ମଶାସ୍ତ୍ରରେ ସତ୍ୟର ସାକ୍ଷାତକାରକୁ ଶୃଙ୍ଗରୁ ଶୃଙ୍ଗକୁ ଆରୋହଣ କରି ଯାଉଥିବାର ଏକ ଅନବରତ ଏବଂ ଅବିଚ୍ଛିନ୍ନ ପ୍ରକ୍ରିୟା ବୋଲି ବର୍ଣ୍ଣନା କରାଯାଇଛି । ଆଧୁନିକ ମାନବବାଦୀ ମନୋବିଜ୍ଞାନ ମନୁଷ୍ୟର ସମଗ୍ରତମ ଅନୁଭବଗୁଡ଼ିକୁ ଶିଖରଦେଶର ଅନୁଭବ ବୋଲି କହିଲାଣି । ମଣିଷ ଭିତରେ ତା’ ସମ୍ଭୂତିକ୍ରମରେ ଏକ ଶିଖର ରହିଛି, ଏକ ଗଭୀର ମଧ୍ୟ ରହିଛି । ଜଣେ ଜଣେ ମନୁଷ୍ୟବ୍ୟକ୍ତି ହିସାବରେ ଯାହା ଆମକୁ ଶିଖରରୁ ଶିଖରକୁ ଅର୍ଥାତ୍ ଆମ ଗଭୀରରୁ ଆହୁରି ଗଭୀରକୁ ବିବର୍ତ୍ତିତ କରି ନେଇ ଯାଉଥାଏ, ଆମ ଜୀବନକୁ ଯାହା ସତେଅବା ଉତ୍ତରୋତ୍ତର କୁସୁମନର ଏକ ନିତ୍ୟପ୍ରକ୍ରିୟାରେ ପରିଣତ କରି ରଖିଥାଏ, ତାହା ହେଉଛି ଆରୋହଣଧର୍ମୀ ଏକ ପରମ ସମ୍ପଦ । ସେହି ସମ୍ପଦ ଆମର ଆଖିରେ ଅନନ୍ତ ତୃଷା ଦିଏ, ହୃଦୟରେ ଡେଣା ଲଗାଇଦିଏ, ଶ୍ରଦ୍ଧାର ଧନରେ ଅମମକୁ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ଧନୀ କରାଇ ନେଉଥାଏ । ସାହିତ୍ୟ ଭିତରେ ଯାହାକିଛି ଆମକୁ ସେହି ସୌଭାଗ୍ୟର ଅଧିକାରୀ କରାଏ, ତାହା ହେଉଛି ସେହି ଆରୋହଣ ଥାକର ସାହିତ୍ୟ । ଆରୋହଣର ସାହିତ୍ୟ ହେଉଛି ଆମ ଜୀବନରେ ଯଥାର୍ଥ ଉନ୍ମୋଚନଗୁଡ଼ିକୁ ଘଟାଇ ପାରୁଥିବା ସାହିତ୍ୟ; ଏହା ସଂପ୍ରସାରଣର ସାହିତ୍ୟ, ଅତିକ୍ରମଣର ସାହିତ୍ୟ ।

 

ଆମ ଭିତରେ ଯାହା ସତେଅବା ଦୁଆରଟିଏ ହୋଇ ଆପେ ଖୋଲିଯାଏ ଏବଂ ପଛକୁ ପଛ ଆହୁରି ଅନେକ ଅନେକ ଦୁଆରକୁ ଖୋଲିଦେବାରେ ଲାଗିଥାଏ, ଆମେ ତାହାକୁ ହିଁ ସେହି ଆରୋହଣ ବୋଲି କହିବା; ସଂପ୍ରସାରଣ ବୋଲି କହିବା, ଅତିକ୍ରମଣ ବୋଲି ମଧ୍ୟ କହିବା । ଗୋଟିଏ ଶବ୍ଦରେ ଆମେ ତାହାକୁ ସୃଜନାତ୍ମକତା ବୋଲି କହିବା । ଆମ ଭିତରେ ଯେଉଁ ପ୍ରଥମ ବନ୍ଧୁଟିର ଦର୍ଶନ ମିଳିଲେ ତାହା ସତେଅବା ଆହୁରି କେତେକେତେ ବନ୍ଧୁଙ୍କ ସହିତ ଆମର ଦର୍ଶନ କରାଇ ଦେବାରେ ନିମିତ୍ତ ଭଳି କାର୍ଯ୍ୟ କରେ, ସେହି ବନ୍ଧୁ କେବଳ ଆମର ଆରୋହଣ ଓ ଅତିକ୍ରମଣ ଦ୍ଵାରା ହିଁ ଆମଲାଗି ଉପଲବ୍‌ଧ ହୋଇଥାଏ । ସେହି ବନ୍ଧୁ ଆମର ଯାବତୀୟ ଗଣ୍ଠିକୁ କାଟି ଆମକୁ ଆମର କେନ୍ଦ୍ର ପାଖକୁ ବାଟ ଦେଖାଇ ନେଇଯାଏ ଓ ଆମ ହାତରେ ଅସଲ ସୂତାଟିକୁ ଧରାଇ ଦେଇ ପରିଚାଳିତ କରିନିଏ । ସେହି କେନ୍ଦ୍ରଟିରେ ଅବସ୍ଥିତ ରହି ଆମେ ଯାହାକିଛି ଦେଖୁ, ତାହାକୁ ହିଁ ଆମର ସୃଜନାତ୍ମକ ଦେଖିବା ବୋଲି ସତ୍ୟଗ୍ରାହୀମାନେ କହି ଯାଇଛନ୍ତି । ଏହି ଦେଖିବା ସାହିତ୍ୟରେ ମଧ୍ୟ ସମ୍ଭବ ହୋଇପାରେ । ଆମେ ସେହି ଥାକଟିକୁ ଇଚ୍ଛା କରିପାରିଲେ ତାହା ଆମ ଲାଗି ଅବଶ୍ୟ ସମ୍ଭବ ହୋଇପାରେ । ସେହି ସାହିତ୍ୟର ମାଧ୍ୟମରେ ଜଣେ ସାହିତ୍ୟକାର ସତେଅବା ଏହି ସବୁକିଛି ଆଡ଼କୁ, ଉର୍ଦ୍ଧ୍ଵତା ଏବଂ ଗଭୀରତା ଦୁଇଟିଯାକ ପ୍ରସ୍ଥରେ ଆପେଆପେ ଅର୍ଥାତ୍ ଏକ ଅନ୍ତରଙ୍ଗ ଓ ସ୍ଵୀକାରାତ୍ମକ ଖୁସି ସହିତ ଉନ୍ମୋଚିତ ହୋଇଯିବାକୁ ମନ କରୁଥାଏ । ସେତେବେଳେ ସେ ନିଜକୁ କୌଣସି ବ୍ୟୁହ ଭିତରେ; କାନ୍ଥଗୁଡ଼ାକ ମଧ୍ୟରେ କିଳି ରଖିବାକୁ ଆଦୌ ଇଚ୍ଛା କରୁନଥାଏ । ସେତେବେଳେ ସିଏ ସତେ ଅବା ଏହି ବିଶ୍ଵଯାକର ସଖ୍ୟ କାମନା କରୁଥାଏ । ସିଏ ଆଦୌ କୌଣସି ଅଭିଯୋଗ କରେନାହିଁ,–ଆଦୌ କୌଣସି ପ୍ରକାରେ ଈର୍ଷା କରେନାହିଁ । ନିଜର କବାଟଟି ଭିତରେ ବନ୍ଦ ହୋଇ ରହିଥାଏ ଭଅଁରଟି ପରି ମୋତେ ଗଅଁଗଅଁ ହୁଏନାହିଁ । ସେହି ସାହିତ୍ୟ ଆମ ଜୀବନରେ ବହୁ ଉନ୍ମୋଚନର କାରଣ ହୁଏ, ଆମକୁ ବହୁ ଅତିକ୍ରମଣର ସମର୍ଥ କରାଏ ।

 

ଆରୋହଣଧର୍ମୀ ସାହିତ୍ୟ ସହିତ ସାକ୍ଷାତ ଦ୍ଵାରା ପାଠକ ମଧ୍ୟ ସ୍ଵଜୀବନରେ ଆରୋହଣର ସମର୍ଥ ହୋଇପାରେ । ଲେଖକ ଲେଖୁଥାଏ ଓ ଲେଖିବା ସଙ୍ଗେସଙ୍ଗେ ସ୍ଵୟଂ ବଦଳି ଯାଉଥାଏ । ଆରୋହଣଧର୍ମୀ ସାହିତ୍ୟ ଜୀବନରେ ଏପରି ଏକ ଚେତନା ସହିତ ଆମର ପରିଚୟ ସଂଘଟିତ କରାଏ, ଯାହାକି ସତେଅବା କେଉଁ ରସବିଦ୍ୟାର ପରାକ୍ରମ ଫଳରେ ଆମର ଭିତର ଓ ବାହାର ଉଭୟକୁ ଗୋଟିଏ ସମ୍ବେଦନାରେ ଏକତ୍ର ଗୁନ୍ଥିକରି ରଖିଥାଏ । ତା’ପରେ ଆମର ଭିତର ଆଉ ବାହାର ମଧ୍ୟରେ ଆଉ ସଦର ମଫସଲ ବୋଲି ଆଦୌ କିଛି ରହେନାହିଁ । ଭିତରେ ଆଦୌ କୌଣସି କ୍ଷତି ଅଥବା କ୍ଷତ ଜ୍ଵାଳାକ୍ରାନ୍ତ ହୋଇ ରହିନଥାଏ, ଯାହାକି ବାହାରେ ଆମ ସାହିତ୍ୟକାରିତାର ମାଧ୍ୟମରେ ଏକ କ୍ଷତିପୂରଣ ଲୋଡ଼ି ବୁଲୁଥାଏ । ପାଠକ ମଧ୍ୟ ସେହି ସାହିତ୍ୟର ସମ୍ପର୍କରେ ଆସି ନିଜ ଭିତରେ ନାନା ଉତ୍ତୋଳନର ଭାଜନ ହୁଏ,–ସିଏ ଅଧିକ ସାହସୀ ହୁଏ, ଅଧିକ ସମ୍ମତ ହୁଏ । ତା’ଭିତରେ ଓ ବାହାରେ ବହୁ କାରଣ ତାକୁ ହୁଏତ କେତେକେତେ କାଳରୁ ସଙ୍କୁଚିତ ଓ ତେଣୁ ଶଙ୍କିତ କରି ରଖିଥାନ୍ତି । ଉତ୍ତୋଳନକାରୀ ସାହିତ୍ୟ ତାକୁ ସେହିସବୁ ଶଙ୍କା ଏବଂ ସଙ୍କୋଚରୁ ବିମୁକ୍ତ କରି ଆଣେ, ବାହାର କରିଆଣେ, ତାକୁ ତାର ମହତ୍ତର ସମ୍ଭାବନାଟି ପାଖରେ ଆଣି ହାବୁଡ଼ାଇ ଦେଇଯାଏ । ଅସଲ ଚେତନା ଚେତନାର ହିଁ ଜାଗୃତି ଘଟାଏ । ଅସଲ ସଖ୍ୟ ଅଧିକ ସଖ୍ୟଲାଗି ପ୍ରେରଣା ଦିଏ । ଏହି ଥାକର ସାହିତ୍ୟ ଲେଖକ ଓ ପାଠକ ଉଭୟଙ୍କୁ ସତେଅବା ଆଗକୁ କେତେକେତେ ସୋପାନ ଅତିକ୍ରମ କରାଇ ନେଇଯାଏ,–ତେଣୁ କେତେକେତେ ଦୂରକୁ ନିକଟବର୍ତ୍ତୀ କରାଇଆଣେ । ତାହା ଏହି ଜଗତରେ ନାନା ଉଦୟର କାରଣ ହୁଏ ।

 

ତେଣୁ ସାହିତ୍ୟର ତିନୋଟି ଥାକ । ତିନୋଟି ଭୂମି, ତିନି ପ୍ରକାରର ଆବେଦନ ଏବଂ ତେଣୁ ତିନି ପ୍ରକାରର ଆହ୍ଵାନ । ସାଧାରଣତଃ ଆମେ ଜଣେ ଜଣେ ବ୍ୟକ୍ତି ହିସାବରେ ବା ସମାଜସ୍ଥ ଗୋଟିଏ ଗୋଟିଏ ଏକକ ହିସାବରେ ଯେଉଁ ଥାକରେ ନିଜର ଜୀବନଟିକୁ ବଞ୍ଚୁଥାଉ, ଆମେ ପ୍ରାୟ ସେହି ଥାକଟିରେ ହିଁ ସାହିତ୍ୟକୁ ଲୋଡ଼ୁ । ଅଥବା, ଏଭଳି ମଧ୍ୟ କୁହାଯାଇପାରିବ ଯେ, ଆମେ ସାହିତ୍ୟର ଯେଉଁ ଥାକଟିକୁ ପ୍ରକୃତରେ ଲୋଡ଼ୁଥାଉ, ସାହିତ୍ୟ ମଧ୍ୟ ଆମ ଜୀବନର ଅନୁରୂପ ସେହି ଥାକଟିକୁ ହିଁ ସ୍ପର୍ଶ କରେ, ଆମକୁ ଠିକ୍ ସେହି ଥାକଟିରେ ଉଦ୍‌ବେଳିତ କରେ, ସେହି ଥାକଟିରେ ଆମ ସହିତ ସମ୍ବନ୍ଧ ଲଗାଇ ରଖିଥାଏ । ଏହି ଥାକଗୁଡ଼ିକୁ ଭିତ୍ତି କରି ମଧ୍ୟ ଆମ ସାହିତ୍ୟର ତିନିପ୍ରକାର ଗୁଣ ନିରୂପଣ ଓ ତେଣୁ ବର୍ଣ୍ଣ ନିରୂପଣ କରାଯାଇପାରେ । ଶ୍ରେଣୀ ନିରୂପଣ କରିବାକୁ ଯାଇ ଆମେ ସଚରାଚର ସାହିତ୍ୟ ଭିତରେ କବିତା, ଗଳ୍ପ, ନାଟକ ଓ ପ୍ରବନ୍ଧ ପ୍ରଭୃତିର ଠାବ କରିଥାଉ । ଆଉ କେତେବେଳେ ଭାଷା ଅନୁସାରେ ବି ଏହି ଶ୍ରେଣୀବିଭାଗ ହୋଇଥାଏ । ଯଥା, ଓଡ଼ିଆ ସାହିତ୍ୟ, ପଞ୍ଜାବୀ ସାହିତ୍ୟ, ଉର୍ଦ୍ଦୁ ସାହିତ୍ୟ, ଇଂରାଜୀ ସାହିତ୍ୟ, ଇତ୍ୟାଦି । ଏହି ଶ୍ରେଣୀବିଭାଗଟି ମଧ୍ୟରେ କିଞ୍ଚିତ୍ ରାଜନୀତି ଅଥବା ଅନ୍ୟ କୌଣସି ଅଭିମାନର ରଙ୍ଗ ପୂରାଇ ସମ୍ପୃକ୍ତ ଥଳ ଗୁଡ଼ିକରେ ଏଗୁଡ଼ିକୁ ସମ୍ପୃକ୍ତ ଉତ୍ସାହିତମାନେ ଜାତୀୟ ସାହିତ୍ୟ ବୋଲି କହି ଥାଆନ୍ତି । କାଳର ବିଭାଗ ଅନୁସାରେ କେହି କେହି ସାହିତ୍ୟକୁ ପ୍ରାଚୀନ ସାହିତ୍ୟ ଏବଂ ଆଧୁନିକ ବୋଲି ଦେଖିବାର ପ୍ରୟାସ କରନ୍ତି ଏବଂ ଏହି ଦୁଇଟା ଯାକ ଭାଗକୁ ମଝିରେ ଯୋଡ଼ିକରି ରଖିଥିବା ନମୁନାଗୁଡ଼ିକୁ ମଧ୍ୟଯୁଗର ସାହିତ୍ୟ ବୋଲି କହିଥାଆନ୍ତି । ମାତ୍ର, ଅନ୍ୟ ପକ୍ଷରେ, ସାହିତ୍ୟ ଆମ ଜୀବନ ତଥା ଶ୍ରଦ୍ଧାର କେଉଁ ଥାକଟିରେ ଅମକୁ ଆସି ପ୍ରକୃତରେ ସ୍ପର୍ଶ କରୁଛି ଏବଂ ଆମେ ତଦନୁରୂପ ଭାବରେ ସାହିତ୍ୟର କେଉଁ ଥାକଟିକୁ ଚିହ୍ନୁଛୁ, ଏଭଳି ଏକ ମାନଦଣ୍ଡ ଅନୁସାରେ ମଧ୍ୟ ସାହିତ୍ୟର ବିଚାର ଏବଂ ଶ୍ରେଣୀନିରୂପଣ କରାଯାଇପାରେ ।

 

ତିନି ଥାକର ସାହିତ୍ୟ, ତିନି ଥାକର ଲେଖକ ଏବଂ ପାଠକ ଏବଂ ତେଣୁ ତିନି ଥାକର ସମୀକ୍ଷା । ସାହିତ୍ୟରେ କାଳେ କାଳେ ତିନି ଥାକର ସମୀକ୍ଷାକାର ରହି ଆସିଛନ୍ତି । ଭାରତବର୍ଷର ପ୍ରାଚୀନ ଗ୍ରନ୍ଥକୃତି ବେଦର ବ୍ୟାଖ୍ୟା ମଧ୍ୟ ହୁଏତ ତିନି ପ୍ରକାରେ ହୋଇଛି । ସାୟନାଚାର୍ଯ୍ୟ ଯେଉଁ ଥାକରେ ସେହି ବ୍ୟାଖ୍ୟାଟିକୁ କରିଛନ୍ତି, ‘ସତ୍ୟାର୍ଥ ପ୍ରକାଶ’ର ଲେଖକ ଏବଂ ରାଜା ରାମମୋହନ ରାୟ କଦାପି ସେହି ଥାକର ବ୍ୟାଖ୍ୟା କରିନାହାନ୍ତି । ଶ୍ରୀ ଅରବିନ୍ଦଙ୍କର ବେଦବ୍ୟାଖ୍ୟା ଅତ୍ୟନ୍ତ ସ୍ପଷ୍ଟ ଭାବରେ ବେଦର ହୃଦୟ ଭିତରେ ପ୍ରବେଶ କରିବାଲାଗି ଏକ ତୃତୀୟ ସୂତ୍ରର ସୂଚନା ମଧ୍ୟ ପ୍ରଦାନ କରୁଛି । ଯେଉଁ ଥାକର ପ୍ରେରଣା ବା ବାସନା ନେଇ ଆମେ ବେଦର ନିକଟକୁ ଯିବା, ଆମେ ଠିକ୍ ସେହି ଥାକର ଉଦ୍‌ବୋଧନଟିକୁ ମଧ୍ୟ ଲାଭ କରି ପାରିବା । ସମଗ୍ର ଭାବରେ ଯେକୌଣସି ସାହିତ୍ୟ ଓ ସାହିତ୍ୟସମୀକ୍ଷା ବିଷୟରେ ମଧ୍ୟ ସେହିକଥା କୁହାଯାଇପାରିବ । ତିନିପ୍ରକାର ସମୀକ୍ଷାରୁ ଆମକୁ ତିନି ପ୍ରକାରର ଭାବସମ୍ପର୍କର ପରିଚୟ ମିଳିପାରିବ । ଯଦି ଆମେ ଚିତ୍ତ–ବିନୋଦନର ସ୍ତରରେ ହିଁ ରହିଥିବା, ତେବେ ଆମର ଯାବତୀୟ ସାହିତ୍ୟ ଅତ୍ୟନ୍ତ ଅନୁରୂପ ଭାବରେ ଆମକୁ ଏକ ନିର୍ଦ୍ଦିଷ୍ଟ ଆବେଦନ ମଧ୍ୟରେ ଆସି ଦୃଷ୍ଟିଗୋଚର ହେବ । ଯଦି ଆମେ ଆଦର୍ଶବାଦର ଥାକରେ ରହିଥିବା, ଉଦାହରଣ ସ୍ୱରୂପ ଯଦି ଆମେ ସାହିତ୍ୟକୁ ସାହିତ୍ୟ ରୂପେ ଚିହ୍ନିବା ଆଗରୁ ପରମ ଉତ୍ସାହରେ ତାହାକୁ ଆମ ସାହିତ୍ୟ ଅଥବା ଆମ ଜାତୀୟ ସାହିତ୍ୟ ବୋଲି କହି ପାଟଲୁଗା ପିନ୍ଧାଇ ଚିହ୍ନିବାଲାଗି ପଣ କରି ବାହାରି ଥିବା, ତେବେ ଆମକୁ ସାହିତ୍ୟ ଏକାବେଳେକେ ଅନ୍ୟ ପ୍ରକାରର ହୋଇ ଦିଶିବ-। ମାତ୍ର, ଯଦି ଆମେ ସାହିତ୍ୟ ଭିତରେ ସତକୁ ସତ ଏକ ଆରୋହଣ, ସନ୍ଦାପନ ତଥା ଅନ୍ତଃଉନ୍ମୀଳନର ବାର୍ତ୍ତାର ସନ୍ଧାନ ଲାଭ କରିବାକୁ ସାହିତ୍ୟସମୀକ୍ଷାରେ ମନ ଦେଇଥିବା, ତେବେ ଆମର ଯାବତୀୟ ସମୀକ୍ଷଣ ଏବଂ ସମ୍ପର୍କସ୍ଥାପନ ଅବଶ୍ୟ ଅନ୍ୟ ପ୍ରକାରର ହେବ । ସାହିତ୍ୟର ତିନୋଟିଯାକ ଥାକ ମଧ୍ୟରୁ କେଉଁଟି ସରସ ବା ନୀରସ, କେଉଁଟି କାହାଠାରୁ ଅଧିକ ସରସ ବା ଅଧିକ ମର୍ଯ୍ୟାଦାସମ୍ପନ୍ନ, ଏହି କ୍ଷେତ୍ରରେ ଯେପରି କୌଣସି ମୀମାଂସାର କୌଣସି ଅବକାଶ ହିଁ ନାହିଁ, ସେହିପରି, ସାହିତ୍ୟର କେଉଁ ଭଳି ସମୀକ୍ଷାଟି ଅଧିକ ପ୍ରଶସ୍ତ ବା ଅଧିକ ବିହିତ, ସେ କଥାଟିର ମଧ୍ୟ କୌଣସି ଅବକାଶ ନାହିଁ । ଆମର ଅନୁରାଗ ଅନୁସାରେ ଆମର ସାହିତ୍ୟ, ଆମ ଅନୁରାଗଟିର ଥାକ ଅନୁସାରେ ଆମର ଯାବତୀୟ ଚିହ୍ନିବା । ଆମେ ନିଜକୁ ଯେତିକି ବେଢ଼ ଭିତରେ ରଖିଥିବା, ଆମର ସମୀକ୍ଷାଟି ମଧ୍ୟ ସେତିକି ବେଢ଼ ଭିତରେ ରହିଥିବ ଓ ସେତିକି ଆଲୋକନର କାରଣ ହେବ । ତାହା ହିଁ ରୀତି ।

 

ଅର୍ଥାତ୍, ଆମେ ସାହିତ୍ୟ ଭିତରେ ଯାହାସବୁ ଲେଖିବା, ତାହା ଆମର ସେହି ତଥାକଥିତ କୃତିଟି ଅପେକ୍ଷା ଆମକୁ ହିଁ ଅଧିକ ପରିମାଣରେ ଚିହ୍ନାଇ ଦେବାର କାରଣ ହେବ । ଆମେ ଅସଲ ଦୁଆରଗୁଡ଼ିକୁ ପ୍ରକୃତରେ ଖୋଲିବାକୁ ଇଚ୍ଛା କରୁଛୁ ଅଥବା ନାନାବିଧ ଚିତ୍ରାଳଙ୍କାରର ଚାଲାଖିଦ୍ଵାରା ଦୁଆରଗୁଡ଼ିକୁ ଅଧିକରୁ ଅଧିକ ସୁଗମ୍ୟ ଓ ସୁମଣ୍ଡନ କରି ଦେଖାଇବାର ପ୍ରୟାସ କରୁଥିଲେ ମଧ୍ୟ ଦୁଆରଟିକୁ ତଥାପି ବନ୍ଦ କରି ରଖିବାକୁ ମନ କରୁଛୁ, ମୋଟେ ବାହାରକୁ ଆସିବାକୁ, ଧରା ଦେବାକୁ ଏବଂ ବନ୍ଧୁ ହେବାକୁ ଇଚ୍ଛା କରୁନାହୁଁ, ଆମ ସାହିତ୍ୟରୁ ସେହି କଥାଟି ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ଅବଶ୍ୟ ଧରା ପଡ଼ିଯିବ । ଆମ ସାହିତ୍ୟର ବାନାମାନେ ସାହିତ୍ୟର କଥାଗୁଡ଼ିକ ତୁଳନାରେ ଆମ ନିଜ ଭିତରର ଥାକଟି ବିଷୟରେ ହିଁ ଅଧିକ କଥା କହିଦେଇ ପାରୁଥିବେ । ତେଣୁ, ଆମ ଅଭିବ୍ୟକ୍ତିର ଅସଲ ଝରକାଗୁଡ଼ିକ ହିଁ ଧରାପଡ଼ି ଯାଉଥିବେ ଓ ଆମେ ଯେତେ ଯାହା ଫିସାଦ କରି ଆମ ସାହିତ୍ୟ ଭିତରେ ଲୁଚି ରହିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଆମ ହୃଦୟର ଅସଲ ନାଡ଼ି ଓ ଅସଲ ଧାତୁଗୁଡ଼ିକ ଭାରି ଧରାପଡ଼ି ଯାଉଥିବେ । ସାହିତିକ୍ୟ ପ୍ରକୃତରେ କୋଉ ଥାକରେ ଯାଇ ରହିଛି, ସିଏ ପ୍ରକୃତରେ ଆପଣାକୁ ବ୍ୟକ୍ତ କରିବାକୁ ଇଚ୍ଛା କରୁଛି ଅଥବା ଏହିସବୁ ଯାବତୀୟ ଅଭିବ୍ୟକ୍ତିର ଆଳରେ ନିଜେ କୋଉ ସଙ୍ଗା ଭିତରେ ଅଥବା ଗାତଟିରେ ଲୁଚି ରହିବାକୁ ଚେଷ୍ଟା କରୁଛି ସେଇଟିକୁ ଚିହ୍ନାଇଦେବା ହିଁ ଯଦି ସାହିତ୍ୟ ସମୀକ୍ଷାର ସର୍ବମୂଳ ଶ୍ରଦ୍ଧା ହୋଇଥାଏ, ତେବେ ସେଇ ସମୀକ୍ଷା ଅବଶ୍ୟ ଅନ୍ୟ ପ୍ରକାରର ହେବ । ଏକ ଅନ୍ୟ ଆୟାମର କଥା କହୁଥିବ ଏବଂ ସମ୍ପୃକ୍ତ ଆମ ସମସ୍ତଙ୍କୁ ତାହା ସେହି ଅନ୍ୟ ଆୟାମଟି ମଧ୍ୟକୁ ପରିଚାଳିତ କରି ନେଇଯିବାକୁ ଉଦ୍ୟମ କରୁଥିବ । ସାହିତ୍ୟକୁ ଏକ ସାମୟିକ ପୁଲକ ଅଥବା ଆଦର୍ଶବାଦୀ ଅତ୍ୟୁସାହ ଭିତରେ ବାନ୍ଧି ରଖିବାକୁ ଇଚ୍ଛା କରୁଥିବା ସମୀକ୍ଷକ ମୋଟେ ସେ କଥା କରି ପାରିବନାହିଁ-। ତେଣୁ ଜଣେ ସମୀକ୍ଷକର ସମୀକ୍ଷା ଭିତରେ ପଶିବା ଆଗରୁ ଆମକୁ ତାହାର ଆଖିଗୁଡ଼ିକୁ ସମୁଚିତ ଭାବରେ ଠଉରାଇ ନେବାକୁ ପଡ଼ିବ । ଆଖିଗୁଡ଼ିକୁ ଠଉରାଇ ପରିବାର ଅର୍ଥ ହେଉଛି ଶ୍ରଦ୍ଧାସ୍ଥାନ ଗୁଡ଼ିକର ଆବିଷ୍କାର କରିବା ।

 

ସାହିତ୍ୟର କ୍ଷେତ୍ରରେ ଏହି ଶ୍ରଦ୍ଧାରୁ ହିଁ ସାହିତ୍ୟର ଥାକଟିର ପରିଚୟ ଉପଲବ୍‌ଧ ହୋଇଥାଏ । ଆମ ଜୀବନରେ ଆମେ ପ୍ରକୃତରେ କେଉଁ ଥାକଟିରେ ରହିଛୁ, ଆମ ସାହିତ୍ୟରୁ ଆମର ସେହି ପରିଚୟଟି ମିଳି ଯାଇଥାଏ । ଆମେ କ’ଣ ପ୍ରକୃତରେ ଏହି ସାହିତ୍ୟ ପକ୍ଷରେ ରହିଛୁ-? ନା, ହୁଏତ ଆମ ଜୀବନରେ ଆମେ ଆଉକିଛି ଇଚ୍ଛା କରୁଛୁ–ଖ୍ୟାତି ଇଚ୍ଛା କରୁଛୁ, ସ୍ଫୀତି ଇଚ୍ଛା କରୁଛୁ, ଆପଣା ଭିତରେ ଆମ ଉପରେ ଘୋଡ଼ା ଛାଡ଼ି ବୁଲୁଥିବା କେଉଁ ଅସମ୍ମତ ଭୀରୁଟାକୁ ଆହୁରି ଅଧିକ ଗେହ୍ଲା ଭାବରେ ଲୁଚାଇ ରଖିବାର ମତଲବରେ ଆମେ ଆମ ଶ୍ରଦ୍ଧାର ଅସଲ ଆକାଶ ଓ ଅସଲ ଉନ୍ମୀଳନଟିକୁ ସାହିତ୍ୟର ଚାତୁରୀ ଦ୍ଵାରା ଘୋଡ଼ାଇ ପକାଇବାକୁ ଇଚ୍ଛା କରୁଛୁ, ଆମେ ସେହିସବୁ ଅନ୍ୟ ଫିସାଦର ପକ୍ଷରେ ରହିଛୁ ? ସାତ ସାତ ପହର ମେଣ୍ଢା ହୋଇ ରହି ନିର୍ବାଚିତ ଓ ବହୁସଜ୍ଜିତ ଗୋଟିଏ ବିଶେଷ ପ୍ରହରରେ ଯେଉଁମାନେ ନିଜକୁ ଭେଣ୍ଡା ପରି ଅନୁଭବ କରିବାକୁ ସରାଗ ରଖିଥାନ୍ତି, ସେମାନେ ସାହିତ୍ୟ କହିଲେ ପୁଲକ ବା ବିନୋଦନର ଥାକଟିକୁ ହିଁ ବୁଝୁଥାନ୍ତି । ସେମାନେ ଲେଖକ, ପାଠକ ଓ ସମୀକ୍ଷକ ହିସାବରେ ପରମ ସମର୍ପଣ ସହିତ ସେହି ଥାକରେ ଯାଇ ରହିଥାନ୍ତି । ଉତ୍ତେଜିତ ମଣିଷ ଆଦର୍ଶବାଦର ପକ୍ଷକୁ ଆଦରି ନେଇଥାଏ । ଭିତରେ କେଉଁଠି କ’ଣ ଖଣ୍ଡିଆ ହୋଇ ରହିଥିଲେ ଓ ମଣିଷ ତାହାକୁ ଲୁଚାଇ ରଖିବାକୁ ଇଚ୍ଛା କରୁଥିଲେ ବାହାରେ ଆଦର୍ଶବାଦ ସତେ ଅବା ପରିତ୍ରାଣର ପଥଟିକୁ ଦେଖାଇ ଦେଉଥିବା ପରି ଆସି ପହଞ୍ଚିଯାଏ । ଏହି କାଟର ଅର୍ଥାତ୍ ଏହି ଥାକର ଲେଖକ, ପାଠକ ଓ ସମୀକ୍ଷକ ମଧ୍ୟ ସାହିତ୍ୟ ଭିତରେ ଭୂରି ଭୂରି ପରିମାଣରେ ରହିଥାନ୍ତି । ଆମ ଭିତରୁ ଯେଉଁ ମାନେ ଏହି ଦୁଇଟି ଯାକ ଥାକକୁ ପ୍ରକୃତରେ ମନ ନ କରୁଥିବେ, ସେମାନେ ତେବେ ଯାଇ ସେହି ତୃତୀୟ ଥାକଟିକୁ ମନ କରି ପାରିବେ । ନିଜର ଜୀବନରେ ଆରୋହଣ, ସଂପ୍ରସାରଣ ଓ ଅତିକ୍ରମଣକୁ ମନ କରୁଥିଲେ ଯାଇ ସେମାନେ ଲେଖକ, ପାଠକ ତଥା ସମୀକ୍ଷକ ହିସାବରେ ସାହିତ୍ୟରେ ମଧ୍ୟ ଆରୋହଣ, ସଂପ୍ରସାରଣ ଏବଂ ଅତିକ୍ରମଣକୁ ମନ କରିପାରିବେ ।

 

ତେଣୁ ସାହିତ୍ୟର ଏହି ଥାକଗୁଡ଼ିକର ବିବେଚନା କରୁଥିବା ସମୟରେ ମଧ୍ୟ ଆମେ ନିଜକୁ ଉପନିଷଦର ସେହି “କସ୍ମୈ ଦେବାୟ” ପ୍ରଶ୍ନଟିକୁ ପଚାରି ପାରିବା । ନିଜଠାରୁ ତଥା ଆକାଶ ଠାରୁ ଆମେ ପ୍ରକୃତରେ କି ଉତ୍ତର ପାଇବା, ତାହା ମଧ୍ୟ ଆମ ଅସଲ ବାସନାଗୁଡ଼ିକ ଉପରେ ନିର୍ଭର କରୁଥିବ ।

 

ପୌରୁଷ, ଡିସେମ୍ବର ୧୯୮୬

Image

 

ସର୍ଜନାତ୍ମକ ସାହିତ୍ୟସମୀକ୍ଷା

 

ଆଭିମୁଖ୍ୟ ଓ ଅଙ୍ଗୀକାର

 

[ଆଗ ଜୀବନ, ସେଥିରୁ ଜୀବନର ଅବଲୋକନ, ଅର୍ଥାତ୍ ଜୀବନର ସମୀକ୍ଷା, ଅର୍ଥାତ୍, ଆଗ ଜୀବନ, ଜୀବନରୁ ସମୀକ୍ଷା, ସମୀକ୍ଷାରୁ ସାହିତ୍ୟ । ଅନୁଭବକୁ ସାର୍ବଜନୀନ ଅର୍ଥାତ୍ ସହଭୋଜନର ଯୋଗ୍ୟ କରିବାର ଅନ୍ୟ ନାମ ହେଉଛି ଅଭିବ୍ୟକ୍ତି । ସାହିତ୍ୟିକ ଓ କଳାତ୍ମକ ଯାବତୀୟ ଅଭିବ୍ୟକ୍ତି ସେହି ଧାରାଟିକୁ ହିଁ ଅନୁସରଣ କରିଥାଏ । ଆମେ ଲେଖିଥିବା ସାହିତ୍ୟର ଉଚ୍ଚତା ଓ ଗଭୀରତାଗୁଡ଼ିକ ଆମର ଚେତନାଗତ ଅସଲ ଅନୁରକ୍ତିଗୁଡ଼ିକ ଦ୍ଵାରା ନିର୍ଦ୍ଧାରିତ ହୋଇଥାନ୍ତି । ସାହିତ୍ୟର ସମୀକ୍ଷା ମୂଳତଃ ସେହି ଚେତନାର, ଅନୁରକ୍ତିର, ଶ୍ରଦ୍ଧାର ଓ ସଞ୍ଚରଣର ଏକ କଳନା କରିବାକୁ ମନ କରିଥାଏ ।

 

ସର୍ଜନାତ୍ମକ ସାହିତ୍ୟ–ସମୀକ୍ଷା ହେଉଛି ସାହିତ୍ୟର ଦର୍ପଣ–ମାଧ୍ୟମ ଉପରେ ସମଗ୍ର ଜୀବନର ସମୀକ୍ଷା । ସର୍ଜନାତ୍ମକ ସାହିତ୍ୟ–ସମୀକ୍ଷା ସାହିତ୍ୟ ତଥା ସାହିତ୍ୟକାରର ଅସଲ ଆକାଙ୍‌କ୍ଷାଗତ ହୃଦ୍‌ବିସ୍ତାର ଗୁଡ଼ିକୁ ଆବିଷ୍କାର କରିବାର ଅଭିଳାଷ ରଖିଥାଏ । ସାହିତ୍ୟକୁ ଏକ ସ୍ଵତନ୍ତ୍ର ଧନ୍ଦା ବୋଲି ଭାବି ତାହା ସାହିତ୍ୟର ସମୀକ୍ଷା କରେନାହିଁ । ସମୀକ୍ଷା ଦେଇ ସାହିତ୍ୟର ସମଗ୍ର ଭୂମିଟି ଆଡ଼କୁ ଦୃଷ୍ଟିପାତ କରିବାକୁ ଚେଷ୍ଟା କରେ । ଇତିହାସ କିମ୍ବା ସମାଜ କୌଣସିଟିକୁ ବାଦ୍ ଦିଏନାହିଁ । ସମୀକ୍ଷିତ ହେଉଥିବା ସାହିତ୍ୟିକଙ୍କର ଦୃଷ୍ଟିଗତ ଅନ୍ତର୍ଗଠନଟିକୁ ମଧ୍ୟ ବାଦ୍ ଦିଏନାହିଁ । ସର୍ଜନାତ୍ମକ ସାହିତ୍ୟ–ସମୀକ୍ଷା ସମୀକ୍ଷକକୁ ଜଣେ ସ୍ରଷ୍ଟା ବୋଲି ଗ୍ରହଣ କରେ । ତାହା ବିଶ୍ୱାସ କରୁଥାଏ ଯେ, ଜଣେ ଅସଲ ସାହିତ୍ୟକାର ପରି ଜଣେ ଅସଲ ସମୀକ୍ଷାକାରୀ ଭିତରେ ମଧ୍ୟ କାବ୍ୟପୁରୁଷ ଏବଂ ସମୀକ୍ଷା ପୁରୁଷ ଦୁହେଁଯାକ ଏକାଠି ଗଅଁଠା ଗଅଁଠି ହୋଇ ରହିଥାନ୍ତି ।

 

ସର୍ଜନାତ୍ମକ ସାହିତ୍ୟ–ସମୀକ୍ଷା ସମଗ୍ରତାକାମୀ ଏକ ଆଧୁନିକ ଜିଜ୍ଞାସାରୁ ବିବର୍ଭିତ ହୋଇ ଆସିଥିବା ଏକ ସମୀକ୍ଷା । ଏହି ସମୀକ୍ଷର ଏକ ଅଙ୍ଗୀକାର ଅବଶ୍ୟ ରହିଛି । ତାହା ହେଉଛି, କର୍ତ୍ତୃତ୍ଵ ଏବଂ କ୍ଷମତା ବିରୁଦ୍ଧରେ ଏକ ନୂତନ ସକାଳ ଲାଗି ଅଙ୍ଗୀକାର, ଭୀରୁତା ବିରୁଦ୍ଧରେ ସାହସ ଲାଗି ଏକ ଅଙ୍ଗୀକାର, ଘୃଣା ଓ ବଶ୍ୟତାଗୁଡ଼ାକ ବିରୁଦ୍ଧରେ ଏକ ଶ୍ରଦ୍ଧାଞ୍ଜଳି ଉଜ୍ଜ୍ଵଳ ହୃଦୟରେ ଅଙ୍ଗୀକାର, ଘୃଣା ଓ ବଶ୍ୟତାଗୁଡ଼ାକ ବିରୁଦ୍ଧରେ ଏକ ଶ୍ରଦ୍ଧାଞ୍ଜଳି ଉଜ୍ଜ୍ଵଳ ହୃଦୟର ଅଙ୍ଗୀକାର । ଏହି ଅଙ୍ଗୀକାର ଯେକୌଣସି ସ୍ଥାନୀୟ ସାହିତ୍ୟକୁ ମଧ୍ୟ ବିଶ୍ଵସାହିତ୍ୟର ଅଙ୍ଗୀଭୂତ କରାଇ ନେବାକୁ ସମର୍ଥ ।]

 

“Not to join in hate,

but to join in love was I born,”

 

–Sophocles

 

ମଣିଷର ଜୀବନ ମଣିଷକୁ ସୃଷ୍ଟି କରିଥିବା ସ୍ରଷ୍ଟାଙ୍କର ମଣିଷକୁ ଏକ ଦାନ; ମଣିଷ ଲାଗି ସେହି ଜୀବନ ହେଉଛି ଏକ ଅବଲୋକନ ଓ ଏକ ଅନୁଭବର କ୍ଷେତ୍ର, ଏକ ଆହ୍ଵାନ, ଏକ ଆରୋହଣ । ଆଗ ଜୀବନ, ଜୀବନରୁ ସମୀକ୍ଷା, ସମୀକ୍ଷାରୁ ସାହିତ୍ୟ । ସାହିତ୍ୟର ସର୍ଜନା ପଛରେ ଶ୍ରମ ଥାଏ, ସଂଗ୍ରହ ଥାଏ, ବେଦନା ଥାଏ, ହୁଏତ ଏକ ଉନ୍ମାଦନା ଓ ଉତ୍ତେଜନା ବି ରହିଥାଏ, ଏବଂ ସବାଶେଷରେ ସର୍ଜନାଜନିତ ଏକ ପୁଲକ ବି ରହିଥାଏ । ମାତ୍ର, ଏହି ସବୁ କିଛିର ତଳକୁ ଅସଲ ଉଦ୍‌ବେଳକ ରୂପେ ସମୀକ୍ଷା ହିଁ ରହିଥାଏ । ସମୀକ୍ଷାର ସେହି ଦୃଷ୍ଟିଟି ଶ୍ରଦ୍ଧାର ସହୋଦର ହୋଇ ରହିଥାଏ । ସମୀକ୍ଷାର ଅର୍ଥ ହେଉଛି ଆହୁରି ନିକଟକୁ ଆସି ଦେଖିବାର ଇଚ୍ଛା, ଆହୁରି ଗଭୀର ଓ ଆହୁରି ସମଗ୍ର ଭାବରେ ଅନୁଭବ କରିବାର ଓ ଛୁଇଁ ପାରିବାର ବାସନା । ନିକଟକୁ ଆସିବ, ତଥାପି ଅଜାଡ଼ି ହୋଇ ପଡ଼ୁ ନଥିବ; ଛୁଇଁ ପାରୁଥିବ, ତଥାପି ଗ୍ରାସ କରିବାକୁ ଅଥବା ଗ୍ରସ୍ତ ହୋଇ ପଡ଼ିବାକୁ ମୋଟେ ମନ କରିବନାହିଁ; ଆତ୍ମୀୟତା ଥିବ, ଅଥଚ ଭାବପ୍ରବଣତା ନଥିବ,–ତାହାହିଁ ଅସଲ ସମୀକ୍ଷା । ସମ୍ଭବତଃ ଉପନିଷଦର “ତେନ ତ୍ୟକ୍ତେନ ଭୁଞ୍ଜୀଥା’’ ବାକ୍ୟଟି ପରି । ସମୀକ୍ଷରେ ମମତାର ବିସ୍ତାର ରହିଥିବ, ମମତା ଦ୍ଵାରା ଯାବତୀୟ ସମ୍ପ୍ରସାରଣ ମଧ୍ୟ ସମ୍ଭବ ହୋଇ ପାରୁଥିବ, ତଥାପି ମମତ୍ଵର ଆଦୌ କୌଣସି ଅପପରାକ୍ରମ ଅଥବା ଜ୍ଵର ନଥିବ । ତେବେଯାଇ ଜୀବନକୁ ନିର୍ମଳ ଭାବରେ ଦେଖି ହେବ, ଜୀବନ ସହିତ ଯଥାର୍ଥ ଭାବରେ ଯୁକ୍ତ ହୋଇ ରହିବା ସମ୍ଭବ ହେବ ଏବଂ ସମୀକ୍ଷାର ସେହି ନିବିଡ଼ ଉଚ୍ଚତାଟିକୁ ହିଁ ସାହିତ୍ୟର ସୃଷ୍ଟି ହୋଇପାରିବ । ତେଣୁ ନିଷ୍କର୍ଷ ହେଉଛି : ସର୍ବ ପ୍ରଥମେ ଜୀବନ, ତାପରେ ଜୀବନ ଲାଗି ଏକ ଶ୍ରଦ୍ଧା, ଶ୍ରଦ୍ଧାରୁ ସମୀକ୍ଷା ଏବଂ ସେହି ସମୀକ୍ଷାରୁ ସାହିତ୍ୟର ସୃଷ୍ଟି ।

 

ଏବଂ, ଏହି ଶ୍ରଦ୍ଧାର କୌଣସି ଭୂଗୋଳସୀମା ନାହିଁ । ଅଧିକରୁ ଅଧିକ ସଞ୍ଚାରିତ ହେବାରେ ଲାଗିଥିବା, ତାହାହିଁ ଶ୍ରଦ୍ଧାର ଅସଲ ଧର୍ମ । ଏହି ସଞ୍ଚାରଣର ପ୍ରକ୍ରିୟାଟି କୌଣସି କାରଣରୁ ବନ୍ଦ ହୋଇଗଲେ ଶ୍ରଦ୍ଧା ଅନେକ ସମୟରେ ଏକ ମୋହରେ ପରିଣତ ହୋଇଯାଏ, ଏକ ଅହଙ୍କାରରେ ପରିଣତ ହୁଏ; ଅହଙ୍କାର ନିଜର ଚାରିପାଖରେ ସୀମା ବାନ୍ଧିଦେବାକୁ ଏବଂ ପାଚେରୀମାନ ଠିଆ କରାଇ ରଖିବାକୁ ସବୁଠାରୁ ବେଶୀ ଆନନ୍ଦ ପାଏ । ପାଚେରୀ ଠିଆ କରିବା ହିଁ ଜୀବନଶ୍ରଦ୍ଧାର ସର୍ବମୁଖ୍ୟ ଅବଲମ୍ବନ ହୋଇ ରହିବାକୁ ଆରମ୍ଭ କରିବା ମାତ୍ରକେ ମଣିଷ ଅଫିମ ଖାଇବାକୁ ଆରମ୍ଭ କରେ, ସମ୍ୟକ ଅବଲୋକନ ଏବଂ ସମ୍ୟକ ଅନୁଭବର ଶକ୍ତି ହରାଇବସେ । ଦିଗନ୍ତଗୁଡ଼ାକ କ୍ରମେ ବୁଜି ହୋଇ ଆସନ୍ତି । ତାପରେ ଜୀବନକୁ ବଞ୍ଚିବାରେ ଓ ଅନୁଭବ କରିବାରେ ନାନା ଏକଦେଶୀୟତା ଆସି ପ୍ରବେଶ କରେ, ନାନା ଉତ୍ତେଜନା ଆସି ପ୍ରବେଶ କରେ ଏବଂ ତା’ପରେ ଆରୋହଣ ଲାଗି ଆଉ କୌଣସି ଅବକାଶ ବି ରହେ ନାହିଁ । ଅଳପ ଭିତରେ ହେଉ ପଛକେ, ଆପଣାକୁ ଯେକୌଣସି ପ୍ରକାରେ ସୁରକ୍ଷିତ ଓ ଦ୍ଵନ୍ଦ୍ଵମୁକ୍ତ କରି ରଖିବା ହୁଏତ ଆମ ଜୀବନର ଏକମାତ୍ର ଆହ୍ଵାନ ଏବଂ ଆଧେୟ ହୋଇ ରହିଯାଏ ।

 

ତେଣୁ, ସବୁ ମଣିଷ ଜୀବନକୁ ମୋଟେ ସମାନ ଭାବରେ ଅବଲୋକନ କରନ୍ତି ନାହିଁ, ସମାନ ଭାବରେ ଅନୁଭବ କରି ପାରନ୍ତି ନାହିଁ । ଜୀବନର ଆହ୍ଵାନଗୁଡ଼ିକୁ ଆଦୌ ସମାନ ଭାବରେ ଶୁଣି ପାରନ୍ତି ନାହିଁ । ଯାହାର ଶ୍ରଦ୍ଧା ଯେଉଁ ସ୍ତରରେ ରହିଥାଏ, ସିଏ ସେତିକି ପାରେ, ସେତିକି ଗମେ, ସେତିକି ବଞ୍ଚେ । ଗୀତାର ଭାଷାରେ, ଯୋ ଯତ୍ ଶ୍ରଦ୍ଧଃ ସ ଏବ ସଃ । ଏବଂ, ସେହି ମଣିଷ ଯଦି ସାହିତ୍ୟ ଲେଖେ, ତେବେ ତାହାର ସାହିତ୍ୟ ମଧ୍ୟ ସେହି ଅନୁସାରେ ପ୍ରସଦମିତ ହୋଇ ରହିବାକୁ ବାଧ୍ୟ ହୁଏ । ଆପଣାର ଜୀବନକୁ ବୃହତ୍ତର ଜୀବନଟି ସହିତ ସମ୍ବନ୍ଧିତ କରି ରଖିବାର ମଧ୍ୟ ନାନା ସ୍ତର ରହିଛି, ନାନା ପ୍ରସ୍ଥ ରହିଛି । ସେହି ପ୍ରସ୍ଥଗୁଡ଼ିକ ଅନୁସାରେ ହିଁ ଜୀବନ ପ୍ରତି ଆମ ସମୀକ୍ଷାଦୃଷ୍ଟିର ନିର୍ଦ୍ଧାରଣ ହୋଇଥାଏ । କେବଳ ବହିଃପରିବେଶ ହିଁ ସେହି ପ୍ରସ୍ଥଗୁଡ଼ିକୁ ମୋଟେ ଠିକ୍ କରି ଦିଏ ନାହିଁ । ବହିଃପରିବେଶର ଅବଶ୍ୟ ଏକ ପ୍ରଭାବ ରହିଥାଏ, ମାତ୍ର ଅସଲ ଅନ୍ତରପୁରୁଷଟି କେତେଦୂର କ’ଣ ବାସନା କରୁଥାଏ, କେତେ ଉପରକୁ ଆରୋହଣ କରିବାକୁ ଇଚ୍ଛା କରୁଥାଏ ଅର୍ଥାତ୍ କେତେ ଗଭୀରକୁ ଭେଟିବାକୁ ଚାହୁଥାଏ ଓ କେତେ ଅଧିକ ପରିମାଣରେ ଆପଣାର ଚତୁର୍ଦ୍ଦିଗକୁ ନିଜକୁ ବିସ୍ତାରିତ କରିଦେବାକୁ ମନ କରୁଥାଏ, ସେକଥା ସର୍ବଦା ତାହାରି ଉପରେ ହିଁ ସର୍ବାଧିକ ପରିମାଣରେ ନିର୍ଭର କରେ । ଅର୍ଥାତ୍, ଆମର ଅସଲ ଅଭୀପ୍ସାଗୁଡ଼ିକ ଉପରେ ହିଁ ଆମ ଜୀବନର ଅବଲୋକନ ଏବଂ ସମୀକ୍ଷା ଅତ୍ୟନ୍ତ ନିର୍ଭରଶୀଳ ହୋଇ ରହିଥାଏ । ସେହି ଅବଲୋକନ ଏବଂ ସମୀକ୍ଷାର ସାମର୍ଥ୍ୟସ୍ତର ଗୁଡ଼ିକ ହିଁ ଆମ ସାହିତ୍ୟସର୍ଜନାର କାଠି ଏବଂ ଗାରଗୁଡ଼ିକୁ ନିର୍ଣ୍ଣୟ କରିଦିଏ ।

 

ଜୀବନର ସମୀକ୍ଷା ଯେତେବେଳେ କେବଳ ଏକ ବ୍ୟକ୍ତିଗତ ସ୍ତରରୁ ଏକ ବୃହତ୍ତର ସାର୍ବଜନୀନ ସ୍ତରକୁ ପ୍ରସାରିତ ହେବାଲାଗି ଇଚ୍ଛା କରେ, ଯେତେବେଳେ ଅଳ୍ପ ଭୂମାର ସ୍ପର୍ଶ ଲୋଡ଼େ, ଜୀବନର ସମୀକ୍ଷା ଯେତେବେଳେ ସହଭୋଜନ ଲୋଡ଼େ, ସେତିକିବେଳେ ମଣିଷର ଜୀବନରେ ସାହିତ୍ୟ ଲାଗି ଏକ ଉନ୍ମୋଚନ ଘଟେ । ସେତେବେଳେ ମଣିଷ ଅନ୍ୟମାନଙ୍କୁ ମଧ୍ୟ ନିଜର ଅନୁଭବରେ ଭାଗ ଦେବାକୁ ବାହାରେ, ଅନ୍ୟମାନଙ୍କୁ ମଧ୍ୟ ସାଙ୍ଗରେ ନେବାକୁ ଇଚ୍ଛା କରେ, ଅନ୍ୟମାନଙ୍କୁ ତା’ ନିଜ ସହିତ ଏକାଠି ପତର ଉପରେ ଆଣି ବସାଇବାକୁ ଚାହେ; ଏବଂ, ସେଇଥିରୁ ହିଁ ସାହିତ୍ୟକର୍ଷଣର ମୁହୂର୍ତ୍ତଟି ଜନ୍ମଲାଭ କରେ । କେବଳ ବ୍ୟକ୍ତିଗତ ହୋଇ ରହିଥିବା ପର୍ଯ୍ୟନ୍ତ ଜଣେ ମଣିଷର ସମୀକ୍ଷା ଏବଂ ମୁମୁକ୍ଷାଗୁଡ଼ିକ ମୋଟେ ସାହିତ୍ୟ ମଧ୍ୟକୁ ଉତ୍ତୋଳିତ ହୋଇ ପାରନ୍ତି ନାହିଁ । ବ୍ୟକ୍ତିର ପ୍ରେମ କେବଳ ସେହି ବ୍ୟକ୍ତିହୃଦୟର ଚଉହଦୀ ଭିତରେ ଆବଦ୍ଧ ହୋଇ ରହିଥିବା ପର୍ଯ୍ୟନ୍ତ ତାହା ଯେପରି କେବଳ ଲୌକିକ ହୋଇ ରହିଥାଏ, ଐକାନ୍ତିକ ଭାବରେ ଏକ ବ୍ୟକ୍ତିଗତ ମୃଗୟା ହୋଇ ରହିଥାଏ, ଓ ତେଣୁ ପ୍ରେମରସବୋଧର ଅନ୍ତରାୟ ହୋଇ ରହିଥାଏ, ଠିକ୍ ସେହିପରି । ଅନୁଭବକୁ ସାର୍ବଜନୀନ ଅର୍ଥାତ୍ ସହଭୋଜନର ଯୋଗ୍ୟ କରିବାର ଅନ୍ୟ ନାମ ହେଉଛି ଅଭିବ୍ୟକ୍ତି । ସାହିତ୍ୟକ ଓ କଳାତ୍ମକ ଯାବତୀୟ ଅଭିବ୍ୟକ୍ତି ଧର୍ମତଃ ଏହି ଧାରାଟିକୁ ଅନୁସରଣ କରିଥାଏ । ଏଥିରେ ଅନ୍ୟମାନଙ୍କ ଲାଗି ଭାଗ ବସାଇଲେ ତାହା ମୋଟେ ସରେନାହିଁ । ଗୋଟାଏ ସ୍ତର ରହିଛି, ଯେଉଁଠାରେ କି ଅନ୍ୟମାନଙ୍କୁ ଦେଲେ ସମ୍ପଦ ବହୁଗୁଣିତ ହୁଏ । ସେହିସ୍ତରଟି ହେଉଛି କଳାତ୍ମକ ସ୍ତର, ସାହିତ୍ୟର ସ୍ତର, ଉପଲବ୍‌ଧର ସ୍ତର । ଏହି ସ୍ତରଟିର ଯାବତୀୟ ବାଣିଜ୍ୟରେ ଏକ ସ୍ଵାଭାବିକ ପୁଲକ ହିଁ ପାରସ୍ପରିକ ପରିଚୟର ସର୍ବମୂଳ ସନ୍ତକ ଓ ସର୍ବମୂଳ ସନ୍ତକ ଓ ସର୍ବମୂଳ ମୁଦ୍ରା ହୋଇ ରହିଥାଏ । ସମ୍ଭବତଃ ସେଇଥିଲାଗି କାବ୍ୟର ସମୀକ୍ଷକମାନେ ଆନନ୍ଦକୁ ହିଁ ସାହିତ୍ୟର ଅସଲ କଷଟି ବୋଲି କହିଛନ୍ତି ।

 

ଆନନ୍ଦର ବି କେତେ ନା କେତେ ସୋପାନ ରହିଛି, କେତେ ନା କେତେ ଉଚ୍ଚତା ଓ କେତେ ନା କେତେ ଗଭୀରତା ରହିଛି । ଉପନିଷଦରେ ଆନନ୍ଦକୁ ବ୍ରହ୍ମ ବୋଲି କୁହାଯାଇଛି ଏବଂ ଅନ୍ୟତ୍ର “ଆନନ୍ଦଂ ବ୍ରହ୍ମଣୋ ବିଦ୍ଵାନ୍ ନ ବିଭେତି କଦାଚନ” ବୋଲି ମଧ୍ୟ କୁହାଯାଇଛି । ଏସବୁ କେବଳ ଗୋଟାଏ ଗୋଟାଏ କଥା ନୁହେଁ, ଏସବୁ ହେଉଛି ଆପଣାର ଜୀବନକୁ ନେଇ କରାଯାଉଥିବା ତପସ୍ୟାର ଧନ । ଏଗୁଡ଼ିକ ହେଉଛି ଆମେ ଜୀବନରେ ଆରୋହଣ କରୁଥିବା ଶୃଙ୍ଗଗୁଡ଼ିକର କଥା ଏବଂ ନିୟମିତଃ ଏକ ଚେତନାର ସକ୍ରିୟ ଭୂମି ଉପରେ ହିଁ ସେହି ଆରୋହଣ ଗୁଡ଼ିକ ସଂଘଟିତ ହୋଇଥାଏ । ଚେତନା ଅଳପ ଭିତରେ ଆବଦ୍ଧ ହୋଇ ବି ରହିଯାଏ । ଭାରି ସତର୍କ ଓ ଭାରି ବୁଦ୍ଧିଆ ହୋଇ ରହିଯାଏ, ଚେତନା ଆଉ କାହାରି ସହିତ ସାଙ୍ଗ ନହେବାକୁ ଚାହୁଥିଲେ ନିଜର ଉପାଦାନଗୁଡ଼ିକୁ ଦେଇ ଗୋଟିଏ ଦୁର୍ଗ ତିଆରି କରି ରଖିଥାଏ, ସେହି ଦୁର୍ଗର ଝରକା ଓ କବାଟଗୁଡ଼ିକୁ ଖୋଲିବାକୁ ମୋଟେ ରାଜୀ ହୁଏନାହିଁ । ଗୁମ୍ଫାଗୁଡ଼ିକୁ ହିଁ ନିରାପତ୍ତା ବୋଲି ସ୍ଵୀକାର କରି ନେଇଥାଏ । ଇଂରାଜୀ ଦାର୍ଶନିକ ବେକନ୍ ନାନାପ୍ରକାର ଭେଦ ଦେଖାଇ ଏହି ଗୁମ୍ଫାଗୁଡ଼ିକର ଆଲୋଚନା କରି ଯାଇଛନ୍ତି । ଆମର ଆନନ୍ଦ ପ୍ରକୃତରେ କେଉଁ ସ୍ତରରେ ଓ କେଡ଼େ ଆୟତନର, ତାହା ଆମ ଅନ୍ତଃବିଚରଣର ବ୍ୟାକରଣଟି ଅନୁସାରେ ଆମର ଚେତନା ଉପରେ ହିଁ ନିର୍ଭର କରି ରହିଥାଏ । ସାହିତ୍ୟ ବୋଲି ଆମ ଭିତରୁ ଯିଏ ଯେତେ ଯାହାକିଛି ଲେଖନ୍ତି, ତାହାର ଉଚ୍ଚତା ଓ ଗଭୀରତାଗୁଡ଼ିକ ମଧ୍ୟ ଆମ ଚେତନାଗତ ଅସଲ ଅନୁରକ୍ତିଗୁଡ଼ିକ ଦ୍ଵାରା ନିର୍ଦ୍ଧାରିତ ହୋଇଥାଆନ୍ତି ।

 

ସାହିତ୍ୟର ସମୀକ୍ଷା ମୂଳତଃ ଚେତନାର, ଅନୁରକ୍ତିର, ଶ୍ରଦ୍ଧାର ଓ ସଞ୍ଚରଣର ଏକ କଳନା କରିବାକୁ ମନ କରିଥାଏ । ତେଣୁ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଦେଖିବାକୁ ଏବଂ ଛୁଇଁବାକୁ ବାସନା ନକରିଥିବା ପର୍ଯ୍ୟନ୍ତ ସାହିତ୍ୟର ଆଦୌ କୌଣସି ଯଥାର୍ଥ ସମୀକ୍ଷା ହୋଇ ପାରେନାହିଁ । ଏକାତ୍ମକତା ଦ୍ଵାରା ଜାଣିବା ଓ ଛୁଇଁବା,–ତାହାହିଁ ହେଉଛି ସାହିତ୍ୟ–ସମୀକ୍ଷାର ସର୍ବପ୍ରଥମ ବିଧି । ଏକାତ୍ମକତା ଯାଏ ଯାଇ ପାରିବାକୁ ଆମ ଅନେକଙ୍କର ଅନେକ ସମୟରେ ଯଥେଷ୍ଟ ଧୈର୍ଯ୍ୟ ନଥାଏ । ତେଣୁ, କେବଳ ଏକ ଉପରଠାଉରିଆ ଭାବରେ ଦେଖି ଆମେ କମ ସାରିଦେଉ, ଭଲ ଓ ମନ୍ଦର କେତେଟା ବିଚାର ଶୁଣାଇ ଦେଇ ଆମେ ତାହାକୁ ହିଁ ଆଲୋଚନା ବୋଲି କହୁ । ଆମର ଜାଣିବା କେବଳ ଆମର କେତେକ ଭଲ ଲାଗିବା ଓ ଭଲ ନଲାଗିବାର ବାଡ଼ ଭିତରେ ହିଁ ସୀମାବଦ୍ଧ ହୋଇ ରହିଥାଏ । ଆମେ ଆମ ନିଜର ସୀମାଗୁଡ଼ାକ ଦେଇ ଦେଖୁ ଏବଂ ତେଣୁ କେବଳ ସୀମିତ ଭାବରେ ହିଁ ଦେଖିବାକୁ ସମର୍ଥ ହେଉ । ଦାଣ୍ଡରେ ଅର୍ଥାତ୍ ବଜାରରେ ଯେଉଁ ତରାଜୁଗୁଡ଼ାକ ମିଳୁଥାଏ, ଆମେ ସେହିପରି କେତେଟା ତରାଜୁରେ ଦେଖୁ, ତେଣୁ ଅସଲ ଦେଖାଗୁଡ଼ିକୁ ତଥାପି ପ୍ରତ୍ୟାଖ୍ୟାତ କରି ରଖିଥାଉ । ଅସଲ କଥା ହେଉଛି, ଆମେ ନିଜେ ଯେତିକି ଦେଖିବାର ସାମର୍ଥ୍ୟ ଅର୍ଜନ କରିଥାଉ, କେବଳ ସେତିକିମାତ୍ର ହିଁ ଦେଖୁ । କେତେବେଳେ ଜଙ୍ଗଲଟାକୁ ନଦେଖି ଗଛଗୁଡ଼ାକୁ ଦେଖୁ ଓ ଆଉ କେତେବେଳେ ଗଛଗୁଡ଼ାକୁ ନଦେଖି ଜଙ୍ଗଲଟାକୁ ହିଁ ଦେଖିବାକୁ ବାହାରିଥାଉ । ବେଳେ ବେଳେ ଭିତରଟାକୁ ଦେଖିବା ଲାଗି ମୋଟେ ସାହସ ନକରି କେବଳ ବାହାରଟାକୁ ଦେଖିଆସୁ । ପୁଣି କେତେବେଳେ ବାହାର ଏବଂ ଭିତରକୁ ସତେଅବା ଦୁଇଟା ଅଲଗା ଅଲଗା ପୃଥିବୀରେ ବିଭକ୍ତ କରି ପକାଉ ଓ ତେଣୁ ଆମେ ବିଚାର କରୁଥିବା ସାହିତ୍ୟଟିର ଅସଲ ସମଗ୍ରତାଟିକୁ ମୋଟେ ସ୍ପର୍ଶ କରି ପାରୁନାହିଁ । ସେହି ସାହିତ୍ୟକୁ ସୃଷ୍ଟି କରିଥିବା ସାହିତ୍ୟକାରକୁ ମଧ୍ୟ ଦୁଇଭାଗ କରି ଦେଖାଇ ହୁଏତ ଏକ ଅକର୍ମ ଭିତରେ ଯାଇ ପଶିଯାଉ ।

 

କଳାତ୍ମକ ଜୀବନ ଓ କଳାତ୍ମକ ସର୍ଜନାରେ ହ୍ଲାଦିନୀ ପରି କାର୍ଯ୍ୟ କରୁଥିବା ଏହି ଚେତନା ବା ଚିନ୍ମୟତାକୁ ସାହିତ୍ୟତତ୍ତ୍ଵକାର ବିଶ୍ଵନାଥ ‘ଚୈତନ୍ୟତନ୍ମୟତା’ ବୋଲି କହିଛନ୍ତି । ଯେତେବେଳେ ଆମ ଚେତନା ସଂସାର ଭିତରେ ରହିଥିବା ସବୁକିଛିକୁ ଛାଡ଼ି ଆପଣାର କୌଣସି ଏକ ଗୁମ୍ଫା ଭିତରେ କିଳି ହୋଇ ରହିଥାଏ, ସେତେବେଳେ ଅସଲ ତନ୍ମୟତାଟି ମୋଟେ ସମ୍ଭବ ହୁଏନାହିଁ । ଯେତେବେଳେ ଏହି ସବୁକିଛି, ସ୍ଥୂଳ ଓ ସୂକ୍ଷ୍ମ, ଅନ୍ନ ଓ ଆନନ୍ଦ, ବର୍ତ୍ତମାନ ଓ ଭବିଷ୍ୟ, କାଳସ୍ଥ ତଥା କାଳାସ୍ଥ ତଥା କାଳାତୀତ ଏକ ସମଗ୍ର ଓ ଅଖଣ୍ଡ ଚେତନାବିସ୍ତାର ମଧ୍ୟରେ ଆସି ଧରାଦେଇ ପାରନ୍ତି, ଯେତେବେଳେ କୌଣସି ବ୍ୟାପାର ଅଥବା କୌଣସି ଗୋଟିଏ ଭୂମି ବି ଅଦିବ୍ୟ ଅଥବା ଏକ ସମଗ୍ର ଜୀବନନିୟତିର ବାହାରେ ଥିବା ପରି ମୋଟେ ମନେ ହୁଏନାହିଁ, ସେତିକିବେଳେ ଯାଇ ସେହି ତନ୍ମୟତାକୁ ଅନୁଭବ କରିହୁଏ । ସେହି ତନ୍ମୟତା ମଧ୍ୟରେ ଗୋଟିଏକୁ ଦେଖିଲା ମାତ୍ରକେ ସବୁଟିକୁ ଦେଖିହୁଏ, ଗୋଟିକୁ ସ୍ପର୍ଶ କଲା ମାତ୍ରକେ ନିଜ ସମେତ ସବୁଟିକୁ ସ୍ପର୍ଶ କରିହୁଏ, ଏବଂ ଜୈନ ଅପଭ୍ରଂଶ ସାହିତ୍ୟର “ଯୋ ଏକଂ ଜାଣଇ, ସୋ ସବ୍‌ବଂ ଜାଣଇ’’ ବାକ୍ୟଟିର ଉପଲବ୍‌ଧି ସେତିକିବେଳେ ହୁଏ । ଏହିଭଳି ଏକ ଚେତନାକୁ ଛୁଇଁ ପାରିବା ଓ ସେହିଠାରୁ ଥାଇ ଜୀବନକୁ ଦେଖିବା ହିଁ ଜଣେ ଯଥାର୍ଥ ସାହିତ୍ୟକାରର ଆକାଙ୍‌କ୍ଷା ହୋଇ ରହିଥିବା ଉଚିତ । ମାତ୍ର, ସେହି କଥାଟି ସବୁବେଳେ ମୋଟେ ହୋଇ ପାରେନାହିଁ । ପ୍ରାୟ ଦେଢ଼ଶହ ବର୍ଷ ତଳେ ଆଧୁନିକ ଅସ୍ତିତ୍ଵବାଦୀ ଜୀବନଦୃଷ୍ଟିର ଜଣେ ଆଦ୍ୟ ପ୍ରସ୍ଥାପକ ଡେନମାର୍କର କିଅର୍କଗୋର୍ ତାଙ୍କ ଡାଏରୀ ବହିରେ ଲେଖିଛନ୍ତି; “କବି ଓ ସାହିତ୍ୟକାରର ଜୀବନ ଗୋଟାଏ ପୃଥିବୀରେ ରହିଥାଏ, ତା’ ସାହିତ୍ୟରଚନାର ଜୀବନ ଓ ଧାବନଗୁଡ଼ିକ ଏକାବେଳେ ଅନ୍ୟ ଏକ ପୃଥିବୀରେ ଯାଇ ରହିଥାଏ । ତା’ର ଆଦର୍ଶମାନେ କେବଳ ତା’ର କଳ୍ପନା ଭିତରେ ଥାଆନ୍ତି ଓ ତା’ର ବ୍ୟକ୍ତିଗତ ଜୀବନଧାରଣର ମାନଟି ତା’ର ସାହିତ୍ୟ–ଧାରଣାର ପ୍ରାୟ ଏକ ବିଦ୍ରୂପ ପରି ହୋଇଥାଏ । ...ସାହିତ୍ୟକାରମାନେ ସତ୍ୟର ଚର୍ଯ୍ୟା କରିବାରେ ଲାଗିଥାନ୍ତି;–କେବେହେଲେ ସତ୍ୟର ସେବା କରନ୍ତିନାହିଁ ।” (୧)

 

ସାହିତ୍ୟକୁ ଜୀବନର ବାହାରେ ଅବସ୍ଥିତ ବୋଲି ମନେ କଲେ ସାହିତ୍ୟକାରର ପ୍ରାୟ ଏହିପରି ଏକ ଦଶା ହୋଇଥାଏ । ସାହିତ୍ୟକୁ କେବଳ ବାହାରୁ ଆଣି ଦେହରେ ଖଞ୍ଜା ହୋଇଥିବା ଭୂଷଣ ପରି ଗ୍ରହଣ କରୁଥିବା ପର୍ଯ୍ୟନ୍ତ ସାହିତ୍ୟ ଓ ଜୀବନର ପାରସ୍ପରିକ ଭୂମିଟି ଉପରେ ପ୍ରାୟ ଏହିପରି ଏକ ଦ୍ଵନ୍ଦ ଭୋଗ କରିବାକୁ ପଡ଼ିଥାଏ । ସେତେବେଳେ ବ୍ରହ୍ମକୁ ସତ୍ୟ ବୋଲି ପ୍ରତିପାଦିତ ଯାଇ ଜଗତକୁ ମିଥ୍ୟା ବୋଲି ଘୋଷଣା କରିବାକୁ ହୁଏ । ଭଗବାନଙ୍କୁ କୌଣସି ଏକ ଉଚ୍ଚ ବୈକୁଣ୍ଠକୁ ନେଇ ଆଣିବା ପାଇଁ ଏହି ପୃଥିବୀକୁ ଭଗବତ୍–ବର୍ଜିତ ବୋଲି ଅନୁମାନ କରିବାକୁ ହୋଇଥାଏ । ସେତେବେଳେ ସାହିତ୍ୟ କହିଲେ ମଣିଷର ଏହି ଜୀବନ ଭିତରୁ ଛାଡ଼ି କରି ଅନ୍ୟତ୍ର ଚାଲିଯିବାକୁ ବୁଝାଏ, ସୌନ୍ଦର୍ଯ୍ୟ କହିଲେ ଜୀବନର ବାହାରେ ଥିବା ଆଉ ଏକ ଅନ୍ୟକିଛିକୁ ବୁଝାଏ, ପ୍ରାୟ ଏକ ତାତ୍ତ୍ଵିକ ଭାବପ୍ରବଣତାକୁ ବୁଝାଉଥାଏ । ଏବଂ, ଆମ ସାହିତ୍ୟକାରିତାର ଯାବତୀୟ ମଣ୍ଡନ ଓ ଅଭିମଣ୍ଡନ ସତ୍ତ୍ୱେ ଏକ ମୂଳଭୂତ ଅସ୍ଵୀକାର ହିଁ ଜୀବନର ମଞ୍ଚଗୁଡ଼ାକୁ କାମୁଡ଼ି କରି ଧରିଥାଏ । ପୂର୍ବକାଳରେ ସାହିତ୍ୟର ରୀତି ମୂଳତଃ ତାହାହିଁ ଥିଲା । ସେତେବେଳର ଋଷି ହୁଏତ ଅରଣ୍ୟ ଭିତରେ ଯାଇ ବାସ କରୁଥିଲା, ଶ୍ରଦ୍ଧାମାନେ ବୈରାଗ୍ୟର ଆବରଣ ତଳେ ଚାପି ହୋଇ ରହି ଯାଇଥିଲେ । କବି ଏବଂ ସାହିତ୍ୟକାର ସଭାରେ ଯାଇ ବସୁଥିଲେ । ଜୀବନ ଭିତରେ ହୁଏତ କେହି ନ ଥିଲେ । କବି ଏବଂ କାବ୍ୟକାର ତା ଦୈନନ୍ଦିନ ଜୀବନଟିକୁ ଜୀବନ ଭିତରେ ରହି ବାସ କରୁଥିଲା ସତ, ମାତ୍ର ସାହିତ୍ୟ କରୁଥିବା ସମୟରେ ତାକୁ ଜୀବନକୁ ଛାଡ଼ି ଖଣ୍ଡେ ଦୂରରେ ଅଲଗା ହୋଇ ରହିଥିବା ସଭାର ଏକ କଳ୍ପନା କରିବାକୁ ପଢ଼ୁଥିଲା । ସେହି ସଭାର ମଧ୍ୟ ଏକ ଜୀବନ ରହିଥିଲା ସତ, ମାତ୍ର ସାହିତ୍ୟକାର ଲାଗି ତାହାକୁ ଆପଣାର ସାହିତ୍ୟ ଭିତରକୁ ଆଣିବା ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇ ରହିଥିଲା । ତେଣୁ, ଏକ ଦେବସଭାକୁ ଆଲମ୍ବନ ରୂପେ ଗ୍ରହଣ କରି ହିଁ ତାକୁ ସଭା ଭିତରେ ପଢ଼ାଯିବା ଏବଂ ପ୍ରଶଂସିତ ହେବା ଭଳି ଏକ ସାହିତ୍ୟ ଲେଖିବାକୁ ପଡ଼ୁଥିଲା । ଦେବତାମାନଙ୍କର ବର୍ଣ୍ଣନା ଗାନ କରିବାର ଆଢ଼ୁଆଳରେ କେତେବେଳେ କେମିତି ମଣିଷ–ଜୀବନର ବର୍ଣ୍ଣନାଗୁଡ଼ାକ ହୁଏତ ଉପଲକ୍ଷ୍ୟ ରୂପେ ଏକ ଥାନ ପାଇ ଯାଉଥିଲା ସିନା, ମାତ୍ର ଜୀବନର ଅସଲ ସଦରଗୁଡ଼ାକୁ ଏକାବେଳେକେ ପାସୋରି ରହିବାକୁ ପଡ଼ୁଥିଲା । ଯିଏ ସଭାର କର୍ତ୍ତା, ତାଙ୍କରି ଚିତ୍ତର ବିନୋଦନ ଲାଗି ସଭାର ସାହିତ୍ୟ ଉଦ୍ଦିଷ୍ଟ ହୋଇ ରହୁଥିଲା । ତେଣୁ, ସେହି ସାହିତ୍ୟ ଜୀବନର ଗୋଟାଏ କଣକୁ ମଧ୍ୟ ସ୍ପର୍ଶ କରୁନଥିଲା ଏବଂ, ଆହୁରି ବଡ଼ କଥା ହେଉଛି, ସେହି ସାହିତ୍ୟର ସମୀକ୍ଷା ଲାଗି ମଧ୍ୟ ଆଦୌ ଖୁବ୍ ବେଶୀ ଆବଶ୍ୟକତା ରହୁନଥିଲା ।

 

କେବଳ ସାହିତ୍ୟର ସଭାଅଙ୍ଗରେ କବି କବି ମଧ୍ୟରେ ହୁଏତ ଏକ ପ୍ରତିଦ୍ଵନ୍ଦିତା ହେଉଥିଲା । ପ୍ରଶସ୍ତି–ଅଙ୍ଗର ପ୍ରଦର୍ଶନ–ପ୍ରାନ୍ତରରେ କବିମାନେ ଆପଣା ଆପଣାର ବାଣ ମାରି ରୋଷନି ଲଗାଇ ନାନା ଚମତ୍କାରିତାର ଭାଜନ ହେଉଥିଲେ । ସେତେବେଳେ ସମସ୍ତେ ପ୍ରଥମତଃ ମଜ୍ଜି କରି ରହୁଥିଲେ । ସଂସ୍କୃତ ‘ଧୂନ୍ୟାଲୋକ’ର ଲେଖକ କାବ୍ୟର ଯାବତୀୟ ଉପକରଣ, ଅର୍ଥାତ୍ କଥା, ଭାଷା, ଅଳଙ୍କାର ଓ ଛନ୍ଦ ସବୁକିଛି ଥାଇ ମଧ୍ୟ କାବ୍ୟର ସମଗ୍ରସ୍ଵାଦ ଅର୍ଥାତ୍ ଆତ୍ମାସ୍ୱରୂପ ରସଟିର ଅଭାବ ରହିଥିଲେ ସେହି କାବ୍ୟକୁ ଏକ ଅକାବ୍ୟ କୁହାଯିବ ବୋଲି ନିର୍ଦ୍ଦେଶିତ କରି ଦେଇଛନ୍ତି । ସିଏ ତାହାକୁ ଚିତ୍ରକାବ୍ୟ ବୋଲି କହିଛନ୍ତି; କାବ୍ୟର ଏକ ଅନୁକୃତି ବୋଲି କହିଛନ୍ତି : କେବଳ ବାଚ୍ୟବାଚକ ବୈଚିତ୍ର୍ୟମାତ୍ରାଶ୍ରୟେଣ ଉପନିବଦ୍ଧଂ ଆଲେଖ୍ୟପ୍ରଖ୍ୟଂ ଯତ୍ ଆଭାସତେ ତତ୍ ଚିତ୍ରମ୍ । ନ ତତ୍ ମୁଖ୍ୟଂ କାବ୍ୟଂ । କାବ୍ୟାନୁକାରୋ ହି ଅସୌ । ଏକ ଆଧୁନିକ ବ୍ୟଞ୍ଜନା ଦେଇ ଆମେ କାବ୍ୟ ବା ସାହିତ୍ୟର ଚେତନାଗତ ଭୂମିବିସ୍ତାରଟିକୁ ତାହାର ରସସ୍ତରର ଏକ ପ୍ରଧାନ ନିର୍ଣ୍ଣାୟକ ବୋଲି କହି ପାରିବା । ଯଦି ଚିତ୍ରକାବ୍ୟ ହିଁ କାବ୍ୟସର୍ଜନାର ପରିଧିଗତ ଆଦର୍ଶ ହୋଇ ରହେ ତେବେ ତାହାର ସମୀକ୍ଷା ବୋଲି ଯେ ଆଉ ବିଶେଷ କିଛି ରହିବନାହିଁ, ସେହି କଥାଟି ଅତ୍ୟନ୍ତ ସ୍ପଷ୍ଟ ହୋଇଯାଉଛି । ଗଢ଼ଣ ଓ ମଣ୍ଡନର ସମୀକ୍ଷା ହେଉଛି ପ୍ରାୟ ଏକ ବ୍ୟାକରଣଧର୍ମୀ ଭୁଲ୍‌ଠିକ୍‌ର ଆଲୋଚନା । ସୂତ୍ରାନୁସରଣର ଔଚିତ୍ୟ ହେଉଛି ସେହି କ୍ଷେତ୍ରରେ ପ୍ରାୟ ଏକମାତ୍ର ଔଚିତ୍ୟ । ସେହି ‘ଧ୍ଵନ୍ୟାଲୋକ’ ଗ୍ରନ୍ଥରେ ଔଚିତ୍ୟବନ୍ଧୁକୁ ସାହିତ୍ୟରସର ଉପନିଷଦ ଓ ସାହିତ୍ୟତତ୍ତ୍ଵର ପରାବିଦ୍ୟା (ରସସ୍ୟୋପନିଷତ୍ ପରା) ବୋଲି କୁହାଯାଇଛି । ଗୋଟାଏ କାନିକୁ ଯିଏ ସମଗ୍ର ବସ୍ତ୍ର ବୋଲି ଗ୍ରହଣ କରେ ଏବଂ ସେହି ବାଉଳାରେ ସମଗ୍ର ବ୍ୟାପାରଟିର ଆତ୍ମାସ୍ଵରୂପ ପରିଧାନକାରୀକୁ ଯିଏ ଭୁଲିଯାଏ, ସାହିତ୍ୟ ଭିତରେ ସିଏ ଏକ ଅନୌଚିତ୍ୟର ହିଁ ଅବତାରଣା କରାଇଥାଏ ।

 

ପ୍ରାୟ ଏହିପରି ଏକ ସଂସ୍କାରଗତ କାରଣରୁ ହିଁ ସାହିତ୍ୟର ସମୀକ୍ଷା ସାହିତ୍ୟର ସମଗ୍ର କ୍ଷେତ୍ରଟିରେ ଅନେକତଃ ଏକ ବିଶ୍ଲେଷଣାତ୍ମକ କସରତ ପରି ହୋଇ ରହିଥିଲା ଏବଂ ସେହି ସମୀକ୍ଷା ଆଦୌ ସର୍ଜନାତ୍ମକ ହୋଇ ପାରିବ ବୋଲି କେହି ମୋଟେ ବିଶ୍ଵାସ କରୁନଥିଲେ । ଅପାର କାବ୍ୟ–ସଂସାର ଭିତରେ କବିକୁ ହିଁ ଏକମାତ୍ର ପ୍ରଜାପତି (କବିରେବ ପ୍ରଜାପତି) ବୋଲି କୁହା ଯାଉଥିଲା । ସାହିତ୍ୟ ଜୀବନ ଠାରୁ ଅଲଗା ଆଉ ଗୋଟାଏ ମଧୁଆସ୍ଵାଦନର କୌଣସି ଏକାନ୍ତ ପୁଲୀନ ଅଥବା ପଲ୍ଵଳ ପରି କାର୍ଯ୍ୟ କରୁଥିବା ପର୍ଯ୍ୟନ୍ତ ସାହିତ୍ୟର ସମୀକ୍ଷାକୁ ଏକ ସର୍ଜନାତ୍ମକ ପ୍ରୟାସ ବୋଲି ସ୍ଵୀକାର କରିବାକୁ କେହି ରାଜୀ ହୁଅନ୍ତି ନାହିଁ । ପୁନଶ୍ଚ, ଯେତେବେଳେ ସାହିତ୍ୟଶକ୍ତି ଅଥବା କଳାଶକ୍ତିକୁ ସତେଅବା ବେଳେବେଳେ ବାହାରୁ ଆସି ଆମକୁ ମାଡ଼ି ବସୁଥିବା ଏକ କାଳିସୀଶକ୍ତି ବୋଲି କଳ୍ପନା କରାଯାଏ, ସେତେବେଳେ ମଧ୍ୟ ସାହିତ୍ୟ–ସମୀକ୍ଷାକୁ ସାହିତ୍ୟର ଏକ ଆବଶ୍ୟକ ଅଙ୍ଗରୂପେ ଲୋଡ଼ିବା ଲାଗି ଆମ ପାଖରେ ପ୍ରାୟ କୌଣସି ଔଚିତ୍ୟ ନଥାଏ । ଯାହା ହେଉଛି ଯଦି ତାହା ବାହାରୁ ହେଉଛି, ହଠାତ୍ ହେଉଛି ଏବଂ ସେହି ନିର୍ଦ୍ଦିଷ୍ଟ ମୁହୂର୍ତ୍ତଟିକୁ ସମ୍ଭୂତ କରାଇ ଆଣିବାରେ ସ୍ୱୟଂ ସାହିତ୍ୟକାରର ମୋଟେ କୌଣସି କାବୁ ରହୁନାହିଁ, ସେଠି ସମୀକ୍ଷା ଲାଗି ଆଉ ମୋଟେ କୌଣସି ଭୂମି ରହିବନାହିଁ । କାଳିସୀ ଆସୁଛି ଓ ଚାଲିଯାଉଛି; ତେବେ, ସେହି କ୍ଷେତ୍ରରେ କ’ଣ କାଳିସୀର ସମୀକ୍ଷା କରାଯିବ ? ଯେତେବେଳେ ସମୀକ୍ଷାକୁ ନଲୋଡ଼ି ସାହିତ୍ୟ କିଞ୍ଚିତ୍ ଅହଙ୍କାର ଭିତରେ ଆତ୍ମସର୍ବସ୍ଵ ହୋଇ ରହିବା ସକାଶେ ଏକ ସରାଗ ଦେଖାଏ, ହୁଏତ ସେତିକିବେଳେ ସମୀକ୍ଷାକୁ ସର୍ଜନାତ୍ମକ ବୋଲି ନକହିବାକୁ ହିଁ ଅଧିକ ପ୍ରଶସ୍ତ ଏବଂ ଲାଭଦାୟକ ବୋଲି ମାନି ନିଆଯାଏ । ମାତ୍ର, ମନୁଷ୍ୟର ଜୀବନଦୃଷ୍ଟି ଅଧିକରୁ ଅଧିକ ପରିମାଣରେ ଆଧୁନିକ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ତାର ଆଗ୍ରହ ଓ ଆଲୋଡ଼ନମାନ କ୍ରମଶଃ ଅଧିକରୁ ଅଧିକ ପରିମାଣରେ ଜୀବନବାଚୀ ହେବାକୁ ମନ କରୁଥିବା ସଙ୍ଗେ ସଙ୍ଗେ ଏବଂ ସାହିତ୍ୟକୁ ମଧ୍ୟ ସିଏ ଜୀବନର ଏକ ସମଗ୍ର ଆବେଦନମୂଳକ ଆଲେଖ୍ୟ ବୋଲି ଗ୍ରହଣ କରି ଶିଖୁଥିବା ସଙ୍ଗେ ସଙ୍ଗେ ସାହିତ୍ୟସମୀକ୍ଷାର ସଂଜ୍ଞାରେ ମଧ୍ୟ ଏକ ଅନୁସ୍ତମ୍ଭ ଉତ୍ତରଣ ବି ଘଟିବାରେ ଲାଗିଛି ।

 

ବାହାରୁ ଥାଇ ଯେଉଁ ସମୀକ୍ଷା ହୁଏ, ତାହା କେବେହେଲେ ସର୍ଜନାତ୍ମକ ହୋଇ ପାରେନାହିଁ । କେବଳ ଏକ ଅନୁପ୍ରସ୍ଥ ବ୍ୟାଖ୍ୟା ଭିତରେ ଆପଣାକୁ ସୀମାବଦ୍ଧ କରି ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସର୍ଜନାତ୍ମକ ସମୀକ୍ଷା ଲାଗି ଅନ୍ତଃପ୍ରବେଶ କରିବାକୁ ହୁଏ । ଯୋଗଶାସ୍ତ୍ରରେ ଯାହାକୁ ‘ପରକାୟ–ପ୍ରବେଶ’ କୁହାଯାଇଛି, ଏହା ପ୍ରାୟ ସେହିପରି ଗୋଟିଏ କଥା । ଜୀବନ ସହିତ ଏକାତ୍ମକ ହୋଇପାରିଲେ ଯେପରି ଯଥାର୍ଥ ସାହିତ୍ୟ ସମ୍ଭବ ହୁଏ, ସର୍ଜନାତ୍ମକ ସମୀକ୍ଷା ଲାଗି ସେହିପରି ସୃଜନଟି ସହିତ ଏକାତ୍ମକ ହେବାକୁ ହୁଏ । ସୃଜନଟିର ପଛରେ ପରୋକ୍ଷ ଅଥବା ପ୍ରାଞ୍ଜଳ ହୋଇ ରହିଥିବା ସାହିତ୍ୟକାରକୁ ଯାଇ ଏକାନ୍ତ ଆତ୍ମୀୟ ପରି ଭେଟିବାକୁ ହୁଏ । ତା’ର ସୃଜନପଥଟିକୁ ନିଜ ଭିତରେ ଅନୁଭବ କରିବାକୁ ହୁଏ । ତାକୁ ତା’ର ଦେଶ ଏବଂ କାଳଠାରୁ ଅଲଗା କରି କେବଳ ଏକ ଏକକ ବୃହତ୍–ତରୁ ରୂପେ ଦେଖିଲେ ମୋଟେ ସମୀକ୍ଷା ହୁଏନାହିଁ । ଆପଣାର ନାନା ପୂର୍ବଗ୍ରହ ଦ୍ୱାରା ପରିଚାଳିତ ହୋଇ କେବଳ ଆଡ଼ମ୍ବରମୟ ନିନ୍ଦା ଅଥବା ଆତ୍ୟୁକ୍ତିମୟ ପ୍ରଶଂସା କରି ପକାଇଲେ ମଧ୍ୟ ସମୀକ୍ଷା ହୁଏନାହିଁ । ଆଲୋଚନା ସାହିତ୍ୟିକକୁ କୌଣସି ଏକ ସ୍ଥାନୀୟ ଅଥବା କାଳାଧନ ବ୍ୟୁହ ଭିତରେ ଆଣି ଖଞ୍ଜିଦେଲେ କିମ୍ବା ତାକୁ ଅମୁକଙ୍କ ଠାରୁ ବଡ଼ କିମ୍ବା ଅମୁକଙ୍କ ଠାରୁ ସାନ ବୋଲି କହିଲେ ସର୍ଜନାତ୍ମକ ସମୀକ୍ଷା ମୋଟେ ହୁଅନାହିଁ । ସେଥିଲାଗି, ଯେଉଁ ମେଦିନୀ–ଧାରଣଟି ମଧ୍ୟରେ ସାହିତ୍ୟକାର ଆପଣାର ସାହିତ୍ୟଦୃଷ୍ଟିକୁ ନେଇ କାରବାର ହେବାକୁ ମନ କରିଛନ୍ତି, ସେଇଟିକୁ ଆବିଷ୍କାର କରିବାକୁ ହୁଏ । ସେଇଟିର ସମଗ୍ର ଯାଥାର୍ଥ୍ୟଟିକୁ ସ୍ଵୟଂ ଅନୁଭବ କରିବାକୁ ହୁଏ । ଆପଣାର ମେଦିନୀଟି ସହିତ ସିଏ କେତେଦୂର ଏକାତ୍ମକ ହୋଇ ପାରିଛନ୍ତି କି ନାହିଁ, ଅର୍ଥାତ୍ ତାହାର ସମସ୍ତ ଆବେଦନଗତ ବିସ୍ତାରିଟି ସହିତ ସିଏ ଆପଣାକୁ ମଧ୍ୟ ଅନୁରୂପକ ଭାବରେ ବିସ୍ତାରିତ କରିଦେଇ ପାରିଛନ୍ତି କି ନାହିଁ, ସେଗୁଡ଼ିକୁ ନିଶ୍‌ଛଳ ଭାବରେ ଅଥଚ ଏକ ପୂର୍ଣ୍ଣ ଶ୍ରଦ୍ଧା ସହକାରେ ସବାଆଗ କଳିନେବାକୁ ହୋଇଥାଏ । ସିଏ ଅଧିକ କହିବେ ବୋଲି ଅର୍ଥାତ୍ ଅଧିକ ସହିତ ଆମର ସ୍ପର୍ଶ କରାଇଦେବେ ବୋଲି ଏକ ପ୍ରତୀତି ଦେଇ ଅଳପ କହି କାମ ସାରି ଦେଇଛନ୍ତି ଅଥବା ନିତାନ୍ତ ଅଳପକୁ ଚେରେଇ, ଫେଣେଇ ଓ ଛେଦରେଇ ଆମକୁ ତାହା ହିଁ ଅଧିକ ବୋଲି ଭୁଞ୍ଜାଇ ଦେବାକୁ ପ୍ରୟାସ କରିଛନ୍ତି କି ନାହିଁ, ଅସଲ ସମୀକ୍ଷାରେ ସବାଆଗ ସେଇଟିକୁ ଠଉରାଇ ପାରିବାକୁ ହୁଏ । ସର୍ଜନାତ୍ମକ ସାହିତ୍ୟ–ସମୀକ୍ଷାକୁ ସୃଷ୍ଟ ସାହିତ୍ୟ ତଥା ସାହିତ୍ୟିକର ଅସଲ ଆକାଙ୍‌କ୍ଷାଗତ ହୃତ୍‌ପରିଧି ଗୁଡ଼ିକୁ ଆବିଷ୍କାର କରିବାକୁ ପଡ଼େ । ସେହିପରି ପରିଧି ଗୁଡ଼ିକର ସେପାଖରେ ଅଥଚ ସେଗୁଡ଼ିକୁ ସ୍ପର୍ଶ କରି ଏକ ବୃହତ୍ତର ଅଭିବ୍ୟଞ୍ଜନାର ଯେଉଁ ସମ୍ଭାବ୍ୟ ଅନ୍ୟ ପରିଧିଗୁଡ଼ିକ ରହିଛି, ସେଗୁଡ଼ିକର ପରିପ୍ରେକ୍ଷୀରେ ହିଁ ତାକୁ ପ୍ରସ୍ତୁତ ସାହିତ୍ୟଟିର ସମୀକ୍ଷା କରିବାକୁ ପଡ଼େ । ଅର୍ଥାତ୍, ଏକ ବୃହତ୍ତର ବୃତ୍ତ–ପରିମଣ୍ଡଳର ପରିପ୍ରେକ୍ଷୀରେ ତାକୁ ପ୍ରସ୍ତୁତ ବୃତ୍ତଟିର ସମୀକ୍ଷା କରିବାକୁ ପଡ଼ିଥାଏ ।

 

ସମ୍ଭବତଃ ଠିକ୍ ଏହିଠାରେ ହିଁ, ସାହିତ୍ୟର ସମୀକ୍ଷା କରୁ କରୁ ସେହି ସାହିତ୍ୟକୁ ରଚନା କରିଥିବା ସାହିତ୍ୟିକଟି ମଧ୍ୟ ସତେଅବା ଆପେ ଟାଣିହୋଇ ଆସି ସମ୍ମୁଖରେ ହାଜର ହୋଇଯାଏ । କବିତା ଭିତରେ ଅବଗାହିବାକୁ ଯାଇ କବି ସହିତ ବି ଭେଟ ହୁଏ । ନାଟକଟିଏ ଦେଖୁ ଦେଖୁ ନିଜେ ନାଟ୍ୟକାର ଆସି ହାବୁଡ଼ରେ ଆସି ପଡ଼ିଯାଆନ୍ତି । ଗଳ୍ପ ଓ ଉପନ୍ୟାସ ମଧ୍ୟରେ ଗଳ୍ପକାର ଏବଂ ଉପନ୍ୟାସକାର ବି ଆସି ସମୀକ୍ଷାର କାଠିଗୁଡ଼ିକ ଭିତରେ ଦିଶିଯିବାକୁ ଆରମ୍ଭ କରନ୍ତି । କୁମ୍ଭକାର ବାହାରୁ ମାଟି ଆଣେ, ମାତ୍ର ସେହି ମାଟିକୁ ଦେଇ ସିଏ ଯାହାକିଛି ଗଢ଼େ, ତାହାଦ୍ଵାରା ସିଏ ଆପଣାକୁ ହିଁ ଅଭିବ୍ୟକ୍ତ କରି ଦେଇଥାଏ । ଶିଳ୍ପୀ ଆପଣାର ଶିଳ୍ପ ମଧ୍ୟରେ ଆପଣାର ଅନନ୍ୟ ହାତଟିକୁ ହିଁ ଅଭିବ୍ୟକ୍ତ କରିଥାଏ । ଏବଂ, ଜଣେ ସାହିତ୍ୟକାର ମଧ୍ୟ ଆପଣାର ଯାବତୀୟ ରଚନା ଭିତରେ ଆପଣାକୁ ହିଁ ବ୍ୟକ୍ତ କରେ । ଆପଣାକୁ ହିଁ ବ୍ୟକ୍ତ ଓ ଉନ୍ମୋଚିତ କରି ଦେଇଥାଏ । ସିଏ ଜନନୀ ହୋଇ ନିଜକୁ ବାରବାର ଜନ୍ମ ଦେବାରେ ଲାଗିଥାଏ, ବେଦର “ନବନବ ଜାୟତେ ଜାୟମାନ” କଥାଟିକୁ ସାର୍ଥକ କରିବାରେ ଲାଗିଥାଏ । କୁମ୍ଭାରର ମାଟି ଦରକାର ହେଉଥିବା ପରି ସାହିତ୍ୟକାରର ମଧ୍ୟ ଭାଷାଟିଏ ଦରକାର ହୁଏ, ଏକ ଐତିହ୍ୟଭୂମି ଦରକାର ହୁଏ । ଶୈଳୀଟିଏ ଖୋଜିବାକୁ ପଡ଼େ ଓ ଆପଣାର ନିଜସ୍ଵ ଭୂମିଟିଏ ପାଇବା ପୂର୍ବରୁ ତାକୁ ଅମାପ ଓ ଅଦମ୍ୟ ଭାବରେ କେତେ ଅଧ୍ୟୟନ ବି କରିବାକୁ ପଡ଼େ, ହୁଏତ ଆପଣାର ଚାରିପାଖକୁ ସହଗାମୀ ଓ ସହଧର୍ମୀମାନଙ୍କ ଠାରୁ କେତେ ନା କେତେ ଅନୁପ୍ରେରଣା ଲାଭ କରିବାକୁ ପଡ଼େ ଏବଂ ବେଳେ ବେଳେ କିଞ୍ଚିତ୍ ଅନୁକୃତିକୁ ମଧ୍ୟ ବାଟ ଛାଡ଼ିଦେବାକୁ ପଡ଼େ; ମାତ୍ର ଏହି ସବୁକିଛିର ପଛରେ ଆପଣାକୁ ଅନନ୍ୟ ଓ ପୂର୍ଣ୍ଣନିବେଦିତ ଭାବରେ ବ୍ୟକ୍ତ କରିବା ହିଁ କ୍ଷେତ୍ରରେ ସର୍ବମୁଖ୍ୟ ଚର୍ଯ୍ୟା ଏବଂ ଚାରଣା ହୋଇ ରହିଥାଏ । ସର୍ଜନାତ୍ମକ ସମୀକ୍ଷା ସେହି ଚର୍ଯ୍ୟାଟିର ହୃଦୟକୁ ଆବିଷ୍କାର କରିବ, ସେହି ଚାରଣାର ସ୍ଵକୀୟ ବାସନାଟିକୁ ହିଁ ବାରିନେଇ ପାରିବାକୁ ସମର୍ଥ ହେବ । ଅନେକ ସମୀକ୍ଷା କେବଳ ଭାଷାରେ ଓ ଶୈଳୀରେ ରହିଯାଏ, ଇତିହାସ ଏବଂ ଉତ୍ସଗୁଡ଼ାକର ଶିରା କାଢ଼ୁ କାଢ଼ୁ ତାହା ବୁଢ଼ା ହୋଇଯାଏ, ପାଚେରୀ ବାହାରେ ରହିଯାଏ, ପାଣ୍ଡିତ୍ୟ ଓ ପଣ୍ଡିତାଇ ଗୁଡ଼ାକର ବାରତା ନେଉ ନେଉ ସାହିତ୍ୟକାରର ଭିତରେ ରହିଥିବା ସ୍ପର୍ଶନ ଓ ଲୋକନର ଅସଲ ହୃଦୟଟିକୁ ପାସୋରି ପକାଏ । ଅସଲ ମୁହଁଟିକୁ ଲୁଚାଇ ରଖିବାକୁ ମନ କରି ଯେପରି ମୁଖା ପିନ୍ଧିବାକୁ ପଡ଼େ, ପ୍ରାୟ ଠିକ୍ ସେହିପରି ଜଣେ ସାହିତ୍ୟିକ ମଧ୍ୟ ଆପଣାର କେତେ କ’ଣ ଲୁଚାଇବାକୁ ମନ କରି ସାହିତ୍ୟର ମୁଖା ପିନ୍ଧି ବସିବାକୁ ମନ କରିପାରେ । ସଂସାରର ଜ୍ଵଳନଗୁଡ଼ିକୁ ଭୁଲିବା ସକାଶେ ଅନେକ ମଣିଷ ଯେପରି ଠାକୁରଙ୍କ ପାଖକୁ ପଳାଇ ଯାଆନ୍ତି ନିଜର ଜୀବନରେ ମୂଳଭୂତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇ ନପାରି ଜଣେ ସାହିତ୍ୟିକ ବି ସେହିପରି ତାର ସାହିତ୍ୟକୁ ଆଶ୍ରା କରି ବେଶ୍ ରହି ଯାଇପାରେ । ବାହାରର ବ୍ୟାଧିଗୁଡ଼ାକୁ ଉଜ୍ଵଳ ଏବଂ ପୁଷ୍ପଳ କରି ଦେଖାଇ ସିଏ ଆପଣା ଭିତରେ ରହିଥିବା ପ୍ରାୟ ଠିକ୍ ସେହି ବ୍ୟାଧିଗୁଡ଼ାକ ଲାଗି ହୁଏତ ଏକ ଆତୁର କ୍ଷତିପୂରଣ ବି ଲୋଡ଼ିବାକୁ ମନ କରିପାରେ । ସର୍ଜନାତ୍ମକ ସାହିତ୍ୟସମୀକ୍ଷା ଏଗୁଡ଼ିକୁ ମଧ୍ୟ ଦେଖିବ । ହୁଏତ ଏହିଗୁଡ଼ିକୁ ଆଗ ଦେଖି ଏହି ନିରୀକ୍ଷାର ଭୂମି ଉପରେ ତାହା ଭାଷା, ଶୈଳୀ, ଚତୁରାଇ ଏବଂ ପଣ୍ଡିତାଇ ଗୁଡ଼ାକର ବିଚାର କରିବ ।

 

ସାହିତ୍ୟର ଅଧିକାଂଶ ସମୀକ୍ଷା ଏହି କଥାଟିକୁ ପ୍ରାୟ ମୋଟେ କରି ପାରିନାହିଁ । ଜୀବନର ଅଧିକାଂଶ ସମୀକ୍ଷା ବି ତାହା କରି ପାରିନାହିଁ । ସାହିତ୍ୟକୁ ଏକ ବିଶେଷ ଧନ୍ଦା ବୋଲି ଧରିନେଇ ତାହା ସାହିତ୍ୟର ବ୍ୟୂହଟିକୁ ଜୀବନଠାରୁ ଦୂରଛଡ଼ା କରି ରଖିଦେଇଛି ଓ ଏକାନ୍ତ ବିଚ୍ଛିନ୍ନ ଭାବରେ ତାହାର ବିଚାର କରିବାକୁ ଯାଇଛି । ଜୀବନର ଆଲୋକନରେ ସାହିତ୍ୟର ଲୋକନ ସହାୟକ ହୋଇ ପାରିନାହିଁ । ସାହିତ୍ୟର ସମୀକ୍ଷା ନାନା କାରଣରୁ ଆପଣାକୁ ଆପଣାର ଯଥାର୍ଥ କ୍ଷେତ୍ରଗୁଡ଼ିକରୁ ଅପସରାଇ ନେଇ ଉଢ଼ୁଆଳରେ ରଖୁଛି । ଆଗେ ସାହିତ୍ୟ ଓ ତାହାର ଯାବତୀୟ ବିଚାର ସଭାଭିତରେ ଉଢ଼ୁଆଳ ହୋଇ ରହିଥିଲା । ଏବଂ, ଆଧୁନିକ ସାମନ୍ତବାଦୀ ସମାଜରେ ସାହିତ୍ୟ ତଥାକଥିତ ଭାଗ୍ୟବାନ୍ ଅବଗାହୀମାନଙ୍କ ଭିତରେ ଉଢ଼ୁଆଳ ହୋଇ ରହିଛି, ନିଜକୁ ବୃହତ୍ତର ଜୀବନର ଅନେକ ଆଲୋକନରୁ ଭାରି ଉଦ୍ଧତ ଭାବରେ ବିଚ୍ୟୁତ କରି ରଖିଛି । ଏହି ଦୃଷ୍ଟିରୁ ବିଚାର କରି କେହି କେହି ସାହିତ୍ୟ–ସମୀକ୍ଷାକୁ ଏକ ବିଳାସମୟ ଅମିତବ୍ୟୟିତା ଓ ଏପରିକି ଏକ ବିଫଳତା ବୋଲି ମଧ୍ୟ କହିଲେଣି । କେବଳ ସାହିତ୍ୟ ନାମକ ଏକ ବିଶେଷ କ୍ଷେତ୍ରରେ ନୁହେଁ, ସମଗ୍ର ଭାବରେ ଯାବତୀୟ ସମୀକ୍ଷାର ଏକ ସାଧାରଣ ଦଶା ବିଷୟରେ ଆଲୋଚନା କରି କାର୍ଲ୍ ମାର୍କ୍‌ସ ଗୋଟିଏ ଜାଗାରେ କହିଛନ୍ତି, “ବେଡ଼ୀ ଆଉ ଜଞ୍ଜିରଗୁଡ଼ାକ ଭିତରୁ ସମୀକ୍ଷା ଯେ କାଳ୍ପନିକ ପୁଷ୍ପଗୁଡ଼ିକର ଚୟନ କରି ଆସିଛି, ମଣିଷ ଯେ ସମ୍ପୂର୍ଣ୍ଣ କଳ୍ପନାରହିତ ଓ ଆଶ୍ଵସ୍ତ ଭାବରେ ସେହି ଜଞ୍ଜିରଗୁଡ଼ାକୁ ଆପଣା–ଉପରେ ବହନ କରି ରହିବ, ସମୀକ୍ଷା ସେହି ଉଦ୍ଦେଶ୍ୟରେ ସେକଥା କରି ନଥିବ । ମଣିଷ ଯେ ଦିନେ ନା ଦିନେ ଆପଣା ଉପରୁ ଯାବତୀୟ ଜଞ୍ଜିର ଓ ବେଡ଼ୀଗୁଡ଼ାକୁ କାଢ଼ି ଫୋପାଡ଼ିଦେବ ଓ ପ୍ରକୃତ ଫୁଲଗୁଡ଼ିକର ଚୟନ କରି ପାରିବ, ସମୀକ୍ଷାର ସମ୍ମୁଖରେ ସବୁବେଳେ ସେହିପରି ଏକ ଉଦ୍ଦେଶ୍ୟ ରହି ପାରୁଥିବା ଉଚିତ ।” (୨) ସର୍ଜନାତ୍ମକ ସମୀକ୍ଷା ସାହିତ୍ୟରୂପୀ କୌଣସି ଏକ ପୁଷ୍ପବାଟିକାର ସ୍ଵପ୍ନ ଦେଖାଇ ଆମ ଜୀବନର ଦୁର୍ଦହ ବେଡ଼ୀଗୁଡ଼ାକୁ କିଛି ସମୟ ଲାଗି କିଞ୍ଚତ୍ ସୁବହ ବୋଲି ଅନୁଭୂତ କରାଇବା ନିମନ୍ତେ ଆଦୌ କୌଣସି ଚେଷ୍ଟା କରିବନାହିଁ । ଏକ ବ୍ୟାଧିତ ସମାଜରେ ଯେଉଁଠି ସାହିତ୍ୟ ମଧ୍ୟ ବ୍ୟାଧିତ ହୋଇ ରହିବାକୁ ହିଁ ସଫଳତାର ଏକ ସହଜ ଚାବି ବୋଲି ଗ୍ରହଣ କରି ନେଉଛି, ସର୍ଜନାତ୍ମକ ସମୀକ୍ଷା ସେହି ସ୍ଥଳରେ ବ୍ୟାଧିଗୁଡ଼ାକୁ କେବଳ ବ୍ୟାଧି ବୋଲି ହିଁ କହିବ, ବ୍ୟାଧିଗୁଡ଼ିକର ସମ୍ମୁଖୀନ ହୋଇ ପାରୁଥବା ଏକ ସ୍ଵାସ୍ଥ୍ୟବାସନାର ଉଦ୍‌ବୋଧନ ଦେବ, ହୃଦୟ ଭିତରେ ସୁସ୍ଥତା ଲାଗି ଏକ ଅଭୀପ୍‌ସା ଜନ୍ମାଇବ, ସେହି ସୁସ୍ଥତାର ଭାଜନ ହେବାଲାଗି ସ୍ଥାୟୀଭାବ ରୂପେ ଆମଭିତରେ ଏକ ସାହସର ସଞ୍ଚାର କରାଇ ପାରୁଥିବ ।

 

ଯଦି ସାହିତ୍ୟ ସଭାରୁ ବାହାରି ସବୁ ମଣିଷ ଏବଂ ସମଗ୍ର ଜୀବନ ଲାଗି ଉଦ୍ଦିଷ୍ଟ ଏକ ବସ୍ତୁସମ୍ପଦ ରୂପେ ସ୍ୱୀକାର ଲାଭ କରେ, ତେବେ ପ୍ରତ୍ୟେକ ସର୍ଜନାତ୍ମକ ସାହିତ୍ୟସମୀକ୍ଷା ମଧ୍ୟ ତଥାକଥିତ ଶୁଦ୍ଧ ସାହିତ୍ୟାଲୋଚନାର ବାଡ଼ଗୁଡ଼ିକୁ ଡେଇଁ ଯିବାଲାଗି ମଧ୍ୟ ସମର୍ଥ ହେବ । ସର୍ଜନାତ୍ମକ ସାହିତ୍ୟ–ସମୀକ୍ଷକ ନିଜର ଦୃଷ୍ଟି ତଥା ବିଚାରକାଠି ଗୁଡ଼ିକୁ ଅଧିକରୁ ଅଧିକ ସମଗ୍ର କରି ପାରିବାଲାଗି ଉଦ୍ୟମୀ ହୋଇ ରହିଥିବା କଳାର ‘କଳା ପାଇଁ କଳା’ ସାହିତ୍ୟର ‘ସାହିତ୍ୟ ଲାଗି ସାହିତ୍ୟ’ ଅର୍ଥାତ୍ ଖାସ୍ ସାହିତ୍ୟ–ରସିକମାନଙ୍କ ସକାଶେ ସାହିତ୍ୟର, ସଜ୍ଞାଟିକୁ ଗଣ୍ଠି କରି ରଖିଲେ ସାହିତ୍ୟସମୀକ୍ଷାର ଜୀବନବାଚୀ ଅଙ୍ଗଟି ପ୍ରକୃତରେ ଭାରି ବିଡ଼ମ୍ବିତ ହୋଇ ରହିଯିବ । ସାହିତ୍ୟ ଭାଷା ଦେଇ ଗଢ଼ା ହୋଇଥାଏ ସତ, ମାତ୍ର ବାହାରେ ରହିଥିବା ଆମ ବୃହତ୍ତର ପୃଥିବୀଟି ସହିତ ସାହିତ୍ୟର ପ୍ରେରଣା ଏବଂ ପ୍ରଭାବର ନାଡ଼ୀଗୁଡ଼ିକ ସର୍ବଦା ଲାଗି କରି ରହିଥାଏ । ତେଣୁ, କେବଳ ଭାଷା ମଧ୍ୟରେ ହିଁ ସୀମିତ ହୋଇ ରହିଥିବା ବ୍ୟୁତ୍ପତ୍ତିଗୁଡ଼ାକ ଦ୍ଵାରା କଦାପି ସାହିତ୍ୟର ଯଥାର୍ଥ ସମୀକ୍ଷା କରାଯାଇ ପାରିବ ନାହିଁ । ସାହିତ୍ୟ ଭିତରେ ଆମେ ଯେଉଁ ଆବେଦନଟିକୁ ସର୍ବମୁଖ୍ୟ କରି ଖୋଜିବାକୁ ମନ କରିବା, ମନୁଷ୍ୟ, ସମାଜ ଓ ପ୍ରକୃତି ସହିତ ରହିଥିବା ତାହାର ସମ୍ପର୍କଗତ ସଙ୍ଗତିଗୁଡ଼ିକୁ ହିଁ ଆମେ ତାହା ମଧ୍ୟରେ ଅବଶ୍ୟ ଖୋଜିବାକୁ ଯିବା । ଜଣେ ଆଧୁନିକ ସମୀକ୍ଷାଶାସ୍ତ୍ରୀ Rene Wellek ଙ୍କ ଭାଷାରେ କହିବାକୁ ଗଲେ, ଏକ କଳାକୃତି ବା ସାହିତ୍ୟକୃତିର ସମଗ୍ର ବିଶ୍ଳେଷଣ ତଥା ମୁଲ୍ୟାୟନ ହିଁ ସମୀକ୍ଷାର ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ କର୍ତ୍ତବ୍ୟ ହୋଇ ରହିବା ଉଚିତ । (୩) କାରଣ, ତାଙ୍କରି କଥାରେ, “ସାହିତ୍ୟ ହେଉଛି ଏକ କଳାସୃଷ୍ଟିର ସାମଗ୍ରୀ, ଏବଂ ଏକ ନିର୍ଦ୍ଦିଷ୍ଟ ଇତିହାସ ଓ ସମାଜ ଭିତରେ ହିଁ ତାହାର ଏକ ଅସ୍ତିତ୍ଵ ରହିଛି ।” ସର୍ଜନାତ୍ମକ ସମୀକ୍ଷା ସାହିତ୍ୟର ଅବଲୋକନ କରିବାକୁ ଯାଇ ତା’ ଭିତରେ ଇତିହାସକୁ ଖୋଜିବ, ସମାଜକୁ ଖୋଜିବ, ଅର୍ଥାତ୍ ଏକ ସୃଜନଶୀଳ ଆଖିରେ ସମଗ୍ର ଜଗତଟିକୁ ଅନୁଭବ କରୁଥିବା ସାହିତ୍ୟକାରର ସେହି ଜଗତ ବା ଜୀବନପ୍ରସାରଟି ସହିତ ପ୍ରକୃତରେ ଯେଉଁ ସମ୍ପର୍କ ରହିଛି, ସିଏ ସେହି କଥାଟିର–ସୂତ୍ର ପାଇବାକୁ ଅଭିଳାଷ ରଖିଥିବ ।

 

ଭାରତୀୟ ଆଞ୍ଚଳିକ ସାହିତ୍ୟ ଗୁଡ଼ିକରେ ଯେମିତି ଏକ ଜାତୀୟତାବାଦୀ ସାହିତ୍ୟଯୁଗ ରହିଛି, ସାହିତ୍ୟ–ସମୀକ୍ଷାର କ୍ଷେତ୍ରରେ ମଧ୍ୟ ହୁଏତ ସେହିପରି ଏକ ଜାତୀୟତାଦୁଷ୍ଟ ସମୀକ୍ଷାର ଯୁଗପର୍ଯ୍ୟାୟ ବି ରହିଛି । ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ ଭାରତୀୟ ସାହିତ୍ୟର ମଧ୍ୟ ଯେ ଏକ ମହନୀୟ ଅବଦାନ ରହିଛି ସେ କଥା ସମସ୍ତେ ଅବଶ୍ୟ ସ୍ଵୀକାର କରିବେ । ଭାରତୀୟ ଆଧୁନିକ ନବଜାଗରଣର ତିନି, ପୁରୋଧା,–ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ ଏବଂ ଶ୍ରୀ ଅରବିନ୍ଦ ସମସ୍ତେ ସାହିତ୍ୟିକ ଥିଲେ । ଭାରତବର୍ଷର ସାହିତ୍ୟ ଲାଗି ତାହା ପ୍ରକୃତରେ ଏକ ବଡ଼ ଗର୍ବର କଥା-। ମାତ୍ର, ସେମାନେ କୌଣସି ସଂକୀର୍ଣ୍ଣ ଅର୍ଥରେ ଆଦୌ ଜାତୀୟତାବାଦୀ ନଥିଲେ । ଆଞ୍ଚଳିକ ସ୍ତରଗୁଡ଼ିକୁ ଆସି ଭାରତରେ ଏହି ସ୍ଵଦେଶପ୍ରୀତି କ୍ରମେ ପ୍ରାୟ ଏକ ଅଞ୍ଚଳମୋହରେ ପରିଣତ ହୋଇଛି ଏବଂ ତାହା ଏକ ବିଶେଷ ପ୍ରକାରର ସାହିତ୍ୟକୁ ମଧ୍ୟ ଜନ୍ମ ଦେଇଛି । ଏକ ଜନସମୂହ ହିସାବରେ ଭାରତବର୍ଷ ଆପଣାର ସ୍ଵକୀୟ ପିଣ୍ଡ ଏବଂ ପଥଟିକୁ ଖୋଜୁଥିବାର ଏହି ପର୍ଯ୍ୟାୟରେ ବର୍ତ୍ତମାନ ମଧ୍ୟ ସେହି ବିକୃତି ଆଞ୍ଚଳିକ ସାହିତ୍ୟମାନଙ୍କୁ ଭାରି ଗ୍ରାସ କରି ରଖିଛି । ତାହାରି ଆନୁଷଙ୍ଗିକ ଭାବରେ ଏକ ଜାତୀୟତାଦୁଷ୍ଟ ସାହିତ୍ୟସମୀକ୍ଷା ମଧ୍ୟ ଉଧେଇବା ସକାଶେ ଭାରି କ୍ଷେତ୍ର ପାଇଛି ଏବଂ ତାହା ଆମ ସାହିତ୍ୟ ଦୃଷ୍ଟିର ଆକାଶଗୁଡ଼ିକୁ ଅତ୍ୟନ୍ତ ଆବିଳ ଏବଂ ଆଚ୍ଛନ୍ନ କରି ପକାଇଛି । ସର୍ଜନାତ୍ମକ ସମୀକ୍ଷା ଏସବୁର ଅନେକ ବାହାରେ । ସର୍ଜନାତ୍ମକ ସାହିତ୍ୟ–ସମୀକ୍ଷାର ଚକ୍ଷୁରେ ଜୀତୀୟତାବାଦୀ ସାହିତ୍ୟ ଆଗ ସାହିତ୍ୟ ଏବଂ ତା'ପରେ ଆଉ ଯାହାକିଛି-। ସିଏ ତାହାକୁ ମୂଳତଃ ସାହିତ୍ୟରୂପେ ହିଁ ବିଚାର କରିବ । ତାହାର ସାହିତ୍ୟ ଭାଗକୁ ତାହାର ଅସୂୟାଭାଗ ଓ ତାହାର ଅଳ୍ପପ୍ରୀତିର ଭାଗଠାରୁ ଅଲଗା କରି ଦେଖିବା ଆଧୁନିକ ସାହିତ୍ୟ ଦୃଷ୍ଟିରୁ ବଳୟଗୁଡ଼ିକ ଜାତୀୟତାବାଦର ପ୍ରମତ୍ତ ଗାରଗୁଡ଼ାକୁ କୋଉଦିନୁଁ ଡେଇଁ ବାହାରି ଆସିଲାଣି-। ସାହିତ୍ୟସମୀକ୍ଷାରେ ଏକ ବୈଜ୍ଞାନିକ ସମଗ୍ରଦୃଷ୍ଟି ଆସି ପଶିବା ଦିନଠାରୁ ସମୀକ୍ଷା ସେହି ମୋହାବରଣ ଗୁଡ଼ିକୁ ପରିହାର କରି ସାରିଲାଣି । ଆମ ତୋଟାରେ ଯେତେ ଆମ୍ବ ଫଳେ, ସେସବୁ କେବଳ ଆମର, ଆମ ଜାତିର, ଆଉ ମୋଟେ କାହାର ନୁହେଁ;–ଉଲ୍ଲସିତ ଅନୁଭବ କରିବାର ଏହି ସ୍ତରଟି ଲାଗି ସର୍ଜନାତ୍ମକ ସମୀକ୍ଷା ଭିତରେ ଏବେ ଆଉ କୌଣସି ସ୍ଥାନ ରହୁନାହିଁ । ସେହି Rene Wellek ଙ୍କର ଭାଷାରେ କହିଲେ, ବିଶ୍ଵସାହିତ୍ୟ ଏବଂ ଜାତୀୟ ସାହିତ୍ୟ ବର୍ତ୍ତମାନ ଆଉ ପରସ୍ପରଠାରୁ ବିଚ୍ଛିନ୍ନ ଭାବରେ ଦୁଇଟା ଅଲଗା ଅଲଗା ବିଚରଣଭୂମି ହୋଇ ମୋଟେ ରହିନାହାନ୍ତି, ସେମାନେ ଉଭୟେ ପରସ୍ପରର ଅନ୍ତର୍ଗତ ହୋଇ ରହିଛନ୍ତି । (୪) ଯଥାର୍ଥରେ ଉଚ୍ଚ ଏବଂ ବୃହତ୍ ସାହିତ୍ୟର ଯେପରି କୌଣସି ଜାତି ନାହିଁ, ଜଣେ ଯଥାର୍ଥ ସାହିତ୍ୟକାର ଯେପରି ଏକ ସ୍ଵତନ୍ତ୍ର ତାରକାରୂପେ ସକଳ ଜାତିତ୍ଵଗତ ପରିଚୟର ବ୍ୟବଧାନ–ରେଖାଗୁଡ଼ିକୁ ଅସ୍ଵୀକାର କରି ଆକାଶବକ୍ଷରେ ସମସ୍ତଙ୍କର ପ୍ରିୟ ବସ୍ତୁଟିଏ ହୋଇ ଜଳିବାରେ ଲାଗିଥାଏ ଓ ଅନେକ ସମୟରେ ଜାତିଗତ ସ୍ଥାନୀୟତାର ଯାବତୀୟ ଆୟତନବଦ୍ଧତା ବିରୁଦ୍ଧରେ ଯେପରି ପ୍ରାୟ ଏକ ପ୍ରତିବାଦ ଘୋଷଣା କରୁଥାଏ, ସର୍ଜନାତ୍ମକ ସାହିତ୍ୟସମୀକ୍ଷାକୁ ମଧ୍ୟ ସେହିପରି ଯାବତୀୟ ପ୍ରକାରର ଜଳାଶୟନ୍ୟାୟରୁ ଆପଣାକୁ ଉତକ୍ରାନ୍ତ କରି ରଖିବାକୁ ପଡ଼େ, ପ୍ରାୟ ଜାଣି ଶୁଣି ଜାତି ଛାଡ଼ିବାକୁ ପଡ଼େ । ସର୍ବନିକେତ ହେବାକୁ ପଡ଼େ । Nihil humani alienum–ଯାହାକିଛି ମଣିଷର ଜୀବନବ୍ୟାପାରକୁ ସ୍ପର୍ଶ କରି ରହିଛି, ତାହା ଯେକୌଣସି ଜନପଦ କିମ୍ବା ଯେକୌଣସି ଜଳବାୟୁର ହୋଇଥାଉ ପଛକେ, ମୁଁ ତାହାକୁ ନିଜଠାରୁ କଦାପି ବିଚ୍ଛିନ୍ନ କରି ରଖିବିନାହିଁ ଓ ଆଦୌ ଅନ୍ୟଦେଶ ପରି ଭାବିବିନାହିଁ,–ସର୍ଜନାତ୍ମକ ସମୀକ୍ଷା ଏଇଟିକୁ ମୂଳ ବିଧାନରୂପେ ମାନୁଥାଏ । ମାନବସମାଜ ତାର ମାନବିକାତାର ସୋପାନରୁ ଜାତୀୟତାର ବାଟ ଦେଇ କ୍ରମେ ଏକ ପଶୁତୁଲ୍ୟ ବର୍ବରତାର ସ୍ତରକୁ ଖସିଆସିଛି ବୋଲି ମାନବ–ଇତିହାସରେ କ୍ରିୟାଶୀଳ ହୋଇ ଆସିଥିବା ସାମୂହିକ ପ୍ରବୃତ୍ତିଗୁଡ଼ିକର ଜଣେ ଇଉରୋପୀୟ ସମୀକ୍ଷକ ମତପ୍ରକାଶ କରିଛନ୍ତି । ସର୍ଜନାତ୍ମକ ସାହିତ୍ୟସମୀକ୍ଷା କୌଣସି କାରଣର ଦ୍ଵାହୀ ଦେଇ ମଧ୍ୟ ଏହି ପ୍ରକ୍ରିୟାଟିରେ ଆପଣାକୁ ଭାଗୀ କରିବାକୁ ଯିବନାହିଁ । ତାହା ଅନ୍ଧାରଗୁଡ଼ିକୁ ଅନ୍ଧାର ବୋଲି ଦର୍ଶାଇଦେବ, ପ୍ରମତ୍ତତାକୁ ପ୍ରମତ୍ତତା ବୋଲି କହିବ, ଜୀବନର ସତ୍ୟାନ୍ଵେଷଣକୁ ସକଳ ପ୍ରକାରେ ମୋହମୁକ୍ତ କରି ରଖିବାଲାଗି ସିଏ ଯେକୌଣସି ବଳବାନ୍ ଆଗରେ ମଧ୍ୟ ତଥାପି ଭୀତ ନହେବାକୁ ମନ୍ତ୍ରରୂପେ ଗ୍ରହଣ କରି ନେଇଥିବ-

 

ଏହି ଶତାବ୍ଦୀର ଦ୍ଵିତୀୟ ଦଶକରେ ଶ୍ରୀ ଅରବିନ୍ଦ ‘ଭବିଷ୍ୟତର କାବ୍ୟ’ ନାମରେ ଏକ ସାହିତ୍ୟ–ସମୀକ୍ଷାର ଗ୍ରନ୍ଥ ଲେଖି ଯାଇଛନ୍ତି । ପାରମ୍ପରିକ ସାଧାରଣ ଅର୍ଥରେ ଶ୍ରୀ ଅରବିନ୍ଦ ଉଭୟ ଥିଲେ; ସିଏ ନିଜେ ସାହିତ୍ୟସ୍ରଷ୍ଟା ଥିଲେ ଓ ଅପର ପକ୍ଷରେ ବିଭିନ୍ନ ସାହିତ୍ୟର ସମୀକ୍ଷା ମଧ୍ୟ କରିଥିଲେ । ସେ ସାହିତ୍ୟକୁ ଏବଂ କାବ୍ୟକୁ ପ୍ରାୟ ଏକ ଉପନିଷଦୀୟ ସ୍ତରକୁ ଉତ୍ତୋଳିତ କରିନେଇ କାବ୍ୟକାରକୁ ଜଣେ ଋଷିବୋଲି ଅଭିହିତ କରିଛନ୍ତି । ସାହିତ୍ୟକାର ଲାଗି ସାହିତ୍ୟ ଏକ ମନ୍ତ୍ର ହୋଇ ପାରିବ ବୋଲି କହିଛନ୍ତି । (୫) କାବ୍ୟକାରିତା ଏବଂ କଳାକୁ ସିଏ ଅମୂର୍ତ୍ତ ଏବଂ ମୂର୍ତ୍ତ ମଧ୍ୟରେ, ଜୀବନର ପରମାର୍ଥ ଏବଂ ଐହିକାର୍ଥ ମଧ୍ୟରେ ସ୍ଵଭାବପ୍ରେରିତ ଏକ ସେତୁ ବୋଲି କଳ୍ପନା କରିଛନ୍ତି । ଭବିଷ୍ୟତର ସାହିତ୍ୟ ପରମାର୍ଥ ଆତ୍ମସତ୍ୟ ଏବଂ ପୃଥିବୀସ୍ଥ ଜୀବନସତ୍ୟ ମଧ୍ୟରେ ଏହିପରି ଏକ ସତତ ସେତୁ ହୋଇ ରହିବ ବୋଲି ସିଏ ଇଙ୍ଗିତ ମଧ୍ୟ ଦେଇଛନ୍ତି । ଏହି ସନ୍ଦର୍ଭରେ ଶ୍ରୀ ଅରବିନ୍ଦ ଆଧୁନିକ ସାହିତ୍ୟର ପ୍ରସାରଭୂମି ଗୁଡ଼ିକ ଆଡ଼କୁ ଆମର ଦୃଷ୍ଟି ଆକର୍ଷିତ କରିଛନ୍ତି । ଆଧୁନିକ ମନୁଷ୍ୟର ଜୀବନଭୂମି ତଥା ସାହିତ୍ୟ ମଧ୍ୟରେ ସେ ଏକ ବୃହତ୍ତର ଜାଗରୁକତା, ମନୁଷ୍ୟ ଓ ତା’ର ପୃଥିବୀ ସମ୍ବନ୍ଧରେ ଆବରଣହୀନ ଓ ଛଳନାରହିତ ଏକ ବାସ୍ତବବାଦୀ ଦୃଷ୍ଟିକୋଣ, ଆପଣାର ବ୍ୟକ୍ତିସତ୍ତା ବା ବ୍ୟକ୍ତିଆତ୍ମା ବିଷୟରେ ଏକ ନିବିଡ଼ ସଚେତନତା ଲାଭ କରିବାର ଆକାଂକ୍ଷା, ଏକ ଦର୍ଶନକ୍ଷମ ଏବଂ ସକ୍ରିୟ ଭବିଷ୍ୟମୁଖିତା ଏବଂ ମନୁଷ୍ୟ ଭିତରେ ଈଶ୍ଵରସତ୍ତାର ଅବସ୍ଥିତିକୁ ଅନୁଭବ କରିବାଲାଗି ପ୍ରତ୍ୟକ୍ଷୀଭୂତ ଓ ଭୟମୁକ୍ତ ଆଗ୍ରହର ଉଲ୍ଲେଖ କରିଛନ୍ତି । ଏକ ସୌଷମ୍ୟଯୁକ୍ତ ଏବଂ ସମାଲୋକିତ ଜୀବନସମଗ୍ରତା ହିଁ ଭବିଷ୍ୟତ କାବ୍ୟର ବିଚରଣଭୂମି ହୋଇ ରହିବ ବୋଲି କହି ଶ୍ରୀ ଅରବିନ୍ଦ ଆମକୁ ପ୍ରାୟ ଏକ ଆହ୍ଵାନର ସମୁଖୀନ କରାଇ ଦେବାକୁ ଇଚ୍ଛା କରିଛନ୍ତି । ଏହି ଗ୍ରନ୍ଥଟିର ପ୍ରାୟ ଶେଷଭାଗରେ ସେ ଆମକୁ ଉଦ୍‌ବୋଧିତ କରାଇଛନ୍ତି ଯେ, କାବ୍ୟରେ ଏକ ବୃହତ୍ତର ସ୍ତରର ଓ ଅନନ୍ୟ ସୃଜନର ଯୋଗ୍ୟ ହେବାକୁ ହେଲେ ଆମ ନିଜକୁ ହିଁ ବଦଳିବାକୁ ପଡ଼ିବ, ଅର୍ଥାତ୍ ଆମ ଚେତନାର ସ୍ଥିତିଟିକୁ ଉତ୍‌କ୍ରାନ୍ତ କରିନେବାକୁ ପଡ଼ିବ । (ତତ୍ରୈବ, ପୃଷ୍ଠା–୩୪୮) ଯାବତୀୟ ସର୍ଜନାତ୍ମକ ସମୀକ୍ଷା ଏହି ଭକ୍ତିଗୁଡ଼ିକୁ ଅବଶ୍ୟ ସ୍ମରଣ ରଖିବ ।

 

ଇଂରାଜୀ ସାହିତ୍ୟର ସୁପ୍ରସିଦ୍ଧ ଫରାସୀ ସମୀକ୍ଷକ ଶ୍ରୀଯୁକ୍ତ କାଜାମିଆଁ ଜଣେ ସାହିତ୍ୟ–ସମୀକ୍ଷକ ଯଥାର୍ଥରେ ବହୁପ୍ରସାରିତ ମନୀଷାର ଅଧିକାରୀ (a myriad–minded man) ହୋଇଥିବା ଉଚିତ ବୋଲି ମତ ଦେଇଛନ୍ତି । ଜଣେ ଯଥାର୍ଥ ସମୀକ୍ଷକକୁ ସିଏ ଜଣେ ଯଥାର୍ଥ ସ୍ରଷ୍ଟା ବୋଲି ମଧ୍ୟ କହିଛନ୍ତି । ପ୍ରକୃତ କଥା ହେଉଛି, ଜଣେ ଅସଲ ସାହିତ୍ୟକାର ଓ ଜଣେ ଅସଲ ସମୀକ୍ଷାକାରୀ ଭିତରେ କାବ୍ୟପୁରୁଷ ଏବଂ ସମୀକ୍ଷାପୁରୁଷ ଏକତ୍ର ଗଅଁଠା ଗଅଁଠି ହୋଇ ରହିଥାନ୍ତି-। ହୁଏତ ସେଇଥି ଲାଗି ପ୍ରାୟ ଏକ ସୂତ୍ରନିପାତ କଲାପରି ଶ୍ରୀଯୁକ୍ତ ନଳିନୀକାନ୍ତ ଗୁପ୍ତ ମନ୍ତବ୍ୟ କରିଛନ୍ତି ଯେ (୬); ଜଣେ ସ୍ରଷ୍ଟାର କିଛି ପରିମାଣରେ ଜଣେ ସମାଲୋଚକ ହେବା ଦରକାର ଏବଂ ଜଣେ ସମାଲୋଚକର ମଧ୍ୟ ସ୍ରଷ୍ଟା ହୋଇ ପାରିବା ଦରକାର । ସୃଜନ ଏବଂ ସମୀକ୍ଷା ମଧ୍ୟରେ ଚଳନ୍ତି ଦ୍ଵନ୍ଦ୍ଵଟିର ଏକ ସମାଧାନ କରି ଆମେ ସମ୍ଭବତଃ ଏଭଳି ମଧ୍ୟ କହିପାରିବା ଯେ, ଆପଣ ଚେତନାର ତଥା ସମୀକ୍ଷାବୋଧର ଉତ୍ତୋଳନକ୍ରମରେ ଆମେ ହୁଏତ ଏପରି ଗୋଟିଏ ସୋପାନରେ ଯାଇ ପହଞ୍ଚି ପାରିବା, ଯେଉଁଠାରେ କି ସୃଜନ ଓ ସମୀକ୍ଷା ମଧ୍ୟରେ ଧର୍ମତଃ ଆଉ କୌଣସି ପାର୍ଥକ୍ୟ ରହେନାହିଁ; ସେତେବେଳେ ଚକ୍ଷୁ ଏହି ଦୁଇଟିଯାକ କାର୍ଯ୍ୟକୁ ଏକାବେଳେକେ ସମ୍ପାଦିତ କରିପାରେ । ସାହିତ୍ୟ ସୃଷ୍ଟି କରୁଥିବା ବେଳେ ସିଏ ଆପଣାର ଉପଲବ୍ଧ ଉପାଦାନଭୂମିଟିକୁ ଜଣେ ସମୀକ୍ଷକ ଭଳି ଦେଖବାକୁ ସମର୍ଥ ହୁଏ ଏବଂ ସାହିତ୍ୟର ସମୀକ୍ଷା କଲାବେଳେ ସେ ଆପଣା ଭିତରେ ରହିଥିବା ସୃଜନାକାଙ୍‌କ୍ଷୀ ବିବେକଟି ସହିତ ସମୀକ୍ଷାର ବସ୍ତୁସାମଗ୍ରୀଟିକୁ ମଧ୍ୟ ସଂଯୁକ୍ତ କରି ରଖିବାକୁ ସମର୍ଥ ହୁଏ । ଏହି ସଂଯୁକ୍ତ ହେବାର ଯୋଗ୍ୟତାଟିକୁ ଅର୍ଜନ କରି ଆମେ ନିଜକୁ ସୃଜନ ଏବଂ ସମୀକ୍ଷା ଦୁଇ ଆଡ଼କୁ ପ୍ରସାରିତ କରି ଦେବାଲାଗି ସମର୍ଥ ହୋଇଥାଉ । ସେତେବେଳେ ଯାବତୀୟ ସୃଜନ ଜୀବନ–ସମୀକ୍ଷାର ନାନା ଅନାବିଷ୍କୃତ ନୂତନ ଦିଗ ଆଡ଼କୁ ଆମର ସଂବେଦନାଗୁଡ଼ିକୁ ଉଦ୍‌ଘାଟିତ କରି ଦେଇଯାଏ ଏବଂ ଆମର ଯାବତୀୟ ସମୀକ୍ଷା ମଧ୍ୟ ସୃଜନାତ୍ମକ ହୁଏ । ସେତେବେଳେ ସାହିତ୍ୟରେ ମଧ୍ୟ ସୃଜନ ଭଲ ଲାଗେ, ସମୀକ୍ଷା ବି ଭଲ ଲାଗେ ।

 

ସାହିତ୍ୟ କୁଆଡ଼େ ଆମକୁ ଶାନ୍ତି ଆଣିଦିଏ, ଜୀବନର ତପ୍ତ ନିଦାଘରେ ସନ୍ତପ୍ତ ହେଉଥିବା ମଣିଷକୁ ସୁଶୀତଳ ଛାୟା ପ୍ରଦାନ କରେ । ସ୍ଵୟଂ ଓଡ଼ିଶାର ଫକୀରମୋହନ ମଧ୍ୟ କବିକୁ ଅଶାନ୍ତ ଜଗତରେ ଶାନ୍ତିଦାତା ବୋଲି ସମ୍ବୋଧନ କରିଛନ୍ତି । ଗୋଟାଏ ପ୍ରକାରର ସାହିତ୍ୟ ହୁଏତ ଏବେ ମଧ୍ୟ ମୁଖ୍ୟତଃ ଶାନ୍ତି ଦେବାଲାଗି ହିଁ ଆପଣାକୁ ଉଦ୍ଦିଷ୍ଟ କରି ରଖୁଛି ଓ ଶାନ୍ତିକାମୀ କ୍ଲାନ୍ତ ସାମନ୍ତମାନଙ୍କ ଦ୍ଵାରା ପୁରସ୍କୃତ ହେବାରେ ଲାଗିଛି । ଅନ୍ତର୍ଜୀବନର ମନ ଭିତରେ କୌଣସି ସ୍ଥାନରେ ଏକ ମୂଳଭୂତ ନାସ୍ତିକତା ପ୍ରକୁପିତ ହୋଇ ରହିଥିଲେ ମଣିଷ ତା’ ଜୀବନରେ ସବାଆଗ ଶାନ୍ତି ପାଇବାକୁ ମନ କରେ, ସଂସାରକୁ ନସ୍ଵର ମଣି ତା’ଭିତରୁ ପଳାଇ ଯିବାକୁ ଚାହୁଥାଏ । ସିଏ ଦ୍ଵନ୍ଦ୍ଵମୁକ୍ତ ହେବାକୁ ଇଚ୍ଛା କରି ଶୋଇ ପଡ଼ିବାକୁ ହିଁ ଶାନ୍ତିଲାଭର ପରମପଥ ବୋଲି ଆଦରି ନିଏ । ସିଏ ଥିର ହୋଇ ରହେ, ଖୁସୀ ହୋଇ ରହେ । ଏଠି, ଅର୍ଥାତ୍ ଆପଣାର ଭିତରେ ତଥା ବାହାରେ ଏହି ବୃହତ୍ତର ସଂସାରରେ ତାକୁ କିଛି ହେଲେ ଅସହ୍ୟ ମନେ ହୁଏନାହିଁ । କୌଣସି ପ୍ରକାର ବୀଭତ୍ସତାରେ ବି ସିଏ କୌଣସି ବିଦ୍ରୋହ କରେନାହିଁ,–ତେଣୁ ଆଦୌ କୌଣସି ବାଟ ଚାଲେନାହିଁ । ଏହିପରି ଥିର ହୋଇ ରହିବାଲାଗି ଅନେକ ମଣିଷ ସାହିତ୍ୟକୁ ପ୍ରାୟ ଗୋଟାଏ ପ୍ରକାରର ନିଦଔଷଧ ବା ଜ୍ଵାଳାନାଶକ ରୂପେ ବ୍ୟବହାର କରିଥାନ୍ତି; ସେମାନେ ସେଇଥିପାଇଁ ସାହିତ୍ୟ ଲେଖନ୍ତି, ସେଇଥିପାଇଁ ବି ସାହିତ୍ୟ ପଢ଼ନ୍ତି । ସେହି ସାହିତ୍ୟର ସାମାଜିକ ତଥା ଦାର୍ଶନିକ ଆକାଶଗୁଡ଼ାକ ଉପରେ ଉପେକ୍ଷା ଏବଂ ବୈରାଗ୍ୟମାନେ ରାଜା ହୋଇ ବସିଥାନ୍ତି । ଖୁସୀ କରି ରଖିଥାନ୍ତି । ସେତେବେଳେ ସମାଜରେ ଯେଉଁମାନେ ସାହିତ୍ୟ ଭୁଞ୍ଜି ପ୍ରସନ୍ନ ହୋଇ ରହିଥାନ୍ତି, ଫରାସୀ ସାହିତ୍ୟାଲୋଚନାରେ ସେମାନଙ୍କୁ bien pensants ବା ଅନୁକୂଳତାପ୍ରେମୀ ବୋଲି କୁହାଯାଇଛି । ସେମାନେ ଆଦୌ କୌଣସି ପ୍ରଶ୍ନ ପଚାରନ୍ତି ନାହିଁ; ଯାହା ଯେପରି ଅଛି, ତାହାକୁ ସେହିପରି ଭାବରେ ମାନି ନିଅନ୍ତି, ତାହାରି ଭିତରେ ସୁକୁଶଳ ଭାବରେ ଖାପ ଖାଇ ରହିଯାଆନ୍ତି ଓ ତାହାକୁ ହିଁ ଚତୁରତା ବୋଲି କହନ୍ତି ଓ ତେଣୁ ରକ୍ଷଣଶୀଳତାକୁ ହିଁ ନିରାପତ୍ତାର ଅମୋଘ ଭେଷଜ ବୋଲି ମାନି ନେଇଥାନ୍ତି । ସେମାନେ ଭାରି ଆତ୍ମସନ୍ତୁଷ୍ଟ ହୋଇ ରହିଥାନ୍ତି, ରକ୍ଷଣଶୀଳତା ଓ ହୃହୟହୀନତାର ଯନ୍ତ୍ରଗୁଡ଼ାକୁ ପରମ ନିଷ୍ଠାର ସହିତ ଚଳାଇ ଥାଆନ୍ତି । ବାଇବେଲ୍‌ରେ ଯେଉଁମାନଙ୍କ Pharisees (ପାଖଣ୍ଡୀ) ବୋଲି କୁହାଯାଇଛି, ଅତ୍ୟନ୍ତ ଦମ୍ଭ ସହକାରେ ସେହିପରି ଏକ ଜୀବନଯାପନ କରୁଥାନ୍ତି ।

 

ଯଥାର୍ଥ ସମୀକ୍ଷା ଆଦୌ ଶୀତଳ କରି ରଖି ପାରେନାହିଁ । ଶୀତଳ ହୋଇ ରହିଥିବା ହୃଦୟଗୁଡ଼ାକୁ ତାହା ଦଂଶନ ଦ୍ଵାରା ସଚେତନ କରିବାକୁ ଚେଷ୍ଟା କରେ । ଯେଉଁଠାରେ ଉପଭୋଗ ଏବଂ ରସାସ୍ୱାଦକୁ ହିଁ ସାହିତ୍ୟର ଉଷ୍ଣୀଷକମଳ ବୋଲି ମାନି ନିଆ ଯାଇଥାଏ, ସେଠାରେ ସେହି କାରଣରୁ ହିଁ ସମୀକ୍ଷାର ଆଦୌ କୌଣସି ପ୍ରୟୋଜନ ରହିଛି ବୋଲି ମୋଟେ, ଅନୁଭବ କରାଯାଏ ନାହିଁ । ପ୍ରାଚୀନ ସାହିତ୍ୟ ମୁଖ୍ୟତଃ ଏକ ସଂକୀର୍ଣ୍ଣ ଉପଭୋଗଧର୍ମୀ ବା ସ୍ତୁତିଧର୍ମୀ ସାହିତ୍ୟ ହୋଇ ରହିଥିଲା । ତେଣୁ, ସେଥିରେ ସମୀକ୍ଷାର ଆଦୌ କୌଣସି ଆବଶ୍ୟକତା ନଥିଲା । ସୁଧୀ ଓ ସୁଜ୍ଞମାନଙ୍କର ସଭାରେ ହିଁ ମଣ୍ଡା ତିଆରି ହେଉଥିଲା, ମଣ୍ଡା ଭୁଞ୍ଜା ଯାଉଥିଲା; ସେହି ଦରକାରୀ ପ୍ରୀତ୍ୟବସର ଗୁଡ଼ିକରେ ଅଧିକାଂଶ ସ୍ଥଳରେ ରାଜାମାନେ ହିଁ “ଏକଃ ଚନ୍ଦ୍ରଃ ତମୋହନ୍ତି” ହୋଇ ରହିଥିଲେ । ସାହିତ୍ୟ ଭିତରେ ଆଧୁନିକ ଆଖିର ଜିଜ୍ଞାସାଟି ପ୍ରବେଶ କଲା ପରେ ଯାଇ ସର୍ଜନାତ୍ମକ ସମୀକ୍ଷାର ଏକ ଅବସର ସୃଷ୍ଟି ହୋଇ ପାରିଲା । ସର୍ଜନାତ୍ମକ ସମୀକ୍ଷାରୁ ସର୍ବଦା ଏକ Commitment ବା ଅଙ୍ଗୀକାର ରହିଥାଏ । ଯେଉଁ ସାହିତ୍ୟର କୌଣସି ଅଙ୍ଗୀକାର ନଥାଏ ଓ ସେଠି ଯେତେବେଳେ ସାହିତ୍ୟିକମାନେ କର୍ତ୍ତୃତ୍ଵ ଏବଂ କ୍ରୂରତାଗୁଡ଼ାକ ପାଖରେ ବାୟସ୍ୟ ବେଶରେ ଭୃତ୍ୟପଣ କରୁଥାନ୍ତି, ସେତେବେଳେ ସର୍ଜନାତ୍ମକ ସମୀକ୍ଷା ସେହି ଭୃତ୍ୟପଣକୁ ତାହାର ସକଳ ଉତଫୁଲ୍ଲତାମୟ ସୁଆଙ୍ଗ ସତ୍ତ୍ୱେ ତଥାପି ଭୃତ୍ୟପଣ ଓ ସୁଆଙ୍ଗ ବୋଲି ଘୋଷଣା କରେ । ଭୃତ୍ୟଗିରି କରୁଥିବା ସାହିତ୍ୟଲେଖକକୁ ସିଏ ଜଣେ ସାହସୀ ମଣିଷ ହେବାର ଉଦ୍‌ବୋଧନ ଦିଏ, ଜୀବନର ଉଦ୍‌ବୋଧନ ଦିଏ, ପାଶମୋଚନର ପ୍ରେରଣା ଦିଏ । ଯୁକ୍ତରାଜ୍ୟ ଆମେରିକାର ସଭାପତି ଜନ୍ କେନେଡ଼ି ଥରେ ଏକ ବକ୍ତୃତାରେ କହିଥିଲେ ଯେ, ଯେତେବେଳେ କ୍ଷମତା ଓ କର୍ତ୍ତୃତ୍ଵ ମଣିଷକୁ ଉଦ୍ଧତ କରି ପକାଏ, ସେତେବେଳେ କବି ଓ ସାହିତ୍ୟ ତା’ର ସୀମାଗୁଡ଼ିକ ବିଷୟରେ ସଚେତନ କରାଇ ଦେବାକୁ ଆଗଭର ହୋଇ ବାହାରିଆସେ । ଯେତେବେଳେ କର୍ତ୍ତୃତ୍ଵ ଓ କ୍ଷମତା ମଣିଷଜୀବନର ବିଚରଣକ୍ଷେତ୍ରଟିକୁ ଅଧିକରୁ ଅଧିକ ସଂକୀର୍ଣ୍ଣ କରି ଆଣିବାଲାଗି ଦୈରାତ୍ମ୍ୟ କରି ବାହାରେ, ସେତେବେଳେ କାବ୍ୟସାହିତ୍ୟ ପରିଚ୍ଛନ୍ନତା ଓ ପ୍ରଶସ୍ତାତାର ଉଦ୍‌ବୋଧନ ଦିଏ । ସର୍ଜନାତ୍ମକ ସାହିତ୍ୟସମୀକ୍ଷା ସାହିତ୍ୟକୁ ତାହାର ସେହି ଦାୟିତ୍ଵଟି ବିଷୟରେ ସଚେତନ କରାଇ ଦେଇଥାଏ । ଗୋଟାଏ ପାଖରେ ବନ୍ଧୁକ, ତାହା ହେଉଛି କ୍ଷମତାର ପ୍ରତୀକ; ଆଉ ଗୋଟାଏ ପାଖରେ କଲମ, ତାହା ସାହିତ୍ୟର ସନ୍ତକ । ଋଷିଆର କବି ମାୟାକୋଭସ୍କି ସାହିତ୍ୟର ସନ୍ତକ କଲମ ବନ୍ଧୁକର ସମକକ୍ଷ ହୋଇ ତିଆରି ହେଉ ବୋଲି ଇଚ୍ଛା କରୁଥିଲେ । ଆପଣାର ଏକ କବିତାରେ ରବୀନ୍ଦ୍ରନାଥ ମେସିନ୍‌ଗନ୍ ସମ୍ମୁଖରେ ଯୁଈଫୁଲର ଗୀତ ଗାଇବାକୁ ହିଁ କବି ଓ ସାହିତ୍ୟକର ଯଥାର୍ଥ ସ୍ଵର୍ଦ୍ଧା ବୋଲି ଘୋଷଣା କରିଥିଲେ । ଯେଉଁ ଯୁଗରେ ଯୂଈଫୁଲମାନେ ବନ୍ଧୁକମାନଙ୍କ ପାଖରେ ପୋଷ ମାନିଯିବାକୁ ହିଁ ଇହଧର୍ମ ସଦୃଶ ସ୍ଵୀକାର କରି ନେଉଛନ୍ତି, ସେହି ଯୁଗରେ ସର୍ଜନାତ୍ମକ ସାହିତ୍ୟ–ସମୀକ୍ଷାର ନିଶ୍ଚିତ ଭାବରେ ଅଧିକ ମହତ୍ତ୍ୱ ରହିଛି, ଅଧିକ ପ୍ରୟୋଜନ ରହିଛି । ଏହି ସମୀକ୍ଷା କେବେହେଲେ ବନ୍ଧୁକର ପଟ ନେବନାହିଁ । ଆଗାମୀ ସକାଳଟିଏ ଯେ ପ୍ରକୃତରେ ଆସୁଛି, ସିଏ ସେହି ବିଶ୍ଵାସଟିର ପଟ ନେବ । ସେହି ସକାଳଟିର ପ୍ରସ୍ତୁତି ନିମନ୍ତେ ଯେଉଁ ନୂତନ ସାହିତ୍ୟର ଆବଶ୍ୟକତା ରହିଛି, ସର୍ଜନାତ୍ମକ ସାହିତ୍ୟ–ସମୀକ୍ଷା ତାହାରି ସକାଶେ ବାଟ କାଢ଼ିନେବ ।

 

ସାହିତ୍ୟ ସମୀକ୍ଷାରେ ଅଙ୍ଗୀକାରର ଆଲୋଚନା କରିବା ସମୟରେ, ସବାଆଗ ଜାଁ ପଲ୍ ସାର୍ତ୍ର ମନେ ପଡ଼ିଯାଆନ୍ତି । ସାର୍ତ୍ର Commitment କୁ Awareness ବୋଲି କହୁଥିଲେ । ସାହିତ୍ୟ ଓ ତା’ର ସମୀକ୍ଷା ଭଭୟଟିର ପଛରେ ରହିଥିବା ଏହି ସଚେତନତା ବା ସଜ୍ଞାନତାର ସ୍ତରଗତ ଅର୍ଥାତ୍ ଗୁଣାତ୍ମକ ମୂଲ୍ୟାୟନ ଦ୍ଵାରା ହିଁ ଆମେ ସେଗୁଡ଼ିକର ଯଥାର୍ଥ ମୂଲ୍ୟବିଚାର କରି ପାରିବା । ଯଜ୍ଞାନୁଷ୍ଠାନରେ ବସିବା ପୂର୍ବରୁ ପ୍ରାଚୀନ ଋଷିମାନେ ସବାଆଗ ‘କସ୍ମୈ ଦେବାୟ’ ପ୍ରଶ୍ନଟିର ସମାଧାନ କରୁଥିଲେ । ସାହିତ୍ୟରେ ଅର୍ଥାତ୍ ସାହିତ୍ୟକାରର ଆପଣା ଜୀବନରେ ମଧ୍ୟ ସେହି ପ୍ରଶ୍ନଟି ପଚରାଯାଇ ପାରିବା ଉଚିତ ଓ ତାହାର ଏକ ସମାଧାନ ବି ମିଳିପାରିବା ଉଚିତ । ଆମେ ଆମର ସମୀକ୍ଷା ଓ ସାହିତ୍ୟ ଉଭୟ କ୍ଷେତ୍ରରେ ଯଦି ପ୍ରକୃତରେ ସର୍ଜନାତ୍ମକ ହେବାକୁ ଇଚ୍ଛା କରୁଥିବା, ଅର୍ଥାତ୍ ଯଦି ଆମେ ଜୀବନକୁ ଏକ ଆହ୍ଵାନ ଓ ଏକ ମାର୍ଗ ବୋଲି ଗ୍ରହଣ କରୁଥିବା, ଏକ ଯଥାର୍ଥତର ଭବିଷ୍ୟର ନିର୍ମାଣ ଲାଗି ଯଦି ଆମେ ନିଜକୁ ଏକ ନିମିତ୍ତରୁପେ ଅନୁଭବ କରି ପାରୁଥିବା ଏବଂ ଏକ ନିମିତ୍ତ ହୋଇ ପାରିବା ଲାଗି ଲୋଡ଼ା ହେଉଥିବା ସାହସ ଏବଂ ସମ୍ମତିର ବି ଭାଜନ ହୋଇ ପାରୁଥିବା, ତେବେ ଆମେ ଆପଣା ଭିତରର ବନ୍ଧୁଟି ପାଖରେ ସେହି ପ୍ରଶ୍ନଟିକୁ ଅବଶ୍ୟ ପଚାରିବା ଓ ତାହାର ଏକ ସମାଧାନ ପାଇବାକୁ ମଧ୍ୟ ଚେଷ୍ଟା କରିବା । ଏବଂ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ତା’ପରେ ଆମେ ଲେଖୁଥିବା ସାହିତ୍ୟ ମଧ୍ୟ ବଦଳିଯିବ, ଆମର ଯାବତୀୟ ସମୀକ୍ଷାର ପରିଧି ଓ ପରିପ୍ରେକ୍ଷୀ ଗୁଡ଼ିକ ବି ବଦଳିଯିବ । ଆମର ସାହିତ୍ୟ ଓ ସମୀକ୍ଷା ଆମର ଏକ ସାଧନାରେ ପରିଣତ ହେବ ଏବଂ ଆମକୁ ଆହୁରି ଅନେକ ଅତିକ୍ରମଣ ଲାଗି ଯୋଗ୍ୟ, ଓ ପ୍ରସ୍ତୁତ କରାଇ ଆଣିବ ।

 

ଆମର ଏହି ବର୍ତ୍ତମାନର ପୃଥିବୀ ଯେଉଁଭଳି ଏକ ପରିସ୍ଥିତିର ମଧ୍ୟଦେଇ ଗତି କରୁଛି, ସେଥିରେ ସାହିତ୍ୟିକ ଆପଣାକୁ ଅଙ୍ଗୀକୃତ କରାଇ ରଖିବାଲାଗି ସତକୁ ସତ ଏକ ନିଷ୍ପତ୍ତି ଗ୍ରହଣ କରିବା ମାତ୍ରକେ ସିଏ ବସ୍ତୁତଃ ଏକ ସଂଗ୍ରାମରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ପରି ଅନୁଭବ କରିବ । ଏହି ସଂଗ୍ରାମ ହେଉଛି, ଯାହା ଯେଉଁଭଳି ଯେତିକି ରହିଛି, ସେହି ସ୍ଥିତାବସ୍ଥାକୁ ହିଁ ଏକମାତ୍ର ଯଥାର୍ଥ ଅବସ୍ଥା ବୋଲି ମାନି ନେଇଥିବା ଏକ ଆଳସ୍ୟବାଦୀ ଆଦର୍ଶ ବିରୁଦ୍ଧରେ ସଂଗ୍ରାମ । ବର୍ତ୍ତମାନର ସ୍ଥିତାବସ୍ଥା ହେଉଛି ମୁଖ୍ୟତଃ ଏକ ଦୁରବସ୍ଥା, ଏକ ହୀନ ଅବସ୍ଥା । ଏଥିରେ ମଣିଷଲାଗି କୌଣସି ସ୍ଥାନ ନାହିଁ, ଜୀବନ ମୁକୁଳିତ ହୋଇ ଉଠିବାଲାଗି ଏଥିରେ ଯଥାର୍ଥ, ଆଲୋକ ଏବଂ ଯଥାର୍ଥ ପବନର ଅଭାବ ରହିଛି । ମଣିଷ ଭିତରେ ରହିଥିବା କବିକୁ, ଶିଶୁକୁ, ପ୍ରେମିକକୁ, ବୀରକୁ ଏବଂ କ୍ରାନ୍ତଦର୍ଶୀକୁ ତାହା ନାନାବିଧ ଅବମାନନା ତଥା ଅନ୍ୟଉତ୍ତପ୍ତତା ଭିତରେ ବନ୍ଦୀ କରି ରଖିଛି, ଅଣନିଶ୍ୱାସୀ କରି ରଖିଛି । ଜୀବନର ଏହି ସଂସାରରୂପୀ ବଗିଚାଟିରେ ଆଜି ମଣିଷପାଇଁ କେହି ଗୋଟିଏ ହେଲେ ମାଳି ନାହାନ୍ତି । ସମସ୍ତେ ମଣିଷକୁ ପଣ୍ୟରୂପେ ବ୍ୟବହାର କରିବେ ବୋଲି ଧନୁଶର ଧରି ବାହାରିଛନ୍ତି । ଏହି ସଂସାରର ସର୍ବୋଚ୍ଚ କର୍ତ୍ତାମାନେ ସଂସାରର ଜ୍ଞାନ ଓ ବିଜ୍ଞାନକୁ ସର୍ବତ୍ର ନାନା ସଂହାରଧର୍ମୀ ଅକାର୍ଯ୍ୟରେ ଲଗାଇବାରେ ଲାଗିଛନ୍ତି । ‘୧୯୮୪’ ଉପନ୍ୟାସର ଲେଖକ ଜର୍ଜ୍ ଅର୍‌ୱେଲ୍ ପୃଥିବୀ ଉପରେ ଯେଉଁ ଜୀବନହିଂସୁକ ଜଘନ୍ୟତା ପରାକ୍ରମ ବିସ୍ତାର କରି ସବାର ହୋଇ ରହିବ ବୋଲି ଆମଆଗରେ ସେହି–ଶଙ୍କାପୂର୍ଣ୍ଣ ଚିତ୍ରଟିର ଅବତାରଣା କରିବାକୁ ଚେଷ୍ଟା କରିଥିଲେ, ସେହି ଚିତ୍ରଟି ଆଜି ପୃଥିବୀର ସବୁଯାକ ମହାଦେଶରେ ଗୋଟିଏ ଗୋଟିଏ ଫଳନ୍ତି : ଗଛରେ ପରିଣତ ହେବାକୁ ବସିଲାଣି । ସେହି ଚିତ୍ରଟିର ସାମନାରେ ଆଜି ସମସ୍ତେ ହଟି ଯାଉଥିବା ପରି ଲାଗୁଛନ୍ତି । ପୃଥିବୀଯାକର ପଣ୍ଡିତମାନେ ସେହି କର୍ତ୍ତାମାନଙ୍କର ଘୋଡ଼ାଶାଳରେ ଯାଇ ପୋଷା ହୋଇ ରହିବାକୁ ମନ କଲେଣି । ଧର୍ମମାନେ ଭାଟ ହେବାର ବାଟ ଧରିଲେଣି । ମାତ୍ର, ସାହିତ୍ୟ ମନ କଲେ ଏହି ସ୍ଥିତିଟିର ନିଶ୍ଚୟ ମୁକାବିଲା କରିପାରିବ । ଏହି ସାହିତ୍ୟ ହିଁ ଆଜି ମଣିଷ ଭୋଗ, କରୁଥିବା ଯନ୍ତ୍ରଣାଗୁଡ଼ାକୁ ଜାଗରୂକ କରି ରଖିପାରିବ । ନୂତନ ସମୀକ୍ଷା ଯେତେବେଳେ ବିଶ୍ଵସାହିତ୍ୟକୁ ସେହି ଯନ୍ତ୍ରଣାଟିକୁ ଜୀଆଇ ରଖିବାର ଉପଯୁକ୍ତ ପ୍ରେରଣା ଆଣି ଦେଇପାରିବ, ସେତେବେଳେ ଯାଇ ତାହା ନିଜକୁ ସର୍ଜନାତ୍ମକ ସାହିତ୍ୟ–ସମୀକ୍ଷାର ସ୍ତରକୁ ଉତ୍ତୋଳିତ କରି ନେଇଯାଇ ପାରିବ ।

 

ପ୍ରବନ୍ଧଟିକୁ ଶେଷ କଲା ବେଳକୁ ଜର୍ମାନ୍, କବି ଓ ନାଟ୍ୟକାର ବେର୍ଟୋଲ୍‌ଡ଼୍‌ ବ୍ରେଖ୍‌ଟ୍‌ଙ୍କର ଗୋଟିଏ କବିତାଂଶ ଭାରି ମନେ ପଡ଼ୁଛି । ସେହି କବିତାଂଶଟିରେ ସିଏ ଜଣେ ସାହିତ୍ୟିକ ହିସାବରେ ଆପଣାର ଅସଲ ଆଶାଟିକୁ ଆମଲାଗି ପ୍ରକଟ କରି ଦେଇଛନ୍ତି । ଆଧୁନିକ ପୃଥିବୀର ଯାବତୀୟ ସର୍ଜନାତ୍ମକ କ୍ଷେତ୍ରରେ ହୁଏତ ତାହାହିଁ ଆମ ସମସ୍ତଙ୍କ ଲାଗି ଅନେକ ସାହଚର୍ଯ୍ୟ ଯୋଗାଇଦେଇ ପାରିବ । ସେହି ଧାଡ଼ିଗୁଡ଼ିକ ହେଉଛି : There was little I could do/but without me/The rulers would have been more secure/That was my hope,–ଏହି ଧାଡ଼ି କେବଳ ଜଣେ ଶୁଦ୍ଧ କବି କିମ୍ବା ସାହିତ୍ୟିକର ନୁହେଁ, ଏଗୁଡ଼ିକ ହେଉଛି ଜଣେ ଅଙ୍ଗୀକାରବଦ୍ଧ ଆଧୁନିକ ମଣିଷର । ଜଣେ ଜାଗ୍ରତ ଜୀବନ–ସମୀକ୍ଷକର ଏବଂ, ସୃଜନାତ୍ମକତାକୁ ହିଁ ବ୍ରତ କରି ବାହାରିଥିବା ଜଣେ ସୈନିକର । ଆଗେ ରାଜାମାନେ କୁଆଡ଼େ ସାହିତ୍ୟିକମାନଙ୍କର ପୋଷଣ କରୁଥିଲେ । ରାଜାଙ୍କର ପୃଷ୍ଠପୋଷକତା ବ୍ୟତୀତ ସେତେବେଳେ ଜଣେ ସାହିତ୍ୟିକ ଆପଣାକୁ ଭାରି ଅରକ୍ଷିତ ବୋଲି ଅନୁଭବ କରୁଥିଲା । ଆମର ଏ ଯୁଗରେ ସାହିତ୍ୟ ରାଜଦରବାରକୁ ଛାଡ଼ି ଜୀବନର ଧର୍ମକ୍ଷେତ୍ରରେ ଆସି ପ୍ରବେଶ କରିଛି-। ସର୍ଜନାତ୍ମକ ସାହିତ୍ୟସମୀକ୍ଷା ତାକୁ ଆଜି ସେଠାକୁ ବରଣ କରି ନେଇଆସିବ । ସର୍ଜନାତ୍ମକ ସାହିତ୍ୟସମୀକ୍ଷା ମଧ୍ୟକୁ ପ୍ରବେଶ କରିବାଲାଗି ଆପଣାର ସମ୍ମତି, ଦେଇ ଆମର ସ୍ଥାନୀୟ ସାହିତ୍ୟ ମଧ୍ୟ ଆପଣାର ସମଗ୍ର ବ୍ରହ୍ମାଣ୍ଡଟିକୁ ଆବିଷ୍କାର କରିବାପାଇଁ ସମର୍ଥ ହେବ । ପ୍ରାଚୀନ ଯୁଗର ମଣିଷ ଭୟ ଓ ଭାଗ୍ୟ ପାଖରେ ଆପଣାକୁ ଅଙ୍ଗୀକୃତ କରି ରଖିଥିଲା । ତା’ପରେ ରାଜାମାନେ ପୃଥିବୀରେ ଅବତୀର୍ଣ୍ଣ ହେଲେ ଓ ମଣିଷର ସବୁଯାକ ଅଙ୍ଗୀକାର ଓ ଅନୁରକ୍ତିକୁ ଆତ୍ମସାତ୍‌ କରିନେଲେ-। ବର୍ତ୍ତମାନ ଆମ ଏ ଯୁଗରେ ଏକ ଆଧୁନିକ ସାମନ୍ତବାଦ ମଣିଷକୁ ମୃଗୟାର ଏକ ସାମଗ୍ରୀରୂପେ ବ୍ୟବହାର କରୁଛି । ଏହି ପର୍ଯ୍ୟାୟଟିରେ ମଣିଷ ଉପରେ ଜାତି, ଦେଶ, ମାତୃଭୂମି ଓ ପିତୃଭୂମି ପ୍ରଭୃତି କେତେ ଶବ୍ଦାୟୁଧର ପ୍ରୟୋଗ କରାଯାଉଛି ଏବଂ ମଣିଷକୁ ଭାରି କ୍ଷୁଦ୍ର କରି ଦିଆଯାଉଛି-। ତାହା ବିରୁଦ୍ଧରେ ସମଗ୍ର ପୃଥିବୀରେ କ୍ରମେ ଏକ ମୋହଭଙ୍ଗର ପର୍ଯ୍ୟାୟ ଜନ୍ମଲାଭ କଲାଣି । ଆମ ଆଧୁନିକ ବିଶ୍ୱସାହିତ୍ୟର ମଧ୍ୟ ସେଥିରେ ଏକ ଶକ୍ତିଶାଳୀ ଭାଗ ରହିଛି । ସର୍ଜନାତ୍ମକ ସାହିତ୍ୟସମୀକ୍ଷା ବିଶ୍ୱସାହିତ୍ୟକୁ ତାହାର ସେହି ଭୂମିକାଟି ଲାଗି ଯୋଗ୍ୟରୁ ଯୋଗ୍ୟତର ହେବାରେ ସାହାଯ୍ୟ କରୁଛି ।

 

ସାହିତ୍ୟ ଏବଂ ସମୀକ୍ଷା ଉଭୟକୁ ଏହି ଅନ୍ଧାର ଭିତରେ ହିଁ କାର୍ଯ୍ୟ କରିବାକୁ ପଡ଼ିବ । ଅନ୍ଧାର ଭିତରୁ ପଳାଇଯାଇ କେଉଁଠାରେ ଏକ ରାଜକୁମାରୀ ଅପେକ୍ଷା କରି ରହିଥିବା ଅପୂର୍ବ ମହଲ ଭିତରେ ଆଶ୍ରୟ ନେଲେ ସାହିତ୍ୟ ଉପସ୍ଥିତ ଅନ୍ଧାରଟିର ମୋଟେ କିଛିହେଲେ କରି ପାରିବନାହିଁ । ଆପଣା ଭିତରେ ଆଗାମୀ ସକାଳର ସୂର୍ଯ୍ୟଟିକୁ ଧାରଣ କରି ପାରିଲେ ଯାଇ ସେକଥା ସମ୍ଭବ ହୋଇ ପାରିବ । ଚିଲି ଦେଶର ସ୍ଵର୍ଗତ କବି ପାବ୍‌ଲୋ ନେରୁଦାଙ୍କର ଭଦ୍ଦେଶ୍ୟରେ ଲିଖିତ ଆପଣାର ଗୋଟିଏ ଏଲିଜିରେ ଫରାସୀ କବି ଲୁଇ ଆରାଗଁ ଠିକ୍ ସେହିକଥା କହିଛନ୍ତି : (୭) “ଆମେ ହେଉଛୁ ରାତ୍ରିର ସେହି ଜୀବନଧାରୀ ସତ୍ତାମାନେ, ଯେଉଁମାନେ କି ନିଜ ଭିତରେ ସୂର୍ଯ୍ୟକୁ ବହନ କରି ବାଟ ଚାଲିବାରେ ଲାଗିଛନ୍ତି । ସର୍ଜନାତ୍ମକ ସାହିତ୍ୟ ତଥା ସମୀକ୍ଷା ଉଭୟ ମଧ୍ୟରେ ଠିକ୍ ଏହି ବିଶ୍ୱାସଟି ଏକ, Commitment ରୂପେ ଜୀବନ୍ତ ହୋଇ ରହିପାରିବା ଉଚିତ-। ତଥାକଥିତ ଅନେକ ଆଧୁନିକ ସାହିତ୍ୟ ଓ ସମୀକ୍ଷା ଆଜି ସେହି ବିଶ୍ଵାସଟିକୁ ମଣିଷ ଭିତରୁ ମାରିଦେବାକୁ, ହଁ ସତେଅବା ଏକ ଷଡ଼ଯନ୍ତ୍ର କରି ବାହାରିଛନ୍ତି । ଅସୁନ୍ଦରତା ଓ ଅମାନବିକତାର ପ୍ରତୀକ ହୋଇ ବସିଥିବା ସାମନ୍ତମାନେ ସେମାନଙ୍କୁ ସେହି ଦିଗରେ ଯାବତୀୟ ପ୍ରକାରର ପ୍ରଲୋଭନ ଏବଂ ପ୍ରରୋଚନା ଯୋଗାଇ ଦେଉଛନ୍ତି । ସେମାନେ ଆମ ସାହିତ୍ୟକୁ ଖୁଣ୍ଟରେ ବାନ୍ଧି ରଖିବେ ବୋଲି ଫିକର କରିଛନ୍ତି । ଏକ ସର୍ଜନାତ୍ମକ ସମୀକ୍ଷା ସାହିତ୍ୟକୁ ଓ ତା’ର ବାହକ ସାହିତ୍ୟିକକୁ ଏହି ଦୁର୍ଗତି ଭିତରୁ ରକ୍ଷା କରିବ । ବାଟ ଛାଡ଼ି ଯାଉଥିବା ଓ ଯାଇଥିବା ସାହିତ୍ୟ ଏବଂ ସାହିତ୍ୟିକକୁ ସିଏ ପୁନର୍ବାର ଘରକୁ ଫେରାଇ ଆଣିବ । ଯାବତୀୟ ପ୍ରକାରର ଅଫିମକୁ ଅସ୍ଵୀକାର କରିବ । ଅଫିମଗୁଡ଼ିକୁ ଅସ୍ଵୀକାର କରିବାର ସାହସ ବାନ୍ଧିପାରିଲେ ଓ ଅସଲ ମେରୁଦଣ୍ଡଗୁଡ଼ିକୁ ଅର୍ଜନ କରିପାରିଲେ ଯାଇ ଯେ ଆମେ ଆମରି ଅନୁରାଗ ଗୁଡ଼ିକୁ ଚିହ୍ନିପାରିବା ଓ ଅସଲ ଧର୍ମଗୁଡ଼ିକର ଯୋଗ୍ୟ ହୋଇ ପାରିବା, ସର୍ଜନାତ୍ମକ ସାହିତ୍ୟ–ସମୀକ୍ଷା ବନ୍ଧୁ ପରି ଆମକୁ ସେହି ସତ୍ୟଟିର ସାମନାସାମନି ଆଣି ଠିଆ କରାଇଦେଇ ପାରିବ । ତେବେ ଯାଇ ହେବ ।

 

ପୁସ୍ତକ-ଟିପ୍ପଣୀ :

 

୧.

Peter P. Rohde : Soeren Kirkegaards Dagboeger, Gyldendal, Copenhagen, 1953, ପୃଷ୍ଠ ୪୬ ।

 

 

୨.

Eugene Goodheart : The Failure of Criticism, Harvard University Press, 1978.

 

 

୩.

Rene Wellek : Discriminations, Vikas Publications, New delhi, 1970.

 

 

୪.

Rene Wellek in Wellek and Warren : Theory of Literature, Penguin, London, 1966, ପୃଷ୍ଠା ୫୩ ।

 

 

୫.

Sri Aurobindo : The Future Poetry, Sri Aurobindo Birth Centenary Library, Vol. IX, Pondicherry, 1971.

 

 

୬.

ନଳିନୀକାନ୍ତ ଗୁପ୍ତ : ରଚନାବଳୀ, ପ୍ରଥମ ଖଣ୍ଡ (ସାହିତ୍ୟିକା), ଶୃଶ୍ଵନ୍ତୁ, କଲିକତା, ୧୯୭୫, ପୃଷ୍ଠା–୨୦୨ ।

 

 

୭.

“Nous sommes les gens de la nuit qui portons le soleil en nous,”

 

 

 

ସର୍ଜନାତ୍ମକ ସାହିତ୍ୟସମୀକ୍ଷା, ଓଡ଼ିଆ ଗବେଷଣା ପରିଷଦ, କଟକ, ୧୯୮୨, ପୃଷ୍ଠା ୧୫–୪୧ ।

 

[ପ୍ରବନ୍ଧ ଲେଖା ହୋଇଥିବା ସମୟ–୧୯୮୧]

Image

 

Unknown

ସାମ୍ପ୍ରତିକ ଜୀବନ : ସାମ୍ପ୍ରତିକ ସମୀକ୍ଷା

 

ଶବ୍ଦକୁ ମାଧ୍ୟମ କରି ଜୀବନର ସମୀକ୍ଷା, ତାହାକୁ ଆମେ ସାହିତ୍ୟ ବୋଲି କହିବା । ଏହି ସାହିତ୍ୟ କ’ଣ କେବଳ ବିଳାସ ଲାଗି, କେବଳ ଆମ ଅବସରମାନଙ୍କର ବିନୋଦନ ଲାଗି ? ପୂର୍ବକାଳରେ ଭାରତବର୍ଷରେ ସଭାକୁ ସୁହାଇବା ଭଳି ଯେଉଁମାନେ ସୌନ୍ଦର୍ଯ୍ୟଶାସ୍ତ୍ର ଲେଖୁଥିଲେ, ସେମାନେ ପୁଲକକୁ ହିଁ ସାହିତ୍ୟର ସର୍ବପ୍ରଧାନ ଉପଜୀବ୍ୟ ଓ ସର୍ବପ୍ରଧାନ ପରିଣାମ ବୋଲି କହି ଯାଇଛନ୍ତି । ସେହି ପୁଲକର ମଧ୍ୟ ବହୁ ପ୍ରସ୍ଥ ରହିଛି । ଆମେ ଜୀବନକୁ ଯେତିକି ଅଧିକ ପ୍ରସ୍ଥ ଅର୍ଥାତ୍ ଉନ୍ମୋଚନର ପରିଧି ଦେଇ ଦେଖିବା, ଆମର ସାହିତ୍ୟସମୀକ୍ଷା ମଧ୍ୟ ସେତିକି ବିସ୍ତାରଯୁକ୍ତ, ସେତିକି ଉନ୍ମୋଚନ ସମର୍ଥ ଅଥବା ସେତିକି ସଂକୀର୍ଣ୍ଣ ହେବାକୁ ବାଧ୍ୟ ହେବ । ଅସଲ ସମୀକ୍ଷା ଆମକୁ ସାହିତ୍ୟ ନାମକ କୌଣସି ସ୍ଵତନ୍ତ୍ର ପୁଲକହାଣ୍ଡି ଭିତରେ ନେଇ ପକାଇ ଦେବାର ଅଭିଳାଷ ଆଦୌ ରଖେନାହିଁ । ତାହା ଆମକୁ ଅଳ୍ପତାର ଯାବତୀୟ ଫାଶ ଭିତରୁ ବିମୋଚିତ କରି ଆଣିବାର ସ୍ପର୍ଦ୍ଧା ପୋଷଣ କରିଥାଏ । ଅସଲ ସମୀକ୍ଷା ଅନ୍ତଃପ୍ରବେଶ ଲାଗି, ଆମକୁ ସତକୁ ସତ ଅଙ୍ଗୀକାରବଦ୍ଧତା ନିମନ୍ତେ ସମ୍ମତ କରାଇ ଆଣିବା ଲାଗି ଏବଂ ଏକ ଉତ୍ତରୋତ୍ତର ଅତିକ୍ରମଣ ଲାଗି ।

 

ଜୀବନରୁ ପଳାୟନ କରିବାନୁହେଁ, ଜୀବନର ସମୀକ୍ଷା କରିବା ହେଉଛି ସାହିତ୍ୟର ମୂଳଭୂତ ଅସଲ ଧର୍ମ । ଯୁଗେ ଯୁଗେ ଆମର ଏହି ପୃଥିବୀରେ ଜୀବନର ଅନୁରାଗୀମାନଙ୍କ ଅପେକ୍ଷା ଜୀବନରୁ କୌଣସି ନା କୌଣସି ପ୍ରୟୋଜନ ଅଥବା ଆଳର କବଳରେ ପଡ଼ି ପଳାୟନ କରିବା ଲାଗି ମନ କରୁଥିବା ମଣିଷମାନଙ୍କର ସଂଖ୍ୟା ଅନେକ ଅଧିକ ହୋଇ ରହିଆସିଛି । ନିଜକୁ ଦେବାଲାଗି ହିଁ ଜଣେ ଅନୁରାଗୀ ଜୀବନ ମଧ୍ୟରେ ପ୍ରବେଶ କରେ, ଅନୁରାଗୀ ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାକୁ ସର୍ବଦା ସମ୍ମତ ହୋଇ ରହିଥାଏ, ଆହୁରି ଆଗକୁ ଅର୍ଥାତ୍ ଆହୁରି ଗଭୀରକୁ ଯାଇ ଅନୁରାଗୀ ଆପଣା ଅନୁରାଗର ଆହ୍ଵାନଗୁଡ଼ିକର ଅନୁରୂପ ହୋଇ ନିଜେ ମଧ୍ୟ କ’ଣଟିଏ ହେବାକୁ ଇଚ୍ଛା କରୁଥାଏ, ଚେଷ୍ଟା କରୁଥାଏ ଓ ତାହାକୁ ହିଁ ନିଜ ଜୀବନର ସର୍ବୋତ୍ତମ ଉଦ୍ୟମ ବୋଲି ଗ୍ରହଣ କରି ନେଇଥାଏ । ସମ୍ଭବତଃ ଏହି କାରଣରୁ କେବଳ ଅନୁରାଗୀମାନଙ୍କ ଦ୍ଵାରା ହିଁ ପୃଥିବୀ ସତକୁ ସତ ବଦଳେ । ପଳାୟନକାରୀମାନଙ୍କ ଦ୍ଵାରା ମୋଟେ ବଦଳେ ନାହିଁ । ଜୀବନରୁ ପଳାୟନ କରିବା ନିମନ୍ତେ ସହସ୍ର ସହସ୍ର ପନ୍ଥା ରହିଛି । ଆଗେ ଥିଲା, ଏବେ ମଧ୍ୟ ରହିଛି, ଏବଂ ସାହିତ୍ୟରେ ମଧ୍ୟ ପଳାୟନବାଦୀମାନେ ଆପଣା କାମୁକତାର ପୁଲକ ନାମକ କୌଣସି ଏକ ସୁନା ଗାଲିଚା ଉପରେ ବସି ସତେଯେପରି କେତେ କୁଆଡ଼େ ପଳାଇ ଯିବାକୁ ଉଦଗ୍ରୀବା ହୋଇ ରହିଥାଆନ୍ତି । ପଳାୟନକାମୀ ପ୍ରଧାନତଃ ନିଜକୁ ଦେଖେ, ନିଜକୁ ହିଁ କେନ୍ଦ୍ରରେ ରଖି ପୃଥିବୀକୁ ଦେଖିବାର ଅଭିଲା ବିଦ୍ୟାଟିକୁ ବହୁ ବର୍ଣ୍ଣାଢ଼୍ୟ ପୁଟମାନ ଦେଇ ସିଏ ତାହାକୁ ହିଁ ସଂସ୍କୃତିଘରେ ବନ୍ଦୀ କରି ରଖିବାକୁ ଇଚ୍ଛା କରେ । ଆମର ସାମୂହିକ ଜୀବନ ମାନବସ୍ଵୀକୃତି କହିଲେ ଯେତେବେଳେ ସବୁ ମଣିଷଙ୍କୁ ନବୁଝି କେବଳ କେତୋଟି ଶ୍ରେଣୀ ବା କେତେଜଣ ବ୍ୟକ୍ତିଙ୍କୁ ବୁଝାଉଥାଏ । ଯେତେବେଳେ ସାମୂହିକ ଜୀବନର ସ୍ଵୀକୃତ ଚାହାଣିଗୁଡ଼ିକ ମାନବମୂଳ ଅର୍ଥାତ୍ ଜୀବନନିଷ୍ଠ ନହୋଇ ସତେଅବା ନିୟମତଃ କର୍ତ୍ତୁତ୍ଵପ୍ରଧାନ ଓ ତେଣୁ ଅବଜ୍ଞାଧର୍ମୀ ହୋଇ ରହିଥାଏ, ସେତେବେଳେ ସାହିତ୍ୟ ମଧ୍ୟ ପ୍ରାୟ ଏକ ଅବଶ୍ୟମ୍ଭାବୀ ନିୟମର ଦଉଡ଼ାରେ ବାନ୍ଧି ହୋଇ ରହିଥିବା ପରି କର୍ତ୍ତୃତ୍ଵର ହିଁ ଅଧିକ ପରିଚର୍ଯ୍ୟା କରୁଥାଏ, ପଳାୟନବାଦୀମାନଙ୍କର ଏକ ଅବର୍ଜିଆ ଗଭାରେ ପରିଣତ ହୋଇ ରହିଯାଏ; ଉପରେ ସୌନ୍ଦର୍ଯ୍ୟର କଥା, କେଶବତୀ କନ୍ୟାର କଥା, ଲବଙ୍ଗଦ୍ଵୀପର କଥା କିମ୍ବା ମନପବନ କଠାଉର କଥା କହୁଥିଲେ ମଧ୍ୟ ତାହା ନିଜର ମଞ୍ଚଗୁଡ଼ାକରେ ଭାରି ନିର୍ମମ ଓ ଭାରି କୋପନଯୁକ୍ତ ହୋଇ ରହିଥାଏ । ସାହିତ୍ୟର ଯେକୌଣସି ସମୀକ୍ଷା ଏଗୁଡ଼ିକର ହିସାବ ଅବଶ୍ୟ ରଖିବ ।

 

ଅର୍ଥାତ୍, ସାହିତ୍ୟସମୀକ୍ଷାର ମଧ୍ୟ ନିରନ୍ତର ଅବଶ୍ୟ ଏକ ମେଦିନୀଦୃଷ୍ଟି ରହିବ ହିଁ ରହିବ-। ଅତୀତ ଯୁଗମାନଙ୍କରେ ଅନୁରାଗ ଓ ଆନୁଗତ୍ୟଗୁଡ଼ିକର ପୃଥିବୀ ଯେତେବେଳେ ଅତ୍ୟନ୍ତ କ୍ଷୁଦ୍ରାୟତନ ଥିଲା, ଅଳପ ଥିଲା, ଯେତେବେଳେ ଅଧିକାଂଶ ମଣିଷ ଭାଗ୍ୟ ନାମକ ମହାବଳ ଦୈତ୍ୟର ହାତରେ କ୍ରୀଡ଼ନକପ୍ରାୟ ହୋଇ ରହିଥିଲେ, ସେତେବେଳେ ସାହିତ୍ୟ ଭିତରେ ସମୀକ୍ଷା ଲାଗି ଆଦୌ କୌଣସି ପ୍ରୟୋଜନ ନଥିଲା । ସଭାଘର ବା ଦରବାରମାନଙ୍କରେ ସମୀକ୍ଷାର ପୁଣି କାହିଁକି କୌଣସି ପ୍ରୟୋଜନ ରହିବ ? ମନୁଷ୍ୟର ଜୀବନ ପୃଥିବୀର ଆଧୁନିକ ଆୟାମଗୁଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ, ଅର୍ଥାତ୍ ପ୍ରତ୍ୟେକ ମନୁଷ୍ୟକୁ ମୂଳତଃ ମନୁଷ୍ୟ ବୋଲି ସ୍ଵୀକାର କରିବାକୁ ସତେଅବା ଏକ ଅପରିହାର୍ଯ୍ୟ ବୋଲି ଅନୁଭୂତ ହେବା ସଙ୍ଗେ ସଙ୍ଗେ ସାହିତ୍ୟରେ ସାହିତ୍ୟସମୀକ୍ଷା ଲାଗି ମଧ୍ୟ ଏକ ପ୍ରାସଙ୍ଗିକତା ଆସି ଉପସ୍ଥିତ ହେଲା । ସଭାସଦମାନଙ୍କର, ସାମନ୍ତମାନଙ୍କର ଅଥବା ପ୍ରଫେସନାଲ୍ ବୟସ୍ୟମାନଙ୍କର ସମୀକ୍ଷାଘରକୁ ଚାଷ କରି ଯିବାଲାଗି ଆଦୌ କୌଣସି ପ୍ରୟୋଜନ ନଥାଏ । ମଣିଷକୁ ମୃଗୀ କରି ନଚାଉଥିବା ଉତ୍ତମର୍ଣ୍ଣମାନଙ୍କର ସକଳ ବିରୋଧ ସତ୍ତ୍ୱେ ବିଜ୍ଞାନର ଅଗ୍ରଗତି ସହିତ ପୃଥିବୀରେ ଯେଉଁ ବୈଜ୍ଞାନିକ ଦୃଷ୍ଟିକୋଣ ଜନ୍ମଲାଭ କଲା ଏବଂ ତାହାରି ଫଳରେ ବିଜ୍ଞାନ ଯହୁଁ ଯହୁଁ ତୁଚ୍ଛା ଫିଜିକସ୍ ଓ କେମିଷ୍ଟ୍ରିର ନିରଙ୍କୁଶତା ମଧ୍ୟରୁ କ୍ରମଶଃ ମୁକ୍ତ ହୋଇ ମଣିଷର ଜୀବନ ବିଷୟରେ ମଧ୍ୟ ଆପଣାର ଲୋଚନଗୁଡ଼ିକୁ ପ୍ରଲମ୍ବିତ କରି, କିଛି ଅନୁସନ୍ଧାନ କରି କିଛି ପାଇବାଲାଗି ପ୍ରୟାସ କଲା, ଏଣେ ସାହିତ୍ୟ ଭିତରେ ବି ସମୀକ୍ଷା ନାମକ ସେହି ଅଭିନବ ଲୋଚନଟିର ଅଧିକରୁ ଅଧିକ ଡାକରା ପଡ଼ିଲା । ପାରମ୍ପରିକ ବିଗତ କାଳ ଗୁଡ଼ିକର ତୁଳନାରେ ଆଧୁନିକ କାଳର ଜୀବନ ଆପଣାକୁ ଅଧିକ ଅଭୀପସା କରିବାର ଏକ ସାବାଳକ ସୋପାନକୁ ଉନ୍ନୀତ କରିନେବା ସଙ୍ଗେ ସଙ୍ଗେ ଆଧୁନିକ ସାହିତ୍ୟ ମଧ୍ୟ ବହୁପ୍ରସ୍ଥଯୁକ୍ତ ହେଲା, ଏବଂ ସେହି ଅନୁସାରେ ସାହିତ୍ୟର ସମୀକ୍ଷା ମଧ୍ୟ ବହୁପ୍ରସ୍ଥଯୁକ୍ତ ହେବାର ଅଭୟ ଲାଭ କରିପାରିଲା-

 

ପାରମ୍ପରିକ ଅବଲୋକନଟି ଅନୁସାରେ ଜୀବନ କହିଲେ ଏକ ଅତ୍ୟନ୍ତ କ୍ଷୁଦ୍ର ଆୟତନକୁ ବୁଝାଉଥିଲା । ସୁଖ କହିଲେ ପ୍ରଧାନତଃ ନିଜର ସୁଖ ବା ଖୁବ୍ ବେଶୀ ହେଲେ ନିଜ ପରିବାରର ତଥାକଥିତ ସୁଖଗୁଡ଼ିକୁ ବୁଝାଉଥିଲା । ଭାଗ୍ୟ ଓ ଉତ୍କର୍ଷ କହିଲେ ପ୍ରଧାନତଃ ଏକ ବ୍ୟକ୍ତିଗତ ଭାଗ୍ୟ ବା ବ୍ୟକ୍ତିଗତ ଉତ୍କର୍ଷକୁ ବୁଝାଉଥିଲା । ଜାତୀୟତାବାଦର ଯୁଗରେ ସେହି ବୋଧ ଆପଣାର ସତେଅବା ଏକ ପ୍ରଶସ୍ତତମ ସୀମାକୁ ସ୍ପର୍ଶ କରି ଜାତିର ଭାଗ୍ୟ ବା ଜାତୀୟ ଉତ୍କର୍ଷକୁ ବୁଝାଇଲା । ମୁକ୍ତି କହିଲେ ଅତ୍ୟନ୍ତ ଅଲିଅଳ ଭାବରେ ଏକ ବ୍ୟକ୍ତିଗତ ମୁକ୍ତି ଅର୍ଥାତ୍ ବ୍ୟକ୍ତିଗତ ପଳାୟନକୁ ବୁଝାଉଥିଲା । ଏବେ ମଧ୍ୟ ପୃଥିବୀରେ ସେହି ପରମ୍ପରାଗତ ଦୃଷ୍ଟି ଆମ ଭିତରୁ ଅଧିକାଂଶଙ୍କର ଜୀବନ ଉପରେ ଆମର ପ୍ରାୟ ସମ୍ମତି ସହିତ ରାଜତ୍ଵ କରିବାରେ ଲାଗିଛି । ତଥାପି, ମାନବଜୀବନ ଓ ମାନବନିୟତିକୁ ଯଥାସମ୍ଭବ ଅଧିକ ସମଗ୍ରତାର ଆୟାମ ଦେଇ ଅବଲୋକନ କରିବାକୁ ସାହସ କରୁଥିବା ସାମ୍ପ୍ରତିକ ବିଜ୍ଞାନଗୁଡ଼ିକ ଆମକୁ ସତେଅବା ଏକ ଅନ୍ୟ ଭୂମି ମଧ୍ୟକୁ ଆରୋହଣ କରି ଯିବାଲାଗି ଏବେ ଆହ୍ଵାନ ଦେଲେଣି । ଜୀବନ ବିଷୟରେ ଆମର ଅଭ୍ୟସ୍ତ ସଜ୍ଞାଗୁଡ଼ିକ ମଧ୍ୟ ବଦଳି ବଦଳି ଯାଉଛନ୍ତି ଏବଂ ଆମକୁ ସାଙ୍ଗରେ ଧରି ଗାରଗୁଡ଼ିକୁ ଅତିକ୍ରମ କରିଯିବାର ସଙ୍କେତ ଦେବାରେ ଲାଗିଛନ୍ତି । ରୁଷି ବସିବାର, ନିଜକୁ ଅସଂଲଗ୍ନ କରି ରଖିବାର, ଆପଣା ଲାଗି ଗମ୍ଭୀରାଟିଏ ଲୋଡ଼ି ନେଇ ସେହିଠାରେ ଏକ ଅବୈଧ ସନ୍ନ୍ୟାସର ବର୍ବରତା ମଧ୍ୟରେ ଆପଣାର ଏକୁଟିଆ ପ୍ରଭୁଟି ସହିତ ରମଣ କରିବାର ପୁରୁଣା ରୀତିଗୁଡ଼ିକ କ୍ରମେ ହଟି ହଟି ଯାଉଛନ୍ତି । ଏହିସବୁ ଅଦ୍ଭୁତପୂର୍ବ ଆରୋହଣ ଓ ଅବତରଣଗୁଡ଼ିକ ଲାଗି ପୃଥିବୀର ରାଜନୀତିକ, ରାଷ୍ଟ୍ରୀୟ ଓ ଅନ୍ୟାନ୍ୟ ନ୍ୟସ୍ତସ୍ଵାର୍ଥମାନେ ବାଟ ଛାଡ଼ିଦେବାକୁ ଇଚ୍ଛା କରୁନାହାନ୍ତି ସତ; ତଥାପି ସିନ୍ଦୁରା ଫାଟି ଆସୁଥିବା ପରବର୍ତ୍ତୀ ଭବିଷ୍ୟତଟିର ନୂତନ ଦିଗନ୍ତମାନେ ଆମକୁ କେତେ ଦୃଶ୍ୟମାନ୍ ନିର୍ଭର ଦେଇ କହିବାକୁ ଆରମ୍ଭ କଲେଣି ଯେ, ଏକ ନୂତନ ସଖ୍ୟ ସତକୁ ସତ ଆସୁଛି, ସମ୍ଭାବ୍ୟ ଏକ ଅଭିନବ ଚେତନା ମୂଳତଃ ଏକ ଅନୁରାଗ ଓ ଅଙ୍ଗୀକାରବଦ୍ଧତାର ଆହ୍ଵାନ ସହିତ ଅବତରି ଆସୁଛି । ରାଷ୍ଟ୍ର, ରାଜନୀତି ଓ ସେସବୁ କ୍ଷେତ୍ରରେ ବସିଥିବା କର୍ତ୍ତାମାନଙ୍କର ଯାବତୀୟ ଆକଟଠାରୁ ମଣିଷଙ୍କର ବିମୋଚନ–ପିପାସା ଅନେକ ଅଧିକ ବଡ଼, ଅନେକ ଅଧିକ ମହତ୍ତ୍ଵପୂର୍ଣ୍ଣ ଓ ତେଣୁ ଅନେକ ଅଧିକ କାମ୍ୟ । ବିଗତ ମାତ୍ର କେଇଟା ମାସରେ ପୂର୍ବ ଇଉରୋପରେ ଘଟିଥିବା ଓ ଘଟୁଥିବା ପରିବର୍ତ୍ତନଗୁଡ଼ିକ ପୃଥିବୀକୁ ସେଥିଲାଗି କେତେ କେତେ ପ୍ରମାଣ ଯୋଗାଇ ଦେବାରେ ଲାଗିଛନ୍ତି । ପରମ୍ପରାଗତ ଜୀବନର ବାଡ଼ଗୁଡ଼ାକ ଭାଙ୍ଗି ଯାଉଥିବା ବେଳେ ପାରମ୍ପରିକ ସାହିତ୍ୟର ବନ୍ଧ ଓ ଉପବନ୍ଧଗୁଡ଼ିକ ମଧ୍ୟ ଭାଙ୍ଗିଯିବାକୁ ଅବଶ୍ୟ ବାଧ୍ୟ ହେବେ । ସାହିତ୍ୟର କ୍ଷେତ୍ରରେ ଜୀବନକୁ ନିମିତ୍ତକେନ୍ଦ୍ର କରି ଆମର ଯାବତୀୟ ସମୀକ୍ଷା ମଧ୍ୟ ଆପଣାକୁ ସେହିପରି ଭାବରେ ସମ୍ପ୍ରସାରିତ କରି ଆଣିବାକୁ ଅବଶ୍ୟ ବାଧ୍ୟ ହେବ ।

 

ଏହି ପରିପ୍ରେକ୍ଷୀରେ ଅନାଇ ଦେଖିଲେ, ଆମ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରହିଥିବା ସାହିତ୍ୟ ନାମକ ଏକ ସ୍ଵତନ୍ତ୍ର ବିଷୟ ବା ବିଭାଗ ପରି ସାହିତ୍ୟ ଆଦୌ ଏକ ସ୍ଵତନ୍ତ୍ର ଧନ୍ଦା ନୁହେଁ, ଏକ ସ୍ଵତନ୍ତ୍ର ସଉକ ମଧ୍ୟ ନୁହେଁ । ତେଣୁ, ସାହିତ୍ୟିକକୁ ମଧ୍ୟ ଆମେ ଆପଣାର ଏକ ସ୍ଵତନ୍ତ୍ର ସଉକରେ ମାତିଥିବା ଓ ସମାଜଠାରୁ ଏକ ସ୍ଵତନ୍ତ୍ର ସ୍ଵୀକୃତି ଦାବି କରୁଥିବା କୌଣସି ଏକ ଜୀବ ବୋଲି ଆଦୌ କଳ୍ପନା କରି ପାରିବାନାହିଁ । ଏବେ ସାହିତ୍ୟରେ ଯାହାକୁ ସାହିତ୍ୟର ଆଙ୍ଗିକ ବୋଲି କୁହାଯାଉଛି, ସେହି ଆଙ୍ଗିକର କ୍ଷେତ୍ରରେ ମଧ୍ୟ ଆମେ ଟିକିଏ ଅନ୍ତରଙ୍ଗ ଅଥଚ ମୋହମୁକ୍ତ ଭାବରେ ନିଘା କରି ପାରିଲେ, ସମସାମୟିକ ଯୁଗବେଦନା ତଥା ଯୁଗଚେତନାର ଆକୃତି ଏବଂ ପ୍ରତିଫଳନଗୁଡ଼ିକ ଅବଶ୍ୟ ଦେଖିବାକୁ ପାଇବା । ଜଣେ ଲେଖକ ସେହି ବେଦନା ଏବଂ ଚେତନାଗୁଡ଼ିକର କେତେ ଦୂର ସାମନା କରୁଛି, ଅଥବା କେତେ ଦୂର ଲୁଚି ପଳାଉଛି, ଆମେ ସେହି ବିଷୟରେ ମଧ୍ୟ ବହୁବିଧ ବାରତା ପାଇ ପାରିବା । ସାହିତ୍ୟର ସମୀକ୍ଷା ଏହି ସତ୍ୟଟି ପାଖରୁ ହୁଡ଼ି ରହିବାକୁ ଇଚ୍ଛା କଲେ ତାହାର ପରିଣାମ ସ୍ୱରୂପ ସିଏ ନିଜେ ଯେ ଅତ୍ୟନ୍ତ ଶୋଚନୀୟ ଭାବରେ ହୁଡ଼ିଯିବ, ଆମେ ସେହି ବିଷୟରେ ଅଳିନ୍ଦ ଭିତରେ ଆବଦ୍ଧ କରି ରଖି ସମୀକ୍ଷା ତାହାକୁ ହିଁ ଆପଣାର ଅସଲ ବୃତ୍ତିଗତ ଶୃଙ୍ଖଳା ବୋଲି ମାନି ରହିଥିବା ଫଳରେ ଶୂନ୍ୟବାଦୀ ଗୁମ୍ଫାବାସୀମାନେ ଏବେ destructuralism ଯାଏ ଆସି ପହଞ୍ଚି ଗଲେଣି ଏବଂ ସେମାନେ ଜୀବନର ଦରବାରରେ ଆପଣାର ଶୂନ୍ୟଗର୍ଭତା ଘୋଷଣା କରି ସାରିବାପରେ ତାହାର ପରବର୍ତ୍ତୀ ପ୍ରତିକ୍ରିୟାମାନ ମଧ୍ୟ ଆଧୁନିକ ବିଜ୍ଞାନର ସମଗ୍ରତାସୂଚକ ଆହ୍ଵାନ ହେବାକୁ ଆରମ୍ଭ କଲେଣି । ସାହିତ୍ୟରେ ଅବସାଦ ଏବଂ ଖଣ୍ଡରତିର ଯୁଗ ଶେଷ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସାହିତ୍ୟରେ ସମୀକ୍ଷାରେ ମଧ୍ୟ ନୂତନ ବହୁ ଗବାକ୍ଷ ଖୋଲିଯିବାରେ ଲାଗିଛି । କାତ୍ୟାୟନୀମାନେ ଅପସରି ଯାଉଛନ୍ତି; ଉପନିଷଦରେ ପଚରା ଯାଇଥିବା ମୈତ୍ରେୟୀଙ୍କର ସେହି ଶାଶ୍ଵତ ପ୍ରଶ୍ନଟି ସାହିତ୍ୟସମୀକ୍ଷାରେ ମଧ୍ୟ ସତେଥିବା ସବୁଠାରୁ ବଡ଼ ପ୍ରଶ୍ନ ବୋଲି ସ୍ଵୀକୃତ ହେବାକୁ ଯାଉଛି ।

 

ବିଗତ ଶହେବର୍ଷ ଭିତରେ ପୃଥିବୀରେ କ’ଣ କମ୍ ସାହିତ୍ୟ ଲେଖାହେଲା ? ଆଧୁନିକ ମଣିଷର ବ୍ୟକ୍ତିଗତ ତଥା ସାମୂହିକ ଜୀବନରେ ବିଫଳତା ଓ ବିମର୍ଷତାଗୁଡ଼ିକ ଅଧିକରୁ ଅଧିକ ଉତ୍କଟ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସତେଅବା ତାହାରି ଏକ କ୍ଷତିପୂରଣ କରି ଦେଉଥିବା ପରି ଏବଂ ମନୁଷ୍ୟକୁ ଏକ ବିସ୍ମରଣ ଭିତରେ ଘାଲେଇ ରଖିବା ପରି କବି, ଔପନ୍ୟାସିକ ଓ ନାଟ୍ୟକାରମାନେ ଆମ ଆଗରେ ସାହିତ୍ୟ ବୋଲି କେତେ କ’ଣ ଆଣି ଅଜାଡ଼ି ଦେଲେ । ସେମାନେ ନିଃସଙ୍ଗତାର ପ୍ରଶସ୍ତି ଗାଇଲେ, ମଣିଷର ମେରୁଦଣ୍ଡଗୁଡ଼ାକ ନଷ୍ଟ ହୋଇଗଲା ବୋଲି ଗଦ୍ୟ ଓ ପଦ୍ୟରେ କେତେ ଆଳଙ୍କାରିକତାର ରୂପବନ୍ଧ ବସାଇ ବାହୁନି ବସିଲେ; ତାହାକୁ ହିଁ ନୂତନ ଶୈଳୀ ବୋଲି କହିଲେ ଏବଂ ସେହି ନୂତନ ଶୈଳୀରୁ ନୂତନ ସ୍ଵାଦ ଚାଖିଲେ । ମନୁଷ୍ୟ ଯେପରି ତାର ହୃତ ମେରୁଦଣ୍ଡ ଗୁଡ଼ିକର ପୁନରାବିଷ୍କାର କରିପାରିବ, ସେଥିଲାଗି ତାକୁ ପ୍ରତ୍ୟାଶିତ ନୂତନ ବଳ ଓ ନିର୍ଭରଗୁଡ଼ିକୁ ଦେବା ପରିବର୍ତ୍ତେ ସେମାନେ ଏହି ଦୁର୍ଦ୍ଦଶା ସକାଶେ ଯୁଗକୁ ଦୋଷ ଦେଲେ, ଉଲ୍ଲସିତ ଭାବରେ କ୍ଳୀବ ହୋଇ ରହିଲେ ।

 

ଅଷ୍ଟାଦଶ ଶତାବ୍ଦୀର ଇଉରୋପରେ ଫ୍ରାନ୍‌ସର ରୁସୋ ଓ ଭଲଟେଆର୍ କଳା ଓ ସାହିତ୍ୟ ବିଷୟରେ ଯେଉଁସବୁ ଖେଦୋକ୍ତି ପ୍ରକାଶ କରିଥିଲେ, ସାମ୍ପ୍ରତିକ ପୃଥିବୀର ପୃଷ୍ଠଭୂମିରେ ସମ୍ଭବତଃ ତାହାରି ତଥାପି ଏକ ପ୍ରାସଙ୍ଗିକତା ରହିଛି । ରୁସୋ କହିଥିଲେ, ମନୁଷ୍ୟ–ସମୂହର ଜୀବନକୁ ଯେଉଁସବୁ ଲୁହାଶିକୁଳି ବେଡ଼ୀ ପରି ବାନ୍ଧି ରଖିଛି, ଆମର କଳା ଓ ସାହିତ୍ୟ ସେହି ବେଡ଼ୀଗୁଡ଼ିକ ଉପରେ ଫୁଲହାର ପରି ଗୁଡ଼ାଇ ହୋଇ ରହି ସେଗୁଡ଼ିକୁ ଢାଙ୍କି ରଖିବାକୁ ଚେଷ୍ଟା କରୁଛନ୍ତି; ଯେଉଁ ମୂଳଭୂତ ସ୍ଵାଧିନତାର ବରଦାନ ନେଇ ପ୍ରତ୍ୟେକ ମନୁଷ୍ୟ ଏହି ପୃଥିବୀକୁ ଆସିଥିଲା, କଳା ଓ ସାହିତ୍ୟ ସେମାନଙ୍କ ଭିତରେ ସେହି ସ୍ଵାଧୀନତାର ଅନୁଭୂତିଟିକୁ ନଷ୍ଟ କରି ଦେଉଛନ୍ତି ଓ ମଣିଷ ଯେପରି ତାର ଦାସତ୍ଵଗୁଡ଼ାକୁ ହିଁ ଭଲ ପାଇବ ସେଥିଲାଗି ତାହାକୁ ଦୁଷ୍ଟ ପ୍ରରୋଚନାମାନ ଦେବାରେ ଲାଗିଛନ୍ତି । ଏବଂ ଏହିପରି ଭାବରେ ସେମାନେ ମଣିଷକୁ ସଭ୍ୟ ବୋଲି ପରିଚିତ କରାଉଛନ୍ତି । ପ୍ରାୟ ଏକ ସମାନ ଶ୍ଲେଷ ସହିତ ଭଲଟେୟାର୍ ଲେଖିଥିଲେ, ରାଜା ଓ କର୍ତ୍ତାଙ୍କ ନାଆଁରେ ଗୀତମାନ ଲେଖିଦିଅ, ପ୍ରେମଗୀତମାନ ଲେଖି ତାଙ୍କ ରାଣୀଙ୍କୁ ଉପହାର ଦିଅ, ଭୂଗୋଳ ବହିଟିଏ ଲେଖି ତାଙ୍କ ଦ୍ଵାରପାଳ ନାଆଁରେ ଉତ୍ସର୍ଗ କରିଦିଅ, ତୁମେ ପୁରସ୍କାର ପାଇବ, ଆଦୃତ ହେବ । ମାତ୍ର, ମଣିଷମାନଙ୍କର ଆଖି ଖୋଲି ଦେବାକୁ, ଯଦି ଉଦ୍ୟମ କରିବ, ତେବେ ତୁମକୁ ଚୂନା କରିଦେବାକୁ କେତେ କିଏ ଅସ୍ତ୍ର ଧରି ତୁମ ପାଖକୁ ମାଡ଼ି ଆସିବେ । ପ୍ରାୟ ଦେଢ଼ଶହ ବର୍ଷ ତଳେ ଜର୍ମାନୀର ମହାକବି ଗୁଏଟେ ମଧ୍ୟ କହିଥିଲେ ଯେ, କ୍ଷମତା ଓ ରାଜନୀତିରେ ରହିଥିବା ମଣିଷ କବି ଓ ଲେଖକକୁ ଗିଳି ପକାଇବ ବୋଲି ଧାଇଁ ଆସିଲାଣି । ସେତେବେଳର ବିପଦ ଆମର ଏ ଯୁଗରେ ସହସ୍ରଗୁଣ ବଢ଼ି ଗଲାଣି । କର୍ତ୍ତାମାନେ ସହସ୍ରଜିହ୍ଵାଯୁକ୍ତ ହେଲେଣି, ବିବେକକୁ ବାନ୍ଧି ରଖିବାର ରଜ୍ଜୁଗୁଡ଼ାକ ନୂଆ ନୂଆ କେତେ କୌଶଳରେ ସଜ୍ଜିତ ଓ ସମ୍ବଳିତ ହୋଇ ଆମ ଜୀବନର ସଦନଟି ଭିତରେ ଆସି ପ୍ରବେଶ କଲେଣି । ପାରମ୍ପରିକ ପୂର୍ବଯୁଗମାନଙ୍କରେ ତ କଉଶଳମାନଙ୍କୁ ଚିହ୍ନି ହେଉଥିଲା, ଏବର କୌଶଳୀମାନଙ୍କୁ ଅନେକ ସମୟରେ ମୋଟେ ଚିହ୍ନି ହେଉନାହିଁ । ପୃଥିବୀଟାଯାକ ଏପରି ଏକ ଅବକ୍ଷୟର ଧର୍ମସଙ୍କଟରେ ଆସି ପଡ଼ିଲାଣି, ଯାହାକୁ ଜଣେ ଇଉରୋପୀୟ ସାହିତ୍ୟ–ସମୀକ୍ଷକ ଯଥାର୍ଥରେ diminishment of man ବୋଲି କହିଛନ୍ତି । diminishment ର ଏହି ସମଗ୍ର ପ୍ରକ୍ରିୟାଟି ସମ୍ମୁଖରେ ସାମ୍ପ୍ରତିକ ସମୀକ୍ଷା ପ୍ରକୃତରେ କିଭଳି ଭୂମିକା ଗ୍ରହଣ କରିବ ? ଆପଣାର ଲୋଚନଗୁଡ଼ିକରେ ଏକ ସମ୍ପ୍ରସାରଣ ଏବଂ ସମୂତ୍ତରଣ ନଘଟାଇଲେ ତାହା ହୁଏତ ଆଦୌ କିଛିହେଲେ କରି ପାରିବନାହିଁ । ଆଧୁନିକ ବିଘଟନ ଓ ବିପର୍ଯ୍ୟୟକୁ ଅଟକାଇ ପାରିବା ଭଳି କିଛି କରି ପାରିବନାହିଁ ।

 

କଳା ଓ ସାହିତ୍ୟ ଯୁଗବ୍ୟାଧିର ଅପନୋଦନ ଓ ନିରାକରଣ କରିବା ପରିବର୍ତ୍ତେ ଯୁଗବ୍ୟାଧିର ଉତପ୍ରେରକ ମଧ୍ୟ ହୋଇପାରେ ବୋଲି ଏକଦା ଫ୍ରଏଡ଼୍ ମନ୍ତବ୍ୟ ଦେଇଥିଲେ । ଶହେ ବର୍ଷର ଇତିହାସ କହୁଛି ଯେ, ଫ୍ରଏଡ଼୍ ଅନ୍ତତଃ ଆମର ଏହି ସାମ୍ପ୍ରତିକ ଯୁଗଟି ବିଷୟରେ ଅନେକାଂଶରେ ସତ କଥା କହିଛନ୍ତି । ବ୍ୟାଧି ଭିତରେ ଉବୁଡ଼ୁବୁ ହୋଇ ରହିଥିବା ଜଣେ ମନୁଷ୍ୟ ବ୍ୟାଧିର ନିରାକରଣ ଲାଗି କଦାପି ଔଷଧ ବତାଇ ପାରିବନାହିଁ । ପଙ୍କ ଭିତରେ ରହିଥିବା ଓ ସେହିପରି ରହିବାକୁ ସତେଅବା ଭାରି ଭଲ ପାଉଥିବା କୌଣସି ବ୍ୟକ୍ତି ପଙ୍କରୁ ଉଦ୍ଧାର ପାଇବାର ପ୍ରତ୍ୟୟ ଯୋଗାଇ ଦେଇ ପାରିବନାହିଁ । ଯେଉଁ ବାସ୍ତବବାଦ ଯେତିକି ଅଛି, କେବଳ ସେତିକି ଦେଖେ, ପପ୍ରତ୍ୟେକ ମଣିଷ ଭିତରେ ଗୋଟାଏ ଡେଣା ଅଛି ବୋଲି ଭୁଲିଯାଏ ଏବଂ ମାଂସଗୁଡ଼ାକୁ, ଅନ୍ଧାରଗୁଡ଼ାକୁ କେବଳ ମାଂସ ଓ କେବଳ ଅନ୍ଧାର ବୋଲି ବର୍ଣ୍ଣନା କରିବାକୁ ବାସ୍ତବ ବୋଲି କହି ଫୁଲେଇ ହୁଏ, ତାହା ମଣିଷକୁ ତା’ ନିଜ ପାଖରେ ଅପରିଚିତ କରି ରଖେ, ତାକୁ ଆହ୍ଵାନଗୁଡ଼ିକ ପାଖରେ ଅଥର୍ବ କରି ରଖେ । ଅନ୍ଧାର ବହିଃସ୍ଥ ଏକ ଖୋଳ ପରି ହୋଇ ଆପଣା ଭିତରେ ଅମୃତମୟ ଏବଂ ଅନ୍ତର୍ଯ୍ୟାମୀ ଆତ୍ମାକୁ ସଞ୍ଚିତ କରି ରଖିଥାଏ ବୋଲି ଭାରତୀୟ ଉପନିଷଦରେ କୁହାଯାଇଛି । ଯାବତୀୟ ବାସ୍ତବର ଗର୍ଭରେ ଏକ ସାମ୍ଭାବ୍ୟ ଲାଗି ଅନୁରାଗୀ ବିଶ୍ଵାସ କରି ପାରୁଥିବା ଉଚିତ । ବାସ୍ତବକୁ ଏଡ଼ି ରହିବା ପାଇଁ ଆମେ ଏକଦା ଅତ୍ୟନ୍ତ ବିହ୍ଵଳ ଭାବରେ ଯେଉଁ ତଥାକଥିତ ଆଦର୍ଶ ଭିତରକୁ ଡେଇଁ ପଡ଼ୁଥିଲୁ ଏବଂ ତଦ୍ଦ୍ଵାରା କେତେ ଆଶ୍ଵସ୍ତି ଅନୁଭବ କରୁଥିଲୁ, ସାମ୍ପ୍ରତିକ ସମୀକ୍ଷା ଆପଣାକୁ କଦାପି ସେତିକି ଭିତରେ ବାନ୍ଧି ରଖିବାକୁ ମନ କରିବା ନାହିଁ । ପୁନଶ୍ଚ, ଏହି ଫାଶ ଭିତର ବାହାରି ଆସିବା ପାଇଁ ପ୍ରାୟ ଏକ ଅନ୍ତର୍ଗତ ଭୟ ଅଥବା ଅନିଚ୍ଛା ହେତୁ ଆମେ ଯେଉଁ ତଥାକଥିତ ବାସ୍ତବତାକୁ ହିଁ ଏକମାତ୍ର ଅଦୃଷ୍ଟ ବା ଅବଶ୍ୟମ୍ଭାବତା ବୋଲି ମାନି ନେଉଥିଲୁ, ସାମ୍ପ୍ରତିକ ସମୀକ୍ଷା ତାହାକୁ ମଧ୍ୟ ସବୁକିଛି ବୋଲି କଦାପି ଆଦରି ନେବାନାହିଁ । ସମୀକ୍ଷା ବାଟ ବତାଇବ, ଅଳପ ଭିତରେ ତାହା ତଥାପି ଅଧିକ ସମ୍ଭାବନାର ସନ୍ଧାନ ଦେଇ ପାରୁଥିବ । ସାହିତ୍ୟ ପରି ସାହିତ୍ୟର ସମୀକ୍ଷା ମଧ୍ୟ କ୍ରାନ୍ତଦର୍ଶୀ ହେବ । ତତ୍କାଳିକଗୁଡ଼ାକୁ ଦେଖିବା ଲାଗି ସମର୍ଥ ହେବା, ତାହାହିଁ କାନ୍ତଦର୍ଶିତା । ଭାରତୀୟ ଋଷି ଓ ଦ୍ରଷ୍ଟାମାନେ ପ୍ରାୟ ଏହିଭଳି ଏକ ଅର୍ଥବ୍ୟଞ୍ଜନା ଦେଇ କବିକୁ କାନ୍ତଦର୍ଶୀ ବୋଲି କହିଥିଲେ । ଭାରତୀୟ ସାହିତ୍ୟ ଓ ଭାରତୀୟ ସାହିତ୍ୟସମୀକ୍ଷା ମଧ୍ୟ ଏହି ଧର୍ମଟିକୁ ଆପଣାର ଅସଲ ଚେର ବୋଲି ସ୍ଵୀକାର କରିନେଇ ପାରୁଥିଲେ ସେଗୁଡ଼ିକ ଠାରୁ ପ୍ରକୃତରେ ବହୁତ କିଛି ଆଶା କରାଯାଇ ପାରିବ । ସେମାନେ ଆମକୁ ସତକୁ ସତ ବହୁ ସ୍ଵପ୍ନ ଏବଂ ବହୁ ପୁରୁଷାର୍ଥ ଲାଗି ଭାଜନ କରି ଗଢ଼ି ଦେଇ ପାରିବେ ।

 

ଭାରତବର୍ଷ ସାମ୍ପ୍ରତିକ ସାହିତ୍ୟରେ ଯେଉଁ ସୌଖିନ ପ୍ରବୃତ୍ତିଟି ଆମକୁ ଏବେ ଏକାବେଳେକେ ଅଚଳ କରି ଆବୋରି ଧରିଛି ଓ ଆମକୁ ଅନେକଙ୍କୁ ଆମର ନିଜ ଘରେ ପ୍ରବାସୀ କରି ରଖିଛି, ସମସାମୟିକ ଆଫ୍ରିକାର ସାହିତ୍ୟରୁ ଦୃଷ୍ଟାନ୍ତ ଆଣି ଆମେ ତାହାର ଏକ ଅନୁମାନ କରିପାରିବା । ଔପନିବେଶିକ କାଳରେ ଇଉରୋପକୁ ଅନୁକରଣ କରିବାର ଯେଉଁ ଆତୁରତା ଆଫ୍ରିକୀୟ ଶିକ୍ଷିତ ବର୍ଗକୁ ଗ୍ରାସ କରି ପକାଇଥିଲା, ତାହାରି ଫଳରେ ଆଫ୍ରିକାର ସାହିତ୍ୟ ମଧ୍ୟ ଭୂଇଁଛଡ଼ା ହୋଇଗଲା । ଇଉରୋପ ଆଡ଼କୁ ଅତି କାମୁକତାର ନିଶୁଣିଟିଏ ପକାଇ ସିଏ ତାହାକୁ ହିଁ ବାଟ ବୋଲି କହିଲା । ଆଫ୍ରିକାର ଯେଉଁସବୁ ଦେଶ ସେତେବେଳେ ଇଂଲଣ୍ଡର ଅଧୀନରେ ଥିଲେ, ସେହିଗୁଡ଼ିକରେ ଏହି ପ୍ରବୃତ୍ତି ଟି ଏକ ବିଶେଷ ପ୍ରଚଣ୍ଡତା ହାସଲ କରିଥିଲା । ଉପନିବେଶଗୁଡ଼ିକ ରାଜନୀତିକ ସ୍ଵାଧୀନତା ହାସଲ କରିବା ପରେ ମଧ୍ୟ ସେହି ପ୍ରବୃତ୍ତି ଅବ୍ୟାହତ ରହିଲା । ଏବଂ ଉପସ୍ଥିତ ଆହ୍ଵାନଗୁଡ଼ିକୁ ଅସ୍ଵୀକାର କରି ତାହା ସ୍ଵାଧୀନ ଆଫ୍ରିକାର ବାବୁମାନଙ୍କ ମାଧ୍ୟମରେ ଆପଣାକୁ ଜାରି କରି ରଖିବାର ପ୍ରୟାସ କରିଥିଲା । ନୂତନ ଆଖିରେ ଆପଣାର ମାଟିଟିକୁ ଆବିଷ୍କାର କରିବାକୁ ଓ ଆଫ୍ରିକୀୟ ଚେରଗୁଡ଼ିକରୁ ହିଁ ଆଫ୍ରିକାର ସାହିତ୍ୟକୁ ଏକ ନୂତନ ମୋଡ଼ ଦେଇ ଗଢ଼ି ଆଣିବାକୁ ଉଦ୍ୟମ କରୁଥିବା ଏକ ସମାନ୍ତର ସାମ୍ପ୍ରତିକ ପ୍ରବୃତ୍ତି ପ୍ରଥମ ପ୍ରବୃତ୍ତିଟିକୁ Eurocentrism, Euromodernity ବୋଲି କହିବାକୁ ଆରମ୍ଭ କଲାଣି । ଆଫ୍ରିକାର ଯେଉଁ ଲେଖକ ଓ ସମୀକ୍ଷକମାନେ ଆପଣାର ଯାବତୀୟ ସାହିତ୍ୟକରଣାକୁ ଇଉରୋପୀୟ ସାହିତ୍ୟର ଏକ ଦରିଆପାରି ଦପ୍ତର (An Overseas Department of European Literature) ପରି ବିଚାର କରି ଆସିଛନ୍ତି ଏବଂ ତାହାରି ଦ୍ଵାରା ହିଁ ଆଧୁନିକ ବନିଗଲେ ବୋଲି ପୁଲକିତ ହେଉଛନ୍ତି, ସେମାନଙ୍କୁ ଏହି ନୂତନ ପ୍ରବୃତ୍ତିଟି ସତକୁ ସତ ଭୂଇଁଛଡ଼ା ବୋଲି ଚିହ୍ନାଇ ଦେବାକୁ ବାହାରିଲାଣି । ତାହାର ବକ୍ତବ୍ୟ ହେଉଛି ଯେ, ନିଜ ଲୋକଙ୍କ ଲାଗି କିଛି କହିବା ସକାଶେ ତୁମ ପାଖରେ ଯେତେବେଳେ ଆଦୌ କିଛି ନଥିବ,ସେତେବେଳେ ତୁମେ ହୁଏତ ଆପଣା ପାଖରେ ହିଁ ପ୍ରାୟ ସବୁଯାକ ପ୍ରଗଳ୍‌ଭତା ଦେଖାଇବାକୁ ମନ କରିବ ଓ ସ୍ଵଗତରେ ଚାଲିବାକୁ ହିଁ ଅସଲ ଚାଲିବା ବୋଲି କହି ଦୂନ୍ଦୂଭି ବଜାଇବ । ଅଥବା ନିଜ ଦେଶର ପ୍ରତିନିଧି ବନି ତୁମେ ମୂଳତଃ ବିଦେଶୀମାନଙ୍କ ଲାଗି ଲେଖିବ, ବିଦେଶୀମାନଙ୍କର ମନ ତୋଷିବାକୁ ଅତ୍ୟନ୍ତ ତତ୍ପର ହୋଇ ଉଠିଚ । ବିଦେଶୀମାନେ ତୁମର ମାଗି ଆଣିଥିବା ଚିତ୍ରକଳ୍ପଗୁଡ଼ିକର ସାହାଯ୍ୟରେ ତୁମକୁ କିଞ୍ଚିତ୍ ପରିମାଣରେ ବୁଝି ପାରୁଥିବେ ସିନା, ମାତ୍ର ତୁମର ଦେଶବାସୀମାନେ ଆଁ କରି ତୁମ ଆଡ଼କୁ ଅନାଇ ରହିଥିବେ; ତୁମେ ଯାହାସବୁ ଏଡ଼େ ପୁଲକରେ କହିବାରେ ଲାଗିଛ, ସେମାନେ ସେସବୁ ପ୍ରକୃତରେ କ’ଣ ବୋଲି ଠଉରାଇ ନପାରି ବିସ୍ମୟ ପ୍ରକାଶ କରୁଥିବେ । ଭାରତୀୟ ସାମ୍ପ୍ରତିକ ସାହିତ୍ୟରେ ସ୍ଵାଧୀନତାପରେ ଆଧୁନିକ ସାହିତ୍ୟ ନାମରେ ନବ୍ୟସାମନ୍ତମାନଙ୍କର ଯେଉଁ ଉପଦ୍ରବ ଚାଲିଛି, ଆମର ଭୂଇଁଛଡ଼ା ଶିକ୍ଷାବ୍ୟବସ୍ଥାରୁ ଯାହା ସମ୍ଭବତଃ ସବୁଠାରୁ ଅଧିକ ପୃଷ୍ଠପୋଷକତା ଲାଭ କରୁଛି ଓ ଦମ୍ଭ ଦେଖାଇବାର ସାହସ କରୁଛି, ଭାରତୀୟ ସାମ୍ପ୍ରତିକ ସମୀକ୍ଷା ସେଥିପ୍ରତି କଦାପି ଆଖି ବୁଜିଦେଇ ପାରିବନାହିଁ ।

 

ଯଥାର୍ଥ ସାହିତ୍ୟ ଆମର ଭାବ ତଥା ସମ୍ବନ୍ଧଗତ ଜୀବନକୁ ଗ୍ରାସ କରି ରହିଥିବା ବହୁବିଧ ବ୍ୟାଧି ଲାଗି ଏକ ଭେଷଜରୂପେ କାର୍ଯ୍ୟ ପାରିବ ବୋଲି ଆଧୁନିକ ମନୋବିଶ୍ଳେଷକମାନେ କହୁଛନ୍ତି । ସାମ୍ପ୍ରତିକ ଜୀବନକୁ, ଆମର ବ୍ୟକ୍ତିଗତ ତଥା ସାମୂହିକ ଉଭୟ ଜୀବନକୁ ବହୁ ପ୍ରକାରର ବ୍ୟାଧି ଗ୍ରାସ କରି ରହିଛି । ସେହି ବ୍ୟାଧିଗୁଡ଼ିକ ସହିତ ସତେଅବା କେଡ଼େ ସଉକରେ ଘର କରି ରହି ଆମେ ଏଗୁଡ଼ିକୁ କ୍ରମେ ବେଶ୍ ଆଦରି ଗଲୁଣି ଏବଂ ବେଳେ ବେଳେ ଏହିପରି ଆଦରି ଯିବାକୁ ହଁ ସଂସ୍କୃତି ବୋଲି କହିଲୁଣି । ସାମ୍ପ୍ରତିକ ସାହିତ୍ୟ ଏକାଧିକ ଅବସରରେ ସେହି ଜୀବନର ଯନ୍ତାଳ ଭିତରେ ପଡ଼ି ସ୍ଵୟଂ ବ୍ୟାଧିତ ହୋଇ ପଡ଼ୁଛି । ବ୍ୟାଧିଗୁଡ଼ାକୁ କଳାତ୍ମକ ଢଙ୍ଗରେ ଆମର ମନୋରଞ୍ଜନ କରିବାକୁ ସାହିତ୍ୟ ବେଳେବେଳେ ଆପଣାର ବ୍ୟାବସାୟାତ୍ମିକା ବୁଦ୍ଧି ଧରି ନେଉଛି । ସାହିତ୍ୟର କାନି ଧରି ଆମକୁ ପୁଲକ–ବିସ୍ମରଣ ଯୋଗାଇ ଦେବାର ଆଳ କରି ଆମ ଜଗତଟାକୁ ସତେଅବା ପଙ୍କ ଭିତରେ ଅଟକାଇ ରଖିଥିବା ବ୍ୟାଧିଗୁଡ଼ିକୁ ସାମ୍ପ୍ରତିକ ସମୀକ୍ଷା ଚିହ୍ନଟ କରି ଦେଖାଇ ଦେଇ ପାରୁଥିବ । ଯାବତୀୟ ଅଳପକୁ ତାହା ଅଳପ ବୋଲି ଦେଖାଇ ଦେଇ ପାରୁଥିବ ଏବଂ ଆମ ଅତ୍ୟୁତ୍ସାହୀ ଭାବପ୍ରବଣତା ଗୁଡ଼ିକୁ ନିରର୍ଥକ ବୋଲି ଘୋଷଣା କରିବାକୁ ସାହସ କରି ପାରୁଥିବ । ଆଜି ପୃଥିବୀରେ ଆମ ଜୀବନର ଯାବତୀୟ କ୍ଷେତ୍ରରେ, ରାଜନୀତି, ଅର୍ଥନୀତି, ବିଜ୍ଞାନ ଓ ନୈତିକତାର କ୍ଷେତ୍ରଗୁଡ଼ିକରେ ସର୍ବତ୍ର ଏକ ଉପଯୁକ୍ତ ବିକଳ୍ପ ଖୋଜିବାର ଯେଉଁ ନୂତନ ପର୍ବ ଆରମ୍ଭ ହେଉଛି ଓ ଆମର ବହୁ ପୁରାତନ ଅଭ୍ୟସ୍ତତାର ଘରେ ଉଦ୍‌ବେଳନ ସୃଷ୍ଟି କରିବାରେ ଲାଗିଛି, ସାମ୍ପ୍ରତିକ ସାହିତ୍ୟସମୀକ୍ଷା ସେଥିରେ ସହଯୋଗ କରିବ । ଉତ୍ତରୋତ୍ତର ବିବର୍ତ୍ତନର କ୍ରମରେ ଓ ମନୁଷ୍ୟର ହୃଦୟ ଭିତରେ ଆଗକୁ ପଡ଼ିଥିବା ବାଟଗୁଡ଼ିକୁ ତାହା ଅପ୍ରମତ୍ତ ଭାବରେ ଦେଖାଇ ଦେଇ ପାରୁଥିବ ।

 

ବିଶ୍ଵଭାରତୀ ଦୀପିକା/୧୧, ୧୯୯୦

Image

 

ବାସ୍ତବବାଦ : ସାହିତ୍ୟରେ ଓ ଜୀବନରେ

 

ଏକଦା ସାହିତ୍ୟ କହିଲେ ଆକାଶରୁ କୁସୁମ ତୋଳିବାକୁ ବୁଝାଉଥିଲା । ଆକାଶ,–ତାହା ଏହି ଜୀବନଠାରୁ ଅନେକ ଉର୍ଦ୍ଧ୍ଵରେ,–ସେଠାରେ ପହଞ୍ଚି ହେବନାହିଁ, ତାହାକୁ ସମ୍ୱଳ କରି ହେବନାହିଁ । ଆକାଶର କଳ୍ପନା ସେତେବେଳେ ସତେଅବା ଏକ ସ୍ଵର୍ଗର କଳ୍ପନାକୁ ହିଁ ବୁଝାଉଥିଲା । ସ୍ଵର୍ଗ କ’ଣ, ସେକଥା କେହି ଜାଣିନଥିଲେ; ମାତ୍ର, ପ୍ରାୟ ଏକ କ୍ଷତିପୂରଣର ଆବଶ୍ୟକତାରେ ପଡ଼ି ଏତିକି ଜାଣିଥିଲେ ଯେ, ଯାହାକିଛି ଏଠାରେ ନାହିଁ, ସେଗୁଡ଼ିକ ସେଠାରେ ନିଶ୍ଚିତ ଭାବରେ ଭର୍ତ୍ତି ହୋଇ ରହିଛି । ଏଠାରେ ନଥିବା ଦ୍ରବ୍ୟ ଓ ତା’ର ଅଭାବପ୍ରଧାନ ଅନୁଭବଗୁଡ଼ିକୁ ସାହିତ୍ୟିକମାନେ ଫୁଲ ବୋଲି କଳ୍ପନା କରୁଥିଲେ ଓ ବେଳେବେଳେ ସ୍ଵର୍ଗଭିତରେ ପଶି ସେହି ଫୁଲଗୁଡ଼ିକର ଚୟନ କରୁଥିଲେ । ସ୍ଵର୍ଗରେ ଦେବତାମାନେ ଥାଆନ୍ତି ଓ ସ୍ଵର୍ଗକୁ ଭୋଗ କରନ୍ତି ବୋଲି ପୁରାଣମାନଙ୍କରେ ଲେଖା ହୋଇ ରହିଥିଲା । ସ୍ଵର୍ଗର ଦେବତାମାନଙ୍କ ପରି ସାହିତ୍ୟରୂପୀ ସ୍ଵର୍ଗରେ ସାହିତ୍ୟିକମାନେ ରସିକମାନଙ୍କର କଳ୍ପନା କରିଥିଲେ । ରସିକବ୍ୟାଖ୍ୟାରୁ ଅନୁପ୍ରାଣିତ ହୋଇ ସମ୍ଭବତଃ ରସବ୍ୟାଖ୍ୟା ଲାଗି ଶାସ୍ତ୍ର ଲେଖା ହେଉଥିଲା । କଳ୍ପନାର ଅହେତୁକୀ ଗୋଡ଼ମାନଙ୍କର ସାହାଯ୍ୟରେ ରସମୀମାଂସାର ରସଦଗୁଡ଼ାକୁ ସଂଗ୍ରହ କରିବାଲାଗି କଳ୍ପନାର ଉପବନରେ ବିଚରଣ କରା ଯାଉଥିଲା । ସେତେବେଳେ ଜୀବନକୁ ସହ୍ୟ କରି ନେବାଲାଗି ସାହିତ୍ୟ ହେଉଥିଲା । ମଝିରେ ମଝିରେ ଜୀବନ ଭିତରୁ ବାହାରିଯାଇ ଅଥବା ଜୀବନର ଆଠପହରୀ ଭିତରେ ଅଲଗା କରି ସାହିତ୍ୟ ବୋଲି କୋଣଟିଏ ରଖି ତାହାରି ଭିତରେ ମୋହ ହୋଇ ବସି ମଣିଷକୁ ଜୀବନକୁ ବଞ୍ଚିବାର ଯାବତୀୟ ସନ୍ତାପ ଓ ସନ୍ତପ୍ତତାକୁ ଭୁଲି ଆସିବାକୁ ଚେଷ୍ଟା କରୁଥିଲା ।

 

କ୍ରମେ ମଣିଷ ବଦଳିଲା । ସେହି ଅନୁସାରେ କାଳ ମଧ୍ୟ ବଦଳିଲା, ଦିଗ୍‌ବଳୟମାନେ ନାନା ନୂତନ ସମ୍ଭାବନା ଓ ବ୍ୟଞ୍ଜନାର ଉପସ୍ଥାପନା କଲେ । ପ୍ରାଚୀନ କାଳ ଆଧୁନିକ କାଳ ହେଲା-। ମଣିଷର ଅତିକ୍ରମ ଏବଂ ଉପଲବ୍ଧିମାନ ବଦଳିବା ସଙ୍ଗେ ସଙ୍ଗେ ସିଏ ମାନି ଆସିଥିବା ସଜ୍ଞାଗୁଡ଼ିକ ମଧ୍ୟ ବଦଳି ଯିବାକୁ ଲାଗିଲେ । ମଣିଷ କୁସୁମଗୁଡ଼ିକୁ ଏଇଠି ଫୁଟାଇ ଏଇଠି ତୋଳିବାକୁ ମନ କଲା । ସ୍ଵର୍ଗର କଳ୍ପନା ଭୂଇଁ ଛୁଇଁଲା । ମଣିଷ ଏଇଠି ଏହି ଭୂଇଁ ଉପରେ ସ୍ଵର୍ଗକୁ ଦେଖି ପାରିଲା ,–ଅର୍ଥାତ୍ ଏହି ସଂସାରକୁ ନେଇ ସିଏ ସ୍ଵର୍ଗର କଳ୍ପନା କରିବାକୁ ଆରମ୍ଭ କଲା ଏବଂ ସେହି ସ୍ଵର୍ଗକୁ ଏଇଠାରେ ଗଢ଼ାଯାଇ ପାରିବ ବୋଲି ବିଶ୍ଵାସ ବି କଲା । ତେଣୁ ସିଏ ଫୁଲଗୁଡ଼ାକୁ ମଧ୍ୟ ଏଇଠି ଅନୁଭବ କଲା । ପଦ୍ମର ତଲାଶରେ ପଙ୍କକୁ ଛାଡ଼ି ଆଉ କୁଆଡ଼େ ପଳାଇ ଯିବାକୁ ତା’ର ଆଉ ମୋଟେ ମନ ହେଲାନାହିଁ,–ସିଏ ପଙ୍କ ଭିତରେ ପଦ୍ମସମ୍ଭବକୁ ପ୍ରତ୍ୟକ୍ଷ କରି ପାରିଲା;–ଏକ ସ୍ଵପ୍ନ ରୂପେ, ଏକ ଅନ୍ୟ ଆକାଂକ୍ଷା ଓ ଅନୁରାଗରୂପେ ପ୍ରତ୍ୟକ୍ଷ କଲା । ଆଧୁନିକ ମଣିଷର ଏହି ସ୍ଵପ୍ନ,–ଏଇଠି ଫୁଲ ଫୁଟାଇ ସ୍ଵର୍ଗକୁ ସମ୍ଭବ କରିବାର ସ୍ଵପ୍ନ,–ଏହି ଆକାଂକ୍ଷା ଓ ଏହି ଅନୁରାଗ, ତାହା ହେଉଛି ବାସ୍ତବବାଦ । ବାସ୍ତବକୁ ଛାଡ଼ି ପଳାଇଲେ ମଣିଷ ବାସ୍ତବରୁ ମୁକୁଳି ଯାଇ ପାରିବ,–ପ୍ରାଚୀନ ଆଦର୍ଶବାଦ ତାକୁ ଏହିଭଳି ଏକ ପରମ୍ପରା ଭିତରେ ଭଳାଇ, ଭଣ୍ଡାଇ ଓ ସହିଷ୍ଣୁ କରି ରଖି ଆସିବା ପରେ ଯାଇ ମଣିଷ ବାସ୍ତବକୁ ଏକ ଅନ୍ୟ ଆଖିରେ ଦେଖିବାକୁ ପାଇଲା । ଆଦର୍ଶ ଭିତରୁ ପଳାଇ ଆସିବାକୁ ମଣିଷ ବାସ୍ତବବାଦକୁ ଲୋଡ଼ିଲାନାହିଁ । ଆଦର୍ଶ ଭିତରୁ ପଳାଇ ଆସିବାକୁ ମଣିଷ ବାସ୍ତବବାଦକୁ ଲୋଡ଼ିଲାନାହିଁ । ଆଦର୍ଶ ଏହି ଭୂଇଁ ଉପରେ ହିଁ ଫଳିବ, ଫୁଟିବ, ପାଗ ହେବ,–ଏହିପରି ଏକ ଅନ୍ୟ ବ୍ୟାକୁଳତା, ତାହାହିଁ ବାସ୍ତବବାଦ । ଆଦର୍ଶକୁ ନିକଟବର୍ତ୍ତୀ କରି ଆଣିବା,–ଆଦର୍ଶ ଭିତରେ ଇହକ୍ଷେତ୍ରର ସବୁକିଛିକୁ ସନ୍ତୁଳିତ ଓ ସମଗ୍ର କରି ଦେଖିବା, ଫୁଲଟିକୁ ତା’ର ମାଟି, ପାଣି ଓ ପବନର ଚିହ୍ନା ନିଃଶ୍ଵାସପ୍ରଶ୍ଵାସ ଦେଇ ଦେଖିବା, ସେହି ନିଃଶ୍ଵାସ–ପ୍ରଶ୍ଵାସ ଗୁଡ଼ିକୁ ଦେଇ ଏହି ଭୂଇଁ ଉପରୁ ହିଁ ଯାବତୀୟ ଫୁଲ ଫୁଟିବାକୁ ସମ୍ଭବ କରିବା,–ତାହାହିଁ ମନୁଷ୍ୟର ଯଥାର୍ଥ ବାସ୍ତବବାଦୀ ବ୍ୟାକୁଳତା । ତା’ର ଏହି ବ୍ୟାକୁଳତା ଦେବତାମାନଙ୍କୁ ସ୍ଵର୍ଗର ଅପହଞ୍ଚ ଭିତରୁ ଏହି ମର୍ତ୍ତ୍ୟକୁ ଟାଣିଆଣେ, ମର୍ତ୍ତ୍ୟକୁ ଅମୃତମୟ କରିବାକୁ ଏକ ଅନ୍ୟ ପ୍ରକାରର ସ୍ଵପ୍ନ ଦେଖେ-। ସେତେବେଳେ ତା’ର ସାହିତ୍ୟ ବି ଅନ୍ୟ ପ୍ରକାରର ହୋଇଯାଏ । ତା’ର ରସବ୍ୟାଖ୍ୟା ଏକ ଅନ୍ୟ ଦୀକ୍ଷା ଗ୍ରହଣ କରେ,–ଅନ୍ୟ ପ୍ରସ୍ଥମାନଙ୍କୁ ଲୋଡ଼େ, ଅନ୍ୟ ଗଭୀରତାଗୁଡ଼ିକୁ ଲୋଡ଼େ । ଶୂଚି ଓ ଶୈଳୀର ସଂଜ୍ଞା ବଦଳିଯାଏ,–ଆୟତନର ବାହାରେ ରହି ଆସିଥିବା ଅନେକ ସାମଗ୍ରୀ ଆୟତନର ଭିତରକୁ ଆସି ଯାଆନ୍ତି, ଅତ୍ୟନ୍ତ ସ୍ଵାଭାବିକ ଭାବରେ ଆସିଯାଆନ୍ତି । ଶ୍ରଦ୍ଧାର ପ୍ରସ୍ଥଗୁଡ଼ିକ ଅଧିକ ବ୍ୟାପକ ହୁଅନ୍ତି,–ପାରମ୍ପରିକ ସାହିତ୍ୟ ପ୍ରାୟ ଏକ ପ୍ରୟୋଜନ ଦ୍ଵାରା ବାଧ୍ୟ ହୋଇ ଯେଉଁ ସ୍ପର୍ଶକାତରତା ଗୁଡ଼ାକୁ ସାର ଓ ଗାର କରି ଧରିଥାଏ, ସେମାନେ ଏହି ଅନ୍ୟ ପ୍ରେରଣାଟି ମଧ୍ୟରେ କୁଆଡ଼େ ପାସୋରି ହୋଇ ଯାଆନ୍ତି । ଆପଣାକୁ ଅଧିକ ସ୍ପର୍ଶକ୍ଷମ କରାଇ ସାହିତ୍ୟ ଅଧିକ ସ୍ପୃଶ୍ୟ ହୁଏ, ଅଧିକ ବ୍ୟାପକ ହୁଏ ।

 

ଜୀବନ ଯେତିକି ବଡ଼, ସାହିତ୍ୟ ବି ସେତିକି ବଡ଼; ଜୀବନର ଯେତିକି ପ୍ରସ୍ଥ, ସାହିତ୍ୟର ବି ସେତିକି ପ୍ରସ୍ଥ; ଜୀବନ ଯେଡ଼ିକି ସମଗ୍ର, ସାହିତ୍ୟ ବି ସେଡ଼ିକି ସମଗ୍ର । ଏହା ହେଉଛି ସାହିତ୍ୟର ଭୂମି ଭିତରେ ଆପଣାର ପ୍ରବେଶ ଘଟାଇଥିବା ବାସ୍ତବବାଦର ଅସଲ କଥା । ଜୀବନକୁ ଭଲ ପାଇଲେ ମଣିଷ ଯଥାର୍ଥରେ ବାସ୍ତବବାଦୀ ହୁଏ । ପ୍ରାଚୀନ ଏବଂ ମଧ୍ୟଯୁଗରେ ମଣିଷ ଏକାଧିକ କାରଣରୁ ଜୀବନକୁ ଭଲ ପାଇ ପାରୁନଥିଲା, ସେଇଥିଲାଗି ସେହିସବୁ ଯୁଗର ସାହିତ୍ୟକାର ସାହିତ୍ୟ ନାମରେ ଜୀବନ ବାହାରେ ଅଲଗା କୋଣଟିଏ ବାଛିନେଇ ସେଇଠି ଚଉହଦୀ ବସାଇ କାବ୍ୟ ଲେଖୁଥିଲା, ଋତୁସଂହାର କରୁଥିଲା, ଆପଣାର ସୌନ୍ଦର୍ଯ୍ୟରୂପୀ କୁମାରମାନଙ୍କର ସମ୍ଭବ ଘଟାଉଥିଲା, ଭୂଇଁ ତଳକୁ ନଅନାଇ, ଆପଣାର ଚତୁର୍ଦ୍ଦିଗକୁ ନଅନାଇ ଏବଂ ଆପଣା ଭିତରେ ଚତୁର୍ଦ୍ଦିଗ ସହିତ ଲାଗି ରହିଥିବା ସୂତ୍ରଗୁଡ଼ିକୁ ସ୍ଵୀକାର ନକରି ସେତେବେଳେ ସାହିତ୍ୟ କଳ୍ପନାର କେତେ ନା କେତେ ଅଭିନବ–ବାରାଣସୀ–କଟକ ମାନଙ୍କରେ ମୃଗୟା କରି ବୁଲୁଥିଲା । ସ୍ଵୟଂ ଈଶ୍ଵର ମଧ୍ୟ ବାୟବୀୟ ହୋଇ ରହିଥିଲେ । ମନ ଇଚ୍ଛା ତାଙ୍କର ସ୍ତୁତି କରି ହେଉଥିଲା, ମାତ୍ର ତାଙ୍କୁ ଭୂଇଁଗୁଡ଼ାକୁ ମୋଟେ ଛୁଆଁଇ ଦିଆ ଯାଉନଥିଲା । ମଧ୍ୟ ଯୁଗର ଅତିରିକ୍ତତା ଗୁଡ଼ାକ ଦ୍ଵାରା କ୍ଳାନ୍ତ ମଣିଷ ଇଉରୋପରେ ପ୍ରଥମେ ଭଗବାନଙ୍କୁ ଛାଡ଼ି ପ୍ରକୃତି ଆଡ଼କୁ ମନ କଲା, ତାହା ତାକୁ ଏକ ଅଭାବନୀୟ ଜୀବନଭୂମି ଆଣି ଯୋଗାଇଦେଲା । ସେହି ଜୀବନଭୂମିରେ ହିଁ ସେ ମନୁଷ୍ୟକୁ ଆବିଷ୍କାର କଲା, ଈଶ୍ଵରଙ୍କର ପୁନରାବିଷ୍କାର କଲା,–ଆପଣାର ଲବ୍ଧ ନୂତନ ସମଗ୍ରଟିର ଅନୁଶୀଳନ ଏବଂ ଅନୁକଳନ କରୁ କରୁ ସିଏ ବାସ୍ତବବାଦୀ ହେଲା । ବାସ୍ତବବାଦୀ ହେବାରୁ ହିଁ ତା’ର ଅଭୀପ୍ସାଗୁଡ଼ିକ ଯଥାର୍ଥରେ ସୃଜନାତ୍ମକ ହୋଇ ପାରିଲା । ଆପଣାର ବିଶ୍ଵାସକୁ ଦର୍ପଣ ପରି କରି ନୂଆ ମଣିଷ ତା’ଉପରେ ଆପଣାର ଯେଉଁ ବିଶ୍ଵଭବିଷ୍ୟଟିକୁ ଦେଖିବାକୁ ପାଇଲା, ସେଥିରୁ ପ୍ରାଚୀନ ଆଦୌ ବାଦ୍ ଗଲାନାହିଁ, ପରମ୍ପରା ବାଦ୍ ଗଲାନାହିଁ, ଆଦର୍ଶ ବାଦ୍ ଗଲାନାହିଁ; ମାତ୍ର ଏକ ଅନିତ୍ୟବାଦୀ ବୃଦ୍ଧକୁ ସ୍ଥାନଚ୍ୟୁତ କରି ମଣିଷ ଭିତରେ ସମ୍ଭାବନାର ଅନନ୍ତତା ଉପରେ ବିଶ୍ଵାସ କରୁଥିବା ଏକ ଅନମନୀୟ ନିତ୍ୟଶିଶୁ ଜନ୍ମଲାଭ କରିଥିଲା ।

 

ଆମେ ଯେତିକି ଦେଖୁଛୁ, ତାହାହିଁ ବାସ୍ତବ ନୁହେଁ; ଯିଏ ଯେତିକି ଦେଖୁଛି, ହୁଏତ ତାକୁ ସିଏ ବାସ୍ତବ ବୋଲି ମନେ କରୁଛି ସତ, ମାତ୍ର ତାହାହିଁ କଦାପି ବାସ୍ତବ ନୁହେଁ । ଆମେ ପ୍ରତ୍ୟେକେ ଯେତିକି ଦେଖୁ, ଏକ ଉତ୍ତେଜନାପୂର୍ଣ୍ଣ ଭ୍ରମରେ ପଡ଼ି ଅନେକ ସମୟରେ ତାହାକୁ ହିଁ ଅର୍ଥାତ୍ ସେତିକିକୁ ହିଁ ବାସ୍ତବ ବୋଲି କହିଥାଉ । ସୂକ୍ଷ୍ମଦର୍ଶୀ ଓ ସ୍ଥୂଳଦର୍ଶୀ ଉଭୟେ ଏହି ଭୁଲ କରିଥାନ୍ତି । ମାତ୍ର, ଅସଲ କଥା ହେଉଛି, ଆମର ଚେତନା ଯେତିକି ଦେଖେ, ଆମେ କେବଳ ସେତିକି ଦେଖିଥାଉ । ଅନ୍ଧାରକୁ ଅନେକେ ତୁଚ୍ଛା ଅନ୍ଧାର ବୋଲି ଦେଖନ୍ତି; ମାତ୍ର ଉପନିଷଦର ଋଷି ଅନ୍ଧାର ଭିତରେ ଅମୃତମୟ ଅନ୍ତର୍ଯ୍ୟାମୀ–ପୁରୁଷଙ୍କୁ ଦେଖନ୍ତି; ମାତ୍ର ସେହି ବସ୍ତୁ ଭିତରେ ଯେଉଁସବୁ ଅର୍ଥ ନିହିତ ହୋଇ ରହିଛି, ଯିଏ ଅର୍ଥ ଖୋଜି ବସ୍ତୁର ନିକଟବର୍ତ୍ତୀ ହୁଏ, କେବଳ ସେଇ ସେହି ଅର୍ଥକୁ ଦେଖେ । ଯେତିକି ଲୋଡ଼େ, ସେତିକି ପାଏ । ଅନ୍ନକୁ କେବଳ ଅନ୍ନ ବୋଲି ଦେଖିବା ଏକ ଅଶ୍ଳୀଳତା;–ଅନ୍ନ ଭିତରେ ପ୍ରବେଶ କରିବାକୁ ହୁଏ, ଆପଣା ଅନୁରାଗର ନିର୍ଦ୍ଦେଶନାଗୁଡ଼ିକୁ ମାନି ଅଧିକରୁ ଅଧିକ ଗଭୀରକୁ ପ୍ରବେଶ କରିବାକୁ ହୁଏ, ତେବେ ଯାଇ “ଅନ୍ନଂ ବ୍ରହ୍ମ ଇତି ବିଜାନାମଃ” ବୋଲି କହିହୁଏ । ଆମେ ସମସ୍ତେ ଆମର ଚଉପାଶକୁ ଦେଖୁ, ସମାଜକୁ ଦେଖୁ, ଚତୁର୍ଦ୍ଦିଗରେ ଆତଯାତ ହେଉଥିବା ଜୀବନକୁ ଦେଖୁ । ତଥାପି, କେବଳ ନିଜ ଆଖିର ମାପକଗୁଡ଼ିକୁ ଦେଇ ଏହି ସବୁକିଛିକୁ ଦେଖୁ । ସେଗୁଡ଼ିକ ଉପରେ ଆଗ ଆମ ନିଜର ରଙ୍ଗଗୁଡ଼ିକୁ ବୋଳି ତା’ପରେ ଯାଇ ଦେଖୁ, ଯେତିକି ଗଭୀର ଓ ଅର୍ଥପରିଧି ଭିତରକୁ ଆମର ପ୍ରବେଶ ଅଛି, କେବଳ ତାହାରି ଭିତରେ ଆବଦ୍ଧ ହୋଇ ଦେଖୁ । ଆଉ ଅଧିକ ଯିବାଲାଗି ଅମଙ୍ଗ ହୋଇ ରହିଥାଉ । ଶାସ୍ତ୍ରକାରମାନେ ବି ଏହିପରି ଭାବରେ ନିତାନ୍ତ ଏକାନ୍ତବାଦୀ ହୋଇ କେଡ଼େ ସନ୍ତର୍ପଣ ସହିତ କେବଳ ନିଜ ନାଭିଟିର ହିଁ ପରିକ୍ରମା କରିବାରେ ଲାଗିଥାନ୍ତି । ଖୁବ୍ ବେଶୀ ବାଟ ଯାଇ ସେମାନେ ଅନେକାନ୍ତବାଦୀ ହୁଅନ୍ତି ସିନା, ତଥାପି ସମଗ୍ରବାଦୀ ହୋଇ ପାରନ୍ତି ନାହିଁ । ଆଧୁନିକ ବିଜ୍ଞାନ ମଧ୍ୟ କହିବାକୁ ଆରମ୍ଭ କଲାଣି ଯେ, ଦେଖିବାର, କଳିବାର, ଲୋଡ଼ିବାର ଏବଂ ମାପିବାର ଅସୁମାରି ପ୍ରସ୍ଥ ରହିଛି । ସତ୍ୟର ଅନନ୍ତ ପ୍ରସ୍ଥ ରହିଛି । ତେଣୁ, ଏକ ଅନନ୍ତପ୍ରସ୍ଥଯୁକ୍ତ ଓ ପୂର୍ଣ୍ଣସମ୍ମତ ଶ୍ରଦ୍ଧା ନେଇ ସତ୍ୟ ପାଖକୁ ଆସିବାକୁ ହୁଏ, ଜୀବନ ପାଖକୁ ଆସିବାକୁ ହୁଏ, ତେଣୁ ସାହିତ୍ୟ ପାଖକୁ ବି ଆସିବାକୁ ହୁଏ । ସାହିତ୍ୟରେ ବାସ୍ତବବାଦ ଏହି ଶ୍ରଦ୍ଧାଟିକୁ ହିଁ ଆପଣାର ପୁଞ୍ଜି ଓ ପ୍ରେରଣା ରୂପେ ଗ୍ରହଣ କରି ପାରିଥିଲେ ଯାଇ ଆପଣାକୁ ଅଟକି ରହିଯିବାର ନାନା ପ୍ରମାଦରୁ ରକ୍ଷା କରିବାକୁ ସମର୍ଥ ହୁଏ । ତେଣୁ, ଆମର ଗୋଟାଏ ଗୋଡ଼ ସାହିତ୍ୟରେ ଥିବ, ଆଉଗୋଟାଏ ଗୋଡ଼ ଜୀବନ ଭିତରେ ରହିଥିବ; ଆମେ ଗୋଡ଼ଟାକୁ ଆମର କଳାତ୍ମକତା, ସୌନ୍ଦର୍ଯ୍ୟାନୁଭୂତି ଏବଂ ଆହୁରି କେତେ କ’ଣ ବୋଲି କହୁଥିବା, ଏହା ହେଉଛି ଏକ ଅସୁସ୍ଥତା । ଆମେ ହୁଏତ ଦୁଇଟାଯାକକୁ ବିଚକ୍ଷଣ ସଫଳତା ସହିତ ସାଧ୍ୟ କରି ପାରୁଥିଲେ ମଧ୍ୟ ତାହା ଏକ ଅସୁସ୍ଥତା ।

 

ସତ୍ୟର ଅର୍ଥ ଏକ ସମଗ୍ରବୋଧ, ଏକ ଏକତ୍ଵର ବୋଧ । ଏହି ସମଗ୍ରବୋଧ ଯେଉଁ ସ୍ତରର ହୋଇଥିବ, ଅର୍ଥାତ୍ ଯେତେ ଅଧିକକୁ ଆପଣା ଭିତରକୁ ସ୍ଵୀକାର କରିନେଇ ପାରୁଥିବ, ଆମଦ୍ଵାରା ଉପଲବ୍ଧ ହେଉଥିବା ସତ୍ୟ ମଧ୍ୟ ଠିକ୍ ସେହି ସ୍ତରର ହୋଇ ରହିଥିବ । ପ୍ରାଚୀନ ଗ୍ରୀକ୍‌ମାନେ ସତ୍ୟ ଅର୍ଥରେ ଯେଉଁ wletheia ଶବ୍ଦଟିକୁ ବ୍ୟବହାର କରିଥିଲେ, ତାହାର ମୂଳ ଅର୍ଥାବେଦନଟି ହେଲା ‘ଆବିଷ୍କାର କରିବା’ । ଅର୍ଥାତ୍, ଯେଉଁ ଆବରଣଟି ମଝିରେ ରହି ଆମେ ଲୋଡ଼ୁଥିବା ବସ୍ତୁଟିକୁ ଆଚ୍ଛାଦିତ କରି ରଖିଛି, ଆମାଠାରୁ ତାହାକୁ ଅନ୍ତରାଳ କରି ରଖିଛି, ତାହାର ଅପସାରଣ ଘଟାଇବା । (୧) ଆବିଷ୍କାର କରିବା, ଅପସାରଣ–କ୍ରିୟାର କୌଣସି ନିପାତନସିଦ୍ଧ ଶେଷ ଗାର ନାହିଁ । ଆଜି ମଣିଷର ଯାହା ଆଦର୍ଶ ହୋଇ ରହିଥିଲା, ଏହି କ୍ରମୋତ୍ତର ଅପସାରଣ, ଅତିକ୍ରମଣ ଅର୍ଥାତ୍ ସଂପ୍ରସାରଣ ଫଳରେ ତାହା କାଲିକୁ ବାସ୍ତବରେ ପରିଣତ ହୋଇ ଯାଉଛି, ବିଗତ ଯୁଗର କୌଣସି ଏକ ସମାଜରେ ଯାହା ମଣିଷ ଲାଗି ଅସାଧ୍ୟ ଓ ଅପହଞ୍ଚ ହୋଇ ରହିଥିଲା, ଆଜି ତାହା ଏବର ମଣିଷପାଇଁ ସାଧ୍ୟ ହୋଇଯାଉଛି, ବାସ୍ତବ ହୋଇଯାଇଛି, ବିଜ୍ଞାନ ସମ୍ଭବତଃ ସବୁଠାରୁ ଅଧିକ ଶକ୍ତିଶାଳୀ ପ୍ରତ୍ୟୟଟିକୁ ଯୋଗାଇ ଦେଇ ମଣିଷକୁ ଆଦର୍ଶ ବନାମ ବାସ୍ତବର ଏହି ଦ୍ଵିବିଭାଜନ ଭିତରୁ ଆଧୁନିକ ସମଗ୍ରତର ବାସ୍ତବବୋଧ ଏବଂ ବାସ୍ତବବ୍ୟାଖ୍ୟା ଆଡ଼କୁ ଅଗ୍ରସର କରାଇ ଆଣିଛି । ସେହି ପ୍ରତ୍ୟୟ ଆଧୁନିକ ମଣିଷର ଜୀବନରେ ଏବଂ ସାହିତ୍ୟରେ ବାସ୍ତବ ଏବଂ ସମ୍ଭାବ୍ୟର ସଂଜ୍ଞାଗୁଡ଼ିକୁ ମଧ୍ୟ ବହୁଗୁଣ ସମ୍ପ୍ରସାରିତ କରିଦେଇ ପାରିଛି । ଦର୍ଶନ ଓ ଜୀବନ ଆଗେ ସତେଅବା ଦୁଇ ଅଲଗା ଆଡ଼କୁ ମୁହଁ କରି ରହିଥିଲା । ଦର୍ଶନର ନ୍ୟାୟଗୁଡ଼ିକ ଜୀବନର ନ୍ୟାୟଠାରୁ ସତେଅବା ଯୋଜନେ ଦୂରରେ ରହିଥିଲା । ଯିଏ ଯେତିକି ତଳି ଛାଡ଼ି ଯାଉଥିଲା ଓ ଭୂଇଁ ଛାଡ଼ି ବୁଲୁଥିଲା, ତାର ଦର୍ଶନକୁ ହୁଏତ ସେତିକି ଗମ୍ଭୀର ଓ ଶୁଦ୍ଧ ବୋଲି କୁହାଯାଉଥିଲା । ଦାର୍ଶନିକମାନେ ସତେଅବା ଗୁମ୍ଫାଭିତରେ ରହି, ନିର୍ଲିପ୍ତ ହୋଇ ରହି ଏକାନ୍ତରେ ଦର୍ଶନ କରୁଥିଲେ-। ଊନବିଂଶ ଶତାବ୍ଦୀର ଇଉରୋପରେ ଆମେ ତାହାର ଏକ ପ୍ରତିବାଦ ଆରମ୍ଭ ହୋଇଥିବାର ଧ୍ୱନି ଶୁଣିବାକୁ ପାଇବା । କାଲ୍ ମାର୍କସଙ୍କର ପୂର୍ବବର୍ତ୍ତୀ ଜଣେ ବିଚାରଙ୍କର ଭାଷାରେ, “ତୁମେ ଜୀବନକୁ ଛାଡ଼ି ସତେଅବା ଜୀବନଗତ ଆହ୍ୱାନର ସମ୍ମୁଖୀନ ହେବାର ଏକ ବିକଳ୍ପ ରୂପେ ଜଣେ ଦାର୍ଶନିକ ହେବାପାଇଁ ମୋଟେ ଇଚ୍ଛା କରନାହିଁ । ....କେବଳ ତୁଚ୍ଛା ଭାବୁକ ଭାବରେ ଆଦୌ କିଛି ଭାବିବାକୁ ମନ କରନାହିଁ । ତୁମେ ଭାବ, ମାତ୍ର ଏକ ଜୀବନ୍ତ ଓ ବାସ୍ତବ ସତ୍ତା ହିସାବରେ ଭାବ-। ଏହି ସମଗ୍ର ଜୀବନ ମଧ୍ୟରେ ଅବସ୍ଥିତ ରହି ହିଁ ଯାହାକିଛି ଭାବିବାକୁ ପ୍ରବୃତ୍ତ ହୁଅ-।” (୨)

 

ଧର୍ମ, ଚେତନା, ସାହିତ୍ୟ, ସୌନ୍ଦର୍ଯ୍ୟ, କଳା ଓ କଳାତ୍ମକତା,–ଏସବୁ କ’ଣ କେବଳ ଗୋଟାଏ ଗୋଟାଏ ବ୍ୟକ୍ତିଗତ ଅନୁଶୀଳନ ? ସକଳ ସତ୍ୟ, ସକଳ ଚେତନା ଓ ସକଳ ଚେତନାର ଆଦିମୂଳ ମନୁଷ୍ୟର ହୃଦୟ ଭିତରେ ରହିଛନ୍ତି ବୋଲି ଭାରତବର୍ଷରେ ପ୍ରାଚୀନ କାଳର ଋଷିମାନେ କହିଛନ୍ତି । ଆମର ହୃଦୟ କ’ଣ ଗୋଟାଏ ଗୁମ୍ଫା ପରି, ଯେଉଁଠାରେ କି ଆମେ ନିବୁଜ ଭାବରେ ଆପଣାର ଯାତ୍ରାଟିକୁ ଆପେ ଚାଲିପାରିବୁ, ଆପଣାର ଘରଟିକୁ ଏକୁଟିଆ ନିର୍ମାଣ କରି ରହି ପାରିବୁ ଓ ଆପଣାର ଯାବତୀୟ ଅର୍ଜନ ତଥା ଉପଲବ୍ଧିକୁ କେବଳ ଆପଣାର ବୋଲି କହି ତାହାକୁ ଏକୁଟିଆ ଭୋଗ କରିପାରିବୁ ? ପ୍ରାଚୀନ ଏକାନ୍ତବାଦୀମାନେ ଅଧିକାଂଶ ସ୍ଥଳରେ ସେହିକଥା କହି ଆସିଥିଲେ । ଆଧୁନିକ ବାସ୍ତବବାଦ ଏବେ ସେହି ମୂଳ ଅନୁମାନଟି ବିଷୟରେ ସଂଶୟ ପ୍ରକାଶ କରୁଛି । ଯଦି ଚେତନା ବୋଲି କୌଣସି ବିତ୍ତ ମଣିଷ ପାଖରେ ରହିଥାଏ, ତେବେ ତାହା ତା’ଭିତରେ ପାଚେରୀ ଠିଆ କରି ବାହାରଠାରୁ ବିଚ୍ୟୁତ ଏବଂ ବିଚ୍ଛିନ୍ନ ହୋଇ ରହିବାଲାଗି ମୋଟେ ନୁହେଁ । ଯିଏ ପଳାୟନ କରେ, ଆପଣାର ଅହଂଗୁଡ଼ାକୁ ଏଡ଼େବଡ଼ ହୁଙ୍କାଟାଏ କରି ଥାପି ଯିଏ ତାହାରି ଭିତରେ ଏକ ରାଣୀଉଇ ପରି ରହି ଆପାଣାର ସାମ୍ରାଜ୍ୟଟାକୁ ଆପେ ଭୋଗ କରୁଥାଏ, ସିଏ ଯାବତୀୟ ଚିନ୍ମୟତାରୁ ବଞ୍ଚିତ ହୋଇ ରହିଥାଏ । ଚେତନା ଯୁକ୍ତ କରାଏ, ଡୋର ବାନ୍ଧେ, ଘରୁ ବାହାର କରିଆଣି ଆକାଶ ସହିତ ଡୋର ବନ୍ଧାଇଦିଏ । ଚେତନା ଦ୍ଵାରା ଅନୁପ୍ରେରିତ ମଣିଷ ଡୋର ବାନ୍ଧି ବୁଲୁଥାଏ, ଆପଣାର ସଂଜ୍ଞାଗୁଡ଼ିକରେ ଅନୁକ୍ଷଣ ଏକ ପ୍ରସାରଣ ଘଟାଇବାରେ ଲାଗିଥାଏ । ଏବଂ, ପ୍ରସାରିତ ହୋଇଯିବାର ଏହି ପ୍ରକ୍ରିୟାଟି ଯଦି ସୁସ୍ଥ ଭାବରେ ଆପଣାକୁ ପ୍ରେରିତ କରାଇ ପାରୁଥାଏ, ଯଦି ଭିତରେ କୌଣସି ଅନ୍ୟ ଜ୍ଵର, ଅନ୍ୟ–କାମୁକତା ଅଥବା ଅନ୍ୟ ପ୍ରକୋପ ନଥାଏ, ତେବେ ଦାଣ୍ଡକୁ ବାହାରି ସିଏ ସବାଆଗ ଅନ୍ୟ ମଣିଷମାନଙ୍କୁ ଦେଖେ । ଠିକ୍ ତାହାରିଭଳି ମଣିଷମାନଙ୍କୁ ଦେଖେ । ଅର୍ଥାତ୍, ଏକ ମଣିଷସମାଜକୁ ଦେଖେ । ଆପଣାକୁ ଏକ ସମାଜ ଭିତରେ ଆବିଷ୍କାର କରେ ଏବଂ ସେହି ଆବିଷ୍କାର ତା’ର ଆତ୍ମୀୟତାର କ୍ଷେତ୍ରରେ ମଧ୍ୟ ଏକ ପ୍ରସାରଣ ଘଟାଏ । ସିଏ ସମାଜକୁ ଠିକ୍ ତା’ ସତ୍ୟରୂପେ ସମସ୍ତଙ୍କୁ ଛାଡ଼ି ଆପଣାର ବି କଳ୍ପନା କରି ପାରେନାହିଁ ।

 

ସାହିତ୍ୟରେ ବାସ୍ତବବାଦ ମୂଳତଃ ଏହି ଆବିଷ୍କାର ଏବଂ ଆତ୍ମୀୟତାକୁ ନେଇ । ଏଠି ମୁଁ ଏକା ରହିବିନାହିଁ, ବାହାରୁ ସବୁକିଛି ବୋହି ନେଇ ମୁଁ ମୋର ନିଜ ଗାତଗୁଡ଼ାକୁ ମୋଟେ ମୋଟ କରିବାକୁ ମନ କରିବିନାହିଁ । ମୁଁ ସମ୍ମିଳିତ ହୋଇ ରହିବି । ମୋ’ର ଜ୍ଞାନ, ମୋର ଶ୍ରଦ୍ଧା ଓ ମୋର ଜୀବନଗତ ଯାବତୀୟ ଆଗ୍ରହ ଏବଂ ଅଭିକ୍ରମ ଏହିପରି ଭାବରେ ମୋ’ ଚାରିପାଖରେ ରହିଥିବା ମନୁଷ୍ୟସମଗ୍ରଟି ସହିତ ସମ୍ମିଳିତ ହୋଇ ରହିବ । ଏହି ସମ୍ମିଳିତ ହେବାର ପକ୍ଷରେ ରହି ମୋ’ ସାହିତ୍ୟବିବେକ ସମାଜସ୍ଥ ଯାବତୀୟ ଅତିଚାର ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବ । ଶ୍ରଦ୍ଧାର ପକ୍ଷରେ ରହି ଘୃଣା, ଅବଜ୍ଞା ଓ ଦୂରତା ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବ । ଯଦି ଜଣେ ସାହିତ୍ୟିକ ଆପଣାର ହୃଦୟକୁ ବିସ୍ତାରି ଦେଇ ଚାରିପାଖକୁ ଅନାଇ ସବାଆଗ ମଣିଷକୁ ଦେଖେ, ତେବେ ସିଏ କଦାପି ପଳାଇ ଯାଏନାହିଁ, କଦାପି ସ୍ଵର୍ଗତ ଅର୍ଥାତ୍ ସ୍ଵଗର୍ଭଗତ ହୋଇ ରହେନାହିଁ । ଏପରିକି, ଆପଣାର ଭଗବାନଙ୍କୁ ନେଇ ମଧ୍ୟ ସିଏ ଆପଣାର କୌଣସି ଏକୁଟିଆ ଗମ୍ଭୀରି ଭିତରକୁ ପଳାଇ ଯାଏନାହିଁ । ସିଏ ସୌନ୍ଦର୍ଯ୍ୟକୁ କବାଟ ବନ୍ଦ କରି କେବଳ ଆପେ ଘ୍ରାଣ କରିବା ଲାଗି ମୋଟେ ମନ କରେନାହିଁ । ଆମ ସମାଜ, ପୃଥିବୀଯାକର ସମାଜ, ଆଗେ ଯେପରି ଥିଲା, ସେଥିରେ ଅଳ୍ପ କେତେଜଣ ମଣିଷ ଅନେକଙ୍କ ଉପରେ ପକ୍ଷ ବିସ୍ତାର କରି ରହିଥିଲେ । ସମାଜର ସମ୍ବନ୍ଧଗୁଡ଼ାକରେ ସେହି ମନ୍ଦ ବରାଦଗୁଡ଼ାକ ରହିଥିଲା, ସମ୍ପତ୍ତିର ନିର୍ମାଣ ଏବଂ ନିୟୋଜନର କ୍ଷେତ୍ରରେ ମଧ୍ୟ ସେହି ଅନ୍ୟାୟର ରାଜପଣ ଚାଲିଥିଲା । ଧର୍ମ, ସାହିତ୍ୟ, ସୌନ୍ଦର୍ଯ୍ୟର ଚର୍ଚ୍ଚା ଏବଂ ନୈତିକତା ଏହି ସର୍ବମୂଳ ଅସ୍ଵାଭାବିକତାଟିର ଅଧୀନ ହୋଇ ରହିଥିଲା । ଏହି ବ୍ୟବସ୍ଥାଟିକୁ ସୁହାଇବା ସକାଶେ ଭାଗ୍ୟବାଦର ମିଛ ପ୍ରରୋଚନାଗୁଡ଼ାକ ମଣିଷମାନଙ୍କର କବାଟ ବନ୍ଦ କରି ରଖିଥିଲେ । କହିବା ବାହୁଲ୍ୟ, ଏହିପରି ଗୋଟିଏ ସାଂସାରିକ ବିଡ଼ମ୍ବନା ଭିତରେ ସାହିତ୍ୟ ମଧ୍ୟ ରାଜହାଟରେ ସତେଅବା ଏକ ପଣ୍ୟ ହୋଇ ରହିଥିଲା । ରାଜାମାନଙ୍କ ସକାଶେ ଫନ୍ଦା ହେଉଥିଲା, ରାଜହାଟର ଅନୁଗ୍ରହପାର୍ଥିନୀ ଦାସୀ ହୋଇ ରହିଥିଲା । ମନ ତୋଷିବା ହିଁ ସାହିତ୍ୟରୂପୀ ମଲ୍ଲୀମାଳର ପ୍ରାୟ ସର୍ବପ୍ରଧାନ ଶ୍ରେୟଃ ହୋଇ ରହିଥିଲା, ଏବଂ, ସେହି ତାମସା ଭିତରେ ମଣିଷ ଅଗଣତା ଏବଂ ଅପଚରା ହୋଇ ରହିଥିଲା ।

 

ସେତେବେଳେ ମଧ୍ୟ ସଂସାରରେ ଅର୍ଥାତ୍ ମଣିଷମାନଙ୍କ ଭିତରେ ସାଧୁ ଥିଲେ, ସଜ୍ଜନ ଥିଲେ । ସେମାନଙ୍କର ସାଧନା ସେମାନଙ୍କର ଖାଲି ଭିତରଟାକୁ ନେଇ ବ୍ୟସ୍ତ ଥିଲା । ସେମାନେ ଏକାନ୍ତରେ ବସି ଆପଣା ପ୍ରେରଣାଗୁଡ଼ିକର ମେରୁଦଣ୍ଡ ଭିତରେ ସିଦ୍ଧିର ସୁଷୁମ୍ନାନାଡ଼ୀକୁ ଠାବ କରୁଥିଲେ ଓ ତାହାର ଜାଗୃତି ଘଟାଇ ଆପଣା ଭିତରେ ରହିଥିବା ସହସ୍ରଦଳ କମଳ ଭିତରେ ମହାସୁଖର ପୁରସ୍କାର ଲାଭ କରୁଥିଲେ । ଆଧୁନିକ ବାସ୍ତବବାଦ ପ୍ରତିବାଦ କରି କହିଲା, ତୁମର ରୂପାନ୍ତର ଯଦି କେବଳ ତମରି ଭିତରେ ହେଉଥାଏ, ତେବେ ତାହା ରୂପାନ୍ତର ନୁହେଁ, ତାହା ଏକ ଆଡ଼ମ୍ବରମୟ ଆତ୍ମରତିମୂଳକ ଗର୍ତ୍ତପ୍ରବେଶ । ସେଥିରେ ସବାଆଗ ସେହି ଅହଂଟା ହିଁ ସବୁଠାରୁ ଅଧିକ ଫୁଲିକରି ରହିଛି । ତୁମର ସୃଜନଶୀଳତା ଯଦି କେବଳ ତୁମକୁ ହିଁ ଏକ ହଠାତ୍ ଉନ୍ମୋଚନ ଅଥବା ଆଲୋକନର କ୍ଷଣିକ ଉତ୍ତେଜନା ଦେଇ ଯାଉଥାଏ, ତେବେ ତାହା ହେଉଛି ଏକ ଉପେକ୍ଷାଧର୍ମୀ ବ୍ୟଭିଚାର । ଆମ ଭିତରେ ଯାହାକିଛି ହେବ, ଆମର ବାହାରେ ତାହାର ଏକ ପ୍ରତିଫଳନ ହେବ ହିଁ ହେବ,–ସେଇଟି ହେଉଛି ସ୍ଵାଭାବିକ ସାଧନାବିଜ୍ଞାନର ସର୍ବମୂଳ କଥା; ଏକ ବୃହତ୍ତର ପରିପ୍ରେକ୍ଷୀରେ ଦେଖିଲେ ଆମ ଜୀବନର ଯାବତୀୟ ଅନ୍ତର୍ଗତ ଅନୁଶୀଳନର ସର୍ବମୂଳ କଥା । ଆମେ ଆମ ନିଜ ଭିତରେ ପାହାଚକୁ ପାହାଚ ଉଠିବାରେ ଲାଗିଥିବା, ଅଥଚ ଆମ ବାହାରେ ଥିବା ଜୀବନରେ, ଆମ ସାମାଜିକ ବହିଃସମ୍ବନ୍ଧ ଗୁଡ଼ିକର କ୍ଷେତ୍ରରେ ତଦନୁରୂପ ଆଦୌ କୌଣସି ପରିବର୍ତ୍ତନ ଘଟୁନଥିବ, ଏହା ଏକ ବିକୃତି । ଜୀବନ ପ୍ରତି ରହିଥିବା ଆମର ନିବିଡ଼ ଅଙ୍ଗୀକାରଗୁଡ଼ିକର କ୍ଷେତ୍ରରେ କେଉଁଠି ଏକ ବିଚ୍ଛିନ୍ନତା ରହି ଯାଇଥିଲେ ହିଁ ଏପରି ଅବଶ୍ୟ ହେବ । ଆଧୁନିକ ବାସ୍ତବବାଦ ତାହାକୁ ହିଁ ଆମ ଏ ଯୁଗର ସର୍ବମୂଳ ବିକୃତି ଏବଂ ସର୍ବମୂଳ ଅସୁସ୍ଥତା ବୋଲି ଘୋଷଣା କରିଥାଏ । ଆମ ସାହିତ୍ୟରେ ବାସ୍ତବବାଦର ପ୍ରବେଶ ଘଟିଲେ ଆମେ ସେହି ଅସୁସ୍ଥତାଗୁଡ଼ିକର ନିଦାନ ଖୋଜି ବାହାରୁ, ସେହି ନିଦାନଗୁଡ଼ିକର ନିରାକରଣ ଲାଗି ଉପାୟ ଖୋଜୁ ସମାଜ ଓ ମଣିଷକୁ ଏହି କ୍ଷେତ୍ରରେ ତା’ର ସାମର୍ଥ୍ୟ ଓ ଦାୟିତ୍ଵଗୁଡ଼ିକ ବିଷୟରେ ସଚେତନ କରାଇଦେଉ । ଅସୁସ୍ଥ ସାହିତ୍ୟମଣିଷକୁ ଭୁଲାଇ ରଖେ, ଶୁଆଇ ରଖେ, ନିଜର ଦୈନ୍ୟଗୁଡ଼ାକୁ ଦେଖୁଥିଲେ ମଧ୍ୟ ସେଗୁଡ଼ିକ ଭିତରୁ ମୁକୁଳି ଆସିବାଲାଗି ଇଚ୍ଛା ନକରି ସେଥିରୁ ଏକ ଅସୁସ୍ଥ ପରିତୃପ୍ତିଭାବ ଅନୁଭବ କରି ଶିଖାଏ । ଏହି ପ୍ରକାରର ଅସୁସ୍ଥ ସାହିତ୍ୟ ହିଁ ସବୁଠାରୁ ଅଧିକ ସହଜରେ ପୋଷ ମାନି ରହିଯାଏ, ଅନ୍ୟ ଭର୍ତ୍ତା କରେ, ପ୍ରତିଷ୍ଠାଶ୍ରୟୀ ହୁଏ, ରାଜାଶ୍ରୟୀ ହୋଇ ରହିବାକୁ ହିଁ ପ୍ରାୟ ଏକ ରମଣ ପରି ଅନୁଭବ କରେ । ଏବଂ ତଥାପି ଅତ୍ୟନ୍ତ ନିର୍ଲଜ୍ଜ ଭାବରେ ସୌନ୍ଦର୍ଯ୍ୟର କଥା କହୁଥାଏ, ମୁକ୍ତିର କଥା କହୁଥାଏ ଏବଂ ନିଃସଙ୍ଗତାଗୁଡ଼ାକୁ ଆସ୍ଥାନ ଉପରେ ବସାଇ ପ୍ରାୟ ଏକ ପ୍ରଦର୍ଶନ କଲା ପରି ଶବ୍ଦର ମୋହଗୁଡ଼ାକୁ ବିଞ୍ଚି ବିଞ୍ଚି ଦାଣ୍ଡରେ ଯାଉଥାଏ ।

 

ମଣିଷ ସହିତ ମଣିଷକୁ ଯୋଡ଼ିବାରେ ଆମ ଏ ଯୁଗରେ ଯାହାଙ୍କର ସମ୍ଭବତଃ ସର୍ବଶ୍ରେଷ୍ଠ ଅବଦାନ ରହିଛି, ସେହି ଦାର୍ଶନିକ ମାର୍ଟିନ୍ ବୁବର୍ କହିଛନ୍ତି, “ଆମର ଅନ୍ତର୍ଗତ ଜୀବନଗୁଡ଼ିକରେ ଏକ ରୂପାନ୍ତର ଘଟାଇବାରେ ଆମ ଭିତରେ ଯେଉଁ ପ୍ରକ୍ରିୟାଟି ଲାଗି ରହିଛି, ଆମ ଜୀବନରେ ମଧ୍ୟ ତାହା ଆପଣାକୁ ଅଭିବ୍ୟକ୍ତ କରି ପାରୁଥିବା ଉଚିତ ।” (୩) ଆଉ ଗୋଟିଏ ପ୍ରସଙ୍ଗରେ ଶ୍ରୀଯୁକ୍ତ ବୁବର୍ ଦୁଇ ପ୍ରକାରର ବିଶ୍ଵାସର ଆଲୋଚନା କରିଛନ୍ତି । ପ୍ରାଚୀନ ହିବ୍ର୍ୟୁ ଶାସ୍ତ୍ରର ଦୁଇଟି ଶବ୍ଦ–Emunah ଓ Pistis–କୁ ଭିତ୍ତି କରି ସେ ଆମ ଆଗରେ ଏକ ନୂତନ ଦୃଷ୍ଟିର ଉପସ୍ଥାପନା କରିଛନ୍ତି । Pistis ହେଉଛି ଜଣେ ବ୍ୟକ୍ତି ହିସାବରେ ବ୍ୟକ୍ତିର ନିଜଉପରେ ବିଶ୍ଵାସ । ଏଠାରେ ବୃତ୍ତଟିର ସକଳ ପରିଧି କେବଳ ବ୍ୟକ୍ତିକୁ କେନ୍ଦ୍ର କରି ଆପଣାକୁ ପ୍ରତିଷ୍ଠିତ କରି ରଖିଥାଏ । ମୋ’ ନିଜର ମୁକ୍ତି, ମୋ’ ନିଜ ପାପର କ୍ଷୟ, ମୋର ସ୍ଵର୍ଗଲାଭ,–ମୋର ଚେତନା, ମୋର ସୌନ୍ଦର୍ଯ୍ୟବୋଧ, ଏହି ସବୁକିଛିରେ ‘ମୁଁ’ ଟା ହିଁ କେନ୍ଦ୍ର ହୋଇ ରହିଥାଏ ଓ ବ୍ୟକ୍ତିର ସକଳ ବିଶ୍ଵାସ ପରମ ନିଷ୍ଠା ସହିତ ତାହାରି ଉତ୍‌ପ୍ରେରକ ଏବଂ ପରିକର ହୋଇ ରହିଥାଏ । Emunah ହେଉଛି ଏକ ସମୂହ ଭିତରେ ସକ୍ରିୟ ଏବଂ ଅକୃପଣ ଭାବରେ ଅଂଶଗ୍ରହଣ କରୁଥିବା, ଅର୍ଥାତ୍ ଏକ ସକ୍ରିୟ ପରସ୍ପର–ନିର୍ଭରଶୀଳତାକୁ ହିଁ ଜୀବନର ଅସଲ ପ୍ରତିଷ୍ଠାରୂପେ ଗ୍ରହଣ କରି ତାହାରି ଅଭିବୃଦ୍ଧି ଲାଗି ତତ୍ପର ହୋଇ ରହିଥିବା ବିଶ୍ଵାସ । (୪) ବାସ୍ତବବାଦ ଏହି ଦ୍ଵିତୀୟ ବିଶ୍ଵାସଟିକୁ ଅବଲମ୍ବନ କରି ରହିଥାଏ । ପ୍ରଥମ ବିଶ୍ୱାସଟିକୁ ଅବଲମ୍ବନ କରି ରହିଥାଏ । ପ୍ରଥମ ବିଶ୍ୱାସଟିକୁ ତାହା ହୁଏତ ଆଦୌ ଅସ୍ଵୀକାର କରେନାହିଁ,–ମାତ୍ର ହୁଏତ ପ୍ରଥମଟିକୁ ଦ୍ଵିତୀୟର ଅନୁପୂରକ ରୂପେ ଗ୍ରହଣ କରି ନେଇଥାଏ । ପାରମ୍ପରିକ ମଣିଷର ସାହିତ୍ୟବିଳାସ ମଣିଷକୁ ତା’ ଯାବତୀୟ ସଚେତନତାର ଏକ ଗଭୀରତର ଭୂମିରେ ସତେଅବା ଭାରି ବର୍ବର କରି ରଖିଥାଏ କି କ’ଣ କେଜାଣି, ସିଏ ନିଜର ଯାବତୀୟ ସାହିତ୍ୟିକ ଚମତ୍କାରିତା ସତ୍ତ୍ଵେ ତଥାପି ବୃହତ୍ତର ଜୀବନପ୍ରତି ମୂଳତଃ ଏକ ଅବଜ୍ଞାଭାବ ରଖିଥାଏ; ସିଏ ବାହାରେ ବାହାରେ ରହିଥାଏ, ଏକାତ୍ମକତାକୁ ଭୟ କରେ । ଡୋରଗୁଡ଼ାକ ଛିଣ୍ଡିଗଲାଣି ବୋଲି ରୋଦନ କରୁଥାଏ, ଅଥଚ ଡୋର ଲଗାଇବାକୁ ଡରେ-। ଏକ ରୋମାଣ୍ଟିକ୍ ଅତିପ୍ରବଣତାରେ ସିଏ ମୁକ୍ତିର ସ୍ଵପ୍ନ ଦେଖେ, ମାତ୍ର ପାଚେରୀଗୁଡ଼ାକୁ ଭାଙ୍ଗିବାଲାଗି ଭୟ କରୁଥାଏ । ନିଜ ଭୂଇଁଟି ଉପରେ ସିଏ ସତେଅବା ଦୁଇଖଣ୍ଡ ହୋଇ ରହିଥାଏ-। ଛଟପଟ ହୁଏ, ମାତ୍ର ସମାଧାନ କରି ପାରେନାହିଁ ।

 

ସାହିତ୍ୟରେ ବାସ୍ତବବାଦର ଏକ ରାଜନୀତିକ ପୃଷ୍ଠଭୂମି ରହିଛି । ଇଉରୋପୀୟ ବିଚାର–ଆଲୋଡ଼ନର ଇତିହାସରେ ଯେଉଁ ପର୍ଯ୍ୟାୟଟିକୁ Age of Enlightenment ବୋଲି କୁହାଯାଏ, ତାହା ମାନବସଂସ୍କୃତିରେ ଅତ୍ୟନ୍ତ ମୂର୍ତ୍ତ ଭାବରେ ବ୍ୟକ୍ତିକୁ ହିଁ ପ୍ରତିଷ୍ଠିତ କରିବାର ଆକାଂକ୍ଷା ରଖିଥିଲା । ବ୍ୟକ୍ତି ତୁଚ୍ଛ ନୁହେଁ, ସିଏ ଅନନ୍ତ ସମ୍ଭାବନାର ଅଧିକାରୀ,–ତାକୁ ଆପଣା ଶକ୍ତିର ଆବିଷ୍କାର କରିବାଲାଗି ଅନୁକୂଳ ପରିବେଶମାନ ଯୋଗାଇଦେବା,–ତାହାହିଁ ଯଥାର୍ଥ ସମାଜ;–ଏସବୁ ପୃଥିବୀର ଆଲୋକନ–ଇତିହାସରେ ସେହି ବିଶେଷ ଯୁଗଟିର ଅବଦାନ, ଏବଂ, ବ୍ୟକ୍ତି କହିଲେ ଯେ ସମାଜର ପ୍ରତ୍ୟେକ ବ୍ୟକ୍ତିକୁ ବୁଝାଏ, ଏହି ସତ୍ୟଟି ମଧ୍ୟ ସେହି ଯୁଗର ଏକ ନିର୍ଦ୍ଦିଷ୍ଟ ଘୋଷଣା । ବ୍ୟକ୍ତି କହିଲେ ଆଜି ମଧ୍ୟ ପୃଥିବୀର ଅଧିକାଂଶ ସମାଜରେ କେବଳ କେତେଜଣଙ୍କୁ ବୁଝାଏ, କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ବୁଝାଏ; ସମାଜରେ ବାସ କରୁଥିବା ଅନ୍ୟମାନଙ୍କୁ ସେହି କତିପୟ ଲୋକ ସତେଅବା ଘୁଷୁରି ପରି ଦେଖନ୍ତି ଏବଂ ସହଜ ମାନବତାର ମୂଲ୍ୟଦଣ୍ଡ ସମ୍ମୁଖରେ ସ୍ୱୟଂ କେତେକ ବିଶିଷ୍ଟ ଘୁଷୁରି ହୋଇ ରହିଥାନ୍ତି । ସେଇଥିରେ ଭାରି ଗର୍ବ ବି ଅନୁଭବ କରନ୍ତି । ସାହିତ୍ୟ, ସଂସ୍କୃତି, ଧର୍ମ ତଥା ନୀତିଶାସ୍ତ୍ରମାନେ ସେହିମାନଙ୍କର ହିଁ ଏକ ସମ୍ପତ୍ତିପ୍ରଦର୍ଶନର ଆଳ ହୋଇ ରହିଥାନ୍ତି । କାର୍ଲମାର୍କ୍‌ସ୍‌ ସାମାଜିକ ଇତିହାସର ବ୍ୟାଖ୍ୟା କରିବାର ବହୁ ପୂର୍ବରୁ ଇଂଲଣ୍ଡର ଜନ୍ ଷ୍ଟୁଆର୍ଟ ମିଲ୍ ସାମୂହିକ ଜୀବନର ସେହି ବିଡ଼ମ୍ବନାଟିକୁ କେଡ଼େ ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ । ସିଏ କହିଥିଲେ : ସମାଜରେ ଥିବା ମଣିଷମାନଙ୍କ ମଧ୍ୟରୁ ଯିଏ ଯେତିକି ଅଧିକ ଶ୍ରମ ଖଟୁଛି ଓ ନିଜକୁ ଅଧିକ ବଞ୍ଚିତ କରି ରଖିଛି, ସିଏ ତାର ଉଚିତ ପ୍ରତିଦାନ ପାଉଛି କି ? ସମାଜରେ ଠିକ୍ ତା’ର ଓଲଟା ହେଉଛି; ଅର୍ଥାତ୍, ଯେଉଁମାନେ ସବୁଠାରୁ କମ୍ ପାଉଛନ୍ତି ସେହିମାନେ ହିଁ ସବୁଠାରୁ ଅଧିକ ଖଟୁଛନ୍ତି ଓ ଆପଣାକୁ ସବୁଠାରୁ ଅଧିକ ପରିମାଣରେ ବଞ୍ଚିତ କରି ରଖିଛନ୍ତି । ତେଣୁ, ଏପରି ଗୋଟିଏ ପୃଥିବୀକୁ ସମ୍ଭବ କରିବା, ଯେଉଁଠି ସବୁ ମଣିଷ ସ୍ଵୀକୃତି ପାଇବେ, ସମ୍ମାନ ପାଇବେ,–ତାହା ହି ସର୍ବପ୍ରଥମେ କାମ୍ୟ । ମଣିଷକୁ ମଣିଷର ସିଂହାସନରେ ଆଣି ବସାଇବା ଓ ସାମୂହିକ ଜୀବନରେ ଅନ୍ନଠାରୁ ଆରମ୍ଭ କରି ଆନନ୍ଦ ପର୍ଯ୍ୟନ୍ତ ଯାବତୀୟ ପରିବେଶକୁ ଏହାର ଅନୁକୂଳ କରି ରଖିବା,–ତାହାହିଁ ମନୁଷ୍ୟକୁ ସବାଆଗ ସ୍ଵୀକାର କରୁଥିବା ବାସ୍ତବବାଦର ସ୍ଵପ୍ନ । କାର୍ଲମାର୍କସ୍ ଏହି ସ୍ଵପ୍ନ ଲାଗି ଗୋଟାସୁଦ୍ଧା ଏକମତ ହେଲେନାହିଁ ସତ, ମାତ୍ର ତାହା ପୃଥିବୀରେ ସର୍ବତ୍ର ଏକ ନୂତନ ଉଦ୍‌ବୋଧନ ଦେଇ ଯାଇଥିଲା, ସେହି ଲକ୍ଷ୍ୟର ନିକଟବର୍ତ୍ତୀ ହେବାପାଇଁ ମଣିଷକୁ ଅଧିକ ସକ୍ରିୟ କରାଇଥିଲା । ତାହା ବିଶ୍ଵସାହିତ୍ୟରେ ମଧ୍ୟ ଏକ ଅନୁରୂପ ଉଦ୍‌ବୋଧନ ଆଣି ଦେଇଥିଲା । ଯେଉଁମାନେ ଉଦ୍‌ବୁଦ୍ଧ ନହେଲେ, ସେମାନେ ତଥାପି ଆହ୍ଵାନଟିର ଅଘାତଟିକୁ ଅବଶ୍ୟ ଅନୁଭବ କଲେ; ସେମାନେ ଅନ୍ତତଃ ଅଧିକ ସତର୍କ ହେଲେ, ତିଷ୍ଠି ରହିବାର ଅନ୍ୟ ବାଟମାନ ଖୋଜିଲେ ।

 

କାର୍ଲ ମାର୍କ୍‌ସ୍ ଅନ୍ନକୁ ଜୀବନର ସର୍ବମୂଳ ଭୂମି ବୋଲି ଘୋଷଣା କଲେ । ଜୀବନର ଅନ୍ନେତର ଅନ୍ୟ ଭାଗଗୁଡ଼ିକୁ ସିଏ ଯେ ଅସ୍ଵୀକାର କଲେ, ସେକଥା ଆଦୌ ନୁହେଁ । ମାତ୍ର, ଅନ୍ନର ଆବଶ୍ୟକତାଟି ସବାଆଗ ମେଣ୍ଟି ପାରିଲେ ଯାଇ ଯେ ମଣିଷ ଅନ୍ୟାନ୍ୟ ଆବଶ୍ୟକତା ଗୁଡ଼ିକ ବିଷୟରେ କ୍ରମସଚେତନ ହେବ, ତା’ପରେ ଯାଇ ଆମର ଏହି ବର୍ତ୍ତମାନ ସମାଜରେ ଅଧିକତର ମଣିଷଙ୍କର ଜୀବନ ଓ ଚେତନା ଉପରେ ପ୍ରାଦୁର୍ଭାବ ବିସ୍ତାର କରି ରହିଥିବା ଅନ୍ନସନ୍ତାପ ଦୂର ହୋଇଯିବ, ସେମାନଙ୍କର ଅନ୍ନଗତ ଦାସତ୍ଵ ମେଣ୍ଟିଯିବ ଓ ତା’ପରେ ସେମାନେ ଜଣେ ଜଣେ ମଣିଷ ହିସାବରେ ଜୀବନର ଅନ୍ୟାନ୍ୟ ଆବଶ୍ୟକତା ବିଷୟରେ ସଚେତନ ହେବେ ଏବଂ ସେତିକିବେଳେ ଯାଇ ମଣିଷର ଯଥାର୍ଥ ଇତିହାସ ରଚିତ ଓ ନିର୍ମିତ ହେବ, ମାର୍କ୍‌ସ୍ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସେହିକଥା ଘୋଷଣା କରିଥିଲେ । (୫) ମାତ୍ର ତା’ପୂର୍ବରୁ, ଅର୍ଥାତ୍, ଯେପର୍ଯ୍ୟନ୍ତ ସମାଜର ଅଳପ ମଣିଷ ଅଧିକ ମଣିଷଙ୍କର ଉତ୍ପାଦନକୁ ଭୋଗ କରୁଛନ୍ତି, ଯେପର୍ଯ୍ୟନ୍ତ ପଣ୍ୟର ଉତ୍ପାଦନ ଏବଂ ପଣ୍ୟର ଭୋଗ ମଧ୍ୟରେ ଏକ ସୁସ୍ଥ ସମଞ୍ଜସତା ସ୍ଥାପିତ ହୋଇ ପାରିନାହିଁ, ସେପର୍ଯ୍ୟନ୍ତ ସେହି ସମାଜରେ ପ୍ରବର୍ତ୍ତିତ ହୋଇ ରହିଥିବା ଶାସନ, ସାହିତ୍ୟ, ସାମାଜିକ ସମ୍ବନ୍ଧ ତଥା ତଥାକଥିତ ସାଂସ୍କୃତିକ ଯାବତୀୟ ଅନୁଧାବନ ମନୁଷ୍ୟମାନଙ୍କୁ ଅଧିକ ଭାବୋତ୍ତେଜିତ କରାଇ ରଖି ପାରୁଥିବ ସତ, ମାତ୍ର ତଥାପି ଦାସତ୍ଵ ଏବଂ କ୍ରୂରତାର ହିଁ ସନ୍ତକ ଓ ବାହକ ହୋଇ ରହିଥିବ । ଏହି ପ୍ରସଙ୍ଗରେ କାର୍ଲମାର୍କ୍‌ସ୍ Alienation (Entfremmdung)ର ଆଲୋଚନା କରିଥିଲେ । ମଣିଷ ଏହି ସବୁଟି ଭିତରେ ଥିବ, ପ୍ରତାପୀ ହୋଇ ରହିଥିବ, କେଡ଼େ ଉତ୍ସାହରେ କେତେ ପ୍ରକାରେ ଉଦ୍ଧାବିତ ହୋଇ ରହିଥିବ, ତଥାପି ଭାରି ବଞ୍ଚିତ ହୋଇ ରହିଥିବା ପରି ଅନୁଭବ କରୁଥିବ, ଆପଣାଦ୍ୱାରା ଏକ ଅତ୍ୟନ୍ତ ଜଟିଳ ବହ୍ଵାଡ଼ମ୍ବର ସହିତ ରଚିତ ନିଜ ଘରଟି ଭିତରେ ସିଏ ତଥାପି ପର ହୋଇ ରହିଥିବ,–ନିଜଭିତରେ ଆପଣାଠାରୁ ଓ ନିଜ ବାହାରେ ଅନ୍ୟମାନଙ୍କ ଠାରୁ ବିଚ୍ଛିନ୍ନ ହୋଇ ରହିଥିବ; ହୁଏତ ରୁଷି ବସିଥିବ, ଧର୍ମ, ସଂସ୍କୃତି, ସାହିତ୍ୟ ଓ ଭଗବାନଙ୍କୁ ମଧ୍ୟ ଅଫିମ ପରି ବ୍ୟବାହାର କରୁଥିବ । କାର୍ଲ ମାର୍କସଙ୍କ ଭାଷାରେ, ଦାସତ୍ଵ ଓ ଦୂରତାକୁ ଧର୍ମ କରି ରଖିଥିବା ଏକ ସମାଜରେ,–ଆମର ବର୍ତ୍ତମାନ ସମାଜ ପୃଥିବୀର ପ୍ରାୟ ସର୍ବତ୍ର ଯେପରି ରହିଛି, ସେହିପରି ଏକ ସମାଜରେ ଉଭୟ ସର୍ବହରା ଓ ସର୍ବଭୋଗୀ ସର୍ବସ୍ଵାନ୍ତକାରୀ ଠିକ୍ ଏହିପରି ଭାବରେ ହିଁ ନାଡ଼କଟା ହୋଇ ରହିଥାନ୍ତି, ଆପଣା ଭିତରର ଅସଲ ଉଦ୍‌ବୋଧନଗୁଡ଼ିକ ଠାରୁ ବିଚ୍ଛିନ୍ନ ହୋଇ ରହିଥାନ୍ତି । ଜଣେ ଭାରି ସନ୍ତୁଷ୍ଟ ହୋଇ ରହିଥାଏ ଏବଂ ଆଉଜଣେ ଭାରି ଅସହାୟ ହୋଇ ରହିଥାଏ ସତ, ମାତ୍ର ଦୁହେଁଯାକ ଜୀବନର ଅସଲ ସମ୍ପଦ ଏବଂ ଅସଲ ପ୍ରାୟାସଗୁଡ଼ିକରୁ ବଞ୍ଚିତ ହୋଇ ରହିଥାନ୍ତି ଏବଂ ବାହାରେ ନାନାବିଧ ଅପ୍ରୟାସ ଦ୍ଵାରା ଭିତରର ଶୂନ୍ୟଗୁଡ଼ାକର କ୍ଷତିପୂରଣ କରାଇବାରେ ଲାଗିଥାନ୍ତି । (୬)

 

Alienation ବିଷୟରେ ଏହି ମାର୍କସୀୟ ଆଲୋଚନା ବାସ୍ତବବାଦର ଅର୍ଥମୀମାଂସାରେ ଅନେକ ଆଲୋଡ଼ନର କାରଣ ହୋଇଛି, ସେଥିରେ ଏକାଧିକ ଦୃଷ୍ଟିରୁ ଅନେକ ସଂପ୍ରସାରଣ ଆଣି ଦେଇଛି । ଜୀବନ–ଅଭିକ୍ରମ ଓ ଜୀବନ–ଅନୁରାଗର ନାନା କ୍ଷେତ୍ର ପରି ତାହା ସାହିତ୍ୟକୁ ମଧ୍ୟ ସଂକ୍ରାମିତ କରିଛି ଏବଂ ସେଥିରେ ଏକ ବଳିଷ୍ଠ ତର୍କର ଅବତାରଣା କରିଛି । ଅର୍ଥାତ୍, ଅନେକ ବଳିଷ୍ଠ ପ୍ରଶ୍ନର ଉତ୍‌ଥାପନ କରିଛି । ସାହିତ୍ୟ କ’ଣ ଏକ ସମାଜରେ କେତେଜଣଙ୍କର ଏକ ବିଳାସମ୍ପତ୍ତି ହୋଇ ରହିବ ନା ଏକ ସାର୍ବଜନିକ ଉଦୟ ଲାଗି ମଧ୍ୟ ବାଟ ବତାଇବ, ସାହିତ୍ୟ କେବଳ ସାନ୍ତ୍ଵନା ଦେବା ନା ସାମୂହିକ ଜୀବନର ନିମ୍ନତମ ପାହାଚଠାରୁ ଆରମ୍ଭ କରି ତାହାର ଉଚ୍ଚତମ ସମ୍ଭାବ୍ୟତା ପର୍ଯ୍ୟନ୍ତ ସମଗ୍ର ଗଠନଟିକୁ ତାହା ମୂଳରୁ ସମଗ୍ରତର ଓ ଅଧିକ ମନୁଷ୍ୟୋଚିତ ଏକ ଅନ୍ୟ ଅନୁପ୍ରାଣତା ଦ୍ଵାରା ନିର୍ମାଣ କରିବ, ମନୁଷ୍ୟର ହୃଦୟ କ’ଣ ତା’ ନିଜ ଲାଳସା, ଲୋଲୁପତା, ଭ୍ରାନ୍ତି ଏବଂ ଅପ୍ରତ୍ୟୟ ଗୁଡ଼ିକର ଗୁହା ଭିତରେ ନିର୍ବାସିତ ହୋଇ ରହିବା ନା ତାହା ବାହାରେ ମଣିଷର ସାର୍ବଜନିକ ସମ୍ବନ୍ଧକ୍ଷେତ୍ର ଗୁଡ଼ିକରେ ମଧ୍ୟ ଆପଣାକୁ ଅନୁଭୂତ କରାଇବ,–ଏବଂ, ଏହି ସବୁଯାକ କଥାକୁ ଗୋଟିଏ କଥାରେ କହିଲେ, ସାହିତ୍ୟ କ’ଣ ଜୀବନର ବାହରେ ଆଉଗୋଟାଏ ଇଲାକା ହୋଇ ରହିବ ନା ଜୀବନ ଭିତରେ ରହି ଅଧିକ ଜୀବନ ଲାଗି ପ୍ରେରଣା ଦେବ, ମଣିଷର ଯଥାର୍ଥ ଇତିହାସ ରଚିତ ହେବାଲାଗି ପ୍ରେରଣା ଦେବ, ପାରମ୍ପରିକ ମଣିଷକୁ ତା’ର ଅସଲ ଘର, ଅସଲ ଡୋର ଓ ଅସଲ ଆସ୍ପୃହାଗୁଡ଼ିକ ପାଖକୁ ଲେଉଟାଇ ଆଣିବ,–ବାସ୍ତବବାଦ ଆମ ସାହିତ୍ୟ ସମ୍ମୁଖରେ ପୃଥିବୀଯାକ ଏହିସବୁ ପ୍ରଶ୍ନର ଉତ୍ଥାପନ କରାଉଛି-

 

ବାସ୍ତବବାଦକୁ ଆମେ ଜୀବନକୁ ଅନ୍ନର ଆନନ୍ଦଯାଏ ଏକ ସମଗ୍ରରୂପେ ଦେଖିବାକୁ ସମ୍ମତ ହୋଇଥିବା ଓ ସେହି ଯାବତୀୟ ସୋପାନକୁ ମନୁଷ୍ୟର ଜୀବନଗତ ଆହ୍ୱାନର ସମବାଚୀ ରୂପେ ଗ୍ରହଣ କରି ସେଗୁଡ଼ିକୁ କ୍ରମଶଃ ଅଧିକରୁ ଅଧିକ ନିକଟବର୍ତ୍ତୀ କରି ଅନୁଭୂତ କରାଇବାର ଅଭିଳାଷ ରଖିଥିବା ଏକ ବ୍ୟାକୁଳତା ବୋଲି ହିଁ ବୁଝିବା । ବାସ୍ତବବାଦ ମଣିଷ କହିଲେ ସବୁ ମଣିଷଙ୍କୁ ବୁଝାଏ । ମନୁଷ୍ୟର ବ୍ୟକ୍ତିଗତ ଓ ସାମୂହିକ ଉଭୟ ପ୍ରସ୍ଥକୁ ବୁଝାଏ । ଗୋଟିକୁ ଅଧିକ ଭାବପ୍ରବଣତା ସହିତ ଯାବୁଡ଼ି ଧରିବ ବୋଲି ଆଉଗୋଟିକୁ କଦାପି ଉପେକ୍ଷା କରେନାହିଁ । ବାସ୍ତବବାଦ ଆଦର୍ଶକୁ ଉପେକ୍ଷା କରେ ନାହିଁ, ତାହା ମଣିଷର ଦର୍ପଣ ଉପରେ ଆଦର୍ଶକୁ ଦେଖେ । ଗୁଡ଼ାଏ ତଥାକଥିତ ଆଦର୍ଶ ଭିତରେ ଉଡ଼ିବ ବୋଲି କେବେହେଲେ ଭୂଇଁ ଛାଡ଼ି ଚାଲି ଯାଏନାହିଁ । ଆଦର୍ଶମାନଙ୍କୁ ଭୂଇଁର ନିକଟ କରାଇଆଣେ, ଯାହା ଅଛି, ତାହାରି ଉପରେ, ଯାହା ସମ୍ଭବ, ତାହାକୁ ଆଣି ପ୍ରତିଷ୍ଠିତ କରିବ ବୋଲି ସିଏ ଯାହା ଅଛି, ତାହାକୁ ଯଥାସମ୍ଭବ ଅଧିକ ସମ୍ପୂର୍ଣ୍ଣ ଭାବରେ ଜାଣେ, ତାହାର ଅନ୍ତରକୁ ଭେଦ କରେ । ବର୍ତ୍ତମାନର ବୃଦ୍ଧଟା ଭିତରେ ଭବିଷ୍ୟତର ଶିଶୁଟିକୁ ଯଥାର୍ଥ ଭାବରେ ଠାବ କରି ପାରିବ ଓ ଜାଗୃତ କରାଇଆଣି ପାରିବ ବୋଲି ସେ ବାହାରକୁ ଯେଡ଼େ ନିଦାରୁଣ ଦେଖାଯାଉଥିଲେ ମଧ୍ୟ ଏକ ଯଥାସମ୍ଭବ ପୂର୍ଣ୍ଣାନୁରାଗ ନେଇ ବୃଦ୍ଧଟିର ବ୍ୟବଚ୍ଛେଦ କରେ-। ତେଣୁ, ତଥାକଥିତ ସୁନ୍ଦର ଓ ତଥାକଥିତ ଅସୁନ୍ଦର ଭିତରେ କୌଣସି ଭେଦ ରଖେନାହିଁ । ଯଥାର୍ଥ ବାସ୍ତବବାଦ ଯାବତୀୟ ଏକାନ୍ତବାଦୀ ହୁଅନ୍ତି, ଉଗ୍ର ହୁଅନ୍ତି, ସେହିପରି ଆଉ ଥୋକେ ଅତ୍ୟାନୁରାଗୀ କେବଳ ଏକ ତଥାକଥିତ ବାସ୍ତବକୁ ନେଇ ମଧ୍ୟ ଏକାନ୍ତବାଦୀ ହୋଇଥାନ୍ତି । ସେମାନେ ସଂଯୋଗକାରୀ ସୂତ୍ରଟିକୁ ଦେଖି ପାରନ୍ତିନାହିଁ । ଗାତରେ ପଡ଼ିଯାଆନ୍ତି । ସେହି ଗାତଟାର ହିଁ ପ୍ରଶସ୍ତିଗାନ କରନ୍ତି, ପରମାନନ୍ଦ ଲାଭ କରନ୍ତି । ଏହିମାନଙ୍କର ବାସ୍ତବବାଦକୁ ଶ୍ରୀ ଅରବିନ୍ଦ ଏକଦା ଗୋଟିଏ ପ୍ରକାରର nether idealism ବୋଲି କହିଥିଲେ । (୭) ଆଦର୍ଶବାଦୀମାନେ ଏପାଖଟାକୁ ସର୍ବସ୍ଵବୋଲି କାମୁଡ଼ି ଧରିଥିବା ପରି ଏହି ବାସ୍ତବବାଦୀମାନେ ଜୀବନରୂପୀ ଏକ ବହୁପ୍ରସ୍ଥ ପରସ୍ପର ଗ୍ରଥିତତାର ଅନ୍ୟ ପାଖଟାକୁ ବଡ଼ ଅତିରଞ୍ଜିତ କରି ଧରିଥାନ୍ତି ଓ ପ୍ରମତ୍ତ ହୋଇ ରହିଥାନ୍ତି । ଇଉରୋପୀୟ ତଥା ଭାରତୀୟ ଉଭୟ ସାହିତ୍ୟରେ ଆମକୁ ଏହିପରି ବାସ୍ତବବାଦୀମାନଙ୍କର ଏକାଧିକ ଉଦାହରଣ ମିଳିପାରିବ ।

 

ଭାରତବର୍ଷରେ ପ୍ରାୟ ପାରମ୍ପରିକ ଭାବରେ ଆଦର୍ଶ ଓ ବାସ୍ତବ ଭିତରେ ଏକ ବିରୋଧ ରହି ଆସିଛି, ଶାସ୍ତ୍ର ଓ ଜୀବନ ମଧ୍ୟରେ ବି ଏକ ଦୂରତା ରହିଆସିଛି । ଆଦର୍ଶମାନେ ସବୁ ଯାଇ ସେଠି ରହିଛନ୍ତି,–ଠିକ୍ ଯେପରି ବୈକୁଣ୍ଠରେ ବିଷ୍ଣୁ ଅଛନ୍ତି ଓ କୈଳାଶରେ ଶିବ ଅଛନ୍ତି । ଶାସ୍ତ୍ରଗୁଡ଼ିକୁ ଆମେ କେବଳ କଳ୍ପନା ଦ୍ଵାରା ଗମିବା, ଶାସ୍ତ୍ର ପଢ଼ି କେବଳ କଳ୍ପନାର ଆଖିରୁ ହିଁ ବିହ୍ଵଳ ଭାବରେ ଲୁହ ବୁହାଇବା । ବାସ୍ତବ ସବୁଦିନେ ବାସ୍ତବ ହୋଇ ରହିଥିବ । ଆଦର୍ଶମାନଙ୍କୁ, ସ୍ଵପ୍ନମାନଙ୍କୁ ଏଠି ଭୂଇଁଉପରେ ସତକୁସତ ଫଳାଇବା ଲାଗି ଭାରତୀୟ ସାହିତ୍ୟରେ ଖୁବ୍ ବେଶୀ ଚିନ୍ତା କରା ଯାଇନାହିଁ । ଏବଂ, ଆଉଏକ ବଡ଼ କଥା, ଯାହାକି ଭାରତବର୍ଷ ଚିନ୍ତନ ଓ ସାହିତ୍ୟକୁ ଯଥାର୍ଥରେ ବାସ୍ତବବାଦୀ କରିବାର ଏକ ସ୍ପଷ୍ଟ ପ୍ରତିବନ୍ଧକ ହୋଇ ଠିଆ ହୋଇଛି, ସେଇଟି ହେଉଛି ଯେ, ଭାରତୀୟ ମେଦିନୀଧାରଣାରେ ସବୁ ମଣିଷଙ୍କୁ ପ୍ରାୟ କେଉଁଠିହେଲେ ଆଧେୟରୂପେ ଗ୍ରହଣ କରା ଯାଇନାହିଁ । କେବଳ କେତେକଙ୍କୁ ହିଁ ଗଣା କରାଯାଇଛି ଓ ଅନ୍ୟମାନଙ୍କୁ ବାହାରେ ରଖି ଦିଆଯାଇଛି । ପ୍ରାଚୀନ ସମାଜରେ ସ୍ଵଶ୍ରେଣୀର ମଣିଷମାନେ ହିଁ ମଣିଷ ବୋଲି ଗଣା ହୋଇଛନ୍ତି, ମାତ୍ର ଅନ୍ୟମାନଙ୍କୁ ଶୂଦ୍ର ଅଥବା ପଶୁସ୍ତରରର ଜୀବଜ୍ଞାନରେ ନିନ୍ଦିତ କରି ରଖାଯାଇଛି । ବ୍ରହ୍ମସତ୍ତା ସବୁଠାରେ ସବୁଟି ଭିତରେ ବିରାଜିତ ରହିଛି ବୋଲି କେଡ଼େ ଉଦାର ଓ ଗମ୍ଭୀର ଭାବରେ ଘୋଷଣା କରାଯାଇଛି ସତ, ମାତ୍ର ବାସ୍ତବ, ସାମୂହିକ ପ୍ରକୃତ ସମ୍ବନ୍ଧଗତ ଜୀବନରେ ଏକ କ୍ରୂର ଓ ଅନମନୀୟ ଭେଦର ବିଚାର ଭାରତବର୍ଷର ବିବେକକୁ କାମୁଡ଼ି ଧରି ରହିଛି । ଆଧୁନିକ ଶିକ୍ଷା ଓ ଯନ୍ତ୍ରୋଦ୍ୟୋଗର ନୂତନ ଆହ୍ଵାନଗୁଡ଼ିକ ମଧ୍ୟ ସେହି ଅବିବେକକୁ କାମୁଡ଼ି ଧରି ରହିଛି । ଆଧୁନିକ ଶିକ୍ଷା ଓ ଆଧୁନିକ ଯନ୍ତ୍ରୋଦ୍ୟୋଗର ନୂତନ ଆହ୍ଵାନଗୁଡ଼ିକ ମଧ୍ୟ ସେହି ଅବିବେକକୁ ପରାଭୂତ କରି ପାରିନାହାନ୍ତି । ଏଠି ମଣିଷମାନେ ଆଦର୍ଶର କଥା କହିଲାବେଳେ ଓ ଶାସ୍ତ୍ରର ଉଦ୍ଧାର କଲାବେଳେ ଯେତିକି ଗଦ୍‌ଗଦ ଭାବରେ ଆପଣାକୁ ସତେଅବା ସେହି ସେହି କ୍ଷଣକ ସକାଶେ ଗୋଟାଏ ଗୋଟାଏ ଦେବତା ପରି ଅନୁଭବ କରନ୍ତି, ଏବଂ ପରବର୍ତ୍ତୀ କ୍ଷଣରେ ବାସ୍ତବ ଜୀବନରେ ଅତ୍ୟନ୍ତ ପାଶବିକ ଭାବରେ କଷ୍ଟ ସହନ୍ତି ଅଥବା ଅତ୍ୟନ୍ତ ପାଶବିକ ଭାବରେ କ୍ରୂର ହୋଇ ପାରନ୍ତି । ଭିତର ରହିଥିବା ଏହି ମୌଳିକ ବିରୋଧଟି ଆମର ପ୍ରାୟ ରକ୍ତମାଂସରେ ପରିଣତ ହୋଇ ରହିଥିବାରୁ ଆମେ ଆମ ସାହିତ୍ୟରେ ମଧ୍ୟ ବାସ୍ତବବାଦୀ ହେବାଲାଗି ହୁଏତ ଯେତେ ମନ କଲେ ମଧ୍ୟ ତଥାପି ଅବରଙ୍କର ସ୍ତରକୁ ସ୍ପର୍ଶ କରି ପାରୁନାହିଁ, ସେମାନଙ୍କୁ ସାଙ୍ଗରେ ଧରି ଉପରକୁ ଉଠାଇ ଆଣି ପାରିବା ତ ଆହୁରି ଦୂରର କଥା । ଆମେ ଦୟା କରୁ, ଉଦାରତା ଦେଖାଉ, ମାତ୍ର ତଥାପି ସଙ୍ଗୀ ହୋଇ ପାରୁନାହିଁ; ଆମ ଭିତରେ ରହିଥିବା ନାନା ଅନ୍ୟ ଅନୁରକ୍ତି ଅହଙ୍କାରରେ ପରିଣତ ହୋଇ ଆମର ଯାବତୀୟ ଅଙ୍ଗୀକାରକୁ ପାଣି ଫଟାଇଦେଇ ଯାଏ । ପୁନଶ୍ଚ, ଅନେକ ଘାଆଗୁଡ଼ାକୁ ତାଡ଼ି ଖୋଳି ଦେଖାଇଲା ପରି ସାହିତ୍ୟରେ ବାସ୍ତବବାଦୀ ହେବାର ଏକ ବିକୃତ ଶ୍ରଦ୍ଧା ମଧ୍ୟ ଦେଖାଇଥାନ୍ତି; ସେମାନଙ୍କର ନିଜ ଭିତରେ କୋଉଠି କେତେ ବ୍ୟାଧି ପ୍ରକୁପିତ ହୋଇ ରହିଥାନ୍ତି କେଜାଣି, ସେମାନେ ବ୍ୟାଧିର ପରିଚର୍ଚ୍ଚାଗୁଡ଼ାକୁ ଭାରି ଭୋଳ ହୋଇ ବାସ୍ତବବାଦ ବୋଲି ମଣନ୍ତି ଏବଂ ଏପରି କରି ଏକ ଅନୁରୂପ ପାଠକଶ୍ରେଣୀର ତୃଷାନିବାରଣରେ କିଞ୍ଚିତ୍ ସହାୟତା ଅବଶ୍ୟ କରିଥାନ୍ତି ।

 

ଭାରତୀୟ ସାହିତ୍ୟର ଦୃଷ୍ଟି ଏବଂ ଉଦ୍ୟମକୁ ଯଥାର୍ଥରେ ବାସ୍ତବବାଦୀ କରିବାରେ ଆମର ତଥାକଥିତ ଜାତୀୟତାବାଦ ମଧ୍ୟ ଏକ ପ୍ରବଳ ବାଧା ପରି କାର୍ଯ୍ୟ କରିଥାଏ । ପ୍ରଧାନତଃ ଏକ ଦରିଦ୍ର ଦେଶରେ ଜାତୀୟତାବାଦ ଅଧିକତର କ୍ଷେତ୍ରରେ ଏକ ଉଗ୍ର ମାଦକରୂପେ କାର୍ଯ୍ୟ କରିଥାଏ, ଅମଳ ଖୁଆଇ ଅଚେତା କରି ରଖେ । ଭୋକ ଭୁଲାଇ ରଖେ । ଏହି ମାର୍କାର ଜାତୀୟତାବାଦ ଆଗ ଜାତିକୁ ଦେଖେ, ମଣିଷକୁ ଅର୍ଥାତ୍ ପ୍ରତ୍ୟେକ ମଣିଷକୁ ଗଣନା ଭିତରକୁ ନେବାଲାଗି ତା’ପାଖରେ କୌଣସି ସମୟ ନଥାଏ କି ଶିଷ୍ଟତା ମଧ୍ୟ ନଥାଏ । ଏହି ପର୍ଯ୍ୟାୟରେ ସାହିତ୍ୟକୁ ମଧ୍ୟ ଭାରି ବ୍ୟଭିଚାରୀ ଭାବରେ ଜାତୀୟ ସାହିତ୍ୟ ବୋଲି କୁହାଯାଏ, ଭାଷାକୁ ଜାତୀୟ ଭାଷା ବୋଲି କୁହାଯାଏ, ସତ୍ୟମାନଙ୍କୁ ଗୋଟିଏ ଗୋଟିଏ ସ୍ଥାନୀୟ ବାନା କରି ଉଡ଼ାଇ ଦିଆଯାଏ, ଏବଂ ଉଦୟ ଲାଗି ଅପେକ୍ଷା କରି ବସିଥିବା ମଣିଷ ଉପରେ ପଥର ଲଦି ଦିଆଯାଏ, ତା’ର ଅନ୍ନଗତ ଆବଶ୍ୟକତାଗୁଡ଼ାକୁ ମଧ୍ୟ ଉତ୍ତେଜିତ କରି ରଖି ଦାଣ୍ଡର ପ୍ରତିଯୋଗିତା–ହାଟରେ ଜାତିକୁ ଅଧିକ ଓ ଆହୁରି ଅଧିକ ଶ୍ରୀମନ୍ତ କରି ଦେଖାଇବାର କ୍ରୂର ବିନୋଦନମାନ କରାଯାଏ । ଅନେକେ ବଞ୍ଚିତ ହୋଇ ରହିଥାନ୍ତି ଏବଂ ଅଳପମାନଙ୍କର କ୍ଷମତା ପ୍ରଚଣ୍ଡରୁ ଆହୁରି ପ୍ରଚଣ୍ଡ ହୋଇ ସାମୂହିକ ଜୀବନର ଅବୟବଟିକୁ ଗୋଟାସୁଦ୍ଧା ଗିଳି ପକାଏ । ଗିଳିବାର ସେହି ପ୍ରକ୍ରିୟାରେ ସାମନ୍ତମାନଙ୍କର ସାହିତ୍ୟ ମଧ୍ୟ କମ୍ ସହଯୋଗ କରେନାହିଁ । ବାସ୍ତବବାଦ ଭାରି ଭେଜାଲ ହୋଇଯାଏ, ବିଷଯୁକ୍ତ ହୋଇ ରହେ । ଭାରତୀୟ ଜାତୀୟତାବାଦୀ ସାହିତ୍ୟର ଆଲୋଚନା କଲେ ଆମେ ତା’ଭିତରେ ଏହିପରି ଅନେମ ପ୍ରଦୂଷଣ ଆସି ପଶି ଯାଇଥିବାର ଲକ୍ଷ୍ୟ କରି ପାରିବା, ଭାରତର ରାଜନୀତିକ ନେତୃତ୍ଵ ଯେପରି ମଣିଷକୁ ଛାଡ଼ି ଆହୁରି କେତେ କ’ଣ ପ୍ରମତ୍ତତା ଭିତରେ ଏଠି ଜୀବନର ପ୍ରାୟ ଯାବତୀୟ ଆୟତନକୁ ଗଦ ସୁଙ୍ଘାଇ କାବୁ କରି ରଖିଛି, ଆମର ସାମ୍ପ୍ରତିକ ସାହିତ୍ୟ ମଧ୍ୟ ଅନେକ କ୍ଷେତ୍ରରେ ଆମକୁ ଅଳପ ଭିତରେ ବିଭ୍ରାନ୍ତ କରି ରଖି ଦୈତ୍ୟମାନଙ୍କ ହାତରେ ହିଁ ରଜ୍ଜୁଗୁଡ଼ିକୁ ନେଇ ଧରାଇ ଦେଇଛି । ଭାରତୀୟ ମଣିଷ ଭିତରେ ଥିବା ଅସଲ କ୍ରୋଧଗୁଡ଼ିକୁ ଜାଗୃତ ହୋଇ ଆସିବାରେ ତାହା ଖୁବ୍‌ବେଶୀ ସାହାଯ୍ୟ କରିନାହିଁ ।

 

ଅସଲ କ୍ରୋଧ, ଅର୍ଥାତ୍ ଯାହାକିଛି ଏଠି ମଣିଷର ବାଟକୁ ଓଗାଳି ବସିଛି ସେଗୁଡ଼ାକୁ ଅପସାରିତ କରିଦେବା ସକାଶେ ଏକ ଅସହିଷ୍ଣୁତା । ଯେଉଁ ଦେଶରେ ନବେଭାଗ ଜୀବନ ପଲ୍ଲୀକେନ୍ଦ୍ରିତ, ସେଠାରେ ଶହେରେ ନବେଭାଗ ସାହିତ୍ୟ ସହରକେନ୍ଦ୍ରିତ ହୋଇ ରହିଛି, ପ୍ରଧାନତଃ ଏକ ସହରୀ ବ୍ୟସନରେ ପରିଣତ ହୋଇ ରହିଛି,–ତାହାହିଁ ଭାରତୀୟ ଜୀବନ ଓ ଭାରତୀୟ ସାହିତ୍ୟ ମଧ୍ୟରେ ଅତ୍ୟନ୍ତ ବିକଟ ଭାବରେ ବିଦ୍ୟମାନ ରହିଥିବା ସେହି ବାସ୍ତବ ଅନୈକ୍ୟଟିର ହିଁ ସୂଚନା ଦେଇଥାଏ । ପାରମ୍ପରିକ ଭାବରେ ଭାରତବର୍ଷର ଏକ ନିଜସ୍ଵ ସାଂସ୍କୃତିକ ଭୂମି ରହି ଆସିଥିଲା । ଆଧୁନିକ ସାହିତ୍ୟ ସ୍ଥୂଳତଃ ସତେଅବା ପ୍ରୟୋଜନରେ ପଡ଼ି ତାହାକୁ କେଉଁ କାଳରୁ ପାସୋରି ପକାଇଥିବା ପରି ମନେ ହୋଇଥାଏ । ଏକ ଅନ୍ୟ ଭୂମି, ଏବଂ ପ୍ରଧାନତଃ ଏକ ବିକୃତ ଏବଂ ବ୍ୟାଧିତ ଅନ୍ୟକୃତିର ପ୍ରକୋପ ନେଇ ତାହା ସତେଯେପରି ସେହି ଭୂମିଟିକୁ ଯଥାସମ୍ଭବ ଗୋଟାସୁଦ୍ଧା ଭାଙ୍ଗି ପକାଇବାର ଚକ୍ରାନ୍ତ କରି ବାହାରିଛି । ଆମ ଦିଗବଳୟଗୁଡ଼ିକ ପଛରେ ଯାହା ସବୁଠାରୁ ଅଧିକ ଗଭୀର ହୋଇ ରହିଛି, ତାହାକୁ ଚିହ୍ନିବା ଅଥବା ଆଧୁନିକ ପରିପ୍ରେକ୍ଷୀରେ ତାହାର ଏକ ପୁନରାବିଷ୍କାର କରିବା ପରିବର୍ତ୍ତେ ତାହା ତାକୁ ଅତ୍ୟନ୍ତ ପୁଲକର ସହିତ ଗ୍ରାସ କରି ପକାଇବାରେ ଲାଗିଛି । ଜୀବନବୀକ୍ଷାର ଏକ ଭାରତୀୟ ଭୂମି ଉପରେ ଆଧୁନିକ ଆହ୍ଵାନଗୁଡ଼ିକୁ ସ୍ଵୀକାର କରିନେଇ ଏଠି ସବୁ ମଣିଷଙ୍କ ପାଇଁ ଏକ ଅନ୍ୟ ପ୍ରେରଣାଗତ ଜଳବାୟୁର ରଚନା,–ଯେପରିକି ତାହା ଏକ ପୁରୋଦୃଷ୍ଟିସମ୍ପନ୍ନ ସମୂହର ରଚନା ନିମନ୍ତେ ଅଧିକରୁ ଅଧିକ ମଣିଷଙ୍କୁ ପ୍ରେରିତ କରିପାରିବ, ନିଦାରୁଣ ଦୂରତାଗୁଡ଼ିକୁ ଭାଙ୍ଗି ମଣିଷକୁ ମଣିଷ ସହିତ ଏକତ୍ର କରାଇ ଆଣିବ, ଆମର ଚତୁର୍ଦ୍ଦିଗରେ ଆମଉପରେ ସତେଅବା ଲାଳ ପରି ବୋଳା ହୋଇଥିବା କୃତ୍ରିମତାଗୁଡ଼ାକୁ ତାହା ଅମାନୁଷିକ ବୋଲି ଘୋଷଣା କରିବ, ଏହିପରି ଏକ ଗୁଣାତ୍ମକ ବାସ୍ତବବାଦ ହିଁ ଭାରତୀୟ ସାହିତ୍ୟରେ ଜୀବନ ଓ ସାହିତ୍ୟକୁ ଏକ ସୁସମଞ୍ଜସଦା ମଧ୍ୟରେ ସମ୍ମିଳିତ କରି ଆଣିପାରିବ ।

 

ଭାରତବର୍ଷରେ ଯିଏ ଯଥାର୍ଥ ବାସ୍ତବବାଦୀ ହେବ, ସିଏ ବର୍ତ୍ତମାନ ଏଠାରେ ପ୍ରତିଷ୍ଠିତ ଓ ସ୍ଵୀକୃତ ହୋଇ ରହି ଆସିଥିବା ଆସନଗୁଡ଼ାକୁ କଦାପି ମାନି ନେବନାହିଁ; ଏଗୁଡ଼ାକୁ ସିଏ ବଦଳାଇବାକୁ ବାହାରିବ । ସେଥିଲାଗି ବାଟ ଖୋଜିବ, ଅସନ୍ତୋଷଗୁଡ଼ିକୁ ଅଧିକ ଗଭୀର କରାଇବ,–ତାକୁ ସଂକଳ୍ପର ସହିତ ଅନେକ ଅନିଚ୍ଛୁକତା ଉପରେ ଆଘାତ କରିବାକୁ ପଡ଼ିବ । ଏହି ସନ୍ଦର୍ଭରେ କାର୍ଲ୍ ମାର୍କସ୍ ଦୁଇ ପ୍ରକାରର ଭୌତିକବାଦର କଳ୍ପନା କରିଥିଲେ । ଗୋଟିଏ ଭୌତିକବାଦ ବା ଜଡ଼ବାଦ ହେଉଛି ଏକ ଦାର୍ଶନିକ ମତବାଦ, ପ୍ରାୟ ଏକ ଆଦର୍ଶବାଦ, ଯାହାକି କେବଳ ଏକ ସିଦ୍ଧାନ୍ତରୂପେ ଜଡ଼ର ପ୍ରାଥମିକତା ଉପରେ ବିଶ୍ଵାସ କରେ । ଦ୍ଵିତୀୟ କିସମର ଜଡ଼ବାଦ ଅନ୍ନର ପ୍ରତିଷ୍ଠାକୁ ହିଁ ସର୍ବମୂଳ ପ୍ରତିଷ୍ଠାରୂପେ ସ୍ଵୀକାର କରି ଏକ ମନୁଷ୍ୟସମାଜକୁହିଁ ଯାବତୀୟ ଜୀବନୋଦ୍ୟମର ଭୂମିରୂପେ ବିଚାର କରିଥାଏ, ଏକ ସାମୂହିକ ମାନବତାର ଚିତ୍ରକୁ ଆପଣାର ଚକ୍ଷୁସମକ୍ଷରେ ଉତ୍ତୋଳିତ କରି ଧରିଥାଏ ।(୮) ଏହି ଜଡ଼ବାଦକୁ ଆମେ ଏପରି ବାସ୍ତବବାଦର ସମବାଚୀରୂପେ ବୁଝିବା, ଯାହାକି ମନୁଷ୍ୟଜୀବନର ଅନ୍ନଗତ ଦାବୀକୁ ହିଁ ସବୁ ମଣିଷଙ୍କ ଲାଗି ସର୍ବପ୍ରଥମ ଦାବୀରୂପେ ସ୍ଵୀକାର କରିନିଏ, ଅର୍ଥାତ୍, ସମାଜର ଅଧିକସଂଖ୍ୟକ ମଣିଷ ସେହି ଅନ୍ନଗତ ପ୍ରଥମ ହରକତଟିର ସୋପାନରେ ହିଁ ଅଟକି ରହିଯିବେ ଓ ସେହିଠାରେ ହିଁ କେବଳ ଏକ ଉଦରସଂଗ୍ରାମରେ ଜୀବନକୁ ବିତାଇଦେବେ, ଏହାକୁ ତାହା ଏକ ବର୍ବର ଅବ୍ୟବସ୍ଥା ବୋଲି ଘୋଷଣା କରେ । ବାସ୍ତବବାଦୀ ସାହିତ୍ୟ ମନୁଷ୍ୟକୁ, ସବୁ ମଣିଷଙ୍କୁ ମନୁଷ୍ୟର ସମ୍ମାନ ଦିଏ, ମନୁଷ୍ୟର ପରିପୂର୍ଣ୍ଣ ସମ୍ଭାବନା ସହିତ ପ୍ରତ୍ୟେକ ମଣିଷଙ୍କର ଏକ ଭବିଷ୍ୟକଳ୍ପନା କରେ, ସେଣୁ ବର୍ତ୍ତମାନର ସାମାଜିକ ହୀନାବସ୍ଥାଗୁଡ଼ିକୁ ଆଦୌ ସହେନାହିଁ । ବାସ୍ତବବାଦ ବିଦ୍ରୋହ କରେ-। ମଣିଷକୁ ଛାଡ଼ି ଯାବତୀୟ ସାହିତ୍ୟିକ ରସାତିଚାରକୁ ତାହା ଅସମ୍ପୂର୍ଣ୍ଣ ଓ ଖଣ୍ଡିତ ବୋଲି ଘୋଷଣା କରେ, ଏକ ହୃଦୟହୀନତା ବୋଲି ଘୋଷଣା କରେ । ବାସ୍ତବବାଦ ଯାବତୀୟ ଉଦାସୀନତା ସହିତ ସଂଗ୍ରାମ କରେ, ମଣିଷର ନିଦ ଭଙ୍ଗାଏ । ମଣିଷକୁ ସଚେତନ କରାଏ ।

 

ବର୍ତ୍ତମାନର ଜୀବନ–ବିରୋଧୀ କପଟତାଗୁଡ଼ାକ ବିରୁଦ୍ଧରେ ଆଧୁନିକ ବାସ୍ତବବାଦୀ ସାହିତ୍ୟ ଧର୍ମତଃ ଏକ ପ୍ରତିବାଦମୂଳକ ସାହିତ୍ୟ ହେବାକୁ ବାଧ୍ୟ ହେବ । ମଣିଷର ଆଖି ଯେତିକି ଅଧିକ ସୁସ୍ଥ ହୁଏ, ତା’ ଭିତରେ ସୁନ୍ଦରର ଆକାଂକ୍ଷା ସେତିକି ଅଧିକ ସମ୍ପୂର୍ଣ୍ଣ ଭାବରେ ତାହାକୁ ପ୍ରେରିତ କରିବାଲାଗି ଅନୁମତି ପାଆନ୍ତି, ତାହା ବର୍ତ୍ତମାନର ଅସୁନ୍ଦରତାଗୁଡ଼ାକ ବିରୁଦ୍ଧରେ ସେତିକି ଅଧିକ ଅସହିଷ୍ଣୁ ହୁଏ, ଏକ ବିପ୍ଲବ ଖୋଜେ, ବିସ୍ତାର ଖୋଜେ, ବିମୋଚନ ଇଚ୍ଛା କରେ । ଏହି ଶତାବ୍ଦୀର ଜଣେ ସମାଜବିଜ୍ଞାନୀ ବିଦ୍ରୋହୀକୁ ହିଁ ସାମୂହିକ ମନୁଷ୍ୟାକାଂକ୍ଷାର ଏକ ଚିରନ୍ତନ ପ୍ରସ୍ଥ ବୋଲି ଘୋଷଣା କରିଛନ୍ତି । (୯) ବାସ୍ତବକୁ ହିଁ ଆଦର୍ଶର ସର୍ବମୂଳ ପାବଚ୍ଛରୂପେ ଗ୍ରହଣ କରି ପାରିଲେ ଏବଂ ଆଦର୍ଶକୁ ଏହି ମୂଳ ପାବଚ୍ଛଟିରୁ ଉଠି ଉଠି ଯାଇଥିବା ଏକ ଅବିଚ୍ଛିନ୍ନ ସୋପାନକ୍ରମରେ ମଥାନରେ ରହିଥିବା ପାବଚ୍ଛଟି ରୂପେ ଅନୁଭବ କରିବାକୁ ସମର୍ଥ ହେଲେ ଆଧୁନିକ ସାହିତ୍ୟକୁ ଆପଣା ଭିତରେ ରହିଥିବା ସେହି ବିଦ୍ରୋହୀକୁ ହିଁ ବାଟ ଛାଡ଼ିଦେବାକୁ ପଡ଼ିବ-। ଆମର ଜୀବନ ଏବଂ ସାହିତ୍ୟ ଉଭୟେ ଗୋଟିଏ ସୂତାରେ ଗଅଁଠା ହୋଇ ରହିଛନ୍ତି ବୋଲି ଯଦି ଆମେ ବିଶ୍ଵାସ କରୁଥିବା, ଯଦି ଜୀବନ କହିଲେ ଆମେ ବ୍ୟକ୍ତିଗତ ଓ ସାମୂହିକ ଉଭୟ ଜୀବନକୁ ଗଣନା କରୁଥିବା ଏବଂ ଉଭୟର ପରସ୍ପର–ଅନୁପୂରକତା ବ୍ୟତୀତ ଦୁଇଟି ମଧ୍ୟରୁ କୌଣସି ଗୋଟିଏ ମଧ୍ୟ କଦାପି ସୁସ୍ଥ ହୋଇ ପାରିବନାହିଁ ବୋଲି ଯଦି ଆମର ପ୍ରକୃତରେ ହୃଦ୍‌ବୋଧ ହୋଇଥିବ, ତେବେ ଆମେ ସାହିତ୍ୟ ଭିତରକୁ ମଧ୍ୟ ସେହି ବିଦ୍ରୋହ, ସେହି ସ୍ଵପ୍ନ ଓ ସେହି ବ୍ୟାକୁଳତାକୁ ଅବଶ୍ୟ ସଞ୍ଚାରିତ କରି ଆଣିବା । ଯେଉଁଠି ଯାବତୀୟ ବିଦ୍ରୋହକୁ କେବଳ ରାଜନୀତି ହାତରେ ଛାଡ଼ି ଦିଆଯାଏ, ସେଠାରେ ସାହିତ୍ୟିକମାନେ ସରସ ବଳଦ ସାଜି ରାଜନୀତିକ କ୍ଷମତାସୀନମାନଙ୍କର ଗୁହାଳରେ ବନ୍ଧା ହୋଇ ରହିଥାନ୍ତି । ସେମାନେ ସଭାରେ ବସି ପାରିତୋଷିକ ପାଆନ୍ତି, ପଚି ସଢ଼ି ଯାଆନ୍ତି । ଜୀବନକୁ ଭଲ ପାଇଲେ, ମଣିଷକୁ ସବୁଠାରୁ ନିଜର ଓ ସବୁଠାରୁ ଅଧିକ ପାଖରେ ବୋଲି ମନେ କଲେ ବି ମଣିଷ ବିଦ୍ରୋହ କରି ବାହାରେ । ସେହି ବିଦ୍ରୋହ ସିଂହାସନ ଟଳାଏ, ଯୁଗ ବଦଳାଏ,–ଅସମ୍ଭବକୁ ସମ୍ଭବ କରେ । ଆମ ସାହିତ୍ୟ ସତକୁ ସତ ଭଲ ପାଇ ପାରିଲେ ହିଁ ବାସ୍ତବବାଦୀ ହୋଇ ପାରିବ ।

 

୯ । ୭ । ୮୩

 

ପୁସ୍ତକ-ଟିପ୍ପଣୀ :

 

୧.

Jose Ortega Y Gasset : Man and Crisis, Allen and Unwin, Londion, 1959, ପୃଷ୍ଠା–୧୩

 

 

୨.

“Do not wish to be a philosopher in contrast to being a man… do not think as a thinker…, think as a living real being thinks in Existence,”–Ludwig Feuerbach in Grundsaetze der Philosophie der Zukumlt, Zuerich, 1843, ପୃଷ୍ଠା–୭୮

 

 

୩.

Aubrey Hodes : Encounter with Martin Buber, Penguin Books, London, ପୃଷ୍ଠା–୮୮

 

 

୪.

Martin Buber :Two Kinds of Faith, Rutledge and Kegan Paul, London, 1975, ପୃଷ୍ଠା–୧୭୩

 

 

୫.

Karl Marx : Die deutsche ideologie (1845–46)

 

 

୬.

Karl Marx : Die Heilige Familie (1845)

 

 

୭.

Sri Aurobindo Birth Centenary Library, Vol. 9, 1971; ପୃଷ୍ଠା–୫

 

 

୮.

Karl Marx : Thesis on Feuerbach, (1845)

 

 

୯.

Rene’ Dubois : So Human an Animal, Charles Scribner’s Sons, New York, 1968, ପୃଷ୍ଠା–୫

 

 

 

“The rebel represents one of the eternal dimensions of mankind.”

Image

 

Unknown

ଜୀବନର ସୌନ୍ଦର୍ଯ୍ୟବୋଧୀ ବିଚାର

 

ସୃଷ୍ଟିଶୀଳତା ହେଉଛି ଜୀବନର ସର୍ବମୂଳ ଧର୍ମ । ସୃଷ୍ଟିଶୀଳତା ଏକ ସମଗ୍ର ପ୍ରକ୍ରିୟା, ଏକ ସମଗ୍ର ଏକାତ୍ମତାରୁ ହିଁ ଏହି ସମଗ୍ର ଅଭିବ୍ୟକ୍ତି ସମ୍ଭବ ହୋଇଥାଏ । ନିଜକୁ ଅଭିବ୍ୟକ୍ତ କରିବାର ଅର୍ଥ ହେଉଛି ଆପଣାକୁ ଦେବା, ସୂତ୍ର ଲଗାଇବା, ଦୁଆରଗୁଡ଼ାକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦେବା, ପାଚେରୀଗୁଡ଼ାକୁ ଭାଙ୍ଗିବା, ଅର୍ଥାତ୍, ନିର୍ଭୟ ହେବା, କୃପଣ ନ ହେବା, ସମ୍ମିଳିତ ହେବା ଓ ଡୋର ଲଗାଇବା । ଯିଏ କାତର ହୋଇ ବସିଛି, ଅର୍ଥାତ୍ ବିଚ୍ଛିନ୍ନ ହୋଇ ବସିବାକୁ ହିଁ ଯିଏ ଜୀବନର ଅସଲ ନିରାପତ୍ତା ବୋଲି ଭାବୁଛି, ସିଏ କୌଣସି ଯଥାର୍ଥ ସୃଜନ ଲାଗି ମୋଟେ ଯୋଗ୍ୟ ହୋଇ ପାରେନାହିଁ । ସିଏ ନିଜକୁ କିଳି ରଖେ, ନାନା ଆଳଙ୍କାରିକତା ମଧ୍ୟରେ ନିଜକୁ ଲୁଚାଇ ରଖେ, ଓ ନାନା ଉଗ୍ରତା ମଧ୍ୟରେ ଉତ୍ତପ୍ତ ହୋଇ ବସିଥାଏ । କିଳି ରଖିବା ସୃଜନଶୀଳତା ଆଦୌ ନୁହେଁ ।

 

ସାହିତ୍ୟ ହେଉଛି ସୃଜନଶୀଳତାର ଏକ ଅନ୍ୟତମ କ୍ଷେତ୍ର । ସାହିତ୍ୟକୁ ମନ କରିବା, ଅର୍ଥାତ୍ ଆପଣା ଭିତରେ ରହିଥିବା ସୃଜନଶାଳୀ ଅନୁରାଗୀଟିକୁ ହିଁ ସବାବଡ଼ କରି ଚିହ୍ନିବା, ସବା ମୂଳରେ ଥିବାର ଅନୁଭବ କରିବା, ଅନୁରାଗୀ ହେବା ଅର୍ଥାତ୍ ଡୋର ବାନ୍ଧିବା । ଅନୁରାଗରୁ ଅଭିବ୍ୟକ୍ତି, ଅନୁରାଗରୁ ସାହିତ୍ୟ । ଯାହା ମଣିଷକୁ ଭଲ ଲାଗେ, ମଣିଷ ଛାଏଁ ଛାଏଁ ତାହା ସହିତ ବାନ୍ଧି ହୋଇଯାଏ । ଏହି ବାନ୍ଧି ହୋଇଯିବା ଦ୍ଵାରା ହିଁ ଏକାକୀ ହୋଇ ପଡ଼ି ରହିବାର ଦୁର୍ଗତି ହୁଏ । ଜୀବନ ସହିତ ବାନ୍ଧି ହୋଇଗଲେ ଏକାକିତ୍ୱର ଅନୁଭବ ଅପସରି ଯାଏ । ସେତେବେଳେ ସବୁକିଛି ଅତି ପାଖରେ ରହିଥିବା ପରି ଲାଗେ, ଆପେ ଏହି ସବୁଟି ସହିତ ସଂଲଗ୍ନ ହୋଇ ରହିଥିବା ପରି ଲାଗେ । ସମସ୍ତଙ୍କ ସହିତ ସଂଲଗ୍ନ ହୋଇ ରହିଥିବା ପରି ମନେ ହେଉଥାଏ । ସଂଲଗ୍ନ ହୋଇ ରହିଥିବା ମଣିଷ ହିଁ ସାହିତ୍ୟ ଲାଗି ଭାଜନ ହୋଇପାରେ । ସାହିତ୍ୟରେ ଯାବତୀୟ ସୃଜନ ଲାଗି ମଧ୍ୟ ଭାଜନ ହୋଇପାରେ । ଏବଂ, ସଂଲଗ୍ନ ହୋଇ ରହିଥିବା ପର୍ଯ୍ୟନ୍ତ ସବୁ ସୁନ୍ଦର ଦେଖାଯାଏ, ସୁନ୍ଦର ଲାଗେ । ବିଚ୍ଛିନ୍ନତାରୁ ହିଁ ଭୟ ଆସେ; ଭୟ ଉଗ୍ର କରେ, ଏକସିଙ୍ଗିଆ କରେ । ସୁନ୍ଦର ଗୁଡ଼ାକୁ ଭାରି ଅବର୍ଜିଆ କରିପକାଏ, ଅତି ନିକଟଗୁଡ଼ାକୁ ଦୂରବର୍ତ୍ତୀ କରି ରଖିଥାଏ ।

 

ସୌନ୍ଦର୍ଯ୍ୟ ଏକ ବସ୍ତୁ ନୁହେଁ, ସୌନ୍ଦର୍ଯ୍ୟ ହେଉଛି ଏକ ବୋଧ, ଏକ ଅନୁଭୂତି । ଭଲ ଲାଗିବାର ଏକ ଅନୁଭୂତି, ଡୋର ଲଗାଇ ରହିଥିବାର ଏକ ସମଗ୍ର ଅନୁଭୂତି । ସେହି ବୋଧ ହିଁ ଆମ ଜୀବନର ଦିଗ ନିରୂପଣ କରିବାକୁ ଆରମ୍ଭ କଲେ ଆଉ କଦାପି ସଂସାରଟାକୁ ଦୁହିଁ ଦାହିଁ ଆପଣା ଭିତରେ ଆଣି ଭର୍ତ୍ତି କରିବାକୁ ମନ ହୁଏନାହିଁ । ସୌନ୍ଦର୍ଯ୍ୟ ନିକଟବର୍ତ୍ତୀ କରାଏ । ଦୂର ଆକାଶକୁ ନିକଟ କରେ, ଦୂର ସମ୍ଭାବ୍ୟକୁ ନିକଟ କରେ । ଦୂର ଭବିଷ୍ୟତକୁ ମଧ୍ୟ ନିକଟ କରେ । ତେଣୁ, ସୌନ୍ଦର୍ଯ୍ୟବୋଧ ଆଦୌ ଏକ ସମ୍ପତ୍ତିବୋଧ ନୁହେଁ । ସବୁକିଛିକୁ ଖାସ୍ ଆପଣା ଲାଗି ଗଣ୍ଠି ପକାଇ ରଖିବାର ଏକ ବୋଧ ଆଦୌ ନୁହେଁ । ଯେଉଁମାନେ ସୌନ୍ଦର୍ଯ୍ୟକୁ ସମ୍ପତ୍ତି ବୋଲି ଭାବନ୍ତି, ସେମାନେ ଆପଣା ଗ୍ରହଣଶୀଳତାର କ୍ଷେତ୍ରରେ ଗଣ୍ଠି ପରେ ଗଣ୍ଠି ପକାଇବାରେ ଲାଗିଥାଆନ୍ତି ସତ, ମାତ୍ର ତଥାପି ସୌନ୍ଦର୍ଯ୍ୟର ଭାଜନ ହୋଇ ପାରନ୍ତିନାହିଁ । ସଂସାର ଭିତରେ ଯଥାର୍ଥରେ କୌଣସି ସୌନ୍ଦର୍ଯ୍ୟ ସୃଷ୍ଟି କରିବାର କାରଣ ବି ହୋଇ ପାରନ୍ତି ନାହିଁ । ସମ୍ପତ୍ତି ପରେ ସମ୍ପତ୍ତି ଠୁଳ କରି ବଡ଼ ସ୍ତୂପକୁ ଆହୁରି ବଡ଼ କରିବାରେ ଲାଗିଥାନ୍ତି ଓ ସଂସାର ଲାଗି, ଜୀବନ ଲାଗି ବୋଝ ହୋଇ ରହିଥାନ୍ତି । ଜୀବନ କହିଲେ ସତେଅବା ଗୋଟାଏ ସଂଗ୍ରହାଳୟକୁ ଭାବୁଥାନ୍ତି । ସେହି ସଂଗ୍ରହାଳୟରୁ ହିଁ ଜୀବନରେ ବଡ଼ ଓ ସାନର ବିଚାର ନିରୂପଣ କରି ବାହାରନ୍ତି ।

 

ଯୋଉଠି ମଣିଷ ଅଛି, ସେଠାରେ ତାହାର ଏକ ସମାଜ ମଧ୍ୟ ରହିଛି । ଅର୍ଥାତ୍, ମଣିଷ ଯେଉଁଠାରେ ବି ରହିଥାଉ ନା କାହିଁକି, ସେଠାରେ ସିଏ ସମସ୍ତଙ୍କ ସହିତ ଏକାଠି ରହିଛି । ଆଗ ବ୍ୟକ୍ତି ନା ଆଗ ସମାଜ, ଏହି ବିଷୟରେ ସେହି ପ୍ରାଚୀନ କାଳରୁ ଆରମ୍ଭ ହୋଇଥିବା ଆଲୋଚନାର ଏବେ ମଧ୍ୟ ଶେଷ ହୋଇନାହିଁ । ଏହି ଆଲୋଚନାରୁ ପଣ୍ଡିତମାନେ ଅନେକ ତତ୍ତ୍ଵ ଏବଂ ଅନେକ ମତ ବାହାର କରିଛନ୍ତି ସତ, ମାତ୍ର ଆମ ନିଜର ମତ ଏହି ବିଷୟରେ ଯାହା ହୋଇଥାଉ ପଛକେ, ଆମକୁ ଏକଥା ସ୍ଵୀକାର କରିବାକୁ ହିଁ ପଡ଼ିବ ଯେ, ମଣିଷ ଏହି ପୃଥିବୀରେ ସକଳ ଉପଲବ୍ଧିକୁ ସମସ୍ତଙ୍କର ଭିତରେ ଥାଇ ହିଁ କରୁଛି, ସମସ୍ତଙ୍କ ସକାଶେ ଓ ସମସ୍ତଙ୍କ ହେତୁ ହିଁ କରୁଛି । ସତ୍ୟ, ଶିବ ଓ ସୁନ୍ଦର,–ଏଗୁଡ଼ିକ ମୋଟେ ଗୋଟିଏ ଗୋଟିଏ ବ୍ୟକ୍ତିବାଚକ ଅବବୋଧ ନୁହଁନ୍ତି । ମଣିଷ ଏଠି ସମସ୍ତଙ୍କ ଭିତରେ ରହିଛି, ତା’ ଠାରୁ ବୃହତ୍ତର ଏକ ସମଗ୍ର ଭିତରେ ରହିଛି ଓ ଆତଯାତ ହେଉଛି । ଏହି ଉପଲବ୍ଧି ହେଉଛି ସତ୍ୟର ଉପଲବ୍ଧି । ଜଣେ ମଣିଷର ମଙ୍ଗଳ ଅନ୍ୟ ମଣିଷମାନଙ୍କର ମଙ୍ଗଳଠାରୁ ମୋଟେ ଅଲଗା ନୁହେଁ । ତା’ର ଯଥାର୍ଥ ମଙ୍ଗଳ ହେଉଛି ଏକ ସମଗ୍ର ମଙ୍ଗଳର ଅଂଶବିଶେଷ । ସେହି ସମଗ୍ର ମଙ୍ଗଳଟିର ବୃତ୍ତ ଭିତରୁ ବାହାରି ଯଦି ମଣିଷ ବିଚ୍ଛିନ୍ନ ଭାବରେ ଆପଣାର ମଙ୍ଗଳ ଲୋଡ଼ିବାକୁ ଯାଏ, ତେବେ ତାହାଦ୍ୱାରା ସିଏ କେବଳ ନାନା ଅମଙ୍ଗଳକୁ ହିଁ ଆପଣା ଜୀବନକୁ ଡାକି ଆଣିବ ଓ କେବଳ ନାନା ଭାବରେ ଉତ୍ତେଜିତ ଓ ଜ୍ଵରଗ୍ରସ୍ତ ହୋଇ ରହିଥିବ । ତେଣୁ, ବୃହତ୍ତର ବୃତ୍ତଟିକୁ ସ୍ଵୀକାର କରିନେବାକୁ ହିଁ ହେବ ଏବଂ ସେହି କ୍ରମରେ କଳ୍ପିତ ବା ଇପ୍ସିତ ବୃହତ୍ତମ ବୃତ୍ତଟିକୁ ମଧ୍ୟ ବୃହତ୍ତମ ବୃତ୍ତ ବୋଲି ସ୍ଵୀକାର କରିନେବାକୁ ପଡ଼ିବ । ସୌନ୍ଦର୍ଯ୍ୟ ବେଳକୁ ମଧ୍ୟ ଠିକ୍ ସେହି କଥା । ଯାହା ଯଥାର୍ଥରେ ସତ୍ୟ, ଯାହା ଯଥାର୍ଥରେ ମଙ୍ଗଳ, ତାହାହି ଯଥାର୍ଥରେ ସୁନ୍ଦର ।

 

ତେଣୁ, ସୌନ୍ଦର୍ଯ୍ୟର ଅବବୋଧ ହେଉଛି ଏକ ସମଗ୍ରର ଅବବୋଧ । ସମସ୍ତଙ୍କ ସହିତ ଅନୁପୂରକ ନାନା ପରିଧି ଭିତରେ ଏକତ୍ର ସଂଯୁକ୍ତ ହୋଇ ରହିଥିବାର ଅବବୋଧ । ଏକ ଅନ୍ତର୍ଗତତମ ସଂହତିର ଅବବୋଧ, ତାହାହିଁ ସୌନ୍ଦର୍ଯ୍ୟର ଅବବୋଧ । ମୋତେ ଯାହା ସୁନ୍ଦର ବୋଲି ଦେଖାଯାଏ, ସେଇଟି ସହିତ ମୁଁ ଏକ ଅନ୍ତର୍ଗତ ସଂହତି ଅନୁଭବ କରୁଥାଏ । ଅଥବା, ଓଲଟାଇ କହିଲେ, କୌଣସି ବସ୍ତୁ ସହିତ ମୁଁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଏକ ଅନ୍ତର୍ଗତ ସଂହତି ଅନୁଭବ କରୁଛି, ତାହାକୁ ହିଁ ମୋ’ ବାହାରେ ମଧ୍ୟ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଅନୁଭବ କରିପାରିଲେ ଯାଇ ବାହାରଟା ବି ମୋତେ ସୁନ୍ଦର ଲାଗେ । ସେତେବେଳେ ବାହାରଟା ମଧ୍ୟ ମୋ’ ଭିତରେ ସୌନ୍ଦର୍ଯ୍ୟର ପ୍ରେରଣା ଆଣିଦିଏ । ସେତେବେଳେ ସେହି ସ୍ପର୍ଶଟି ଦ୍ଵାରା ମୁଁ ଆପଣାକୁ ମଧ୍ୟ ସୁନ୍ଦର ବୋଲି ଦେଖେ ଓ ଅନୁଭବ କରେ । ପ୍ରାଚୀନ ଉପନିଷଦ କାଳରେ ଋଷିମାନେ ଆପଣାର ଅନ୍ତର ଭିତରେ ଯେଉଁ ତେଜୋମୟ ଓ ଅମୃତମୟ ପୁରୁଷକୁ ଅନୁଭବ କରୁଥିଲେ, ଆପଣାର ବାହାରେ ଏହି ଆକାଶ ମଧ୍ୟରେ ବି ସେହି ତେଜୋମୟ ଓ ଅମୃତମୟ ପୁରୁଷକୁ ଅନୁଭବ କରୁଥିଲେ ବୋଲି ଅନେକ ମନ୍ତ୍ରରେ ଘୋଷଣା କରିଛନ୍ତି । ଅର୍ଥାତ୍, ସେମାନେ ଆପଣାକୁ ଆକାଶ ମଧ୍ୟରେ ଅନୁଭବ କରି ପାରିଛନ୍ତି ଓ ଆକାଶକୁ ମଧ୍ୟ ଆପଣା ଭିତରେ ସମାନ ଭାବରେ ଅନୁଭବ କରିଛନ୍ତି । ଆକାଶ ଯେ ଅନ୍ତର ଠାରୁ ଆଦୌ ଭିନ୍ନ ନୁହେଁ ବା ଦୂର ନୁହେଁ, ସେମାନେ ସେହି ସତ୍ୟଟିକୁ ଯଥାର୍ଥ ମଙ୍ଗଳର ଏକ ପ୍ରସ୍ଥ ରୂପେ ଅନୁଭବ କରିଛନ୍ତି । ଆମର ତଥାକଥିତ ବାହାରଟା ଯେ ତଥାକଥିତ ଭିତରଟା ଠାରୁ ଆଦୌ ଭିନ୍ନ ନୁହେଁ ଅଥବା ଦୂର ନୁହେଁ, ସେମାନେ ସେହି ସତ୍ୟଟିକୁ ଅର୍ଥାତ୍ ଯଥାର୍ଥ ମଙ୍ଗଳଭାବନାର ଉତ୍ସଟିକୁ ଅନୁଭବ କରିଛନ୍ତି । ତେଣୁ ଯଥାର୍ଥ ସୌନ୍ଦର୍ଯ୍ୟର ବି ଅନୁଭବ କରିଛନ୍ତି । ଆମଭିତରେ ଯେଉଁ ସଂବେଦନା ଆମର ଭିତରକୁ ଆମ ବାହାରଟା ସହିତ ନେଇ ଯୋଡ଼ିଦିଏ ଏବଂ ଆମକୁ ଏକାବେଳେକେ ଏହି ଦୁଇଟିଯାକ ପରିଧି ଉପରେ ବଞ୍ଚିବାର ସୂତ୍ରଟିକୁ କହି ଦେଇଯାଏ, ତାହାହିଁ ସକଳ ସୌନ୍ଦର୍ଯ୍ୟବୋଧର ଜନନୀ ।

 

ପ୍ରାଚୀନ ଉପନିଷଦୀୟ ଜୀବନଭାବନାରେ ସର୍ବୋଚ୍ଚ ସତ୍ୟର ଯେଉଁ ଉପଲବ୍ଧି ପ୍ରସୂତ ବିଚାର କରା ଯାଇଥିଲା, ସେଥିରେ ଆମ ସଂବେଦନାକ୍ଷେତ୍ରରେ ଏକ ଆରୋହଣକ୍ରମର ସୂଚନା ଦେବାକୁ ଚେଷ୍ଟା କରାଯାଇଥିଲା । ଆମର ସଂବେଦନାକ୍ରମରେ ପାଞ୍ଚଗୋଟି ପାହାଚ, ପାଞ୍ଚୋଟିଯାକ ପାହାଚକୁ ଏକାଠି ଗୋଟିଏ କରି ଦେଖିଲେ ଯେଉଁ ଉପଲବ୍ଧି ସମ୍ଭବ ହୁଏ, ତାହାହିଁ ସମଗ୍ରତାର ଉପଲବ୍ଧି । ତାହା ସମଗ୍ର ସତ୍ୟର ଉପଲବ୍ଧି, ସମଗ୍ର ମଙ୍ଗଳର ଉପଲବ୍ଧି ଓ ସମଗ୍ର ସୌନ୍ଦର୍ଯ୍ୟମୟର ଉପଲବ୍ଧି । ଏହି ପାହାଚଗୁଡ଼ିକୁ ଉପନିଷଦରେ କୋଷ ବୋଲି କୁହାଯାଇଛି । ସର୍ବପ୍ରଥମ କୋଷଟି ହେଉଛି ଅନ୍ନମୟ କୋଷ, ଜଡ଼ର ସ୍ତର, ବସ୍ତୁର ଭୂମି । ଆପଣାକୁ ଏକ ସମଗ୍ର ସାଧନାକ୍ରମରେ ଏହି ଅନ୍ନର ସୋପାନଠାରୁ ହିଁ ପ୍ରତିଷ୍ଠା କରିବାକୁ ହୁଏ । ଅର୍ଥାତ୍, ଅନ୍ନକୁ ସତ୍ୟର ସର୍ବମୂଳ ପାବଚ୍ଛ ବୋଲି ସ୍ଵୀକାର କରିନେବାକୁ ହୋଇଥାଏ । ଅନ୍ନମୟ ଜୀବନ, ଅର୍ଥାତ୍ ସମଗ୍ର କ୍ରମଟି ମଧ୍ୟରେ ତାହାହିଁ ସର୍ବମୂଳ ଜୀବନ । ଅନ୍ନର ପରିଧିଟିରୁ ଆରମ୍ଭ କରି ପ୍ରାଣ, ମନ ଓ ବିଜ୍ଞାନର ପରିଧିଗୁଡ଼ିକୁ ଅତିକ୍ରମ କରି ଆମକୁ ଆନନ୍ଦ ପର୍ଯ୍ୟନ୍ତ ଯିବାକୁ ହୁଏ । ଆନନ୍ଦମୟ କୋଷରେ ପ୍ରବେଶ କରିବାକୁ ହୁଏ । ମାତ୍ର, “ଆନନ୍ଦଂ ବ୍ରହ୍ମ ଇତି ବିଜାନାମଃ” ବୋଲି କହିବାଲାଗି ଅନ୍ନର ପ୍ରସ୍ତରଟିକୁ ମୋଟେ ଛାଡ଼ିଯିବାକୁ ପଡ଼େ ନାହିଁ । ଅର୍ଥାତ୍, ଜୀବନର ସଂବେଦନା ଏବଂ ସମ୍ମିଳନର କ୍ରମୋତ୍ତର ପରିଧିସମଗ୍ରଟି ମଧ୍ୟରେ ଆମ ଏକାତ୍ମକତାର ପାହାଚଗୁଡ଼ିକ ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ପ୍ରଲମ୍ବିତ ହୋଇ ରହିଛି, ଅନ୍ନକୁ ଆନନ୍ଦ ସହିତ ଗୋଟିଏ ସମଗ୍ରସଙ୍ଗତି ମଧ୍ୟରେ ଗଅଁଠାଇ କରି ରଖିଛି । ଅନ୍ନକୁ ଛାଡ଼ି ଆନନ୍ଦ ଆଉ କୌଣସି ବ୍ୟୂହ ଭିତରେ ଆପଣାକୁ ଅଲଗା କରି ପ୍ରତିଷ୍ଠିତ କରିବା ଲାଗି ଆଦୌ ମନ କରୁନାହିଁ । ଯେଉଁଠାରେ ଆନନ୍ଦକାମୀମାନେ ଆନନ୍ଦକୁ ନିରୁତା କରି ପାଇବାର ଲାଳସାରେ ଅନ୍ନକୁ ତ୍ୟାଗ କରନ୍ତି, ଅର୍ଥାତ୍ ପ୍ରାୟ ସବୁଯାକ ଆନନ୍ଦକୁ ଭୋଗ କରିବେ ବୋଲି ଅନ୍ନଠାରୁ ଚମ୍ପଟ କରି ପଳାନ୍ତି, ସେଠି ସେମାନେ ମୂଳତଃ ଏକ ନକାରାତ୍ମକ ଅଶ୍ରଦ୍ଧା ଦ୍ଵାରା ଜୀବନଠାରୁ ଅଲଗା ହୋଇ ରହନ୍ତି, ଆପଣାକୁ ଜୀବନଠାରୁ ବିଚ୍ଛିନ୍ନ କରି ରଖିଥାନ୍ତି; ବାଇବେଲର ଭାଷାରେ ଅନେକ ସମୟରେ ସେହିମାନେ ହିଁ philistine ହୁଅନ୍ତି, pharisee ହୁଅନ୍ତି । ଏହି ମନୋବୃତ୍ତିଟିକୁ ଶ୍ରୀ ଅରବିନ୍ଦ ବୈରାଗୀର ନେତି ବା Refusal of the Ascetic ବୋଲି କହିଛନ୍ତି । ସେମାନେ ଏଠୁ ବୈରାଗୀ ହୁଅନ୍ତି, କାରଣ ସେଠାରେ ଐକାନ୍ତିକ ଭାବରେ ଆନନ୍ଦକୁ ଭୋଗ କରିବାକୁ ଇଚ୍ଛା କରୁଥାନ୍ତି । ସେମାନେ ଅନ୍ନକୁ ନିନ୍ଦନ୍ତି, ଅନ୍ନକୁ ଉପେକ୍ଷା କରନ୍ତି, କାରଣ, ଅମିଶ୍ରିତ ଭାବରେ କେବଳ ଆନନ୍ଦକୁ ଭୋଗ କରିବେ ବୋଲି କୁଣ୍ଢେ ମୋଟରେ ଲାଳସା କରିବାରେ ଲାଗିଥାନ୍ତି । ଅନ୍ନ ଯେ ଆନନ୍ଦ ସହିତ ଗଅଁଠା ହୋଇ ରହିଛି, ଆନନ୍ଦ ଯେ ଜଡ଼ର ରୂପରେ ଏହି ବୃହତ୍ ସଂସାରରୂପେ ଆମର ଚଉପାଶରେ ବିସ୍ତାରିତ ହୋଇ ରହିଛି, ସେମାନେ ସେହି କଥାଟିକୁ ଭୁରୁଡ଼ାଇ ଦେବାରେ ଲାଗିଥାନ୍ତି । ଆଉଏକ ପ୍ରକାରେ କହିଲେ, ସତେଅବା ପୂର୍ଣ୍ଣ ଦାୟିତ୍ଵହୀନ ଭାବରେ ଖାଲି ଆନନ୍ଦକୁ ଭୋଗ କରିବେ ବୋଲି ଅନ୍ନ ପ୍ରତି, ଜଡ଼ ପ୍ରତି, ସଂସାର ପ୍ରତି ଅର୍ଥାତ୍ ଅନ୍ୟ ମନୁଷ୍ୟମାନଙ୍କ ପ୍ରତି ଆପଣାର ଯାବତୀୟ ଦାୟିତ୍ଵକୁ ଭୁଲିକରି ବସିଥାନ୍ତି ।

 

ଯେଉଁମାନେ ଭୋଗ ବା ଉପଭୋଗ କରିବାକୁ ଇଚ୍ଛା କରୁଥାନ୍ତି, ସେମାନେ ପ୍ରଧାନତଃ ଆପଣାର ମୁଣ୍ଡ ଦେଇ ସଂସାରକୁ ବୁଝନ୍ତି, ସେମାନେ ବୁଦ୍ଧି ଦେଇ କେଡ଼େ ବୁଦ୍ଧିଆଙ୍କ ପରି ଆପଣାକୁ ସଂସାରଠାରୁ ଅଲଗା ବୋଲି ଭାବୁଥାନ୍ତି । ସୌନ୍ଦର୍ଯ୍ୟର କ୍ଷେତ୍ର ଆଦୌ ଏକ ଭୋଗରେ କ୍ଷେତ୍ର ନୁହେଁ, ଏହା ଏକ ଅନୁଭବର କ୍ଷେତ୍ର, ଅନ୍ତରଙ୍ଗତା ସ୍ଥାପନ କରିବାର କ୍ଷେତ୍ର, ସମର୍ପଣର କ୍ଷେତ୍ର, ଆପଣାର ବାଡ଼ଗୁଡ଼ାକୁ ଭାଙ୍ଗିଦେଇ ଅନ୍ୟ ସମସ୍ତଙ୍କର ହୋଇଯିବାର କ୍ଷେତ୍ର, ଅନ୍ୟ ସମସ୍ତଙ୍କର ବାଟ ସହିତ ମିଳାଇ ଆପଣାର ବାଟଟିକୁ ଚାଲିବାର କ୍ଷେତ୍ର । ଆପଣାର ବାଟଟିକୁ ଚାଲିବାର ଯଥାର୍ଥ ତାତ୍ପର୍ଯ୍ୟ ହେଉଛି ଅନ୍ୟ ସମସ୍ତଙ୍କ ଲାଗି ଅଧିକରୁ ଅଧିକ ଯୋଗ୍ୟ ହୋଇ ପାରିବାର ଏକ ଅନ୍ତର୍ଗତ ଆକାଂକ୍ଷା । ଯେତେବେଳେ ଜ୍ଞାନ ସେହି ତାତ୍ପର୍ଯ୍ୟର ସୀମାଟିକୁ ସ୍ପର୍ଶ କରିବାର ଯୋଗ୍ୟ ହୁଏ, ତାହା ସେତେବେଳେ ଏକ ଆନନ୍ଦରେ ପରିଣତ ହୋଇଯାଏ । ଆମର ଯାବତୀୟ ସଂସାରକଣା ଯେତେବେଳେ ସେହି ସୀମାର ସ୍ପର୍ଶ ପାଏ, ତାହା ସେତେବେଳେ ଆନନ୍ଦରେ ହିଁ ପରିଣତ ହୋଇଯାଏ । ଆମ ଜୀବନର ଯାବତୀୟ ଉଦ୍ୟମ ଓ ଅଭୀପ୍ସା ସେହି ସୀମାଟିକୁ ସ୍ପର୍ଶ କଲେ ଆନନ୍ଦରେ ହିଁ ପରିଣତ ହୁଏ । ସେତେବେଳେ ସମାଜ ମୋଟେ କୌଣସି ଶତ୍ରୁଦୁର୍ଗ ପରି ମନେ ହୁଏ ନାହିଁ, ସେତେବେଳେ କୌଣସି ବଜାରରେ ଏକା ସମ୍ରାଟ ହୋଇ ବସିବାକୁ ମନ ହୁଏନାହିଁ । ସେତିକିବେଳେ ହିଁ ଯାବତୀୟ ଭୟ ଅର୍ଥାତ୍ ବିଲୟର ଶଙ୍କା ଦୂର ହୋଇଯାଏ । ଏକ କ୍ରମପ୍ରସାରିତ ଅନ୍ତରଙ୍ଗତା ହିନ ଯାବତୀୟ ସିଦ୍ଧିଭାବନା ଉପରେ ଜୟଲାଭ କରେ । ଆମ ଭିତରେ ଆମ ଅବଚେତନକୁ ପୀଡ଼ିତ ଓ ଉତ୍ତପ୍ତ କରି ରହିଥିବା ଯାବତୀୟ ଉଗ୍ରତା ଏବଂ କ୍ଷମତାବୋଧ ଏକ ଆନନ୍ଦ ଦାୟକ ଆତ୍ମୀୟତା ଲାଗି ବାଟ ଛାଡ଼ିଦିଅନ୍ତି, ମୁକ୍ତ ହୁଅନ୍ତି, ପରିତ୍ରାଣ ଲାଭ କରନ୍ତି ।

 

ସାହିତ୍ୟ ଭିତରେ ପଣ୍ଡିତମାନେ ଅନେକ ସମୟରେ ସୌନ୍ଦର୍ଯ୍ୟର ଆଲୋଚନା କରିଥାନ୍ତି । ଏହି ଆଲୋଚନା ଦ୍ଵାରା ସେମାନେ ସୌନ୍ଦର୍ଯ୍ୟତତ୍ତ୍ଵର ନିରୂପଣ କରନ୍ତି । ଏହି ପ୍ରସଙ୍ଗରେ ସେମାନେ ରସର ବ୍ୟାଖ୍ୟା ମଧ୍ୟ କରନ୍ତି । ଅଧିକାଂଶ ସମୟରେ ମୁଣ୍ଡର ଏକ ସଚେତନ କସରତ ଦ୍ଵାରା ହିଁ ସେହି ବ୍ୟାଖ୍ୟାଗୁଡ଼ିକୁ କରିଥାନ୍ତି । ଏଇଟାକୁ ସେଇଟାଠାରୁ ଅଲଗା କରି ଦେଖାଇ ଦିଅନ୍ତି, ଏଇଟାର ଶ୍ରେଣୀ ଓ ଉପଶ୍ରେଣୀ ଗୁଡ଼ିକୁ ଦେଖାଇ ଦିଅନ୍ତି ତ ସେଇଟାର ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣଶ୍ରମ କରିବାରେ ଲାଗିଥାନ୍ତି । ଏଗୁଡ଼ାକ ଭିତରେ ମୁଣ୍ଡଟା ହିଁ ଅପରିମିତ ପରାକ୍ରମରେ ରହିଥାଏ, ହୃଦୟ ହୁଏତ କେଉଁଠି ହେଲେ ନଥାଏ । ହୃଦୟକୁ ଛାଡ଼ି ଆସିଥିବାର ଗ୍ଳାନିରେ ପଣ୍ଡିତମାନେ ହୁଏତ ମୁଣ୍ଡର ଏହି ଅତିକର୍ଷଣ ଦ୍ଵାରା ହିଁ ଏକ କ୍ଷତିପୂରଣ କରିବାକୁ ଚେଷ୍ଟା କରୁଥାନ୍ତି । ସଂସ୍କୃତସାହିତ୍ୟର ପଣ୍ଡିତମାନେ କେତେ ଶତାବ୍ଦୀ ତଳେ ଏହି ସାହିତ୍ୟତନ୍ତ୍ରକୁ ନେଇ କେତେ ଆଲୋଚନା କରିଛନ୍ତି । ଭାବ ଓ ରସକୁ ନେଇ ସେମାନେ ଅତ୍ୟନ୍ତ ଧୈର୍ଯ୍ୟର ସହିତ କ୍ଷୁଦ୍ରାଦପିକ୍ଷୁଦ୍ରର କେତେ ବହୁଳ ଓ ବପୁମାନ୍ ଆଲୋଚନାମାନ କରି ଯାଇଛନ୍ତି । ଭାବ ତଥା ରସ ଉଭୟଙ୍କୁ ହିଁ ଶତଧା ତଥା ସହସ୍ରଧା କରି ଦେଖାଇଛନ୍ତି । କେତେ କେତେ ନିର୍ଣ୍ଣୟ ଏବଂ ଉପନିର୍ଣ୍ଣୟର ଅବତାରଣା କରିଛନ୍ତି । ଏହି ଆଲୋଚନାର ଆନୁଷଙ୍ଗିକ ଖୋରାକରୂପେ ସେମାନେ ଅଳଙ୍କରର ମୀମାଂସା କରିଛନ୍ତି, ଅନୁପ୍ରାସର କେତେ ଖୁଣ୍ଟ ପୋତିଛନ୍ତି ଏବଂ ଧୂନିତତ୍ତ୍ଵର ଉଦଭାବନ କରିଛନ୍ତି । ସେମାନେ ସୌନ୍ଦର୍ଯ୍ୟର ଖେତରେ ପାଣ୍ଡିତ୍ୟର ଲଙ୍ଗଳ ଚଳାଇଛନ୍ତି, ଏକ ବିରାଟ ଅନ୍ତରଙ୍ଗତାର କ୍ଷେତ୍ରକୁ ସେମାନେ ପାଣ୍ଡିତ୍ୟ ଦେଇ କଳିବାର ଓ ବୁଝିବାର ଚେଷ୍ଟା କରିଛନ୍ତି-। ଏବଂ, ସମ୍ଭବତଃ ସେହି କାରଣରୁ ହିଁ ହୃଦୟ ପାଖରୁ ହୁଡ଼ି ଯାଇଛନ୍ତି । ହୃଦୟ ପାଖରୁ ହୁଡ଼ି, ମଣିଷ ପାଖରୁ ମଧ୍ୟ ହୁଡ଼ି ଯାଇଛନ୍ତି ।

 

ଏହି ପାଣ୍ଡିତ୍ୟପ୍ରବୀଣ ତତ୍ତ୍ଵକାରମାନଙ୍କର ମତରେ କାବ୍ୟିକ ସୌନ୍ଦର୍ଯ୍ୟ ହେଉଛି ମୂଳତଃ ଆଳଙ୍କାରିକ ସୌନ୍ଦର୍ଯ୍ୟ । ଯାହା ଦେହରେ ଯେତେ ବେଶୀ ମଣ୍ଡନରେ ଅଳଙ୍କାର ଖଞ୍ଜା ହୋଇଥିବ, ଶାସ୍ତ୍ରସମ୍ମତ ଭାବରେ ଖଞ୍ଜା ହୋଇଥିବ, ନିୟମରୁ ମୋଟେ ବହିର୍ଭୂତ ହୋଇ ନଥିବ, ତାହାକୁ ସତେଯେପରି ସେତିକି ଅଧିକ ସୁନ୍ଦର ବୋଲି କୁହାଯାଇ ପାରିବ, ଭାରତୀୟ କାବ୍ୟତତ୍ତ୍ଵରେ ଆମକୁ ପ୍ରାୟ ସେହିଭଳି ଏକ କଥାର ସଙ୍କେତ ଦିଆ ଯାଇଥିଲା ପରି ମନେ ହୋଇଥାଏ । ଏଠାରେ ଗୋଟିଏ କଥା ଅବଶ୍ୟ ମନେ ରଖିବାକୁ ହେବ । ତତ୍ତ୍ଵକାରୀ ଏହି ପଣ୍ଡିତମାନେ ପ୍ରାୟ ସମସ୍ତେ ରାଜାଶ୍ରୟୀ ହୋଇ ରହିଥିଲେ, ଦରବାରର ଆଶ୍ରୟୀ ହୋଇ ରହିଥିଲେ । ସାହିତ୍ୟ ଓ କାବ୍ୟକୁ ଅତ୍ୟଧିକ ମାତ୍ରାରେ କ୍ଷମତାଶ୍ରୟୀ କରି ରଖିଥିଲେ । ରାଜାକୁ ସେମାନେ ସର୍ବୋତ୍ତମ ସୁଧା ବୋଲି ଗ୍ରହଣ କରି ନେଇଥିଲେ ଏବଂ ସେହି ମାର୍କାର ଏକ ସୁଧୀମଣ୍ଡଳକୁ ସମକ୍ଷରେ ରଖି କାବ୍ୟସୌନ୍ଦର୍ଯ୍ୟ ରୂପୀ ଜୀରାରୁ ଶିରାମାନ କାଢ଼ିବାରେ ଏତେ ପୁଲକ ଅନୁଭବ କରୁଥିଲେ । ଜୀବନର ଯଥାର୍ଥ ଭାବଗୁଡ଼ିକ ପାଣ୍ଡିତ୍ୟକୁ ବହୁଦୂର ବୋଲି ପୃଥିବୀର ଯଥାର୍ଥ ଅନୁରାଗୀ ଏବଂ ଉପାସକମାନେ କାଳେ କାଳେ କହି ଯାଇଛନ୍ତି । ସନ୍ଥମାନେ ବି ସର୍ବତ୍ର ସେହି ସତକଥାଟିର ଘୋଷଣା କରିଛନ୍ତି । କାବ୍ୟ ଓ ସାହିତ୍ୟକୁ ଜୀବନ ଠାରୁ ବିଚ୍ୟୁତ କରି ରଖି ଯେଉଁଠି ଆମେ ସୌନ୍ଦର୍ଯ୍ୟର ଆଲୋଚନା କରିବାଲାଗି ମନ ବଳାଇ ଥାଉ, ପ୍ରାୟ ପ୍ରତ୍ୟେକ ସ୍ଥଳରେ ଆମେ ସେଠି ସୌନ୍ଦର୍ଯ୍ୟର ଯାବତୀୟ କଳନା ଏବଂ ଭାବନାକୁ ଭାରି ବିକୃତ କରି ପକାଉ । କହିବା ବାହୁଲ୍ୟ, ସେହି କ୍ଷେତ୍ରରେ ଆମେ ଆପଣାକୁ ହିଁ ଅତ୍ୟନ୍ତ ନିର୍ମମ ଓ ପ୍ରମତ୍ତ ଭାବରେ ବଞ୍ଚିତ କରି ରଖୁ; ଜୀବନରୁ ବଞ୍ଚିତ କରି ରଖୁ, ଜଗତ ମଧ୍ୟରୁ ବଞ୍ଚିତ ଓ ବିଚ୍ଛିନ୍ନ କରି ରଖୁ, ଏବଂ ଆପଣାଠାରୁ ମଧ୍ୟ ଆପଣାକୁ ବିଚ୍ଛିନ୍ନ କରି ରଖୁ । ପଣ୍ଡିତ ହେଉ, ପରାକ୍ରମୀ ହେଉ, ଉଗ୍ର ହେଉ,–ତଥାପି ବଡ଼ ଦରିଦ୍ର ହୋଇ ରହିଯାଉ ।

 

ଯେତେବେଳେ ମଣିଷ ଅନ୍ୟ ସମସ୍ତଙ୍କୁ ଛାଡ଼ିପଳାଇ ଚାଲିଯିବାକୁ ଇଚ୍ଛା କରେ, ଏବଂ ଆପଣାର ସାହିତ୍ୟକୁ ସେହି ପଳାୟନ ଓ ସେହି ବିସ୍ମରଣର ଏକ ସାଧନ ପରି ବ୍ୟବହାର କରେ, ପ୍ରାୟ ସେତିକିବେଳେ ହିଁ ସିଏ ସୌନ୍ଦର୍ଯ୍ୟକୁ ଜୀବନ ମଧ୍ୟରେ ରହିଥିବା ଏକ ସ୍ଵତନ୍ତ୍ର ଇଲାକା ବୋଲି ବିଚାର କରିବାକୁ ଆରମ୍ଭ କରେ । ଯେତେବେଳେ ମଣିଷ ସଚରାଚର ସାହିତ୍ୟର କ୍ଷେତ୍ରକୁ ଆସି ସୌନ୍ଦର୍ଯ୍ୟବାଦୀ ହୋଇଥାଏ, ରାଜନୀତିର କ୍ଷେତ୍ରରେ ସେଇ କ୍ଷମତାବାଦୀ ହୁଏ, ସାଂସାରିକ ଚିତ୍ତଉପଭୋଗର କ୍ଷେତ୍ରରେ ସ୍ଵାର୍ଥବାଦୀ ହୋଇଥାଏ । ଜୀବନ ସହିତ ଅସଲ ଡୋରଗୁଡ଼ିକ କଟିଗଲେ ହିଁ ମଣିଷ ଏହିପରି ଏକ ଦୁର୍ଦ୍ଦଶାରେ ଆସି ପଡ଼ିଯାଏ । ଆପଣାର ସେହି ଦୁର୍ଦ୍ଦଶା ଓ ଦାରିଦ୍ର୍ୟକୁ ଘୋଡ଼ାଇ ରଖିବାକୁ ସିଏ ତତ୍ତ୍ଵ କରେ, ସୌନ୍ଦର୍ଯ୍ୟକୁ ଭୂଇଁଛଡ଼ା କରି ଦେଖାଏ, ସାହିତ୍ୟକୁ କେବଳ ସେଇ ଭୋଗ କରୁଥିବା ସମ୍ପତ୍ତି ବୋଲି ଦେଖାଏ । ସେହି ଭୋଗରେ ସିଏ ଆଦୌ କାହାକୁ ହେଲେ ଭାଗ ଦେବାକୁ ମନ କରେନାହିଁ । ଭାଗ ଦେବାକୁ ଭୟ କରେ । ବିରାଗୀ ହୁଏ, ସାଙ୍ଗ ଛାଡ଼ିଯାଏ, ଅଳଙ୍କାର କରେ, ତତ୍ତ୍ଵ କରେ, ଦେଖାଇ ହୁଏ ଏବଂ ଏହି ସବୁକିଛିର ମାଧ୍ୟମରେ ସିଏ ଅନ୍ୟ ସମସ୍ତଙ୍କ ଠାରୁ ବିଚ୍ଛିନ୍ନ ହୋଇ ରହିଯାଏ । ଏକୁଟିଆ ମଣୋହି କରେ, ଏବଂ ତେଣୁ ଆଦୌ କୌଣସି ସହଭୋଜନର ଭାଜନ ହୋଇ ପାରେନାହିଁ ।

 

ରାଜାମାନଙ୍କର ଯୁଗ ପ୍ରଧାନତଃ ସେହିପରି ଗୋଟିଏ ଯୁଗ ହୋଇ ରହିଥିଲା । ପଣ୍ଡିତମାନଙ୍କର ଯୁଗ ପ୍ରଧାନତଃ ସେହିପରି ଏକ ଜୀବନବିରୋଧୀ ଚକ୍ରାନ୍ତକୁ ତତ୍ତ୍ଵ ଦେଇ ପ୍ରତିଷ୍ଠିତ କରି ରଖିବାକୁ ଇଚ୍ଛା କରୁଥିଲା । ଯେଉଁମାନେ ଏହି ଜଗତକୁ ଏକୁଟିଆ ଭୋଗ କରିବାକୁ ଇଚ୍ଛା କରିନ୍ତି, ଅନୁରାଗ ଏବଂ ଅନୁଭବ ଅପେକ୍ଷା ଯେଉଁମାନେ ଭୋଗଟାକୁ ହିଁ ବୃହତ୍ତର ଚରିତାର୍ଥତା ବୋଲି ମନେ କରନ୍ତି, ଯେଉଁମାନେ ସଂସାରଟାଯାକକୁ ଆପଣା ଭିତରେ ଗଣ୍ଠିକୁ ଗଣ୍ଠି ପକାଇ ସେହି ଗଣ୍ଠିଗୁଡ଼ାକ ଭିତରେ ଆପେ ସ୍ପୀତ ହୋଇ ରହିବାକୁ ମନ କରୁଥାନ୍ତି, ସେହିମାନେ ହିଁ ସାହିତ୍ୟ ଓ ସୌନ୍ଦର୍ଯ୍ୟ କହିଲେ କେବଳ ସେହିମାନଙ୍କର ଲାଗି ବରାଦ ହୋଇ ରହିଥିବା ଏକ ସ୍ଵତନ୍ତ୍ର ଚାରଣଭୂମି ବା ବିହାରଭୂମି ବୋଲି ବୁଝନ୍ତି । ସେମାନେ ସେହି ଭୂମିଟି ଭିତରେ ପ୍ରମତ୍ତ ହୋଇ ରହନ୍ତି । ବିଚ୍ଛିନ୍ନ ହୋଇ ରହନ୍ତି । ଦରିଦ୍ର ହୋଇ ରହନ୍ତି । ମଧ୍ୟଯୁଗରେ ତଥାକଥିତ ସଭ୍ୟ ଓ ପଣ୍ଡିତମାନଙ୍କର ସମଗ୍ର ପୃଥିବୀଟା ହିଁ ଏହିପରି ଦରିଦ୍ର ହୋଇ ରହିଥିଲା । ଥୋକେ ମଣିଷଙ୍କୁ ବଞ୍ଚିତ ନକରି ସେତେବେଳେ ସୁଖର ଆଦୌ କୌଣସି କଳ୍ପନା କରାଯାଇ ପାରୁନଥିଲା । ଅନେକଙ୍କୁ ବଞ୍ଚିତ ନକରି ସାହିତ୍ୟ ହେଉ ନଥିଲା । ଅନେକଙ୍କୁ ଅସୁନ୍ଦର କରି ରଖି ଅଳ୍ପ ମଣିଷ ସୌନ୍ଦର୍ଯ୍ୟକୁ ସତେଅବା ନିଜ ଦେହରେ ଗହଣା କରି ପିନ୍ଧୁଥିଲେ, ଏକ ସ୍ଵତନ୍ତ୍ର ଇଲାକାରେ ସୌନ୍ଦର୍ଯ୍ୟ ସହିତ ରମଣ କରୁଥିଲେ । ଅର୍ଥନୀତିବିତ୍ J.M.Keynes ଙ୍କ ଭାଷାରେ ଆମେ ଏମାନଙ୍କୁ ସେହି ପାଣିଭଅଁର ପରି କଳ୍ପନା କରି ପାରିବା, ଯେଉଁମାନେ କି ସକଳ ପଟୁତା ଏବଂ ପରିପାଟୀ ସହିତ କେଡ଼େ ହାଲୁକା ଓ କେଡ଼େ ବିବେକସମ୍ପନ୍ନ ଭାବରେ ପାଣି ଉପରେ ପହଁରି ବୁଲୁଥାନ୍ତି, ଡେଇଁ ବୁଲୁଥାନ୍ତି ଓ ପାଣି ଭିତରେ ରହିଥିବା ଯାବତୀୟ ସ୍ରୋତ ଏବଂ ସ୍ପନ୍ଦନ ସହିତ ସେମାନଙ୍କର ଆଦୌ କୌଣସି ସଂସ୍ପର୍ଶ ନଥାଏ । ସାହିତ୍ୟ, କଳା ଓ ସୌନ୍ଦର୍ଯ୍ୟ କହିଲେ ପ୍ରାୟ ଏହିପରି ପାଣିଭଅଁର ତୁଲ୍ୟ ଏକ ଜୀବନବିହାରର କଳ୍ପନା କରୁଥିବା ଫରାସୀ ଲେଖକ Baudelaire କହିଛନ୍ତି ଯେ, କୌଣସି ସମାଜରେ ଏକ ସ୍ଵତନ୍ତ୍ର ବର୍ଗ ହିସାବରେ ଏକ ସମ୍ଭ୍ରାନ୍ତ ବର୍ଗ ନଥିଲେ ସୁନ୍ଦରର ଯାବତୀୟ ଉପାସନା ଓ ଅନୁସୃତି କେବଳ କ୍ଷୟପ୍ରାପ୍ତ ହୋଇ ଯାଉଥିବ ଓ ଶେଷରେ ସମ୍ପୂର୍ଣ୍ଣ ଭାବରେ ଅନ୍ତର୍ହିତ ହୋଇଯିବ । ସେହି ଫରାସୀ ଦେଶର ଆଉଜଣେ ପଣ୍ଡିତ Ernest Renan, ଯେପରିକି “ଆମେ ଉଚ୍ଚସ୍ଥମାନେ” ନିର୍ବିଘ୍ନରେ ଉଚ୍ଚ ଚିନ୍ତା ଓ ଉଚ୍ଚ ଚର୍ଚ୍ଚାମାନ କରି ପାରିବୁ, ସେଥିଲାଗି ଏକ ଦୃଢ଼ କ୍ଷମତାସମ୍ପନ୍ନ ସରକାର ପ୍ରତିଷ୍ଠିତ ହୋଇ ଆମର ନିମ୍ନସ୍ଥମାନଙ୍କୁ ସମାଜବ୍ୟବସ୍ଥାର ଯାବତୀୟ କର୍ମରେ ପରିକର ହୋଇ ରହିବାକୁ ବାଧ୍ୟ କରିବା ଉଚିତ ବୋଲି ଏକଦା ଦାବୀ କରିଥିଲେ ।

 

କଳା, ସାହିତ୍ୟ ଓ ଆମର ଯାବତୀୟ ସୌନ୍ଦର୍ଯ୍ୟବୋଧ ଆମକୁ ମଣିଷ ହିସାବରେ ପରସ୍ପରର ଅଧିକ ନିକଟବର୍ତ୍ତୀ କରାଇ ଆଣି ପାରୁଥାନ୍ତା, ଆମକୁ ସକଳ ମଣିଷଙ୍କର ସାମୀପ୍ୟ ଆଣିଦେଇ ପାରୁଥାନ୍ତା । ଆତ୍ମୀୟତାର କାରଣ ହୋଇ ପାରୁଥାନ୍ତା । ମାତ୍ର, ଏକାଧିକ ସାମାଜିକ ଓ ଅହଂଗତ କାରଣରୁ ସେପରି ହୋଇ ପାରୁନାହିଁ । ଐତିହାସିକ ନାନା କାରଣରୁ ପ୍ରଧାନତଃ ଅହଂକାମୀ ମଣିଷମାନେ ହିଁ ଆମ ସମାଜରେ ନିୟାମକ ହୋଇ ବସିଥିବାରୁ ଓ ଆମ ଅନେକଙ୍କର ଜୀବନଗତ ମୂଲ୍ୟବୋଧ ଗୁଡ଼ିକର କ୍ଷେତ୍ରକୁ ଏକ ମୂଳଭୂତ ଭୟର ଅପପ୍ରେରଣା ହିଁ ଗ୍ରାସ କରି ରହିଥିବାରୁ ସେପରି ହେଉଛି । ତେଣୁ, ସଂସାରରେ ସାହିତ୍ୟ ବଢ଼ୁଛି, କଳା ବୃଦ୍ଧି ପାଉଛି, ସୌନ୍ଦର୍ଯ୍ୟବୋଧକୁ ନେଇ ପ୍ରାୟ ଏକ ଉପେକ୍ଷାବୋଧକୁ ହିଁ କେତେ ନା କେତେ ଶାସ୍ତ୍ରୀୟ ବଡ଼ତି ଦିଆଯିବାରେ ଲାଗିଛି, ମାତ୍ର ମଣିଷକୁ ଯୁଗ ଯୁଗ ଧରି କାମୁଡ଼ି ରହିଥିବା ଆଦିମ ଉଦାସୀନତା ଓ ନୃଶଂସତାଗୁଡ଼ିକ ତାକୁ ତଥାପି ଛାଡ଼ୁନାହିଁ । ଆତ୍ମୀୟତା ମାଡ଼ ଖାଇ ଯାଉଛି । ସ୍ଥୂଳ ଅହଂଗୁଡ଼ାକ ନାନା ଶ୍ରେଣୀଗତ ଓ ସାମୂହିକ କରାଳରୂପ ଧାରଣ କରି ମଣିଷର ହୃଦୟ ଭିତରେ ରହିଥିବା ପରସ୍ପରକାମୀ କୋମଳତାଟିକୁ ଖାଇ ଯାଉଛନ୍ତି ।

 

ଯେକୌଣସି ସୁସ୍ଥ ଚେତନାର ମଣିଷ ହିଁ ମଣିଷ ସକାଶେ ସବୁଠାରୁ ଅଧିକ ନିକଟବର୍ତ୍ତୀ ହୋଇ ରହି ପାରୁଥିବା ଉଚିତ । ଆମର ଯାବତୀୟ ସୌନ୍ଦର୍ଯ୍ୟଚେତନା ଆମ ଜୀବନଚେତନାର ସମବାଚୀ ହୋଇ ରହି ପାରୁଥିବା ଉଚିତ । ତେବେଯାଇ ଆମର ଆଖି ସୁନ୍ଦର ହୋଇପାରିବ, ଆମର ହୃଦୟ ସୁନ୍ଦର ହେବ, ଆମର ଜୀବନକୁ ଗତି ଦେଇ ରଖିଥିବା ଆଲୋଡ଼ନଗୁଡ଼ିକ ମଧ୍ୟ ସୁନ୍ଦର ହେବ । ଆମ ସମାଜରେ ଶ୍ରଦ୍ଧା ବଢ଼ିବ, ସହଗାମିତା ବଢ଼ିବ, ଅଭୟ ବଢ଼ିବ । ତା’ପରେ, ଆମେ କଳା ବା ସାହିତ୍ୟ ବୋଲି ଯାହାକିଛି ସୃଷ୍ଟିକରିବା, ତାହା ମଧ୍ୟ ଯଥାର୍ଥତଃ ସୁନ୍ଦର ହେବ, ଯଥାର୍ଥ ସଖ୍ୟଗୁଡ଼ିକୁ ଲୋଡ଼ି ପାରିବ ଏବଂ ଆମର ଏହି ସଂସାରରେ ଆତ୍ମୀୟତା ବଢ଼ାଇବ । ଯେଉଁଠି ଏକ ସମାଜରେ ମଣିଷ ଏକୁଟିଆ ଯଥାସମ୍ଭବ ଅଧିକ ମାରିନେବ ବୋଲି ମଣିଷଠାରୁ ଛଡ଼ାଇନିଏ, ମଣିଷ ଉପରକୁ ମାଡ଼ିଯାଏ ଓ ମଣିଷକୁ ଗିଳି ପକାଇବା ପାଇଁ ବାହାରେ, ସେଠାରେ ଆମର ସାହିତ୍ୟ ଏବଂ କଳା ଯେ ଭାରି ଆପଣାସାର୍ତିକିଆ ଓ ଭୟସଚେତନ ହୋଇ ରହିବ, ଅନ୍ୟ ଅନେକଙ୍କୁ ବଞ୍ଚିତ କରି ରଖି ସୁନ୍ଦରତାର ଯାବତୀୟ ଅଧିକାର ଏବଂ ଅନୁଭବକୁ ଯଥାସମ୍ଭବ କେବଳ ନିଜେ ମାଡ଼ିବସି ରହିବାକୁ ମନ କରିବ, ସେଥିରେ ଖୁବ୍‌ବେଶୀ ସନ୍ଦେହ ରହିବା ଉଚିତ ନୁହେଁ । ଯାହାକୁ ସବାଆଗ ମଣିଷ ଭଲ ନଲାଗି ଆଗ ପ୍ରକୃତିର ଦୃଶ୍ୟ ଓ ରଙ୍ଗମାନ ଭଲ ଲାଗନ୍ତି, ତା’ଭିତରେ କୋଉଠି ଅନେକ ଅବର୍ଜିଆ ଓ ଅସୁସ୍ଥତା ଘର କରି ରହିଛନ୍ତି ବୋଲି ସନ୍ଦେହ କରିବାକୁ ହେବ । ଭଲ ପାଇବା ଓ ଭଲ ଲାଗିବା ହେଉଛି ଏକ ସମଗ୍ର ଅନୁଭୂତି, ଗୋଟିଏ ଗୋଟିଏ ସମଗ୍ରନିବେଦନର ଦ୍ୟୋତକ । ଭିତରର ପାତ୍ରଟି ଯଥାର୍ଥ ନିବେଦନ ଓ ଯଥାର୍ଥ ଆତ୍ମୀୟତା ଲାଗି ସମ୍ମତ ହୋଇ ରହିଥିଲେ ମଣିଷ ଗୋଟାକ ଭିତରେ ସୁନ୍ଦରର ଅନୁଭବ କଲାବେଳେ କଦାପି ଆଉ ଗୋଟାକୁ ଉପେକ୍ଷିତ କରି ରଖିବାକୁ ମନ କରିବନାହିଁ । ଯାବତୀୟ ପଳାୟନ ପଛରେ ସଚରାଚର ଏକ କ୍ରୂରତା ହିଁ ଆତ୍ମଗୋପନ କରି ରହିଥାଏ । ସେହି କ୍ରୂରତା ମଣିଷକୁ ଭାରି ଖଣ୍ଡିଆ କରି ଦେଖେ, ଖଣ୍ଡିଆ କରି ଦେଖାଏ । ତା’ର ସୌନ୍ଦର୍ଯ୍ୟବୋଧ ଗୁଡ଼ାକ ମଧ୍ୟ ପ୍ରାୟ ସେହି କାରଣରୁ ଭାରି ବର୍ଜନଧର୍ମୀ ଓ ତେଣୁ ସ୍ପର୍ଶକାତର ହୋଇ ରହିଥାନ୍ତି ।

 

ଯେଉଁମାନେ ସାହିତ୍ୟକୁ ଜୀବନର ବାହାରେ ରହିଥିବା ଓ ଜୀବନର ବାହାରୁ ଆଣି ଆତ୍ମସାତ୍ କରା ଯାଉଥିବା ଏକ ଅତିରିକ୍ତ ବିନୋଦରୂପେ ଗ୍ରହଣ କରିଥାନ୍ତି, ସେହିମାନେ ହିଁ ପାଣ୍ଡିତ୍ୟ ଖଟାଇ ଓ ଆପଣାର ଅସଲ ଅଭାବଗୁଡ଼ିକୁ ଲୁଚାଇ ସୌନ୍ଦର୍ଯ୍ୟତତ୍ତ୍ଵ ବୋଲି ଜୀବନରୁ ହୁଡ଼ି କରି ରହିଥିବା ଗୋଟାଏ ଅଲଗା ତତ୍ତ୍ଵର ବୟାନ କରିଥାନ୍ତି । ସେମାନଙ୍କର ଚତୁର୍ଦ୍ଦିଗ ଲାଗି ସେମାନଙ୍କର ଆଦୌ କୌଣସି ଆଖି ନଥାଏ । ସର୍ବଜନ ପାଖରେ ସେମାନଙ୍କର ହୃଦଗତ କୌଣସି ଅଙ୍ଗୀକାର ନଥାଏ । ଯେଉଁଠି ସାହିତ୍ୟର ଅସଲ ଅଙ୍ଗୀକାରଗୁଡ଼ିକ ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ସମଗ୍ର ଭୂମିଟିକୁ ଲୋଡ଼େ, ସକଳ ଭୂମିକୁ ଗୋଟିଏ ଭୂମିରୂପେ ଅନୁଭବ କରେ, ନିର୍ଭୟ ହୋଇ ସୂତ୍ର ଲଗାଇ ପାରେ, ଏବଂ ସର୍ବୋପରି, ଆତ୍ମୀୟତାର କ୍ଷେତ୍ରରେ ଏକ ଉତ୍ତରୋତ୍ତର ସତତ ପ୍ରସାରଣ ଉପରେ ହିଁ ବିଶ୍ଵାସ ରଖିଥାଏ, କୌଣସି ପ୍ରକାର ସୌନ୍ଦର୍ଯ୍ୟକଳନା ଭିତରେ ସେଠି ସାହିତ୍ୟର ଆବେଦନଗୁଡ଼ାକ ଏକ ଉଦାସୀନତା ଅଥବା କ୍ରୂରତାରେ ପରିଣତ ହୋଇ କଦାପି ମଣିଷଙ୍କୁ, ସର୍ବଜନଙ୍କୁ ବାଦ୍ ଦେଇ ପଳାଇ ଯିବାକୁ ମନ କରେନାହିଁ । ସାହିତ୍ୟିକର ସର୍ବପ୍ରଥମ ଅଙ୍ଗୀକାର ହେଉଛି ମଣିଷ ପାଖରେ, ସର୍ବଜନଙ୍କ ପାଖରେ । ତା’ ସୌନ୍ଦର୍ଯ୍ୟବୋଧର ଯାବତୀୟ ଯୋଜନାରେ ଏପରି ଏକ ସୁନ୍ଦର ପୃଥିବୀର ଚିତ୍ରଟିଏ ଅବଶ୍ୟ ରହିବ, ଯେଉଁଠାରେ କି ସବୁ ମଣିଷ ସିଧା ହୋଇ ଛିଡ଼ା ହେବାର ଅଧିକାର ଲାଭ କରିବ ଓ ଆଲୋକ ଏବଂ ଆହୁରି ଆଲୋକର ବାସନାରେ ଆଗକୁ ବାଟ ଚାଲି ପାରିବେ, ଯେଉଁଠାରେ ପ୍ରତ୍ୟେକ ମଣିଷ କବିର ଆଖିରେ ପୃଥିବୀକୁ ଦେଖିପାରିବ, ସ୍ଵପ୍ନ ଦେଖି ପାରିବ,–ଅର୍ଥାତ୍ ସାହସୀ ହେବ ଏବଂ କୌଣସି ପ୍ରକାରର ଅସମର୍ଥତା ଓ ଅସୁନ୍ଦରତାକୁ ସତେଅବା ଏକ ଭାଗ୍ୟ ପରି ଆଦରି ନେବନାହିଁ । ସୁନ୍ଦରର ଅନୁଭବ ଅଧିକ ସଂବେଦନା ଲାଗି ବାଟ ଫିଟାଇଦେବ, ସର୍ବଜନଙ୍କୁ ଆଧାର କରି ଏକ ଅନ୍ୟ ଏବଂ ଅଧିକ ମନୁଷ୍ୟୋଚିତ ପୃଥିବୀ ଲାଗି ବାଟ ଫିଟାଇ ଦେବ । ସେତେବେଳେ ସୁନ୍ଦର ମଣିଷ କହିଲେ ଏକ ମେରୁଦଣ୍ଡ ରହିଥିବା ଜଣେ ମଣିଷକୁ ବୁଝାଇବ । ଶାସନ ମଣିଷ ଲାଗି ବାଟି ଛାଡ଼ିଦେବ, ଶାସନ ମଣିଷ ଲାଗି ହେବ । ସାହିତ୍ୟ ଘରକୁ ଫେରିଆସିବ, ସାହିତ୍ୟ ଜୀବନବାଚୀ ହୋଇ ରହିବ, ତାହା କୌଣସି ପ୍ରକାରର ଉତକ୍ରମଣକୁ ମୋଟେ ଭୟ କରିବନାହିଁ ।

 

ଏହି ଜୀବନ ଦିନେ ସୁନ୍ଦର ହେବ, ଏହି ପୃଥିବୀ ଦିନେ ସୁନ୍ଦର ହେବ, ମଣିଷ ଭିତରେ ସେହିଭଳି ଏକ ଅନମନୀୟ ବିଶ୍ଵାସ ଅନ୍ତର୍ନିହିତ ହୋଇ ରହିଥିବାରୁ ହିଁ ମଣିଷ ସୁନ୍ଦରର କଳ୍ପନା କରିପାରୁଛି ଓ ସୁନ୍ଦରକୁ ନେଇ ସ୍ଵପ୍ନ ଦେଖୁଛି । ଇତିହାସରେ ଅଧିକାଂଶ କ୍ଷେତ୍ରରେ ସିଏ ସେହି ସ୍ଵପ୍ନଟିକୁ ନେଇ ଆପଣାର ଏକ ସ୍ଵତନ୍ତ୍ର ଗମ୍ଭୀରି ଭିତରକୁ ପଳାଇ ଯାଇଛି, ଆପଣାର ସ୍ଵପ୍ନକୁ ସିଏ ଏକା ଭୋଗ କରିବ ବୋଲି ମନ କରିଛି । ସେଇଥିରୁ ଅସୁସ୍ଥତା ଜନ୍ମଲାଭ କରିଛି ଏବଂ ଅସୁସ୍ଥତାରୁ କ୍ରୂରତା ଆସିଛି । ସେଇଥିଲାଗି ସ୍ଵର୍ଗ କହିଲେ ଆମ ପୃଥିବୀରେ ଏଠାରୁ ବାହାରେ ଓ ଦୂରରେ ରହିଥିବା କୌଣସି ଏକ ଅସମ୍ଭବର ଲାଳସାକୁ ବୁଝାଉଛି । ସେହି ଲାଳସା ଆମର ଯାବତୀୟ ସୌନ୍ଦର୍ଯ୍ୟବୋଧକୁ ବି କୁତ୍ସିତ କରି ରଖିଛି । ଜୀବନ ପାଖରେ ଓ ସର୍ବଜନଙ୍କ ପାଖରେ ଆମ ଅନେକଙ୍କୁ ଭାରି ବିଡ଼ମ୍ବିତ କରି ରଖିଛି । ତେଣୁ, ଶେଷ କଥା ହେଉଛି, ସମ୍ମିଳିତ ହୋଇ ରହିଥିବାର ଏକ ସମଗ୍ରଚେତନାଗତ ବୋଧ, ଏକ ସମଗ୍ର ଜୀବନବୋଧ । ଏହି ସମଗ୍ରବୋଧଟି ଦ୍ଵାରା ଆମେ ଯାହାକିଛି ଦେଖିବା ବା ଅନୁଭବ କରିବା, ତାହା ଆମଲାଗି ଅବଶ୍ୟ ସୁନ୍ଦରରୂପେ ଅନୁଭୂତ ହେବ । ଯାବତୀୟ ବିଚ୍ଛିନ୍ନତା ହେଉଛି ସୌନ୍ଦର୍ଯ୍ୟବୋଧର ବାଧକ, ଆମକୁ ଭିତରେ ଖଣ୍ଡିଆ ରଖି ବାହାରକୁ ଡଉଲଡ଼ାଉଲ ଓ ବର୍ତ୍ତୁଳ କରି ଦେଖାଇବାର ଏକ କୁତ୍ସିତ କାମନା । ଅପୂର୍ଣ୍ଣତା ଭିତରୁ ଯାବତୀୟ କୁଣ୍ଠା ଓ ଯାବତୀୟ ବାଡ଼କୁ ଭାଙ୍ଗି ଯାହା ଆମକୁ ପୂର୍ଣ୍ଣତର ଓ ଆହୁରି ପୂର୍ଣ୍ଣତର ଆଡ଼କୁ ନେଇଯାଏ, ତାହାହିଁ ସୌନ୍ଦର୍ଯ୍ୟ, ତାହାହିଁ ସୃଜନଶୀଳତା; ସେହି ସୃଜନଶୀଳତା ହିଁ ଆମ ସାହିତ୍ୟର ମୂଳ ଅବଲମ୍ୱନ ହୋଇ ରହିଥାଉ ।

 

–ଅଭିଯାତ୍ରୀ, ୪ ।୧

ଫେବ୍ରୁଆରୀ–ଏପ୍ରିଲ, ୧୯୮୩

Image

 

ସୌନ୍ଦର୍ଯ୍ୟତତ୍ତ୍ଵର ବ୍ୟାଖ୍ୟା : ଶ୍ରୀ ଅରବିନ୍ଦ

 

ସୌନ୍ଦର୍ଯ୍ୟ ନଥାଏ । ସୌନ୍ଦର୍ଯ୍ୟକୁ ଠାବ କରିବାକୁ ହୁଏ । ଯାହାଦ୍ୱାରା ଏହି ଠାବଟି କରାଯାଏ, ତାହା ହେଉଛି ଚେତନା । ସେହି ଚେତନାର ନାନା ସ୍ତର ରହିଛି । ନାନା ସ୍ତର, ଅର୍ଥାତ୍ ନାନା ସୋପାନ । ସେହି ସୋପାନଗୁଡ଼ିକୁ ଉଠି ଉଠି ଯିବାକୁ ହୁଏ । ସୋପାନମାନଙ୍କୁ ଉଠି ଉଠି ଏହି ଅଧିକ ଗଭୀରକୁ ଅଥବା ଅଧିକ ଉର୍ଦ୍ଧ୍ଵକୁ ଯାଉଥିବାର ଅନ୍ୟଏକ ନାମ ହେଉଛି ତପସ୍ୟା । ଏହିପରି ସବୁରେ ସୌନ୍ଦର୍ଯ୍ୟବୋଧ ହେଉଛି ଏକ ତପସ୍ୟାଲବ୍ଧ ସମ୍ପଦ । ସୌନ୍ଦର୍ଯ୍ୟ ଆଖିରେ ନଥାଏ । ସୌନ୍ଦର୍ଯ୍ୟ ବସ୍ତୁରେ ମଧ୍ୟ ନଥାଏ । ଶ୍ରୀ ଅରବିନ୍ଦ ସୌନ୍ଦର୍ଯ୍ୟବୋଧକୁ ଆମ ଚେତନାର ହିଁ ଏକ ପ୍ରତିକ୍ରିୟା ବୋଲି କହିଛନ୍ତି । ଆରୋହଣକ୍ରମର ପ୍ରଥମ ତିନି ପାହାଚ ଅନୁସାରେ ଆମର ଭୌତିକ ଚେତନା, ପ୍ରାଣିକ ଚେତନା ଏବଂ ମାନସିକ ଚେତନାକୁ ଆମେ ପ୍ରତ୍ୟକ୍ଷ ବା ଅନୁଭବ କରୁଥିବା ବସ୍ତୁ ଗୁଡ଼ିକର ରସ ବୋଲି କହି ପାରିବା । ସେହି ରସର ଗ୍ରହଣ ବା ଆସ୍ଵାଦନ ଆମର ମନକୁ ସ୍ପର୍ଶ କରେ, ଅଥବା ଇନ୍ଦ୍ରିୟଗୁଡ଼ିକୁ ସ୍ପର୍ଶ କରେ, କିମ୍ବା ଏପରିକି ଏକାବେଳେକେ ଆମର ମନ ଓ ଇନ୍ଦ୍ରିୟ ଉଭୟକୁ ସ୍ପର୍ଶ କରେ ଏବଂ ପ୍ରାଣିକ ଭୂମିରେ ଏକ ଭୋଗାନୁଭୂତି ଆଣି ଦେଇଥାଏ । (Sri Aurobindo Birth Centenary Library, ପଣ୍ଡିଚେରୀ, ୨୯ଶ ଖଣ୍ଡ, ପୃଷ୍ଠା–୮୦୯) ।

 

ଭୋଗାନୁଭୂତି ଅର୍ଥାତ୍ ସୁଖାନୁଭୂତି । ମାତ୍ର, ଅନେକ ସମୟରେ ଆମେ ଉପଯୁକ୍ତ ଭାବରେ ସମ୍ମତ ଏବଂ ଉନ୍ମୁକ୍ତ ହୋଇ ରହିଥିଲେ, ସେହି ସ୍ପର୍ଶ ଆମକୁ କେବଳ ସୁଖର ହିଁ ଏକ ଅନୁଭୂତି ମଧ୍ୟରେ ସୀମାବଦ୍ଧ କରି ନରଖି ଆମଭିତରେ ଥିବା ଆତ୍ମାକୁ ମଧ୍ୟ ଏକ ଅଧିକ ଗଭୀର ଏବଂ ଅଧିକ ମୂଳଭୂତ ଅନୁଭୂତି ବା ଆସ୍ଵାଦନ ଆଣି ଦେଇପାରେ । ଏହି ଅନ୍ୟ ଜାଗୃତିଟି ହେଉଛି ଆମ ଭିତରେ ଆନନ୍ଦର ଅନୁଭୂତି । ଯାବତୀୟ କଳାନୁଭୂତିରେ ଆମେ ସୌନ୍ଦର୍ଯ୍ୟବୋଧର ଏହି ତିନି ସ୍ତର ବିଷୟରେ ସଚେତନ ରହିଥିବା । ଯାବତୀୟ କଳାର କ୍ଷେତ୍ର ପରି କାବ୍ୟର ମଧ୍ୟ ଅସ୍ଵାଦନ, ଅନୁଭବ ଅର୍ଥାତ୍ ସମ୍ବନ୍ଧସ୍ଥାପନରେ ଏହି ତିନୋଟି ଭୂମି ରହିଛି । ଆମେ ମନ କଲେ ଆସ୍ଵାଦନର ଭୋଗସ୍ତରରେ ରହିଯାଇ ପାରିବା, ଅନ୍ୟପ୍ରକାରେ ଇଚ୍ଛା କରୁଥିଲେ ତାହାର ଆନନ୍ଦସ୍ତରଟିକୁ ମଧ୍ୟ ଉତ୍ତୋଳିତ ହୋଇଯାଇ ପାରିବା । ଆନନ୍ଦର ସ୍ତରରେ ସର୍ବଥା ଏକ ଉନ୍ମୋଚନ ଘଟିଥାଏ । ସେହି ଉନ୍ମୋଚନ ହିଁ ଉତ୍ତୋଳନର କାରଣ ହୁଏ ।

 

ଏକ କାଳରେ ଯେଉଁମାନେ ପ୍ରାୟ ଏକ ବୁଦ୍ଧିପ୍ରାଣୋଦିତ ଭୋଗଦର୍ଶନ ଦ୍ଵାରା ହିଁ ଉଦ୍‌ବୋଧିତ ହୋଇ ଯେକୌଣସି କାବ୍ୟକୁ ତା’ର କେବଳ ସୌନ୍ଦର୍ଯ୍ୟବୋଧ–ଦିଗଟି ଦ୍ଵାରା ବିଚାର କରାଯିବା ଉଚିତ ଏବଂ ତେଣୁ ସତ୍ୟ ଲାଗି ତାହାର ଆଦୌ କୌଣସି ଆବଶ୍ୟକତା ନାହିଁ ବୋଲି କହୁଥିଲେ, ସୌନ୍ଦର୍ଯ୍ୟବୋଧର ମେଦିନୀଧାରଣାଟି ସେମାନଙ୍କୁ କ୍ରମେ ଅତିକ୍ରମ କରି ବାହାରି ଆସିଲାଣି । ସେମାନେ କହୁଥିଲେ ଯେ, ସତ୍ୟକୁ ଏକ କାବ୍ୟସତ୍ୟରେ ପରିଣତ ହେବାଲାଗି ଏକ ସୌନ୍ଦର୍ଯ୍ୟତତ୍ତ୍ଵ ଉପରେ ହିଁ ନିର୍ଭର କରିବାକୁ ପଡ଼ିବ । ଶ୍ରୀ ଅରବିନ୍ଦ ଠିକ୍ ଏହାର ବିପରୀତ ବିଚାରଟିକୁ ହିଁ ଉଚିତ୍ ବୋଲି ଗ୍ରହଣ କରିଛନ୍ତି । ସୌନ୍ଦର୍ଯ୍ୟବୋଧର ଯେଉଁ ତତ୍ତ୍ଵ ଯେତିକି ବଡ଼ ସତ୍ୟକୁ ଆଶ୍ରୟ କରି ରହିଥିବ, ତାହାକୁ ଆମେ ହୁଏତ ସେତିକି ଉଚ୍ଚତର ଅଥବା ସମଗ୍ରତର ବୋଧ ବୋଲି କହିପାରିବା । ଏହି ଦୃଷ୍ଟିରୁ, ସତ୍ୟର ଆକଳନଭୂମିରେ ଯେପରି ଉପନିଷଦୀୟ ସକଳ ଆଲୋଚନାରେ ଅଳ୍ପରୁ ଭୂମାଯାଏ ଏକ କ୍ରମୋଚ୍ଚ ପରିସରକୁ ସୂଚିତ କରାଇ ଦିଆଯାଇଛି, ସୌନ୍ଦର୍ଯ୍ୟବୋଧର କ୍ଷେତ୍ରରେ ମଧ୍ୟ ସେହିପରି ଏକ ‘ଅଳପ’ ରହିଛି ଏବଂ ଏକ ସୋପାନକ୍ରମର ଶେଷରେ ଏକ ଭୂମା ରହିଛି । ଶ୍ରୀ ଅରବିନ୍ଦ ଘୋଷଣା କରି କହିଛନ୍ତି ଯେ, ସେହି ଭୂମାର ବୋଧ ଲାଗି କେବଳ ଜଣେ ଯୋଗୀର ହିଁ ସାମର୍ଥ୍ୟ ରହିଛି । ଯୋଗୀ ଅର୍ଥାତ୍ ଯୁକ୍ତ ହୋଇ ପାରୁଥିବା ଅଥବା ଯୁକ୍ତ ହୋଇ ରହିଥିବା ଜଣେ ବ୍ୟକ୍ତି । ପାରମ୍ପରିକ ଅର୍ଥରେ ସେହି ଅଭିଧାଟି ଯେପରି ସଂସାରକୁ ଅଲଗା ଓ ବିରକ୍ତ ଜଣେ ବ୍ୟକ୍ତିକୁ ବୁଝାଇଥାଏ, ଯୋଗୀର ପ୍ରକୃତ ତାତ୍ପର୍ଯ୍ୟ ତାହା ନୁହେଁ-। ନିଜର ଅନୁରାଗକୁ ଯଥେଷ୍ଟ ନିଷ୍ଠାର ସହିତ ଉତ୍ତୋଳିତ ଅର୍ଥାତ୍ ସଂପ୍ରସାରିତ କରି ରଖିବାକୁ ହିଁ ଜୀବନବିଚରଣର ସର୍ବମୂଳ ଆଚରଣରେ ପରିଣତଃ କରି ରଖିଥିବା ମୂଳତଃ ଜଣେ ଅନୁରାଗୀ ବ୍ୟକ୍ତି, ସେଇ ହେଉଛି ଯୋଗୀ । ତେଣୁ, ସୌନ୍ଦର୍ଯ୍ୟବୋଧର ଏକ ଯୋଗଚାରଣା ଅବଶ୍ୟ ରହିଛି, ଏକ ତପସ୍ୟା ରହିଛି, ସୋପାନ ପରେ ସୋପାନ ପାରିହେବାର ଆହ୍ଵାନ ରହିଛି । ଶ୍ରୀ ଅରବିନ୍ଦ ଅଭିଳାଷୀ ପ୍ରତ୍ୟେକ ଯାତ୍ରୀକୁ ସତେଅବା ସାବଧାନ କରି ହେଲାପରି କହିଛନ୍ତି : ସୋପାନ ଉଠିବାର ଏଇ ଅସଲ ଆସ୍ପୃହାଟି ନଥିଲେ ଆମର ଯାବତୀୟ ସୌନ୍ଦର୍ଯ୍ୟବୋଧ ଓ ନନ୍ଦନସ୍ପୃହା ହୁଏତ ଏକ ସୌନ୍ଦର୍ଯ୍ୟବାଦ ମଧ୍ୟରେ ହିଁ ଆବଦ୍ଧ ହୋଇ ରହି ଯାଇପାରେ ଅଥବା ‘କଳାପାଇଁ କଳା’ ପରି କୌଣସି ଏକ ତାତ୍ତ୍ଵିକ ଅପସଂସ୍କରଣରେ ମଧ୍ୟ ପରିଣତ ହୋଇ ଯାଇପାରେ ।

 

କଳା ତଥା କାବ୍ୟକୁ ସତେ ଅବା ଏକ ଅବଜ୍ଞା ପ୍ରଦର୍ଶନ କରି ପ୍ରଧାନତଃ ଯଥେଷ୍ଟ ଅବସର ରହିଥିବା ଧନିକ ଓ ସମ୍ଭ୍ରାନ୍ତ ଶ୍ରେଣୀର ବିଳାସ ଏବଂ ସୁକୁମାର ବିନୋଦ ବୋଲି କହିବାର ଏକ ପ୍ରବୃତ୍ତି ଅନେକ ସମୟରେ ପ୍ରକାଶ ପାଇଥାଏ । ଅଧିକାଂଶ ଲୋକଙ୍କର ଜୀବନରେ ତାହାର କୌଣସି ଆବଶ୍ୟକତା ରହିଛି ବୋଲି ସାଧାରଣତଃ ବିଶ୍ଵାସ କରା ଯାଏନାହିଁ । ଏହି ପୃଥିବୀରେ ଏବେ ମଧ୍ୟ ସୌନ୍ଦର୍ଯ୍ୟବୋଧର ପ୍ରାୟ ଯାବତୀୟ କରଣ ଓ ଉପକରଣ ସେହିଭଳି କେତୋଟି ବର୍ଗଙ୍କର ଏକ ପ୍ରସାଧନସାମଗ୍ରୀ ସଦୃଶ ହୋଇ ରହିଛି । ଶ୍ରୀ ଅରବିନ୍ଦ ଏହି ବିଷୟଟିର ଉତ୍ଥାପନ କରି କହିଛନ୍ତି ଯେ, ଏଭଳି ହୋଇଛି, କାରଣ ବିଳାସ ଭିତରେ ରହିଥିବା ମୁଷ୍ଟିମେୟ ମନୁଷ୍ୟ ଏହି ପୃଥିବୀକୁ ଏବଂ ଏହାର ଉତ୍ତମ ସାମଗ୍ରୀଗୁଡ଼ିକ ନିଜର ହାତମୁଠା ଭିତରେ ଅଧିକାର କରି ରଖିଛନ୍ତି ଏବଂ ସେହିପରି ଭାବେ ହିଁ କଳା ଓ ସାହିତ୍ୟ ଜୀବନବୃଦ୍ଧିକାରୀ ମହାନ୍ ସାଧନଗୁଡ଼ିକର ଅସଦ୍‌ବ୍ୟବହାର କରିଛନ୍ତି । ମନୁଷ୍ୟ–ଇତିହାସର ଏକ ବିଶେଷ ପର୍ଯ୍ୟାୟରେ ଏହିପରି ହୋଇଅଛି-। ମାତ୍ର, ଶ୍ରୀ ଅରବିନ୍ଦ ଦୃଢ଼ ଭାବରେ କହିଛନ୍ତି, ମନୁଷ୍ୟକୁ ପଶୁସ୍ତରରୁ ଉନ୍ନୀତ କରି ଆଣିବାରେ ତା’ର ଏହି ସୌନ୍ଦର୍ଯ୍ୟ–ସମ୍ବେଦନର ସାମର୍ଥ୍ୟଟି ହିଁ ତାକୁ ସବୁଠାରୁ ଅଧିକ ପରିମାଣରେ ସାହାଯ୍ୟ କରିଛି । ତା’ ଭିତରେ ରହିଥିବା ଅନ୍ଧ ଓ ମତ୍ତ ପ୍ରବୃତ୍ତି ଗୁଡ଼ିକର ପରିଶୋଧନ ଓ ପରିମାର୍ଜନ କରାଇଛି, ତାହାର ସଂବେଗଗୁଡ଼ିକୁ କ୍ରମଶଃ ଏକ ଭବ୍ୟ ରୂପ ପ୍ରଦାନ କରିଛି ଏବଂ ହୃଦୟ ତଥା କଳ୍ପନାଶକ୍ତିର ମାର୍ଗ ଦେଇ ମନୁଷ୍ୟକୁ ଏକ ବୁଦ୍ଧିଯୁକ୍ତ ଓ ବିବେକ ଦ୍ଵାରା ପରିଚାଳିତ ସତ୍ତାରେ ପରିଣତ କରିଛି । ମନୁଷ୍ୟର ସେହି ଉର୍ଦ୍ଧ୍ଵାୟନ କ୍ଷେତ୍ରରେ ମନୁଷ୍ୟ ଭିତରେ ରହିଥିବା ସୌନ୍ଦର୍ଯ୍ୟ–ଅନ୍ଵେଷଣକାରୀ ଆଖିଟି ତାକୁ ପ୍ରକୃତରେ ବହୁତ ପରିମାଣରେ ସାହାଯ୍ୟ କରିଛି । (ତତ୍ରୈବ, ୧୭ଶ ଖଣ୍ଡ, ୨୩୬–୭)

 

ଗ୍ରୀକ୍ କାବ୍ୟତତ୍ତ୍ଵରେ ଯାହାକୁ Katharsis ବୋଲି କୁହାଯାଇଛି, ଶ୍ରୀ ଅରବିନ୍ଦ ଆଲୋଚନାର ଏକ ଭାରତୀୟ ପରିପ୍ରେକ୍ଷୀ ଉପରେ ତାକୁ “ଚିତ୍ତଶୁଦ୍ଧି” ବୋଲି କହିଛନ୍ତି । ପାତଞ୍ଜଳି ଯୋଗଶାସ୍ତ୍ରର ଏହି ପାରିଭାଷିକ ଶବ୍ଦଟିକୁ ଭାରତୀୟ ଭିନ୍ନ ଭିନ୍ନ ଆଚାରମାର୍ଗ କେତେପ୍ରକାର ବିଶେଷ ବ୍ୟଞ୍ଜନାର ସହିତ ବ୍ୟବହାର କରିଛନ୍ତି । ସୌନ୍ଦର୍ଯ୍ୟବୋଧର ସୋପାନାୟତନ ମଧ୍ୟରେ ଆମର କ୍ରମୋପନୟନକୁ ମଧ୍ୟ ଶ୍ରୀ ଅରବିନ୍ଦ ସେହି ଚିତ୍ତଶୁଦ୍ଧିର ଏକ କାର୍ଯ୍ୟ ବୋଲି ଗ୍ରହଣ କରିଛନ୍ତି-। ଚିତ୍ତ ଅର୍ଥାତ୍ ଅନ୍ତସ୍କରଣର ଉପର ଖୋଳପାଗୁଡ଼ିକୁ ଭେଦିଲେ ଯାଇ ଆମର ହୃଦୟ,–ସେହି ହୃଦୟ ଭିତରେ ଶ୍ରଦ୍ଧାର ରୋପଣ ହୋଇ ରହିଥାଏ । ଚିତ୍ତଶୁଦ୍ଧି ଆମକୁ ହୃଦୟର ସ୍ତରକୁ ପରିଚାଳିତ କରି ନେଇଯାଏ ଏବଂ ଶ୍ରଦ୍ଧାର ଉନ୍ମୀଳନ ଘଟାଏ । ଆମକୁ ସତେଅବା ଏକ ଅନ୍ୟ ମଣିଷରେ ପରିଣତ କରେ, ଆମ ଭିତରେ ଏକ ଅନ୍ୟ ପ୍ରକାରର ଗ୍ରହଣଶୀଳତା ଆଣିଦିଏ । ଏହି ଚିତ୍ତଶୁଦ୍ଧିର ମାର୍ଗରେ ହିଁ ମନୁଷ୍ୟ ଗଭୀରକୁ ଓ ଆହୁରି ଗଭୀରକୁ ଯାଏ; ଗଣ୍ଠିଗୁଡ଼ିକୁ ଫିଟାଏ, ଏକ କ୍ରମାରୋହଣର ପ୍ରକ୍ରିୟାରେ ନିଜ ଜୀବନଧାବନର ଅସଲ ହୃଦୟଟିକୁ ସ୍ପର୍ଶ କରେ ଓ ଆପଣାକୁ ନାନା ଉଚ୍ଚତର ପରିପୂର୍ଣ୍ଣତାରେ ଭାଜନ କରିନିଏ । ସେହି ଲକ୍ଷ୍ୟଟିକୁ ପୂରଣ କରିବା ଦିଗରେ ସାହିତ୍ୟ ଏବଂ କଳା ଆମ ଜୀବନରେ ଗୋଟିଏ ଗୋଟିଏ ଅତ୍ୟନ୍ତ ଶକ୍ତିଶାଳୀ ସାଧନରୂପେ କାର୍ଯ୍ୟ କରିଥାନ୍ତି । ଶ୍ରୀ ଅରବିନ୍ଦ ଏହାକୁ ହିଁ କାବ୍ୟ, ସାହିତ୍ୟ ଏବଂ ସମଗ୍ରତଃ ଯାବତୀୟ ସୌନ୍ଦର୍ଯ୍ୟ–ଜିଜ୍ଞାସାର ଅସଲ ପ୍ରତିଷ୍ଠା ବୋଲି କହିଛନ୍ତି । ଆମର ନନ୍ଦନବୋଧ ଆମକୁ ଶୁଦ୍ଧ କରେ, ଅର୍ଥାତ୍ ଆମ ଭିତରେ ପାଖୁଡ଼ା ପରେ ପାଖୁଡ଼ାକୁ ଖୋଲି ଦେଉଥାଏ, ଏବଂ ସେହି ପ୍ରକ୍ରିୟା ଆମର ଅସଲ ଘରଟି ସହିତ ଆମର ପରିଚୟ କରାଇ ଦେଇଯାଏ । ଆମର ସଂବିତ୍‌କୁ ତାହା ଏକ ନୂତନ ପ୍ରସ୍ଥ ଯୋଗାଇଦିଏ ।

 

ସୌନ୍ଦର୍ଯ୍ୟବୋଧର ନିଦାନ ନିରୂପଣ କରିବାକୁ ଯାଇ ଶ୍ରୀ ଅରବିନ୍ଦ ତାହାକୁ ମନୁଷ୍ୟର ଅବବୌଦ୍ଧିକ ସ୍ତରର ଏକ ବୃତ୍ତି ବୋଲି କହିଛନ୍ତି । ଆମର ଅବବୌଦ୍ଧିକ ସ୍ତରରେ ତାହାର ଉନ୍ମେଷ ହୁଏ । ବୁଦ୍ଧିର ସ୍ତରରେ ତାହା ଆପଣାକୁ ସୂତ୍ରବଦ୍ଧ କରେ; ମାତ୍ର ସୌନ୍ଦର୍ଯ୍ୟବୋଧର ସର୍ବୋଚ୍ଚ ସ୍ତର ବା ଭୂମିରେ ବୁଦ୍ଧିକୁ ଅତିକ୍ରମ କରି ଆଗକୁ ଚାଲିଯିବାକୁ ହୋଇଥାଏ । ବୁଦ୍ଧି ପଛରେ ରହିଯାଏ । ଶ୍ରୀ ଅରବିନ୍ଦଙ୍କର ନିଜ ଭାଷାରେ କହିଲେ, ‘‘ଆମ ଭିତରର କବି, କଳାକାର ଅଥବା ସ୍ରଷ୍ଟା–ତାହା ଆମର ବୁଦ୍ଧି କଦାପି ନୁହେଁ । ବୁଦ୍ଧିର ଅତୀତ ଆଉ ଏକ ଭୂମିରେ ଆମ ଭିତରକୁ ଆଲୋକ ଏବଂ ଶକ୍ତିର ସଞ୍ଚାରଣ ଘଟିଲେ ତାହାହିଁ ଆମ ଭିତରର ସ୍ରଷ୍ଟାକୁ ଜନ୍ମ ଦିଏ । ସେହି ସୃଜନକାର୍ଯ୍ୟଟିକୁ ଅବ୍ୟାହତ ଭାବରେ ବଳବତ୍ତର ରଖିବାକୁ ଆମ ଭିତରେ ଏକ ଦୃଷ୍ଟି ଓ ଏକ ପ୍ରେରଣା ସକ୍ରିୟ ହୋଇ ରହିଥିବା ଆବଶ୍ୟକ ହୁଏ । (ତତ୍ରୈବ, ୧୫ଶ ଖଣ୍ଡ, ପୃଷ୍ଠା–୧୨୮) ହଁ, ବୁଦ୍ଧିଦ୍ଵାରା ଗଠିତ ଓ ଗ୍ରଥିତ ହୋଇ ବେଳେ ବେଳେ କେତେକ ବ୍ୟକ୍ତି କଳାର ସୃଷ୍ଟି କରିଥାନ୍ତି ସତ, ମାତ୍ର ସେତେବେଳେ ତାହାକୁ ଏକ ଗଠନ ବା ବିନ୍ୟାସ ବୋଲି ଅବଶ୍ୟ କୁହାଯାଇ ପାରିବ ସତ, ମାତ୍ର ଆଦୌ ସର୍ଜନା ବୋଲି କୁହାଯିବ ନାହିଁ ।

 

ଏହି ସନ୍ଦର୍ଭରେ ଶ୍ରୀ ଅରବିନ୍ଦ ସୌନ୍ଦର୍ଯ୍ୟର ଉଚ୍ଚତମ ଉପଲବ୍ଧିକୁ ଏକ ଭଗବତ୍ ଉପଲବ୍ଧି ବୋଲି କହିଛନ୍ତି । ସତ୍ୟ, ଶିବ ଓ ସୁନ୍ଦର ଏମାନେ ସମସ୍ତେ ଆମ ଜୀବନର ଚରମ ଉତ୍ତୋଳନ–ସ୍ତରରେ ଆମକୁ ସେହି ଭଗବତ୍ ଉପଲବ୍ଧି ପାଖରେ ନେଇ ପହଞ୍ଚାଇ ଦେଇଥାନ୍ତି । ତେଣୁ, ସତ୍ୟ ଏବଂ ଶିବର ଚାରଣା ପରି ସୌନ୍ଦର୍ଯ୍ୟ ମଧ୍ୟ ଏକ ଚାରଣା, ଏକ ଜିଜ୍ଞାସା, ଏକ ନିକଟବର୍ତ୍ତୀ ହେବା,–ସତତ ନିକଟବର୍ତ୍ତୀ ହେବା ଓ ଅଧିକରୁ ଅଧିକ ନିକଟବର୍ତ୍ତୀ ହେଉଥିବାର ଏକ ଅଭିଳାଷ । ଏହି ଜିଜ୍ଞାସା ବା ଅନ୍ଵେଷଣ ପ୍ରଥମେ ରୂପ ଓ ବସ୍ତୁତ୍ଵର ସ୍ତରରେ ରହିଥାଏ । ତା’ ପରେ ତାହା ନିଜକୁ ମନନ ଏବଂ ଭାବସଂବେଗର ସ୍ତରକୁ ଉନ୍ନୀତ କରିନିଏ ଓ ଆହୁରି ଆଗକୁ ଯାଇ ପରମ ସୌନ୍ଦର୍ଯ୍ୟର ସଂସ୍ପର୍ଶ ଲାଭ କରିବାର ବାସନା ରଖିଥାଏ । ସେତେବେଳେ ସୁନ୍ଦରର ବୋଧ କେବଳ କେତେଗୋଟି ବିଶେଷ ମୁହୂର୍ତ୍ତର କ୍ଵଚିତ୍ ଅନୁଭବରେ ମୋଟେ ସୀମାବଦ୍ଧ ହୋଇ ରହେନାହିଁ । ସେତେବେଳେ ତାହା ଏକ ସତତ ସତେଚନତା ଓ ସତତ ବିଚରଣରେ ପରିଣତ ହୋଇଯାଏ । ସତତ ବିଚରଣ ଅର୍ଥାତ୍ ଏକ ଶୁଦ୍ଧ ଆନନ୍ଦ ମଧ୍ୟକୁ ମନୁଷ୍ୟର ମୁକ୍ତିଲାଭ । ଏହି ମୁକ୍ତିଲାଭ ଆଦୌ ଏକ ପଳାୟନ ନୁହେଁ । ସେହି ମୁକ୍ତିଲାଭ ଫଳରେ ଆମ ଜୀବନର ଦ୍ଵାରଗୁଡ଼ିକ ଖୋଲିଯାଏ ଏବଂ ଜୀବନ ମଧ୍ୟରେ ରହି ଆସିଥିବା ସବୁକିଛି ଅସୁନ୍ଦର ସୁନ୍ଦରକୁ ରୂପାନ୍ତରିତ ହୋଇଥାଏ । ଅର୍ଥାତ୍ ଅସଲ ସୌନ୍ଦର୍ଯ୍ୟବୋଧର ଏକ ସଂକ୍ରମଣଶକ୍ତି ରହିଛି ଏବଂ ତାହାରି ବଳରେ ଆମ ଜୀବନରେ ଭାଗେ ସୁନ୍ଦର ଓ ଆଉ ଭାଗେ ଅସୁନ୍ଦର ମଧ୍ୟରେ ରହି ଆସିଥିବାର ଭେଦ ଦୂର ହୋଇଯାଏ । ସୌନ୍ଦର୍ଯ୍ୟର ବୋଧ ମନୁଷ୍ୟର ଜୀବନକୁ ସୁନ୍ଦର କରେ, ଆମର ସମସ୍ତ ଜୀବନ ସତେ ଅବା ଏକ କାବ୍ୟରେ ପରିଣତ ହୋଇଯାଏ । ଏହିପରି ଏକ ମୁକ୍ତିବିଧାନଙ୍କୁ ଶ୍ରୀ ଅରବିନ୍ଦ କଳା ଓ ସାହିତ୍ୟର ଅସଲ ତାତ୍ପର୍ଯ୍ୟ ଓ ଅସଲ ଆଧ୍ୟାତ୍ମିକ କ୍ରିୟା ବୋଲି ବର୍ଣ୍ଣନା କରିଛନ୍ତି ।

 

ଈଶୋପନିଷଦ ସ୍ଵୟଂ ପରମସତ୍ତାଙ୍କୁ କବି ବୋଲି ବର୍ଣ୍ଣନା କରିଛି । ଶ୍ରୀ ଅରବିନ୍ଦ କବିକୁ ଋଷି ବୋଲି କହିଛନ୍ତି । ଋଷି ଦେଖେ, ଅନାବୃତ କରେ, ଆବିଷ୍କାର କରେ । ସୌନ୍ଦର୍ଯ୍ୟର ଆବିଷ୍କାର ହିଁ କଳାର ଲକ୍ଷ୍ୟ, ମାତ୍ର ସୌନ୍ଦର୍ଯ୍ୟ କହିଲେ କଦାପି କେବଳ ଜଡ଼ସ୍ଥ ବା ଜଡ଼ଗତ ସୌନ୍ଦର୍ଯ୍ୟକୁ ବୁଝାଏ ନାହିଁ । ଶ୍ରୀ ଅରବିନ୍ଦଙ୍କ ମତରେ ଏକ ମାନସିକ ସ୍ତରୀୟ ସୌନ୍ଦର୍ଯ୍ୟ ରହିଛି–ବୁଦ୍ଧି, ମନୀଷା ବା ବୋଧର ବିଚରଣ କ୍ଷେତ୍ରରେ ମଧ୍ୟ ସୌନ୍ଦର୍ଯ୍ୟର ଅବବୋଧ ଅବଶ୍ୟ ସମ୍ଭବ ହୋଇପାରିବ । ଏବଂ ସବା ଉପରେ ଅର୍ଥାତ୍ ସବୁଟିକୁ ଏକାଠି ସମ୍ଭାରି ଧରି ଏକ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ମଧ୍ୟ ରହିଛି-। ଯୋଗଯୁକ୍ତ ଚେତନାର ଏକ ନିର୍ଦ୍ଦିଷ୍ଟ ସ୍ଥିତିସ୍ତରରେ ଏପରି ଏକ ଅନୁଭବ ଉପଲବ୍ଧ ହୋଇଥାଏ, ଯେତେବେଳେ ଅବଲୋକନକାରୀର ଚକ୍ଷୁକୁ ଯାବତୀୟ ସବୁକିଛି ସୁନ୍ଦର ଦେଖାଯାଏ-। କାରଣ, ଆଧ୍ୟାତ୍ମିକ ସ୍ତରରେ ସେମାନେ ସମସ୍ତେ ହିଁ ପ୍ରଚ୍ଛନ୍ନ ରୂପେ ସେହି ଏକ ଦିବ୍ୟ ପରମସତ୍ତାକୁ ବହନ କରି ଅବସ୍ଥିତ ରହିଥାନ୍ତି । ତେଣୁ ଆମର କଳା ଓ ସୁସ୍ଥ ସୌନ୍ଦର୍ଯ୍ୟବୋଧ ଆମକୁ ଆଦୌ କୌଣସି ନିର୍ଦ୍ଦିଷ୍ଟ ଚଉବାଡ଼ ଭିତରେ ନେଇ ପକାଇ ରଖିବ ନାହିଁ । ତାହା ଆମକୁ ସଂପ୍ରସାରିତ କରିବାରେ ଲାଗିଥିବ, ସତତ ସଂପ୍ରସାରିତ କରୁଥିବ ଏବଂ ସଂପ୍ରସାରିତ କରିବା ସଙ୍ଗେ ସଙ୍ଗେ ତାହା ଆମକୁ ଏକ ଆରୋହକ୍ରମରେ ଉଚ୍ଚକୁ ଓ ଆହୁରି ଉଚ୍ଚକୁ ଉଠାଇ ନେଇ ଯାଉଥିବ । ଉଚ୍ଚକୁ ଉଠିବା ଦ୍ଵାରା ମଧ୍ୟ ଆମର ଚେତନାକ୍ଷେତ୍ରରେ ଅବଶ୍ୟ ଏକ ଅନୁଲମ୍ବ ପ୍ରସାରଣ ସଂଘଟିତ ହୋଇଥାଏ । ଯିଏ ଯେତିକି ଉପରକୁ ଉଠେ, ସିଏ ସେତିକି ଅଧିକ ମଧ୍ୟ ଦେଖେ-। ସିଏ ଅଧିକ ସମଗ୍ର ଭାବରେ ଦେଖିବାଲାଗି ସମର୍ଥ ହୁଏ । ଏହିପରି ଭାବରେ ଆମେ ଏକ ଶିଖର–ଅନୁଭୂତିର ଅଧିକାରିତ୍ଵ ଲାଭ କରିଥାଉ । ଆଧୁନିକ ମନୋବିଜ୍ଞାନ ମଧ୍ୟ ନାନାଭାବେ ଏବେ ସେହି ଶିଖର–ଅନୁଭୂତି ଅଥବା ‘ପିକ୍ ଏକ୍ସପିରିଏନ୍ସର’ ଚର୍ଚ୍ଚା କଲାଣି । ସେହି ଶିଖର ଉପଲବ୍ଧିର ଉଚ୍ଚତମ କ୍ରମରେ ଆମେ ହୁଏତ ଯେଉଁ ଭୂମି ଅଥବା ସଂସ୍ପର୍ଶ ମଧ୍ୟକୁ ପ୍ରସାରିତ ହୋଇଯିବା, ପ୍ରାଚୀନ ଅଧ୍ୟାତ୍ମରେ ତାହାକୁ ହିଁ ବ୍ରହ୍ମରେ ବିଚରଣ କରିବା ବୋଲି କୁହାଯାଇଛି । ଗୌତମ ବୁଦ୍ଧ ଏକଦା ତାହାକୁ ବ୍ରହ୍ମବିହାର ବୋଲି କହିଥିଲେ । ଶ୍ରୀ ଅରବିନ୍ଦ ତାହାହିଁ ଆମର ଯାବତୀୟ ସୌନ୍ଦର୍ଯ୍ୟ ଓ ଅନ୍ଵେଷଣର ଅଭିଳଷିତ ଆଧ୍ୟାତ୍ମ–ସମ୍ପଦ ହୋଇ ରହିବା ଉଚିତ ବୋଲି କହିଛନ୍ତି ।

 

ତେଣୁ, କଳା ଓ ସାହିତ୍ୟ–ସୃଜନର ସମୀକ୍ଷାରେ ଆମେ ପ୍ରଧାନତଃ ଏହି ସୋପନକ୍ରମଟିର ଆବିଷ୍କାର କରି ପାରିବା ଉଚିତ; କେଉଁ ସ୍ରଷ୍ଟା ଅନୁଭବର କେଉଁ ସ୍ତରଯାଏ ଯାଇ ପାରିଛନ୍ତି, ଅର୍ଥାତ୍ କେଉଁ ପର୍ଯ୍ୟନ୍ତ ଯାଇ ସିଏ ସେହିଠାରେ ଅଟକି ଯାଇଛନ୍ତି, ସମୀକ୍ଷାର ମାନନିରୂପଣରେ ତାହାହିଁ ଆମର ଯାବତୀୟ ସମୀକ୍ଷା ଲାଗି ଏକ ମାପକରୂପେ କାର୍ଯ୍ୟ କରି ପାରିବ । ବିଶ୍ଵସାହିତ୍ୟର ଆଲୋଚନା କରି ଶ୍ରୀ ଅରବିନ୍ଦ ଗ୍ରୀସର କବି ହୋମର୍, ଷୋଡ଼ଶ ଶତାବ୍ଦୀ ଇଂଲଣ୍ଡର ସେକ୍ସପିଅର ଏବଂ ଭାରତୀୟ ମହାକାବ୍ୟଯୁଗର ବ୍ୟାସ ଓ ବାଲ୍ମୀକିଙ୍କୁ ତିନି ଥାକରେ ଠାବ କରିବାର ପ୍ରୟାସ କରିଛନ୍ତି । (ତତ୍ରୈବ, ୯ମ ଖଣ୍ଡ ପୃଷ୍ଠା–୩୩୪) ହୋମର୍ ମନୁଷ୍ୟର ବାହ୍ୟ ଜୀବନ ଓ ସେହି ଜୀବନର କାର୍ଯ୍ୟ–ଆୟତନ ମଧ୍ୟରୁ ହିଁ ସୌନ୍ଦର୍ଯ୍ୟର ସୃଷ୍ଟି କରିଛନ୍ତି ଓ ସେହିଠାରେ ଅଟକିଯାଇଛନ୍ତି । ସେକ୍ସପିଅର ଆଉଗୋଟିଏ ପାହାଚ ଉପରକୁ ଯାଇ ଆମର ସମ୍ମୁଖରେ ପ୍ରାଣିକ ସ୍ତରର ଆତ୍ମା, ପ୍ରାଣିକ ସ୍ତରର ଶକ୍ତିମତ୍ତା ଏବଂ ପ୍ରାଣିକ ସ୍ତରର ମୂଲ୍ୟବୋଧ ଓ ମୂଲ୍ୟକଳନା ଗୁଡ଼ିକର ଅନାବରଣ କରି ଦେଇଛନ୍ତି ଏବଂ ଜୀବନ ତଥା ଜୀବନଗତ ଯାବତୀୟ ଗତିସ୍ପନ୍ଦନକୁ ଅବଲମ୍ବନ ତଥା ସ୍ତମ୍ଭରୂପେ ଧାରଣ କରି ରହିଥିବା ମହାନ୍ ଭାବନା, ଶକ୍ତିମତ୍ତା ତଥା ଆଦର୍ଶଗୁଡ଼ିକ ହିଁ ବ୍ୟାସ ଏବଂ ବାଲ୍ମୀକିଙ୍କର କୃତିରେ ସଦାବିଦ୍ୟମାନ ହୋଇ ରହିଛନ୍ତି । ଶ୍ରୀ ଅରବିନ୍ଦ ସଙ୍କେତ ଦେଇଛନ୍ତି ଯେ, ଏହି ଆଦର୍ଶ, ଶକ୍ତି ତଥା ଭାବନାଗୁଡ଼ିକର ଆହୁରି ସେପାଖରେ ମଧ୍ୟ ସୋପାନମାନ ଅବସ୍ଥିତ ରହିଛି, ଅଧିକ ଅନ୍ତର୍ଗତ ଓ ଅନ୍ତରଙ୍ଗ ଏକାଧିକ ସତ୍ୟ ରହିଛି, ବସ୍ତୁ ତଥା ସତ୍ତାଗୁଡ଼ିକର ପଶ୍ଚାତରେ ଏକ ଆତ୍ମା ରହିଛି । ଏଗୁଡ଼ିକ ମଧ୍ୟ କଳା ଓ ସାହିତ୍ୟର ଆଧେୟ ହୋଇ ପାରିବ ଏବଂ ଆମକୁ ଏହି ତିନି ସୋପନର ତୁଳନାରେ ଏକ ଅଧିକ ସମ୍ପଦଯୁକ୍ତ, ଅଧିକ ଗଭୀର ଏବଂ ଅଧିକ ବିପୁଳ କଳା ତଥା ନାନ୍ଦନିକ ଅବବୋଧର ପରିଚୟ ଦେଇଯାଇ ପାରିବେ । ସେତେବେଳେ ଆମର କଳା ଏବଂ ସୌନ୍ଦର୍ଯ୍ୟର ପରିଶୀଳନ ଏକ ମନ୍ତ୍ରର ସ୍ତରକୁ ଉନ୍ନୀତ ହୋଇଯାଇ ପାରିବେ ।

 

ଶ୍ରୀ ଅରବିନ୍ଦ ତାଙ୍କର କାବ୍ୟ ଓ ସାହିତ୍ୟ–ସମ୍ବନ୍ଧୀୟ ବିଶେଷ ଗ୍ରନ୍ଥଟିକୁ ‘ଦି ଫିଉଚର୍ ପୋଏଟ୍ରି’ ବା ‘ଭବିଷ୍ୟତର କାବ୍ୟ’ ବୋଲି ନାମିତ କରିଛନ୍ତି । ଭବିଷ୍ୟତରେ ମାନବଜାତି ନିମନ୍ତେ ଯେଉଁ ପରବର୍ତ୍ତୀ ଯୁଗଟି ଆସୁଛି, ଏକ ଅନ୍ୟ ଚେତନା ହିଁ ତାହାର ନିର୍ଣ୍ଣାୟକ ଚେତନା ହୋଇ ରହିବ-। ତାହା ଏକ ସମଗ୍ରତର ଚେତନାର ଯୁଗ ହେବ, କେବଳ ବସ୍ତୁବାଦ, କେବଳ କୌଣସି ଅନ୍ତର୍ମୁଖୀ ପ୍ରାଣପ୍ରଧାନତା ଅଥବା କୌଣସି ଭୂମିଚ୍ୟୁତ ଓ ଉପେକ୍ଷାପ୍ରଧାନ ଆଧ୍ୟାତ୍ମିକତା ମଧ୍ୟ ସେହି ଯୁଗର ଲକ୍ଷ୍ୟରୂପେ ଗୃହୀତ ହେବନାହିଁ । ତାହା ମନୁଷ୍ୟଜୀବନର ଏକ ସମଞ୍ଜସତା ବିଶିଷ୍ଟ–ଆଲୋକନଯୁକ୍ତ ସମଗ୍ରତାକୁ ହିଁ ଲକ୍ଷ୍ୟରୂପେ ଗ୍ରହଣ କରିବ । ତେଣୁ, ମନୁଷ୍ୟର ସମୁଦାୟ ଜୀବନଭୂମି ହିଁ ଭବିଷ୍ୟତରେ ତା’ କାବ୍ୟର ସାମଗ୍ରୀ ତଥା ସଞ୍ଚାରକ୍ଷେତ୍ରରେ ପରିଣତ ହେବ-। ସେଥିରେ ପରମାର୍ଥ ରହିବ, ସ୍ଵୟଂ ମନୁଷ୍ୟ ରହିବ, ତା’ର ପୃଥିବୀଚୟ ରହିବେ, ସାନ୍ତ ତଥା ଅନନ୍ତ ଉଭୟେ ରହିବେ, କ୍ଷଣ ଓ କ୍ଷଣାତୀତ ଯୁଗପତ୍ ଭାବରେ ରହିବେ । ମନୁଷ୍ୟର ବିବର୍ତ୍ତନ ତାକୁ ଏକ ଉର୍ଦ୍ଧ୍ଵତର ଉନ୍ମୋଚନ ମଧ୍ୟକୁ ଉତ୍ତୋଳିତ କରିନେବ, ଆପଣାର ସକଳ ସାମର୍ଥ୍ୟ, ସମ୍ଭାବନା, ସୃଜନଶୀଳତା ଏବଂ କ୍ରିୟା ସହିତ ମନୁଷ୍ୟ ଏକ ବୃହତ୍ତର ଦ୍ଵିତୀୟ ଜନ୍ମର ଦ୍ଵାର ଦେଶରେ ଯାଇ ଉପନୀତ ହେବ । ସେତେବେଳେ ସୌନ୍ଦର୍ଯ୍ୟବୋଧ ଏବଂ କାବ୍ୟସୃଷ୍ଟିର ସଂଜ୍ଞାୟତନଟି ମଧ୍ୟ ବଦଳି ଯିବାକୁ ବାଧ୍ୟ ହେବ । ଜୀବନସ୍ଥ ଅବବୋଧଗୁଡ଼ିକରେ ନାନା ନୂତନ ପ୍ରସ୍ଥର ଉନ୍ମୋଚନ ଘଟିବ । ଆଧୁନିକ ବିବର୍ତ୍ତନବାଦର ବିଚାରକ୍ଷେତ୍ରରେ ଶ୍ରୀ ଅରବିନ୍ଦଙ୍କ ପରେ ଅନ୍ୟମାନେ ମଧ୍ୟ ସେହିସବୁ ସମ୍ଭାବନା ବିଷୟରେ ଅନୁରୂପ ସଙ୍କେତମାନ ଦେଲେଣି । ସେହି ଅପେକ୍ଷିତ ଅନ୍ୟ ଅବବୋଧ ତଥା ସମ୍ବନ୍ଧର ଭୂମିଟିକୁ ମନୁଷ୍ୟର ଚେତନାକୁ ବାଟ ଦେଖାଇ ଅଗ୍ରସର କରାଇ ନେଇଯିବା, ମନୁଷ୍ୟର ବର୍ତ୍ତମାନ ଭୂମିରେ ତା’ର ଯାବତୀୟ ଅନୁଧାବନ ଲାଗି ଅଧିକ ମହାନ୍ କର୍ତ୍ତବ୍ୟ ଆଉ କ’ଣ ହୋଇପାରେ ?

 

ତେଣୁ ଶ୍ରୀଅରବିନ୍ଦଙ୍କର କାବ୍ୟଦୃଷ୍ଟିକୁ ଅନୁସରଣ କରି କୁହାଯାଇପାରେ, ସେହି ଅନ୍ୟ ଚେତନା ମଧ୍ୟକୁ ବାଟ କାଢ଼ି ନେଇଯିବା ହିଁ ମନୁଷ୍ୟର ବର୍ତ୍ତମାନ ଚେତନାର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ଅବଶ୍ୟ ହେବ । ତା’ର ବର୍ତ୍ତମାନର ସୌନ୍ଦର୍ଯ୍ୟବୋଧ ସେହି ଅନ୍ୟ ବୋଧଟି ମଧ୍ୟକୁ ହିଁ ତାକୁ ପ୍ରେରିତ କରି ନେଇଯିବ । ଏହି ଜୀବନ ଓ ସମ୍ଭାବ୍ୟ ସେହି ଜୀବନଟି ମଧ୍ୟରେ ଏକ ସେତୁ ପକାଇବ । ଭିତର ଆଡ଼କୁ ସେତୁ ପକାଇବ ଏବଂ ମନୁଷ୍ୟକୁ ଘେରି ରହିଥିବା ଏହି ପରିବ୍ୟାପ୍ତ ଭୂମାଟି ମଧ୍ୟକୁ ବି ସେତୁ ପକାଇବ । ଖଣ୍ଡିତ ଅହଂର ସୀମାଗୁଡ଼ିକୁ ଡେଇଁ ଆତ୍ମୀୟତା ଆଡ଼କୁ ସେତୁ ପକାଇବ, ଭୋଗ ମଧ୍ୟରୁ ଆନନ୍ଦ ମଧ୍ୟକୁ ବାଟ କଢ଼ାଇନେବ, ସୌନ୍ଦର୍ଯ୍ୟ ସମେତ ଜୀବନର ଯାବତୀୟ ବୋଧକୁ ଧର୍ମତଃ ଏକ ତପସ୍ୟାରେ ପରିଣତ କରିବ, ସୌନ୍ଦର୍ଯ୍ୟକୁ ସତ୍ୟ ଓ ଶିବର ସହଗାମୀ କରାଇବ । ଜୀବନର ଯାବତୀୟ ପ୍ରେରଣାକୁ ମନ୍ତ୍ରର ମହିମା ପ୍ରଦାନ କରିବ ।

 

(ନନ୍ଦନତତ୍ତ୍ଵ, ପ୍ରକାଶକ–ଓଡ଼ିଆ ଗବେଷଣା ପରିଷଦ, କଟକ, ୧୯୯୦, ପୃଷ୍ଠା–୮୯–୯୨, ରଚନାକାଳ ୧୯୮୬)

Image

 

ସାହିତ୍ୟରେ ଚୟନ ଓ ଅଚୟନ

 

ମଣିଷ ମାତ୍ରକେ ସମସ୍ତେ କଦାପି ସାହିତ୍ୟକୁ ଲୋଡ଼ନ୍ତି ନାହିଁ । ମଣିଷ ମାତ୍ରକେ ସମସ୍ତେ ଯେପରି ଭଲପାଇ ପାରନ୍ତି ନାହିଁ, ଠିକ୍ ସେମିତି । ଆପଣାର ଭଲ ପାଇବାର ଜରିଆରେ ଅନେକ ମଣିଷ ଆପଣାକୁ ମୋଟେ ଦେଇ ପାରନ୍ତି ନାହିଁ । ଆପଣାର କାନ୍ଥଗୁଡ଼ାକୁ କେବଳ ଅଧିକ ବହଳ କରିବାରେ ଲାଗିଥାନ୍ତି । ସେମାନେ ବୀରପରି ଝାମ୍ପି ଆଣନ୍ତି, ବୀରପରି ଅଧିକାର କରନ୍ତି, ବୀରପରି ଯାବୁଡ଼ି ଧରିଥାନ୍ତି ଓ ଭୁଞ୍ଜିଲାବେଳେ ଆପଣାକୁ ସଂସାରର ସବୁଠାରୁ ବଡ଼ ବୀର ବୋଲି ମନେ କରୁଥାନ୍ତି ସତ, ତଥାପି ଆପଣାକୁ ଆଦୌ କେଉଁଠି ହେଲେ ଦେଇପାରନ୍ତି ନାହିଁ । ସେମାନେ ମିତ ହେବାକୁ ଡରନ୍ତି, ହାଲୁକା ହେବାକୁ ଡରନ୍ତି,–ସେମାନଙ୍କର ଯାବତୀୟ ଅନୁରାଗ ଗୋଟିଏ ଗୋଟିଏ ଉଦ୍ଧତ ମୃଗୟାରେ ପରିଣତ ହୋଇ ରହିଥାଏ । ଯାବତୀୟ ଚୟନ ସତେଅବା ଅନେକ ଅନାବନାର ଗଦାଟିଏ ହୋଇ ସେମାନଙ୍କୁ କୋଉ ଗର୍ତ୍ତରେ ଯାଇ ପୋତି କରି ରଖିଥାଏ, ଲୁଚାଇ ରଖିଥାଏ । ସେମାନେ ସହସ୍ର ପ୍ରଗଲ୍‌ଭତା ସତ୍ତ୍ୱେ ମୂକ ହୋଇ ରହିଥାନ୍ତି, ବାହାରର ସକଳ ବରଣ ସତ୍ତ୍ୱେ ଅବିହାଡ଼ୀ ହୋଇ ବସିଥାନ୍ତି,–ଏବଂ ବାହାରକୁ କେଡ଼େ ଖୁସୀ ଥିଲାପରି ଦେଖା ଯାଉଥିଲେ ମଧ୍ୟ ଭିତରେ ଅତ୍ୟନ୍ତ ଘର୍ମାକ୍ତ ହୋଇ ରହିଥାନ୍ତି ।

 

ସାହିତ୍ୟକୁ ନ ଲୋଡ଼ୁଥିଲେ ମଧ୍ୟ ଅନେକେ ସାହିତ୍ୟ ଲେଖନ୍ତି । ତଥାପି ସାହିତ୍ୟ ପଢ଼ନ୍ତି-। ଭିତରେ ସେମାନଙ୍କର ଅସଲ ମନଗୁଡ଼ାକ ହୁଏତ ଆଉ କ’ଣ ଲୋଡ଼ୁଥାଏ, ଆଉ କେଉଁ କନ୍ଦି ଭିତରେ ଧନ୍ଦି ହୋଇ ରହିଥାଏ; ଦୌରାତ୍ମ୍ୟ କରୁଥାଏ, ଉପଦ୍ରବ କରିବାରେ ଲାଗିଥାଏ । ଆପଣାର ଅନ୍ତରଙ୍ଗ ନାଡ଼ୀଗୁଡ଼ାକର କ୍ଷେତ୍ରରେ ସେମାନେ ହୁଏତ ସେହି ଦୌରାତ୍ମ୍ୟ ଓ ଉପଦ୍ରବଗୁଡ଼ାକୁ ଭାରି ଭଲ ପାଉଥାନ୍ତି । ମାତ୍ର ବାହାରେ, ସେଗୁଡ଼ାକ ଯେପରି ମୋଟେ ଧରାପଡ଼ି ନ ଯିବ, ସେଥିଲାଗି ଭାରି ଉତ୍ସାହୀ ହୋଇ ସାହିତ୍ୟ ଲେଖୁଥାନ୍ତି, ସାହିତ୍ୟ ପଢ଼ୁଥାନ୍ତି । ଏବଂ ଆପଣାକୁ ଅଭିବ୍ୟକ୍ତ କରିବାକୁ ସର୍ବଦା ଭାରି ଡରୁଥାନ୍ତି । ଦୁଆର ଖୋଲିବାକୁ ଡରୁଥାନ୍ତି । କାତି ଛାଡ଼ିବାକୁ ଡରୁଥାନ୍ତି । ସାହିତ୍ୟ ସେମାନଙ୍କ ଲାଗି ଗୋଟାଏ ମୁଖାପରି କାର୍ଯ୍ୟ କରୁଥାଏ, ସେମାନଙ୍କର ବନ୍ଧ୍ୟା ଦୁଃଖକୁ ଘୋଡ଼ାଇ ରଖିବା ଲାଗି ଗୋଟାଏ ଅସଫଳ ଅଥଚ ସୌଖୀନ ଔଷଧ ରୂପେ ଭାରି କାମରେ ଲାଗୁଥାଏ ।

 

ସାହିତ୍ୟ ଜୀବନଠାରୁ ବଡ଼ ନୁହେଁ, ସାହିତ୍ୟ ହେଉଛି ଜୀବନର ଏକ ଅଙ୍ଗ । ସାହିତ୍ୟ ଜୀବନର ଏକ ଭୂଷଣ ନୁହେଁ, ତାହା ଜୀବନର ଏକ ଆବଶ୍ୟକତା । ଆପଣାକୁ ଅଭିବ୍ୟକ୍ତ କରିବା, ଅନ୍ୟ ସମସ୍ତଙ୍କ ଲାଗି ଆପଣାକୁ ଅଭିବ୍ୟକ୍ତ କରାଇବାର ପ୍ରୟାସ ଦ୍ଵାରା ଆପଣାକୁ ଅଧିକରୁ ଅଧିକ ଚିହ୍ନିବା ଏବଂ ଅଧିକରୁ ଅଧିକ ପାଇବା,–ଏହା ଆଦୌ ଗୋଟାଏ ବିଳାସ ନୁହେଁ, ଏହା ହେଉଛି ଏକ ଆବଶ୍ୟକତା । ଯେଉଁମାନେ ନାନା କାରଣରୁ ଜୀବନକୁ ଅନିତ୍ୟ ବୋଲି ଭାବନ୍ତି, ଓ ତେଣୁ ସମ୍ଭୋଗକୁହିଁ ଜୀବନର ବିଜ୍ଞତମ ଧର୍ମ ବୋଲି ଗ୍ରହଣ କରି ନେଇଥାନ୍ତି, ହୁଏତ ସେହିମାନେ ଅନେକ ସମୟରେ ସାହିତ୍ୟକୁ ଏକ ସମ୍ଭୋଗ ଅଥବା ବିଳାସ ବୋଲି ଗ୍ରହଣ କରିଥାନ୍ତି । ସେମାନେ ଜୀବନ ପାଖରେ ନାସ୍ତିକ ହୋଇ ରହିଯାଆନ୍ତି । ଜୀବନର ସାନ୍ଦ୍ରତାକୁ ସେମାନେ ବିଳାସିତାର ପରିମାଣ ଦେଇ କଳନା କରନ୍ତି । ସଚରାଚର ଏହିମାନେହିଁ ଜ୍ଞାନକୁ ଚିଦ୍‌ବିଳସ ବୋଲି କହିଥାନ୍ତି ଓ ସେପରି କହି ଆପଣାକୁ ପରମଜ୍ଞାନୀ ପ୍ରାୟ ଅନୁଭବ ବି କରିଥାନ୍ତି । ସେମାନେ କର୍ମକୁ କଷଣ ପରି ସହନ୍ତି; ବାଧ୍ୟ ହୋଇ କର୍ମ କରନ୍ତି, ବଳଦଙ୍କ ପରି ବୋଝ ବୁହନ୍ତି । ସେମାନଙ୍କର ଭକ୍ତିଗୁଡ଼ାକ ଅଧିକାଂଶ ସମୟରେ ଏକ ପ୍ରଦର୍ଶନ ଓ ଅତିପ୍ରଦର୍ଶନର ସୀମାକୁ ଯାଇ ସ୍ପର୍ଶ କରିବାରେ ଭାରି ସରାଗ ଦେଖାଇବାରେ ଲାଗିଥାଏ । ଯଥାର୍ଥ ଜ୍ଞାନ, ଯଥାର୍ଥ କର୍ମ ଓ ଯଥାର୍ଥ ଭକ୍ତି ଆପଣାର ଅଭିବ୍ୟକ୍ତିକ୍ରମରେହିଁ ଗୋଟିଏ ଗୋଟିଏ ଅନୁରାଗୀ ସୋପାନପରି କାର୍ଯ୍ୟ କରିଥାନ୍ତି । ତେଣୁ ଯଥାର୍ଥ ଜ୍ଞାନ, ଯଥାର୍ଥ କର୍ମ ଓ ଯଥାର୍ଥ ଭକ୍ତି ଆମକୁ ଏପରି ହାଲୁକା କରିଦେଇ ପାରନ୍ତି, ଆମକୁ ସତେଅବା କେଉଁ ଇପ୍‌ସିତର ନିକଟ କରାଇ ଆଣନ୍ତି । ମଣିଷ ନିଜକୁ ଅଧିକରୁ ଅଧିକ ସାର୍ଥକ ଭାବରେ ବ୍ୟକ୍ତ କରି ଆଣିବାକୁ ସମର୍ଥ ହୁଏ, ଅଧିକରୁ ଅଧିକ ଯଥାର୍ଥ ଭାବରେ ବ୍ୟକ୍ତ କରିବାକୁ ପ୍ରସ୍ତୁତ ଓ ସମ୍ମତ ହୋଇ ମଣିଷ କବି ହୁଏ, ସାହିତ୍ୟର ସୀମାକୁ ସ୍ପର୍ଶକରେ, କବି ଜଗତକୁ ସୁନ୍ଦର ବୋଲି ଦେଖେ । ସିଏ ଖୁସୀ ହୋଇ ଆପଣାକୁ ଦିଏ, ଖୁସୀ ହୋଇ ଆପଣା ଭିତରକୁ ଅଧିକରୁ ଅଧିକ ଜୀବନରାଗକୁ ଆମନ୍ତ୍ରଣ କରି ଆଣିବା ସକାଶେ ମନ ବି କରେ ।

 

ତେଣୁ ସାହିତ୍ୟ ଏକ ଧନ୍ଦା ନୁହେଁ, ସାହିତ୍ୟ ହେଉଛି ଏକ ନେତ୍ର । ଏହି ନେତ୍ରକୁ ପରଖି ହିଁ ଆମେ ଜଣକର ସାହିତ୍ୟକୁ ପରୀକ୍ଷା କରିବା, ସେହି ନେତ୍ରକୁ ପରଖି ଜଣେ ସାହିତ୍ୟପାଠକର ସାହିତ୍ୟାନୁରାଗକୁ ମଧ୍ୟ ପରୀକ୍ଷା କରିବାକୁ ମନ କରିବା । ସାହିତ୍ୟ ଭିତରେ ଏକ ଉତ୍ତେଜିତ ବା ଅତ୍ୟୁତ୍ସାହୀ ଜାତୀୟତାବାଦ ଆସି ପ୍ରବେଶ କରିବା ପରେ କେତେ ବ୍ୟକ୍ତି ଅମୁକ ସାହିତ୍ୟକୁ ମୋ’ ସାହିତ୍ୟ ବୋଲି କହିଲେ, ମୋ’ ସାହିତ୍ୟକୁହିଁ ସବୁଠାରୁ ବଡ଼ ବୋଲି କହିବାକୁ ଧର୍ମପ୍ରାୟ ବି ମାନିଲେ । ସେମାନେ ସାହିତ୍ୟରୁ ଭ୍ରଷ୍ଟ ହେଲେ, ସାହିତ୍ୟକୁ ଭ୍ରଷ୍ଟ କଲେ । ସାହିତ୍ୟକୁ ଏକ ସମ୍ପତ୍ତି ପରି ଦେଖିବାର ମନ୍ଦ ଅଭିପ୍ରାୟଟିକୁ ଏକ ଔଚିତ୍ୟ ଆଣି ଦେବାରେ ସେମାନେ ଭାରି ସହାୟତା କଲେ । ସାହିତ୍ୟ ପଛକୁ ହଟି ରହିଗଲା, ଅହଙ୍କାରଗୁଡ଼ାକ ପ୍ରାୟ ଏକ କାମୁକତା ସହିତ ଆଗୁଆ ହୋଇ ନିଜକୁ ମୋଟା କରି ଦେଖାଇବାକୁ ବି ଲାଗିଲେ । ସାହିତ୍ୟ ସମଞ୍ଜସତାର ପ୍ରତୀକ ନ ହୋଇ ନାନା ଅସୂୟାର କାରଣ ହେଲା, ନାନା କ୍ଷୁଦ୍ରତା ଲାଗି ଉପାଦାନମାନ ଆଣି ଯୋଗାଇ ଦେଲା । ଅଳ୍ପତାଗୁଡ଼ାକର ସ୍ତୁତି ହେବାକୁ ଲାଗିଲା । ଏବଂ ସେହି ସ୍ତୁତିଗୁଡ଼ାକ ସଫଳତାର ଏକ ଅପପ୍ରତ୍ୟୟ ଆଣିଦେବାରେ ଭାରି ସାହାଯ୍ୟ କଲେ ।

 

ଯେଉଁ ନେତ୍ର ଯେତିକି ସମଗ୍ର ଭାବରେ ଦେଖିପାରେ, ତାହା ସେତିକି ଯଥାର୍ଥ ଭାବରେ ଦେଖିବାକୁ ବି ସମର୍ଥ ହୁଏ । ସେହି ସମଗ୍ରତାରୁ ଶ୍ରଦ୍ଧାର ଜନ୍ମ ହୁଏ, ଏବଂ ଶ୍ରଦ୍ଧାହିଁ ଆତ୍ମୀୟତା ଲାଗି ବାଟ କଢ଼ାଇନିଏ । ସମଗ୍ର ଭାବରେ ଦେଖିବା ଅର୍ଥାତ୍ ଆପଣାର ଅଭ୍ୟସ୍ତ ଗାର ବା ଗୁଳାଗୁଡ଼ିକୁ ଡେଇଁ ଯାଇ ଦେଖିବା, ସତତ ଅଧିକରୁ ଅଧିକ ଦେଖିବାକୁ ମନ କରିବା । ଆପଣାର ପରିଧିଗୁଡ଼ିକୁ ଡେଇଁ ଆହୁରି ଅଧିକକୁ ଛୁଇଁବାଲାଗି ମନ କରିବା । ଜାତିର ସୀମାଗୁଡ଼ାକୁ ଡେଇଁଯିବା ଲାଗିହିଁ ଆମେ ନିଜ ଦେଶକୁ ନିଜର ଦେଶ ବୋଲି ଗ୍ରହଣ କରିବା । ନିଜ ଭାଷାର ସୀମାଗୁଡ଼ାକୁ ଡେଇଁଯିବା ଲାଗିହିଁ ଆମେ ନିଜର ଭାଷାଟିକୁ ନିଜର ବୋଲି ଜାଣିବା, ତାକୁ ନିଜର ବୋଲି ଜାଣି ଭଲ ବି ପାଇବା । ଅସଲ ସାହିତ୍ୟ ତାହାହିଁ କରାଇବ । ସାହିତ୍ୟ ବାଡ଼ ଉଠାଇବ, ବାଡ଼କୁ ଭଙ୍ଗିବ; ସଂସ୍କାରଗତ ସଂଜ୍ଞାଗୁଡ଼ାକୁ ବଦଳାଇବ, ଆମ ଶ୍ରଦ୍ଧାଗୁଡ଼ାକ ଲାଗି ନୂଆ ନୂଆ ଡେଣା ଆଣିଦେବ । ଗୋଟାଏ ଦେଶର, ଗୋଟାଏ ଜାତିର ଅଥବା ଗୋଟାଏ ଭାଷାର ସାହିତ୍ୟ ହୋଇ ମଧ୍ୟ ତାହା ଜୀବନର ବିଶ୍ଵବଳୟଗୁଡ଼ିକୁ ସ୍ପର୍ଶ କରି ପାରିବାର ସ୍ପର୍ଦ୍ଧା ରଖିଥିବ । ଏବଂ, ସେହିଭଳି ଏକ ସାହିତ୍ୟ ଦ୍ଵାରାହିଁ ଆମ ସମେତ ଆମ ଦେଶ, ଆମ ଜାତି ଓ ଆମ ଭାଷା ଧନ୍ୟ ହେବ । ମାତ୍ର, ଅନ୍ୟ ପକ୍ଷରେ, ଯଦି ଆମର ସାହିତ୍ୟ ଆମକୁ, ଆମର ଶ୍ରଦ୍ଧାକୁ ଏବଂ ଅଭିବ୍ୟକ୍ତି ଲାଗି ରହିଥିବା ଆମର ଅନୁରାଗକୁ ନାନା ପ୍ରମତ୍ତତାର ଗମ୍ଭୀର ଭିତରେ ନେଇ ପକାଇ ରଖିଥିବ, ତେବେ ତାହା ଆମ ଜୀବନରେ ସତେଅବା ଗୋଟାଏ ଅଫିମ ପରି କାର୍ଯ୍ୟ କରିଥିବ । ଆମ ଚେତନାର ଯାବତୀୟ ଉନ୍ମୋଚନକୁ ତାହା ବାଟ ଓଗାଳି ରଖିଥିବ ।

 

ସାହିତ୍ୟର ସେହି ଉନ୍ମୋଚନକାରିଣୀ ଶକ୍ତି ହେଉଛି ତାହାର ଶୁଭଶକ୍ତି । ମୋ’ ସାହିତ୍ୟ ମୋର ତଥା ଅନ୍ୟ ସମସ୍ତଙ୍କର ଉନ୍ମୋଚନରେ ଯେତିକି ସାହାଯ୍ୟ କରିପାରିବ, ତାହାକୁ ପ୍ରକୃତରେ ସେତିକି ଶୁଭର ସମର୍ଥ ବୋଲି କୁହାଯାଇ ପାରିବ । ଅସଲ ଉନ୍ମୋଚନ ମଣିଷର ହୃଦୟ ଭିତରେ ହୁଏ–ହୃଦୟ ଭିତରେ ରହିଥିବା ନେତ୍ରଗୁଡ଼ିକରେହିଁ ହୋଇଥାଏ । ଅସଲ ସାଧୁତାଟି ଲେଖକର ହୃଦୟ ଭିତରେ ରହିଥିବା ଦରକାର । ଆଧୁନିକ ସାହିତ୍ୟରେ ଯେଉଁମାନେ ଟେକ୍‌ନିକ୍‌ଟାକୁ ଅର୍ଥାତ୍ କହିବାର ଚାତୁରୀଟାକୁହିଁ ସାହିତ୍ୟିକତାର ପ୍ରାୟ ସବୁକଥା ବୋଲି କହିବାକୁ ଅଝଟ ଧରି ବସିଥାନ୍ତି, ସେମାନେ ହୃଦୟ ଭିତରେ ଯେତେ ଅସାଧୁ ହୋଇଥିଲେ ମଧ୍ୟ ସମ୍ଭବତଃ ଟେକ୍‌ନିକ୍‌ର କ୍ଷେତ୍ରରେ ଯେ ଅତ୍ୟନ୍ତ ନିଖୁଣ ଓ ନିପୁଣ ଭାବରେ ସାଧୁ ହୋଇ ପାରନ୍ତି, ସେଭଳି ଘଟିବା ମୋଟେ ଏକ ବିଚିତ୍ର କଥା ନୁହେଁ । ବିଜ୍ଞାନର ଘୋର କର୍ଷଣ କରିବାରେ ଲାଗିଥିବା ବୈଜ୍ଞାନିକ ଆପଣାର ମର୍ମସ୍ଥ ଦୃଷ୍ଟିଗୁଡ଼ିକର କ୍ଷେତ୍ରରେ ହୁଏତ ଯେପରି ଭାରି ଅବୈଜ୍ଞାନିକ ଓ ଭାରି ବର୍ବର ହୋଇ ରହିପାରେ, ଏହା ଠିକ୍ ସେହିପରି କଥା । ତେଣୁ ଜଣେ ସାହିତ୍ୟିକର ସାହିତ୍ୟ ତା’ର ଜୀବନ ଭିତରକୁ ଅତ୍ୟନ୍ତ ସ୍ଵାଭାବିକ ଭେଦିକରି ରହିଥିବା ଉଚିତ । ସାହିତ୍ୟିକର ଜୀବନ ଓ ସାହିତ୍ୟିକର ସାହିତ୍ୟ ଭିତରେ ଆଦୌ କୌଣସି ପାର୍ଥକ୍ୟ ରହିଥିବା ଉଚିତ ନୁହେଁ । ଆମେ ଏହାକୁହିଁ ସାହିତ୍ୟିକ ସାଧୁତା ବୋଲି କହିବା । ଏହି ସାଧୁତାଟି ରହିଥିଲେ ଆବଶ୍ୟକ ଟେକନିକଟି ବଳେବଳେ ମିଳିଯିବ । ସାହିତ୍ୟର ମାଧ୍ୟମରେ ସାହିତ୍ୟକର ଅସଲ ବ୍ୟାକୁଳତାଟି ସହିତ ଆତ୍ମୀୟତା ଅର୍ଜନ କରିବା ସମ୍ଭବ ହେବ । ଏବଂ ତାହାରି ଫଳରେହିଁ ଶୁଭର ବୃଦ୍ଧି ହେବ । କୃତ୍ରିମତାଗୁଡ଼ାକ ଲଜ୍ଜିତ ହୋଇ ରହିବେ । ସଂସାରରେ ଭଲ ଉପରେ ବିଶ୍ଵାସ ବଢ଼ିବ, ସୌନ୍ଦର୍ଯ୍ୟ କହିଲେ ପାରସ୍ପରିକ ସମ୍ବନ୍ଧର ଏକ ସ୍ଵାଭାବିକତା ଏବଂ ସହଜତାକୁହିଁ ବୁଝାଇବ । ବର୍ବରତାଗୁଡ଼ାକ ବିରୁଦ୍ଧରେ ଅସଲ ଯୁଦ୍ଧ ସେତିକିବେଳେ ଆରମ୍ଭ ହେବ । ସଭ୍ୟତା ସଂସ୍କୃତି ଲାଗି ପ୍ରେରକ ହୋଇ ରହିବ । ମଣିଷର ଉତ୍ତରଣରେ ସାହିତ୍ୟ ମଧ୍ୟ ଗୋଟିଏ ନିମିତ୍ତରୂପେ କାର୍ଯ୍ୟ କରିପାରିବ ।

 

ତେଣୁ, ନିଷ୍କର୍ଷ ହେଉଛି, ଯେକୌଣସି କଳାତ୍ମକ ଏବଂ ଅନ୍ତର୍ଗତ ବାସନା ପରି ସାହିତ୍ୟ ହେଉଛି ଆପଣାକୁ ବ୍ୟକ୍ତ କରିପାରିବାର ଏକ ବାସନା । ଆପଣାକୁ ବ୍ୟକ୍ତ କରିବାର ଏକ ବାସନା ଅର୍ଥାତ୍ ଆପଣାକୁ ଦେଇ ପାରିବାର ଏକ ବାସନା । ତେଣୁ, ଜଣେ ସାହିତ୍ୟିକ ଯେତେ ବେଶୀ ନେବାକୁ ଓ ପାଇବାକୁ ମନ ନ କରିବ, ତା’ ଠାରୁ ଅନେକ ଅଧିକ ଗୁଣରେ ସିଏ ଦେବ, ଦେବାଲାଗି ସମ୍ମତ ଓ ପ୍ରସ୍ତୁତ ହୋଇ ରହିବ । ସେହି ଦେବା ଦ୍ଵାରାହିଁ ସିଏ ଧନୀ ହେବ, କୃତାର୍ଥ ହେବ । ଏହି ଜୀବନମେଳ ଭିତରେ ରହି ସିଏ ନିଜର ବୋଲି ଯାହାକିଛି ସଂଗ୍ରହ କରିବ, ତାହାକୁ ସିଏ ସୁନ୍ଦର କରି ପୁଣି ସମସ୍ତଙ୍କ ଲାଗି ଓ ସେଥିରେ ନିଜ ହୃଦୟର ଛାପଟିକୁ ଦେଇ ବାଢ଼ିଦେବ । ଯାହା କେବଳ ନିଜକୁ ଭଲ ଲାଗେ, କେବଳ ନିଜକୁ ନିଶା ଖୁଆଇ ରଖିବାରେ ସାହାଯ୍ୟ କରୁଥାଏ, ନିଜକୁ ପ୍ରଦର୍ଶିତ କରିବାରେ ସରାଗ ପାଏ, ତାହା ପ୍ରକୃତରେ ସୁନ୍ଦର ନୁହେଁ । ଯାହା ରହିଥିଲେ ବା ଯେଉଁଟିକୁ ବାଢ଼ିଦେଇ ପାରିଲେ ସମସ୍ତଙ୍କ ପାଖରେ ଅତି ଆପଣାର ହୋଇ ବସିହୁଏ, ସମସ୍ତଙ୍କୁ ଅତ୍ୟନ୍ତ ଆପଣାର ପରି ପରଶିଯାଇ ହୁଏ, ତାହାହିଁ ଯଥାର୍ଥରେ ସୁନ୍ଦର । ଯାହା ଯେତିକି ଦେଖୁଥାଏ, ତା’ ଭିତରେ ତା’ ଠାରୁ ଅନେକ ଅଧିକ ଅନୁଭବ କରି ପାରୁଥାଏ, ଯାହା ପ୍ରତ୍ୟକ୍ଷ ଭିତରେ ପ୍ରଚ୍ଛନ୍ନଟିକୁ ଅନୁଭବ କରୁଥାଏ, ବର୍ତ୍ତମାନର ଖୋଳଟା ଭିତରେ ଭବିଷ୍ୟତର ଗଠନଶୀଳ ମର୍ମଟିକୁ ଆଘ୍ରାଣ କରି ନେଇପାରେ, ତାହାହିଁ ଆପଣାକୁ ରସୋର୍ତ୍ତୀର୍ଣ୍ଣ କରି ପ୍ରତିଷ୍ଠିତ କରେ, ରଚୟିତାର ତପସ୍ୟାକୁ ସଫଳ କରେ,–ସାହିତ୍ୟିକ ମଧ୍ୟରେ ରହିଥିବା ସ୍ରଷ୍ଟାକୁ ତାହା ଜନନୀର ଅଧିକାର ଦେଇଯାଏ ।

 

ଅସଲ ସାହିତ୍ୟ କେବଳ ଅତୀତ, କେବଳ ବର୍ତ୍ତମାନ ଅଥବା କେବଳ ଭବିଷ୍ୟତକୁ କଦାପି ଦେଖେନାହିଁ । ସିଏ ତିନିଟିଯାକକୁ ଏକାଠି ଏଇଠି ଠୁଳ କରି ଦେଖେ । ଏକ ଦୁର୍ବାର ସ୍ଵପ୍ନ ଦେଇ ତାହାକୁ ଦେଖେ । ତେଣୁ ଶ୍ରଦ୍ଧା ଦେଇ ଦେଖିବା ସମ୍ଭବ ହୁଏ । ସମସ୍ତଙ୍କର ଆଖିକୁ ଯାହା ସାନ ଓ ତୁଚ୍ଛ ବୋଲି ଦିଶୁଥାଏ, ସାହିତ୍ୟର ଚକ୍ଷୁ ସେଇଟିକୁ ମଧ୍ୟ ମହାନ୍ କରି ଦେଖିପାରେ । ତେଣୁ ସାହିତ୍ୟ ଜୀବନକୁ କଦାପି ତଳେ ପକାଇ ଦିଏନାହିଁ, ସିଏ ମଣିଷକୁ ଅବଜ୍ଞା କରି କଦାପି ପଳାଇ ଯାଏନାହିଁ । ଅଧିକରୁ ଅଧିକ ବାନ୍ଧିହୋଇ ରହିବାରେହିଁ ସିଏ ଅସଲ ମୋକ୍ଷଟିକୁ ଲାଭ କରେ । ସମ୍ଭବତଃ ସେଇଥିଲାଗି ଜଣେ ସାହିତ୍ୟିକକୁ ସାଧାରଣ ମଣିଷଙ୍କ ତୁଳନାରେ ଅଧିକ ଅସନ୍ତୋଷ ସହିତ ଜୀବନ ବଞ୍ଚିବାକୁ ହୁଏ; ସେହି ଅସନ୍ତୋଷଟି ସତେଅବା ଏକ ଈଶ୍ଵରୀୟ ଅସନ୍ତୋଷ ପରି ଅଦ୍ୟମ ଏବଂ ଅନମ୍ୟ ହୋଇ ରହିଥିଲେ ଯାଇ ସାହିତ୍ୟିକ ଆପଣାର ମାର୍ଗରେ ସୋପାନକୁ ସୋପାନ ଉଠି ଯାଉଥିବା ପରି ଅନୁଭବ କରୁଥାଏ । ସାହିତ୍ୟିକ ନିଜ ଇଚ୍ଛାରେହିଁ ସଂସାରର ଅନେକ ଯନ୍ତ୍ରଣାକୁ ବହନ କରେ । ତଥାପି କୌଣସି ଅଭିଯୋଗ କରେନାହିଁ ଅଥବା ଅସାହିତ୍ୟିକ ଅଧିକ ସୁଖୀମାନଙ୍କ ସହିତ ଆପଣାର କେବେ ତୁଳନା କରିବାକୁ ଯାଏନାହିଁ । ଅନ୍ୟମାନଙ୍କ ପରି ହେବାକୁ କିମ୍ବା ଦିଶିବାକୁ ଚେଷ୍ଟା କରିବା ମାତ୍ରକେ ତା’ ଭିତରେ କେଉଁଠି ନା କେଉଁଠି କ’ଣ ଗୋଟାଏ ଭାରି ଖଣ୍ଡିଆ ହୋଇଯାଏ, ସତେଅବା ତା’ର ଇଜ୍ଜତ ଚାଲିଯାଏ । ବାହାରକୁ ଅତିଖୁସୀ ନିରୀହ ସେଠଟିଏ ପରି ଦେଖାଯାଉଥିଲେ ହେଁ ସିଏ ଆପଣା ପାଖରେ ସତେଅବା ଭାରି ଅସମ୍ମାନକର ହୋଇ ପଡ଼ିଥାଏ । ହୁଏତ ସେଇଠି କୌଣସି କ୍ଷତର ପରିପୂରଣ କରିବାର ଲୋଭରେ ସିଏ ବାହାରେ କେତେ ଉଗ୍ର ହୁଏ, କେତେ ପ୍ରକାରରେ ଯଶଃକାମୀ ବା ଅନ୍ୟକାମୀ ବି ହୁଏ । ତଥାପି ନିଜ ଘରର କଳହଟିକୁ ସିଏ ଆଦୌ ସମାଧାନ କରି ପାରେନାହିଁ । ଆପଣା ଘରକୁ ସିଏ ମୋଟେ ବାଟ ପାଏନାହିଁ । ତା’ର ସବୁ ଚୟନ ମୁଖ୍ୟତଃ ଏକ ଅଚୟନରେ ପରିଣତ ହୁଏ । ସିଏ ବୈରାଗୀ ହୋଇ ରହିଯାଏ ।

 

ଚୟନିକା–୧, ଭୁବନେଶ୍ଵର, ୧୯୮୨

Image

 

ଜୀବନ ଥିବ, ସାହିତ୍ୟ ବି ଥିବ

 

ଜୀବନ ଥିବ, ସାହିତ୍ୟ ବି ଥିବ । ଜୀବନ ଲାଗି ସାହିତ୍ୟ ଥିବ । ସାହିତ୍ୟ ଜୀବନର ପରିଚର୍ଯ୍ୟା କରୁଥିବ । ତେବେଯାଇ ସାହିତ୍ୟ ସାହିତ୍ୟ ଭଳି ଲାଗିବ । ଆଉ ସଉକିନୀ ପରି ଲାଗିବ ନାହିଁ ।

 

ବର୍ତ୍ତମାନ ଆମ ସାହିତ୍ୟ ଅଧିକାଂଶତଃ ଏକ ସଉକିନୀ ପରିହିଁ ଲାଗୁଛି । ଆମ ଅନେକଙ୍କ ସକାଶେ ପ୍ରାୟ ଏକ ଅଫିମ ହୋଇ ରହିଛି । ଅଫିମ ମଣିଷକୁ ଶୁଆଇ ପକାଏ । ମଣିଷ ଭିତରେ ଯେଉଁଠି ପୁରୁଷଟିଏ ଅପେକ୍ଷା କରି ରହିଥାଏ, ଅଫିମ ସେଇଠି ତାହାକୁ ଶୁଆଇ ପକାଏ । ସଉକିନୀ ଗର୍ବ ବଢ଼ାଏ, ଭିତରଟାକୁ ପୋଲା କରିଦିଏ । ଭିତରଟା ପୋଲା ହେବାକୁ ଆରମ୍ଭ କଲେ ମଣିଷ ବାହାରେ ଆପଣା ଉପରେ କେତେ ନା କେତେ ପ୍ରକାରର ଅଠା ଲଗାଇ ରଙ୍ଗପର ଗୁଡ଼ାକୁ ଖଞ୍ଜିଦେବାରେ ଲାଗିଥାଏ । ଆମର ସାହିତ୍ୟ ଆମଲାଗି ଅନେକ ସମୟରେ ହୁଏତ ସେହିପରି ଅଠାଭଳି କାର୍ଯ୍ୟ କରେ, ରଙ୍ଗ ପରଗୁଡ଼ାକୁ ଦିହଉପରେ ଛାଆଣି କରି ଦେଇ ଆମକୁ କେଡ଼େ ସୁନ୍ଦର କରି ଦେଖାଏ । ଆମ ବନ୍ଧ୍ୟା ଜୀବନରେ ସନ୍ତାନସମ୍ଭବ ହେଲାପରି ବୋଧ ହୁଏ ।

 

ତେଣୁ ଜୀବନ ଥିବ, ସାହିତ୍ୟ ବି ଥିବ । ସାହିତ୍ୟ ଅଧିକରୁ ଅଧିକ ଜୀବନ ଲାଗି ବାଟ କଢ଼ାଇ ଦେଉଥିବ । ବାହାରେ ଆଉ ଭିତରେ ଅଧିକରୁ ଅଧିକ ଲାଗି ବାଟ କଢ଼ାଇ ପାରୁଥିବ, ପ୍ରେରଣା ଦେଉଥିବ ଏବଂ ଯୋଗ୍ୟ କରି ପାରୁଥିବ । ପୁରୁଣା ସାହିତ୍ୟ ସଂସାରରେ ସେହି ପୁରୁଣା ଜୀବନ ଗୁଡ଼ାକର ହିଁ ପରିଚର୍ଯ୍ୟା କରି ଆସୁଥିଲା । ପୁରୁଣା ସମାଜରେ ଅଳପ କେତେ ଜଣଙ୍କରହିଁ ଜୀବନ ଉପରେ ଦାବୀ ଥିଲା । ସେମାନେ ଅଲିଅଳ ହୋଇ ବଢ଼ୁଥିଲେ । ଅନେକଙ୍କର ପିଠିରେ ସବାର ହୋଇ ଅଳପଙ୍କର ଜୀବନ ନାନାମନ୍ତେ ପାରିଧି କରି ବାହାରିଥିଲା । ପାରିଧିକୁ ହିଁ ଭାଗ୍ୟ ବୋଲି ମାନି ନିଆ ଯାଉଥିଲା । ସାମନ୍ତମାନେ ପାରିଧି କରୁଥିଲେ । ସାହିତ୍ୟ ସାମନ୍ତମାନଙ୍କର ପରିଚର୍ଯ୍ୟା କରୁଥିଲା । ସାମନ୍ତମାନଙ୍କୁ ପୁଲକ ଦେଉଥିଲା ଏବଂ ପୁଲକ ଦେବାକୁ ହିଁ ସାହିତ୍ୟର ଅସଲ ଉଦ୍ଦେଶ୍ୟ ବୋଲି କୁହାଯାଉଥିଲା । ରସାଧିକାରୀମାନେ ରସକୁହିଁ ସାହିତ୍ୟ ସଂଗ୍ରନ୍ଥନ ଏବଂ ସାହିତ୍ୟ–ବିତରଣର ଅସଲ ତାତ୍ପର୍ଯ୍ୟ ବୋଲି କହୁଥିଲେ । ସେହି ରସକୁ ସେମାନେ ଏଭଳି ଉତ୍‌ଆସୀନ ଭାବରେ ପାନ କରୁଥିଲେ ଯେ ସଭାର ବାହାରେ ଜୀବନର ଯାବତୀୟ ବୃତ୍ତର ବାହାରେ ବହୁସଂଖ୍ୟକ ମଣିଷ ଆଲୋଡ଼ା ହୋଇ ରହିଗଲେ ବୋଲି ଭାବିବାକୁ ମଧ୍ୟ ରସାମୋଦୀମାନଙ୍କର ଆଉ କୌଣସି ବେଳ ରହୁ ନଥିଲା ।

 

ଆଧୁନିକ ସାହିତ୍ୟ ଅଧିକରୁ ଅଧିକ ଲୋଡ଼ିବ । ଅଧିକ ଜୀବନକୁ ଲୋଡ଼ିବ, ଅଧିକରୁ ଅଧିକ ମଣିଷଙ୍କୁ ମଧ୍ୟ ଲୋଡ଼ିବ । ପୁରୁଣା ସାହିତ୍ୟ ପଳାଇ ଯିବାଲାଗି କେତେ ନା କେତେ ପ୍ରବର୍ତ୍ତନା ଦେଉଥିଲା । ମଣିଷକୁ ମଣିଷଠାରୁ ପଳାଇ ଯିବାକୁ ଫୁସୁଲାଇବାରେ ଲାଗିଥିଲା । ଆଉ କିଏ ଜାତି ନାଁ’ରେ ଦେଶ ନାଁରେ ମଣିଷଠାରୁ ହୁଡ଼ି ପଳାଇବାର ଫିକର ଆଣି ଲଗାଇ ଦେଉଥିଲା । କାଳେ କାଳେ ଅନେକ ମଣିଷ ଭଗବାନଙ୍କୁ ଏକାନ୍ତ ଓ ଏକାକୀ କରି ପାଇବେ ବୋଲି ଯେପରି ସଂସାର ଛାଡ଼ି ପଳାଉଥିଲେ, ପ୍ରାୟ ଠିକ୍ ସେହିପରି । ଭଗବାନ୍ ସଂସାରର ବାହାରେ ନାହାନ୍ତି । ସିଏ ଏଇଠି ଅଛନ୍ତି । ତାହାଙ୍କୁ ପାଇବାକୁ ହୁଏ । ଆପଣା ସଖ୍ୟ ଓ ସହାନୁଭବର ବ୍ୟାସମାନ ବଢ଼ାଇ ତାହାଙ୍କୁ ଯେ ପ୍ରତ୍ୟେକ ମୁହୂର୍ତ୍ତ ଭିତରେ ତଥାପି ମୁହୂର୍ତ୍ତାତୀତ ରୂପେ ଅନୁଭବ କରିବାକୁ ହୁଏ, ତାହା ହେଉଛି ଆଧୁନିକ ଚେତନାର ଆହ୍ଵାନ । ଏହି ଆଧୁନିକ ଚେତନା ଆମ ସାହିତ୍ୟାକାଂକ୍ଷା ଭିତରକୁ ମଧ୍ୟ ଯେତେବେଳେ ସଂକ୍ରାମିତ ହୋଇଆସେ, ସେତେବେଳେ ସାହିତ୍ୟ ଜୀବନଠାରୁ ଅଲଗା ହୋଇ ରହିଥିବା ତଥା ଆମକୁ ଜୀବନ ଭିତରୁ ପଳାଇ ତଥାକଥିତ ଏକ ପୁଲକ ଭିତରେ ଆପଣାକୁ ପାସୋରି ରହିବାର ଏକ ଫିକର ପରି ଆଦୌ ଦେଖା ଯାଏନାହିଁ । ଅସଲ ପୁଲକକୁ ଭୋଗ କରାଯାଏ ନାହିଁ, ଠିକ୍ ଯେପରି ଅସଲ ଆନନ୍ଦକୁ ମଧ୍ୟ ଭୋଗ କରାଯାଏ ନାହିଁ । ଅସଲ ପୁଲକ ଗୋଟିଏ ଗଛରୁ ମହକ ପରି ଛୁଟିଯାଇ ତୋଟା ଗୋଟାକ ମହାକାଇ ଦେବାର ଶ୍ରଦ୍ଧା ରଖିଥାଏ । ଅସଲ ଆନନ୍ଦ ସେହିପରି ଆମକୁ ଅଧିକ ପ୍ରସାରର ସାହସ ଆଣି ଦେଇଯାଏ । ଅସଲ ପୁଲକ ଗଣ୍ଠି ଖୋଲିଦିଏ, କୃପଣତା ଭିତରୁ ମୁକ୍ତି ଦିଏ । ଯେଉଁ ସାହିତ୍ୟ ଗଣ୍ଠିଗୁଡ଼ାକୁ ପକାଇବାରେ ସାହାଯ୍ୟ କରେ, ତାହା ଆମକୁ ଜୀବନରେ କୃପଣ ହୋବାର ପ୍ରରୋଚନା ଦିଏ ।

 

ତେଣୁ ଜୀବନ ଥିବ, ସାହିତ୍ୟ ବି ଥିବ । ଆମର ସାହିତ୍ୟ ଆମକୁ ଆମ ଚତୁର୍ଦ୍ଦିଗର ଜୀବନ ସହିତ ଅଧିକରୁ ଅଧିକ ସଂଯୁକ୍ତ କରି ରଖିବା ଲାଗି ମନକରୁଥିବା ସଭାର ସାହିତ୍ୟ ତାହା କରି ପାରୁ ନଥିଲା, ଆଧୁନିକ ସାହିତ୍ୟ ତାହାହିଁ କରିବ । ଆମେ ଯେଉଁମାନେ ଆଧୁନିକ ଯୁଗରେ ଜୀବନଗୁଡ଼ାକୁ ଏକା ଭୋଗିବୁ ବୋଲି ସବାଆଗ ସଭାକୁ ଲୋଡ଼ୁଛୁ, ସେମାନଙ୍କର ସାହିତ୍ୟ ବଜାରରୁ ଯେତେ ଆଧୁନିକ ରଙ୍ଗପରଗୁଡ଼ାକୁ ଦିହରେ ଆଣି ଖଞ୍ଜି ରଖିବାକୁ ଚେଷ୍ଟା କଲେ ମଧ୍ୟ ତଥାପି ସେହି ସଭାଗୁଡ଼ାକର ରୋଗରେ ରୁଗ୍‌ଣ ହୋଇ ରହିଥିବ । ଏବଂ ସେହି ରୁଗ୍‌ଣତା ଆମର ସାମୁଦାୟିକ ଜୀବନକୁ ଭାରି ଶୋଚନୀୟ ଭାବରେ ଅଲକ୍ଷଣା କରି ରଖିଥିବ । ଆମକୁ ଆମ ଅସଲ କେନ୍ଦ୍ର ଗୁଡ଼ିକରୁ ବିଚ୍ୟୁତ କରି କେତେ ପ୍ରକାରେ ପ୍ରମତ୍ତ କରୁଥିବ, ଆମକୁ କେତେ ମିଛ ଅଭିନୟରେ ବାହାର କରାଇବାରେ ଲାଗିଥିବ, ଆମ ମୁହଁଗୁଡ଼ାକୁ ମୁଖାଦ୍ଵାରା ଘୋଡ଼ାଇ ରଖିଥିବ ଓ ଜୀବନ ବିଷୟରେ ଆମର ବୋଧଗୁଡ଼ାକୁ ସତେଅବା ଗୋଟାଏ ଗୋଟାଏ ସୁଆଙ୍ଗରେ ପରିଣତ କରି ରଖିଥିବ । ସୁଆଙ୍ଗକୁ ସୁଆଙ୍ଗ ବୋଲି ଜାଣିଥିଲେ ମଧ୍ୟ ଆମେ ତଥାପି କିଛି କରି ପାରୁନଥିବା-। ଶରଗୁଡ଼ାକ ରହିଥିଲେ ମଧ୍ୟ ସେହି ଶରଗୁଡ଼ାକୁ ବ୍ୟବହାର କରିବା ପରିବର୍ତ୍ତେ ଆମେ ଶରଶଯ୍ୟା ଲାଗି ସତେ ଅବା ଅଧିକ ପ୍ରୀତି ରଖିଥିବା ।

 

ଆମ ଜୀବନ କେବଳ ଆମକୁ ନେଇ ନୁହଁ, ଏ ଜୀବନ ସମସ୍ତଙ୍କୁ ନେଇ । ଆମେ ଅଛୁ, କାରଣ ଆମେ ଏକ ସମଗ୍ର ଭିତରେ ରହିଛୁ । ଆମର ଡାଳପତ୍ର ଗୁଡ଼ାକ ଆମ ପ୍ରମତ୍ତ କଳ୍ପନା ଗୁଡ଼ାକର କେତେ ବ୍ୟକ୍ତିଗତ ଆକାଶରେ ଗହଳ କରି ରହିଥିଲେ ମଧ୍ୟ ଆମର ଯାବତୀୟ ଚେର ଏହି ସମଗ୍ର ଭିତରେ ରହିଛି । ଆମ ସାହିତ୍ୟ ମଧ୍ୟ ସେହି ସମଗ୍ରଟିକୁ ଆପଣାର ଅସଲ ଚେର ବୋଲି ସ୍ଵୀକାର କରିନେବ । ଆମ ଆଧୁନିକ ଯୁଗରେ ଯେଉଁମାନେ ସଂସାରଟାକୁ ଏକୁଟିଆ ଭୋଗ କରିବାକୁ ଇଚ୍ଛା କରନ୍ତି, ସେମାନେ ସମଗ୍ର ଭିତରୁ ଖସି ପଳାନ୍ତି, ଅଲଗା ହୋଇ କୋଉଠି ମନ କୋଉଠି ଛକି ବସିଥାନ୍ତି ଓ ମଉକା ପାଇଲେ ସବୁ ମାଡ଼ି ବସିବାକୁ ବାହାରନ୍ତି । ସମସ୍ତଙ୍କ ସହିତ ମୋଟେ ଭାଗ ବସିବାକୁ ଇଚ୍ଛା କରନ୍ତି ନାହିଁ । ଏକ ଅନ୍ତର୍ଗତ ବିଶ୍ଵାସ ଯେ ସୂତ୍ରପରି ହୋଇ ସମସ୍ତଙ୍କର ଜୀବନକୁ ଗୋଟିଏ ସମଗ୍ରରେ ବାନ୍ଧି ରଖିଛି, ସେ କଥା ଏମାନେ ମୋଟେ ବିଶ୍ଵାସ କରି ପାରନ୍ତି ନାହିଁ । ଏମାନେ ଅବିଶ୍ଵାସକୁ ମୂଳ କରି କବିତା କରନ୍ତି, ସାହିତ୍ୟ କରନ୍ତି । ସାହିତ୍ୟକୁ ପ୍ରାୟ ଏକ ଚତୁର ଭୁରୁଡ଼ିରେ ପରିଣତ କରନ୍ତି । ଏମାନେ ଆପଣା କ୍ଷୁଦ୍ରତା ଗୁଡ଼ାକର ପ୍ରାସାଦ ଭିତରେ ବସି ଚାରିଆଡ଼େ ଖାଲି ପୋଲଗୁଡ଼ାକ ଭାଙ୍ଗି ପଡ଼ୁଥିଲା ପରି ପ୍ରତ୍ୟକ୍ଷ କରନ୍ତି, ନିର୍ଭର ଗୁଡ଼ାକ ଖାଲି ଜଳି ଯାଉଥିବା ପରି ପ୍ରତ୍ୟକ୍ଷ କରିଥାନ୍ତି ।

 

ଏମାନେ ଜୀବନକୁ ଚାହାନ୍ତି ନାହିଁ । ଜୀବନ ଉପରେ ବିଶ୍ଵାସ ରଖିବାକୁ ଭୟ କରନ୍ତି । ଜୀବନ ଉପରୁ ବିଶ୍ଵାସ ତୁଟିଯାଇ ଥିବାର ପ୍ରାୟ ଏକ କ୍ଷତିପୂରଣ ରୂପେ ଏମାନେ ସାହିତ୍ୟକୁ ଇଚ୍ଛା କରୁଥାନ୍ତି । ସାହିତ୍ୟକୁ ଜୀବନଠାରୁ ଅଲଗା ଆଉ ଗୋଟାଏ କୁଣ୍ଡ ବୋଲି ଗ୍ରହଣକରି ତାହାରି ଭିତରେ ଭଙ୍ଗାମନ ଆଉ ରଙ୍ଗାଆଖି ହୋଇ ରହିଥାନ୍ତି । ଅସଲ ସାହିତ୍ୟ ଜୀବନକୁ ଲୋଡ଼ିବ,–ସାହିତ୍ୟକୁ ଗୋଟାଏ ଭୋଗର ବେପାର ବୋଲି ଆଦୌ ଗ୍ରହଣ କରିବନାହିଁ । ସାହିତ୍ୟର ମାଧ୍ୟମରେ ପୃଥିବୀର ମଣିଷମାନେ ଯୁଗେ ଯୁଗେ ଜୀବନ ଭିତରେ ନୂଆ ନୂଆ ସମଗ୍ରର ସନ୍ଧାନ କରି ଆସିଛନ୍ତି । ସମ୍ଭବତଃ ଅଳପ ମଣିଷଙ୍କ ପାଇଁ ବିନୋଦନର ଏକ ସାମଗ୍ରୀ ରୂପେ ସଭ୍ୟ ମଣିଷ ସାହିତ୍ୟ ସହିତ ଆପଣାର ପରିଚୟ ଆରମ୍ଭ କରିଥିଲା । ସବୁ ମଣିଷଙ୍କର ସଖ୍ୟ ଏବଂ ସମ୍ମାନବୋଧକୁ ମୂଳକରି ଏକ ନୂତନ ପୃଥିବୀର ନିର୍ମାଣ କରିବା ଏବଂ ସେହି ନିର୍ମାଣ ସକାଶେ ଆମ ସମ୍ବନ୍ଧର ଅନ୍ତଃସୂତ୍ରଗୁଡ଼ିକୁ କ୍ରମଶଃ ଅନୁକୂଳ ଓ ସମ୍ମତ କରି ଆଣିବା, ଏବେ ଆମ ସାହିତ୍ୟ ସେହିପରି ଏକ ସଂଜ୍ଞା ପାଖରେ ଆସି ପହଞ୍ଚିଲାଣି ।

 

–ଗୋକର୍ଣ୍ଣିକା, ଏପ୍ରିଲ୍, ୧୯୮୩

Image

 

ସୌମ୍ୟ ଜୀବନ, ସୌମ୍ୟ ସାହିତ୍ୟ

 

ସୁନ୍ଦର ସାହିତ୍ୟ ଜୀବନକୁ ମଧ୍ୟ ସୁନ୍ଦର ହୋଇ ଗଢ଼ାହେବାରେ ସହାୟକ ହୁଏ ବୋଲି କାଳକାଳରୁ ଏକ ଅପବାଦ ରହି ଆସିଛି । ଜୀବନ ଅର୍ଥାତ୍ ବ୍ୟକ୍ତିଗତ ତଥା ସାମୂହିକ ଉଭୟ ଜୀବନ । କୋଉଟା ଆଗ ନୁହେଁ କି କୋଉଟା ପଛ ନୁହେଁ । ତଥାପି, ସାହିତ୍ୟ ଗଦା ଗଦା ଲେଖା ହେଉଥିବା ସମୟରେ ମଣିଷମାନେ ଦିନକୁ ଦିନ ଏତେ ଅସୁନ୍ଦର ହେବାରେ ମନ ବଳାଇଛନ୍ତି କାହିଁକି ? ଆମେ ସମସ୍ତେ ଯେ ବଡ଼ ଅସନା ଓ ଅସୁନ୍ଦର ହୋଇ ରହିଛୁ, ଆମର ସାମୂହିକ ଜୀବନରେ ସାରା ପୃଥିବୀଯାକରେ ଘୋଟି ରହିଥିବା ମେଘଗୁଡ଼ାକରୁ ତାହାର ଭୁରି ଭୁରି ପ୍ରମାଣ ମିଳିଯାଉଛି ।

 

ଏହିପରି ଏକ ପରିସ୍ଥିତିରେ ଠିକ୍ ଓଲଟା ସୂତ୍ରଟିକୁ ଧରିବାକୁ ମନ ହେଉଛି । ଆମ ଜୀବନ ସୁନ୍ଦର ହେଲେ ଯାଇ ଆମର ସାହିତ୍ୟ ସୁନ୍ଦର ହେବ, ସାହିତ୍ୟାଙ୍ଗନ ଭିତରେ ଏପରି ଏକ ଘୋଷଣା ପ୍ରକୃତରେ କରାଯାଇ ପାରିବ କି ? ଏପରି କଲେ ଆମ ଭିତରୁ ସାହିତ୍ୟିକମାନେ ହିଁ ହୁଏତ ସବାଆଗ ନାକ ଟେକି ବାହାରିବେ । ସାହିତ୍ୟିକ, ଅର୍ଥାତ୍ ଯେଉଁମାନେ ସାହିତ୍ୟ ଲେଖନ୍ତି ଏବଂ ସାହିତ୍ୟ ଲେଖି ସାହିତ୍ୟର ଅଧିଷ୍ଠାତ୍ରୀଙ୍କ ପାଖରୁ ଅର୍ଥ, ଧନ, ରୂପ ଓ ଯଶଃ ସହିତ ଆହୁରି କେତେ କ’ଣ ମାରିବାରେ ଆଗ୍ରହୀ ହୋଇ ରହିଥାଆନ୍ତି । ଜୀବନକୁ ସେମାନେ ସତେଅବା ଏକ ‘ମନୋରମା ଭାର୍ଯ୍ୟା’ ପରି ମଣୁଥାନ୍ତି ଓ ସାହିତ୍ୟଦେବୀଙ୍କ ପାଖରେ ସତେଅବା ସେଇଥିରୁ ଗୋଟିଏ ମାଗିବାର ଅଭିଳାଷ ପୋଷଣ କରିଥାନ୍ତି ।

 

ଆହୁରି ଅନେକ ସାହିତ୍ୟକାର ଅଛନ୍ତି, ଏମାନଙ୍କ ଭିତରେ ଆମେ କବି, ଗଳ୍ପକାର, ଉପନ୍ୟାସ ଲେଖକ ଏବଂ ନାଟକର ରଚୟିତାମାନଙ୍କୁ ଅବଶ୍ୟ ଗଣା କରିପାରିବା–ଯେଉଁମାନେ କି ଜୀବନରୁ ପଳାଇଯିବା ନିମନ୍ତେ ସାହିତ୍ୟ ଲେଖନ୍ତି । ନାନା କାରଣରୁ ସେମାନଙ୍କୁ ନିଜ ଜୀବନର ଆହ୍ଵାନ ତଥା ଆମନ୍ତ୍ରଣ ଗୁଡ଼ିକ ଭଲ ଲାଗେନାହିଁ ବୋଲି ସେମାନେ ସାହିତ୍ୟ କରନ୍ତି ଅର୍ଥାତ୍ ସାହିତ୍ୟ ଲେଖନ୍ତି । ବୁଦ୍ଧିର ପାଲରେ ପଡ଼ି ସେମାନେ ନିଜକୁ ଅସ୍ତିତ୍ଵବାଦୀ ବୋଲି କହନ୍ତି–ପୃଥିବୀରେ ଅଗଣିତ ସଙ୍ଗଲାଭର ସମ୍ଭାବନା ପଡ଼ି ଥାଉଁ ଥାଉଁ ସେମାନେ ନିଃସଙ୍ଗବାଦର କଥା କହନ୍ତି, ବଡ଼ ନିରର୍ଥକ ଭାବରେ ବୈଷ୍ଣବପ୍ରାୟ ହୋଇ ରହିଥାନ୍ତି । ସେମାନେ ସତେଅବା ନିଜ ବ୍ୟତୀତ ଆଉ କାହାକୁହେଲେ ଦେଖି ପାରୁନଥାନ୍ତି, ଭଲ ପାଇବାର ମନ୍ଦିରରେ ତଥାପି ନାସ୍ତିକ ହୋଇ ରହିଥାନ୍ତି । ଯିଏ ଜୀବନକୁ ଭଲ ପାଏ ନାହିଁ ଅର୍ଥାତ୍ ଜୀବନ ପାଖରେ, ଏହି ସବୁକିଛି ପାଖରେ ନିଜକୁ ଦେଇ ପରେ ନାହିଁ, ସିଏ ସୁନ୍ଦର ଜୀବନଟିଏ ପାଇଁ କାହିଁକି ବା କିପରି ମନ ବଳାଇବ ? ଜୀବନକୁ ସ୍ଵୀକାର କଲେ ଯାଇ ଜୀବନକୁ ସୁନ୍ଦର କରି ଗଢ଼ିବାକୁ ମନ ହେବ । ଆପଣାଠାରୁ ବୃହତ୍ତର ଗୋଟିଏ ଜୀବନ,–ତାହାରି ପାଖରେ ସମର୍ପିତ ହୋଇ ରହିଥିବା ମୋ’ ନିଜର ତଥାକଥିତ ବ୍ୟକ୍ତିଗତ ଏବଂ ମୂଲ୍ୟବୋଧଗତ ଜୀବନ–ତାହାହିଁ ସୁସ୍ଥ ଓ ସୁନ୍ଦର ହେବାର ସର୍ବପ୍ରଥମ କଥା ।

 

ଏହି ଜୀବନର ମହାନଦୀର କୂଳରେ ମଣିଷ ବାସ କରୁଥାନ୍ତି, ନାନାବିଧ ସୁଖ, ଦୁଃଖ, ସ୍ଵପ୍ନ ତଥା ବ୍ୟାକୁଳତା, ହେବାର ଏବଂ ଦେବାର ଅସୁମାରି ଯୋଜନାରେ ସେମାନଙ୍କର ଜୀବନ ଆତଯାତ ଓ ଚଞ୍ଚଳ ହୋଇ ରହିଥାଏ । ସତକୁ ସତ ଏକ କଳାତ୍ମକ ଆଖିରେ ଅନାଇ ପାରିଲେ ଏହି ନିତ୍ୟଦିନର ଧୂଳି ଓ ପୁଞ୍ଜିଗୁଡ଼ିକ ଭିତରୁହିଁ ଅଧ୍ୟାତ୍ମକୁ ଚେତନା ଏବଂ ଏକାତ୍ମକତାର ସିଡ଼ି ପଡ଼ିଥାଏ । ଅନେକ ସାହିତ୍ୟକାର ତାହାକୁ ମାୟା ବୋଲି କହନ୍ତି, ତୁଚ୍ଛ ମଣନ୍ତି । ସେମାନେ ମହାନଦୀ ଭିତରେ ଜ୍ୟୋତ୍ସ୍ନାବିହାର କରିବାକୁ ହିଁ ନିଜ ବାସନା–ପୁରୁଷଟିର ଅସଲ ମୃଗୟା ବୋଲି କହନ୍ତି । ଜ୍ୟୋତ୍ସ୍ନାର ଝଲମଲ ଭିତରୁ ବାରବାଟୀକୁ ଆଳ କରି ହୁଏତ କୌଣସି ଅତୀତ ଭିତରକୁ ପଳାଇ ଯାଆନ୍ତି । ସେହି ଅତୀତକୁ ସତେଅବା ଗୋଟାଏ ପରୀକାହାଣୀ ସଦୃଶ ଭାରି ପୃଥକ କରି ଦେଖନ୍ତି । ବାହୁନନ୍ତି, ଝୁରି ହୁଅନ୍ତି ଏବଂ ସେହି ଝୁରିବାରୁ କେତେ ନା କେତେ ଆତ୍ମପୀଡ଼ନ–ରତିର ଆନନ୍ଦ ଲାଭ କରନ୍ତି । ଏହି ସବୁକିଛି ସମ୍ଭୋଗ ଓ ସାହିତ୍ୟିକ ରମଣ ପରେ ସେମାନେ ଯେତେବେଳେ ପୃଥିବୀକୁ ପୁଣି ଫେରି ଆସନ୍ତି, ସେତେବେଳେ ‘ଫେରିବାକୁ ହେବ ସତେ’ ବୋଲି କହି ବାଉଳେଇ ହୁଅନ୍ତି । ସାହିତ୍ୟ ଲେଖି ସେମାନେ ଦୁଇ ଦଣ୍ଡ ମୁକ୍ତି ପାଆନ୍ତି, ତାହାକୁ ହିଁ ସାହିତ୍ୟର ଅସଲ ସ୍ଵାଦ ବୋଲି ଗ୍ରହଣ କରି ନେଇଥାନ୍ତି ।

 

ଆଗେ ରାଜାମାନେ ରସଗ୍ରାହୀ ଥିଲେ, ପ୍ରଧାନତଃ ସେହିମାନଙ୍କର ବିବେଚନା ନିମନ୍ତେ ହିଁ ଯାବତୀୟ ସାହିତ୍ୟ ପ୍ରାୟ ଏକ ଚୋଷ୍ୟ ବା ଲେହ୍ୟ ହୋଇ ରହିଥିଲା । ସେହିମାନଙ୍କର ମନୋରଞ୍ଜନ ନିମନ୍ତେ କାବ୍ୟକାରମାନେ ରୀତିକୁ ହିଁ କିପରି କାବ୍ୟକାରିତାର ପ୍ରାୟ ସମଗ୍ର ଅବଲମ୍ବନ ପରି ଗ୍ରହଣ କରି ରସହର୍ମ୍ୟମାନ ନିର୍ମାଣ କରି ଥୋଇ ଦେଇଥିଲେ, ଭାରତୀୟ ବିଭିନ୍ନ ଭାଷାର ସାହିତ୍ୟରୁ ଆମକୁ ତାହାର ଦୃଷ୍ଟାନ୍ତମାନ ଅବଶ୍ୟ ମିଳିଯିବ । ଆମର ଏହି ଆଧୁନିକ ଯୁଗରେ ମଧ୍ୟ ସାହିତ୍ୟ ସତେଅବା ସେହି ପୁରୁଣା ସଂଜ୍ଞାଟିକୁ ଧରି ପଡ଼ିରହିଛି । ବେଳେ ବେଳେ ମନେ ହେଉଛି, ଜୀବନକୁ ପଛରେ ପକାଇଦେଇ ସାହିତ୍ୟ କୁଆଡ଼େ ମନ କୁଆଡ଼େ ଛୁଟି ପଳାଇବାରେ ଲାଗିଛି । ଆରୋହୀକୁ ପଛରେ ପକାଇଦେଇ ଘୋଡ଼ାଟା ଛୁଟି ପଳାଉଥିବାର ଦଶା ସାହିତ୍ୟକୁ ପଡ଼ିଛି । ଅହଂକାର ବଢ଼ୁଛି, ଅସୂୟା ବଢ଼ୁଛି, ଭୟ ଅଧିକରୁ ଅଧିକ ଭୟାନକ ହୋଇ ମଣିଷମାନଙ୍କୁ ଅଧିକରୁ ଅଧିକ ଉଗ୍ର କରିବାରେ ଲାଗିଛି ଏବଂ ସତେଅବା ଆପଣାର ଗୋଟିଏ ଅଲଗା ଆସର ବସାଇ ସାହିତ୍ୟ ଆପଣାକୁ ଆହ୍ଲାଦିତ କରି ରଖିଛି । କଳାକୁ, କଳାତ୍ମକତାକୁ ଏବଂ ସାହିତ୍ୟକୁ ଯେଉଁମାନେ କାଳିସୀ–ଶକ୍ତିର ଏକ କରାମତି ବୋଲି ବିଶ୍ଵାସ କରନ୍ତି, ସମ୍ଭବତଃ ସେହିମାନେ ହିଁ ଏହିପରି ଆହ୍ଲାଦିତ ହୋଇ ରହିବାକୁ ଯାବତୀୟ ସାହିତ୍ୟକାରିତାର ଚଉବର୍ଗ ଫଳପ୍ରାୟ ଅନୁଭବ କରିଥାନ୍ତି ।

 

ତେଣୁ ଜୀବନକୁ ସୌମ୍ୟ କରିବା ହିଁ ମଣିଷ ମଧ୍ୟରେ ପ୍ରଚ୍ଛନ୍ନ ହୋଇ ରହିଥିବା କଳାତ୍ମକତାର ଅସଲ ଧର୍ମ ହେଉ । ପୂର୍ଣ୍ଣାଙ୍ଗ ଜୀବନଟି ଯାପନ କରିବା ହିଁ ଜଣେ ଜଣେ ବ୍ୟକ୍ତି ହିସାବରେ ଆମ ପ୍ରତ୍ୟେକଙ୍କର କାମ୍ୟ ହୋଇ ରହୁ । ସୁନ୍ଦରକୁ, ସତ୍ୟକୁ ଓ ଭଗବାନଙ୍କୁ ବାହାରେ ଠାବ କରିବାର ଆକାଂକ୍ଷା ସଚେତନ ପ୍ରତ୍ୟେକ ମନୁଷ୍ୟର ପ୍ରଥମ କାର୍ଯ୍ୟ ହୋଇ ରହୁ । ସୁନ୍ଦର ଦେଖିବା ସୁନ୍ଦର ହେବାର ଅନୁପୂରକ ହୋଇ ରହୁ । ସୁନ୍ଦର ଲେଖିବାର ସଉକ ବିଷୟରେ ତା’ ପରେ ଯାଇ ଚିନ୍ତା କରାଯାଉ । ଯିଏ ନିଜ ଭିତରେ ପରମ ମୂଲ୍ୟଗୁଡ଼ିକୁ ଅନୁଭବ କରେ, ସେ କଦାପି ତାହାରି ଭଳି ଅନ୍ୟମାନଙ୍କୁ ଗୋଡ଼ିମାଟିର ହେୟ ଜ୍ଞାନରେ ଦେଖି ପାରେନାହିଁ । ଭାରତବର୍ଷରେ ଯେଉଁମାନେ ସାହିତ୍ୟରେ ଆତ୍ମା ଓ ଆତ୍ମୀୟତାର ଗୁଣକୀର୍ତ୍ତନ କରି ଆମ ସାହିତ୍ୟରେ ବରଣୀୟ ହୋଇ ରହିଛନ୍ତି, ସେମାନେ ନିଜ ଭିତରେ ଅର୍ଥାତ୍ ନିଜ ଜୀବନରେ ସେହିଗୁଡ଼ିକର ଅନୁଶୀଳନ କରିବାକୁ ଆଗ ମନ କରିଥିଲେ ଏହି ଦେଶର ପାରସ୍ପରିକ ସମ୍ବନ୍ଧଗତ ଜୀବନ କଦାପି କାଳେ କାଳେ ଏପରି ଅଲକ୍ଷଣା ହୋଇ ରହି ନଥାନ୍ତା ଏବଂ ଏବେ ମଧ୍ୟ ଭାରତବର୍ଷର ସମାଜକୁ ଏପରି ଆଦିମ ଏବଂ ସମ୍ବେଦନାହୀନ କରି ରଖିନଥାନ୍ତା ।

 

ଯେଉଁଠାରେ ଜୀବନ ଭିତରକୁ ଆସିବାର ଅନୁମତି ନପାଇ ସଂସ୍କୃତି ପ୍ରଧାନତଃ ବହି ଭିତରେ ରହି ଯାଇଥାଏ, ସଭାରେ ଝଲମଲ କିମ୍ବା ପ୍ରଗଳ୍‌ଭ ହେବାଲାଗି ଭଲ ପାଉଥାଏ, ସେଠାରେ ସେହି ତଥାକଥିତ ସଂସ୍କୃତି ମଣିଷମାନଙ୍କୁ ରାକ୍ଷସ ହୋଇ ରହିବାରେ ସମ୍ଭବତଃ ଅଧିକ ସାହାଯ୍ୟ କରେ । ଭାରତର ପ୍ରାୟ ସବୁଯାକ ସାହିତ୍ୟସମୃଦ୍ଧି ହୁଏତ ଅତ୍ୟନ୍ତ ଦୟନୀୟ ଭାବରେ ସେହିପରି ହୋଇ ରହିଛି । ସାହିତ୍ୟ ଥୋକେ ମଣିଷଙ୍କର ଏକ ସ୍ଵତନ୍ତ୍ର ଗୋଠରେ ପରିଣତ ହୋଇ ରହିଛି । ଅଧିକସଂଖ୍ୟକ ମନୁଷ୍ୟ ସେଥିରୁ ବଞ୍ଚିତ ହୋଇ ରହିଛନ୍ତି । ଭାରତବର୍ଷରେ ଅନ୍ୟାନ୍ୟ ପ୍ରାୟ ସବୁ କ୍ଷେତ୍ର ପରି ସାହିତ୍ୟ ଭିତରକୁ ମଧ୍ୟ ଭାଗ୍ୟବାଦ ପଶିଯାଇଛି । ଏକାନ୍ତ ନିରାସକ୍ତ ଅର୍ଥାତ୍ ନିର୍ମମ ଭାବରେ ଭାଗ୍ୟବାନ ସାହିତ୍ୟକାର ଏବଂ ସାହିତ୍ୟରସିକମାନେ ଉପେକ୍ଷାକୁ ହିଁ ପରମ ଧର୍ମ ବୋଲି ଗ୍ରହଣ କରିନେଇ ସାହିତ୍ୟର ହାଣ୍ଡି ଭିତରେ ଯାଇ ଏକାନ୍ତରେ ଲଟର ପଟର ହେଉଛନ୍ତି । ଆମର ସାହିତ୍ୟ ପ୍ରାୟ ଏକ କୋପନ–ବୃତ୍ତିରେ ପରିଣତ ହୋଇ ରହିଛି ।

 

ତେଣୁ, ଜୀବନ ହିଁ କାମ୍ୟ ହେଉ, ଜୀବନ ସୌମ୍ୟରୁ ସୌମ୍ୟତର ହେଉ । ସାହିତ୍ୟ ଭିତରେ ମଧ୍ୟ ଥୋକେ ସତ୍ୟକାମୀ ଜୀବନକାମୀ ସାହିତ୍ୟକାର ବିକଳ୍ପ ହୋଇ ବାହାରନ୍ତୁ । ବର୍ତ୍ତମାନର ଦରବାର ଗୁଡ଼ାକୁ ସେମାନେ ହସି ପାରିବାର ସାହସ ଅର୍ଜନ କରନ୍ତୁ । ପୃଥିବୀରେ ବିଶ୍ଵାସ ଓ ଭଲ ପାଇବାର ବୃଦ୍ଧି କରିବାରେ ସେମାନେ ସହାୟକ ହୁଅନ୍ତୁ । ସେମାନଙ୍କର ଜୀବନ ଏବଂ ସେମାନଙ୍କର ସାହିତ୍ୟ ଭିତରେ କୌଣସି ବିରୋଧ ନରହୁ । ଯାହା ସତ୍ୟ, ତାହା ଚିରଦିନ ଅତ୍ୟନ୍ତ ନିଷ୍କପଟ । ନିଷ୍କପଟ ଲୋକେ ଏକତ୍ର ହୁଅନ୍ତୁ, ଅର୍ଥାତ୍ ସେମାନେ ଏକତ୍ର ସ୍ଵପ୍ନ ଦେଖନ୍ତୁ, ଏକାଠି ଆଶବାଦୀ ହୁଅନ୍ତୁ, ଏକାଠି ଆଗାମୀ ସକାଳର ଆବାହନ କରି ପାରନ୍ତୁ । ସୌମ୍ୟ ଜୀବନଟିଏ ବଞ୍ଚିବାକୁ ଅନୁରାଗୀ ହୋଇ ବାହାରିଥିବା ମନୁଷ୍ୟମାନେ, ପରମମିତ୍ରମାନେ ସାହିତ୍ୟକୁ ଆଗାମୀ ବାଟ ଦେଖାନ୍ତୁ । ସେମାନେ ସେଥିଲାଗି ଯୋଗ୍ୟ ହୁଅନ୍ତୁ, ଆକାଂକ୍ଷୀ ହୁଅନ୍ତୁ ।

 

ସୌମ୍ୟ, ନବବର୍ଷ ସଂଖ୍ୟା, ୧୯୯୮

Image

 

ଯୁବ-ବୃଦ୍ଧ ସାହିତ୍ୟ

 

ଯୁବାବସ୍ଥା ଜୀବନର ଗୋଟିଏ ଅବସ୍ଥା । ଯାବତୀୟ ଅବସ୍ଥା ପରି ଯୁବାବସ୍ଥା ଆସେ, ଯୁବାବସ୍ଥା ଚାଲିଯାଏ । ଏକ ନିର୍ଦ୍ଦିଷ୍ଟ ସମୟରେ ଓଡ଼ିଆ ସାହିତ୍ୟର ମଞ୍ଚ ଉପରେ ଅଳପ ବୟସର ଲେଖକମାନେ କାହିଁକି ଆପଣାଲାଗି ଅଲଗା କରି ପଂକ୍ତିଟିଏ ଗଢ଼ିଥିଲେ, ତାର ନାନା କାରଣ ଅନୁସନ୍ଧାନ କରି ବର୍ତ୍ତମାନ ଉତ୍ତମ ଗବେଷଣାଟିଏ ହୋଇ ପାରନ୍ତା । ସେତେବେଳେ ଯେଉଁମାନେ ଅଧିକ ବୟସର ଥିଲେ, ସେମାନଙ୍କ ସହିତ ଗରଜରେ ପଡ଼ି ସେମାନଙ୍କୁ କ’ଣ ଏକ ଋଣରେ ଅବତୀର୍ଣ୍ଣ ହେବାକୁ ପଡ଼ିଥିଲା କି ? ଅଥବା, ସେତେବେଳେର ଯାବତୀୟ ସାହିତ୍ୟ–ଗହଣରେ ସବୁବେଳେ ବଡ଼ମାନେହିଁ ସବୁଯାକ ମୁକୁଟକୁ ନିଜ ମୁଣ୍ଡରେ ପିନ୍ଧି ସୁନ୍ଦର ଦିଶିବାକୁ ମନ କରୁଥିଲେ ଓ ଅପେକ୍ଷାକୃତ ସାନମାନଙ୍କୁ ତଜ୍ଜନିତ ଆନନ୍ଦରୁ ଚୁରୁଳାଏ ମଧ୍ୟ ଦେବାକୁ ଇଚ୍ଛା କରୁନଥିଲେ ବୋଲି ନିଜପାଇଁ ଏକ ସ୍ଵତନ୍ତ୍ର ଆକାଂକ୍ଷାରେ ପ୍ରେରିତ ହୋଇ ଅଭିମାନୀ ଅଳ୍ପବୟସ୍କମାନେ ନିଜର ଗୋଟାଏ ଅଲଗା ଥାଟର ବରାଦ କରିବା ଲାଗି ସତୃଷ୍ଣ ହୋଇ ଉଠିଥିଲେ କି ? ଏହି ଶତାବ୍ଦୀର ଦ୍ଵିତୀୟ ଏବଂ ତୃତୀୟ ଦଶନ୍ଧି ସମୟରେ ଆମ ଉପକୂଳାଞ୍ଚଳ ସାହିତ୍ୟରେ ଦଳେ ବନ୍ଧୁ ଯେପରି ନିଜକୁ ଏକ ନୂତନ ନାମକରଣର ପୁଲକ ଦେଇ ସବୁଜ ବୋଲି କହିଥିଲେ, ଏବର ଯୁବଲେଖକମାନଙ୍କୁ ବୁଝିବା ନିମନ୍ତେ ଆମେ ସେମାନଙ୍କ ଠାରୁ ଆଦୌ କୌଣସି ସୂତ୍ର ବା ସୁରାଖ ପାଇ ପାରିବା କି ? ସେହି ପ୍ରଥମ କାଳର ଯୁବକଲେଖକମାନେ ଏବେ ଯାବତୀୟ ଅର୍ଥରେ ବୁଢ଼ା ହୋଇ ଗଲେଣି ଓ ସେମାନଙ୍କ ଜାଗାରେ ନୂଆମାନେ ଆସି ପହଞ୍ଚି ଯାଉଛନ୍ତି । ବରଷକୁ ବରଷ ଘରଛପର ହେଲାପରି ବରଷକୁ ବରଷ ସମ୍ମିଳନୀମାନ ବସୁଛି । ତଥାପି, ସବୁଜ ଯୁଗଟିକୁ ଓଡ଼ିଆ ସାହିତ୍ୟର ଇତିହାସରେ ଯେପରି ସୀମକ୍ଷକମାନେ ଏକ ନିର୍ଦ୍ଦିଷ୍ଟ ସନ୍ତକ ଦେଇ ଚିହ୍ନୁଛନ୍ତି, ଯୁବଲେଖକ ସମ୍ମିଳନୀର ଭୂମିକାଟିକୁ ସେହିପରି ନିର୍ଦ୍ଦିଷ୍ଟ ଭାଙ୍ଗ ଅଥବା ଭଙ୍ଗିମାରେ ସତକୁ ସତ ଚିହ୍ନି ହେଉଛି କି ? ଅଥବା, ବୟସ ଥିବଯାଏ ତୁମେ ଯୁବଲେଖକଙ୍କ ଦାଣ୍ଡରେ ସୁମାରି ଦେଉଥିବ ଏବଂ ନିଜର ପ୍ରୌଢ଼ ଅବସ୍ଥା ଆସି ପହଞ୍ଚିଲେ ତୁମେ ଆପେ ଆପେ ସେଥିରୁ ବାହାରି ଆସି ବୟସ୍କମାନଙ୍କର ସାହୀଟି ଭିତରେ ସାମିଲ ହୋଇଯିବ, ଏହି କ୍ଷେତ୍ରରେ ଆମେ କେତେଦୂର ସେହିଭଳି ଏକ ବିବେକକୁ ନିଜ ବିଚାରକୁ ନେଇ ପାରିବା ଓ ଯୁବଲେଖକମାନଙ୍କର ମୂଲ୍ୟାୟନ କରିପାରିବା ?

 

ଗୋଟାଏ କିଛି ଆନ୍ଦୋଳନ ହେଲା ବୋଲି ଧାରଣା ଦେବା ନିମନ୍ତେ ମଝିରେ ମଝିରେ ପ୍ରାୟ ଯୁବଲେଖକ ସମ୍ମିଳନୀର ସମାନ୍ତର ଭାବରେ ଓଡ଼ିଶାରେ କେତେଥର କ’ଣ ସବୁ ଧଡ଼ ଧଡ଼ ଓ ଭୁଷ୍‌ଭାଷ ଶୁଣିବାକୁ ବି ମିଳୁଥିଲା । ବୟସ ଯାହା ହୋଇଥାଉ ବା ନହୋଇଥାଉ ପଛକେ, ଏକ ତରୁଣ ଉତ୍ସାହରେ ଏଗୁଡ଼ିକୁ କରାଯାଉ ଥିଲା । ଏହି ସନ୍ଦର୍ଭରେ ‘ଡଂଞ୍ଜଲୁ’ ନାମକ ପତ୍ରିକାଟିର କଥା ଭାରି ମନେ ପଡ଼ୁଛି । ଅନାମମାନଙ୍କର କଥା ମଧ୍ୟ କମ୍ ମନେ ପଡ଼ୁନାହିଁ । ଅନାମମାନେ ବିଗତ ଏହି କେତେବର୍ଷ ମଧ୍ୟରେ କେତେନାମ ହୋଇ କେତେ କୁଆଡ଼େ ମୁକୁଳିତ ହୋଇ ବାହାରି ଗଲେଣି-। ପୁରୁଣା ଅନାମମାନଙ୍କୁ ପ୍ରତ୍ୟାଖ୍ୟାନ କରିବା ନିମନ୍ତେ ନୂଆ ଅନାମମାନେ ବି ଦୃଶ୍ୟ ହୋଇ ଆସୁଛନ୍ତି । ତଥାପି, ଏକଦା ସବୁଜମାନେ ମଧ୍ୟ ଯେପରି ବୟସ ଗଡ଼ିଯିବାରୁ ହଳଦିଆ ପଡ଼ି ଆସିଥିଲେ, ଏହି ଅନାମ ଓ ତାଙ୍କ ସରିସାର ଅନ୍ୟମାନେ ମଧ୍ୟ ଭାରି ମଉଜଣ ପଡ଼ିଗଲେଣି ବୋଲି ମନେ ହେଉଛନ୍ତି । ଏହି ଆନ୍ଦୋଳନାତ୍ମକ ଗୁଳା ଭିତରୁ ଯେଉଁମାନେ ତଥାପି ଅନନ୍ୟ ଓ ଏକକ ହୋଇ ଚିହ୍ନା ଦେଇ ପାରିଛନ୍ତି, ସେମାନେ ଦୁର୍ଭାଗ୍ୟବଶତଃ ଆପଣା ଆପଣାର ପରିପକ୍ୱ ପ୍ରତିଭାରେ ଆମମାନଙ୍କୁ ପ୍ରାୟ ଏକ ଅନ୍ୟ ପରିଚୟ ଦେଇପାରିବା ପୂର୍ବରୁ ସଂସାରରୁ ବିଦାୟ ନେଇ ଚାଲିଯାଇଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ ଆମେ ଏଠାରେ ଏକାବେଳେକେ ଏକ ନୂଆ ଧିସାର ଗଳ୍ପକାର କହ୍ନେଇଲାଲ ଦାସଙ୍କୁ ସ୍ମରଣ କରି ପାରିବା, ନୂଆ ସଂକଳ୍ପର ଘୋଷଣା କରି ଆବିର୍ଭୂତ ହୋଇଥିବା କବି ବସନ୍ତ ମୁଦୁଲିଙ୍କୁ ମନପକାଇ ପାରିବା । ଏକାବେଳେକେ ଏବେ ଶ୍ରୀ ଛନ୍ଦାଚରଣ ଆଚାର୍ଯ୍ୟ ଚାଲିଗଲେ ଏବଂ ଶ୍ରୀ କୁମାର ମହାନ୍ତି ମଧ୍ୟ ଗଲେ । ଛନ୍ଦାଚରଣଙ୍କର କବିତା ଯେକୌଣସି ଚିତ୍ରଶିଳ୍ପୀର ଚିତ୍ର ପରି ଆମର ଆଖିଆଗରେ କେତେ କେତେ Visual Imageକୁ ଆଣି ପହଞ୍ଚାଇ ଦେଇଥିଲା । ଶ୍ରୀଯୁକ୍ତ ମହାନ୍ତି ନିଜର କବିତାଗୁଡ଼ିକୁ ବ୍ୟଞ୍ଜନାମୟ ସ୍ଵର ଦେଇ ଗାନ କରି ପାରୁଥିଲେ, ତାଙ୍କ କବିତାର ଧ୍ୱନିଗୁଡ଼ିକ ସତେଅବା ଯାବତୀୟ ମସ୍ତିଷ୍କବାଡ଼କୁ ଅତିକ୍ରମ କରି ସିଧା ଏପରି ଗୋଟିଏ ଜାଗାରେ ଯାଇ ପହଞ୍ଚି ପାରୁଥିଲା, ଯେଉଁଠାରେ କି ଆମର ହୃଦୟଗମ୍ଭୀରା ଭିତରେ ସତେଅବା ତାଙ୍କର ଦୋସରଟିଏ ଅପେକ୍ଷା କରି ରହିଥିଲା । ଉତ୍ସାହୀ ତରୁଣ ଆଉମାନେ ମଧ୍ୟ ଥିଲେ । ବାଣପୁରରେ ଥିଲେ, ତେଣେ ଭଦ୍ରକ ଓ ବଲାଙ୍ଗୀରରେ ରହିଥିଲେ । ଶିଳ୍ପନଗରୀ ରାଉରକେଲାରେ ମଧ୍ୟ ଦଳେ ବା କେତେ ଦଳ ଆପଣାର ଲେଖା ମାଧ୍ୟମରେ ଆମର, ଏହି ମାଟିର ତଥା କାଳଗତ ଯାବତୀୟ ଆହ୍ଵାନରେ ଅତ୍ୟନ୍ତ ଆପଣାର ବୋଲି ଖୁବ୍ ବାରି ହୋଇ ପଡ଼ୁଥିଲେ-। ସେମାନେ କୁଆଡ଼େ ସବୁ ଗଲେ କେଜାଣି ? କେତେ ଚଞ୍ଚଳ କେଉଁ ଅନ୍ୟ ନିଶାରେ କିମ୍ବା ଅନ୍ୟ ଭିତରେ ଯାଇ ପଡ଼ିଗଲେ କେଜାଣି ? ଏବେ ମଧ୍ୟ ସାହିତ୍ୟିକ ସମାରୋହମାନଙ୍କରେ ସେମାନଙ୍କୁ ଦେଖିବାକୁ ମିଳୁଛି ସତ, ମାତ୍ର ଅଲଗା କରି, ଅନନ୍ୟ କରି ମୋଟେ ଚିହ୍ନି ହେଲାନାହିଁ-

 

କହ୍ନେଇଲାଲ, ବସନ୍ତ ମୁଦୁଲି, କୁମାର ମହାନ୍ତି ଏବଂ ତାଙ୍କୁ ନିଜର ସମ୍ପତ୍ତି ବୋଲି ବିଚାରୁଥିବା ବ୍ୟକ୍ତିମାନଙ୍କର ବିଶେଷ ଉତ୍ସାହ ବଳରେ ସେଗୁଡ଼ିକ ଆହୁରି ଅଧିକ ଦରବାରିଆ ହୋଇ ବସୁଥିବ ସିନା, ମାତ୍ର ସେମାନଙ୍କ ହୁଏତ ଖୁବ୍ ବେଶୀ ମୂଲ୍ୟାୟନ ହେବନାହିଁ । ଦୁଃଖରେ କାନ୍ଦୁଥିବା ଓ ଉତ୍ସାହରେ ଫକ ଫକ ଡେଉଁଥିବା ମଣିଷମାନେ କେଉଁ ଅନ୍ୟଧାତୁରେ ତିଆରି ହୋଇଥାନ୍ତି କେଜାଣି, ସେମାନେ ମୂଲ୍ୟାୟନ ଆଡ଼କୁ ପ୍ରାୟ ଧର୍ମତଃ କୌଣସି ମନ ଦିଅନ୍ତି ନାହିଁ । ଏହି ଯେଉଁ ତରୁଣ ଆତ୍ମାମାନେ ଚାଲିଗଲେ, ଏତେ ଅଳପ ଲେଖି ମଧ୍ୟ ତଥାପି ଅଲଗା ବୋଲି ଧରାପଡ଼ି ଯାଉଥିଲେ ଓ ଅନନ୍ୟ ଭାବରେ ଉସ୍କାଇ ପାରୁଥିଲେ, ଆମ ଆଧୁନିକ ସାହିତ୍ୟିକତା ମଧ୍ୟରେ ସେମାନଙ୍କର ସେହି ଅବଦାନ ଏବଂ ସ୍ଵାକ୍ଷର ଗୁଡ଼ିକ ଯେ ପ୍ରକୃତରେ କ’ଣ ହୋଇଥିବ, ଆମେ ଏବେ ମଧ୍ୟ ସେକଥା ଖୋଜି ବାହାର କରିବା ପାଇଁ କୌଣସି ବେଳ ପାଇଲୁ ନାହିଁ । ଓଡ଼ିଆ ଆଧୁନିକ ସାହିତ୍ୟ କେଉଁ ଦୁର୍ବେଳରେ ଆରମ୍ଭ ହୋଇଥିଲା କେଜାଣି, ସାହିତ୍ୟର ପୂର୍ବବର୍ତ୍ତୀ ଭୂମି ଏବଂ ସ୍ତମ୍ଭ ଗୁଡ଼ିକ ସହିତ ତାହାର ପ୍ରାୟ କୌଣସି ସୂତ୍ରସଂଲଗ୍ନତା ରହିଲା ନାହିଁ । ଦ୍ଵିତୀୟ ମହାଯୁଦ୍ଧ ପରେ ବିଶ୍ଵଯାକ ମଣିଷଙ୍କର ଅନୁରାଗ–ଆକାଶରେ ଆୟାମଗୁଡ଼ିକ ଯୁଗପତ୍ ଭାବରେ ବଦଳିଗଲା-। ବହୁତ କିଛି ସମ୍ଭାବନାର ପସରା ଧରି ଏକାଧିକ ଦଶନ୍ଧିର ସଂଗ୍ରାମ ପରେ ଭାରତବର୍ଷ ପରାଧୀନତାରୁ ମୁକ୍ତ ହେଲା । ଦେଶ ସ୍ଵାଧୀନ ହେବା ପୂର୍ବରୁ ଓଡ଼ିଶାରେ ପରସ୍ପରକୁ ସତୀର୍ଥ ବୋଲି ଅନୁଭବ କରୁଥିବା କେତେଜଣ ‘ଆଧୁନିକ’ ନାମରେ ପତ୍ରିକାଟିଏ ସିନା ବାହାର କରିଥିଲେ, ମାତ୍ର ସେମାନେ ନିଜମାନଙ୍କୁ ଓଡ଼ିଆ ସାହିତ୍ୟର ଏକ ଆଧୁନିକ ଯୁଗର ପ୍ରତିଷ୍ଠାତା ବୋଲି କୁହାଇବା ନିମନ୍ତେ କୌଣସି ସଉକ ପୋଷଣ କରି ନଥିଲେ । ସେମାନେ ସମ୍ଭବତଃ ତଥାକଥିତ କେବଳ ସାହିତ୍ୟଠାରୁ ବୃହତ୍ତର ଏକ ବିଶ୍ଵବାସନା ଦ୍ଵାରା ଉଦ୍‌ବୁଦ୍ଧ ହୋଇଥିଲେ ଓ ସେହି ଅନୁସାରେ ଓଡ଼ିଶାରେ ତାହାର ଅନୁରୂପ ଭୂଇଁଟିଏ ତିଆରି କରି ଆଣିବାପାଇଁ ଉତ୍ସୁକ ଥିଲେ-। ସେମାନେ ସାହିତ୍ୟକୁ ଏକ ସାଧନରୂପେ ବ୍ୟବହାର କରିଥିଲେ । ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ଘୋଷଣା କରି ଏକ ଅନ୍ୟ କାମନା ଆସି ତା’ପରେ ଯାଇ ପହଞ୍ଚିଥିଲା । ଏହି କାମନାଟା ଏକ ଅନୁକରଣପ୍ରିୟ ମାନସିକତାରେ ପ୍ରାୟ ପ୍ରଥମରୁ ହିଁ ଜର୍ଜର ହୋଇ ରହିଥିଲା ।

 

ଜାତୀୟ ସ୍ଵାଧୀନତାର ଆନ୍ଦୋଳନ ପଛରେ ଏକ ସ୍ଵପ୍ନ ରହିଥିଲା । ଓଡ଼ିଆ ଆଧୁନିକ ସାହିତ୍ୟର ନୂଆ ନାଟୁଆମାନେ ସେହି ସ୍ଵପ୍ନଗୁଡ଼ିକୁ ପ୍ରାୟ ମୂଳରୁ ହିଁ ଅସ୍ଵୀକାର କରିଥିଲେ । ସ୍ଵାଧୀନତା ସଚରାଚର ଯେଉଁ ଆହ୍ଵାନ, ଯେଉଁ ତାରୁଣ୍ୟ, ଯେଉଁ ନିର୍ମାଣବ୍ରତ ଏବଂ ଯେଉଁ ସମର୍ପଣବୁଦ୍ଧି ନେଇ ଆସେ, ସତେଅବା କେଉଁ ଭାନୁମତୀର ଅଜବ ଦେଶରୁ ଆସି ପହଞ୍ଚିଥିବା ପରି ଆଧୁନିକମାନେ ସେହି ସବୁକିଛିର କବର ଦିଆଗଲା ବୋଲି ଘୋଷଣା କରି ଆମର ଡିହଗୁଡ଼ାକୁ ଦଖଲ କରିନେଲେ । ସମସ୍ତେ କ’ଣ ହେଲା କ’ଣ ବୋଲି ସଂଶୟ ପ୍ରକାଶ କରିବା ପୂର୍ବରୁ ହିଁ ସେମାନେ ସତେଅବା କଳାପାହାଡ଼ ପରି ଆମ ଅନୁରାଗ ତଥା ଅଭିବ୍ୟକ୍ତିଗୁଡ଼ିକର କ୍ଷେତ୍ରରେ ସାହିତ୍ୟପକ୍ଷ ବୋଲି ଯାହାକିଛି ଥିଲା, ତାହାକୁ ଭାଙ୍ଗି ପକାଇଲେ । ସେମାନଙ୍କ ଭିତରୁ ଖାସ୍ ଯେଉଁମାନେ ଆଗରୁ ମଧ୍ୟ ସାହିତ୍ୟ ଭିତରେ ଥିଲେ, ନୂଆନାକୀ ହେବା ପରେ ସେମାନେ ଏକ ଅଭିନବ ନିର୍ମମତାରେ ନିଜର ସେହି ପୁରୁଣା ପରିଚୟଟାକୁ ମଧ୍ୟ ସତେଅବା ପରମ ଆହ୍ଲାଦରେ ହତ୍ୟା କରିବାକୁ ବାହାରିଗଲେ । ସେମାନେ ସମସ୍ତେ ଇଂରାଜୀ ପଢ଼ିଥିଲେ । ଭାରତବର୍ଷରୁ ଇଂରେଜୀ ଶାସନ ହଟିଯିବା ପରେ ଏମାନେ ସତେଅବା ସାହିତ୍ୟ ମାଧ୍ୟମରେ ଏଠି ତଥାପି ସେହିପରି ଏକ ଶାସନକୁ ଆଣି ଲଦିଦେବାକୁ ଶାମ୍ବବେଶ ଧାରଣ କଲେ । ଦେଶରେ ସେତେବେଳେ ଶହେରେ ଅଶୀରୁ ଅଧିକ ନିରକ୍ଷର ଥିଲେ । ଦେଶରେ ସେହି ପୁରୁଣା ଶିକ୍ଷାପ୍ରଣାଳୀ ଚାଲିଲା, ପୁରୁଣା ଅମଲାମନଟା ନୂଆ ମଠା ପିନ୍ଧି ଏକ ନୂଆ ଅମଲାତନ୍ତ୍ରରେ ପୁରୋଧା ହୋଇ ବସିବାକୁ ଏବଂ କୋଉଠି ଆଦୌ ଯେପରି କିଛି ନ ବଦଳିବ, ସତେ ଅବା ସେହିଭଳି ଗୋଟାଏ ପଣ କରି ଆମକୁ ଏକ ପ୍ରୌଢ଼ୀପୂର୍ଣ୍ଣ ସାମନ୍ତବାଦ ଭିତରେ ସାବାଡ଼ କରି ରଖିବାକୁ ଦ୍ରୁତଗତିରେ ମାଡ଼ି ଆସୁଥିଲା । ସମାଜରେ ଏକ ନବ–ବାବୁବିଳାସ ଆମ ପ୍ରାୟ ସମସ୍ତଙ୍କୁ ନାନା ଭୀରୁତା ଭିତରେ ଅସମର୍ଥ ଏବଂ ଅସୁନ୍ଦର କରି ରଖିବାର ଷଡ଼ଯନ୍ତ୍ର ଆରମ୍ଭ କରିଦେଲା । ଦେଶର ନୂଆ ଶାସକମାନଙ୍କୁ ମଧ୍ୟ ବାବୁ ହେବାଲାଗି ଗଦ ସୁଙ୍ଘାଇ ଦେଲା । ସତେଅବା ସେହି ତାଳ ଅନୁସାରେ ଗୋଡ଼ ପକାଇ ନୂଆ ନୂପୁର ପିନ୍ଧିଥିବା ଆମ ସାହିତ୍ୟ ମଧ୍ୟ ଏକ ନବ୍ୟ ରୀତିଯୁଗ ଭିତରେ ତୁଚ୍ଛା ଛୋପରା ହୋଇ ପଶିଗଲା ।

 

ଆଧୁନିକ ବୋଲି ପୃଥିବୀରେ ଯେତେ ଯେତେ ନୂଆ ବାଟ ଫିଟିଛି, ତାହା ଅଧିକରୁ ଅଧିକ ଭୂଇଁଆଡ଼କୁ ନଇଁ ଆସିଛି, ସମ୍ପୃକ୍ତ ସମସ୍ତଙ୍କୁ ଅଧିକରୁ ଅଧିକ ଫରଚା ଭିତରକୁ ନେଇଯାଇଛି-। ଆମ ଆଧୁନିକ ସାହିତ୍ୟ ଆମକୁ ସତେଅବା ମଣିଷକୁ ଛାଡ଼ି ଶୈଳୀଟାକୁ ଆଣି ଧରାଇଦେଲା, ସାହିତ୍ୟର ଲୋଭ ଦେଇ ଆମକୁ ଗୋହିରୀଗୁଡ଼ାକ ଭିତରେ ଆଣି କିଳି ପକାଇଲା । ବଡ଼ମାନେ ଆଗେଆଗେ ଗଲେ, ଅମଲାମାନେ ସେମାନଙ୍କ ପିଛା ଧରିଲେ ଏବଂ ନିପଟ ନୂଆମାନେ ବି ଗାଈ ଗୋଡ଼ରେ ବାଛୁରୀ ବନ୍ଧାହେଲା ପରି ସେମାନଙ୍କ ସହିତ ବନ୍ଧା ହୋଇ ରହିଲେ । କିଏ କିଏ ଗାଆଁରେ ଜନ୍ମହୋଇ ଥିଲେ ବି ନିଜ ମହଦାକାଙ୍‌କ୍ଷାର ସିଡ଼ିରେ ସହରର ମଜଲିସ୍‌ମାନଙ୍କୁ ଧର୍ମପୁଅ ହୋଇ ଆସିଲେ । ସାହିତ୍ୟ କ୍ୟାରିୟରଧର୍ମୀ ହେଲା । ଏଥିରେ ସାହିତ୍ୟ ବାହାରେ ଉଚ୍ଚ କ୍ୟାରିୟର ଅର୍ଥାତ୍ ଉଚ୍ଚ ଗୋଲାମର ହାଉଦା ପକାଇ ବସିଥିବା ବ୍ୟକ୍ତିମାନେ ଆପଣାର ମୁହଁ ଏବଂ ମୁଣ୍ଡଗୁଡ଼ାକୁ ଦୃଶ୍ୟମାନ କରାଇ କେଡ଼େ ବଡ଼ ବଡ଼ ଦିଶିଲେ । ଯୁବଗୋଷ୍ଠୀର ଅଧିକାଂଶ ଶିଙ୍ଗ ସେହିମାନଙ୍କ ପରି ଦିଶିବାଲାଗି ଧାବମାନ ହେଲେ । ପାଠୋତ୍ସବମାନଙ୍କ ସଂଖ୍ୟା ବଢ଼ିଲା–ମିଜାଜଗୁଡ଼ାକ ଜମିଦାରିଆ ହୋଇଗଲା । ନୂଆ ଛାଞ୍ଚରେ କବିତା, ନାଟକ, ଗଳ୍ପ ଓ ଉପନ୍ୟାସମାନ ଲେଖାଗଲା । ସେହି ଛାଞ୍ଚଗୁଡ଼ାକ ତେଣୁ ଆସିଥିଲା-। ପୁରୁଷ ଭିତରେ ଯେତେବେଳେ ପୁରୁଷାର୍ଥ ବୋଲି ପ୍ରାୟ କିଛି ନରହିବା ପରି ଦଶା ହୋଇଯାଏ, ସେତିକିବେଳେ ଛାଞ୍ଚମାନେ, ଶୈଳୀମାନେ ଅତ୍ୟନ୍ତ ଲୋଭନୀୟ ହୋଇପଡ଼ନ୍ତି । ଶୈଳୀଭକ୍ତମାନେ ଶୀଳରହିତ ହୋଇଯାନ୍ତି, ଶୂନ୍ୟଗର୍ଭ ବୋଲି ସାବ୍ୟସ୍ତ ହୁଅନ୍ତି । ତେଣୁ ଏକ ବିଚିତ୍ର, ଯୁବ–ବୃଦ୍ଧ ସାହିତ୍ୟର ଗୋଟାଏ ଆଖଡ଼ାରୁ କ’ଣ ସୃଷ୍ଟି ହେବାକୁ ଆରମ୍ଭ କରେ । ଦୋରୁଅ କମ୍ ଓ ଛେଦରା ଗୁଡ଼ାକ ବେଶୀ ଥାଏ । ସତେଅବା ଏକ ଉଗ୍ର ଶୋକାକୁଳତାରେ ଅତିଶୟ ହୋଇ କେତେ କେତେ ଆମକୁ କେହି ବୁଝିଲେ ନାହିଁ ବୋଲି ଚିତ୍କାର କରନ୍ତି ଓ ସେହି ଉତ୍ତେଜନାରେ ଏକଘରିକିଆ ହୋଇଯାନ୍ତି । ସାହିତ୍ୟ ଜୀବନଠାରୁ ଅଲଗା ହୋଇ ସତେଅବା ଏକ ନିବୁଜଘରର କାରୁଣ୍ୟରେ ପରିଣତ ହୋଇଯାଏ । ତେଣିକି ସାହିତ୍ୟସଭାମାନେ କାଳିସୀ ସଭାପରି ଦିଶନ୍ତି । ବହୁ ବର୍ଷ ତଳେ ସାହିତ୍ୟର ଶକ୍ତି ଏକ କାଳିସୀଶକ୍ତି ବୋଲି ବୟାନ କରି ଶ୍ରୀ ଗୋପୀନାଥ ମହାନ୍ତି ଯେଉଁ ନୂଆ ମିଜାଜଟାର ମୂଳଦୁଆ ପକାଇଥିଲେ, ତାହାର ପୁରା ମୁଣ୍ଡିମରା ହୋଇଯାଏ ।

 

ସବୁ କ୍ଷେତ୍ରରେ ସବୁ ଯୁଗରେ ବ୍ୟତିକ୍ରମ ରହିଥାଏ, ସାହିତ୍ୟରେ ଏ ଯୁଗରେ ମଧ୍ୟ ବ୍ୟତିକ୍ରମମାନେ ଅଛନ୍ତି । ଭଲ ରାଜନୀତିବାଲାଙ୍କ ଦେହରେ ହାୱାଲା ନାମକ ଗୁହ ବୋଳା ହୋଇଥିବା ପରି ଏବର ସାହିତ୍ୟ ଭିତରେ ମଧ୍ୟ ପ୍ରାୟ ଗୋଟାସୁଦ୍ଧା ଠିକ୍ ଏକ ପ୍ରଦର୍ଶନୀ ବସିଥିବା ପରି ଏକ ଅନ୍ୟ ରତି ଅଥବା ଅରତି ଗୁରାଇ ତୁରାଇ ହୋଇ ପଶିଛି । ସାହିତ୍ୟର ଅନୁଷ୍ଠାନମାନଙ୍କରେ କ୍ଷମତାସୀନ ଗଣ୍ଡମୂର୍ଖମାନେ ଯେତେବେଳେ ସବାବଡ଼ ଚଉକିରେ ବରଣି ହୋଇ ବସିବେ ବୋଲି ଡକା ହେଉଛନ୍ତି, ସେତେବେଳେ ଜଣେ ଯୁବସାହିତ୍ୟିକ ମଧ୍ୟ ବୟସ୍କ ଚତୁରମାନଙ୍କ ସହିତ ସେହି ଜାଲରେ ଯାଇ ପଡ଼ିଯାଇଛି । ପୃଥିବୀଯାକର ଯୁବଶକ୍ତି ସାମନ୍ତବାଦୀ ପରମ୍ପରାର ପ୍ରଧାନତଃ ପ୍ରତିବାଦ କରୁଥିବା ସମୟରେ ଆମର ଏଠି ଯୁବଶିବିରଟା ହିଁ ସତେଅବା ସୁବଠାରୁ ଅଧିକ ରକ୍ଷଣଶୀଳ ହୋଇ ରହିଛି, ଯାବତୀୟ କାମ୍ୟ ପରିବର୍ତ୍ତନକୁ ଏରୁଣ୍ଡିବନ୍ଧ ପାଖରେ ଅଟକାଇ ରଖିଛି । ଗୋଟିଏ ବିକାଶଶୀଳ ଅର୍ଥାତ୍ ବିକାଶକାମୀ ସମାଜରେ ନୂଆ ଏବଂ ଅଧିକ ମନୁଷ୍ୟୋଚିତ ଗଠନଗୁଡ଼ିକର ଥାପନା ନିମନ୍ତେ ପ୍ରାୟ ନିୟମତଃ ବହୁ କିସମର ବହୁଭୂମିଯୁକ୍ତ ସଂଗ୍ରାମମାନ କରିବାକୁ ପଡ଼ୁଥାନ୍ତା । ଭାରତବର୍ଷର ସବୁ ମଣିଷ ମଣିଷ ସଦୃଶ ଚେତନାଯୁକ୍ତ ହୋଇ ଯେପରି ଏଠି ସାମୂହିକ ଯାବତୀୟ ଉଦ୍ୟମରେ ସମାନ ସ୍ୱୀକୃତି ତଥା ସମ୍ମାନର ସହିତ ଏକତ୍ର ହୋଇ ପାରନ୍ତେ, ସେଥିଲାଗି ଏକ ଉପଯୁକ୍ତ infrastructure ଯୋଗାଇ ଦେବାପାଇଁ ସାହିତ୍ୟ ସମେତ ଆମ ଯାବତୀୟ କର୍ମୋଦ୍ୟମର ଏକ କ୍ରିୟାଶୀଳତା ଅବଶ୍ୟ ରହନ୍ତା । ଆଧୁନିକ ସାହିତ୍ୟର ମଧ୍ୟ ସେଥିରେ ଏକ ଭାଗ ରହନ୍ତା । ଯୁବ ସାହିତ୍ୟକମାନେ ଇଚ୍ଛାକଲେ ଏହି ସନ୍ଦର୍ଭରେ ଏକ ବିତର୍କ ଆରମ୍ଭ କରିଦେଇ ପାରନ୍ତେ । ଏଥିଲାଗି ଅବଶ୍ୟ ଅସୁବିଧା ବହୁତ ରହିଛି । ଯେଉଁ ସିଷ୍ଟମ୍‌ଟାକୁ ବର୍ଜନ କରି ଆସିଲେ ଯାଇ ଆମେ ଆମ ଚତୁର୍ଦ୍ଦିଗରେ ସୁସ୍ଥତା ଓ ଗତିଶୀଳତାର ନୂଆ ପରିମଳଟିଏ ସୃଷ୍ଟି କରି ପାରନ୍ତେ, ସେହି ସିଷ୍ଟମ୍‌ଟା ଦ୍ୱାରା ପାର ହେଉଥିବା ଲେଖକମାନେ କିପରି ସମୁଚିତ ମାର୍ଗଟିର କଥା ଆମକୁ କହିପାରିବେ ? ସାମନ୍ତମାନେ କିପରି ସାମନ୍ତବାଦୀ ଆବୁଗୁଡ଼ାକର ଶଲ୍ୟୋପଚାର ନିମନ୍ତେ ସହାୟକ ହୋଇ ବାହାରି ପାରିବେ ? କିନ୍ତୁ ଗୋଟିଏ କଥା ଭାରି ନିଃସନ୍ଦେହ ଭାବରେ କୁହାଯାଇ ପାରିବ ଯେ, ଯଦି ଅନ୍ତତଃ ଯୁବସାହିତ୍ୟକ ଗୋଷ୍ଠୀ ସତକୁ ସତ ଜାଗରୂକ ହୋଇ ପ୍ରହସନଗୁଡ଼ାକୁ ପ୍ରହସନ ବୋଲି କହିବାର ସାହିତ୍ୟିକ ସାହସଟିକୁ ଅର୍ଜନ କରିପାରନ୍ତା, ତାହା ଏହି ଓଡ଼ିଶାରେ ମଧ୍ୟ ମଣିଷମାନଙ୍କ ଲାଗି ଆଗକୁ ବହୁତ ପଥ ଖୋଳାଇ ଦେଇ ପାରନ୍ତା, ବହୁତର କ୍ଳୈବ୍ୟର ଅପସାରଣ ନିମନ୍ତେ ଏକ ଭିତ୍ତିଭୂମି ସମ୍ଭବ କରିଆଣନ୍ତା । ଯୁବସାହିତ୍ୟିକମାନେ ହୁଏତ ଏହି କାର୍ଯ୍ୟଟିକୁ କରିପାରନ୍ତେ । କିନ୍ତୁ ସେଥିଲାଗି ସେମାନଙ୍କୁ ସବାଆଗ ସାମନ୍ତବାଦୀ ଏହି ପରମ୍ପରାର ଘେର ଭିତରୁ ବାହାରିଯାଇ ସାବାଳକ ହେବାକୁ ପଡ଼ନ୍ତା ।

 

ସାହିତ୍ୟ–ସମାଚାର, ବାର୍ଷିକ ସଂଖ୍ୟା,

ମାର୍ଚ୍ଚ, ୨୩–୨୪, ୧୯୯୬

Image

 

ସାହିତ୍ୟ ପଥ

 

ଆମର ଏହି ପୃଥିବୀରେ ଅନେକ ମଣିଷ ଅଛନ୍ତି, ଯେଉଁମାନେ ସାହିତ୍ୟକୁ ତଥାପି ଏକ ପଥ ବୋଲି ଗ୍ରହଣ କରି ପାରନ୍ତି ନାହିଁ । ସମ୍ଭବତଃ ତାହାର ଏକ ମୂଳ କାରଣ ହେଉଛି ଯେ ସେମାନେ ନିଜର ଜୀବନକୁ ମଧ୍ୟ ଗୋଟାଏ ପଥ ମୋଟେ ଗ୍ରହଣ କରି ପାରି ନଥାନ୍ତି । ସେମାନେ ଜୀବନକୁ ସତେଅବା ଗୋଟାଏ ପଲଙ୍କ ପରି ଭାବନ୍ତି । ଖୁବ୍ ବେଶୀହେଲେ ଗୋଟିଏ ଭାରି ଉଞ୍ଚ ଡିହ ବୋଲି ଭାବନ୍ତି । ସେହି ପଲଙ୍କଟିକୁ ପାଇ ସେମାନେ ନିଶ୍ଵାଟାଏ ମାରି ରହିଯାଆନ୍ତି । ଉଞ୍ଚ ଡିହଟିକୁ ବାଡ଼ ଘେରାଇ ରଖନ୍ତି । ଚିହ୍ନା ଦେହଟିକୁ ଅଳଙ୍କାର ମଣ୍ଡାଇ ରଖନ୍ତି । ଚିହ୍ନା ବଜାରଟିକୁ ଏକବେଳକେ ସୁପର୍ ବଜାର ବୋଲି କହନ୍ତି । ଗୋଟାଏ ନିର୍ଦ୍ଦିଷ୍ଟ ଦେଶକୁ ପୁଳାଏ ମିଛ ଓ ପୁଳାଏ ମୋହ ଦେଇ ମାତୃଭୂମି ଅଥବା ପିତୃଭୂମି ବୋଲି କହନ୍ତି । ନାନାବିଧ ଅଫିମର ଯୋଗାଡ଼ କରିବାକୁ ମୋଟେ ବେଶୀ ଡେରି ଲାଗେନାହିଁ । ଅଫିମରୁ ଗଦ୍ୟ ଗଢ଼ାହୁଏ, ପଦ୍ୟ ବି ଗଢ଼ାହୁଏ । ଭାବର ଅଭାବ ମେଣ୍ଟାଇବା ସକାଶେ ଭାବପ୍ରବଣତା ଗୁଡ଼ାକୁ ଚୁପୁଡ଼ି ସେଥିରୁ ରୀତିର ଭିଆଣ କରାଯାଏ । ସେହି ରୀତିରେ ତାମ୍ବୂଳ ସେବନ ହୁଏ ଓ ସେହି ତାମ୍ବୂଳସେବନକୁ ହିଁ ଅସଲ ବସ୍ତ୍ରଟିର ଅଭାବରେ ସାହିତ୍ୟ ବୋଲି କୁହାଯାଏ ।

 

ଯେଉଁମାନେ ସାହିତ୍ୟକୁ ଏକ ପଥ ବୋଲି ନ ଭାବନ୍ତି, ସେମାନେ ତାହାକୁ ପ୍ରାୟ ସମ୍ପତ୍ତି ବୋଲି ଭାବିଥାନ୍ତି । ନିଜ ଜୀବନକୁ ଏକ ପରମା ସମ୍ପତ୍ ବୋଲି ନ ଭାବି ସେମାନେ ତାହାକୁ ସତେଅବା ଗୋଟାଏ ଘୁମ ଅଥବା ଗଡ଼ିଆ ବୋଲି ଭାବିଥାନ୍ତି କି କ’ଣ, ସେମାନେ ସାହିତ୍ୟକୁ ବି ଏକ ପିତୃଦତ୍ତ ସମ୍ପତ୍ତି ବୋଲି ଭାବି ସେହି ଘୂମ ଭିତରେ ଆଣି ପୂରାନ୍ତି ଅଥବା ସେହି ଗଡ଼ିଆ ଭିତରେ ଆଣି ସଢ଼ାନ୍ତି । ଅତୀତକୁ ହିଁ ଦୁହିଁଦାହିଁ ନାନା ଈର୍ଷା ଏବଂ ଉଗ୍ରତାର ବୋକଚାଟିଏ ତିଆରି କରି ତାହାକୁ ହିଁ ଭାଡ଼ିଉପରେ ସଜାଡ଼ି ରଖନ୍ତି ଓ ତାହାକୁ କେଡ଼େ ବଢ଼ିଆ ବ୍ୟଞ୍ଜନାରେ ସଂସ୍କୃତି ବୋଲି କହନ୍ତି । ସେମାନେ ଆପଣା ଘରେ ମଦପିଇ ମାତାଲ ହୋଇ ବସିଥାନ୍ତି । ଆମ ଅନେକଙ୍କ ପାଖରେ ଜୀବନ ଏବେ ମଧ୍ୟ ସତେଅବା ଗୋଟାଏ ବୋଝ ହୋଇ ରହିଛି ବା ଖୁବ୍ ବେଶୀହେଲେ ନାନା ସଶଙ୍କତା ଏବଂ ସତର୍କତା ଦ୍ଵାରା ବ୍ୟାକୁଳ ଓ ବହୁପ୍ରକାରେ ସଜ୍ଜିତହୋଇ ରହିଥିବା ଗୋଟାଏ ଗର୍ତ୍ତହୋଇ ରହିଛି । ଉପରେ ଆକାଶଟା କେତେ ନିର୍ଭର ଦେଇ ଆମକୁ ସମ୍ଭାଳିଧରି ରଖିଛି । ଗଛରେ ଫୁଲଗୁଡ଼ାକ ହୁଏତ ଅହରହ ଆମର ସଖ୍ୟ କାମନା କରି ଆମଲାଗି ଅପେକ୍ଷା କରି ବସିଛନ୍ତି । ଆମେ ହୁଏତ କେଉଁଦିନ ପଥକୁ ଚିହ୍ନିବା ଓ ପଥକୁ ବାହାରିବୁ ବୋଲି ଚଢ଼େଇମାନେ ଆମଲାଗି ଡେଣାଗୁଡ଼ାକୁ ସଜକରି ରଖିଛନ୍ତି । କିନ୍ତୁ ଆମ ଘରେ ତଥାପି ପହଡ଼ ପଡ଼ିଛି, ଆମର ଜନ୍ମଯନ୍ତ୍ରଣା ତଥାପି ଆରମ୍ଭ ହୋଇନାହିଁ ।

 

ସାହିତ୍ୟ କହିଲେ ଗୋଟାଏ ଜନସମୂହର ସାହିତ୍ୟକୁ ଅବଶ୍ୟ ବୁଝାଏ । ସାହିତ୍ୟ କହିଲେ ଗଦ୍ୟକୁ ବୁଝାଏ, ପଦ୍ୟକୁ ବୁଝାଏ; କବିତା ଉପନ୍ୟାସ ଓ ଆହୁରି କେତେ କ’ଣ ବିନ୍ୟାସକୁ ବି ବୁଝାଏ । ତଥାପି ସାହିତ୍ୟ କହିଲେ ସବାଆଗ ଓ ସର୍ବୋପରି ଏକ ପଥକୁ ବୁଝାଏ । ଏହି ଉପନୟନଟି ନ ହୋଇଥିବା ପର୍ଯ୍ୟନ୍ତ ଆମର ଯାବତୀୟ ଗଦ୍ୟ ଓ ପଦ୍ୟ, ସ୍ଵକୀୟ ଓ ପରକୀୟ ଏବଂ ଯାବତୀୟ ଅବଲମ୍ବନ ଓ ଅବଗୁଣ୍ଠନ ଏକ ବାଡ଼ପରି କାମ କରେ, ଏକ ଅଫିମପରି କାମ କରୁଥାଏ । ମଣିଷର ଜୀବନରେ ତା’ର ଅସଲ ଅନୁରାଗ ଗୁଡ଼ିକର ଅନ୍ଵେଷଣ ଓ ଅସଲ ଅନୁରାଗୁଡ଼ିକର ଉପଲବ୍ଧି ଯେତିକି ଅଧିକ କ୍ଷୀଣହୋଇ ଆସୁଥାଏ, ବୋଧହୁଏ, ତା’ଲାଗି ଅଫିମଗୁଡ଼ାକର ଆବଶ୍ୟକତା ସେତିକି ବୃଦ୍ଧି ପାଇବାରେ ଲାଗିଥାଏ । ଅଫିମଗୁଡ଼ାକୁ ଅନୁରାଗ ବୋଲି ଆଦରି ନେଇଥିବା ମଣିଷ ନିଜ ଭିତରେ ମଧ୍ୟ ଆଦୌ ବେଶୀଦୂର ଯାଇପାରେ ନାହିଁ । ତେଣୁ ଆପଣା ବାହାରେ ଅଥଚ ଆପଣାକୁ ଅଧିକ ପରିପୂର୍ଣ୍ଣତା ଯୋଗାଇ ଦେଇ ବିସ୍ତାରିତ ହୋଇ ରହିଥିବା ସମଗ୍ର ଓ ବୃହତ୍ତର ଜୀବନଟିକୁ ମଧ୍ୟ ସିଏ ଯଥାର୍ଥ ଭାବରେ ଚିହ୍ନି ପାରେନାହିଁ । ବାହାରର ସେହି ଜୀବନଟିକୁ ନେଇ ସିଏ ତତ୍ତ୍ଵ ଗଢ଼େ, ପଟାଳି ବାନ୍ଧେ, ଜାତି ବା ବର୍ଣ୍ଣର ନିରୂପଣ କରିବସେ । ସିଏ ପ୍ରତିଯୋଗିତାରେ ବାହାରେ ଓ କେତେ ମମତାରେ ସଢ଼ି ଆତୁର ଓ ଉଗ୍ରହୋଇ ରହିଥାଏ ସିନା, ମାତ୍ର ତଥାପି ବାହାର ସହିତ ତାହାର କୌଣସି ସେତୁ ସ୍ଥାପିତ ହୋଇ ରହିପାରେ ନାହିଁ । ସିଏ କୌଣସି ଏକାତ୍ମକତା ଅର୍ଜନ କରି ପାରେନାହିଁ ।

 

ସାହିତ୍ୟ ହେଉଛି ଏକ ଏକାତ୍ମକତା ଅର୍ଜନ କରିବାର ପଥ । ସବୁ ମଣିଷ ଆପଣାର ଦୁଆରଟିକୁ ଖୋଲି ପାରନ୍ତି ନାହିଁ । ସମସ୍ତେ ସଙ୍ଗାତ ବସି ପାରନ୍ତି ନାହିଁ । ମାତ୍ର ଯେଉଁମାନେ ପାରନ୍ତି, ସେହିମାନେ ହିଁ ସାହିତ୍ୟଲାଗି ସାହସ କରନ୍ତି, ସଙ୍ଗୀତ ଓ କଳା ଲାଗି ସାହସ କରନ୍ତି, ଯଥାର୍ଥ ବିଜ୍ଞାନଲାଗି ସାହସ କରନ୍ତି । ଗୋଟିଏ କଥାରେ କହିଲେ, ଉନ୍ମୋଚନ ଲାଗି ସାହସ କରନ୍ତି-। ସେମାନଙ୍କ ଭିତରେ ବାହାର ସର୍ବାଙ୍ଗଟା ଯାକ ଏଇଠି ଆତଯାତ ହେଉଥିଲେ ମଧ୍ୟ ସେମାନଙ୍କ ଡେଣାଗୁଡ଼ାକ କେତେ କେଉଁ ସ୍ଵପ୍ନମୟ ନୀଳିମା ଅର୍ଥାତ୍ ଏକ ସର୍ବନିକେତ ଆତ୍ମୀୟତା ମଧ୍ୟକୁ ବିସ୍ତୃତ ହୋଇ ରହିଥାଏ । ଆପଣାକୁ ପ୍ରସାରିତ ଓ ସମର୍ପିତ କରି ରଖିପାରିବାର କଳାଟିକୁ ସେମାନେ ଜୀବନ ବଞ୍ଚିବାର ସର୍ବପ୍ରଥମ କଳାବୋଲି ଗ୍ରହଣ କରି ନେଇଥାନ୍ତି । ସେମାନେ ଅନ୍ୟଏକ ଭୂଗୋଳ ଏବଂ ଅନ୍ୟଏକ ଇତିହାସ ମଧ୍ୟରେ ବିଚରଣ କରୁଥାନ୍ତି । ତେଣୁ ଆମର ତଥାକଥିତ ଭୂଗୋଳ ଓ ତଥାକଥିତ ଇତିହାସଜନିତ ବିବାଦଗୁଡ଼ାକ ସେମାନଙ୍କ ଅକଲ ଭିତରେ ମୋଟେ ଖାପଖାଇ ପାରେନାହିଁ ।

 

ସାହିତ୍ୟକୁ ପଥବୋଲି ଗ୍ରହଣ କଲେ, ମୁଖାଗୁଡ଼ାକ ସତେଅବା ଆପେଆପେ ଖସିପଡ଼େ । ମୁଖା ପିନ୍ଧିଥିବା ଲୋକମାନଙ୍କୁ ଦେଖି ଈର୍ଷା ହୁଏନାହିଁ ସତ, ତଥାପି ମୁଖାଗୁଡ଼ାକ ଲାଗି ମୋଟେ ଲୋଭ ବି ହୁଏନାହିଁ । ଆପଣା ପାଖରେ କୃପଣ ହୋଇ ରହି ଆସିଥିବା ମଣିଷ ମୁଖାଗୁଡ଼ାକୁ ଈର୍ଷାକରେ; କିନ୍ତୁ ଆପଣା ପାଖରେ ନୀତି ବାଟଚାଲିବାର ଜବାବ ଦେଇପାରୁଥିବା ମଣିଷ ପ୍ରାୟ ଧର୍ମତଃ ହିଁ କୃତ୍ରିମ ହୋଇ ପାରେନାହିଁ । ତା’ ଜୀବନର ନୈତିକତା ତାକୁ ଅନ୍ୟମାନଙ୍କଠାରୁ ଲୁଚାଇ ରଖିବାଲାଗି କଦାପି ଏକ ସାଧନାରୂପେ କାର୍ଯ୍ୟ କରେନାହିଁ । ତା'ର ସ୍ଵଭାବଟା ସତେଅବା ପାଖୁଡ଼ା ପାଖୁଡ଼ା ହୋଇ ଫୁଟିବାରେ ଲାଗିଥାଏ । ତେଣୁ କୃତ୍ରିମ ହେବାର ଆଦୌ କୌଣସି ଅବକାଶ ନଥାଏ । ଚାଲାଖ ହେବାର ଆଦୌ କୌଣସି ଅବକାଶ ନଥାଏ । ଚାଲାଖ ହେବାର ଆଦୌ କୌଣସି ପ୍ରୟୋଜନ ନଥାଏ । ତା' ସାହିତ୍ୟର ସହଜ ମାଧୁର୍ଯ୍ୟ ସର୍ବବିଧ ଚାତୁର୍ଯ୍ୟ ଅର୍ଥାତ୍ ଜୁଗୁପ୍‌ସାକୁ କୁଆଡ଼େ ଅତିକ୍ରମକରି ଚାଲି ଯାଇଥାଏ ।

 

ସାହିତ୍ୟପଥର ଶୈଳୀ କେବଳ ଗୋଟିଏ । ତାହା ହେଉଛି ଚାଲିଯିବାର ଶୈଳୀ, ସେତୁ ବାନ୍ଧିବାର ଶୈଳୀ, ଡୋର ଲଗାଇବାର ଶୈଳୀ,– ସ୍ପଷ୍ଟହୋଇ ଅଥଚ ସମ୍ପୂର୍ଣ୍ଣ ଆତ୍ମୀୟ ହୋଇ ଠିଆହୋଇ ପାରିବାର ଶୈଳୀ । ଅନେକ ଲୋକ ମେରୁଦଣ୍ଡକୁ ସିଧାକରି ଠିଆହୋଇ ପାରନ୍ତିନାହିଁ ବୋଲି ଆଶ୍ରାରୂପେ ବାଡ଼ିଟିଏ ଖୋଜନ୍ତି । ଠିକ୍ ସେହିପରି ଅନେକ ସାହିତ୍ୟିକ ବୁଲିଥାନ୍ତି । ଯାହାକୁ ତା’ ନିଜ ଜୀବନରେ, ତା’ର ଆଖିଭିତରେ ଓ ଡେଣା ଭିତରେ ଏକ ପଥ ମିଳି ଯାଇଥାଏ, ସିଏ କଦାପି ଆଗ ଶୈଳୀଟିଏ ଖୋଜି ଯିବା ଲାଗି ସାହିତ୍ୟର ଜାଗାଘରମାନଙ୍କୁ ଆଦୌ ମନ କରେନାହିଁ-। ତାର ପ୍ରଭାବସମୟ ପହଞ୍ଚିବା ମାତ୍ରକେ ହିଁ ତାକୁ ତା’ର ଶୈଳୀଟି ମଧ୍ୟ ମିଳିଯାଏ । ଏକାବେଳକେ ଠିକ୍ ଶୈଳୀଟି ମିଳି ଯାଇଥାଏ । ସିଏ ସବୁ ବଗିଚା ବୁଲିଥାଏ, ସବୁ ମହକକୁ ଚିହ୍ନି ଥାଏ, ତଥାପି, ସିଏ ନିଜେ ଯେତେବେଳେ ମାଳିହୋଇ ବାହାରେ, ସେତେବେଳେ ତା’ର ବଗିଚାଟି ସମସ୍ତଙ୍କ ଆଖିକୁ ସତେଅବା ଅନନ୍ୟ ହୋଇ ଦିଶେ, ଗୋଟାସୁଦ୍ଧା ନୂଆହୋଇ ଦିଶେ । ଯେତେବେଳେ ସିଏ ଫୁଟିବବୋଲି ସଜହୋଇ ବାହାରେ, ସେତେବେଳେ ସମ୍ପୂର୍ଣ୍ଣ ନୂତନ ଏକ ସୁଗନ୍ଧ–ସୌଦାଗର ସତେଅବା ଆମ ଚଉପାଢ଼ୀ ଉପରେ ଆସି ବସିଥିବାପରି ମନେ ହେଉଥାଏ ।

 

ସାହିତ୍ୟ ଯଥାର୍ଥରେ ଏକ ପଥ, ଏକ ଅନ୍ଵେଷଣ,– ଜୀବନକୁ ପରିପୂର୍ଣ୍ଣ ଭାବରେ ସୁନ୍ଦରକରି ଦେଖିବାଲାଗି ଅର୍ଥାତ୍ ପରିପୂର୍ଣ୍ଣ ଭାବରେ ଆପଣାର କରିପାରିବା ଲାଗି ସାହିତ୍ୟ ହେଉଛି ଏକ ସମଗ୍ରାଭିସାର । ଏହି ଅଭିସାରର ଜାତି ନାହିଁ, ଦେଶ ନାହିଁ, ଋତୁ ନାହିଁ କି ରୀତି ନାହିଁ-। ମାତ୍ର ଏକ ହୃଦୟ ଅବଶ୍ୟ ରହିଛି, ଏକ ଅଭୀପ୍‌ସା ଅବଶ୍ୟ ରହିଛି । ସେହି ଅଭିସାରଟିର ପଥରେ ଗୋଡ଼କାଢ଼ି ବାହାରିଯିବା ପରେ ଗଦ୍ୟ କି ପଦ୍ୟ ଆଉକିଛି ମନେ ରହେନାହିଁ । ଗୁରୁଜନମାନେ କୁଆଡ଼େ ମନ କୁଆଡ଼େ ପାସୋରି ଯାନ୍ତି । ପୃଥୁଳ ପୁରୁଣା ଦେହଗୁଡ଼ାକ ଆପେ ଆପେ ଆଡ଼େଇ ହୋଇ ଯାଆନ୍ତି । ପୁରୁଣା ଦିଅଁଗୁଡ଼ାକ ବାଟରୋଧି ବସିବାକୁ ଆଉ ସାହସ ବି କରିପାରନ୍ତି ନାହିଁ । ପୁରସ୍କାରଗୁଡ଼ାକ ଲାଜରା ହୋଇ ରହି ଯାଆନ୍ତି । ରାଜାମାନଙ୍କର ଆଣ୍ଟ ଭାଙ୍ଗେ-। ସେତେବେଳେ କେବଳ ଏକ ସଲଜ୍ଜା ନିବେଦନ ଆକାଙ୍‌କ୍ଷା ହିଁ ଆପଣାର ସମ୍ମିଳନ ସୂତ୍ରଗୁଡ଼ାକୁ ସଜାଡ଼ିବାରେ ଲାଗିଥାଏ ଓ ଏକାବେଳକେ ଚିହ୍ନା ପରି ଦେଖା ଯାଉଥିବା କେଉଁ ଅନୁପଲବ୍ଧି ପାଖରେ ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଦେଇ ଦେବାଲାଗି ହିଁ ପ୍ରସ୍ତୁତ ହେଉଥାଏ ।

 

ଏହି ପଥର ଶେଷରେ ପ୍ରକୃତରେ କେଉଁଠି କିଛି ନାହିଁ ବୋଲି କହି ବାରିକମିସ୍ତ୍ରୀ ବିଭାଗର ଅଭିଯନ୍ତାମାନେ କେତେ ଆକଟରେ କେତେ ମନା କରିବାକୁ ଆସନ୍ତି । ସାହିତ୍ୟସଭାର ଥୋବରା ଫଟୋଗୁଡ଼ାକ ତଳେ ମଲେ ଫଟୋ ହୋଇ ରହିବାର ଉତ୍ତୁଙ୍ଗ ଅଭିଳାଷ ରଖିଥିବା ଶୃଙ୍ଗାରୀ ଏବଂ ପ୍ରତିହାରୀମାନେ କେତେ ବାରଣ କରୁଥାନ୍ତି । ତଥାପି ପଥଟି ପ୍ରଶସ୍ତ ହୋଇ ପଡ଼ି ରହିଥାଏ ଓ ତାହାରି ଉପରେ ବାଟ ଚାଲିବାକୁ ବ୍ରତରୂପେ ଗ୍ରହଣ କରିଥିବା ଜଣେ ଜଣେ ମଣିଷ କେଡ଼େ ବିଶ୍ଵାସର ସହିତ ଅଗ୍ରସର ହୋଇ ଯିବାର ଲାଗିଥାନ୍ତି ।

 

–ଜନପଥ, ଏପ୍ରିଲ–ଜୁନ୍, ୧୯୮୦

Image

 

Unknown

ଏବର ସାହିତ୍ୟ : ଆଗାମୀ ସାହିତ୍ୟ

 

ଭାରତବର୍ଷ ସ୍ଵାଧୀନତା ଲାଭକଲାର ପଚାଶବର୍ଷ ପରେ ଯେମିତି ଗୋଟିଏ ମନୁଷ୍ୟସମୂହ ହିସାବରେ ଆମେ କେତେଦୂର କ'ଣ କଲୁ ଅଥବା କ'ଣ ହେଲୁର ଆଲୋଚନା ହେଉଛି, ଠିକ୍ ସେହିପରି ଆମ ସାହିତ୍ୟର ମଧ୍ୟ ଏକ ଆଲୋଚନା ବେଶ୍ କରାଯାଇ ପାରିବ । କେତେକ ଆପତ୍ତି ରହିଥିଲେ ଆମ ଭିତରୁ କେହି ଏହାକୁ ଆଧୁନିକ ସାହିତ୍ୟ ବୋଲି ହୁଏତ କହି ନପାରନ୍ତି, ମାତ୍ର ତାହାକୁ ସାଂପ୍ରତିକ ବୋଲି କହିବାରେ କେହି ଆଦୌ ଆପତ୍ତି କରିବେ ନାହିଁ । ଗତ ଶହେବର୍ଷ ମଧ୍ୟରେ ଆମର ସାମାଜିକ ଦୃଷ୍ଟି ଏବଂ ସମାଜ ଆଧୁନିକ ହୋଇ ପାରିଥାନ୍ତା । ଏବଂ ସେହି ଅନୁସାରେ ଆମର ସାହିତ୍ୟ ମଧ୍ୟ ଏକ ଉପଯୁକ୍ତ ଗଢ଼ି ଆଣିବାରେ ସହାୟତା କରିଥାନ୍ତା । ଭାରତବର୍ଷ ସ୍ଵାଧୀନ ହେବା ଆଗରୁ ଭାରତୀୟ ସାହିତ୍ୟ ମୁଖ୍ୟତଃ ସ୍ଵାଧୀନତା ପାଇଁ ଲାଗିଥିବା ବିଶେଷ ସଂଗ୍ରାମଟି ଅପେକ୍ଷା ତାହା ଯାବତୀୟ ଅର୍ଥରେ ଅଧିକ ବ୍ୟାପକ ଥିଲା । ତେଣୁ, ଏକାଧିକ ଦୃଷ୍ଟିରୁ ତାହାକୁ ଏକ ନବଜନ୍ମ, ନୂଆ ସ୍ଵପ୍ନ ଓ ନବ ନବ ସଂକଳ୍ପ ଯୁଗ ବୋଲି କୁହାଯାଇ ପାରିବ । ମଣିଷକୁ ମୂଳରେ ରଖି ଏକ ପୂର୍ଣ୍ଣାଙ୍ଗ ଉଦ୍‌ବେଳନର ଯୋଜନା ଏବଂ ଦ୍ୟୋତନା ଭାରତବର୍ଷର ଇତିହାସରେ ସତେଅବା ସର୍ବପ୍ରଥମ ଥର ନିମନ୍ତେ ଏଠି ସେହି ଘଟଣାଟି ଘଟିଲା । ସମାଜ ଅନ୍ୟଭଳି ହେବ, ଶିକ୍ଷାଦ୍ଵାରା ମଣିଷ ଗଢ଼ାହେବ, ଯୁଗଯୁଗରୁ ରହି ଆସିଥିବା ଭେଦଗୁଡ଼ିକ ଦୂର ହୋଇଯିବ । ଏହି ସବୁକିଛିକୁ ଆମର ତତ୍କାଳୀନ ରାଜନୀତିକ ସଂଗ୍ରାମର ଅବଶ୍ୟ ଗୋଟିଏ ଗୋଟିଏ ଅଂଶ ବୋଲି କୁହାଯିବ ସିନା, ତଥାପି ସେଗୁଡ଼ିକ ବିଷୟରେ ଆମର ଯେକୌଣସି ସମୀକ୍ଷଣରେ ଆମେ ସେଗୁଡ଼ିକ ବିଶେଷ ବ୍ୟାପକତାମାନ ଦେଇ ଅବଶ୍ୟ ବିଚାର କରି ପାରିବା । ଭାରତୀୟ ସାହିତ୍ୟରେ ସତେଅବା ପ୍ରଧାନତଃ ସେହି ପ୍ରବୃତ୍ତି ହିଁ ବଢ଼ି ବଢ଼ି ଯାଉଥିଲା । ମାତ୍ର, ଭାରତବର୍ଷ ସ୍ଵାଧୀନତା ଲାଭ କରିବାପରେ ଯାଇ ଏହିସବୁ ଅନ୍ୟ ଚିତ୍ରଗୁଡ଼ିକୁ ସମ୍ମୁଖରେ ରଖି ଆମ ସାମୂହିକ ଜୀବନରେ ପ୍ରକୃତରେ କିଛି ଗଢ଼ି ଦେଖାଇ ଦେବାର ଅସଲ ବେଳଟି ଯାଇ ଯେ ଆସିବ, ସେକଥା ସମସ୍ତେ ଅନୁଭବ କରୁଥିଲେ । ସେମାନେ ଠିକ୍ ଅନୁଭବ କରୁଥିଲେ ।

 

ସ୍ଵାଧୀନତା ପରବର୍ତ୍ତୀ ପଚାଶ ବର୍ଷରେ ଆମର ଓଡ଼ିଶା ନାମକ ଏହି ଘରଟିରେ ଲେଖା ଓ ଛପା ହୋଇଥିବା ସାହିତ୍ୟକୁ ଯଦି ଏବର ସାହିତ୍ୟ ବୋଲି କୁହାଯାଏ, ତେବେ କାଳକ୍ରମେ ସେଇଟି କେଉଁଭଳି ବ୍ୟୂହମାନଙ୍କରେ ପଶିଲା ଓ ଆପଣାର କେଉଁଭଳି ପରିଚୟଟିଏ ଦେବାକୁ ଇଚ୍ଛାକଲା, ସେହି କଥାଟିର ମଧ୍ୟ କିଞ୍ଚିତ୍ ଆଲୋଚନା କରାଯାଇ ପାରିବ । ଏହି ପଚାଶବର୍ଷରେ ସାହିତ୍ୟର ଯେଉଁ ବିଶେଷ ଚେହେରାଟି ଅଳ୍ପବହୁତ ପ୍ରତିନିଧିମୂଳକ ଭାବରେ ଆମ ସମକ୍ଷରେ ଆସି ଛିଡ଼ା ହୋଇଛି, ଅନେକ ଆଲୋଚନାରେ ତାହାକୁ ଆଧୁନିକ ବୋଲି କୁହାଯାଉଛି । ଗୋଟିଏ ଆଧୁନିକ ଯୁଗ କବିବର ରାଧାନାଥଙ୍କ ଠାରୁ ଆରମ୍ଭ ହୋଇଛି । ତା'ପରେ ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକୁ ସତେଅବା ଆମ ସ୍ଵତନ୍ତ୍ର ହିସାବଟି ଅନୁସାରେ ଆମେ ସତ୍ୟବାଦୀ ଯୁଗ, ସବୁଜ ଯୁଗ ଆଦି ନାମ ଦେଇ ଥୋଇଦେବାକୁ କ'ଣ ପାଇଁ ଅଧିକ ସମୀଚୀନ ମନେ କରିଛୁ ଓ ଆଧୁନିକ କହିଲେ କ୍ରମେ ଅଧିକରୁ ଅଧିକ ନିଶ୍ଚିତ ଭାବରେ ଗତ ପଚାଶବର୍ଷର ସାହିତ୍ୟକୁ ବୁଝିବାକୁ ଠିକ୍ ବୋଲି ଭାବୁଛୁ, ଏଠାରେ ଆମେ ସେହି ଗଳିଟି ଭିତରେ ପଶିବାକୁ ଆଦୌ ଚେଷ୍ଟା କରିବା ନାହିଁ । ସମ୍ଭବତଃ, ଏତିକି କହିଲେ ଯଥେଷ୍ଟ ହେବ ଯେ, ଯେଉଁ ଇଉରୋପୀୟ ସଂକ୍ରମଣଟି ବାଜି ଆମର ଏଠାରେ ଏକ ଆଧୁନିକତାବାଦୀ ହାୱା ଆମ ଗଡ଼ିଆଗୁଡ଼ିକରେ ଆସି ପ୍ରବେଶ କରିଥିଲା, ଆମର ତତ୍କାଳୀନ ପୁରୋଗାମୀବୃନ୍ଦ ସେଇଟି ସହିତ ବସ୍ତୁତଃ କେତେ ବା ପରିଚିତ ହୋଇଥିଲେ । କବିବର ରାଧାନାଥ ଇଉରୋପୀୟ କାବ୍ୟମାନଙ୍କରୁ ନିଜ କାବ୍ୟଗୁଡ଼ିକୁ ଏକ କଙ୍କାଳ ଦେବା ସକାଶେ ସମ୍ଭବତଃ କିଛି ପାଳ କିମ୍ବା ମାଟି ମାଗି ଆଣିଥିଲେ; ମାତ୍ର ତାଙ୍କର ସାହିତ୍ୟରେ ଆଉ କ’ଣ ସବୁ କେତେ ରହିଥିଲା, ଯାହାକୁ ଆମେ ବିବେକର ସହିତ ସେହି ସଂକ୍ରମଣର ପ୍ରଭାବ ବୋଲି କହିପାରିବା ? ସେତେବେଳେ ଆଧୁନିକତା ନାମରେ ଓଡ଼ିଶାକୁ ଯାହାକିଛି ଆସୁଥିଲା, ତାହା କଲିକତାରୁ ହିଁ ଆସୁଥିଲା ଓ ଆସିବାର ଏହିଭଳି ପ୍ରକ୍ରିୟାଟି ଦ୍ଵାରା ବେଶ୍ ଅବମିଶ୍ରିତ ବି ହୋଇ ଯାଉଥିଲା ।

 

ମାତ୍ର, ଅପର ପକ୍ଷରେ, ସ୍ଵାଧୀନତା ପରବର୍ତ୍ତୀ ଏହି ଯେଉଁ ଦ୍ଵିତୀୟ ଆଧୁନିକ ଯୁଗଟି ଆସି ଓଡ଼ିଆ ସାହିତ୍ୟର ଖାତାରେ ଆପଣାକୁ ପଞ୍ଜୀକୃତ କଲା, ତାହାର ଭାଗୀରଥମାନେ ଏକାବେଳକେ ଅନ୍ୟ ଧାତୁର ଥିଲେ । ସେମାନେ ଇଂରାଜୀରେ ପ୍ରବୀଣ ଥିଲେ । ଇଂରାଜୀ ନାମକ ଗୋଚରରେ ଚରିବୁଲି ଶାବ୍ଦିକ କଳ୍ପନାର ପୃଷ୍ଟିଗୁଡ଼ିକୁ ସଂଗ୍ରହ କରି ସେମାନେ ଦୁହାଁ ହେବାର ଏକ ସଉକରେ ଆମ ସାହିତ୍ୟର ଗୁହାଳ ଭିତରେ ଆସି ପହଞ୍ଚି ଯାଇଥିଲେ । ଓଡ଼ିଆ ସାହିତ୍ୟ କହିଲେ ରାଧାନାଥଙ୍କର ସମୟଠାରୁ ସେମାନଙ୍କ ଯାଏ ଯେତିକି ବହିକୁ ବୁଝାଉଥିଲେ, ସେଗୁଡ଼ିକୁ ଡେଇଁ ଆହୁରି ପଛକୁ ଯିବାର ଅବକାଶ ନଥିଲା । ସାରଳା ଦାସ, ପଞ୍ଚସଖା, ଭୀମ ଭୋଇ, ବ୍ରଜନାଥ ବଡ଼ଜେନା ସେମାନେ ସମସ୍ତେ ଗାଁ ଗଣ୍ଡାରେ ଥିଲେ, ହୁଏତ ଆମ ବୋଉମାନଙ୍କର ପେଡ଼ୀରେ ଥିଲେ । ମାତ୍ର ସାମ୍ପ୍ରତିକର ଖୁଣ୍ଟ ଭାବରେ ଆଦୌ କାମରେ ଲାଗି ପାରିଲେ ନାହିଁ । ଆଗ ଚେରଟିଏ ନଖୋଜି ସମସ୍ତେ ଭେଶଗୁଡ଼ାକୁ ସର୍ବସାର ବୋଲି ମଣିଲେ ପରିଣାମ ଯାହା ହୁଏ, ତାହା ହିଁ ହେଲା-। ଏହି ଆଧୁନିକର ପାଉଡ଼ର ବୋଳିହୋଇ ଯେଉଁମାନେ ସାହିତ୍ୟ କରିବାକୁ ବାହାରିଲେ, ସେମାନଙ୍କ ଭାଷା ଭିନେ ଥିଲା, ଭାବନା ବି ଭିନେ ଥିଲା । ବହି ପରେ ବହି ଜମା ହୋଇଗଲେ, ପ୍ରତିବର୍ଷ ଆଗ ତୁଳନାରେ କୁଢ଼ କୁଢ଼ ବହି ଛାପା ହେଲା । ଓଡ଼ିଆ ସାହିତ୍ୟ ରେ ସତେଅବା ଗୋଟାଏ ଘୋଷଯାତ୍ରାର ଯୁଗ ଆସି ପହଞ୍ଚିଲା ବୋଲି ପ୍ରତୀତି ଦିଆଗଲା । ଭଳି ଭଳି ମଣିଷମାନେ ସାହିତ୍ୟ ଭିତରକୁ ଆସିଲେ । ଆଗକୁ ପ୍ରାୟ ପାରମ୍ପରିକ ଭାବରେ ସାହିତ୍ୟକୁ ହୁଏତ ଏକ ସମର୍ପଣର କ୍ଷେତ୍ର ବୋଲି ଅନୁଭବ କରାଯାଉଥିଲା ସିନା, ଏଣିକି କବି ଓ ଲେଖକମାନେ ସତେଅବା ନିଜ ନିଜ ସିଂହାସନର ଅନ୍ଵେଷଣରେ ମୃଗୟାର କାଇଦାରେ ସାହିତ୍ୟ ଭିତରେ ଆସି ପହଞ୍ଚିଲେ । ଭାରତବର୍ଷ ସ୍ଵାଧୀନ ହେବା ପରେ ଏଠି କଲେଜମାନଙ୍କର ସଂଖ୍ୟା ବଢ଼ିଲା । ସ୍ଵାଧୀନ ଭାରତରେ ଶିକ୍ଷା ଏବଂ ଉଚ୍ଚଶିକ୍ଷାର ସ୍ୱରୂପ କିଭଳି ହେବା ଉଚିତ୍, ସେହି ବିଷୟରେ କୌଣସି ସର୍ବସମ୍ମତ ନ୍ୟୁନତମ ଚିତ୍ର ସ୍ଥିର ହେବା ପୂର୍ବରୁ, ଆଗକୁ ଏସବୁ ଯେଉଁଭଳି ଥିଲା, ତାହା ପାଞ୍ଚଗୁଣ ବା ଦଶଗୁଣ ହେବାର ଏକ ଗଉଁରେ ଏହି ସଂଖ୍ୟାବୃଦ୍ଧି ଘଟିଛି । ନୂତନ ଭାରତର ଶିକ୍ଷା ଅଧ୍ୟାପକକୁ ପ୍ରକୃତରେ ଏକ ବୃହତ୍ ଆହ୍ଵାନ ପରି ଆସି ସଂଶ୍ଳିଷ୍ଟ କରି ନେଇଥାନ୍ତା । ତାହା ଘଟିଲା ନାହିଁ-। ଅନେକେ ବିକଳ୍ପ ଖୋଜି ସାହିତ୍ୟ ଭିତରକୁ ଆସିଲେ । ଏକ ନୂଆ ପୁଲକ ପାଇ ସତେଅବା ଏକ କ୍ଷତିପୂରଣ ନିମନ୍ତେ ସାହିତ୍ୟ ଭିତରେ ପଶିଲେ । ପ୍ରବନ୍ଧକାରମାନେ ପିଲାଙ୍କୁ ପାଠ ପଢ଼ାଉଥିବା ପରି ପ୍ରବନ୍ଧ ଲେଖାଗଲା । ସମୀକ୍ଷା ମରିଗଲା । ସମୀକ୍ଷା ମରିଯିବାରୁ ଗପ ଓ କବିତା, ଉପନ୍ୟାସ ଓ ନାଟକମାନେ ମଧ୍ୟ ମୁଖ୍ୟତଃ ଆତସବାଜିରେ ପରିଣତ ହୋଇଗଲେ । ଭିତରେ ପୁରା ଫମ୍ପା, ମାତ୍ର ଉପରେ ଶୈଳୀ ଓ ଶବ୍ଦକୁ ନେଇ ବହୁ ଆଡ଼ମ୍ବର ସବୁକିଛି ତାମସା ପରି ମନେହେଲା-

 

ସ୍ଵାଧୀନ ଭାରତରେ ସାମୂହିକ ସକଳ କ୍ଷେତ୍ରରେ ନେତୃତ୍ଵ କ୍ରମେ ଖଲେଇବାକୁ ଆରମ୍ଭ କଲା । କଥାମାନ ସାମ୍ୟବାଦୀ ହେଉ ହେଉ populist ହୋଇଗଲା । ପ୍ରତିଶ୍ରୁତିମାନ ପାସୋରି ଗଲେ । ନେତାମାନେ ନିଜ ମଞ୍ଜଭିତରେ ସାମନ୍ତବାଦୀ ହେଲେ । ନିଜର ଜୀବିକାକୁ ଟାଣ କାଲେ । ଅମଲାତନ୍ତ୍ରରେ କୌଣସି ପରିବର୍ତ୍ତନ ହେଲାନାହିଁ । ଗୋଲାମମାନେ ହିଁ ଫକୀରମୋହନଙ୍କର ଚମ୍ପା ପରି ସବୁଠାରୁ ଅଧିକ ଚହଟଚିକ୍କଣ ଦିଶିଲେ । ସ୍ଵପ୍ନମାନଙ୍କୁ ଭଙ୍ଗୁର କରିଦେଲେ । ଏକ ନିରକ୍ଷର ଓ ଦରିଦ୍ର ଦେଶରେ ସତେଅବା ଆଉ କେଉଁଠାରୁ ବର ପାଇ ଆସିଥିବା ଭାଲୁମନଙ୍କ ପରି ଦେଖାଗଲେ । ସେମାନେ ଲୋକଙ୍କର ଭାଷାରେ କଥା କହି ପାରିଲେ ନାହିଁ । ଅଥଚ ଲୋକଶିକ୍ଷା ତଥା ଲୋକ–ଉନ୍ନୟନର ଯାବତୀୟ ବ୍ୟବସ୍ଥା ସେହିମାନଙ୍କର ଦପ୍ତରରୁ ହେଲା । ସେମାନଙ୍କର ଦରବାର ବଢ଼ିଲା, ସରକାର ସବାଆଗ ସେଇମାନଙ୍କ କଥା ବୁଝିଲେ ବୋଲି ସତେଅବା ସତ୍ୟ କରି ପକାଇଥିବା ପରି ଲାଗିଲା । ଶହେରେ, ମାତ୍ର ଦୁଇଜଣ ମଣିଷ ବାକି ଅଠାନବେଙ୍କର ଭାଗ୍ୟବିଧାତା ହୋଇ ରହିବେ, ଏହାକୁ ଆପଣ ପ୍ରକୃତରେ କେଉଁ ତନ୍ତ୍ର ବୋଲି କହିବେ ? ଯଦି ସେମାନଙ୍କୁ ଅର୍ଥାତ୍ ସେହି ଦୁଇଜଣଙ୍କୁ ଅଠାନବେଙ୍କ ସହିତ ଏକାଠି ବସାଇ ଏମାନେ ସମସ୍ତେ ଗୋଟିଏ ଦେଶର ନାଗରିକ ବୋଲି କୁହାଯିବ, ତେବେ ସେମାନେ ଭାରି ଅପମାନିତ ବୋଧ କରିବେ । ଅଥଚ, ସେହିମାନଙ୍କୁ ହିଁ ଏଠି ସବୁଠାରୁ ବେଶୀ ମର୍ଯ୍ୟାଦା ଦିଆଯାଇଛି ଏବଂ ସେମାନେ ଏହି ଦେଶରେ ବାକୀଙ୍କର ଦୁଃଖ ଦୂର କରିବେ ବୋଲି ମୁତୟନ କରି ରଖାଯାଇଛି । ଆଧୁନିକ ସାହିତ୍ୟର ରସିକମଣ୍ଡଳୀରେ ଦେଶରେ ସେହିମାନଙ୍କୁ ଦେଖିବାକୁ ମିଳିବ । ଗୋଟାଏ ଅସମାନ ସମାଜରେ ଅନେକ ମଣିଷଙ୍କୁ ପ୍ରତାରିତ ଏବଂ ଅଧିକାର–ବିଚ୍ୟୁତ କରି ରଖିଥିବା ବହୁ ଔଦ୍ଧତ୍ୟ ମଧ୍ୟରେ ବିଚରା ଆଧୁନିକ ସାହିତ୍ୟ ବାବୁମାନଙ୍କୁ ଆଶ୍ରାକରି ରହିବା ବ୍ୟତୀତ ହୁଏତ କୌଣସି ବାଟ ହିଁ ପାଇ ପାରିଲାନାହିଁ । ବର୍ତ୍ତମାନ ଓଡ଼ିଆ ସାହିତ୍ୟକୁ ସିଧା ସିଧା ଟେକି ନେଇ ବିଶ୍ଵ ଦରବାରରେ ପରିଚିତ କରାଇବା ନିମନ୍ତେ ସରକାର, ବିଶ୍ଵବିଦ୍ୟାଳୟ ଘୋର ଉଦ୍ୟମମାନ କରୁଛନ୍ତି । ସେହି ଉଦ୍ୟମର ସରଳ ସାରାଂଶ ହେଉଛି, ଏଣିକି ଓଡ଼ିଆଭାଷାରେ ଲେଖା ହୋଇଥିବା ବା ହେଉଥିବା ଦ୍ରବ୍ୟମାନ ଇଂରାଜୀରେ ଅନୁବାଦ ହେବ ଓ ସେଥିଲାଗି ହାତଖୋଲି ପଇସା ବି ଖରଚ କରାଯିବ । ଏହାଦ୍ୱାରା ଯେଉଁମାନେ ଆମ ଭିତରୁ ଉପରେ ଉପରେ ଉଡ଼ୁଛନ୍ତି, ସେମାନେ ଆହୁରି ଉପରକୁ ଉଡ଼ି ପାରିବେ । ତଳଟା ସେମିତି ତଳ ହୋଇ ରହିଥିବ । ସମାଜର ଅଧିକ ମଣିଷଙ୍କ ପାଇଁ ସାହିତ୍ୟ, ସଂସ୍କୃତି ଅପହଞ୍ଚ ହୋଇ ରହିଥିବ । ସେମାନଙ୍କୁ ଶିକ୍ଷାର ସର୍ବନିମ୍ନ ପଂକ୍ତିକୁ ଆଣିବାର ବିବିଧ କାର୍ଯ୍ୟକ୍ରମରେ ଆମ ହାକିମମାନେ ଯେ ପ୍ରାୟ ଜାଣିଶୁଣି ଉଦାସୀନତା ଦେଖାଉଛନ୍ତି, ସେଇଟି ପଛରେ ଏହିପରି କୌଣସି କାରଣ ପ୍ରଚ୍ଛନ୍ନ ହୋଇ ରହିଛି କି ? ସମାଜରେ ମଣିଷମାନଙ୍କ ଆଖି ନଖୋଲିଲେ ସାହିତ୍ୟଟା ଯେ କୋଉବାଗିଆ ଆଧୁନିକ ହୋଇ ପାରିବ, ଅନ୍ତତଃ ସେହି କଥାଟିକୁ ନେଇ ଏଠାରେ ଏକ ବିତର୍କ ହୁଅନ୍ତା କି !

 

ଗତ ପଚାଶ ବର୍ଷର ସାହିତ୍ୟ ସେହି ଯାବତୀୟ ବିଡ଼ମ୍ବନାର ପ୍ରତିବାଦ କରିଥାନ୍ତା । ତାହା ସବୁମନ୍ତେ ବିଚାର କରି ଦେଖିଲେ ମଣିଷମାନଙ୍କ ପଟେ ରହିଥାନ୍ତା । ଅନ୍ୟାୟ, ଉପେକ୍ଷା ଓ ଉଦାସୀନତାର ପ୍ରତିବାଦ କରିଥାନ୍ତା । ଏଠି ଅଧିକରୁ ଅଧିକ ଉପଦ୍ରବୀ ହେବାରେ ଲାଗିଥିବା ଶାସନ ତଥା ସ୍ଵାର୍ଥ୍ୟମାନଙ୍କୁ ଚ୍ୟାଲେଞ୍ଜ କରିପାରିଥାନ୍ତା । ମାତ୍ର, ଆମ ଭଦ୍ରଲୋକମାନେ କିପରି ତାହା କରିପାରିଥାନ୍ତେ ? ତେଣୁ, ଏଣିକି ଅନୁକରଣଟା ହିଁ ଅଧିକ ହେଲା ଏବଂ ସେହି ଅନୁକରଣକାରୀମାନଙ୍କର ଏକ ସାଆନ୍ତିଆ ସଭାରେ ହିଁ ସାହିତ୍ୟ ପରିଣତ ହୋଇଗଲା । ଗପରେ, କବିତାରେ, ନାଟକରେ ଆମର ନୂଆ ସାହିତ୍ୟକାରମାନେ ନିଃସଙ୍ଗତାର କଥା କହିଲେ । ନୂତନ ଯୁଗଟିଏ ଆସିବାଦ୍ଵାରା ମଣିଷମାନେ କିପରି ଏକାକୀ ହୋଇ ଯାଉଛନ୍ତି, ସତେଅବା ତେଣିକାର କୋଉ ଜ୍ୟାମିତି ବହିରୁ ଉପପାଦ୍ୟଗୁଡ଼ିକୁ ଆଣି ଏଠି ଆମ ସାହିତ୍ୟରେ ଅନୁସିଦ୍ଧାନ୍ତମାନ ବାହାର କରାଗଲା । ହଁ, ଦ୍ଵିତୀୟ ମହାଯୁଦ୍ଧ ପରେ ଇଉରୋପ ବା ଆମେରିକାରେ ଅବଶ୍ୟ ସାମୟିକ ଭାବରେ ଏକ ଅରାଜକତାବୋଧ ଆସିଥିଲା ଏବଂ ସାହିତ୍ୟିକମାନେ ମୂଳତଃ ତାହାରି କଥା କହୁଥିଲେ । ସେଠାରେ ତାହାକୁ ବୁଝି ହେଉଥିଲା । ମାତ୍ର, ଦେଶଗୁଡ଼ିକରେ ପୁନନିର୍ମାଣ ହୋଇଆସିବା ସଙ୍ଗେ ସଙ୍ଗେ ଇଉରୋପ ସେହି ଆଚ୍ଛନ୍ନ ଅବସ୍ଥାଟିକୁ ପାରି ବି ହୋଇଗଲା ଓ ଆପଣାର ଭାବଗତ ମୂଳଦୁଆଗୁଡ଼ିକୁ ପୁନର୍ବାର ଫେରିପାଇଲା । ଉପନିବେଶମାନେ ଭାଙ୍ଗି ପଡ଼ିଲା ପରେ ସେଠି ଦେଶମାନେ ଆପଣାକୁ ଏକ ନୂଆ ଛାଞ୍ଚରେ ସଜାଡ଼ି ନେଇ ପାରିଲେ, ଇଉରୋପୀୟ ଧର୍ମକୁ ଆଗରୁ ଗିଳି କରି ରହିଥିବା ମିଶନାରୀବାଦ ମଧ୍ୟ ଏକ ନୂତନ ସୋପାନକୁ ଉଠି ଅଧିକ ଗ୍ରହଣଶୀଳ ହେଲା । ଅର୍ଥନୀତି, ସମାଜବିଜ୍ଞାନ, ମନୋବିଜ୍ଞାନ, ଓ ନୃତତ୍ତ୍ଵବିଜ୍ଞାନ ସେଠି ଜିଜ୍ଞାସୁମାନଙ୍କୁ ନାନା ନୂତନ ପ୍ରସ୍ଥରେ ଅଗ୍ରସର ହେବାଲାଗି ବିଶ୍ଵାସ ଆଣିଦେଲା । ମାତ୍ର, ଭାରତବର୍ଷରେ ଯାବତୀୟ ବିଦ୍ୟା ଓ ଚର୍ଚ୍ଚା ପ୍ରାୟ ସେହି ଅନୁକରଣର ଧ୍ଵଜଭଙ୍ଗୀ ସ୍ତରରେ ଅଟକି ରହିଗଲା କାହିଁକି ? ଏକ ନବସ୍ଵାଧୀନ ଦେଶରେ ଯେତେଯେତେ ଆହ୍ଵାନ ଏଠାରେ କୋଟି ସଂଖ୍ୟାର ମଣିଷଙ୍କୁ ସମ୍ପୃକ୍ତ କରି ସମ୍ମୁଖରେ ଆସି ଦଣ୍ଡାୟମାନ ହେବାକୁ ଆସିଲେ, ଆମ ଅମଲାତନ୍ତ୍ର ସେଗୁଡ଼ିକୁ ଦେଖି ମଧ୍ୟ ଯେ ଘାଲେଇ କରି ରହିଗଲା, ସେକଥାଟିକୁ ସିନା ତଥାପି ବୁଝିହେବ, ମାତ୍ର ସାହିତ୍ୟ ମଧ୍ୟ କ'ଣ ପାଇଁ ପଛଘୁଞ୍ଚା ଦେଲା ? ନିଜକୁ ବ୍ୟାଧିତ କରି ରଖି କେତେ କେତେ ମିଛ ବ୍ୟାଧିର କଥା କହିଲା,–ଆମକୁ ଭୀରୁ ହୋଇ ଶିଖାଇଲା ?

 

ଭୀରୁମାନେ, ଗୋଲାମମାନେ ଅବସ୍ଥାଚକ୍ରରେ ସାହିତ୍ୟକୁ ଅଧିକାର କରିନିଅନ୍ତି ସତ, ମାତ୍ର ସାହିତ୍ୟ କଦାପି ଭୀରୁମାନଙ୍କର ବା ଗୋଲାମମାନଙ୍କର ସ୍ଵଧର୍ମ ହୋଇ ପାରିବ ନାହିଁ । ଆମ ସାମୂହିକ ଜୀବନର ଧର୍ମାବତାରମାନେ ସମ୍ପ୍ରତି ପ୍ରାୟ ସେହିପରି ଏକ ସ୍ଥିତିରେ ଅଛନ୍ତି, ଏକଦା କବି ଗଙ୍ଗାଧର ମେହେର ସେମାନଙ୍କ ବିଷୟରେ ଯେଉଁଭଳି ଏକ ସ୍ଥିତିର ଚିତ୍ରଣ ଆଣି ଦେଇଥିଲେ । ଜଣେ ମଣିଷ କେଉଁ ଏକ ଆବର୍ତ୍ତ ଭିତରେ ମଜ୍ଜିଲେ ସମ୍ଭବତଃ ଗୋଲାମ ହୁଏ, ଭୀରୁ ବି ହୁଏ । ଯେଡ଼େ ଉପରକୁ ଯାଇ ଯେତେ ବହି ଲେଖିଲେ ମଧ୍ୟ ଗୋଲାମ ହୋଇ ରହିଥାଏ । ଗତ ପଚାଶବର୍ଷ ଭିତରେ ଆମ ଏବର ସାହିତ୍ୟରେ ସତେଅବା ଏହି ନାନାବିଧ ପରିଚ୍ଛଦ ପିନ୍ଧିଥିବା ଗୋଲାମମାନେ ହିଁ ଅସଲ ସାହିତ୍ୟ–ବାସନା ଓ ସାହିତ୍ୟିକ ସାହସକୁ ଆମ ଆଭିମୁଖ୍ୟମୟ ଜୀବନରୁ ଅପହରଣ କରି ନେଇଛନ୍ତି । ସାହିତ୍ୟିକମାନେ କେତେ ମିଛ ଚଉକୀର କନ୍ଦି ଭିତରେ ପଶି ଆପଣାକୁ କେଡ଼େ ତୋରା ଓ କେତେ ଫଳସମର୍ଥ ହୋଇଗଲେ ବୋଲି ଭାବୁଛନ୍ତି । ଚଉକୀଟା ଆଦୌ ସାହିତ୍ୟରାଜ୍ୟର କଥା ନୁହେଁ, ତାହା ହେଉଛି ସକଳ ଅର୍ଥରେ କ୍ଷମତାରାଜ୍ୟର କଥା । ଆମ ସାହିତ୍ୟ ଅନେକ ସମୟରେ ଯେ ଅତ୍ୟନ୍ତ ନିର୍ଲଜ୍ଜ ଭାବରେ ରାଜନୀତିର ଗଣ୍ଠିଗୁଡ଼ାକ ଭିତରେ ବାନ୍ଧି ହୋଇଯାଉଛି, ସମ୍ଭବତଃ ତାହା ଏହିପରି କୌଣସି ଏକ କାରଣ ନିମନ୍ତେ ହେଉଛି । ବିଶ୍ଵର ଅସଲ ସାହିତ୍ୟ କ୍ଷମତାକୁ ଚାଲେଞ୍ଜ କରିଛି । ଆମ ଏବର ସାହିତ୍ୟ ମଧ୍ୟରୁ ସେହି ଶକ୍ତିଟି ଯେ କାହିଁକି ହରଣ ହୋଇ ରହିଗଲା, ତାହାର ମଧ୍ୟ ଆଲୋଚନା ହୋଇ ପାରୁଥାନ୍ତା । ମାତ୍ର, ଭୀରୁମାନେ ଆଗ ନିଜର ସୁଆଦିଆ ଖୋସାଗୁଡ଼ିକ ଭିତରୁ ବାହାରି ଆସି ପାରିଲେ ସିନା ତାହା ସମ୍ଭବ ହୁଅନ୍ତା ! ଜଣେ ଭୀରୁ ତାର ବିଲୋପସାଧନ କରିପାରିବ ନାହିଁ । ଏବର ସାହିତ୍ୟରେ ଉଭା ଓ ପୋତା ଆମର ଯେତେ ଯେତେ ଲଢ଼ାଇ, ତାହା ଧର୍ମତଃ ଜଣେ ଭୀରୁର ଆଉ ଜଣେ ଭୀରୁ ସହିତ ଲଢ଼ାଇ-। ବାହାରକୁ, ଅର୍ଥାତ୍ ପରିଚ୍ଛଦରେ ଏବଂ ପରିପାଟୀରେ ଯେତେ ଫେସନିଆ ହେଉଥିଲେ ମଧ୍ୟ ସେହି କାରଣରୁ ଆମ ସାହିତ୍ୟ ଆଉ ବର୍ତ୍ତମାନର ଏହି ଯାବତୀୟ ବିଡ଼ମ୍ବନା ଭିତରୁ ମୁକୁଳିବା ନିମନ୍ତେ ଆଦୌ ବାଟ ଦେଖାଇ ପାରୁନାହିଁ ।

 

କାଳ ଏଇଠି ମୋଟେ ସରି ଯାଉନାହିଁ । ଆଗକୁ ଆହୁରି ଯୁଗମାନ ମଧ୍ୟ ଆସୁଛନ୍ତି । ସାହିତ୍ୟରେ ମଧ୍ୟ ଆସୁଛି । ବର୍ତ୍ତମାନର ସାହିତ୍ୟରେ ଠିକଣା ଗବାକ୍ଷଗୁଡ଼ିକୁ ଠାବ କରି ଯେଉଁମାନେ ସେଗୁଡ଼ିକ ସାହାଯ୍ୟରେ ଆହୁରି ଆଗକୁ ଦେଖି ପାରିବେ, ସେଇମାନେ ହିଁ ସାହିତ୍ୟରେ ରହିଥିବା ଆହୁରି ଅନେକଙ୍କ ଲାଗି ସୋପାନ ପରି କାର୍ଯ୍ୟ କରିବେ । ଆଗକୁ ଯେଉଁମାନେ ବିଶ୍ଵଟିଏ ଅପେକ୍ଷା କରି ରହିଛି, ସାହିତ୍ୟ ମନ କଲେ ବର୍ତ୍ତମାନର ଭୂମିରେ ଛିଡ଼ା ହୋଇ ମଧ୍ୟ ତାହାର ସନ୍ଦେହବାହକ ହୋଇ ପାରିବ । ପୃଥିବୀର ବିବର୍ତ୍ତନ ଆହୁରି ଆଗକୁ ଯୁଆଡ଼େ ଯିବାଲାଗି ନିଜ ଭିତରେ ପ୍ରାୟ ସୁନିଶ୍ଚିତ ପ୍ରବୃତ୍ତିମାନ ରଖିଛି ବୋଲି ବୈଜ୍ଞାନିକମାନେ ସୂଚନା ଦେବାକୁ ଆରମ୍ଭ କଲେଣି, ସାହିତ୍ୟ ମଧ୍ୟ ଯଥେଷ୍ଟ ଗ୍ରହଣଶୀଳତା ରଖିଥିଲେ ସେହି ନୂଆ ଘ୍ରାଣଗୁଡ଼ିକୁ ନିଜର ଘରକୁ ଡାକିଆଣି ପାରିବ । ମାତ୍ର ଆପଣାର ବହୁସଂଖ୍ୟକ ଅଳପତାକୁ ଛାଡ଼ି ଆସିପାରିଲେ ଯାଇ ସାହିତ୍ୟ ତାହା କରିପାରିବ ଏବଂ ଏବର ସାହିତ୍ୟକୁ ଆଗାମୀ ସାହିତ୍ୟ ଭିତରକୁ ବାଟ ଦେଖାଇ ନେଇଯାଇ ପାରିବ । ଆଦୌ କିଛି ହେଲେ ମନକୁ ମନ ହେବନାହିଁ । ଅଳସୁଆମାନଙ୍କର ଜୀବନରେ କେବେହେଲେ କୌଣସି ସୂର୍ଯ୍ୟୋଦୟ ହୁଏ ନାହିଁ । ଏବଂ, ସେହି କାରଣରୁ ପୃଥିବୀଟା ଯାକ ସୂର୍ଯ୍ୟସ୍ନାତ ଅର୍ଥାତ୍ ପ୍ରତିଶ୍ରୁତିପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ଅଳସୁଆ ତଥାପି ନିଃସଙ୍ଗ ହୋଇ ନିଃସାମର୍ଥ୍ୟ ହୋଇ ରହିଥାଏ ।

 

ସବାଆଗ କଥା ହେଉଛି, ଆଗାମୀ ସାହିତ୍ୟ ନିଜକୁ ସମଗ୍ର ଜୀବନର ଏକ ଅଂଶ ବୋଲି ଗ୍ରହଣ କରିବ । ସାହିତ୍ୟକୁ ଏକ ସ୍ଵତନ୍ତ୍ର ଇଲାକା ବୋଲି ମୋଟେ ଭାବିବ ନାହିଁ । ସାହିତ୍ୟକୁ ଏକ ସ୍ଵତନ୍ତ୍ର ଇଲାକା ବୋଲି ଗ୍ରହଣ କରିଥିବା ଖାସ୍ ମଣିଷମାନେ ହିଁ ଯୁଗେ ଯୁଗେ ସାହିତ୍ୟକୁ ଖାସ୍ କେତେଜଣଙ୍କ ଭୋଗ ତଥା ବିଚରଣର ଭୂମି ବୋଲି ବିଚାରକରି ଆସିଛନ୍ତି । ସେଥିପାଇଁ, ସାହିତ୍ୟ ମାତ୍ର ଗେହ୍ଲା କେତେଜଣଙ୍କ ବିନୋଦନଭୂମି ହୋଇ ରହିଛି । ମଣିଷର ସଂପୂର୍ଣ୍ଣ ବ୍ୟକ୍ତିତ୍ଵ ସଂପୂର୍ଣ୍ଣ ଭାବରେ ଏକ ଅଲଗା ସାମଗ୍ରୀ, ତାହା ବେଳେ ବେଳେ କାଳିସୀପରି ଆସି ମଣିଷର ଚେତନାକୁ ମାଡ଼ିବସେ–ଏସବୁ ଅନେକାଂଶରେ ସେଇ ଗେଲବସରମାନଙ୍କର ତଥ୍ୟ । ଯିଏ ମୋତେ ଅଚାନକ ଅଣଅକ୍ତିଆର ଭାବରେ ମାଡ଼ିବସି ମୋ'ଦ୍ଵାରା କିଛି ଲେଖାଇଦେଇ ଯାଉଛି, ସିଏ ହେଉଛି ମୋର ସର୍ଜନାତ୍ମକ, ଏହାକୁ ଏକ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ବୋଲି କହି ପରିହାର କରିବାକୁ ପଡ଼ିବ । ସର୍ଜନାତ୍ମକ ହେବାର ଅର୍ଥ ହେଉଛି ପ୍ରଭବସମର୍ଥ ନିଜ ଭିତରେ ଜନନୀଟିଏ ହୋଇ ସତକୁ ସତ କିଛି ସମ୍ଭବ କରିବା । ଏଥିପାଇଁ ଭୂମିଟିର କର୍ଷଣ କରିବାକୁ ହୁଏ, ନିଜ ଭିତରେ ନିଜର ସଙ୍ଗୀରୂପେ ରହିଥିବା ମହତ୍ତମଟିର ବୋଲ ଶୁଣି ପାରିବାର ସାମର୍ଥ୍ୟ ଅର୍ଜନ କରିବାକୁ ପଡ଼େ, ଠିକ୍ ଜଣେ ମାଳିର ମନ ନେଇ ନିଜ ବଗିଚାଟିର ଶୁଶ୍ରୁଷା କରିବାକୁ ହୁଏ । ଜୀବନରେ ମୁଁ ଏପରି ଏକ ଅଧିକାର ପାଇଛି ବୋଲି ଦଶ ଦିଗ ଏବଂ ଅଧଃ ଓ ଊର୍ଦ୍ଧ୍ଵ ପାଖରେ କୃତଜ୍ଞ ରହିବାକୁ ହୁଏ । ଭିତରେ ଓ ବାହାରେ ଅକାରଣଟାରେ ଖୁସୀ ଲାଗିଲେ ଯାଇ ଯଥାର୍ଥ ସର୍ଜନାତ୍ମକତାର ଅନୁଭବ ହୁଏ । ଏହି ଖୁସୀ ମୋ' ପାଖକୁ ଘଡ଼ିଏ ଆସି ତା'ପରେ ମୋତେ ମୋଟେ ଛାଡ଼ିଦେଇ ଯାଏନାହିଁ । ତାହା ମୋର ସ୍ଥାୟୀ ପରିମଳ ହୋଇ ରହିଥାଏ । ମୋତେ ଆକୃଷ୍ଟ କରେ, ଯୁକ୍ତକରି ରଖିଥାଏ, କେତେ ଅନୁକମ୍ପା ଦେଇ ଗଢ଼ା ହୋଇଥିବା ଏହି ପୃଥିବୀରେ ମୋତେ ଆଦୌ ବାବାଜୀ ହେବାକୁ ଦିଏନାହିଁ ।

 

ଆଗାମୀ ସାହିତ୍ୟିକର ଦାୟିତ୍ଵବୋଧ ରହିବ । ଯେଉଁ ଭୂମିଟି ତାକୁ ଏଡ଼ୁଟିରୁ ଏଡ଼ୁଟିଏ କରି ଉପରେ ଥିବା ଅନ୍ତରୀକ୍ଷଗୁଡ଼ିକୁ ନିଜର ହୃଦୟ ଭିତରକୁ ଡାକିନେବାକୁ ଆଖି ଦେଇଯାଇଛି, ତାହାରିପାଇଁ ଦାୟିତ୍ଵବୋଧ ରହିବ । ବିନୋଦନ ଯେ ସାହିତ୍ୟର ଅସଲ ଇଷ୍ଟ, ଏଇଟା ହେଉଛି ଏକ ମରହଟ୍ଟୀ ଯୁଗର କଥା । ବିନୋଦନ ଲୋଡ଼ି ବିନୋଦନର ଅବସରଗୁଡ଼ିକୁ ବଢ଼ାଇ ଏବେ ତ ମଣିଷମାନେ ପୃଥିବୀଟାକୁ ପ୍ରାୟ ଦୈତ୍ୟମାନଙ୍କର ଏକ ତୋଟାରେ ପରିଣତ କରି ଦେଲେଣି । ବିନୋଦନ ସିନା ମଣିଷକୁ ମଣିଷଠାରୁ ଦୂରକୁ ନେଇଯାଏ, ମାତ୍ର ଭଲ ପାଇବା ମଣିଷକୁ ମଣିଷ ସହିତ ଯୋଡ଼େ । ତାହା ଆମର ଜୀବନଗୁଡ଼ିକୁ ସମ୍ବେଦନଶୀଳ କରିବାରେ ଲାଗିଥାଏ । ଖିଅରେ ଖିଅ ଯୋଡ଼ି ଦେଉଥାଏ ଏବଂ ତାହାରି ମାଧ୍ୟମରେ ବିଶ୍ଵର ନିୟତିଟି ସତକୁ ସତ ଯେଉଁ ଖିଅଦ୍ଵାରା ଏକତ୍ର ଯୋଡ଼ିହୋଇ ରହିଛି, ଭଲ ପାଇବା ଆମକୁ ସେଇଯାଏ ନେଇଯିବାକୁ ସତେଯେପରି ଆଜ୍ଞାମାଳ ନେଇ ଆସିଥାଏ । ଆଗାମୀ ସାହିତ୍ୟ ସେହି ଭଲ ପାଇବା ବିଷୟରେ ଏବଂ ସେହି ଦାୟିତ୍ଵବୋଧ ବିଷୟରେ ହିଁ ଅଧିକ କହି ଶିଖିବ ।

 

ଏବର ଯେଉଁ ସାହିତ୍ୟ, ତାହା ମଣିଷ ମଣିଷ ଭିତରେ କେତେ ଦୂରତାକୁ ସତେଅବା ଏକ ନିୟମ ପରି ପ୍ରତିଷ୍ଠିତ କରି ରଖିଛି । ଆମ ଅସମାନ ସମାଜରେ ଆବହମାନ କାଳକୁ ଯେଉଁ ଦୂରତାଗୁଡ଼ିକ ଦୋରସ୍ତ ହୋଇ ରହିଥିଲେ, ଆମ ଏବର ସାହିତ୍ୟ ସେଗୁଡ଼ିକୁ ହୁଏତ ଅଧିକ ନିର୍ମମ ଭାବରେ ସ୍ଵୀକାର କରିନେଇଛି । ପାଠୁଆ ଓ ଅପାଠୁଆଙ୍କ ଭିତରେ ଦୂରତା, ଉଚ୍ଚବର୍ଗ ଓ ତଳକୁ ତଳକୁ ପାହାଚ ପରି ହୋଇ ରହିଥିବା ବର୍ଗମାନଙ୍କ ମଧ୍ୟରେ ରହିଥିବା ଦୂରତାକୁ ସତେଅବା ପ୍ରକାରାନ୍ତରେ ମାନିନେଇ ତାକୁ କେଡ଼େ କଳାତ୍ମକତା ସହିତ ଚିତ୍ରିତ କରି ଦେଖାଇଛି । ସାହିତ୍ୟିକ ସାହିତ୍ୟିକମାନଙ୍କ ମଧ୍ୟରେ ବି ଦୂରତା । ଯାବତୀୟ ସାହିତ୍ୟ ଧର୍ମତଃ ଦୂରତାଗୁଡ଼ିକୁ ହ୍ରାସ କରିଦିଅନ୍ତା । ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ଆମ ସମସ୍ତଙ୍କର ଯେଉଁ ଭବିଷ୍ୟତ ଚିତ୍ରଟି ସବା ଆଗରେ ରହିଥିଲା, ସେଥିରେ ଦୂରତାଗୁଡ଼ିକ ଚାଲିଯିବ ବୋଲି ଅଧିକ ଚିନ୍ତା କରାଯାଉଥିଲା । ଗତ ପଚାଶବର୍ଷରେ ତାହା ହୋଇ ପାରିଲା ନାହିଁ କାହିଁକି ? ସାହିତ୍ୟ ମଧ୍ୟ କାହିଁକି ପାରିଲା ନାହିଁ ? ଆମ ସାହିତ୍ୟ ଆମକୁ ଯଦି ପରସ୍ପରକୁ ଦ୍ଵେଷ ଶିଖାଇବ, ତେବେ ସେହି ସାହିତ୍ୟ ଆଦୌ ନହେଲେ କଣ କାମ ଚଳନ୍ତା ନାହିଁ ? ଆଗାମୀ ସାହିତ୍ୟ ଆମକୁ ସେହି ଅନ୍ୟ ଆଚରଣଟି ଶିଖାଇବା ଉଚିତ୍, ଯାହାଦ୍ୱାରା ଲେଖକମାନେ ପରସ୍ପରକୁ ସପତ୍ନୀ ବୋଲି ନଭାବି ସହଚାରୀ ଓ ଏପରିକି ସମଧର୍ମୀ ବୋଲି ଅନୁଭବ କରିବେ । ଦୃଷ୍ଟିରେ ଫରକ ରହିବ, ମତରେ ଫରକ ରହିବ; ସେମାନେ ତଥାପି ଏକାଠି ବାଟ ଚାଲୁଥିବା ପରି ମନେ କରିବେ । ଆମର ହୀନମନ୍ୟତା, ନିଜକୁ ମଝିରେ ରଖି ସଂସାରଯାକର ବିଚାର କରୁଥିବା ଆମର ଅହଂକାର,–ଏସବୁରୁ ନିଜକୁ ମୁକ୍ତ ନକଲେ ଆମେ ହୁଏତ ପଛରେ ରହିଯିବା ଏବଂ ସୁଯୋଗମାନେ ହାତଛଡ଼ା ହୋଇ ଆଗକୁ ଚାଲିଯିବେ । ଭିତରେ କୋଉଠି ଉଗ୍ରଟିଏ ବସିଥାଏ ବୋଲି ଆମେ ବାହାରେ ନାନାବିଧ ହୀନତାର ପ୍ରଦର୍ଶନ କରିବାରେ ଲାଗିଥାଉ । ଏସବୁ ମୋଟେ ସହଜରେ ଯାଏ ନାହିଁ । ନିଜେ ସତକୁସତ ରାଜୀ ହୋଇ ନଥିବା ପର୍ଯ୍ୟନ୍ତ ମୋଟେ ଯାଏ ନାହିଁ ।

 

ଆମକୁ ଏକାଠି ଗୁନ୍ଥି ଆଗାମୀ ସାହିତ୍ୟ ଆମ ଜୀବନରେ ଏକ ନୂଆ ଆଲୋଡ଼ନକୁ ବହନ କରିଆଣୁ । ଓଡ଼ିଆ ସାହିତ୍ୟ ଓଡ଼ିଶାରେ ଆମ ସମସ୍ତଙ୍କର ହୋଇ ରହୁ । ତେଣୁ, ଓଡ଼ିଶା ଆହୁରି ବଦଳୁ, ପୁରୁଣାଗୁଡ଼ିକ ଆହୁରି ଭାଙ୍ଗୁ । ସମୀକ୍ଷକମାନେ ନିର୍ଭୟ ହୁଅନ୍ତୁ । ଆମରି ଭିତରୁ ପୁରୋଗାମୀ ବାହାରି ସେହି ପ୍ରକ୍ରିୟାରେ ଅଧିକ ସାହାଯ୍ୟ କରନ୍ତୁ ।

 

–ବର୍ତ୍ତିକା, ଦଶହରା ସଂଖ୍ୟା, ୧୯୯୮

Image

 

ଆଗାମୀର ପରିଭାଷା

 

ଯାହା ଆସୁଛି, ତାହା ଆଗାମୀ । ସାଧାରଣ ଜୀବନରେ ଅନେକ ସମୟରେ ଆଗାମୀର କେବଳ ଏକ ମାମୁଲି ମହତ୍ତ୍ଵ ହିଁ ରହିଥାଏ । ଦୂର୍ଗାପୂଜା ଆସୁଛି, ସେଥିଲାଗି ପ୍ରସ୍ତୁତ ହେବାକୁ ପଡ଼ୁଛି-। ମେଢ଼ରେ ମୂର୍ତ୍ତିମାନଙ୍କ ପାଇଁ ପାଳ ବନ୍ଧା ହେଉଛି, ବିହିତ ଭାବରେ ମାଜଣା କରାଯାଇ ମାଟି ଆସୁଛି, କାରିଗରମାନେ ପ୍ରତିମାମାନଙ୍କୁ ତିଆରି କରି ଦେଉଛନ୍ତି । କେଉଁଦିନ କ’ଣ କରିବାକୁ ହେବ, ସେ କଥା ପଞ୍ଚାଙ୍ଗରେ ଲେଖା ହୋଇ ରହିଛି । ସବୁ ବର୍ଷ ଯେଉଁପରି ହୋଇ ଆସିଛି, ଏ ବର୍ଷ ମଧ୍ୟ ଠିକ୍ ସେହି ଧାରାରେ ହେବ । ତେଣୁ ଚିନ୍ତା ନାହିଁ । କେବଳ କୌଣସି ବ୍ୟାଘାତ ନ ହେଲେ ହେଲା । ବ୍ୟାଘାତ ଘଟିଲେ ଅଶୁଭ, ନହେଲେ ସବୁ ଠିକ୍, ସବୁ ଶୁଭ । ଆଗାମୀ ଫସଲ ପାଇଁ ସବୁ ବର୍ଷ ପରି କ୍ଷେତର ଯାବତୀୟ ଉପଚାର କରାଯାଉଛି । ମୁଣ୍ଡ ଉପରେ ବିଭାଘରଟିଏ ଅଛି । ଘରେ ରହିଥିବା ପୁରୁଣା ଟିପାଖାତାରୁ ଦେଖି ସବୁ ବରାଦ କରି ଦିଆଯାଇ ପାରୁଛି । ପୁନରାବୃତ୍ତିର ଜୀବନ ଅନେକ ମଣିଷଙ୍କ ପାଇଁ ସର୍ବଶ୍ରେଷ୍ଠ ଜୀବନ ।

 

ଗୋଟିଏ ଗୋଟିଏ ସଂସ୍କୃତି ରହିଛି, ଯେଉଁଥିରେ କି ଆଗାମୀ କହିଲେ ପ୍ରାୟ ଏକ ଅପରିବର୍ତ୍ତିତ ଧାରାରେ ଅନାଗତ ଆଗ ଛକଟିକୁ ନିର୍ଦ୍ଦେଶିତ କରି ଦିଆଯାଇଥାଏ । ଏହି ସଂସ୍କୃତିରେ ସବୁ ଶାଶ୍ଵତ, ସବୁ ଚିରନ୍ତନ । ଯାହା ବଦଳେ, ତାହା ଅଳ୍ପଆଖିଆମାନଙ୍କର ଅଜ୍ଞାନ ହେତୁ ବଦଳିଲା ପରି ପ୍ରତୀତ ହୁଏ । ମାୟାରେ ପଡ଼ିଥିବା ମଣିଷମାନେ ସତେ ଅବା ମିଛଟାରେ ଘାରି ହେଉଥାନ୍ତି, ମୁଣ୍ଡୁଳା ବୁଲୁଥାନ୍ତି । ଭାରତବର୍ଷରେ ସବୁଠାରୁ ଅକାଟ୍ୟ ସତ୍ୟ ହେଉଛି ତୁମର ଭାଗ୍ୟ । ଭାଗ୍ୟରେ ସବୁ ଲେଖାହୋଇ ରହିଥାଏ । ଏଠି ପୁରୁଷାର୍ଥ ନାମରେ ଦିଇଟା ଚାରିଟା ଏଣୁ ତେଣୁ କଥା କୁହାଯାଏ ଓ ଅନ୍ୟ କିଞ୍ଚିତ୍ ସମ୍ଭାବନାର ପ୍ରସଙ୍ଗ ପକାଯାଏ ସତ, ମାତ୍ର ଭାଗ୍ୟ ହିଁ ସବୁ କରେ । ପୃଥିବୀରେ ସେହି ଭାଗ୍ୟରୂପୀ ସନାତନ ବିଧାନର ଠିକାଦାରମାନେ ଫଳିତ ଜ୍ୟୋତିଷ କରନ୍ତି । ମଣିଷମାନେ ସତେଅବା ମାତୃଗର୍ଭରୁ ମଣ ହୋଇ ଆସିଥିବା ପରି ତାହାରି ଅନୁସାରେ ଜୀବନ ନାମକ ବଣିଜ ଭିତରେ ପ୍ରବିଷ୍ଟ ହୋଇ ରହିଥାନ୍ତି ।

 

ସମ୍ଭବତଃ ତାହା ହିଁ ଏକ ଅନ୍ୟତମ କାରଣ, ଭାରତବର୍ଷ ସ୍ଵାଧୀନ ହେବାର ଅଧଶତାବ୍ଦୀ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ତଥାପି ଅତ୍ୟନ୍ତ ପୁରାତନ ଓ ଅମଙ୍ଗ ହୋଇ ରହିଗଲା । ଆଗାମୀର ଫାନୁଷଟାଏ ଉଡ଼ାଇ ଦେଇ ପାଇଁ ନୂଆ ପତାକାଟିଏ ବାହାର କରାଗଲା, ବହୁ କବିତ୍ଵ ଓ କଳ୍ପନା ଖଟାଇ ଗୋଟିଏ ସମ୍ବିଧାନ ତିଆରି ହେଲା । କୋଠାବାଡ଼ି ଅଜାଡ଼ି ହୋଇ ପଡ଼ିଲା, ଥୋକେ ଆପଣାକୁ ଆଧୁନିକ ବୋଲି କହି ବଜାଇ ହେଲେ । ନିଜ ଭାଷାରେ ପାଠ ପଢ଼ିଲେ କାଳେ ପୁରୁଣା ମସିହାଗୁଡ଼ାକ ଦେହରୁ ନ ଛାଡ଼ିବ ବୋଲି ଆଶଙ୍କା ପରି ଗୋଟାଏ ଅନ୍ୟ ଭାଷାରେ ଏଠି ବିଦ୍ୟାକୁ ସାଧ୍ୟ କରି ରଖିବାର ଶ୍ରମ କରାଗଲା । ବଡ଼ମାନେ କୋଟି କୋଟି ଟଙ୍କା ଖରଚ କଲେ । ତଥାପି ସେହି ଇସ୍ପିତ ଆଗାମୀ ସୁଦୂରପରାହତ ହୋଇ ରହିଗଲା । ଆମକୁ ଭୋଗ କରୁଥିବା ସାମନ୍ତମାନେ ଯୋଉ ସାମନ୍ତକୁ ସେହି ସାମନ୍ତ ହୋଇ ରହିଲେ । ଆଗକୁ ସାମନ୍ତମାନଙ୍କ ତୁଳନାରେ ଅଧିକ ଝଳଝଳ ଦେଖାଗଲେ ସିନା, ତଥାପି ନିଜର ଅପାରୁଆପଣଗୁଡ଼ାକୁ ପ୍ରତିପାଦିତ କରିଦେଲେ । ସାହିତ୍ୟ, ସଂସ୍କୃତି, ନୀତି, ରାଜନୀତି ସବୁ ସେଇ ପୁରୁଣା ବେହେଲରେ ହିଁ ଚାଲିଲା । ତଥାପି, ଗୋଟିଏ ଶତାବ୍ଦୀ ଯାଇ ଆଉ ଗୋଟାଏ ଶତାବ୍ଦୀ ଆସି ପ୍ରବେଶ କରୁଥିବା ବେଳକୁ ଆମେ ସେଇଟାକୁ କାହିଁକି ଏଡ଼େ ଉଷତ ହୋଇ ପଡ଼ି ଆଗାମୀ ବୋଲି କହୁଛୁ କେଜାଣି ?

 

ଭାରତବର୍ଷରେ ବିଂଶ ଶତାବ୍ଦୀ ଆସି ପାଦ ଦେଲାବେଳକୁ ସେହି ସମୟଟାର ବହୁ ଗତିବିଧିର ଯଦି ଏକ ଆକଳନ କରାଯାଏ, ତେବେ ମନେ ହେବ, ଭାରତବର୍ଷ ସେତେବେଳେ ସତେ ଅବା ଏକ ନୂଆ ଆଗାମୀ ମଧ୍ୟରେ ଆପଣାକୁ ଆବିଷ୍କାର କରିବା ନିମନ୍ତେ ଉଦ୍ୟତ ହେଉଥିଲା । ଅନ୍ତତଃ ନେତୃତ୍ଵର ମଞ୍ଚଟା ଉପରେ ଏକାଧିକ କ୍ଷେତ୍ରରେ ଏଠି କେତେଜଣ ବ୍ୟକ୍ତି ଆବିର୍ଭୂତ ହେଲେ, ଯେଉଁମାନେ କି ସତକୁ ସତ ବହୁତ ଦୂରକୁ ଦେଖି ପାରୁଥିଲେ, ବହୁତ ବହୁତ ନୂତନ ସମ୍ଭାବ୍ୟ ଦ୍ଵାରା ସତକୁ ସତ ଆକୃଷ୍ଟ ହେଉଥିଲେ ଏବଂ ଆପଣାର ସେହି ଦର୍ପଣଟିର ବୋଲମାନି ଭାରତବର୍ଷରେ ଏକାଧିକ ଉଦ୍‌ବେଳନର ନିମିତ୍ତହୋଇ ବାହାରିଥିଲେ । ସେମାନେ ବିଭିନ୍ନ କ୍ଷେତ୍ରରେ ଥିଲେ ଏବଂ ବିଭିନ୍ନ ଭାଷାରେ କଥା କହିଥିଲେ ସିନା, ତଥାପି ପରସ୍ପରର ପରିପୂରକ ରୂପେ ଏକ ଅଭୂତପୂର୍ବ ଆଗାମୀ ଲାଗି ବାଟ କାଢ଼ି ବାହାରିଥିଲେ । ସେହିମାନଙ୍କର ତେଜସ୍ଵିତା ଫଳରେ ସେତେବେଳର ପୃଥିବୀ ଭାରତବର୍ଷକୁ ଚିହ୍ନିଲା, ଭାରତବର୍ଷର ଏକ ସ୍ଵତନ୍ତ୍ର ପ୍ରାଣପରିଚୟ ରହିଛି ବୋଲି ସ୍ଵୀକାର ମଧ୍ୟ କରିଥିଲା । ସନ୍ଦୀପିତ ପାଶ୍ଚାତ୍ୟ ଭୂମିରୁ କେତେ କେତେ ଆଗନ୍ତୁକ ଭାରତର ପ୍ରାଣଟିକୁ ଅଧ୍ୟୟନ କରିବା ଲାଗି ଏଠି ଆସି ପହଞ୍ଚିଲେ । ଆଗାମୀ ପୃଥିବୀ ଲାଗି ଭାରତବର୍ଷର ଏକ ସ୍ଵତନ୍ତ୍ର ବାର୍ତ୍ତା ଅଛି ବୋଲି ସେମାନେ କେତେ ସନ୍ଦୀପିତ ହୋଇ କହି ପକାଉଥିଲେ । ସେଗୁଡ଼ିକୁ ଶୁଣି ଭାରତବର୍ଷର ହୃଦୟଟି ମଧ୍ୟ କମ୍ ପୁଲକିତ ହୋଇ ଉଠି ନଥିବ । ଆଗାମୀଗୁଡ଼ିକର ଯାବତୀୟ ପ୍ରତିଶ୍ରୁତିକୁ ଏକ ନିର୍ଭର ଯୋଗାଇ ଦେଇ ଭାରତବର୍ଷକୁ ରାଜନୀତିକ ସ୍ଵାଧୀନତା ଆସିଲା । ସେହି ଆଧାର ଉପରେ ହିଁ ଏଠାରେ ସାମାଜିକ ଯାବତୀୟ ପରିବର୍ତ୍ତନ ଏବଂ ପୁନର୍ବିଧାନର ପରବର୍ତ୍ତୀ ସୋପାନଗୁଡ଼ିକର ନିର୍ମାଣ ହୋଇଥାନ୍ତା । ସେତିକିବେଳେ କ’ଣ ସବୁ ଗୋଳମାଳ ହୋଇଗଲା, ଯାହା ଫଳରେ କି ସେହି ପୁରୁଣାଗୁଡ଼ାକ ହିଁ ଆମ ସଂକଳ୍ପଗୁଡ଼ିକୁ ଆସି ଗିଳି ପକାଇଲା, ପୁରୁଣା ଦୂରତାଗୁଡ଼ିକ ଦୋରସ୍ତ ହୋଇ ରହିଲେ, ପୁରୁଣା ରକ୍ଷଣଶୀଳତାମାନେ ନୂଆ ପ୍ରତାପରେ ଆସି ଦେଖାଦେଲେ । ସ୍ଵାଧୀନ ଭାରତବର୍ଷରେ ଚତୁରମାନେ ହିଁ ସବୁଠାରୁ ଅଧିକ ଲାଭବାନ୍ ହେଲେ । ଯେଉଁସବୁ ଅସତ୍ୟର ବିରୋଧରେ ସଂଗ୍ରାମ କରାଯାଇଥାନ୍ତା, ସେଇମାନେ ସତେ ଅବା ଆମକୁ କାନ ମୋଡ଼ାଇ ନାକ ଘଷାଇ ଶାସନ କରିବାକୁ ଲାଗିଲେ । ସାହିତ୍ୟ ସେହି ଅବକ୍ଷୟ ବିରୋଧରେ ସଂଗ୍ରାମ କରିଥାନ୍ତା ସିନା, ଓଲଟି ଅବକ୍ଷୟର ଗୁଣମାନ କଲା । ଶିକ୍ଷା ତୁଚ୍ଛା ଅମଲାମାନଙ୍କର କବଳଗତ ହୋଇ ରହିଲା, ଯେଉଁମାନେ କି ପୂର୍ଣ୍ଣ ଉଦାସୀନତା ସହିତ ଆମ ସାମୂହିକ ଓ ଶାସନଗତ ଭାଡ଼ିମାନଙ୍କର ସବିକିଛିକୁ ଆବୋରି ରହିଲେ । ମୋଟେ ବାଟ ଛାଡ଼ିଲେ ନାହିଁ । ସେମାନେ ଅସଲ ଦେଶକୁ ଘୃଣା କଲେ, ତଥାପି ଦେଶଟାକୁ ଶାସନ କରିବାର ମୂଳ ଘରଗୁଡ଼ିକୁ ଦଖଲ କରି ରହିଲେ । ଏହି ଦେଶଟା ଯେ ସତକୁ ସତ କାହାର, ଆଗାମୀ ଶତାବ୍ଦୀର ଯେକୌଣସି ଆଲୋଚନା ଭାରତବର୍ଷରେ ଦୁଇ ପ୍ରକାର ହେବାକୁ ବାଧ୍ୟ ହେବ-

 

ଯଦି ଭାରତବର୍ଷର ନାଗରିକମାନଙ୍କୁ ହିଁ ଏହି ଦେଶର ସବୁଠାରୁ ଅଧିକ ମୂଲ୍ୟବାନ୍ ସମ୍ପଦ ବୋଲି ସ୍ଵୀକାର କରି ଆମେ ଆଗାମୀ ଉପରେ ଅବଲୋକନ କରିବା, ତେବେ ଏକାବେଳକେ ଅନେକ ଆହ୍ଵାନ ଆମ କଳ୍ପନାଗୁଡ଼ିକୁ ଉଦ୍‌ବେଳିତ କରିବାକୁ ଆରମ୍ଭ କରିବ । ଭାରତବର୍ଷର ସମାଜ କ'ଣ ସବୁକାଳ ଲାଗି ମାତ୍ର କେତେ ଜଣଙ୍କୁ ବୁଝାଉଥିବ ? ଭାରତବର୍ଷର ଇତିହାସକୁ ବିଶ୍ଳେଷଣ କରି ଦେଖୁଥିବା ଅଧ୍ୟୟନକାରୀମାନେ କହୁଛନ୍ତି ଯେ ଏଠାରେ କୌଣସି ଯୁଗରେ ମଧ୍ୟ ସବୁ ମଣିଷଙ୍କୁ ଆଖି ଆଗରେ ରଖି କିଛି ଚିନ୍ତା କରାଯାଇ ନାହିଁ । ଭାରତୀୟ ଅଧ୍ୟାତ୍ମ ଚିନ୍ତାର ଆକାଶରେ କେତେ କେତେ ଊର୍ଦ୍ଧ୍ଵକୁ ଯାଇ ବିହ୍ଵଳ ଭାବରେ କେତେ କ’ଣ କହି ପକାଇଛି ସିନା, ମାତ୍ର ଭୂଇଁ ଉପରକୁ ଆସିବା ମାତ୍ରକେ ଅତ୍ୟନ୍ତ ଶୋଚନୀୟ ଭାବରେ ନିର୍ବୀର୍ଯ୍ୟ ହୋଇ ରହିବାକୁ ବାଧ୍ୟ ହୋଇଛି । ଧର୍ମ, ଅର୍ଥ, କାମ ଓ ମୋକ୍ଷ–ଏଥିରୁ କୌଣସିଟିକୁ ମଧ୍ୟ ଭାରତବର୍ଷରେ ସବୁ ମନୁଷ୍ୟଙ୍କର ଆୟତନ ଭିତରକୁ ଛାଡ଼ି ଦିଆଯାଇ ନାହିଁ : ବୃହତ୍ତର ବିଶ୍ଵର ଆଖିରେ କେଡ଼େ ଉଜ୍ଵଳ ଏବଂ ଅନନ୍ୟ ଦେଖାଯାଇଛି ସତ, ମାତ୍ର ତଥାପି ସବୁ ମଣିଷଙ୍କୁ ନେଇ ହୁଏତ ମୋଟେ କିଛି ସମ୍ଭବ କରିନାହିଁ । ସ୍ଵାଧୀନତା ଲାଭ କରିବାର ପଚାଶଟା ବର୍ଷରେ ମଧ୍ୟ ଆମେ ସବୁ ମଣିଷଙ୍କୁ ମଣିଷର ସମ୍ମାନ ଓ ସ୍ଵୀକୃତି ଦେବାଭଳି ବିଶେଷ ଭାବରେ କିଛି କରି ପାରିନାହୁଁ । ତେଣୁ, ଭାରତବର୍ଷରେ ଆଗାମୀ ତଥା ଆଗାମୀ ଶତାବ୍ଦୀ କହିଲେ ସାମୂହିକ ଯାବତୀୟ ଅବଧାରଣାର କ୍ଷେତ୍ରରେ ସବାଆଗ ସେହି ଦିଗରେ ପ୍ରକୃତରେ କିଛି କରିବାକୁ ହିଁ ବୁଝାଇବ ।

 

ସମଗ୍ର ପୃଥିବୀରେ ଏବେ ଆଗାମୀ ବା ପରବର୍ତ୍ତୀ ଭବିଷ୍ୟ (next future) ବିଷୟରେ ହେଉଥିବା ଅଧିକାଂଶ ବିତର୍କ ମୁଖ୍ୟତଃ ସେହି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଦେଉଛି । ମନେ ହେଉଛି, ପୁରାତନ ରାଜନୀତିକ ଓ ରାଷ୍ଟ୍ରୀୟ ଅବ୍ୟବସ୍ଥାମାନେ ଏଣିକି ଯେତେ ବାଧା ଦେବାକୁ ବାହାରିଲେ ମଧ୍ୟ ସେହି ଆଗାମୀଟି ଆଡ଼କୁ ବାଟ ଛାଡ଼ି ଦେବାଲାଗି ଅବଶ୍ୟ ବାଧ୍ୟ ହେବେ-। ସବୁ ମଣିଷଙ୍କୁ ସବା ବଡ଼ ମାନଦଣ୍ଡ ରୂପେ ଗ୍ରହଣ କରି ଏଣିକି ଅନ୍ନ, ଜ୍ଞାନ, ବିଜ୍ଞାନ ତଥା ସାମୂହିକ ଆଦର୍ଶଗୁଡ଼ିକର ପୁନର୍ବିନ୍ୟାସ ହେବ । ଏକାବେଳକେ ଏକ ବାସ୍ତବ ଭାଷାରେ ବ୍ୟଞ୍ଜନାରେ କହିଲେ, ସମସ୍ତଙ୍କର ପେଟ ପୂରିବ, ସମସ୍ତେ କାମ ପାଇବେ, ସମସ୍ତଙ୍କ ନିଜର ଘର ବୋଲି କହିବାକୁ ସଂସ୍ଥାନଟିଏ ରହିବ ଏବଂ ସବୁପିଲା ପାଠ ପଢ଼ିବେ । ପୃଥିବୀରେ ବର୍ତ୍ତମାନ ଯେତିକି ଧନ ରହିଛି, ତାହା ବହୁଗୁଣିତ ହେବ ଏବଂ ବିଜ୍ଞାନକୁ ମୁଖ୍ୟତଃ ସେହି ଉଦ୍ଦେଶ୍ୟରେ ନିୟୋଜିତ କରାଯିବ । ଗୋଟିଏ ରାଷ୍ଟ୍ର ଏକୁଟିଆ ଯେତେ ଶକ୍ତିଶାଳୀ ହେଉ ପଛକେ, ତାକୁ ସମଗ୍ର ପୃଥିବୀକୁ ହିଁ ନିଜର ପ୍ରତିବେଶୀ ବୋଲି ଗ୍ରହଣ କରିନେଇ ଅନୁରୂପ ଭାବରେ ପୃଥିବୀର ଭାଗ୍ୟ ସହିତ ସମ୍ପୃକ୍ତ ହେବାଲାଗି ବାଧ୍ୟ ହେବାକୁ ପଡ଼ିବ । ଏବେ ଜଗତୀକରଣ ନାମରେ ଯେଉଁ ନୂତନ ପ୍ରକ୍ରିୟାଟି ପୃଥିବୀରେ ଆରମ୍ଭ ହୋଇଛି, ପୃଥିବୀରେ ଶୋଷଣମୂଳ ସେହି ପୁରୁଣା ଗଠନଗୁଡ଼ିକ ତଥାପି ଜାରି ରହିଛି; ବୋଲି ତାହାକୁ ଅନେକେ ନାନାବିଧ ଆଶଙ୍କା ସହିତ ଦେଖୁଛନ୍ତି । ଏପରି ଆଶଙ୍କାର ଅବଶ୍ୟ କାରଣ ରହିଛି । ବଡ଼ ବଡ଼ ରାଷ୍ଟ୍ରମାନଙ୍କ ପାଖରେ ମସ୍ତ ମସ୍ତ ଅସ୍ତ୍ର ମଧ୍ୟ ମହଜୁଦ ରହିଛି ମାତ୍ର ରୁଷିଆର ପୂର୍ବତନ ସରକାର ପାଖରେ କ’ଣ କମ୍ ଅସ୍ତ୍ର ଥିଲା ? ତଥାପି ପୂର୍ବ ଇଉରୋପର ଗୋଟିଏ ପରେ ଗୋଟିଏ ଦେଶ ଯେତେବେଳେ ପଘା ଛିଣ୍ଡାଇ ବାହାରି ଆସିଲେ, ସେତେବେଳେ ଅସ୍ତ୍ରମାନେ କିଛି କରି ପାରିଲେ ନାହିଁ । ବିଂଶ ଶତାବ୍ଦୀର ଏହି ଶେଷ ଭାଗରେ ସମଗ୍ର ପୃଥିବୀ ଲାଗି ଯେଉଁ ସବା ବଡ଼ ଲାଭଟି ହୋଇଛି, ତାହା ହେଉଛି ଯେ ଏଣିକି ଲୋକଶକ୍ତି ହିଁ ଜିତିବ, ଅସ୍ତ୍ରଶକ୍ତି ଆଁ କରି ଅନାଇ ରହିଥିବ । ଅସ୍ତ୍ର ଉପରୁ ହୁଏତ ଅସ୍ତ୍ରାଧିକାରୀମାନଙ୍କର ଆସ୍ଥା ତୁଟିଗଲାଣି କି କ’ଣ, ସେମାନେ ବି କୋଟି ପରିମାଣରେ ଅର୍ଥ ହାତରେ ଧରି ପୃଥିବୀରୁ ଦାରିଦ୍ର୍ୟ ଓ ସେହିଭଳି ନାନା ଅସହାୟତାକୁ ଦୂର କରିବା ଲାଗି ଆଗଭର ହୋଇ ଆସୁଛନ୍ତି । ସମଗ୍ର ପୃଥିବୀକୁ ଆଲୋଡ଼ିତ କରି ଏକ ଅଦ୍ଭୁତପୂର୍ବ ମାନବଶୃଙ୍ଖଳ ତିଆରି କରି ହେଉଛି । ଆଗାମୀ ସତେଅବା ସେହି ଶୃଙ୍ଖଳର ହୃଦୟ ଭିତରେ ରହିଛି ।

 

ଯେଉଁସବୁ ଦେଶ ଏବେ ମଧ୍ୟ ପୁରାତନର ବେଡ଼ୀଗୁଡ଼ାକ ଭିତରେ ମୋହଗ୍ରସ୍ତ ହୋଇ ରହିଛନ୍ତି, କେବଳ ସେହିସବୁ ଦେଶ ସମ୍ଭବତଃ ଆଗାମୀର ଆହ୍ଵାନଗୁଡ଼ିକୁ ସମ୍ପୂର୍ଣ୍ଣ ଅର୍ଥରେ ବୁଝିବାରେ ଖୁବ୍ ଅସୁବିଧା ଭୋଗ କରିବେ । ଧର୍ମର ପୁରୁଣା ଅଙ୍ଗଗୁଡ଼ାକ ମଣିଷମାନଙ୍କୁ ଭାରି ଅସମ୍ମତ କରି ରଖିଥିବ । ସଂସ୍କୃତି ନାମରେ, ପରମ୍ପରା ନାମରେ ହୁଏତ ବହୁତ ମୁହୂର୍ତ୍ତ ମଣିଷମାନଙ୍କର ହାତଛଡ଼ା ହୋଇଯିବ । ଆହ୍ଵାନଗୁଡ଼ିକ ଅନୁସାରେ ପ୍ରସ୍ତୁତ ହେବାକୁ ହେଲେ ରାଜନୀତିକୁ ମଧ୍ୟ ଯେଉଁ ନୂଆ ଆଖିରେ ସ୍ଥିତିଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିବ, ଏହି ଦେଶମାନଙ୍କରେ ସେଥିଲାଗି ଆବଶ୍ୟକ ନୂତନ ପରିମଳମାନ ସମ୍ଭବ କରିବାରେ ବହୁ ବାଧା ଆସି ବି ପହଞ୍ଚିବ । ତଥାପି, ସମଗ୍ର ଜଗତରେ ଯାହା ଘଟିବାକୁ ଯାଉଛି, ଏହିସବୁ ଦେଶରେ ମଧ୍ୟ ତାହା ଘଟିବ । ବିରୋଧ ହେବ, ତଥାପି ଘଟିବ । ଆଗାମୀକୁ ଗୋଟିଏ ଦେଶର ବିଭିନ୍ନ ସମୂହ ଯେପରି ଭାବରେ ବୁଝିଥିବେ, ସେମାନଙ୍କ ଭୂମିକା ସେହି ଅନୁସାରେ ନିଶ୍ଚୟ ଭିନ୍ନ ଭିନ୍ନ ହେବ । ମାତ୍ର ଗୋଟିଏ କଥା ଅତ୍ୟନ୍ତ ସ୍ପଷ୍ଟ ହୋଇ ଯାଉଛି ଯେ, ଆଗର ସୋପାନଗୁଡ଼ିକୁ ଉଠି ଯାଉଥିବା ସଙ୍ଗେ ସଙ୍ଗେ ଯେକୌଣସି ସମାଜରେ ରାଜନୀତିର ଭୂମିକା କ୍ରମେ ଅଧିକରୁ ଅଧିକ ଗୌଣ ହେବାକୁ ଲାଗୁଥିବ । ସମାଜର ଚକ୍ଷୁଷ୍ମାନ ଭାଗଟି ହିଁ ଅପେକ୍ଷିତ ସାମାଜିକ ପରିବର୍ତ୍ତନଗୁଡ଼ିକର ପ୍ରକ୍ରିୟାରେ ଅଧିକ ଭାଗ ନେବ, ରାଜନୀତିକୁ ଉପେକ୍ଷା କରି ଆଗେଇଯିବ । ଯେଉଁମାନେ ପୁରୁଣା ଲୋଭଗୁଡ଼ିକର ବଶବର୍ତ୍ତୀ ହୋଇ ତଥାପି ରାଜନୀତିର ମଞ୍ଚ ଉପରେ ହିରୋମାନଙ୍କର ପରିଚ୍ଛଦ ପିନ୍ଧି ଧାଁ ଧପଡ଼ କରୁଥିବେ, ସେମାନେ ପରସ୍ପରକୁ ଭାରି କୌତୁକପୂର୍ଣ୍ଣ ଭାବରେ ଧରା ପକାଇ ଦେଉଥିବେ; ପୁରୁଣା ରାଜନୀତିଟା ଯେ ଆଉ ମୋଟେ କାମ ଦେବ ନାହିଁ, ସେହି ସତକଥାଟିକୁ ପ୍ରତିପାଦିତ କରି ଦେଉଥିବେ । ହଁ, ରାଜନୀତି ଭିତରୁ ମଧ୍ୟ ଏକାନ୍ତ ଆକସ୍ମିକ ଭାବରେ ଜଣେ ଜଣେ ବିଭୀଷଣ ବାହାରିବେ, ଯେଉଁମାନେ କି ସତେଅବା ଏକ ଅନ୍ୟ କାଳର ନିମିତ୍ତ ହେବାକୁ ମନ କରି ପୂରା ମଞ୍ଚଟାକୁ ଏକାବେଳକେ ଓଲଟାଇ ଦେବେ । ଜଣେ ଗୋର୍ବାଚଫ୍ ଯଦି ଅଲଗା ମନ କରି ଏତେ ଏତେ ପରିବର୍ତ୍ତନ ସମ୍ଭବ କରିଦେଇ ପାରିଲେ, ତେବେ ଆହୁରି ଏକାଧିକ ଦେଶରେ ସେହିଭଳି ଯେ ରାତିଗୁଡ଼ିକର ଗର୍ଭରୁ ନୂତନ ସକାଳଟିଏ ବାହାରି ଆସିବ ଓ ଜଗତ୍‍ବାସୀଙ୍କୁ ଅବାକ୍ କରିବ, ସେକଥା ଆଦୌ ଅସ୍ଵୀକାର କରି ହେବନାହିଁ । ଆଗାମୀ କହିଲେ ବର୍ତ୍ତମାନ ହୁଏତ ସେହିପରି ଏକ ବୃହତ୍ ମୋହଭଙ୍ଗ ଓ ବୃହତ୍ ଉନ୍ମୋଚନକୁ ସୂଚିତ କରିଦେଉଛି ।

 

ଓଡ଼ିଆ ସାହିତ୍ୟରେ ଗୋପବନ୍ଧୁଙ୍କର ରଚନାରେ ହିଁ ଆମେ ଆଗାମୀ ବିଷୟରେ ଏକ ସୁସ୍ଥ ପରିକଳନାର ଭେଟପାଇବା । ତାଙ୍କ ପଦ୍ୟରେ ପାଇବା, ଗଦ୍ୟରେ ବି ପାଇବା । ସବୁଜ ଯୁଗର ରଥୀମାନେ ମଧ୍ୟ ଏକଦା କେତେ କେତେ ଆଗାମୀ ମଧ୍ୟକୁ ସ୍ଵପ୍ନପ୍ରୟାଣ କରିଥିଲେ, ମାତ୍ର କୌଣସି ଅନ୍ତର୍ଗତ କାରଣରୁ ଅଚିରେ ହଳଦିଆ ପଡ଼ି ଆସିଲେ । ଓଡ଼ିଆ ଜାତୀୟତାବାଦୀ ସାହିତ୍ୟରେ ଆଗକୁ ଦେଖିବାର ସାହସ ଏବଂ ବିଶ୍ଵାସ ଯେତେ ନାହିଁ, ଅତୀତମୁହାଁ ହୋଇ ପାରିଧି କରିବାର ଉଚ୍ଚାଟନା ତା’ଠାରୁ ଅନେକ ଅଧିକ ପରିମାଣରେ ରହିଛି । ଏବେ ଭାବପ୍ରବଣତାର ସୁଲଭ ବଜାରରେ ତାହାକୁ ସ୍ଵାଭିମାନ ବୋଲି କୁହାଯାଉଛି । ସ୍ଵାଭିମାନର ଚର୍ଚ୍ଚା କେତେଟା ମିଛ ଅଭିମାନରୁ ସତେଅବା ଭାରି ପୁଲକ ଆହରଣ କରୁଛି । ଆଧୁନିକ ଯୁଗରେ ଆମ କବିମାନେ ଏତେ ଅତିରିକ୍ତ ଅନୁପାତରେ ଅନୁକରଣର ନାନା ଗହନ ଭିତରେ ଯାଇ ପଶିଛନ୍ତି ଯେ ନିଜ ଆବେଦନ ଗୁଡ଼ିକର କ୍ଷେତ୍ରରେ ସେମାନେ ଅତ୍ୟନ୍ତ ବ୍ୟକ୍ତିଗତ ବା ସ୍ଵଗତ ହୋଇ ରହିଛନ୍ତି । ଭୂଇଁରେ ଆଦୌ କୌଣସି ଗୋଡ଼ ନଥିଲେ ମଧ୍ୟ ଏକାବେଳକେ ଏକ ବର୍ଣ୍ଣହୀନ ଆନ୍ତର୍ଜାତିକତାର ପଲଙ୍କ ଉପରେ ପଶାକାଠି ଗଡ଼ାଇବାରେ ଭୋଳ ହୋଇ ରହିଛନ୍ତି । ସେମାନଙ୍କ ଦିହରେ ଔପନିବେଶକତାର ଚିଟାଗୁଡ଼ାକ ଭାରି ଅସନା ଦିଶୁଛି । ମନେ ହେଉଛି, ଓଡ଼ିଆ ସାହିତ୍ୟରେ ଯଥାର୍ଥ ଆଗାମୀଟିକୁ ବରଣ କରି ଆଣିବାକୁ ହେଲେ ଆମକୁ ଏହି ବୃକୋଦରମାନଙ୍କୁ ହୁଏତ ଡେଇଁଯିବାକୁ ପଡ଼ିବ । ଏକଥା ଚିନ୍ତା କରିବାବେଳକୁ ଆଗକୁ ଅନାଇଲେ ବଡ଼ଜେନା ଦିଶି ଯାଉଛନ୍ତି, ଗଙ୍ଗାଧର ମେହେର ଦିଶୁଛନ୍ତି । ସେଠି ଭୀମ ଭୋଇଙ୍କୁ ମଧ୍ୟ ଚିହ୍ନି ହେଉଛି, ପ୍ୟାରୀମୋହନ ଓ ଗୌରୀଶଙ୍କରଙ୍କୁ ସାଙ୍ଗରେ ଧରି ଗୋପବନ୍ଧୁ ବି ମାଡ଼ି ଆସୁଥିବା ପରି ମନେ ହେଉଛି । ଆଗାମୀ ସାହିତ୍ୟ ତୁଚ୍ଛା ସାହିତ୍ୟ ହେବାର ଦୁର୍ଦ୍ଦଶାରୁ ନିଶ୍ଚୟ ଆପଣାକୁ ମୁକୁଳାଇ ଆଣିବ । ତାହା ବୃହତ୍ତର ଜୀବନର ଅଂଶ ହୋଇ ରହିବ, ଅନ୍ଧାରଗୁଡ଼ିକୁ ଦୂର କରିବାରେ ବହୁତ କାମରେ ଲାଗିବ ।

 

–ଆଗାମୀ ଶତାବ୍ଦୀ, ନଭେମ୍ବର,୧୯୯୭

Image

 

ଆଗାମୀ ଶତାବ୍ଦୀର ସାହିତ୍ୟରେ ସ୍ୱରୂପ

 

ଶତାବ୍ଦୀଟିଏ କହିଲେ ଯଦି ଏକଶହ ବର୍ଷର ପୂର୍ଣ୍ଣ ସମୟଟିକୁ ବୁଝାଇବ, ତେବେ ଏକବିଂଶ ଶତାବ୍ଦୀର ଶହେଟିଯାକ ବର୍ଷରେ ପୃଥିବୀରେ ସାହିତ୍ୟର ସ୍ୱରୂପ କ’ଣ ହେବ, ଭବିଷ୍ୟତବାଣୀ କଲାପରି ସେହି କଥାଟି ଆଦୌ କୁହାଯାଇ ପାରିବନାହିଁ । ଗୋଟିଏ ଶତାବ୍ଦୀ ପୂରି ଆଉଗୋଟିଏ ଶତାବ୍ଦୀ ମଧ୍ୟରୁ ପ୍ରବେଶ କଲାବେଳେ ସାହିତ୍ୟର କ୍ଷେତ୍ରରେ କ’ଣ ସବୁ ବିଶେଷ ବୃତ୍ତିମାନ କ୍ରମେ ଲକ୍ଷିତ ହେବ, ଆମେ ସେହିବିଷୟରେ ହୁଏତ କିଛି ଅନୁମାନ ହିଁ କରିପାରିବା । ବିଂଶ ଶତାବ୍ଦୀର ଭବିଷ୍ୟ ବିଷୟରେ ଚିନ୍ତାଶୀଳ ବ୍ୟକ୍ତିମାନେ ବହୁ ମହତ୍ତ୍ଵପୂର୍ଣ୍ଣ ଆଲୋଚନା କରିଛନ୍ତି-। ଆସୁଥିବା ସେହି ଭବିଷ୍ୟତ ସାରା ପୃଥିବୀକୁ ଗୋଟାସୁଦ୍ଧା ଦୋହଲାଇ ଦେବାକୁ ଯାଉଛି ଏବଂ ତାହାକୁ ସୁସ୍ଥ ଭାବରେ ସାମନା କରିବାକୁ ହେଲେ ଜଗତର ମନୁଷ୍ୟ ଏବଂ ସମାଜମାନଙ୍କୁ କିପରି ପ୍ରାୟ ଏକାବେଳକେ ଅଲଗା ପ୍ରକାରେ ଏବଂ ଅଲଗା ଚେତନାରେ ପ୍ରସ୍ତୁତ ହେବାକୁ ପଡ଼ିବ, ସେମାନେ ପ୍ରାୟ ସତର୍କ କରିଦେଇ ଆମକୁ ସେକଥା କହିଛନ୍ତି ।

 

ଯେତେବେଳେ ଉନବିଂଶ ଶତାବ୍ଦୀ ଯାଇ ବିଂଶ ଶତାବ୍ଦୀ ଆସୁଥିଲା, ସେତେବେଳେ ଏତେ ଗୁଡ଼ାକ ଚର୍ଚ୍ଚା ମୋଟେ ହୋଇନଥିଲା । ପୃଥିବୀ କହିଲେ ଏଠାରେ ବାସ କରୁଥିବା ଅଧିକାଂଶ ମନୁଷ୍ୟ ପ୍ରଧାନତଃ ଭାଗ୍ୟକୁ ବୁଝୁଛନ୍ତି । ଏମାନଙ୍କ ବାହାରେ ଯେଉଁମାନେ ଇଉରୋପ ଏବଂ ଆମେରିକାରେ ବାସ କରୁଥିଲେ, ସେମାନେ ପୃଥିବୀରେ ଯାହାକିଛି କହିଲେ ପ୍ରାୟ ଆଖି ବୁଜି ଇଉରୋପ ଏବଂ ଆମେରିକାକୁ ବୁଝୁଥିଲେ । ସାମ୍ରାଜ୍ୟବାଦର ଡେଙ୍ଗାମାନେ ସଭ୍ୟତା ଏବଂ ସଂସ୍କୃତିର ସବୁଯାକ ଇଲାକାକୁ ମାଡ଼ି ବସିଥିଲେ, ତଥାପି, ପ୍ରାୟ ତାହାରି କୃପାରୁ ପୃଥିବୀଯାକ କ୍ରମେ ଛପା ବହି ବାହାରୁଥିଲା, ଶିକ୍ଷାର ପ୍ରସାର ଘଟୁଥିଲା, ଗଣତନ୍ତ୍ର ବୋଲି ଏକ ନୂଆ କଣ୍ଢେଇ ପୃଥିବୀଯାକର ହାଟରେ କିଣିବାକୁ ମିଳୁଥିଲା, ଆମ ଭାରତବର୍ଷରେ ସେହି ସାମ୍ରାଜ୍ୟବାଦୀ ଆଘାତର ପ୍ରେରଣାରୁ ହିଁ ଏକ ସ୍ଵାଧୀନତା ସଂଗ୍ରାମ ଜନ୍ମଲାଭ କରୁଥିଲା ।

 

ଇଉରୋପରେ ଜାତୀୟତାବାଦ ଔପନିବେଶକତାବାଦକୁ ଉତ୍ସାହିତ କରି ଆଣିଲା । ସତେଅବା ସେଠି ସବୁକିଛିର ଗୋଡ଼ ଖସିଗଲା । ସେଠି କୁନି କୁନି ଦେଶମାନେ ଭାବିଲେ ଯେ ସେମାନଙ୍କ ସାମ୍ରାଜ୍ୟରେ କସ୍ମିନ୍‌କାଳେ ବି ସୂର୍ଯ୍ୟାସ୍ତ ହେବନାହିଁ । ସେହିମାନଙ୍କର ଧର୍ମଟା ସାରା ପୃଥିବୀକୁ ମାଡ଼ିଯିବ । ସେହି ଆଳରେ ବିଜ୍ଞାନର ବି ଗୋଡ଼ ଖସିଗଲା । ହାଟ ଓ ପଣ୍ୟ କାରବାରକୁ ନେଇ ସ୍ଵାର୍ଥ ସ୍ଵାର୍ଥ ଭିତରେ ଲଢ଼ାଇ ଚାଲିଲା । ବିଂଶ ଶତାବ୍ଦୀର ପ୍ରଥମ ଚାରୋଟି ଦଶକରେ ହିଁ ଦୁଇଦୁଇଟା ମହାଯୁଦ୍ଧ ହୋଇଗଲା । ଇଉରୋପ ଏବଂ ଆମେରିକା ସେଥିରୁ ସତେଅବା ବହୁତ ପାଠ ଶିଖିଲେ । ସେମାନେ ଆଖି ମେଲାଇ ଦେଖୁ ଦେଖୁ ସାରା ପୃଥିବୀଟା ସ୍ଵାଧୀନ ହୋଇଗଲା । ବିଶ୍ଵଇତିହାସରେ ପ୍ରଥମଥର ପାଇଁ ଗୋଲାର୍ଦ୍ଧ ଗୋଟାକର ରାଜନୀତି, ରାଷ୍ଟ୍ରନୀତି, ଆର୍ଥିକ ସଂଗଠନ, ସ୍ୱାସ୍ଥ୍ୟ,ଶିକ୍ଷା ଆଦି ଯାବତୀୟ ମାମଲା ସମସ୍ତଙ୍କୁ ଏକାଠି ବସାଇ ଗୋଟାଏ ଜାଗାକୁ ପଡ଼ିଲା । ଏଠି ଆମେ ଯେ ପରସ୍ପର ସହିତ ଅତ୍ୟନ୍ତ ନିବିଡ଼ ଭାବରେ ଭାଗ୍ୟକୁ ଏକାଠି ଯୋଡ଼ି ବାସ କରିବା ଓ ସେଥିରୁ ବାହାର ହୋଇଗଲେ ସାରା ପୃଥିବୀକୁ ହିଁ ବିପନ୍ନ କରି ପକାଇବା, ସେହି ସତ୍ୟଟି ଆମ ବିବେକ ଭିତରକୁ ଅଧିକ ସାକାର ଭାବରେ ଭେଦିବାକୁ ଆରମ୍ଭ କଲା । ଏହାକୁ ହିଁ ଆମେ ଆମ ସମସ୍ତଙ୍କ ପାଇଁ ବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଅବଦାନ ବୋଲି କହିପାରିବା ।

 

ଜଗତୀକରଣର ସେହି ପ୍ରକ୍ରିୟାଟିକୁ ସାହିତ୍ୟ କଦାପି ବାଦ୍ ଯାଇନଥାନ୍ତା । ଏହି ପ୍ରକ୍ରିୟା କେବଳ ଏକ ଆଲୋଡ଼ନ ରୂପେ ନୁହେଁ, ଏକ ଆହ୍ଵାନରୂପେ ମଧ୍ୟ ନୂଆ ହୋଇ ସ୍ଵାଧୀନ ହୋଇଥିବା ଦେଶମାନଙ୍କର ବାଡ଼ିଭିତରେ ଆସି ପଶିଲା । ଭାରତୀୟ ସାହିତ୍ୟର ତଥାକଥିତ ଆଧୁନିକ ଯୁଗ ଏଇଥିରୁ ଆରମ୍ଭ ହେଲା । ପୁରୁଣାମାନେ ରହିଗଲେ, ପୁରୁଣା ଧିସାସବୁ ବଦଳିଗଲା । ସହରରେ ଗଦ୍ୟକବିତା ଲେଖାଗଲା । ଗଳ୍ପ ଆଉ ଉପନ୍ୟାସରେ ଗଗନ ମଣ୍ଡଳରେ ଧୂଳି ଉଡ଼ିଲା । ସାହିତ୍ୟର ଚୁଚୁନ୍ଦ୍ରୀଟା ଅପ୍ରତ୍ୟାଶିତ କେତେ କେତେ ଆଡ଼କୁ ମାଡ଼ିଗଲା । ନାଟକ, ପ୍ରବନ୍ଧ, ଆତ୍ମଜୀବନୀ, ଭ୍ରମଣକାହାଣୀ, ରମ୍ୟରଚନା ଏହିପରି କେତେ କେତେ ନୂଆ ଚକରେ ପକାଇ କୁମ୍ଭାରମାନେ ସାହିତ୍ୟ ଗଢ଼ିଲେ । ଭାରତବର୍ଷରେ ବିଭିନ୍ନ ଭାଷାର ସାହିତ୍ୟମାନେ ଇଂରାଜୀ ବା ଆମେରିକାନ୍ ସାହିତ୍ୟରୁ ଚରୁ ଆଣି ଏଠି ପରସ୍ପର ସହିତ ଅତ୍ୟନ୍ତ ଗମ୍ଭୀର ଭାବରେ ପ୍ରତିଯୋଗିତାମାନେ ଲଗାଇ ଦେଲେ । ସେହି ପ୍ରତିଯୋଗିତାମାନ ଲଗାଇ ଦେଲେ । ସେହି ପ୍ରତିଯୋଗିତା ଏବେ ମଧ୍ୟ ଚାଲିଛି, ପ୍ରତିଯୋଗୀମାନେ ବେଳେ ବେଳେ ଭାରି ବ୍ୟାଧଗ୍ରସ୍ତ ଦିଶୁଛନ୍ତି । ଭିତରେ ସତେଅବା କେଉଁ ଖଣ୍ଡିଆଗୁଡ଼ାକୁ ବାହାରର ନୂଆ ନିର୍ମାଣଶୈଳୀ ଦ୍ଵାରା ବେଶ ଜାକଜମକିଆ କରି ଦେଖାଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର, ଗୋଟାଏ କଥା ଅବଶ୍ୟ ସତ୍ୟ ଯେ, ଏହି ଶତାବ୍ଦୀର ଆରମ୍ଭ ସମୟରେ ଭାରତବର୍ଷରେ ଯେତିକି ଛପାବହି ଥିଲା, ଶତାବ୍ଦୀଟି ସରି ଯାଉଥିବା ସମୟରେ ବର୍ତ୍ତମାନ ତାହାର କେତେଶହ ଗୁଣ ଅଧିକ ସଂଖ୍ୟାର ବହି ରହିଛି । ଆମ ଓଡ଼ିଶା ବିଷୟରେ ମଧ୍ୟ ସେହି କଥାଟି ଅବଶ୍ୟ କୁହାଯିବ । ଏବେ ଅନେକ ଅଧିକ ଗୁଣ ମଣିଷ ବହି ପଢ଼ୁଛନ୍ତି, ସାହିତ୍ୟକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଅନ୍ତତଃ, ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟ ବହିଗୁଡ଼ିକୁ କୌଣସି ବାପା କିମ୍ବା କୌଣସି ଶିକ୍ଷକ ଏବେ ବାଜେ ବହି ବୋଲି କହୁନାହିଁ ।

 

ଏକବିଂଶ ଶତାବ୍ଦୀ ଆମକୁ ଏଭଳି ଏକ ପାରସ୍ପରିକତା ପାଖରେ ଆଣି ହାବୁଡ଼େଇ ଦେବ, ଯେଉଁଟି ମଧ୍ୟରେ କି ମଣିଷ କହିଲେ ସତକୁ ସତ ସବୁ ମଣିଷଙ୍କୁ ବୁଝାଇବ । ଏକଦା ଇଉରୋପରେ ସେହି ସତ୍ୟଟିକୁ ଆଧାର କରି ଏକ ନୂତନ ଜାଗରଣର ଯୁଗ ଆସିଥିଲା । ଭାରତବର୍ଷରେ କାଳେ କାଳେ ଯାହାକିଛି ହୋଇଛି, ସେଥିରେ ସବୁ ମଣିଷଙ୍କର ଆଦୌ କଳ୍ପନା କରା ଯାଇନାହିଁ । ଏପରିକି ଭାରତୀୟ ଆଧ୍ୟାତ୍ମିକତା ମଧ୍ୟ ସତେଅବା ସେହି ବାସ୍ତବ ଆହ୍ୱାନଟିର ସମ୍ମୁଖୀନ ହୋଇନପାରି ଏକ ସ୍ଵାର୍ଥବାଦୀ ସ୍ତରରେ ଧାର୍ମିକତା ଭିତରକୁ ଲୋସଡ଼ି ପଡ଼ିଛି । ଆଗାମୀ ଶତାବ୍ଦୀର ଭାରତୀୟ ସାହିତ୍ୟ ସେତେବେଳେ ଭାରତୀୟ ମୁଖ୍ୟ ଉଦ୍ୟମଟିର ଅବଶ୍ୟ ଅନୁସରଣ କରିବ । ତେଣୁ, ହୁଏତ କମ୍ ଭାବପ୍ରବଣ ହେବ, ଅତୀତ ସହିତ ଏତେ ଜଡ଼ିତ ହୋଇ ରହିବାକୁ ମନ କରିବନାହିଁ । ଭାରତୀୟ ଉଦ୍ୟମ ଭିତରକୁ ଭାରତରେ ଅଧିକରୁ ଅଧିକ ମଣିଷ ଆସିବା ଫଳରେ ସମ୍ଭବତଃ ତାହାରି ଭିତରୁ ପ୍ରେରଣା ନେଇ ଏବର ଭାରତୀୟ ଆଧୁନିକ ସାହିତ୍ୟ ନିଜର ଆସ୍ପୃହାଗତ ଆଭିମୁଖ୍ୟକୁ କ୍ରମେ ବଦଳାଇ ଦେବ । ନୂଆ ସାହିତ୍ୟ କହି ଏବେ ଯେପରି ସ୍ୱୟମ୍ବରୀମାନେ ଶୈଳୀକୁ ନେଇ ଥେଇ ଥେଇ ନାଚୁଛନ୍ତି, ତାହାର ପ୍ରାଦୁର୍ଭାବ ଓ ପ୍ରତାପ ଅନେକ ପରିମାଣରେ କମିଯିବ । ଏବେ ତ ସାମାଜିକ ନାନା କାରଣରୁ ଆମର ସାହିତ୍ୟିକ ଅବସରଗୁଡ଼ିକ ପ୍ରାୟ ଏକ ସାମୂହିକ ଆତ୍ମରତିରେ ପରିଣତ ହୋଇଛି । ମୂଳତଃ ରସିକମାନେ ହିଁ ଲେଖୁଛନ୍ତି ଓ ରସିକମାନେ ପଢ଼ୁଛନ୍ତି । ଆଗାମୀ ଶତାବ୍ଦୀର ଏସବୁ କ୍ରମେ ଊଣା ହୋଇ ଆସିବ । ସାହିତ୍ୟରେ ଜୀବନାବତରଣ ଘଟିବ । ତେଣୁ ଜୀବନର ଅଧିକ ଅଧିକ ପ୍ରସଙ୍ଗ ସାହିତ୍ୟ ଭିତରକୁ ଆସିବ । ସାହିତ୍ୟ ଲେଖିବାକୁ ମନ କରୁଥିବା ମଣିଷମାନଙ୍କୁ ଏକ ଅନ୍ୟ ସ୍ଵପ୍ନ ଘାରିବ, ଏକ ଅନ୍ୟ ଆତ୍ମୀୟତା ଟାଣିବ । ସାହିତ୍ୟର ମଣିଷମାନେ ଆଉ ଅନ୍ୟ ମଣିଷମାନେ ଆଉ ଅନ୍ୟ ମଣିଷମାନଙ୍କୁ ଇତର ବୋଲି ମଣି ସେମାନଙ୍କ ଠାରୁ ଅଲଗା ହୋଇ ବସିବାକୁ କିମ୍ବା ଦିଶିବାକୁ ଆଦୌ ମନ କରିବେ ନାହିଁ । ସାହିତ୍ୟର ଆବେଦନ ବସ୍ତୁତଃ ଯେତେ ବିଶ୍ଵଜନୀନ ହୋଇଥିଲେ ମଧ୍ୟ ଏହି ଶତାବ୍ଦୀର ଶେଷପାଦରେ ବି ତାହା ପୃଥିବୀର ଅଧିକାଂଶ ସମାଜରେ ଭାରି ସାମନ୍ତବାଦୀ ହୋଇ ରହିଛି । ସାମନ୍ତମାନଙ୍କର ବିସ୍ମରଣ ଲାଗି ପ୍ରାୟ ଏକ ମାଧ୍ୟମ ହୋଇଛି । ଆଗାମୀ ଶତାବ୍ଦୀରେ ସେହି ଚକଟି ଅବଶ୍ୟ ବୁଲିଯିବ । ଅର୍ଥାତ୍, ସାହିତ୍ୟର ଗ୍ରହଣଶୀଳତା ଓ ପରିଧି ବଢ଼ିବ, ତେଣୁ ଜୀବନ ନିମନ୍ତେ ତା’ର ତାତ୍ପର୍ଯ୍ୟ ବି ବଢ଼ିବ ।

 

ଯେତେଦୂର ଦେଖାଯାଉଛି, ଆଗାମୀ ଶତାବ୍ଦୀରେ କବିତାର କାୟାପଲଟ ହେବ । ଯୁଗାନୁଗତ ନାନା କାରଣରୁ ଏକ ବିଶେଷ ବିଭାଗ ବୋଲି ପରିଚିତ ହୋଇ ଆସିଛି । ଆଗାମୀ ଯୁଗସଂଜ୍ଞାରେ ତାହା ହୁଏତ ଯାବତୀୟ ସାହିତ୍ୟର ଏକ ସାଧାରଣ ବିଭବରୂପେ ସ୍ଵୀକାର ଲାଭ କରିବ । କବିତା ସାହିତ୍ୟର ଅନ୍ୟ ସବୁଯାକ ବିଭାଗରେ ପ୍ରାୟ ଅଙ୍ଗାଙ୍ଗୀ ଭାବରେ ମିଶିଯିବ । ତାହା ସାଧାରଣ ଭାବରେ କାବ୍ୟିକତା ଅଥବା ସର୍ଜନାତ୍ମକତାକୁ ବୁଝାଇବ । ଯାବତୀୟ କ୍ରାନ୍ତଦର୍ଶନର ଯୋଗ୍ୟତା ଯେ ମଣିଷକୁ ସର୍ଜନାତ୍ମକ ହେବାରେ ଜନନୀ ପରି କାର୍ଯ୍ୟ କରେ, ସେହିଭଳି ଏକ ପ୍ରତ୍ୟୟ ଆଣିଦେବ । ଏବର କବିତା ଯହୁଁ ଯହୁଁ ଗଦ୍ୟଆଡ଼କୁ କ୍ରମେ ପାଖ ହୋଇ ଆସୁଛି, ଗଳ୍ପ, ଉପନ୍ୟାସ, ରମ୍ୟରଚନା ଓ ନାଟକ ମଧ୍ୟ ସେହିପରି ଅଧିକରୁ ଅଧିକ କାବ୍ୟିକତାମୟ ହେବାରେ ଲାଗିଛନ୍ତି । ତେଣୁ, ପାରମ୍ପରିକ ଭାବରେ ଗଦ୍ୟ ଏବଂ ପଦ୍ୟ ମଧ୍ୟରେ ରହି ଆସିଥିବା ବାରଣଗୁଡ଼ାକ ମଧ୍ୟ ଆଗାମୀ ଶତାବ୍ଦୀରେ କ୍ରମେ ଭାଙ୍ଗି ଭାଙ୍ଗି ଯିବ ଏବଂ ଏକ ସ୍ଵତନ୍ତ୍ର ବିଧିକୁ ମାନି ପଳାଇ ଯିବାକୁ ଓ ଅଲଗା ଦିଶିବାକୁ ଲୋଭ କରୁଥିବା କେତେକ ବିଶେଷ ଲେଖକମଣିଷଙ୍କୁ ତେଣିକି ମୋଟେ କବି ବୋଲି କହିବାକୁ ମନ ଯିବନାହିଁ । ସୃଜନଶୀଳତା ଓ କାବ୍ୟିକତା ହିଁ ସକଳ ସାହିତ୍ୟର ମାନଦଣ୍ଡ ହେବ । ବୃହତ୍ତର ସମାଜରେ ଯାବତୀୟ ପ୍ରକାରର ପଳାୟନର ଆବଶ୍ୟକତା ଊଣା ହୋଇ ଆସୁଥିବାରୁ ସାହିତ୍ୟରେ ମଧ୍ୟ ତାହାହିଁ ଘଟିବ ।

 

ଆଗାମୀ ଶତାବ୍ଦୀ ହେଉଛି ଅଭୂତପୂର୍ବ ବହୁ ଅତିକ୍ରମଣର ଏକ ଶତାବ୍ଦୀ । ଆଗାମୀ ଶତାବ୍ଦୀର ସାହିତ୍ୟ ସେହି ଅତିକ୍ରମ ଅର୍ଥାତ୍ ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବ, ତଦ୍ଦ୍ଵାରା ନିଜେ ବି ଉପକୃତ ହେବ । ତାହାରି ଫଳରେ ସାହିତ୍ୟ ଭିତରୁ ଜାତୀୟତାବାଦ ନାମକ ସେହି ସାନ ପରିମିତିଟି କ୍ରମଶଃ ବିଦା ହୋଇ ଚାଲିଯିବ । ଜାତିପ୍ରୀତିର ଭାବନା ଅନେକ ସମୂହର ଜୀବନରେ ବହୁ ଦ୍ୟୋତନା ଅବଶ୍ୟ ସମ୍ଭବ କରିଛି ସତ, ମାତ୍ର ଏଣିକି ସାହିତ୍ୟ ବାହାରର ଏହି ଏକତ୍ରକାରୀ ବାଡ଼ଟିକୁ ନଦେଖି ମଣିଷକୁ ମଣିଷ ସହିତ ସଂଶ୍ଳିଷ୍ଟ କରି ରଖିଥିବା ଭିତରର ସୂତ୍ରଗୁଡ଼ିକୁ ଅଧିକ ନିଷ୍ଠାର ସହିତ ଦେଖିବାକୁ ଚେଷ୍ଟା କରିବ । ନିଜର ରାଜ୍ୟଟିକୁ ବା ଦେଶଟିକୁ ଜନନୀ ବୋଲି କହି ବାହୁନିବା ନିମନ୍ତେ ସାହିତ୍ୟରେ ହୁଏତ କୌଣସି ଆବଶ୍ୟକତା ରହିବନାହିଁ । ବିଂଶ ଶତାବ୍ଦୀରେ ମାନବୀୟ ବିଜ୍ଞାନମାନେ ମଣିଷ ହାତରେ, ନିଜକୁ ଓ ନିଜର ଭାବଗତ ସମୂହଗୁଡ଼ିକୁ ଦେଖିବାର ଯେଉଁ ନୂଆ ଆଖିଗୁଡ଼ିକ ଆଣିଦେଇ ଯାଇଛନ୍ତି, ତାହାରି ବଳରେ ସୁସ୍ଥତା ଓ ପୂର୍ଣ୍ଣତା କହିଲେ ପୃଥିବୀ ହୁଏତ ଏକାବେଳେକେ ଅନ୍ୟ ଜୀବନମୂଲ୍ୟ ଗୁଡ଼ିକ ବୁଝିବ ଏବଂ ଆଗାମୀ ସାହିତ୍ୟ ତଦ୍ଦ୍ଵାରା ନିଶ୍ଚୟ ଉଦ୍‍ବୁଦ୍ଧ ହେବ । ଏବେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟ କହିଲେ ଅନେକେ ଯେପରି ସତେଅବା ଦୁଇଟା ଅଲଗା ଅଲଗା ରାଜ୍ୟକୁ ବୁଝୁଛନ୍ତି, ଆଗାମୀ ଶତାବ୍ଦୀ ତାହାକୁ ବହୁତ ପରିମାଣରେ ଭାଙ୍ଗିଯିବାରେ ହିଁ ସାହାଯ୍ୟ କରିବ । ଭୂଇଁ ଭିତରେ ମଣିଷମାନଙ୍କର ଚେର ଯେତିକି ଯେତିକି ଅଧିକ ଗଭୀରକୁ ଚରି ଚରି ଯାଉଥିବ, ବାହାରର ବୁଦ୍ଧିବାଦୀ ଭାବପ୍ରବଣତାର ଭେଦ ସେତିକି ଦୂର ହେବାରେ ଲାଗିବ । ଆଗାମୀ ଶତାବ୍ଦୀରେ ଯଥାର୍ଥ ଭିତ୍ତିଭୂମିଟିକୁ ସମ୍ଭବ କରିବାକୁ ହେଲେ ସମଗ୍ର ପୃଥିବୀର ଅନ୍ନ ଓ ମନର ସ୍ତରରେ ଯେଉଁ ତୁମୁଳ ପରିବର୍ତ୍ତନ ମଣିଷଲାଗେ ଅପେକ୍ଷା କରି ରହିଛି, ଆଗାମୀ ଅସଲ ସାହିତ୍ୟ ଆପଣାକୁ ସେଇଥିପାଇଁ ଉତ୍ସର୍ଗୀକୃତ କରି ରଖିବ-। ପୃଥିବୀର ପରବର୍ତ୍ତୀ ଭବିଷ୍ୟତଟିକୁ ବହୁ ବିପ୍ଳବର ମଧ୍ୟବର୍ତ୍ତୀ ପଥ ଅତିକ୍ରମ କରିବାକୁ ପଡ଼ିବ ଏବଂ ପୃଥିବୀଯାକ ଆଗାମୀ ଶତାବ୍ଦୀର ସାହିତ୍ୟ ଆମର ସେହି ଅତିକ୍ରମ କରିବାରେ ଆମର ଏକ ବିଶ୍ଵସ୍ତ ସଙ୍ଗୀ ହୋଇ ରହିଥିବ ।

 

(ଆକାଶବାଣୀର ସୌଜନ୍ୟରୁ), ୧୯୯୬

Image

 

ଆମ ସାହିତ୍ୟର ଆକାଶ

 

ଗାଆଁରେ ବଡ଼ କୋଠା ନାହିଁ, ଭଲ ସଡ଼କ ନାହିଁ, ଚଲାଖ ମଣିଷମାନେ ବି ସେତେବେଶୀ ସଂଖ୍ୟାରେ ନାହାନ୍ତି । ଗାଆଁରେ ବଜାର ନାହିଁ, କିଣାବିକା ସେପରି କିଛି ନାହିଁ, ସଭା ନାହିଁ କି ସଉକିନୀ ନାହିଁ । ଏସବୁ ସହରରେ ଅଛି । ସହରରେ ଆକାଶ ନାହିଁ, ଗାଆଁରେ ଆକାଶ ଅଛି ।

 

ଆମେ ଯେଉଁମାନେ ସାହିତ୍ୟ କରୁଛୁ, ଆମେ ଗାଆଁରେ ଜନ୍ମ ହୋଇଛୁ, ସହରରେ ପାଠ ପଢ଼ିଛୁ ଏବଂ ସହରର ସାହିତ୍ୟକୁ ଗାଆଁକୁ ଆଣିଛୁ । ଆଧୁନିକ ସାହିତ୍ୟ ବୋଲି ଯାହାକୁ କୁହାଯାଉଛି, ସେସବୁ ସହରରେ ଜନ୍ମ ହୋଇଛି । ଆମେ ସେଗୁଡ଼ାକୁ ସେହି ସହରରୁହିଁ ଶିଖିଛୁ । ସହରରୁ ଆଉ ପାଞ୍ଚ କଥା ବା ଦଶ କଥା ଶିଖିଥିବା ପରି ଆମେ ଏହି ସାହିତ୍ୟକୁ ମଧ୍ୟ ସହରରୁ ଶିଖିଛୁ । ସହରରେ ଶିକ୍ଷିତମାନେ ଅଛନ୍ତି, ବାବୁମାନେ ଅଛନ୍ତି, ପ୍ରାୟ ସବୁଯାକ ପ୍ରମାଣପତ୍ରକୁ ଯାକି ଧରିଥିବା ସାହିତ୍ୟିକମାନେ ବି ସେଇଠି ଅଛନ୍ତି । ସେଠି ସାହିତ୍ୟିକମାନେ ଗାଆଁକୁ ଝୁରନ୍ତି, ସହରରେ ଘର କରି ସାରିବାପରେ ସେମାନେ ଗାଉଁଲି ଗୀତ ଓ ଗାଉଁଲି ଗପର ସଂଗ୍ରହ କରନ୍ତି । ଏଗୁଡ଼ାକୁ ନେଇ କେତେ ଶରଧାରେ ବହିମାନ ଲେଖନ୍ତି, ଧନ ଦରବ ପାଆନ୍ତି । ସେଗୁଡ଼ାକ କ’ଣ ଭାବି ସେମାନେ ଇଂରାଜୀରେ ଅନୁଭବ କରନ୍ତି । ସହରରେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସକାଶେ ସଭାର ଆୟୋଜନ ହୁଏ । ଜାତିର ଗୌରବ ବଢ଼େ । ସେହି ଗୌରବ ବଢ଼ିଲା ବୋଲି ଖବରକାଗଜରେ ଘୋଷଣା କରାହୁଏ । ଆମ ଛାତି ଗୁଡ଼ାକ ସତେଅବା ଫୁଲି ଗଲାପରି ମନେହୁଏ-

 

ସହରରେ ଆକାଶ ନାହିଁ, ଗାଆଁରେ ଆକାଶ ରହିଛି ବୋଲି ଗାଆଁର ଧାନବିଲ ଏଡ଼େ ସୁନ୍ଦର ଦିଶେ, ଗାଆଁ କାନ୍ଥରେ ରହିଥିବା ପାହାଡ଼ ଏଡ଼େ ସୁନ୍ଦର ଦିଶେ । ତୋଟା ଦାଢ଼ରେ ବଗମାନେ ଉଡ଼ିଗଲେ ସତେଅବା ହୃଦୟ ଭିତରେ ନୂପୁର ବାଜିଉଠେ । ଗାଆଁରେ ଆକାଶ ବୋଲି କହିଲା ଭଳି ଆକାଶଟାଏ ରହିଛି ବୋଲି ସମସ୍ତେ ଏକାବେଳେକେ ପାଖକୁ ପାଖ ବସିକରି କଥା ହେଉଥିବା ପରି ଲାଗନ୍ତି । ନେବା ଅପେକ୍ଷା ଦେବାକୁ ଅଧିକ ଭଲଲାଗେ । ଜିତିବାଠାରୁ ହାରିବା ଭଲଲାଗେ । ହାରିଗଲେ ମଧ୍ୟ ତଥାପି ମାନ ଚାଲିଗଲା ପରି ମୋଟେ ମନେ ହୁଏନାହିଁ ।

 

ଆଗେ ଦରବାରମାନଙ୍କରେ ସାହିତ୍ୟ ଥିଲା, ଏବେ ସହର ଗୁଡ଼ାକରେ ସାହିତ୍ୟ ଅଛି । ସହରର ଜୀବନ ଜୀବନ ପରି ଯେତେ ଲାଗେନାହିଁ, ତା’ଠାରୁ ଅଧିକ ପରିମାଣରେ ବଣିଜ ପରି ଲାଗେ । ସେଠି ଦରବାର ନବସିଲେ ଆନନ୍ଦ ମିଳେନାହିଁ । ସେଠି ମଣିଷମାନେ ଆପଣାକୁ ଲୁଚାନ୍ତି, ଦରବାରୀ ହୁଅନ୍ତି । ସେଠି ମଣିଷମାନେ ପ୍ରାୟ ପରସ୍ପରର ଦିହକୁ ଦିହ ଘଷାହୋଇ ରହିଥିଲେ ମଧ୍ୟ ତଥାପି ଅସଲ ଭୋଟାଭେଟି ଗୁଡ଼ାକର କ୍ଷେତ୍ରରେ ପରସ୍ପରଠାରୁ କେତେ ଦୂରରେ ରହିଥାନ୍ତି । ଗାଆଁରେ ଘର ଗୁଡ଼ାକ ଯେତେ ଦୂର ଦୂର ହୋଇ ତିଆରି ହୋଇଥିଲେ ମଧ୍ୟ ମଣିଷର କେତେ ପାଖରେ ଥିବାପରି ମନେହୁଏ ।

 

ସହରରେ ପାଠ ପଢ଼ି ଯେଉଁଦିନ ଠାରୁ ଆମେ ସେହି ସହରରୁ ଗାଆଁକୁ ସାହିତ୍ୟକୁ ଆଣିଲୁଣି, ସେହି ଦିନଠାରୁ ସାହିତ୍ୟର କ’ଣ ହୋଇଛି ବା ନହୋଇଛି କେଜାଣି, ମାତ୍ର ଏଥିରେ କୌଣସି ସନ୍ଦେହ ନାହିଁ ଯେ ତଦ୍ଦ୍ୱାରା ଗାଆଁର ଆକାଶ କ୍ରମଶଃ ଛୋଟ ହୋଇ ଆସୁଛି । ସହରରୁ ଛାଞ୍ଚ ଗୁଡ଼ାକ ଆସି ଯୋଉ ଦିନଠାରୁ ଆମ ଗାଆଁମାନଙ୍କରେ କଲେଜ ବୋଲି ଗୋଟାଏ ଗୋଟାଏ ନୂଆ ଆୟୋଜନର ଭିୟାଣ ହେଲାଣି, ସେହି ଦିନ ଠାରୁ ଆମ ପାରସ୍ପରିକ ଜୀବନସୂତ୍ର ଓ ମାନବିକ ରୁଚି ଗୁଡ଼ାକର ବ୍ୟାସସବୁ ଯେପରି କ୍ରମଶଃ ଛୋଟ ହୋଇ ଆସିବାକୁ ଆରମ୍ଭ କରିଛି, ଏକଥା ପ୍ରାୟ ଠିକ୍ ସେହିପରି । ଆମେ ଯେଉଁମାନେ ସାହିତ୍ୟକୁ ବସରେ ଲଦି ସହରରୁ ଗାଆଁକୁ ଆଣିଛୁ, ଏକଥା ନିରାଟ ସତ ଯେ ଆମ କାହାରି ମନ ଆଉ ମୋଟେ ଗାଆଁରେ ନାହିଁ । ଆମେସବୁ ଗାଁଆ ଅନ୍ତୁଡ଼ିରେ ଜନ୍ମ ହୋଇଥିଲେ ମଧ୍ୟ ମଉକା ମିଳିବା ମାତ୍ରକେ ସହରକୁ ବାହାହୋଇ ପଡ଼ିବା ପାଇଁ ବଡ଼ ବ୍ୟାକୁଳ ହୋଇ ରହିଛୁ । ତେଣୁ ଭାରି ଦୁଃଖୀ ହୋଇ ରହିଛୁ । ସହରରୁ କୋଉ ବୀର ପୁରୁଷ ଆସି ଆମକୁ ଶୂନ୍ୟେ ଶୂନ୍ୟେ ସେହି ସହରକୁ ଟେକି ନେଲେ ଯାଇ ସତେ ଯେପରି ଆମର ବନ୍ଧ୍ୟାତ୍ୱ ଦୂର ହୋଇ ପାରନ୍ତା, ଆମ ଭିତରୁ ଅନେକେ ବାଉଳା ଅବାଉଳାରେ ପ୍ରାୟ ସେହିପରି ଗୁଡ଼ାଏ ସ୍ଵପ୍ନ ଦେଖିବାରେ ଲାଗିଛୁ । ତାହାକୁ ହିଁ ସାହିତ୍ୟ ବୋଲି କହୁଛୁ, ତାହାକୁ ନେଇ କେଡ଼େ ଫୁଲେଇ ହେଉଛୁ ।

 

ଯୋଉ ସାହିତ୍ୟ ଜୀବନର ଆକାଶଗୁଡ଼ାକୁ କ୍ରମେ ଖାଇଖାଇ ସର୍ବସ୍ଵାନ୍ତ କରିଦିଏ, ଆମେ କ’ଣ ଗାଆଁରେ ସେହି ସାହିତ୍ୟର ଅନୁକରଣ କରିବା ଓ ଅଲକ୍ଷଣା ହେବା ? ସ୍ଵାଧୀନତା ପରେ ଏହି ଦେଶରେ ଅନେକ ମଣିଷଙ୍କୁ ବକା କରି ରଖି ସହର ଓ ରାଜଧାନୀମାନଙ୍କରେ ବାବୁମାନେ ନୂଆ ବଜାର ବସାଇଛନ୍ତି । ବକା ମଣିଷମାନଙ୍କ ଭିତରୁ ଅଧିକତର ଅଂଶଟି ଆମ ଗାଆଁମାନଙ୍କରେ ରହିଛି । ଆମର ସାହିତ୍ୟ କ’ଣ ସେମାନଙ୍କର କଥା କହିବା ଲାଗି ମୋଟେ ମନ କରିବନାହିଁ, ସହରରୁ ବମାଚାର ଗୁଡ଼ାକୁ ଆଣି ଆମେ କ’ଣ ତଥାପି ସାହିତ୍ୟ ନାମରେ କେବଳ ଧୂର୍ତ୍ତତା ଗୁଡ଼ାକୁ ଗାଆଁରେ ନୂତନ ଜୀବନ ବୋଲି ଚଳାଇବାର ମନ୍ଦଫନ୍ଦା କରିବାରେ ଲାଗିଥିବା ? ଆମ ସାହିତ୍ୟ ସହରରୁ ଗୁଣିଆ ଆଣି ଗାଆଁ ଗୁଡ଼ାକ ଉପରେ ବୀର ସାଧିବ ନା ଆମ ଗାଆଁର ଆକାଶ ଗୁଡ଼ାକୁ ଚିହ୍ନି ତାହାକୁ ଆହୁରି ଅଧିକ ସୁନ୍ଦର କରି ଦେଖାଇବା ଲାଗି କିଛି ମନ କରିବ ? ସହରରେ ଏହି ସାହିତ୍ୟର ଲାଙ୍ଗୁଳକୁ ଅଣ୍ଟାରେ ଗୁଡ଼ାଇ ହୋଇ ଯୁବାମାନେ ବି କେଡ଼େ ମନୋରମ ବାଗରେ ବୁଢ଼ାଙ୍କ ପରି ଦିଶୁଛନ୍ତି । ଆମ ଗାଆଁଜୀବନର ଅବିହାଡ଼ୀ ଝିଅଟିକୁ ଆମେ କ’ଣ ସେହି ବୁଢ଼ାମାନଙ୍କର ପଲଙ୍କ ଗୋଡ଼ରେ ନେଇ ବାନ୍ଧି ଆସିବାକୁ ମନ କରିବା ? ସହରରେ ସାହିତ୍ୟ–ମଣ୍ଡନମାନଙ୍କରେ ଚାଲାଖମାନେ କେଡ଼େ ସାଧୁଙ୍କ ପରି ଦିଶୁଛନ୍ତି, ଗନ୍ଧିଆମାନେ କେଡ଼େ ବାସନା ପରି ଲାଗୁଛନ୍ତି ଓ ନିର୍ମମମାନେ କେଡ଼େ ଅମୂଲ୍ୟ ପରିପାଟୀରେ ଉଚ୍ଚବକ୍ଷ ହୋଇ ଦିଶୁଛନ୍ତି । ଆମ ଗାଆଁମାନଙ୍କରେ ସହରର ସାହିତ୍ୟକୁ ପୂରାଇ ଆମେ କ’ଣ ଆମ ମନ୍ଦିରଗୁଡ଼ାକୁ ମାରା କରିବାକୁ ମନ କରିବା ?

 

ଆମେ ଯିଏ ଯେଉଁଠାରେ ରହିଛୁ, ଆଗ ସେଠାରେ ରହିଥିବା ଆକାଶଟାକୁ ଚିହ୍ନିବା । ତାହାର ଦୃଶ୍ୟ ଅଦୃଶ୍ୟ ଯାବତୀୟ ପ୍ରସ୍ଥଗୁଡ଼ିକୁ ଚିହ୍ନିବା । ଉଚ୍ଛତାଗୁଡ଼ିକୁ ଚିହ୍ନିବା ତଥା ଗଭୀରତା ଗୁଡ଼ାକୁ ମଧ୍ୟ ଚିହ୍ନିବା । ବିନୟର ସହିତ ଚିହ୍ନିବା ଲାଗି ଶରଧା ରଖିବା । ଏବଂ ସ୍ମରଣ ରଖିଥିବା ଯେ, ଯେତେବେଳେ ଏହି ସହର ଗୁଡ଼ାକ ନଥିଲା, ସହରରେ ବାନା ଉଡ଼ାଉଥିବା ମିଛ ଗୁଡ଼ାକ ନଥିଲା, ସେତେବେଳେ ମଧ୍ୟ ଆମ ଗାଆଁ ରହିଥିଲା । ଗାଆଁର ଏକ ଆକାଶ ଥିଲା । ଅନୁଭବ କରି ପାରିବା ଭଳି ଓ ନିଜର କରି ପାରିବା ଭଳି ଏକ ଆକାଶ ଥିଲା । ଏବଂ, ଏକ ଆକାଶ ଥିବାରୁ ହିଁ ଏକ ଜୀବନ ବି ରହିଥିଲା । ଜୀବନ ଥିବାରୁ ଏକ ହୃଦୟ ବି ଥିଲା । ଏକ ସ୍ଵାଭାବିକତା ଥିଲା । ଆମେ ସାହିତ୍ୟ ନାମରେ ଯାହାକିଛି କରିବା, ତାହା ଆମକୁ ସେହି ଆକାଶଟିକୁ ଚିହ୍ନିବା ଲାଗି ଅଧିକ ଯୋଗ୍ୟ କରିବ । କୌଣସି ଷଡ଼ଯନ୍ତ୍ର କରି ସେଇଟିକୁ ମୋଟେ ଭାଙ୍ଗି ପକାଇବାକୁ ମନ କରିବ ନାହିଁ । ଆକାଶକୁ ଚିହ୍ନିବାକୁ ଯାଇ ଯେ ଆମେ ଆପଣାକୁ ନେଇ କୌଣସି ଗୁମ୍ଫାରେ ବନ୍ଦ କରି ରଖିବା, ସେ କଥା ମୋଟେ ନୁହେଁ । ମାତ୍ର, ସହରର ଅସିଦ୍ଧ ଛାଞ୍ଚ ଗୁଡ଼ାକୁ ନେଇ ଆମେ ଆମ ଚିହ୍ନା ଆକାଶ ଗୁଡ଼ିକର ନମନୀୟତାକୁ ଯେପରି କଦାପି ନଷ୍ଟକରି ଦେବାକୁ ମନ ନକରିବା, ଆମକୁ ସେ ବିଷୟରେ ଭାରି ସାବଧାନ ହେବାକୁ ପଡ଼ିବ ।

 

ଆମ ଦେଶରେ ସହର ରହିବ, ଗାଆଁ ବି ରହିବ । ଗାଆଁର ପରିପୂରକ ହୋଇ ସହର ରହିବ । ସହର ଗାଆଁକୁ ଗ୍ରାସ କରି ପକାଇବ ନାହିଁ । ଗାଆଁ ସହରକୁ ଅନୁକରଣ ବି କରିବ ନାହିଁ । ସହରରେ ପାଠ ପଢ଼ିଥିବା ଗାଁରେ ଜନ୍ମ ହୋଇଥିବା ଲୋକମାନେ ସହରରୁ ବ୍ୟାଧିଗୁଡ଼ାକୁ ଆଣି ଗାଁରେ ଭର୍ତ୍ତିକରି ଦେବେନାହିଁ । ଯେତେ କଉତୁକ ଲାଗିଲେ ମଧ୍ୟ ସେମାନେ କଦାପି ତାହା କରିବେ ନାହିଁ । ସହରରେ ଯେଉଁ ପ୍ରାଣଟି ଆତଯାତ ହେଉଥାଏ, ସେଥିରେ ଖାଲି ଡାଳ ଗୁଡ଼ାକ ଥାଏ, ମୂଳ ନଥାଏ, ଖାଲି ପଟାଳି ଗୁଡ଼ାକ ଥାଏ, କେନ୍ଦ୍ର ବୋଲି କିଛି ନଥାଏ । ଆମେ ଯେଉଁମାନେ ପାଠ ପଢ଼ି ସାହିତ୍ୟକୁ ମନ କରିଛୁ, ସେମାନେ ଏହି କଥାଟିକୁ ସ୍ମରଣ ରଖିଥିବେ । ଗାଁରେ ଚେରଗୁଡ଼ିକ ଭିତରେ ଆପଣା ଚେତନାର ଅସଲ ସୁତାଗୁଡ଼ିକୁ ସଂଯୁକ୍ତ କରି ରଖି ତା ପରେ ଯାଇ ସେମାନେ ସହରରୁ ଗାଆଁକୁ ସାହିତ୍ୟ ଆଣିବା କଥା ବିଚାର କରିବେ । ତେବେଯାଇ ସେମାନେ ନିଜେ ସୁସ୍ଥ ହେବେ । ସୁସ୍ଥତାର ପ୍ରେରଣା ଦେବେ । ଗୋଡ଼ରେ ସହରୀ ଘୁଙ୍ଗୁର ପିନ୍ଧି ନାଚିବାକୁ ମନ କରି ସେମାନେ କଦାପି ଗାଆଁର ଆକାଶଟିକୁ ଭଣ୍ଡୁର କରି ଦେବେନାହିଁ । ନହେଲେ ସେମାନେ ନିଜେ ଭଣ୍ଡୁର ହୋଇ ରହିଯିବେ, ସ୍ଵୟଂ ବ୍ୟାଧିଗ୍ରସ୍ତ ହୋଇ ରହିଯିବେ । ଅଧିକ ବ୍ୟାଧିର ପ୍ରେରଣା ଦେବେ-

 

ଗୋକର୍ଣ୍ଣିକା–୯, ଫେବୃଆରୀ, ୧୯୮୩

Image

 

Unknown

କରୁଣ, କାରୁଣ୍ୟ ଓ କରୁଣା

 

ଯିଏ ହସାଏ, ସେଇ କ’ଣ ହାସ୍ୟରସ ? ଯିଏ କନ୍ଦାଏ, ସେହି କ’ଣ କରୁଣ ରସ ? ଅର୍ଥାତ୍, ଓଲଟାଇ କହିଲେ, ହାସ୍ୟରସ କ’ଣ ସବୁବେଳେ ହସାଏ, ଅଥବା କରୁଣରସ କ’ଣ ସବୁବେଳେ କନ୍ଦାଏ ? କ୍ରୌଞ୍ଚ ପକ୍ଷୀଟିର ହତ୍ୟାକୁ ଦେଖି ଆପଣା ମଧ୍ୟରେ କାରୁଣ୍ୟର ଅନୁଭବ କରି ଏକଦା ଜଣେ ମଣିଷ ଯେତେବେଳେ ହଠାତ୍ ଆଉ କଣ ଅନୁଭବ କଲା ଓ ଆଉ କ’ଣଟିଏ ହୋଇଗଲା, ଆମେ କ’ଣ ତାହାକୁ କେବଳ କରୁଣରସର ଏକ ଦୃଷ୍ଟାନ୍ତ ବୋଲି କହିବା ? ଖାଲି ଚଢ଼େଇଟିଏ ସହିତ ନୁହେଁ, ବାଲ୍ମୀକି ଋଷି ସେତେବେଳେ ହୁଏତ ସମଗ୍ର ସଂସାର ସହିତ କେଡ଼େ ଏକାତ୍ମତା ଅର୍ଥାତ୍ କେତେ ନିବିଡ଼ତା ଅନୁଭବ କରିଥିବେ ଏବଂ ନିବିଡ଼ତା ଅନୁଭବ କଲାବେଳେ ଯେଉଁ ଅଶ୍ରୁ ଆପଣାଛାଏଁ ଖାଲି ଆଖିକୁ ନୁହେଁ, ସମଗ୍ର ଶରୀରକୁ ମଧ୍ୟ ଛଳଛଳ କରିଆଣେ, ସେହି ଅଶ୍ରୁକୁ କ’ଣ ଆମେ କେବଳ କରୁଣରସ ବୋଲି କହିବା ? ହୁଏତ ସାହିତ୍ୟର ପଣ୍ଡିତମାନେ ତାହା କହିବେ । ମାତ୍ର ଜୀବନକୁ ଆମର ଆଠପହରୀ ଜୀବନର ଯାବତୀୟ ଉଚ୍ଚତାରେ ଚାଖୁଥିବା ଆମେ ମଣିଷମାନେ କଦାପି ସେକଥା କହିପାରିବା ନାହିଁ । ସାହିତ୍ୟର ଭୂମିରୁ ଜୀବନର ଭୂମିକୁ ଓହ୍ଲାଇ ଆସିଲେ କଥାଗୁଡ଼ାକୁ କଦାପି ଏତେ ସୁତ୍ରାୟତ୍ତ ଠୋ’ କରି କୁହାଯାଇ ପାରିବ ନାହିଁ । ସମ୍ଭବତଃ ତାହାହିଁ ଜୀବନର ଏକ ସର୍ବବିଶେଷତ୍ତ୍ଵ ।

 

ରସ ଆଣ ଜୀବନରେ, ତା’ପରେ ଯାଇ ସାହିତ୍ୟରେ । ଆହୁରି ନିର୍ଦ୍ଦିଷ୍ଟକରି କହିଲେ, ଯେଉଁମାନେ ସାହିତ୍ୟତତ୍ତ୍ଵ କରିଛନ୍ତି, ସେହିମାନେ ହିଁ ରସକୁ ଏକ ଆଲୋଚ୍ୟ ପ୍ରକରଣର ବେଶ ଦେଇ ସାହିତ୍ୟ ଭିତରକୁ ଆଣିଛନ୍ତି । ଜଣେ କବି ତା’ କବିତାଗୁଡ଼ିକୁ ଲେଖିଲାବେଳେ ଯଦି ସିଏ ଏକ ଦୁର୍ବୁଦ୍ଧିରେ ପଡ଼ି ରସଗୁଡ଼ିକ ବିଷୟରେ ସଚେତନ ହେବାକୁ ମନ କରିବ, ତେବେ ସିଏ ଗୋଟାସୁଦ୍ଧା କୁଆଡ଼େ ବୋଲି କୁଆଡ଼େ ଭାସିଯିବ । ରସଚେତନ କବିଟିଏ, ସିଏ ପୁଣି କେମିତି ଏକ ଜନ୍ତୁ ? ହଁ, ଯୋଉଠି ସଭାରେ ହିଁ ଅସଲ କବିର ଓ କବିତାର ମୂଲତଉଲ ହୁଏ, ସେଠାରେ ବିଚରା କବିଟିକୁ ରସର ଖଳା ଭିତରେ ପଶିବାକୁ ପଡ଼େ । ଭାରତୀୟ ପ୍ରାନ୍ତୀୟ ସାହିତ୍ୟ ଏବଂ ସଂସ୍କୃତ ସାହିତ୍ୟ ଭିତରେ ଆମେ ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ଏପରି ଅନେକ କବିଙ୍କୁ ଭେଟିବାକୁ ପାଉ, ଯେଉଁମାନେ କି ରସ ଅନୁସାରେ ପଦରଚନା କରୁଥିଲେ, ଅକ୍ଷର ଓ ଶବ୍ଦର ବସାଣକରି ପଦ ବାନ୍ଧୁଥିଲେ । ତାହାକୁ କେଜାଣି କାହିଁକି ରୀତିଯୁଗ ବୋଲି ସେତେବେଳେ କୁହାଯାଉଥିଲା, ଏବେ ଆମେ ଅନେକେ ମଧ୍ୟ ତାହାକୁ ସେହି ନାମଟି ଦେଇ ଚିହ୍ନିଛୁ । ହଁ, ଏହା ରସ, ପ୍ରାସ, ଅନୁପ୍ରାସ, ଶବ୍ଦବନ୍ଧାଣ ଏବଂ ଅକ୍ଷରବସାଣର ଗଣିତ ଦୃଷ୍ଟିରୁ ବିଚାର କଲେ ଅଲବତ ଏକ ରୀତି । ରୀତିର ସେହି ପର୍ଯ୍ୟାୟଟି ଆମ ସାହିତ୍ୟ–ସର୍ଜନାର ପାହାଚଉଠା କାହାଣୀରେ ସମ୍ଭବତଃ ଅଧିକତର ପରିମାଣରେ ଏକ ବିପର୍ଯ୍ୟୟ ହିଁ ସୃଷ୍ଟି କରିଛି । ସାହିତ୍ୟ ଭିତରୁ ଯେତେବେଳେ ଯାବତୀୟ ପ୍ରକାରର ଅଫିମକୁ ଚିହ୍ନଟକରି ଦିଆଯିବ, ସେତେବେଳେ ଯାଇ ଆମେ ସେହି ସତ୍ୟଟିକୁ ସତକୁ ସତ ବୁଝିବା ।

 

ତେଣୁ, ରସ ହେଉଛି ଆଗ ଜୀବନରେ, ତା’ ପରେ ଯାଇ ସାହିତ୍ୟରେ । ଜୀବନର ପରିପ୍ରେକ୍ଷୀରେ ମଣିଷମାନେ ବ୍ୟକ୍ତିଗତ ତଥା ସାମୂହିକ ଦୁଇଟିଯାକ ରସକୁ ଯେପରି ଭାବରେ ଅଙ୍ଗେ ନିଭାଇଛନ୍ତି, ତାହାରି ଦର୍ପଣ ଉପରେ ଆମେ ଅଧିକ ଯଥାର୍ଥତା ସହିତ ଉତ୍ସୁକତା ନଦେଖାଇଲେ, ତାହାଦ୍ୱାରା ଆମକୁ ଅଧିକତର କ୍ଷେତ୍ରରେ ପ୍ରମାଦ ହିଁ ଭୋଗିବାକୁ ପଡ଼ିବ । ପଣ୍ଡିତମାନେ ସୂତ୍ର ଅନୁସାରେ ଜୀବନକୁ ବୁଝିବାକୁ ଏକ ଅନ୍ୟ ବୁଦ୍ଧି ନେଇ ବାହାରିଥାନ୍ତି । ସାଧାରଣୀକରଣ ବ୍ୟତୀତ ବିଚରା ସୂତ୍ରଜୀବୀମାନଙ୍କର ଆଉ ଅନ୍ୟଗତି ନଥାଏ । ତେଣୁ ସେମାନେ ଆମକୁ କେଡ଼େ ସହଜରେ ରସଗୁଡ଼ାକୁ ଏତେ ନା ଏତେ ଭାଗରେ ବିଭକ୍ତି କରି ଦେଖାଇଦିଅନ୍ତି ଓ ଆମକୁ ସତେ ଅବା ଏକ ଅରଣ୍ୟ ଭିତରେ ନେଇ ଛାଡ଼ିଦିଅନ୍ତି । ଜୀବନରୂପୀ ଅରଣ୍ୟରେ ବିଦ୍ୟାରଣ୍ୟମାନଙ୍କର ସୂତ୍ରବୁଦ୍ଧି ଖୁବ୍ ବେଶୀ କାମରେ ଲାଗେନାହିଁ । ନାୟକ ବା ନାୟିକାର ଭେଦଗୁଡ଼ିକୁ କାବ୍ୟଶାସ୍ତ୍ରରୁ ନବୁଝି ନିଜେ ପ୍ରକୃତରେ ନାୟକ ବା ନାୟିକାଟିଏ ହୋଇପାରିଲେ ଯେପରି ମଣିଷକୁ ଅଧିକ ଶ୍ରେୟଃର ଅନୁଭବ ମିଳିଥାଏ, ଠିକ୍ ସେହିପରି ରସ ନିରୂପଣ–ଶାସ୍ତ୍ରର ଶୁଦ୍ଧ ଗଣିତ ଭିତରେ ଘାରିହେବା ଅପେକ୍ଷା ଜୀବନରେ ରସର ଅଧିକରୁ ଅଧିକ ଯୋଗ୍ୟ ହେବା ଓ ରସଗୁଡ଼ିକୁ ବଞ୍ଚିବାରେ ସମ୍ଭବତଃ ଅଧିକ ଶ୍ରେୟଃ ନିହିତ ହୋଇ ରହିଛି ।

 

ଆମ ସାମୂହିକ ଜୀବନରେ ବିଭତ୍ସଟିଏ ଅତ୍ୟନ୍ତ ଗରିମା ସହିତ ରହିଛି, ତେଣୁ କରୁଣ ନାମକ ରସଟିଏ ମଧ୍ୟ ରହିଛି । ଏହି ପୃଥିବୀ ଏପରି ଅରାଜକ ଭାବରେ ଖାଲ ଢିପ ଓ ଅସମାନ ହୋଇ ରହିଛି ଯେ, ମଣିଷ ସମାଜରେ କେତେକ ମଣିଷଙ୍କୁ ବୀଭତ୍ସ ହୋଇପଡ଼ିବାର ପୂର୍ଣ୍ଣ ପ୍ରଶୟ ମିଳିଯାଉଛି । ମଣିଷପରି ମଣିଷଟିଏ ହୋଇ, ଅର୍ଥାତ୍ ପ୍ରୀତିରେ, ସହଭାଗିତା ଓ ସମଞ୍ଜସତା ସହିତ ଜୀବନ ବଞ୍ଚିବାକୁ ହେଲେ ଆମର ପୃଥିବୀରେ ଯେଉଁ ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକର ପୂରଣ ହୋଇପାରିବା ଦରକାର, ଆମେ ସେହି ସ୍ଥିତିରୁ ହୁଏତ ଯୋଜନ ଯୋଜନ ଦୂରରେ ରହିଛୁ । ଆମର ଅଧିପତିମାନେ, ଆମର ଶାସ୍ତ୍ରମାନେ ଓ ଆମର ଧର୍ମମାନେ ଅଧିକାଂଶତଃ ଦୂରତାଗୁଡ଼ିକୁ ବଢ଼ାଇବାରେ ହିଁ ସହାୟତା କରି ଆସିଛନ୍ତି । ଭାଗ୍ୟବାଦ ଓ କର୍ମବାଦ ମନୁଷ୍ୟର ଆସ୍ପୃହା–ଆକାଶକୁ ସଚରାଚର ମୂଢ଼କରି ରଖିଛି । ତେଣୁ, ଯାହାର ଅଧିକ ଅଛି, ଅଧିକ କ୍ଷମତା ରହିଛି, ଅଧିକ ଧନ ରହିଛି, ଅଧିକ ବିଦ୍ୟା ରହିଛି, ଏପରିକି ଅଧିକ ପ୍ରତିଭାବୁଦ୍ଧି ରହିଛି, ସିଏ ଅନ୍ୟମାନଙ୍କୁ କେତେ ସୂତରରେ ଗିଳି ପକାଉଛି । ସିଏ ବିଭତ୍ସ ହୋଇଯାଉଛି, ଭାଗ୍ୟ ଓ ଭଗବାନଙ୍କୁ ସିଏ ତୁଚ୍ଛା ତାହାରି ପକ୍ଷରେ ରହିଥିବାର ଦେଖୁଛି । ତେଣୁ ବର୍ବର ହେଉଛି, ଅବଜ୍ଞା କରୁଛି; ଏବଂ ଅନ୍ୟମାନେ ନରଖର ହେଉଛନ୍ତି । ବିଭତ୍ସ ଓ କରୁଣକୁ ସତେ ଅବା ଆପଣାର ଦୁଇ ଚକପରି ବ୍ୟବହାର କରି ମଣିଷର ଛାତି ଉପରେ କାଳର ଶଗଡ଼ ଗଡ଼ି ଗଡ଼ି ଚାଲିଛି ।

 

ଆମ ଅତ୍ୟନ୍ତ ଅବାଗିଆ ପୃଥିବୀଟାରେ ଜଣେ ମଣିଷ ସୁଖରେ ଭାସିବ ବୋଲି ଆଉ କେତେ କେତେ ମଣିଷଙ୍କୁ ଦୁଃଖ ଭିତରେ ଘାଣ୍ଟି ହୋଇ ରହିବାକୁ ପଡ଼ୁଛି । ଏହି ଦୃଷ୍ଟିରୁ ବୀଭତ୍ସ ଓ କରୁଣକୁ ଅନ୍ତତଃ ଆମର ପୃଥିବୀରେ ପରସ୍ପର ପରିପୂରକ କିମ୍ବା ପ୍ରଚୋଦକ ବୋଲି କୁହାଯାଇପାରିବ । ପୃଥିବୀରୁ ଯେତେବେଳେ ବିଭତ୍ସର ହ୍ରାସ ଘଟିବ, ଏବଂ ସୁଖର କଥା, ବିଜ୍ଞାନ ଏବଂ ବିବେକର ବଳରେ ତାହା କ୍ରମେ ଅନ୍ତତଃ ପୃଥିବୀର କେତେକ ଭାଗରୁ ହ୍ରାସ ଲଭିବାକୁ ଆରମ୍ଭକଲାଣି–ସେତେବେଳେ ମଧ୍ୟ କରୁଣ ଅବଶ୍ୟ ରହିବ । ମାତ୍ର ତାହାକୁ ଆମ ଏବର କରୁଣ ସହିତ ଆଦୌ ସମତୁଲ କରାଯାଇ ପାରିବ ନାହିଁ । ବର୍ତ୍ତମାନ ତ ବୀଭତ୍ସମାନେ ଅତି ପ୍ରବଳ ହୋଇ ଉଠୁଛନ୍ତି ଏବଂ କ୍ଷମତାମାନେ ପର ଲଗାଇ ଉଡ଼ି ସାରା ଆକାଶଟିକୁ ଗ୍ରାସକରି ପକାଇବେ ବୋଲି ବାହାରିଛନ୍ତି । ଏଣୁ ମନୁଷ୍ୟର ଅସହାୟତାଗୁଡ଼ାକ କରୁଣ ବିଳାପ କରିବାରେ ଲାଗିଛି । ଆମ କାବ୍ୟମାନେ ଅଶୋକବନରେ କରିବାରେ ଏତେ ପୁଲକ ଲାଭ କରିଛନ୍ତି । ଭାଇ ଲକ୍ଷ୍ମଣ ଯେତେବେଳେ ସୀତାପରି ଜଣେ ଭାଉଜଙ୍କୁ କେବଳ ଭ୍ରାତୃଆଜ୍ଞାର କଦାପି ଉଲ୍ଲଂଘନ କରିବନାହିଁ ବୋଲି ଅରଣ୍ୟ ଭିତରେ ଏକାକୀ ଛାଡ଼ିଦେଇ ଆସୁଛି, ଆମ ସମାଜର ଅସହାୟ ମଣିଷମାନେ ସେହି କରୁଣ ସ୍ଥିତିରୁ ଚୁପୁଡ଼ା ହୋଇ କାବ୍ୟକୁ ଆଦ୍ର କରି ଦେଇଥିବା କରୁଣରସରୁ ସତେ କେତେ Kathartic ପୁଲକ ଅନୁଭବ କରି ନ ପାରୁଛନ୍ତି ! ବୀଭତ୍ସ ଦୁଃଶାସନ ହୋଇ ଗର୍ଜନ କରୁଛି, ବୀଭତ୍ସ ପିତାମହ ଓ କୁଳାଚାର୍ଯ୍ୟମାନେ ଏକ ଦୁଷ୍ଟମତି ଉପେକ୍ଷାର ମୁଖାଭରଣ ପିନ୍ଧି ସଜ୍ଜନପ୍ରାୟ ବସିଛନ୍ତି; ଏବଂ ସେହି କୁରୁସଭାରେ ଦ୍ରୋପଦୀଟିଏ ଯେତେବେଳେ ଲାଜ ଲୁଚାଇ ପାରିବା ଭଳି ବସନଟିଏ ପାଇଁ ନରହରୀଙ୍କୁ ପ୍ରାର୍ଥନା କରୁଛି, ସେତେବେଳେ ଆମ ରସଗ୍ରାହୀମାନେ ବିଭତ୍ସ ଉଦ୍ଦେଶ୍ୟରେ ଏକ କ୍ରିୟାଶୀଳ କ୍ରୋଧ ବ୍ୟକ୍ତ କରିବାର ତୁଳନାରେ ଦୌପଦୀ ବିକଳ ଅବସ୍ଥାରେ ହୁଏତ ଅଧିକ ଆହା ଆହା କରୁଛନ୍ତି ଓ କରୁଣରସ ଆସ୍ଵାଦନ କରୁଛନ୍ତି ।

 

ଚେତନା ଅନେକ ସ୍ତରର । ସେହି ଅନୁସାରେ ମଣିଷର ଜୀବନ ମଧ୍ୟ ଅନେକ ସ୍ତରର ଓ ତେଣୁ ତା’ ଜୀବନରେ ରସର ଆସ୍ଵାଦନ ମଧ୍ୟ ଅନେକ ସ୍ତରର । ସେହି ନ୍ୟାୟଟି ଅନୁସାରେ ଯେପରି ହାସ୍ୟ ଏକାଧିକ ସ୍ତରର ରହିଛି, କରୁଣ ମଧ୍ୟ ଏକାଧିକ ସ୍ତରର ରହିଛି; ଏପରିକି ଶାନ୍ତ ମଧ୍ୟ ଏକାଧିକ ସ୍ତରର ରହିଛି । ଜୀବନରେ କରୁଣ କୁଆଡ଼େ ଅଧିକ ଏବଂ ଆନନ୍ଦମୟ କମ୍ ବୋଲି ହାସ୍ୟରସର ଆଲୋଚନା କଲାବେଳେ ଅନେକ ବିଜ୍ଞ ବ୍ୟକ୍ତି କହି ପକାଇଥାନ୍ତି । ଦୁଃଖାଧିକ୍ୟରେ ଆଠପହରୀ ଜୀବନରୁ ଦଣ୍ଡେ ଘଡ଼ିଏ ପରିତ୍ରାଣ ପାଇବାକୁ ମଣିଷ ସତେଅବା ଏକ ପୋଷାକୀ ବ୍ୟତିକ୍ରମରୂପେ ହେଁ କରି ହସି ଦେଇଥାଏ ବୋଲି ହାସ୍ୟରସର କେତେକ ବ୍ୟାଖ୍ୟାକାର କହିବାକୁ ମନ କରିଥାନ୍ତି । ତେବେ ହାସ୍ୟରସକୁ କେତେକ ଅର୍ଥରେ ଏକ ପଳାୟନ–ରସ ବୋଲି କୁହାଯାଇ ପାରିବ କି ? ହାସ୍ୟରସ କ’ଣ କେବଳ ବିଦ୍ରୂପକାରୀର, କେବଳ ଉପରେ ଦୁର୍ବଳ ଏବଂ ଭିତରେ ହିଂସ୍ର ହୋଇ ରହିଥିବା ସେହି ବିଚିତ୍ର ମଣିଷଟିର ? କେବଳ ଭୁଲିବାକୁ କ’ଣ ହାସ୍ୟରସ ? ହାସ୍ୟର କ’ଣ ଏପରି କୌଣସି ସ୍ତର ନାହିଁ, ଯେଉଁଠାରେ କି ତାହା ସତକୁ ସତ ଏକ ଅନ୍ତର୍ଶକ୍ତିମତ୍ତା, ଅନ୍ତଃସଂପ୍ରତ୍ୟୟ ଏବଂ ଏକ ଅନ୍ତର୍ଗତ ଆନନ୍ଦକୁ ମଧ୍ୟ ସ୍ପର୍ଶ କରିପାରୁଥିବ ? ଠିକ୍ ସେହିପରି କରୁଣ ରସ କହିଲେ କ’ଣ ଖାଲି ନିଜର ଦୁଃଖ ଓ ଅସହାୟତାରେ ରୋଦନ କରିବାକୁ ବୁଝାଏ ? ଏପରି ଏକ ନିକୃଷ୍ଟ ସ୍ତରର କରୁଣରସ ରହିଛି, ଯାହାକି ନିଜକୁ ଅସହାୟ ଓ ସନ୍ତାପ–ଗ୍ରସ୍ତ ବୋଲି ଦେଖାଇ ଗୋଟିଏ ପ୍ରକାରର ପୁଲକ ମଧ୍ୟ ଅନୁଭବ କରିଥାଏ । ଆଉ ଗୋଟିଏ ପ୍ରକାରର କରୁଣ ରହିଛି, ଯାହା ପ୍ରାୟ ସ୍ଵଭାବତଃ ଅତ୍ୟନ୍ତ ପ୍ରଦର୍ଶନପ୍ରିୟ ଏବଂ ସେହି ପ୍ରଦର୍ଶନରେ ହିଁ ତାହାର ସର୍ବାଧିକ ଆନନ୍ଦ । ଯେକୌଣସି ପ୍ରଦର୍ଶନ–ପ୍ରବୃତ୍ତିକୁ ଆଦୌ କୌଣସି ରସ ବୋଲି କହିବା ପୂର୍ବରୁ ଯାବତୀୟ ଭାବଶାସ୍ତ୍ରରେ ସମ୍ଭବତଃ ପ୍ରଥମେ ଏକ ବ୍ୟାଧି ବୋଲି କୁହାଯିବ ଏବଂ, ବ୍ୟାଧିତ ହୋଇ ରହିଥିବା ଜଣେ ମନୁଷ୍ୟ ଭିତରେ ବସ୍ତୁତଃ ଆଦୌ କୌଣସି ରସଲାଗି ଯୋଗ୍ୟତା ଅଛି ବୋଲି କୁହାଯାଇ ପାରିବ କି ?

 

ଦୁଃଖ ମଣିଷକୁ ବିଶ୍ଵଦୁଃଖ (Weltschmerz) ସହିତ ଗଅଁଠାଇ ଦିଏ ବୋଲି କବିମାନେ କାଳେ କାଳେ କହି ଆସିଛନ୍ତି । ଜର୍ମାନୀର ମହାକବି ଗୁଏଟେଙ୍କର ଭାଷାରେ ଦୁଃଖ ଆମକୁ ବିଶ୍ଵପତିଙ୍କର ସନ୍ନିଧାନକୁ ନେଇଯାଏ, ଆମକୁ ତାଙ୍କର ପରମ ଇଚ୍ଛାଟି ସହିତ ପରିଣିତ କରାଇ ରଖେ । ସେତେବେଳେ ସେହି ଦୁଃଖରୁ ଯେଉଁ ରସଟିକୁ ଅଙ୍ଗେ ନିଭାଇବାର ପରମପ୍ରସାଦ ଉପଲବଧ ହୁଏ, ତାହାକୁ ବି କ’ଣ କାବ୍ୟତତ୍ତ୍ଵର ଚକ୍ରାନ୍ତରେ ପଡ଼ି କରୁଣ ବୋଲି କୁହାଯିବ ? ସର୍ବସଂହା ଏହି ପୃଥିବୀରେ ଅଜସ୍ର ଦୁଃଖ;–ମାତ୍ର, ସେହି ପୃଥିବୀ ସହିତ ଏକାତ୍ମତା ଅର୍ଜନ କରି ବଞ୍ଚିବାର ଗୋଟିଏ ସ୍ତର ରହିଛି, ଯେଉଁଠାରେ କି କେବଳ ସହାନୁଭବ ରହିଥାଏ;–ତତ୍ତ୍ଵକାରମାନେ ସେହି ସ୍ତରଟିକୁ ପ୍ରକୃତରେ କେତେ ଅଳପ ଜାଣନ୍ତି ! ଯେତେବେଳେ ଦୁଃଖକୁ କେହି ଜାଣିଶୁଣି, ହସିହସି ବରଣ କରିନିଏ, ସମର୍ପିତ ମଣିଷର ସେହି ଅଙ୍ଗେ ନିଭାଇବାକୁ, ଯୀଶୁଙ୍କର ସେହି Crossକୁ ବହନ କରିବାକୁ ଆମେ କ’ଣ ଆମ ଚିରାଚରିତ ଅର୍ଥରେ ତଥାପି କରୁଣ ବୋଲି କହିବା ? କାର୍ଯ୍ୟତଃ ଏକ କରୁଣ ରସଦ୍ଵାରା ଅନୁପ୍ରେରିତ ହୋଇ କ’ଣ ଭୀମଭୋଇ ଜଗତରେ ଉଦ୍ଧାରଲାଗି ନିଜ ଜୀବନକୁ ନର୍କରେ ପକାଇ ରଖିବାର ବାଜି ଲଗାଇବାକୁ ମନ କରିଥିଲେ ? ତେଣୁ, ସବୁ ପ୍ରକାରର କରୁଣକୁ ଆମେ କଦାପି ଆମ ସୂତ୍ରକାରମାନଙ୍କର ସେହି ଗୋଟିଏ କାଚରେ ଦେଖିବାକୁ ମନ କରିବାନାହିଁ । ବରଂ, ଆମ ଆପଣାର ଅଙ୍ଗେ ନିଭାଉଥିବା ଓ ପାହାଚ ଉଠୁଥିବା ଅନୁସାରେ କାବ୍ୟତତ୍ତ୍ଵର ସୂତ୍ରଗୁଡ଼ାକୁ ବାରବାର ତରାଜୁରେ ପକାଇ ଦେଖୁଥିବା । ରସର ମୂଲ୍ୟାୟନ ଯଦି ଯୁଗର ଆଖି ଅନୁସାରେ ଏବଂ ଅନୁଭବୀର ଅଙ୍ଗେ ନିଭାଇବା ଅନୁସାରେ ଆପଣା ଅର୍ଥପରିଧିରେ ମଧ୍ୟ ବଦଳିବାକୁ ରାଜି ନ ହେବ, ତେବେ ସେହି ମୂଲ୍ୟାୟନ ବହିରେ ଥାଉ, ଅଧ୍ୟାପକର ଅଧ୍ୟାପନା ଭିତରେ ଗୋଡ଼ ହାତ ବାନ୍ଧି ପଡ଼ିଥାଉ, ଆମେ ନିଜର ଜୀବନରେ ତଥା ନିଜର ଯାବତୀୟ ସମ୍ବନ୍ଧରେ ରସର ନୂଆ ନୂଆ ଆବିଷ୍କାର କରି ବାହାରିଯିବା ।

 

କରୁଣରୁ ପାହାଚେ ଉଠିଲେ କାରୁଣ୍ୟ, ଅର୍ଥାତ୍ ସହାନୁଭବ ଓ ସମଭାଗିତା । ସମଭାଗିତାରୁ ବିମୋଚନ ଓ ଅତିକ୍ରମଣ । ସେଠାରୁ ଆଉ ପାହାଚେ ଉଠିଲେ କରୁଣା । ଆମ ଅବର୍ଜିଆ ସମାଜରେ କରୁଣାକୁ ଅନେକ ସମୟରେ ଦୟାର ସମତୁଲକରି ରଖାଯାଇଛି । ଏକଥା ପ୍ରଧାନତଃ ବୀଭତ୍ସମାନେ କରିଛନ୍ତି । ସେହିମାନଙ୍କରେ ଫାନ୍ଦରେ ପଡ଼ି ଧର୍ମକୁ ତୀର୍ଥାଟନ ଦ୍ଵାରା ପୂଣ୍ୟର ଅର୍ଜନ ସହିତ ବାନ୍ଧି ଦିଆଯାଇଛି । ଅସଲ କରୁଣାଟି ଆମ ଜୀବନର ପାଥେୟ ଭିତରକୁ ପ୍ରବେଶ ନକରିଥିଲା ପର୍ଯ୍ୟନ୍ତ ଆମେ ଦୟାର ଫିସାଦ ଭିତରେ ରହିଥାଉ; ଦୟାଳୁତା ଦେଖାଉ, ଭିତରର ବହୁ ନୃଶଂସତାକୁ ଏକ ମିଛ ପ୍ରବୋଧନାର ଆବରଣ ଦେଇ ଘୋଡ଼ାଇ ରଖିଥାଉ । ଆମ ଜୀବନରେ କରୁଣାର ସ୍ପର୍ଶ ବାଜିଲେ ଆମେ ନିଜର ଶ୍ରେଷ୍ଠ ପୁଞ୍ଜିଗୁଡ଼ିକୁ ଏକତ୍ରକରି ଯନ୍ତ୍ରଟିଏ ହୋଇ ବାହାରୁ, ଖୁସିରେ ଯନ୍ତ୍ରଟିଏ ହେଉ । ତେଣିକି ଜୀବନର ପୁରୁଣା ବାଣିଜ୍ୟସବୁ ପଛରେ ପଡ଼ିରହନ୍ତି,–ପୁରୁଣା ଗଣିତଗୁଡ଼ାକ ଅନୁସାରେ ହୁଏତ ଆମେ ହାରି ହାରି ଯାଉଥାଉ, ମାତ୍ର ଅନ୍ତରର ଅସଲ, ମଣିଷଟିକୁ ସାଙ୍ଗରେ ନେଇ ବାଟ ଚାଲିବାର ଅଭିକ୍ରମରେ ଆମେ ଶୃଙ୍ଗରୁ ଶୃଙ୍ଗ (ସାନୋଃ ସାନୁଂ) ଅତିକ୍ରମ କରିବାରେ ଲାଗିଥାଉ । କାବ୍ୟରେ ରସନିର୍ଣ୍ଣୟର ଯାବତୀୟ ସରଳ ଓ ବକ୍ରଗୁଡ଼ିକୁ କଣ୍ଠସ୍ଥକରି ରଖିଲେ ମଣିଷକୁ ସେହି ଅଧିକାର କଦାପି ମିଳେନାହିଁ, ମଣିଷ ସତକୁ ସତ ମନକଲେ ଯାଇ ତାହା ସମ୍ଭବହୁଏ । ଜଣେ କବି କିମ୍ବା କାବ୍ୟକାର ସେହି ଉଚ୍ଚତାଟିରେ ଯାଇ ପହଞ୍ଚିଛି କି ନାହିଁ, ସେତେବେଳେ କେବଳ ତା’ କାବ୍ୟକୃତିରୁ ନୁହେଁ, ସିଏ ବଞ୍ଚୁଥିବା ସେହି ଜୀବନଟିରୁ ମଧ୍ୟ ସେହି ପରିଚିତ ଉପଲବ୍ଧ ହୋଇଯାଏ । ତା’ କାବ୍ୟ ତା ଜୀବନଠାରୁ ଅଲଗା ଗୋଟାଏ ସ୍ଵତନ୍ତ୍ର କସରତ ହୋଇ ରହେନାହିଁ, ତା’ର ସମଗ୍ର ଜୀବନ ହିଁ ଏକ କାବ୍ୟରେ ଓ ଏକ ଯୋଗରେ ପରିଣତ ହୋଇଯାଏ ।

 

–ସ୍ୟମନ୍ତକ–୯, ୧୯୯୪

Image

 

ଭାରତୀୟ ସଂସ୍କୃତିର ନବମୂଲ୍ୟାୟନ

 

“Culture is not perfection, it is the pursuing of perfection; something that is moving and alive, not complete; not a having and resting, but a growing and a becoming.”—Zen and Zen Classics : R. H. Blyth, The Hokuseido Press, Tokyo, Japan, Vol V, 1974, Page 19.

 

ସଂସ୍କୃତି, ଅର୍ଥାତ୍ କୌଣସି ଏକ ଭୂମିରେ ସଂସ୍କୃତି । ଭୂମି, ଅର୍ଥାତ୍ କୌଣସି ଏକ ମନୁଷ୍ୟସମୂହର ନିବାସଭୂମି । ଏମାନେ ସମସ୍ତେ ଜୀବନ୍ତ ମଣିଷ । ସେମାନଙ୍କର ଜୀବନ ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ଏକ ସମଗ୍ର ଆୟତନ ତଥା ସମଗ୍ର ଆକାଶ ମଧ୍ୟରେ ବିଚରଣ କରୁଛି । ଏହି ସଂସ୍କୃତିକୁ ଆମେ ତିନୋଟି ପରିପ୍ରେକ୍ଷୀରେ ବିଚାର କରିପାରିବା ଓ ସେହି ଅନୁସାରେ ତାହାର ଏକ ମୂଲ୍ୟକଳନା ମଧ୍ୟ କରିପାରିବା । ଏହି ତିନୋଟିଯାକ ପରିପ୍ରେକ୍ଷୀକୁ ଆମେ ଏକ ନିର୍ଦ୍ଦିଷ୍ଟ ଅନୁକ୍ରମରେ ସ୍ଥାନୀୟ ପରିପ୍ରେକ୍ଷୀ, ଜାତୀୟ ପରିପ୍ରେକ୍ଷୀ ଏବଂ ମାନବୀୟ ପରିପ୍ରେକ୍ଷୀ ବୋଲି କହି ପାରିବା । ଏହି ତିନୋଟିଯାକ ପରସ୍ପରଠାରୁ ଅଲଗା ନୁହନ୍ତି ଅଥବା ସଂସ୍କୃତି ନାମକ କୌଣସି ଏକ କାଳ୍ପନିକ କ୍ଷେତ୍ରରେ ତିନୋଟି ଭିନ୍ନ ଭିନ୍ନ ଭାଗ ମଧ୍ୟ ନୁହନ୍ତି । ଏଗୁଡ଼ିକ ଯୁଗେଯୁଗେ ପରସ୍ପର ମଧ୍ୟରେ ପ୍ରତିଫଳିତ ହୋଇ ଆସିଛନ୍ତି, ପରସ୍ପରକୁ ପ୍ରେରିତ କରି ଆସିଛନ୍ତି । ଯେଉଁ ସମୂହ ଏହି ତିନୋଟିକୁ ଅଲଗା ଅଲଗା କରି ଦେଖେ, ତାହା ତଦ୍ଦ୍ୱାରା ଆପଣାର ସାମୂହିକ ଜୀବନଟିକୁ ହିଁ ତିନିଭାଗ କରିପକାଏ । ରୋଗଗ୍ରସ୍ତ ହୁଏ, ବିକୃତ ହୋଇ ରହେ ।

 

ଦ୍ଵିତୀୟ କଥା, ସଂସ୍କୃତି କହିଲେ କେବଳ ଅତୀତର ଶାସ୍ତ୍ରସାମଗ୍ରୀ ଅଥବା ଅନ୍ୟ କେଉଁ ସାମଗ୍ରୀଗୁଡ଼ାକୁ ଆଦୌ ବୁଝାଏ ନାହିଁ । ସାମ୍ରାଜ୍ୟବିସ୍ତାରକୁ ତ ଆଦୌ କୌଣସି ପ୍ରକାରେ ବୁଝାଏ ନାହିଁ–ତାହା ରାଜନୀତିକ ଅଥବା ଭୌଗୋଳିକ ସାମ୍ରାଜ୍ୟବିସ୍ତାରକୁ ବୁଝାଉ କିମ୍ବା ଏକ ତଥାକଥିତ ସାଂସ୍କୃତିକ ସାମ୍ରାଜ୍ୟବିସ୍ତାରକୁ ମଧ୍ୟ ବୁଝାଉ । ଏହି ଦୃଷ୍ଟିରୁ ବିଚାର କଲେ, ସଂସ୍କୃତି ଏକ ସମ୍ପତ୍ତି ନୁହେଁ, ଯାହାକୁ ଦଖଲ କରି ରହିଛୁ ବୋଲି ଆମେ ଗର୍ବ ଅଥବା ଗୌରବ ଅନୁଭବ କରି ପାରିବା । ଗୋଟିଏ ସମୂହ ହିସାବରେ ଆମ ଜୀବନର ଗୁଣାତ୍ମକ ଜୀବନସମ୍ବନ୍ଧର ସ୍ତର–ତାହାରି କଳନା ବା ମୂଲ୍ୟାୟନ କରିବା ହେଉଛି ସଂସ୍କୃତିର ଯଥାର୍ଥ ମୂଲ୍ୟାୟନ କରିବା । ଏହି ମୂଲ୍ୟାୟନ ଆମ ନିଜକୁ ହିଁ ଅଧିକ ଅଗ୍ରସର ହେବାରେ ସାହାଯ୍ୟ କରିଥାଏ । ଅଧିକ ଅଗ୍ରସର ହେବା, ଅର୍ଥାତ୍ ଏକ ସମୂହ ହିସାବରେ ଆପଣାର ଗଭୀରତାଗୁଡ଼ିକୁ ଏବଂ ଉଚ୍ଚତାଗୁଡ଼ିକୁ ସ୍ପର୍ଶ କରି ପାରିବାକୁ ଅର୍ଥାତ୍ ବଞ୍ଚି ପାରିବାକୁ ଅଧିକ ଯୋଗ୍ୟ ହେବା,–ଅଧିକ ସୁନ୍ଦର ହେବା । ସଂସ୍କୃତି ଗିଳି ପକାଏ ନାହିଁ, ସଂସ୍କୃତି ସମ୍ବନ୍ଧ ଯୋଡ଼େ; ସଂସ୍କୃତି ସଂକୀର୍ଣ୍ଣ କରି ରଖେ ନାହିଁ, ସଂପ୍ରସାରିତ କରାଏ, ସଂଲଗ୍ନ କରାଇ ଆଣେ-। ସାମୂହିକ ଜୀବନର ଯାବତୀୟ ସ୍ତର ଓ ଯାବତୀୟ ପ୍ରକାରର ସଂଲଗ୍ନତାଗୁଡ଼ିକୁ ଅଧିକ ନିବିଡ଼ ଭାବରେ ବଞ୍ଚାଇ ଶିଖାଏ । ଏହିସବୁ ଦୃଷ୍ଟିରୁ ଏକ ସଂଜ୍ଞା ଦେଇ ଦେଖିଲେ, ସଂସ୍କୃତି ହେଉଛି ଏକାଧାରରେ ଏକ ମନୋଦୃଷ୍ଟି, ଏକ ଜୀବନଦୃଷ୍ଟି, ଯଥାସମ୍ଭବ ଅଧିକରୁ ଅଧିକ ସଂଲଗ୍ନ ହୋଇ ରହିପାରିବା ସକାଶେ ଆପଣାକୁ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ଓ ଅଧିକରୁ ଅଧିକ ସୃଜନଶୀଳ ଭାବରେ ଦେଇପାରିବାର ଏକ ସାମୂହିକ ଅଥଚ ଅନ୍ତର୍ଗତ ଆକାଂକ୍ଷା-। ଏକାବେଳେକେ ବ୍ୟକ୍ତିଗତ ତଥା ସାମୂହିକ ଭାବରେ ଆପଣାକୁ ଅଭିବ୍ୟକ୍ତ କରିପାରୁଥିବାର ଏକ ଆକାଂକ୍ଷା, ଏକ ସମ୍ମତି ଏବଂ ଆନନ୍ଦ । ଏହି ସବୁଯାକ ସୂତାକୁ ଗୋଟିଏ କଥାରେ ବଳିଆଣି କହିଲେ, ସଂସ୍କୃତି ହେଉଛି ଏକ ସମଗ୍ର ପ୍ରାଣସଚଳତା, ଏକ ସମଗ୍ର ପ୍ରାଣସବଳତା ।

 

ସଂସ୍କୃତିର ତରାଜୁରେ ବିଚାର କଲେ, ମଣିଷ ବୋଲି କହିବା ମାତ୍ରକେ ସବୁ ମଣିଷଙ୍କୁ ହିଁ ବୁଝାଇବ । ପୃଥିବୀର ପାରମ୍ପରିକ ସମାଜ–ଇତିହାସର ଧାରାରେ ଆମେ ଦେଖିବାକୁ ପାଇବା ଯେ, ପ୍ରାଚୀନ କାଳର ତଥାକଥିତ ପ୍ରାୟ ସବୁ ସଭ୍ୟତାରେ ସଂସ୍କୃତି ସଚରାଚର କେବଳ ଥୋକେ ମଣିଷଙ୍କର ଅଥବା କେତେକ ବିଶେଷ ଗୋଷ୍ଠୀଙ୍କର ସତେଅବା ଗୋଟିଏ ପ୍ରକାର ଭୋଗଭୂମିରେ ପରିଣତ ହୋଇ ରହିଥିଲା । ସେହିମାନେ ହିଁ ଉଦାର ଭାବନାମାନ ଭାବୁଥିଲେ, ଉତଫୁଲ୍ଲ ଭାବରେ ଏହି ପୃଥିବୀର ବାହାରେ ରହିଥିବା କୌଣସି ଏକ ଦ୍ଵନ୍ଦ୍ୱୋପଶମ ସ୍ଵର୍ଗର କଳ୍ପନା କରୁଥିଲେ, କେବେଳ ସେହିମାନେ ହିଁ ଧୀମାନ୍ ରୂପେ କାବ୍ୟ, ସାହିତ୍ୟ, କଳା ଓ ସଙ୍ଗୀତର ବିନୋଦ କରୁଥିଲେ ଓ ତାହାକୁ ହିଁ ଯୋଗାରୂଢ଼ ଭାବରେ ମନୁଷ୍ୟଜୀବନର ସଂସ୍କୃତିଅଂଶ ବୋଲି ଘୋଷଣା କରୁଥିଲେ ଏବଂ ଆପଣାଲାଗି ଏହିସବୁ ବିଶେଷ ଭାଗ୍ୟକୁ ସମ୍ଭବ କରି ରଖିବା ଲାଗି ଅତ୍ୟନ୍ତ ଉଦାସୀନ ଏବଂ ଉପେକ୍ଷାଯୁକ୍ତ ଭାବରେ ବହୁସଂଖ୍ୟକ ମନୁଷ୍ୟଙ୍କୁ ସେମାନଙ୍କର ନିମ୍ନତମ ମନୁଷ୍ୟଭାଗ୍ୟଗୁଡ଼ିକରୁ ମଧ୍ୟ ବଞ୍ଚିତ କରି ରଖି ତାହାକୁହିଁ ବାସ୍ତବ ସଂସାରର ମୀମାଂସା ବୋଲି ଗ୍ରହଣ କରି ନେଉଥିଲେ । ସେମାନେ ସଂସ୍କୃତିକୁ ସତେଅବା ଦେବଭାଗ ବୋଲି ମାନୁଥିଲେ ଏବଂ ସଂସାର ତଥା ଜୀବନବାସ୍ତବର ଭୂମିକୁ ପଶୁଭାଗ ବୋଲି ମାନି ନେଉଥିଲେ । ଏଥିରେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ନାନା ଖାଇ ରହି ଯାଉଥିଲା ଏବଂ ସେହି ଖାଇଗୁଡ଼ିକୁ ପ୍ରାୟ ଅବଶ୍ୟାମ୍ଭାବୀ ବୋଲି ସ୍ଵୀକାର କରି ନିଆ ଯାଉଥିଲା । ସ୍ଵର୍ଗଠାରୁ ମର୍ତ୍ତ୍ୟକୁ, ଆଦର୍ଶଠାରୁ ବାସ୍ତବକୁ, ଆନନ୍ଦଠାରୁ ଅନ୍ନକୁ ପ୍ରାୟ ନିୟମତଃ ଗୋଟାଏ ଦୁର୍ଲଙ୍ଘ୍ୟ ଖାଇର ବ୍ୟବଧାନ ମାଧ୍ୟମରେ ଚିହ୍ନଟ କରି ରଖାଯାଉଥିଲା । ସେହି ଖାଇ ଏବେ ମଧ୍ୟ ରହିଛି–ତେଣୁ ଏବେ ମଧ୍ୟ ପୃଥିବୀର ଅଧିକସଂଖ୍ୟକ ମନୁଷ୍ୟ ପଶୁଭାଗର ଚକିଗୁଡ଼ାକ ଭିତରେ ପେଷି ହୋଇ ରହିଛନ୍ତି, ହୁଏତ ମାତ୍ର ଚଉଠେ ଅଥବା ଅଧଚଉଠେ ମନୁଷ୍ୟ ତଥାକଥିତ ସଂସ୍କୃତିର ଭୋଗ ଏବଂ ବେପାର କରୁଛନ୍ତି, ସଂସ୍କୃତିକୁ ସଂଗ୍ରହାଳୟ ଏବଂ ଶାସ୍ତ୍ରରେ ପରିଣତ କରି ରଖିଛନ୍ତି । ବିଦ୍ୟାବନ୍ତ ବୋଲାଉଛନ୍ତି ।

 

ଭାରତବର୍ଷ ହେଉଛି ଗୋଟିଏ ଭୂମି, ମନୁଷ୍ୟମାନେ ବାସ କରୁଥିବା ଗୋଟିଏ ଭୂମି । ଭାରତବର୍ଷ ଏକ ସାଂସ୍କୃତିକ ଭୂମି । ଆପଣାକୁ ଏକ ଭୌଗୋଳିକ ଏବଂ ରାଜନୀତିକ ଭୂମି ରୂପେ ପ୍ରତିଷ୍ଠିତ କରିବା ସଙ୍ଗେ ସଙ୍ଗେ ତାହା ଅଧିକ ସଚେତନ ଭାବରେ ଆପଣାକୁ ଏକ ସାଂସ୍କୃତିକ ଭୂମି ରୂପେ ମଧ୍ୟ ଅନୁଭବ କରିବାର ଅବସର ଲାଭ କରିଛି । ଭାରତବର୍ଷର ଇତିହାସରେ ଆମେ ଯାହାକୁ ପ୍ରାଚୀନ ଏବଂ ମଧ୍ୟକାଳୀନ ଯୁଗ ବୋଲି କହୁ, ସେହି ଯୁଗରେ ଏହି ଭାରତବର୍ଷରୂପୀ ଭୌଗୋଳିକ ଭୂଖଣ୍ଡଟି ନାନା ରାଜ୍ୟରେ ବିଭାଜିତ ହୋଇ ରହିଥିଲା । ଏହି ରାଜ୍ୟମାନେ ପରସ୍ପର ସହିତ ଯୁଦ୍ଧ ଲଢ଼ୁଥିଲେ । ଏହି ରାଜ୍ୟର ପ୍ରଜାମାନେ ସମୁଦାୟ ଭୂଖଣ୍ଡିତ ସମ୍ବନ୍ଧରେ ଅଜ୍ଞ ହୋଇ ରହିଥିଲେ । ଏଠି ସାନ ସାନ ରାଜ୍ୟର ପଣ୍ଡିତ କାବ୍ୟକାରମାନେ ପାଳନକର୍ତ୍ତା ନରପତିମାନଙ୍କୁ ଏକାବେଳେକେ ରାଜଚକ୍ରବର୍ତ୍ତୀଠାରୁ କୌଣସି କମ୍ ବିଶେଷଣ ଦେଇ ବର୍ଣ୍ଣନା କରିବାକୁ କ୍ଵଚିତ୍ ମନ କରୁଥିଲେ । ବିଭିନ୍ନ ସମୟରେ ଭାରତବର୍ଷକୁ ଇଉରୋପୀୟମାନଙ୍କର ଆଗମନ ପରେ ଓ ବିଶେଷ କରି ଇଂରେଜମାନେ ଏକ ରାଜନୀତିକ ଏକକ ରୂପେ ଏହି ଭୂମିକୁ ଶାସନ କରିବାକୁ ଆରମ୍ଭ କରିବା ପରେ ସେମାନଙ୍କର ସମ୍ପର୍କରେ ଆସିଥିବା ଶିଷ୍ଟ ଓ ବିଶିଷ୍ଟ ବର୍ଗମାନେହିଁ ପ୍ରଥମେ ଏକ ଜାତୀୟତାଭାବର ଅନୁପ୍ରେରଣାରେ ଆପଣାକୁ ଦେଖିବାକୁ ଆରମ୍ଭ କଲେ । ଏହି ଭୂମିଟିକୁ ସେମାନେ ଦେଶ ବୋଲି କହିଲେ । ସେତେବେଳେ ଇଉରୋପରେ ଜାତୀୟତାବାଦର ମହୋର୍ବର ଯୁଗ । ତେଣୁ ଇଉରୋପୀୟ ଶାସକମାନଙ୍କର ମାଧ୍ୟମତ୍ଵରେ ସେତେବେଳେ ଭାରତବର୍ଷକୁ ଯାହାକିଛି ଅନୁପ୍ରେରଣା ରୂପେ ସେଠୁ ଏଠାକୁ ଆସିଥିଲା ଏବଂ ଏକ ଭାବଗତ ତଥା ଦୃଷ୍ଟିଗତ ଉଦବେଳନର କାରଣ ହୋଇଥିଲା, ତାହା ପ୍ରାୟ ଏକ ଜାତୀୟତାବାଦୀ ଛାଞ୍ଚରେ ହିଁ ଆସିଥିଲା । ଭାରତବର୍ଷରେ ଜାତୀୟତାବାଦର ଉନ୍ମେଷ ଘଟାଇଲା । ଅନ୍ତତଃ, ଆମର ଏହି ଆଧୁନିକ ଯୁଗରେ ଦେଶ, ଜାତି, ଜାତୀୟତା ଓ ଜାତୀୟ ସଂସ୍କୃତି ପ୍ରଭୃତି ଭାବପ୍ରରୂପ ଦ୍ଵାରା ଏବେ ସାରା ପୃଥିବୀରେ ଯାହା ବୁଝାଉଛି, ସଚେତନ ଭାବରେ ଏକ ନୂତନ ଗତିଶୀଳତା ସୃଷ୍ଟି କରି ତାହାରି ଉନ୍ମେଷ ଘଟାଇଥିଲା ।

 

ଭାରତୀୟ ସଚେତନତାର ସେହି ଆବିଷ୍କାର ଏବଂ ଉତ୍ସାହପ୍ରେରିତ ବ୍ୟାଖ୍ୟାକାରିତାର ଯୁଗରେ ଯେଉଁମାନେ ଅଗ୍ରଗାମୀ ପ୍ରତିଭା ହୋଇ ବାହାରି ଥିଲେ, ସେମାନେ ପ୍ରାୟ ସମସ୍ତେ ବିଲାତ ଯାଇଥିଲେ, ଇଉରୋପର ସଂକ୍ରମଣଦ୍ଵାରା ସଂକ୍ରାମିତ ହୋଇଥିଲେ ଏବଂ ତେଣୁ ପ୍ରଧାନତଃ ଏକ ଜାତୀୟ ପୁନରାବିଷ୍କାରର ଜାଗରଣରେ ନିମିତ୍ତରୂପେ କାର୍ଯ୍ୟ କରିଥିଲେ । ଏହି ପ୍ରତିଭାମାନେ ପ୍ରାୟ ସମସ୍ତେ ଉତ୍ତର ଭାରତର ଅଧିବାସୀ ଥିଲେ । ତେଣୁ ଆତ୍ମଆବିଷ୍କାରର ସେହି ନବଚେତନାକୁ ଏକ ମୂର୍ତ୍ତରୂପ ଦେବାକୁ ଯାଇ ସେମାନେ ତାହାକୁ ଆର୍ଯ୍ୟଚେତନା ବୋଲି କହିଥିଲେ । ସେମାନେ ଭାରତବର୍ଷକୁ ମଧ୍ୟ ସ୍ଥୂଳ ଭାବରେ ଆର୍ଯ୍ୟଭୂମି ବୋଲି କହିଥିଲେ । ବେଦକୁ, ବୈଦିକ ଐତିହ୍ୟଟିକୁ ଏବଂ ତାହାର ବାହନ ସଂସ୍କୃତ ଭାଷାକୁହିଁ ସେମାନେ ଭାରତୀୟ ସଂସ୍କୃତିପ୍ରାଣତାର ସର୍ବମୂଳ ଉତ୍ସରୂପେ ସନ୍ଧାନ କରି ଦେଖାଇଦେଲେ । ଅତୀତର ସାମଗ୍ରୀଗୁଡ଼ିକୁ ସେମାନେ ଯଥାସମ୍ଭବ ଅଧିକ ଗୌରବମୟ କରି ଦେଖାଇବାର ଉତ୍ସାହରେ ଆପଣାକୁ ଭସାଇଦେଇ ହୁଏତ ସମ୍ମୁଖସ୍ଥ ବର୍ତ୍ତମାନର ଲାଞ୍ଛନାଗୁଡ଼ିକୁ, ଲଜ୍ଜାଗୁଡ଼ିକୁ ଏବଂ ଅସମର୍ଥତାଗୁଡ଼ିକୁ ଭୁଲିବାଲାଗି ସେଥିରୁ ଏକ ଖୋରାକ ପାଉଥିବାପରି ଅନୁଭବ କରୁଥିଲେ । ତତ୍କାଳୀନ ପ୍ରାୟ ଯାବତୀୟ ମୂଲ୍ୟାୟନ, ସାଂସ୍କୃତିକ ମୂଲ୍ୟାୟନ ସମେତ, ଏହି ମୂଳ ଦୃଷ୍ଟିଟିଦ୍ଵାରା ଭାରି ଭାରାକ୍ରାନ୍ତ ଓ ଆଚ୍ଛନ୍ନ ହୋଇ ରହିଥିଲା । ଭାରତରେ ଆଗେ ସବୁ ଥିଲା, ତେଣୁ ଜାଗରଣର ଅର୍ଥ ହେଉଛି ପ୍ରଧାନତଃ ପଛକୁ ଫେରିଯିବା,–ଉତ୍ସାହର ପବନଗୁଡ଼ାକ ସେତେବେଳେ ପ୍ରଧାନତଃ ଏହି ଗଣିତ ଅନୁସାରେ ବୋହିବାରେ ଲାଗିଥିଲା ।

 

ଜାତୀୟ ସଚେତନତାର ସେହି ପର୍ଯ୍ୟାୟରେ ଭାରତବର୍ଷର ନେତୃତ୍ଵ ଯଦି ସେତେବେଳେ ଯଥାର୍ଥରେ ଇଉରୋପୀୟ ନୂତନ ସଂକ୍ରମଣଟିଦ୍ଵାରା ଉପକୃତ ହୋଇଥାନ୍ତା, ତେବେ ତାହା ଅଧିକ ଶ୍ରଦ୍ଧାର ସହିତ ଅର୍ଥାତ୍ ଅଧିକ ଇଚ୍ଛୁକ ଏବଂ ଗ୍ରହଣଶୀଳ ଭାବରେ ତଦ୍ଦ୍ୱାରା ଆପଣାର ଏକାଧିକ ଆବଦ୍ଧତାଗୁଡ଼ିକ କ୍ଷେତ୍ରରେ ଏକ ଯଥାର୍ଥ ପଙ୍କୋଦ୍ଧାର ଦିଗରେ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରି ପାରିଥାନ୍ତା । ଅପେକ୍ଷାକୃତ ଅଧିକ ମୂଳଭୂତ ଭାବରେ ପାଶ୍ଚାତ୍ୟ ସଂକ୍ରମଣକୁ ଆଘ୍ରାଣ କରି ପାରିଥିବା ଏବଂ ଅପେକ୍ଷାକୃତ କମ୍ ଭାବପ୍ରବଣତା ସହିତ ତାହାକୁ ଆମର ଏହି ଭୂମିର ସ୍ଵାଙ୍ଗୀକୃତ କରି ନେବାଲାଗି ଏକ ପୁରୋଗାମୀ ପ୍ରୟାସ କରିଥିବା ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଏକଦା ସେହି ଉତ୍ସାହଯୁଗରେ ୧୮୫୩ ମସିହାରେ କହିଥିଲେ (୧) : “ଯେତେବେଳେ ଆଲୋଚନା ପ୍ରସଙ୍ଗରେ ଅଥବା କଥୋପକଥନରେ ଇଉରୋପୀୟ ବିଜ୍ଞାନର କୌଣସି ନୂତନ ସତ୍ୟକୁ କଟ୍ଟରପନ୍ଥୀ ଭାରତୀୟ ବିଦ୍ଵାନମାନଙ୍କ ଆଗରେ ଉପସ୍ଥାପିତ କରାଯାଉଛି, ସେତେବେଳେ ସେମାନେ ତାହାକୁ ହସରେ ଉଡ଼ାଇ ଦେଉଛନ୍ତି । ଏବେ ସେହି କାଟର ବିଦ୍ଵାନମାନଙ୍କ ମଧ୍ୟରେ ଆଉ ଏକ ପ୍ରତିକ୍ରିୟା ଅନୁଭୂତ ହେବାକୁ ଆରମ୍ଭ କରୁଛି : ଯେତେବେଳେ ସେମାନେ ଆଧୁନିକ ବିଜ୍ଞାନର କୌଣସି ସତ୍ୟକୁ ଶୁଣିବାକୁ ପାଉଛନ୍ତି ଓ ସେମାନଙ୍କର ଶାସ୍ତ୍ର ଭିତରେ ଯଦି ସେମାନଙ୍କୁ ସେହି ବିଜ୍ଞାନର ସୂଚନା ରହିଥିବାର ଏତେଟିକିଏ ବି ଗନ୍ଧ ମିଳିଯାଉଛି, ତେବେ ସେହି ସତ୍ୟ ପ୍ରତି କୌଣସି ସମ୍ମାନ ଦେଖାଇବା ପରିବର୍ତ୍ତେ ସେମାନେ ସତେଅବା ଗୋଟାଏ କେଡ଼େ ବଡ଼ ଶାସ୍ତ୍ରଗୁଡ଼ାକୁ ହିଁ ଏକମାତ୍ର ସମ୍ପଦ ବୋଲି ମାନିବା ବିଷୟରେ ସେମାନଙ୍କର ଅନ୍ଧବିଶ୍ଵାସ ଆହୁରି ଚାରିଗୁଣ ହୋଇ ବଢ଼ିଯାଉଛି ।’’

 

ଭାରତବର୍ଷରେ ଇଂରେଜମାନଙ୍କର ସମାଗମକୁ ଶ୍ରୀଯୁକ୍ତ କେଶବଚନ୍ଦ୍ର ସେନ “ଏକଦା ବିଚ୍ଛିନ୍ନ ହୋଇ ଯାଇଥିବା ଦୁଇ ଭାଇଙ୍କର ପୁନର୍ମିଳନ” ବୋଲି ବ୍ୟାଖ୍ୟା କରିଛନ୍ତି । ଭାରତୀୟ ଏବଂ ଇଂରେଜମାନଙ୍କୁ ସେ ପ୍ରାଚୀନ ଆର୍ଯ୍ୟଜାତିର ଅନ୍ତର୍ଗତ ଦୁଇଟି ପରିବାରର ବଂଶଧର ବୋଲି କହିଛନ୍ତି । ଇଂରେଜ ଶାସନର ଅଧୀନରେ ରହିଥିବା ଅନେକ ଭାରତୀୟଙ୍କୁ ସେତେବେଳେ ଏକଥା ପ୍ରକୃତରେ କମ୍ ସାନ୍ତ୍ଵନା ଦେଇନଥିବ । ସେହିକାଳରୁ, ଅଧିକାଂଶ କ୍ଷେତ୍ରରେ ଆମର ବ୍ୟାଖ୍ୟାକାରମାନେ ସତେ ଯେପରି ଆର୍ଯ୍ୟ ଜାତିକୁ ହିଁ ଭାରତୀୟ ସଂସ୍କୃତିର ନିର୍ମାତା ବୋଲି ଦର୍ଶାଇବାକୁ ଚେଷ୍ଟା କରି ଆସିଛନ୍ତି । ସେହି ଦିନଠାରୁ ଗୋଟିଏ ପାଖରେ ଆର୍ଯ୍ୟ ଓ ଅନ୍ୟ ପାଖରେ ଆର୍ଯ୍ୟେତର ବା ଅନାର୍ଯ୍ୟ–ଦୁଇଟି ମଧ୍ୟରେ ଏକ ଗୁଣାତ୍ମକ ତାତ୍ପର୍ଯ୍ୟର ଅନ୍ତର୍ବେଶନ କରାଇବାକୁ ତଥା ଗୋଟିକୁ ମହତ୍ତର କହି ଆରଟି ଉପରେ ହୀନତରତାର ଆରୋପ କରାଇବାର ପ୍ରୟାସ କରାଯାଇ ଆସିଛି । କୁଳୀନ ଏବଂ କୁଳସ୍ଥ ହିନ୍ଦୁମାନେ ଆପଣାକୁ ଆର୍ଯ୍ୟ ବୋଲି, ପରିଚୟଦେଇ ଏକ ଶୁଦ୍ଧତରତାର ଭାଣ ମଧ୍ୟ କରି ଆସିଛନ୍ତି । ମାତ୍ର, ଅସଲକଥା ହେଉଛି, ଆମେ ଆଜି ଯାହାକୁ ଭାରତୀୟ ସଂସ୍କୃତି ବୋଲି ଅନୁଭବ କରୁଛୁ ଏବଂ ଯୁଗଯୁଗ ଧରି ଯାହାକୁ ଅଙ୍ଗେ ନିଭାଇ ଆସିଛୁ, ତାହା କେବଳ ଆର୍ଯ୍ୟଜାତିର ହିଁ ଦାନ ନୁହେଁ । ଆର୍ଯ୍ୟ ଜାତି ବା ଆର୍ଯ୍ୟ ଜୀବନପ୍ରରୂପଟି ଭାରତୀୟ ସଂସ୍କୃତିର ଏକମାତ୍ର ଉତ୍ସ ନୁହେଁ । ଏହି ଉତ୍ସଟି ପଛରେ ଓ ଏହି ଧାରାଟିକୁ ନିର୍ମାଣ କରିବାରେ ଏକାଧିକ ସଂସ୍କୃତି ମଧ୍ୟରେ ଯୁଗଯୁଗ ଧରି ହୋଇ ଆସିଥିବା ପାରସ୍ପରିକ କ୍ରିୟା ଏବଂ ପ୍ରତିକ୍ରିୟାର ଅବଦାନ ନିହିତ ହୋଇ ରହିଛି । ସେଥିରେ ହୁଏତ ଆର୍ଯ୍ୟ ଏବଂ ଦ୍ରାବିଡ଼ ସ୍ରୋତ ଦୁଇଟିକୁ ଅନ୍ୟଗୁଡ଼ିକ ତୁଳନାରେ ମୁଖ୍ୟତର ବୋଲି କୁହାଯିବ । ଅଷ୍ଟ୍ରିକ୍ ସଂସ୍କୃତି ଭାରତୀୟ ସଂସ୍କୃତିରେ ଆଦିମତମ ଭିତ୍ତି ବୋଲି ମଧ୍ୟ କୁହାଯିବ । (୨)

 

ଭାରତବର୍ଷର ଆର୍ଯ୍ୟ ଜନଗୋଷ୍ଠୀଗୁଡ଼ିକର ଅନୁପ୍ରବେଶ ଘଟିବା ପୂର୍ବରୁ ଏଠାରେ ଦ୍ରାବିଡ଼ମାନେ ଥିଲେ, ଅଷ୍ଟ୍ରିକ୍‌ମାନେ ଥିଲେ । ସେମାନଙ୍କର ଗୋଟିଏ ଗୋଟିଏ ସଂହତ ସଭ୍ୟତା ମଧ୍ୟ ରହିଥିଲା । ସିନ୍ଧୁ ଉପତ୍ୟକାର ମହେଞ୍ଜୋଦାରୋ ଏବଂ ହରପ୍‌ପାଠାରେ ଏହି ଶତାବ୍ଦୀର ପ୍ରଥମ ଚରଣରେ ଉତ୍‌ଖୋଦିତ ହୋଇଥିବା ସଭ୍ୟତା ଯେ ପୂର୍ବରେ ଗାଙ୍ଗେୟ ଉପତ୍ୟକା ଏବଂ ଦକ୍ଷୀଣରେ ଗୁର୍ଜରଦେଶ ପର୍ଯ୍ୟନ୍ତ ବହୁ ଦୁରକୁ ବିସ୍ତାରିତ ହୋଇ ରହିଥିଲା, ପରବର୍ତ୍ତୀ ଦଶକଗୁଡ଼ିକର ଖନନ ତାହା ପ୍ରତିପାଦିତ କରୁଛି । ପଣ୍ଡିତମାନେ କହନ୍ତି ଯେ, ଆମ ରକ୍‌ବେଦରେ ମଧ୍ୟ ଦ୍ରାବିଡ଼ଭାଷାର କେତେକ ଶବ୍ଦ ଦେଖିବାକୁ ମିଳିଥାଏ । ଏଗୁଡ଼ିକ ଖ୍ରୀଷ୍ଟପୂର୍ବ ୧୦୦୦ ଏବଂ ୫୦୦ ଅବ୍ଦରେ ବୈଦିକ ସଂସ୍କୃତି ମଧ୍ୟକୁ ଆହୃତ ହୋଇ ଆସିଛି ବୋଲି ଅନୁମାନ କରାଯାଉଛି । ଅର୍ଥାତ୍, ଆର୍ଯ୍ୟମାନେ ଉତ୍ତର ଭାରତରେ ଏବଂ ବିଶେଷ କରି ଗାଙ୍ଗେୟ ଉପତ୍ୟକାରେ କ୍ଷେତ୍ରବିସ୍ତାର କରିବା ସମୟରେ ସେଠାରେ ଦ୍ରାବିଡ଼ ଭାଷାଭାଷୀ ଜନଗୋଷ୍ଠୀମାନେ ସମ୍ଭବତଃ ବାସ କରୁଥିଲେ । ବର୍ତ୍ତମାନ ବ୍ରାହୁଇ ଓ ତତ୍ତୁଲ୍ୟ କେତୋଟି ଭାଷାରୁ ଦ୍ରାବିଡ଼ ଭାଷାର ଅବଶେଷମାନ ପରିଲକ୍ଷିତ ହୋଇଥାଏ । ଆହୁରି ଅଧିକ ମହତ୍ଵପୂର୍ଣ୍ଣ କଥା ହେଉଛି ଯେ, ବୈଦିକ ସାହିତ୍ୟରେ ଏକ କୃଷିଭିତ୍ତିକ ସଭ୍ୟତାକୁ ଇଙ୍ଗିତ କରି ଦେଉଥିବା ଯେଉଁ ବିଶେଷ ଶବ୍ଦଗୁଡ଼ିକ ଦେଖିବାକୁ ମିଳେ, ସେଗୁଡ଼ିକ ଦ୍ରାବିଡ଼ ସମେତ ଆର୍ଯ୍ୟେତର ଭାଷାମାନଙ୍କରୁ ଆର୍ଯ୍ୟଭାଷା ଭିତରକୁ ଆସିଛି । ଏଠାରେ ଲଙ୍ଗଳ, କୁଦାଳ, ଖଳ, ଶୂର୍ପ, ଉଲୁଖଳ ପ୍ରଭୃତି ଶବ୍ଦର ଉଦାହରଣ ଦିଆଯାଇପାରେ । ଏପରିକି, ସାନ ଗାଆଁକୁ ବୁଝାଉଥିବା ବହୁପ୍ରଚଳିତ ‘ପଲ୍ଲୀ’ ଶବ୍ଦଟି ମଧ୍ୟ ବାହାରୁ ବୈଦିକ ଶବ୍ଦଭଣ୍ଡାର ଭିତରକୁ ଆସିଛି ।

 

ବେଦର ଭାଷା ଆର୍ଯ୍ୟର ଭାଷା । ଏହା ସଂସ୍କୃତ ଭାଷା । ଏହାକୁ ଦେବଭାଷା ବୋଲି କୁହାଯାଇଥିବାର ନଜିରମାନ ମଧ୍ୟ ରହିଛି । ସଂସ୍କୃତ ଭାଷା ଯେ କେବେ ଭାରତବର୍ଷରେ ଏକ ଜନଭାଷା ରୂପେ ବ୍ୟବହୃତ ହେଉଥିଲା, ସେହି କଥାଟିକୁ ଆଦୌ ଦୃଢ଼ ଭାବରେ କୁହାଯାଇ ପାରିବନାହିଁ । ପ୍ରାକୃତ ଲୋକଭାଷା ଥିଲା, ସଂସ୍କୃତ ଦେବଭାଷା କୁଳୀନ ବର୍ଗଙ୍କର ଭାଷା ଥିଲା । ବର୍ତ୍ତମାନ ଭାରତର ଶିଷ୍ଟମାନେ ଯେପରି ଘରର ଭାଷା ଅପେକ୍ଷା ଇଂରାଜୀଭାଷା ପ୍ରତି ଅଧିକ ଆକର୍ଷଣ ଅନୁଭବ କରନ୍ତି, ଏକଥା ପ୍ରାୟ ସେହିପରି । ଇତିହାସକାରମାନେ କହନ୍ତି ଯେ, ପଶ୍ଚିମ ଦିଗରୁ ଆଗତ ଶକ ଓ ଗୁପ୍ତ ରାଜାମାନେ ଭାରତରେ ସର୍ବପ୍ରଥମେ ସଂସ୍କୃତକୁ ରାଜଭାଷା ରୂପେ ଗ୍ରହଣ କରିଥିଲେ । ଖ୍ରୀଷ୍ଟ ଦ୍ଵିତୀୟ ଶତାବ୍ଦୀରେ ଶକରାଜା ରୁଦ୍ରବାମନଙ୍କ ନାମରେ ରହିଥିବା ଅଭିଲେଖଟି ହେଉଛି ସଂସ୍କୃତ ଭାଷାରେ ଲେଖା ହୋଇଥିବା ସର୍ବପ୍ରଥମ ଉଲ୍ଲେଖଯୋଗ୍ୟ ଅଭିଲେଖ । ପୂର୍ବରୁ ଲିଖିତ ଅଭିଲେଖଗୁଡ଼ିକ ପ୍ରାକୃତ ଭାଷାରେହିଁ ଲେଖା ହୋଇଛି । ଦକ୍ଷିଣ ଭାରତରେ ସେଗୁଡ଼ିକ ସ୍ଥାନୀୟ ପ୍ରାକୃତ ଭାଷାରେ ଲେଖାଯାଇଛି । ଖ୍ରୀଷ୍ଟ ଷଷ୍ଠ ଶତାବ୍ଦୀରେ ଯାଇ ଦକ୍ଷିଣ ଭାରତର ପଲ୍ଲବ ରାଜାମାନେ ସଂସ୍କୃତକୁ ରାଜଭାଷାରୂପେ ଗ୍ରହଣ କରିଥିଲେ । ତ୍ରୟୋଦଶ ଶତାବ୍ଦୀରେ ଆସାମର ବିଜେତା ଅହମ୍ ରାଜାମାନେ ପ୍ରଥମେ ଅହମ୍ ଭାଷାରେହିଁ ଆପଣାର ଯାବତୀୟ ସନନ୍ଦ ପ୍ରସ୍ତୁତ କରାଉଥିଲେ । କ୍ରମଶଃ ଦ୍ଵିତୀୟ ଭାଷାରୂପେ ସଂସ୍କୃତକୁ ଗ୍ରହଣ କରିଥିଲେ । ସେତେବେଳେ ମଧ୍ୟ ସନନ୍ଦଗୁଡ଼ିକୁ ଏକ ରାଜାଦେଶରୂପେ ପ୍ରତିଷ୍ଠିତ କରାଉଥିଲେ ଏବଂ କେବଳ ଆଳଙ୍କାରିକ ଓ ପ୍ରଶସ୍ତିମୂଳକ ଅଂଶଗୁଡ଼ିକୁହିଁ ଆଡ଼ମ୍ବରପୂର୍ଣ୍ଣ ଭାବରେ ସଂସ୍କୃତ ଭାଷାରେ ଲେଖାଉଥିଲେ ।

 

ଆର୍ଯ୍ୟମାନଙ୍କର ଧର୍ମାଚାର ଓ ପୂଜାବିଧିଗୁଡ଼ିକର କ୍ଷେତ୍ରରେ କେତେନା କେତେ ଉପଚାରକୁ ସେମାନେ ଆର୍ଯ୍ୟେତରମାନଙ୍କଠାରୁ ଗ୍ରହଣ କରିଛନ୍ତି । ଗବେଷକମାନଙ୍କର ମତରେ, ‘ପୂଜା’ ଶବ୍ଦ ଏକ ଅଷ୍ଟ୍ରିକ୍ ଶବ୍ଦ । ଦେବୀପୁଜା, ଅବତାର କଳ୍ପନା ଏବଂ ଆନୁଷଙ୍ଗିକ ବିଧିବିସ୍ତାରଗୁଡ଼ିକୁ ଆର୍ଯ୍ୟମାନେ ଭାରତବର୍ଷର ପୂର୍ବତନ ଅଧିବାସୀମାନଙ୍କଠାରୁ ଲାଭ କରିଛନ୍ତି । ଆର୍ଯ୍ୟମାନେ ଭାରତବର୍ଷକୁ ଆସିବା ପୂର୍ବରୁ ଲିଙ୍ଗର ଉପାସନା ଅଷ୍ଟ୍ରିକ୍ ସଂସ୍କୃତିରେ ବିକାଶଲାଭ କରି ସାରିଥିଲା । ଭାରତବର୍ଷର ବାହାରେ ଥିବା ପର୍ଯ୍ୟନ୍ତ ଆର୍ଯ୍ୟମାନେ ମୂର୍ତ୍ତିପୂଜାର ବିଧାନ ସମ୍ବନ୍ଧରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ ଥିଲେ ବୋଲି ଅନୁମାନ କରିବାର କାରଣ ରହିଛି । ତାଲିକାଟିକୁ ଅଧିକ ଲମ୍ବ ନକରି ଆମେ ତାହାର ଲୋକଜୀବନରେ ଯେଉଁ ସଂସ୍କୃତି ଗଠିତ ହୋଇ ଆସିଛି, ତାହା କେବଳ ଆର୍ଯ୍ୟସଂସ୍କୃତି ନୁହେ, ତାହା ହେଉଛି ଆର୍ଯ୍ୟ, ଦ୍ରାବିଡ଼ ଓ ଅଷ୍ଟ୍ରିକ୍–ଏହି ତିନୋଟିଯାକ ସଂସ୍କୃତିର ସ୍ରୋତର ଏକ ସମନ୍ଵୟ । ଅର୍ଥାତ୍, ଭାରତବର୍ଷରେ ଆମର ନିଜର ସାଂସ୍କୃତିକ ଐତିହ୍ୟଟିକୁ ନିଜ ଭିତରେ ସମ୍ପୂର୍ଣ୍ଣ ଭାବରେ ଅନୁଭବ କରିପାରିବାକୁ ହେଲେ ଆମକୁ ଏଠାରେ ପରସ୍ପର ପାଖରେ କୃତଜ୍ଞ ହୋଇ ରହିବାକୁ ପଡ଼ିବ । ସ୍ଵତନ୍ତ୍ର ଅବଦାନଗୁଡ଼ିକର ସମୀକ୍ଷା କରି ଏପରି ଏକ ମତ ପ୍ରକାଶ ପାଇଥାଏ ଯେ, ଭାରତୀୟ ସଭ୍ୟତା ଏବଂ ଭାରତୀୟ ଜୀବନକୁ ଆର୍ଯ୍ୟମାନେ ପ୍ରଧାନତଃ ବୁଦ୍ଧିପ୍ରତିଷ୍ଠ ଥିଲେ । ମାତ୍ର, ଆର୍ଯ୍ୟେତର ଅଷ୍ଟ୍ରିକ୍ ଏବଂ ଦ୍ରାବିଡ଼ ସଭ୍ୟତା ତାହାକୁ ହୃଦୟର ପ୍ରସ୍ଥଟିକୁ ଆଣି ଯୋଗାଇଦେଇ ପାରିଛି ।

 

ହୁଏତ ଏପରି କୁହାଯାଇ ପାରିବ ଯେ, ଊନ୍ନବିଂଶ ଶତାବ୍ଦୀରେ ଭାରତବର୍ଷର ସଂସ୍କୃତି ସହିତ ପାଶ୍ଚାତ୍ୟ ସଂସ୍କୃତିର ଏକ ସଙ୍ଘାତ ହୋଇଥିଲା । କାରଣ, ପାଶ୍ଚାତ୍ୟ ବିଜେତାମାନଙ୍କର ଅନୁଗାମୀରୂପେ ହିଁ ପାଶ୍ଚାତ୍ୟ ସଂସ୍କୃତି ସେତେବେଳେ ଭାରତକୁ ଆସିଥିଲା । ଅଧିକ ସ୍ଵଭାବିକ ଭାବରେ, ଅର୍ଥାତ୍ ଦୁଇ ସମକକ୍ଷ ପକ୍ଷ ମଧ୍ୟରେ ଏକ ପାରସ୍ପରିକ ପରିଚୟଲାଭ କିମ୍ବା ଆଦାନପ୍ରଦାନ ମାଧ୍ୟମରେ ଆସିଥିଲେ ହୁଏତ ସଙ୍ଘାତ ପରିବର୍ତ୍ତେ ଏକ ସମ୍ପାଦନ ଏବଂ ସମନ୍ଵୟ ଲାଗି ଭାରତୀୟମାନଙ୍କୁ ଅଧିକ ଅବସର ମିଳି ପାରିଥାନ୍ତା । ତେଣୁ, ବିଜେତାମାନଙ୍କର ମାଧ୍ୟମରେ ଆସିଥିବା ଏକ ସଂସ୍କୃତିର ସମ୍ମୁଖୀନ ହୋଇ ତତ୍କାଳୀନ ଭାରତୀୟ ଅଗ୍ରଗାମୀମାନେ ଯେତେବେଳେ ଆପଣାର ଦେଶକୁ ଏବଂ ଆପଣାର ଜାତିକୁ ମଧ୍ୟ ଏକ ସାଂସ୍କୃତିକ ଏକକ ଏବଂ ସାଂସ୍କୃତିକ ନିୟତି ରୂପେ ଅନୁଭବ କରିବାକୁ ଆରମ୍ଭ କଲେ, ସେତେବେଳେ ସେମାନେ ମଧ୍ୟ ଆପଣାର ଧନଗୁଡ଼ିକର ସନ୍ଧାନ କଲେ ଓ ସେହି ଧନଗୁଡ଼ିକୁ ସେମାନେ ମୂଳତଃ ଅତୀତ ଭିତରେ ରହିଥିବାର ଦେଖିଲେ । ଆତ୍ମସଚେତନ ଅର୍ଥାତ୍ ଗୃହସଚେତନ ହୋଇ ସେମାନେ ନିଜ ଅତୀତକୁ କେଡ଼େ ଉଜ୍ଜ୍ୱଳ କରି ଦେଖିଲେ । ସେତେବେଳକୁ ପାଶ୍ଚାତ୍ୟ ପଣ୍ଡିତମାନେ ଭାରତୀୟ ପ୍ରାଚୀନ ଶାସ୍ତ୍ରଗୁଡ଼ିକର ଚର୍ଚ୍ଚା ଆରମ୍ଭ କରିଦେଲେଣି । ମାତ୍ର ସେହି ଚର୍ଚ୍ଚାର ପରିସର ସେତେବେଳେ କେବଳ ବେଦ ପର୍ଯ୍ୟନ୍ତ ଯାଇଥିଲା ଓ ସେହିଠାରେ ଯାଇ ଅଟକି ଯାଇଥିଲା । ସାର୍ ଉଇଲିୟମ୍ ଜୋନ୍‌ସ୍ ଓ ଭାରତମୁଗ୍‌ଧ ପଣ୍ଡିତ ମାକ୍‌ସ୍ ମ୍ୟୁଲର୍ ଭାରତୀୟମାନଙ୍କର ଏହି ଗୃହ–ପ୍ରତ୍ୟାବର୍ତ୍ତନର ପର୍ଯ୍ୟାୟରେ ସର୍ବପ୍ରଧାନ ପ୍ରେରଣାରୂପେ କାର୍ଯ୍ୟ କରିଥିଲେ । ଭାରତୀୟ ଶାସ୍ତ୍ର–ଆବିଷ୍କାରର କ୍ଷେତ୍ରରେ ପ୍ରଧାନତଃ ସେହିମାନଙ୍କର ଉଦ୍‌ଗାର ତଥା ଅଧ୍ୟୟନର ମାଧ୍ୟମରେ ଭାରତୀୟ ପୁରୋଗାମୀମାନେ ଭାରତବର୍ଷକୁ ଚିହ୍ନିଲେ । ତେଣୁ ସେମାନେ ମଧ୍ୟ ଭାରତବର୍ଷକୁ ସେହି ଆର୍ଯ୍ୟମାନଙ୍କ ପର୍ଯ୍ୟନ୍ତ ଚିହ୍ନିଲେ । ଭାରତୀୟ ସଂସ୍କୃତିକୁ ଏକ ଆର୍ଯ୍ୟସଂସ୍କୃତି ବୋଲି ଜାଣିଲେ । ସେତେବେଳେ ଭାରତୀୟ ଆକାଶରେ ସବୁଠାରୁ ଅଧିକ ଲମ୍ବ ଓ ଅଧିକ ଉଜ୍ଜ୍ୱଳ ପୁଚ୍ଛ ବିସ୍ତାର କରି ଏକ ନୂତନ ବିକ୍ଷୋଭର ନିମିତ୍ତ ହୋଇଥିବା ବ୍ରାହ୍ମ ସମାଜ ତଥା ଆର୍ଯ୍ୟସମାଜ ଦୁଇଟିଯାକର ସବୁଯାକ ଉତ୍ସାହ ଏବଂ ଆଗ୍ରହ ସେହି ଆର୍ଯ୍ୟ ତଥା ବୈଦିକ ଗାରଗୁଡ଼ାକ ପର୍ଯ୍ୟନ୍ତ ଯାଇ ସେହିଠାରେ ହିଁ ଅଟକି ରହିଥିଲା ଏବଂ ସେମାନେ ତାହାକୁ ହିଁ ଭାରତରେ ସଂସ୍କୃତିର ପ୍ରଥାମତମ ଗାର ବୋଲି ମାନି ନେଇଥିଲେ ।

 

ସମ୍ଭବତଃ, ସେହି କାରଣରୁ ହିଁ, ଭାରତୀୟ ସଂସ୍କୃତିର କ୍ଷେତ୍ରରେ, ଆମର ପ୍ରାୟ ଯାବତୀୟ ଭାବନାରେ, ପ୍ରେରଣାରେ ତଥା ସମ୍ବେଦନାରେ ଏହି ଆର୍ଯ୍ୟ ଭାଗଟି ଏପରି ପ୍ରବଳ ଭାବରେ ଆମକୁ ମାଡ଼ି ବସି ରହିଛି ଏବଂ ଆର୍ଯ୍ୟେତର ଅବଦାନଗୁଡ଼ିକ ବିଷୟରେ ଆମେ ସତେଅବା ଜାଣିଶୁଣି ଭାରି ବିକୃତ ହୋଇ ରହିଛୁ । ସମ୍ଭବତଃ ସେହି କାରଣରୁ ମଧ୍ୟ ଆମେ ଆର୍ଯ୍ୟପୂର୍ବ ଆର୍ଯ୍ୟେତର ମଣିଷମାନଙ୍କୁ ଆମଠାରୁ ଏବେ ମଧ୍ୟ ନ୍ୟୂନତର କରି ଦେଖୁଛୁ, ଆମେ ସେମାନଙ୍କୁ ପ୍ରଧାନତଃ ଦୟା ଦେଖାଉଛୁ, ସେମାନଙ୍କୁ ସାଙ୍ଗରେ ଆଣିବାଲାଗି ଆଦୌ ସମ୍ମତ ହୋଇ ପାରୁନାହୁଁ । ଭାରତବର୍ଷ ରାଜନୀତିକ ସ୍ଵାଧୀନତା ଲାଭ କରିବାର ଏତେ ବର୍ଷ ପରେ ମଧ୍ୟ ସଚେତନ ପାରସ୍ପରିକତାର କ୍ଷେତ୍ରରେ ଆମେ ପରସ୍ପରର ସମକକ୍ଷ ଭାବରେ ଆପଣାକୁ ଭାରତୀୟ ବୋଲି ଅନୁଭବ କରି ପାରିନାହୁଁ । ଆମେ ପରସ୍ପରକୁ ଆର୍ଯ୍ୟ ଓ ଆର୍ଯ୍ୟେତର ବୋଲି ଅନୁଭବ କରୁଛୁ ଏବଂ ପରସ୍ପରଠାରୁ ଭାରି ଦୂରଛଡ଼ା ହୋଇ ରହିଛୁ । ଆମର ଯାବତୀୟ ଜାତୀୟ ଯୋଜନା, ଆକାଂକ୍ଷା ଏବଂ ଆଭିମୁଖ୍ୟଗୁଡ଼ିକୁ ମଧ୍ୟ ସେହି ଦୂରବର୍ତ୍ତିତାଗୁଡ଼ିକ ଭାରି କାମୁଡ଼ି କରି ରହିଛି । ଆର୍ଯ୍ୟମାନଙ୍କ ପରେ ଭାରତକୁ ଅନ୍ୟମାନେ ଆସିଛନ୍ତି, ଏହି ଭୂମିର ସ୍ଥାୟୀ ଅଧିବାସୀ ହୋଇ ରହିଛନ୍ତି । ଏହି ଭୂମିକୁ ସମଗ୍ରତର କରି ଗଢ଼ିବାରେ ସେମାନଙ୍କର ମଧ୍ୟ ନାନା ବିଭବମୟ ଅବଦାନ ରହିଛି । ଭାରତବର୍ଷକୁ ମୁସଲମାନମାନେ ଆସିଛନ୍ତି । ଦୀର୍ଘ ଅନେକ ଶତାବ୍ଦୀଧରି, ସେମାନେ ଏହି ଦେଶର ଏକ ବୃହତ୍ତର ଭାଗକୁ ଖାଲି ଶାସନ କରି ନାହାନ୍ତି, ସେମାନେ ମଧ୍ୟ ଏହି ଦେଶର ସାଂସ୍କୃତିକ ମାଟିକୁ ଏବଂ ଆକାଶକୁ ନାନା ନୂତନ ଉପାଦାନ ଦ୍ଵାରା ପାଗ କରିଛନ୍ତି । ତାପରେ ଇଉରୋପୀୟମାନେ ଆସିଛନ୍ତି । ଆପଣାକୁ ଜାଣିବାଲାଗି ସେମାନେ ଆମକୁ ଅନେକ ନୂଆ ବାଟ ବତାଇଛନ୍ତି, ଅନେକ ନୂତନ ଦିଗର ଉନ୍ମୋଚନ ଘଟାଇଛନ୍ତି । ଆଧୁନିକ ବିଶ୍ଵର ଆହ୍ଵାନଗୁଡ଼ିକୁ ସେମାନେ ଏଠାରେ ମାଟି ଉପରେ ଆଣି ଅବତୀର୍ଣ୍ଣ କରାଇଛନ୍ତି; ଆମକୁ ଯୋଗ୍ୟତର ଓ ବଳିଷ୍ଠତର କରିଛନ୍ତି । ଏହି ଯାବତୀୟ ଅବଦାନର ଦାୟାଦତ୍ଵକୁ ଅନୁଭବ କରିପାରିଲେ ଯାଇ ଆମେ ସାଂସ୍କୃତିକ ଭାତରତବର୍ଷର ସମଗ୍ର ମୂର୍ତ୍ତିପ୍ରେରଣାଟିକୁ ନିଜ ଭିତରେ ଅନୁଭବ କରିପାରିବା । ମାତ୍ର, ଆମ ଭିତରେ ଯେଉଁମାନେ ଆର୍ଯ୍ୟ ସଂସ୍କୃତିକୁ ହିଁ ଭାରତୀୟ ସଂସ୍କୃତିର ଏକମାତ୍ର ସନ୍ତକ ଏବଂ ସଂପ୍ରେଷକ ବୋଲି ମାନି ନିଅନ୍ତି, ସେମାନେ ଗତ ଏକହଜାର ବର୍ଷ ହେଲା ଭାରତବର୍ଷ ପରାଧୀନ ହୋଇ ରହିଲାଣି ବୋଲି ଏଡ଼େ ପାଟି କରି କହନ୍ତି । ଖାଲି ରାଜନୀତିର ପଣ୍ଡିତମାନେ ଯେ ଏପରି କହନ୍ତି ତା’ନୁହେଁ, ବିଶ୍ଵବିଦ୍ୟାଳୟର ପଣ୍ଡିତମାନେ ମଧ୍ୟ ଠିକ୍ ସେହିପରି କହିଥାନ୍ତି । ଭାରତୀୟ ସଂସ୍କୃତିର ଗଠନ ବିବର୍ତ୍ତନର ଇତିହାସକୁ ହୁଏତ ଅଧିକ ଯୁକ୍ତିଯୁକ୍ତ ଭାବରେ ଚାରୋଟି ପରସ୍ପର ପରିପୂରକ ଅଧ୍ୟାୟରେ (୩) ଅବଲୋକନ କରାଯାଇ ପାରିବ, ଯେଉଁଥିରେ କି ମୁସଲମାନ ତଥା ଇଉରୋପୀୟ ଅବଦାନ ଦୁଇଟିକୁ ଗତ ଏକ ହଜାର ବର୍ଷର ପ୍ରଧାନତମ ଅବଦାନ ବୋଲି ମାନିବାକୁ ହେବ ।

 

ଭାରତୀୟ ସଂସ୍କୃତିର ନବମୂଲ୍ୟାୟନରେ ଆମର ଦ୍ଵିତୀୟ କ୍ଷେତ୍ର ହେଉଛି ଧର୍ମ ଏବଂ ଆଧ୍ୟାତ୍ମିକତାର କ୍ଷେତ୍ର । ଶାସ୍ତ୍ରଗୁଡ଼ିକର ମାଧ୍ୟମରେ ଏହି କ୍ଷେତ୍ରରେ ଯେଉଁ ପରିମାଣଗତ ଅତିରିକ୍ତତାକୁ ଆଉ ଉପରେ ଆଣି ଲଦି ଦିଆଯାଇଛି, ଆମେ ଅଧିକାଂଶ ସମୟରେ ତାହା ଭିତରେ ସତେଅବା ଗୋଟାଏ ବିଶାଳ ଜଙ୍ଗଲ ଭିତରେ ବିମୁଗ୍‌ଧ ହୋଇ ପଶୁଥିଲା ପରି ଯାଇ ପଶିଯାଉ ଏବଂ କେଡ଼େ ଗର୍ବ ଅନୁଭବ କରିଥାଉ ସତ, ମାତ୍ର ଗଛଗୁଡ଼ିକୁ ପରସ୍ପରଠାରୁ ଅଲଗା କରି ଚିହ୍ନିବାକୁ ମୋଟେ ମନ କରୁନାହିଁ । ତେଣୁ ସେଗୁଡ଼ିକୁ ହୁଏତ ଏକ ସମ୍ପତ୍ତିଜ୍ଞାନର ମୁଣ୍ଡରେ ବୋହୁଥାଉ ସତ, ମାତ୍ର ସେଗୁଡ଼ିକଦ୍ଵାରା ଯଥାର୍ଥ ଭାବରେ ଆଦୌ ଉପକୃତ ହୋଇ ପାରୁନାହିଁ । ତାହାକୁ ଏକ ସମୀକ୍ଷାତ୍ମକ ଦୃଷ୍ଟିରେ ଦେଖିବା ତ ଆହୁରି ଦୂରର କଥା । ଧର୍ମ ଓ ଆଧ୍ୟାତ୍ମିକତା ମୋଟେ ଗୋଟାଏ କଥା ନୁହେଁ । ଆଧ୍ୟାତ୍ମିକତାର ମୂଳ ନାଡ଼ଟି ହାତଛଡ଼ା ହୋଇଗଲେ ଧର୍ମ ଯେ ଅଧିକତର ଅବସରରେ ଆମଲାଗି ଏକ ଅଫିମ ପରି କାର୍ଯ୍ୟ କରେ, ଆମକୁ ପ୍ରାୟ କାମାତୁର ଅଥବା ନିଦ୍ରାସକ୍ତ କରି ରଖେ, ପୃଥିବୀର ଇତିହାସରେ ଏହି କଥାଟିର ଭୁରି ଭୁରି ଦୃଷ୍ଟାନ୍ତ ରହିଛି । ଭାରତର ଧର୍ମ ଏବଂ ଧାର୍ମିକ ସାହିତ୍ୟରେ ବିବର୍ତ୍ତନଗତ ନାନା ପର୍ଯ୍ୟାୟ ରହିଛି ଏବଂ ସେହି ଅନୁସାରେ ନାନା ଆବେଦନ ମଧ୍ୟ ରହିଛି । ସେଗୁଡ଼ିକର ପର୍ଯ୍ୟାଲୋଚନା କଲେ, ବିଶେଷତଃ, ମନୁଷ୍ୟର ବ୍ୟକ୍ତିଗତ ତଥା ସମଷ୍ଟିଗତ ଜୀବନର କ୍ରମୋତ୍ତରଣ–କ୍ଷେତ୍ର ଲାଗି ଏଗୁଡ଼ିକର ଯେ ଏକ ଅନ୍ତରଙ୍ଗ ଆବେଦନ ରହିଛି, ସେହି ଦୃଷ୍ଟିରୁ ସେଗୁଡ଼ିକର ଆଲୋଚନା କଲେ ଆମେ ଦେଖି ପାରିବା ଯେ, ଭାରତବର୍ଷରେ ଗୋଟିଏ ପାଖରେ ଧର୍ମ କ୍ଷମତାସୀନମାନଙ୍କ ପକ୍ଷରେ ରହି ଏକ ଆନୁଷ୍ଠାନିକତା ରୂପେ ମନୁଷ୍ୟକୁ ଅଟକାଇ ରଖିବାଲାଗି ଏବଂ ବୋଲ ମନାଇ ନେବାଲାଗି ଭାରି ବିଚକ୍ଷଣତାର ସହିତ ବ୍ୟବହୃତ ହୋଇ ଆସିଛି ଏବଂ ଅପର ପକ୍ଷରେ ରହି ମନୁଷ୍ୟ ଏବଂ ତା’ର ଜୀବନସଂହତିକୁ ଏକ ସମଗ୍ର ଉନ୍ମୋଚନ ଏବଂ ଉତ୍ତରୋତ୍ତର ସମ୍ଭାବନାର ପ୍ରତିଶ୍ରୁତି ଦେଇ ଅଗ୍ରସର କରାଇ ନେବାରେ ପ୍ରେରଣା ଆଣି ଦେଇଛି । ସେହି ପ୍ରାଚୀନ ବୈଦିକ କାଳରୁ ହିଁ ଆମେ ବାରବାର ଏକ ସାଧନାମୂଳ ବିରୋଧ ଏବଂ ପ୍ରତିବାଦର ସ୍ଵରଟିକୁ ଶୁଣିବାକୁ ପାଇପାରିବା । (୪)

 

ଗୋଟିଏ ପାଖରେ ଋଷି ଓ ସନ୍ଥର ପରମ୍ପରା, ଆଉଗୋଟିଏ ପାଖରେ ପୁରୋହିତ ଏବଂ ସଂହିତାକାରମାନଙ୍କର ପରମ୍ପରା । ପୁରୋହିତ ଏବଂ ସଂହିତାକାରମାନଙ୍କ ପକ୍ଷରେ ରାଜା ରହିଛନ୍ତି । ରାଜା ହେଉଛନ୍ତି କ୍ଷମତାର ପ୍ରତୀକ, ଶାସନବାଧ୍ୟ କରି ରଖିବାର ପ୍ରତୀକ । ଅନ୍ୟ ପକ୍ଷରେ ବ୍ରହ୍ମବାସନା ସାଧନାର ପ୍ରତୀକ ହୋଇ ରହିଛି; ତାହା ମାର୍ଗଚାରଣାର ଉଦ୍‌ବୋଧନ ଦେଇଛି, ପ୍ରତ୍ୟେକ ମନୁଷ୍ୟର ଉନ୍ନୟନକୁ ତାହା ଈଶ୍ଵରାଭିପ୍ରେତ ଜୀବନଯାପନର ସର୍ବୋଚ୍ଚ କର୍ତ୍ତବ୍ୟ ଏବଂ ବ୍ରତ ବୋଲି ଗ୍ରହଣ କରିଛି । ସନ୍ଥମାନେ ଜାତି ମାନି ନାହାନ୍ତି, ରାଜାକୁ ମାନି ନାହାନ୍ତି, ସ୍ଵାର୍ଥପ୍ରଣୋଦିତ କୌଣସି ବ୍ୟକ୍ତିଗତ ମୁକ୍ତି ଅଥବା ପୁଣ୍ୟଭୋଗକୁ ସେମାନେ ଧର୍ମସ୍ଥ ହେବାର ଅସଲ ଇପ୍‌ସା ବୋଲି ଆଦୌ ମାନିନାହାନ୍ତି । ସନ୍ଥମାନେ ଏହି ସଂସାରକୁ ଭଗବାନଙ୍କର ଦର୍ପଣ ଉପରେ ଦେଖିଛନ୍ତି, ପ୍ରତ୍ୟେକ ମନୁଷ୍ୟକୁ ଭଗବତ୍ ଚେତନାର ପ୍ରତୀକ ରୂପେ ଦେଖିଛନ୍ତି ଏବଂ ତେଣୁ ପ୍ରତିବାଦ କରିଛନ୍ତି । ସେମାନେ ପ୍ରତିଷ୍ଠିତ ସମାଜ, ପ୍ରତିଷ୍ଠିତ କ୍ଷମତା–ସମସ୍ତଙ୍କ ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ସନ୍ଥ ପାଣ୍ଡିତ୍ୟକୁ ହସିଛି, ପ୍ରେମକୁ ହିଁ ଅସଲ ସୂତାରୂପେ ଗ୍ରହଣ କରି ସତତ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସିଛି, ଅଧିକରୁ ଅଧିକ ନିବିଡ଼ ଭାବରେ ସଂସାର ସହିତ ଗଅଁଠାଇ ହୋଇ ଆସିଛି । ଅର୍ଥ ଓ ପରମାର୍ଥ ଭିତରେ, ପୃଥିବୀ ଓ ସ୍ଵର୍ଗ ଭିତରେ ପାରମ୍ପରିକ ଭାବରେ ସ୍ୱୀକୃତି ହୋଇ ରହି ଆସିଥିବା ବ୍ୟବଧାନଗୁଡ଼ାକୁ ସନ୍ଥ ଆପଣାର ଜୀବନ ଓ ସନ୍ଦେଶର ମଧ୍ୟ ଦେଇ ଯଥାସମ୍ଭବ ହ୍ରାସ କରି ଆଣିବାର ଉଦ୍ୟମ କରିଛି ।

 

ଗୌତମ ବୁଦ୍ଧ ସେହି ପ୍ରାଚୀନ ଯୁଗରେ ପ୍ରତିଷ୍ଠିତ ପ୍ରତିକ୍ରିୟାଶୀଳ ବ୍ୟବସ୍ଥାଗୁଡ଼ିକ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ସେହି ଦିନଠାରୁ ଭାରତର ସନ୍ଥଧାଡ଼ିରେ କେତେକେତେ ପ୍ରତିବାଦର ସ୍ଵର ଶୁଣାଯାଇଛି । ରାମାନନ୍ଦ ଆସିଛନ୍ତି, କବୀର ଓ ନାନକ ଆସିଛନ୍ତି, ଓଡ଼ିଶାରେ ପଞ୍ଚସଖା ଆସିଛନ୍ତି । ଏହି ପ୍ରତିବାଦକାରୀମାନଙ୍କୁ ମଧ୍ୟ ଭାରତବର୍ଷ ଠାକୁରରେ ପରିଣତ କରିଦେଇଛି । ଗୌତମ ବୁଦ୍ଧଙ୍କୁ ଅବତାରଧାଡ଼ି ଭିତରକୁ ଆତ୍ମସାତ୍ କରି ନିଆଯାଇଛି । ସନ୍ଥମାନଙ୍କୁ ସେହିମାନଙ୍କର ନାମରେ ପରେ ମହାଉତ୍ସାହରେ ଗଢ଼ା ଯାଇଥିବା ସମ୍ପ୍ରଦାୟଗୁଡ଼ିକ ମଧ୍ୟକୁ ଅବନତ କରାଇ ନିଆଯାଇଛି । ଶୀତଳ କରାଇ ନିଆଯାଇଛି । ଏପରିକି, ଏହି ଊନ୍ନବିଂଶ ଶତାବ୍ଦୀରେ ଯେଉଁ କ୍ରାନ୍ତଦର୍ଶୀ ଉତକ୍ରମଣକାରୀମାନେ ପ୍ରାୟ ଏକ ସଂଘାତ ସମୟରେ ଭାରତବର୍ଷରେ ଆବିର୍ଭୂତ ହୋଇ ଧର୍ମ ତଥା ଆଧ୍ୟାତ୍ମିକତାର କ୍ଷେତ୍ରରେ ଏଠାରେ ନାନା ନୂତନ ପ୍ରସ୍ଥର ଉନ୍ମୋଚନ କରାଇ ଆଣିଥିଲେ, ସେମାନଙ୍କୁ ମଧ୍ୟ ଦେବତା ଏବଂ ଠାକୁର କରି ପୂଜା କରିବାର କେତେ ଉଦ୍ୟମ ହୋଇଛି ଏବଂ ହେଉଛି । ଆମେ ଏହି ପ୍ରସଙ୍ଗରେ ରାମକୃଷ୍ଣ ପରମହଂସ, ବିବେକାନନ୍ଦ, ମହାତ୍ମାଗାନ୍ଧୀ ଏବଂ ଶ୍ରୀ ଅରବିନ୍ଦଙ୍କର ନାମ ଉଲ୍ଲେଖ କରିପାରିବା । ଭାରତୀୟ ସଂସ୍କୃତି ମଧ୍ୟରେ ରହିଥିବା ଏହି ଅପପ୍ରବୃତ୍ତିଟିର ଅଧିକ ବିଶ୍ଳେଷଣ କରାଯିବା ଉଚିତ । ଆମର ଭାବ ଏବଂ ଅନୁରାଗଗୁଡ଼ାକ କାହିଁକି ଓ କିପରି ଏଡ଼େ ସହଜରେ ତୁଚ୍ଛା ଭାବପ୍ରବଣତା ଏବଂ ତୁଚ୍ଛା ଆଳସ୍ୟରେ ପରିଣତ ହୋଇଯାଏ, ତାହାର ଏକ ନିଶ୍‌ଛଳ ସମୀକ୍ଷା ହୋଇପାରିବା ଉଚିତ । ପ୍ରଧାନତଃ ଯେଉଁଭଳି ରୀତିରେ ପଣ୍ଡିତମାନେ ଭାରତବର୍ଷରେ ଭାରତୀୟ ସଂସ୍କୃତିର ଚର୍ଚ୍ଚା ଏବଂ ବ୍ୟାଖ୍ୟା କରି ଆସିଛନ୍ତି, ଯଥାର୍ଥରେ ସମୀକ୍ଷାତ୍ମକ ହେବା ସକାଶେ ତାହା ଆମକୁ ପ୍ରାୟ ମୋଟେ ସାହାଯ୍ୟ କରିପାରିନାହିଁ ।

 

ଭାରତବର୍ଷରେ ବ୍ରହ୍ମର କଥା କୁହାଯାଇଛି । ସ୍ଵୟଂ ବୁଦ୍ଧଦେବ ବ୍ରହ୍ମବିହାରର କଥା କହିଛନ୍ତି । ଋଷିର ମନ୍ତ୍ର ‘ସର୍ବଂ ଖଳୁ ଇଦଂ ବ୍ରହ୍ମ’ ବୋଲି ଏକଦା ଏହି ଭାରତବର୍ଷରେ ଉଚ୍ଚାରିତ ହୋଇଛି । ମାତ୍ର ସାମାଜିକ ସ୍ତରରେ, ମନୁଷ୍ୟ ସହିତ ମନୁଷ୍ୟର ରହିଥିବା ସମ୍ବନ୍ଧଗୁଡ଼ିକର ସ୍ତରରେ ଭାରତବର୍ଷ ସତେ ଯେପରି ଦୂରତାକୁ ହିଁ ଏକ ଅଲଂଘ୍ୟ ବାସ୍ତବ ସତ୍ୟରୂପେ ମାନି ନେଇଛି । ଅନ୍ୟକୁ ଅବର ଅର୍ଥାତ୍ ଶୂଦ୍ର ବୋଲି ନିନ୍ଦା ନକରି ଭାରତବର୍ଷର ବ୍ରାହ୍ମଣ ସତେଅବା ଆପଣାର ବ୍ରାହ୍ମଣତ୍ଵକୁ ନିରାପଦ ରଖିବାର ଅନ୍ୟ କୌଣସି ଉପାୟ ଠାବ କରି ପାରିନାହିଁ । ସମାଜରେ ପ୍ରକୃତ ଓ ସର୍ବମୂଳ ଉତ୍ପାଦନକାରୀମାନଙ୍କୁ ହିଁ ଭାରତବର୍ଷରେ ଶୂଦ୍ର ବୋଲି କୁହାହୋଇ ଆସିଛି । ସେମାନଙ୍କୁ ଶୂଦ୍ର, ଦାସ ଓ ଭୃତକ ବୋଲି କୁହାଯାଇଛି । ସମାଜରେ କାରିଗରମାନଙ୍କୁ ଶୂଦ୍ରର ଶ୍ରେଣୀରେ ରଖାଯାଇଛି । ସଂହିତାକାରମାନେ ଭାରତବର୍ଷରେ ଜାତିଭେଦ ଏବଂ ଉଚ୍ଚନୀଚଭେଦକୁ ଧର୍ମର ଅନୁମୋଦନ ମଧ୍ୟ ଦେଇଛନ୍ତି । ଏପରିକି, ଇସ୍‌ଲାମ୍ ଓ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଭୃତି ଜାତିପ୍ରଥାରେ ବିଶ୍ଵାସ ନକରୁଥିବା ଧର୍ମମତଗୁଡ଼ିକ ଭାରତବର୍ଷରେ ପ୍ରବେଶ କରି ଆମର ଏଠାରେ ହିନ୍ଦୁଧର୍ମକୁ ପ୍ରଭାବିତ କରିବା ପରିବର୍ତ୍ତେ ବରଂ ଅନେକ କ୍ଷେତ୍ରରେ ତାହାରିଦ୍ଵାରା ପ୍ରଭାବିତ ହୋଇଛନ୍ତି । ଭାରତବର୍ଷରେ ଆଧୁନିକ ଶିକ୍ଷା, ଆଧୁନିକ ବିଜ୍ଞାନ ଏବଂ ଆଧୁନିକ ଦୃଷ୍ଟିର ପ୍ରସାର ସତ୍ତ୍ୱେ ଜାତିଭେଦ କମୁନାହିଁ । ସାମାଜିକ ବାହ୍ୟସ୍ତରରୁ ଅପସରି ଯାଉଥିବା ପରି ପ୍ରତୀତ ହୋଇ ତାହା ସତେଅବା ଆମ ସମଷ୍ଟିଗତ ଜୀବନର ମାନସିକ ସ୍ତରଗୁଡ଼ିକ ଆଡ଼କୁ କ୍ରମପ୍ରକ୍ଷେପିତ ହୋଇଯିବାରେ ଲାଗିଛି । ଦୂରତାକୁ ଦୃଢ଼ କରି ରଖିବାର ନୂତନ ପରିଚାରମାନ ବାହାରୁଛି । ତତ୍ତ୍ଵର ସ୍ତରରେ ଆମେ ବ୍ରହ୍ମବାଦୀ, ବିଶ୍ଵବାଦୀ ଓ ଏପରିକି ଅନେକାନ୍ତବାଦୀ ହୋଇ ରହିଥିବା ସମୟରେ ଏଣେ ମାନବୀୟ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ନିରାଟ ସ୍ପର୍ଶକାତର ଭାବରେ ଦୂରତାବାଦୀ ହୋଇ ରହିଛୁ । ଆମର ଜାତୀୟ ଜୀବନ ତଥା ଅବଦାନଗୁଡ଼ିକୁ ସୁସ୍ଥ ଏବଂ ବଳିଷ୍ଠ କରି ରଖିବା ଦିଗରେ ତାହାହିଁ ଏକ ସର୍ବପ୍ରଧାନ ଅନ୍ତରାୟ ହୋଇ ରହିଛି । ଆମ ସଂସ୍କୃତିସ୍ଥ ଜୀବନକୁ ଏହି ଦ୍ଵିବିଭାଜନ ସୁହାଉଛି କିପରି ? ଏହିପରି ଏକ ଦ୍ୱିବିଭାଜିତ ଜୀବନ କ’ଣ ଆମର ସଂସ୍କୃତି ଭିତରେ ଆବହମାନ କାଳରୁ ରହି ଆସିଥିଲା ? କେଉଁସବୁ ପ୍ରଶ୍ରୟ ପାଇ ତାହା ରହି ଆସିଥିଲା ? ‘ଅହଂ ବ୍ରହ୍ମାସ୍ମି’ ମନ୍ତ୍ରଟିର କୌଣସି ଭାବପ୍ରେରଣା ଯଦି ଆମ ଅନୁରକ୍ତିଗୁଡ଼ାକର ଚମତଳକୁ ଏତେ ଟିକିଏ ପରିମାଣରେ ବି ଭେଦିଛି, ତେବେ ଆମେ ଶିକ୍ଷିତ ଓ ଅଶିକ୍ଷିତ ନିର୍ବିଶେଷରେ ସମସ୍ତେ ଏକ ସମଷ୍ଟିରୂପେ ଏହି କ୍ଷୟକାରୀ ଦୂରତାଗୁଡ଼ାକୁ ଆପଣା ନିତ୍ୟବେଭାରର ସହଚର କରି ରଖିପାରିଛୁ କିପରି ? ଏହି ସଂଶୟଟିକୁ ପ୍ରତିପାଦ୍ୟ ହିସାବରେ ଗ୍ରହଣ କରି ଭାରତୀୟ ସଂସ୍କୃତିର ଏକ ନବମୂଲ୍ୟାୟନ ହୋଇପାରିବା ଉଚିତ ।

 

ମୂଲ୍ୟାୟନର ଦୁଇଟି ଦୃଷ୍ଟି, : ଗୋଟିଏ, ସମୀକ୍ଷାତ୍ମକ ଓ ଆଉ ଗୋଟିଏ ଉତ୍ସାହପ୍ରଧାନ । ପ୍ରଥମ ଦୃଷ୍ଟିଟି ପଛରେ ତଥ୍ୟ ରହିଥାଏ, ତର୍କସଙ୍ଗତି ରହିଥାଏ, ସତ୍ୟର ଉଦ୍‌ଘାଟନ କରିବା ଓ ସେହି ଉଦ୍‌ଘାଟନ ଅନୁସାରେ ସାଧୁତାର ସହିତ ଆପଣାକୁ ପରିଚାଳିତ କରାଇବା ଲାଗି ଏକ ଇଚ୍ଛୁକତା ମଧ୍ୟ ରହିଥାଏ । ସଂସ୍କୃତିର ଜଣେ ସମୀକ୍ଷକ ଏହି ପ୍ରଥମ ଦୃଷ୍ଟିଟିକୁ ପାଶ୍ଚାତ୍ୟର ଦୃଷ୍ଟି ବୋଲି କହିଛନ୍ତି । ଅପର ପକ୍ଷରେ, ଉତ୍ସାହପ୍ରଧାନ ଦୃଷ୍ଟିଟି ହେଉଛି ତାଙ୍କ ମତରେ ଭାରତର ଦୃଷ୍ଟି (୫) ମମତା ହିଁ ଏହି ଉତ୍ସାହର ପଛରେ ସବୁଠାରୁ ଅଧିକ ବଳଶାଳୀ ଉତ୍‌ପ୍ରେରକ ରୂପେ କାର୍ଯ୍ୟ କରୁଥାଏ । ତେଣୁ ଅଧିକାଂଶ ସ୍ଥଳରେ ଅତ୍ୟନ୍ତ ନିଷ୍ଠାର ସହିତ ତାହା ଆପଣାକୁ ଏକ ଅତ୍ୟୁତ୍ସାହରେ ମଧ୍ୟ ପରିଣତ କରିଦିଏ । ଏହା ମୋର, ତେଣୁ ଏହା ସର୍ବୋତ୍ତମ, ସର୍ବୋଚ୍ଚ ଏବଂ ତେଣୁ ଏହାର କୌଣସି ସମୀକ୍ଷା କରାଯାଇ ପାରିବ ନାହିଁ । ଏହା ଫଳରେ ଆମେ କ୍ଷେତ୍ରଟିକୁ ସମଗ୍ର ଭାବରେ ନଦେଖି କେବଳ ଏକ ଏକଦର୍ଶୀ ଦୃଷ୍ଟିକୋଣ ସହିତ ଦେଖିଥାଉ । ସେଥିରେ ଆମେ ଅତ୍ୟନ୍ତ ପୁଲକ ଅନୁଭବ କରୁ ଏବଂ ସ୍ଥାଣୁ ହୋଇ ରହିଥାଉ । ଆମର ଯାବତୀୟ ଅବଲୋକନ ସେହି କ୍ଷେତ୍ରରେ ଆମ ଲାଗି ଆଗକୁ ଆଦୌ କୌଣସି ବାଟ ଦେଖାଇ ପାରେ ନାହିଁ । ଆମରି ଦଉଡ଼ିଗୁଡ଼ାକର ଫାଶ ଭିତରେ ଆମକୁ ପ୍ରାୟ ଅସମର୍ଥ କରି ବାନ୍ଧି ରଖେ । ଏକଶହ ବର୍ଷ ତଳେ ପାଶ୍ଚାତ୍ୟ ସଂସ୍କୃତି ଓ ବିଦ୍ୟା ସହିତ ପ୍ରଥମ ସଂସ୍ପର୍ଶରେ ଆସିଥିବା ସମୟରେ ଅଧିକତଃ ସେହି ମମତା ହିଁ ପ୍ରାୟ ଏକମାତ୍ର ଉତ୍‌ପ୍ରେରକ ରୂପେ ଆମ ଘରେ ଆମର ପ୍ରବେଶ ଘଟାଇଥିଲା । ଆମର ନିଦକୁ ଭାଙ୍ଗିଦେବା ଲାଗି ସେତେବେଳେ ହୁଏତ ତାହାର ଏକ ପ୍ରୟୋଜନ ବି ରହିଥିଲା । କିନ୍ତୁ, ଏକଶହ ବର୍ଷ ପରେ, ଆମର ଯାବତୀୟ ଅତ୍ୟୁତ୍ସାହ ଆମକୁ ନାନା ପ୍ରମାଦରେ ଆଣି ପକାଇବା ପରେ ଏବଂ ଇତିମଧ୍ୟରେ ଭାରତବର୍ଷ ରାଜନୀତିକ ସ୍ଵାଧୀନତା ଲାଭ କରିସାରିବା ପରେ ଆମେ କ୍ରମଶଃ ଅଧିକ ସମୀକ୍ଷାତ୍ମକ ଭାବରେ ଆମ ଘରଟି ଉପରେ ଦୃଷ୍ଟିପାତ କରି ପାରିଥିଲେ ତାହା ଆମକୁ ନିଶ୍ଚିତ ଭାବରେ ଅଧିକ ସମର୍ଥ କରାଇ ପାରିଥାନ୍ତା । ତାହା ହୋଇ ନଥିବାରୁ ପ୍ରଥମକାଳୀନ ସେହି ଅତ୍ୟୁତ୍ସାହ କ୍ରମେ ଏକ ଖଳ ଏକଦର୍ଶିତାରେ ହିଁ ପରିଣତ ହୋଇଗଲା, ଜାତୀୟ ସ୍ତରରୁ ତଳକୁ ଖସିଆସି ତାହା ପ୍ରାନ୍ତୀୟ ଏବଂ ସ୍ଥାନୀୟ ସ୍ତରଗୁଡ଼ିକରେ ମଧ୍ୟ ଆପଣାକୁ ହୁଏତ ଅଧିକ ପ୍ରବଳ ଭାବରେ ଜାହିର କରିବାକୁ ଲାଗିଲା ଏବଂ ତଦ୍ଦ୍ଵାରା ଭାରତୀୟ ସଂସ୍କୃତିରୂପୀ ସମଗ୍ର ଘରଟି ଅତ୍ୟନ୍ତ କ୍ଷତିଗ୍ରସ୍ତ ହେଲା । ଏହି ପ୍ରବୃତ୍ତିଟି ଅତିଶୀଘ୍ର ବଦଳିଯିବା ଦରକାର । ଏକ ନବମୂଲ୍ୟାୟନ ଲାଗି ରାଜି ହେଲେ ଯାଇ ଆମେ ଏହି ଅତ୍ୟୁତ୍ସାହର କବଳରୁ ମୁକ୍ତ ହୋଇ ଏକ ଯଥାର୍ଥ ସମୀକ୍ଷାର ଯୋଗ୍ୟ ହୋଇପାରିବା ।

 

“ଯାହା ଅଛି, ତାହାକୁ ଭୂମି କରି, ଯାହା ହେବା ଉଚିତ, ତାହାରି ଆଡ଼କୁ ଅଗ୍ରସର ହେବାକୁ ହୋଇଥାଏ । ମାତ୍ର, ଯାହା ହେବା ଉଚିତ, ସେହିଗୁଡ଼ାକୁ ନେଇ ଅତି ଉଲ୍ଲସିତ ଭାବରେ ପ୍ରକୃତ ସ୍ଥିତିଟି ଉପରେ ମଡ଼ାଇ ଦେବାକୁ ବସିଲେ ତଦ୍ଦ୍ୱାରା ଅତି ଚମତ୍କାର ପୁରାଣ ବା ଉପନ୍ୟାସର ରଚନା ହୁଏ ସତ, ମାତ୍ର ତେଣେ ହୁଏତ ଗତିଟି ହିଁ ବନ୍ଦ ହୋଇଯାଏ । ଭାରତବର୍ଷର ଜୀବନସାଧନା ସମ୍ଭବତଃ ଏହି କାରଣରୁ ହିଁ ଅଧିକ ପରିମାଣରେ ଗତିହୀନ ହୋଇ ପଡ଼ିଛି ।” (୬) ଭାରତବର୍ଷରେ ସଂସ୍କୃତି–ମୁଲ୍ୟାୟନର ପାରମ୍ପରିକ ମାର୍ଗରେ ଆମେ ହୁଏତ ଆହୁରି ଗୋଟାଏ ପାଦ ଆଗକୁ ଲମ୍ଫ ପ୍ରଦାନ କରି ମାଡ଼ିଯାଇଛି । ଯାହା ଥିଲା, ଆମେ ତାହାକୁ ହିଁ ଅନେକ କ୍ଷେତ୍ରରେ ଯାହା ହେବା ଉଚିତ, ତାହାରି ସମତୁଲ ବୋଲି ଗ୍ରହଣ କରି ନେଇଛୁ । ଯଦି ଭାରତବର୍ଷରେ ଅତୀତର ସେହି ଅତିପ୍ରାଚୀନ କାଳରେ ଆମର ପ୍ରକୃତରେ ସବୁକିଛି ଥିଲା, ତେବେ ତାହା କୁଆଡ଼େ ଗଲା, କାହିଁକି ଗଲା,–ସେହି ଝିଅଟି ପ୍ରକୃତରେ କାହିଁକି ଓ କିପରି ଭାବରେ ଛିଡ଼ିଗଲା, ସେହି କଥାଟିର ମଧ୍ୟ ଏକ ସମୀକ୍ଷାତ୍ମକ ମୂଲ୍ୟାୟନ ହୋଇ ପାରିବା ଉଚିତ । ସମ୍ଭବତଃ, ଆମେ ସେତେବେଳେ ଯାହାକିଛି ଥିଲା ବୋଲି କହୁଛୁ, ତାହା କେବଳ ଶାସ୍ତ୍ର ଭିତରେ ଥିଲା, ଋଷି ଓ ମନ୍ତ୍ରଦ୍ରଷ୍ଟାମାନଙ୍କର ଦୃଷ୍ଟି ଭିତରେ ଥିଲା, ଜୀବନ ଭିତରେ ନଥିଲା । ଆଦର୍ଶ ଏବଂ ବାସ୍ତବ ସମ୍ଭବତଃ ଅଲଗା ଅଲଗା ଦୁଇଟା ବନସ୍ତ ହୋଇ ରହିଥିଲେ । ବର୍ତ୍ତମାନ ଯେଉଁଭଳି ହୋଇ ରହିଛନ୍ତି, ସେତେବେଳେ ମଧ୍ୟ ସବୁ ଠିକ୍ ସେହିପରି ହୋଇ ରହିଥିଲା । ଅର୍ଥାତ୍, ସଦିଚ୍ଛା ଗୁଡ଼ାକୁ ହିଁ ଯଥେଷ୍ଟ ବୋଲି ମାନି ନିଆ ଯାଇଥିଲା,–ମାତ୍ର ପ୍ରକୃତ ସମ୍ବନ୍ଧଗୁଡ଼ିକର ବିଚରଣ–କ୍ଷେତ୍ରରେ ସମସ୍ତେ ପଙ୍କ ଭିତରେ ନାକ ପର୍ଯ୍ୟନ୍ତ ବୁଡ଼ିକରି ରହିଥିଲେ । ସେଥିରେ ରାଜା ଓ ପଣ୍ଡିତ ଉଭୟେ ଉଭୟଙ୍କୁ ସାହାଯ୍ୟ କରିବାରେ ଲାଗିଥିଲେ । ଯାବତୀୟ ଯଥାର୍ଥ ସଂସ୍କୃତିରେ ମଣିଷକୁ ଯେ ସବାଆଗ ଜଣେ ମଣିଷ ହିସାବରେ ସ୍ଵୀକୃତି ଦେବାକୁ ହୁଏ ଓ ସେହି ସ୍ଵୀକୃତି ଅନୁସାରେ ଯେ ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ସବୁଯାକ ସ୍ତରକୁ ଅନୁରୂପ ଭାବରେ ସଂଯୋଜିତ କରି ରଖିବାକୁ ହୁଏ, ସେହି କଥାଟିକୁ କହିବାଲାଗି କେହି ସାହସ କରି ପାରୁନଥିଲେ, ସମ୍ଭବତଃ ସେହି କାରଣରୁ ହିଁ ବର୍ତ୍ତମାନକୁ ନାନା ଆଳ ଦେଖାଇ ଟାଳି ଦିଆ ଯାଇଥିଲା । ଅତୀତ ଭିତରକୁ ଟାଳି ଦିଆଯାଉ ଥିଲା, କର୍ମବାଦ ଭିତରକୁ ଟାଳି ଦିଆଯାଉଥିଲା,–ଏକ ଚତୁର ଦ୍ୱିଭାଜନର ଟେକ୍‌ନିକ୍ ଦ୍ୱାରା ଟାଳି ଦିଆଯାଉଥିଲା ।

 

ବର୍ତ୍ତମାନ : ଭାରତବର୍ଷର ସାମୂହିକ ଜୀବନରେ ଆମକୁ ଯେଉଁ ଅବକ୍ଷୟ ଚତୁର୍ଦ୍ଦିଗରୁ ଘେରିକରି ରହିଥିବାପରି ମନେ ହେଉଛି, ଏହି ଟାଳି ଦେବାର ପ୍ରବୃତ୍ତିଟି ହେଉଛି ସେହି ଅବକ୍ଷୟର ଏକ ବଡ଼ କାରଣ । ସେଥିରୁ ବିମୁକ୍ତ ହୋଇ ଆସିବାକୁ ହେଲେ ଆମକୁ ଏକ ନୂତନ ଆଖିରେ ଏବଂ ନୂତନ ପରିପ୍ରେକ୍ଷୀରେ ଆପଣା ଆଡ଼କୁ ଅବଲୋକନ କରିପାରିବାକୁ ହେବ । ଏହି ଅନ୍ୟ ପ୍ରକାରର ଏକ ଆଖିରେ ନିଜକୁ କଳି ପାରିବାକୁ ସମର୍ଥ ହେବା, ସମୀକ୍ଷାର ଦୃଷ୍ଟିରେ ଆପଣାକୁ ଯଥାସମ୍ଭବ ଅଧିକ ମୋହମୁକ୍ତ ଭାବରେ କଳନା କରିପାରିବା–ଏହାହିଁ ଆମକୁ ଆମ ସଂସ୍କୃତିର ଏକ ନବମୂଲ୍ୟାୟନଆଡ଼କୁ ପ୍ରେରିତ କରି ନେଇଯିବ । ମାତ୍ର, ଏହି ନବମୂଲ୍ୟାୟନ କରିବ କିଏ ? ଯେଉଁମାନେ ଅତୀତକୁ ଜାବୁଡ଼ି ଧରିଛନ୍ତି, ବର୍ତ୍ତମାନକୁ ଖାଲି ଟାଳିବାରେ ଲାଗିଛନ୍ତି, ଏବଂ ଏହି ବର୍ତ୍ତମାନଟା ଯେ ଭବିଷ୍ୟତକୁ ଏକ ନିର୍ଦ୍ଦିଷ୍ଟ ଆରେଖ ଦେଇ ତିଆରି କରେ, ଏହି ସତ୍ୟଟିକୁ ସ୍ୱୀକାର କରିବା ଲାଗି ଯେଉଁମାନେ କେବେହେଲେ ସମ୍ମତ ହୁଅନ୍ତି ନାହିଁ, ସେମାନେହିଁ କଦାପି ସେହି ନବମୂଲ୍ୟାୟନ କରି ପାରିବେ ନାହିଁ । ତୁଚ୍ଛା ପୌତ୍ତଳିକମାନେ ଯେକୌଣସି ନୂତନ ଆହ୍ଵାନ ଏବଂ ଆଭିମୁଖ୍ୟକୁ ମଧ୍ୟ ନୂଆ ପିତୁଳାଟିଏ କରି ଗଢ଼ି ଥୋଇଦେବେ ଏବଂ ତାହାକୁ ହିଁ ଯଥେଷ୍ଟ ବୋଲି ଗ୍ରହଣ କରିବେ । ଯିଏ ଭାରତୀୟ ସଂସ୍କୃତିକୁ ସତେଅବା ଚାରିବାଡ଼ ଭିତରେ ଘେରାହୋଇ ରହିଥିବା ଏକ ଜଳାଶୟ ପରି କଳ୍ପନା କରୁଥିବ, ସିଏ କଦାପି ଏହି ନବମୂଲ୍ୟାୟନର ଭାଜନ ହେବନାହିଁ । କେବଳ ଜାତୀୟତାବାଦୀ କୌଣସି ନବମୂଲ୍ୟାୟନ କରି ପାରିବନାହିଁ । ଊନବିଂଶ ଶତାବ୍ଦୀର ମଧ୍ୟଭାଗ ହେଉଛି ଭାରତବର୍ଷରେ ଜାତୀୟତାବାଦ ପଲ୍ଲବିତ ହୋଇଆସିବାର ଯୁଗ, ତେଣୁ ପ୍ରଧାନତଃ ଏକ ଅତ୍ୟୁତ୍ସାହର ଯୁଗ । ଆବଦ୍ଧ ହୋଇ ରହିବାର, ଅର୍ଥାତ୍, ଆପଣାର ବୋଲି ଯାହାକିଛି ରହିଛି, ସେଥିରେ ଏବଂ ସେତିକିରେ ହିଁ ଉଲ୍ଲସିତ ଏବଂ ସ୍ଵୟଂସଂପୂର୍ଣ୍ଣ ଅନୁଭବ କରିବାର ଯୁଗ । ଅନୁରାଗର ସେହି ପର୍ଯ୍ୟାୟଟି ଆମକୁ ବର୍ତ୍ତମାନ ଆଦୌ ବେଶୀକିଛି କାମ ଦେଇ ପାରିବ ନାହିଁ । ସେହି ଗାରଟିକୁ ଡେଇଁଆସି ପାରିଲେ ଯାଇ ଆମେ ତାହାକୁ ତାହାର ଯଥାର୍ଥ ସୀମାଗୁଡ଼ିକୁ ଦେଇ ଜାଣିବାକୁ ସମର୍ଥ ହେବା ।'

 

ଆପଣାର ଗୋଟିଏ ଗ୍ରନ୍ଥରେ ମାନବସଭ୍ୟତାର ଜଣେ ଅନ୍ୟତମ ସମୀକ୍ଷାକାର ଆର୍ନୋଲ୍‌ଡ଼୍ ଟଏନ୍‌ବୀ ଠିକ୍ ସେହି କଥା କହିଛନ୍ତି । (୭) ଆମେ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ତାହାରି ମଧ୍ୟରେ ସୀମାଙ୍କିତ ହୋଇ ରହିଥିବା ଏକ ତାତ୍କାଳିକ କ୍ଷେତ୍ରରେ ଯେତିକି ଦେଖିପାରୁଛୁ, ତାହାଠାରୁ ଏକ ବୃହତ୍ତର ପ୍ରସ୍ଥଯୁକ୍ତ ଆଉକିଛି ଲାଗି ଅଭୀପ୍‌ସା ରଖିପାରିଲେ ଯାଇ ଆମେ ସେହି ତତ୍କାଳିକ ବସ୍ତୁଟିକୁ ମଧ୍ୟ ତାହାର ସମୁଚିତ ପ୍ରସ୍ଥବ୍ୟଞ୍ଜନା ଦେଇ ଦେଖିବାଲାଗି ସମର୍ଥ ହେବା । ଏକ ବୃହତ୍ତର ପରିପ୍ରେକ୍ଷୀର କୁଣ୍ଡଳୀ ମଧ୍ୟରେ ହିଁ ଆମର ତାତ୍କାଳିକ ଅନୁଧାବନଟି ସମୁଚିତ ଭାବରେ ଆମର ବୋଧଗମ୍ୟ ହୋଇପାରିବ । ଅର୍ଥାତ୍, ଭାରତୀୟ ସଂସ୍କୃତିକୁ ଏକ ତଥାକଥିତ ଭାରତୀୟତା ଏବଂ ତଦ୍‌ଜନିତ ଏକ ତଥାକଥିତ ମମତାର ଚତୁଃସୀମା ମଧ୍ୟରେ ଯେଡ଼େ ଉଲ୍ଲାସ କିମ୍ବା ଉତ୍ତେଜନା ସହକାରେ ଦେଖିଥିବା ପର୍ଯ୍ୟନ୍ତ ଆମେ ତାହାର ଅସଲ ଗଭୀରଟା ଏବଂ ଅସଲ ଭଚ୍ଚତାଗୁଡ଼ିକର କଦାପି କଳନା କରି ପାରିବାନାହିଁ । ଭାରତୀୟ ସଂସ୍କୃତି; ସଂସ୍କୃତିର ସେହି ବୃହତ୍ତର ପରିଧିଟି ମଧ୍ୟରେ ହିଁ ଆମେ ଭାରତୀୟ ସଂସ୍କୃତିକୁ ଠାବ କରିବାଲାଗି ମନ କରିବା । ତେବେଯାଇ ତାହାର ଏକ ଉଚିତ ଅର୍ଥାତ୍ ବହୁପରିସରଯୁକ୍ତ ମୂଲ୍ୟାୟନ ଲାଗି ସାହସ କରିପାରିବା । ଭାରତବର୍ଷରେ ମନୁଷ୍ୟମାନେ ବାସ କରନ୍ତି ଏବଂ, ସେହି ମନୁଷ୍ୟମାନେ ହିଁ ସେହି ସଂସ୍କୃତିର ଯଥାର୍ଥ ପ୍ରତୀକ । ଭାରତୀୟ ସଂସ୍କୃତିରୂପେ ପ୍ରତିଷ୍ଠିତ ହେବାକୁ ହେଲେ ତାହାକୁ ମନୁଷ୍ୟର, ସବୁ ମନୁଷ୍ୟଙ୍କର ଜୀବନଗାରଗୁଡ଼ିକୁ ସ୍ପର୍ଶ କରି ରହିବାକୁ ହେବ । ଥୋକେ ମଣିଷକୁ ବଞ୍ଚିତ କରି ଆଉ ଥୋକେଙ୍କର ଅଳସବ୍ୟସନ ଅଥବା ଅଳଙ୍କାର ସଦୃଶ ହୋଇ ରହିଥିବା ପର୍ଯ୍ୟନ୍ତ ତାହା ପ୍ରଧାନତଃ ଏକ ଅପସଂସ୍କୃତି ହିଁ ହୋଇ ରହିଥିବ, ଅସ୍ଵୀକାରମୟ ହୋଇ ରହିଥିବ । ଏହିପରି ଗୋଟିଏ ବୃହତ୍ତର ପରିପ୍ରେକ୍ଷୀକୁ ଯିଏ ସ୍ଵୀକାର କରିନେଇ ପାରିବ, କେବଳ ସେଇ ଭାରତବର୍ଷରେ ଭାରତୀୟ ସଂସ୍କୃତିର ଏକ ନବମୂଲ୍ୟାୟନ ଲାଗି ସାହସ କରିପାରିବ ।

 

ଆମେ ଯେଉଁମାନେ ପାଠ ପଢ଼ୁଛୁ, ପାଠ ପଢ଼ାଉଛୁ, ଆମେ ଯେଉଁମାନେ ଏହି ଦେଶକୁ ନେଇ ଆପଣା ଭାଗ୍ୟର ବିଚାର କରିବାର ଅନୁରାଗ ରଖିଛୁ, ଯେଉଁମାନେ ଆପଣାର ବ୍ୟକ୍ତିଗତ ତଥା ସାମୂହିକ ସମ୍ବନ୍ଧଗତ ଜୀବନର ନାନା ବିଚରଣରେ ନିରନ୍ତର ଯଥାର୍ଥ ମୂଲ୍ୟଗୁଡ଼ିକର ରୂପାୟନ ଲାଗି ପ୍ରକୃତରେ ପ୍ରୟାସ କରୁଛୁ, ଆମ ଭିତରୁ ଯେଉଁମାନେ ଭବିଷ୍ୟତକୁ ନେଇ ଏକ ସ୍ଵପ୍ନ ଦେଖି ପାରୁଛନ୍ତି ଓ ଏହି ବର୍ତ୍ତମାନଟାକୁ ହିଁ ସତେଅବା ଏକ କର୍ମନିର୍ଦ୍ଧାରିତ ଶେଷ ଗାର ବୋଲି କଦାପି ମାନି ନେଇ ନାହାନ୍ତି, ସେହିମାନେ ହିଁ ନବମୂଲ୍ୟାୟନର ସାହସ କରି ପାରିବେ । ସେହିମାନେ ହିଁ ଭାରତବର୍ଷକୁ ତାହାର ଏହି ବର୍ତ୍ତମାନ ଶିଥିଳତା ମଧ୍ୟରୁ ଅତିକ୍ରମ କରାଇ ଆଗକୁ ନେଇଯିବେ, ଆହୁରି ଆଗକୁ ନେଇଯିବେ ।

 

ପୁସ୍ତକ-ଟିପ୍‌ପଣୀ :

 

୧.

M.K. Haldar :

Renaissance and Reaction in 19th Century Bengal, Minerva Associates Publications Private Limited, Calcutta 29, 1977, page 38.

 

 

 

୨.

Romila Thapar :

Past and Prejudice, National Book Trust, India, New Delhi, 1979, Page46.

 

 

 

୩.

ରାମଧାରୀ ସିଂହ ଦିନକର :

ସଂସ୍କୃତିକେ ଚାର ଅଧ୍ୟାୟ, ଉଦୟାଚଳ, ପାଟନା, ୧୯୭୭ ।

 

 

 

୪.

D.P. Mukerji :

Sociology of Indian Culture, Rawat Publications, Jaipur, 1979, Page 116.

 

 

 

୫.

Swami Agehananda Bharati :

Functional Analysis of Indian Thought and its Social Margins, The Chowkhamba Sanskrit Series Office, Varanasi, 1964, Page 63.

 

 

 

୬.

ଚିତ୍ତରଞ୍ଜନ ଦାସ :

ଓଡ଼ିଆ ସାହିତ୍ୟର ସାଂସ୍କୃତିକ ବିକାଶଧାରା, ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର, ୧୯୮୧, ପୃଷ୍ଠା ୮୨ ।

 

 

 

୭.

“It is only when we seek something beyond the object immediately in view that this lesser object incidentally comes into our grasp". Arnold J. Toynbee in 'Christianity Among the Religions of the world", Oxford, London, 1958, Page 56.

 

ଏକାଦଶ ବିରଜା ବକ୍ତୃତାମାଳା, ୧୯୮୪

Image

 

ଆଦିବାସୀ ସଂସ୍କୃତିର ସ୍ଵରୂପ

 

ଆମେ ଯେଉଁ ଅଣଆଦିବାସୀମାନେ ଆଦିବାସୀଙ୍କ ବିଷୟରେ ଆଲୋଚନା କରୁ, ସେମାନେ ଆଦିବାସୀମାନଙ୍କ ଠାରୁ ବେଶ୍ ବାରି ହୋଇ ପଡ଼ୁ । ଶିକାରୀକୁ ଯେପରି ମିରିଗ ଭଲ ଲାଗେ ଓ ଉତ୍ସାହ ଦିଏ, ପୋଷା କୁକୁରଟା ଯେପରି ତାକୁ ପୋଷିଥିବା ସଉକୀ ମଣିଷର ବିଦଗ୍ଧତା ଲାଗି ପ୍ରାୟ ଏକ ସ୍ନେହର ପିତୁଳା ହୋଇ ରହିଥାଏ, ଗିନିପିଗ୍‌ଗୁଡ଼ାକ ଯେମିତି କୌଣସି ଲାବୋରେଟରୀରେ ଘୋର ଓ ଗମ୍ଭୀର ଅଧ୍ୟୟନ କରୁଥିବା କୁଳୀନ ବୈଜ୍ଞାନିକମାନଙ୍କୁ ଭଲ ଲାଗନ୍ତି, ଆମ ଅନେକଙ୍କୁ ଆଦିବାସୀମାନେ ଅନେକ ସମୟରେ ହୁଏତ ପ୍ରାୟ ସେହିପରି ଭଲ ଲାଗୁଥିବେ । ଖୁବ୍ ବେଶୀ ହେଲେ, ଭେରିଅର୍ ଏଲ୍‌ଉଇନ୍‌ଙ୍କ ଭାଷାରେ, ଏକ museum interest ନେଇ ଆମେ ଆଦିବାସୀଙ୍କୁ ଅଧ୍ୟୟନ କରିବା ଲାଗି ପ୍ରବୃତ୍ତ ହେଉ, ସେମାନଙ୍କୁ ଆମେ ଭଲ ବି ପାଉ । ଏସବୁ କରୁଥିବା ସମୟରେ ଆମେ କେହି ସ୍ଵୟଂ ଆଦିବାସୀ ହେବାକୁ ଇଚ୍ଛା କରୁନାହିଁ । ତେଣୁ, ସର୍ବଦା ଏକ ନିରାପଦ ଦୂରତା ଓ ବିଜ୍ଞତା ରକ୍ଷା କରୁ, ଆତ୍ମୀୟତାକୁ ହାଡ଼େ ହାଡ଼େ ଡରୁ । “But you must be above, below must be the other,” ବୋଲି ଆପଣାର “The Natural Man” କବିତାରେ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁ ଯାହା ଲେଖିଛନ୍ତି, ଅଧିକାଂଶ ସମୟରେ ଆଦିବାସୀ ଏବଂ ତା’ର ସଂସ୍କୃତି ଲାଗି ଆମର ପ୍ରାୟ ଯାବତୀୟ ଆକର୍ଷଣ ଓ କର୍ଷଣ ଖୁବ୍ ସଘନ ହେଲେ ପ୍ରାୟ ସେହି ପର୍ଯ୍ୟନ୍ତ ହିଁ ଯାଇଥାଏ ।

 

ଆଦିବାସୀ ସଂସ୍କୃତି ଏକ ସମଗ୍ର ସଂସ୍କୃତି । ଗତ ଶତାବ୍ଦୀର ଜଣେ ସଂସ୍କୃତି–ଅଧ୍ୟୟନକାରୀ ଇଉରୋପରେ ଆଦିବାସୀମାନଙ୍କୁ dusk race ବୋଲି କରିଥିଲେ । କହିବା ବାହୁଲ୍ୟ ଯେ, ସିଏ ଇଉରୋପୀୟମାନଙ୍କୁ day race ବୋଲି ଧରି ନେଇଥିଲେ । ଆମେ ଅଣଆଦିବାସୀମାନେ ଭାରତବର୍ଷରେ ବେଳେ ବେଳେ ଆଦିବାସୀମାନଙ୍କ ବିଷୟରେ ସମ୍ଭବତଃ ତାହାରି ଅନୁରୂପ ଭାବରେ କିଛି ଭାବିଥାଉ । ତାହା ହେଉଛି ଏକ ଅନ୍ଧବିଶ୍ୱାସ, ଏକ ଅହଂକାରପ୍ରଣୋଦିତ ଅନ୍ଧବିଶ୍ୱାସ । ଆଦିବାସୀ ସଂସ୍କୃତି ଆଦୌ ଏକ ସମୃଦ୍ଧ ସଂସ୍କୃତି ନୁହେଁ, ବାହାରୁ ଯେତେ ଅଳପ ବା ଗ୍ରନ୍ଥିମୁକ୍ତ ବୋଲି ମନେ ହେଉଥିଲେ ମଧ୍ୟ ତାହା ଏକ ଅନେକପ୍ରସ୍ଥଯୁକ୍ତ ସଂସ୍କୃତି । ମଣିଷର ଜୀବନ ସବୁଠାରେ ଏହିପରି ଅନେକପ୍ରସ୍ଥଯୁକ୍ତ ହୋଇ ରହିଥାଏ । ଆଦିବାସୀ ଜୀବନ–ଚେତନା ତଥା ପୃଥିବୀ–ଚେତନା ହୁଏତ ଆଧୁନିକ ଜୀବନ–ଚେତନା ଏବଂ ପୃଥିବୀ–ଚେତନା ତୁଳନାରେ ଅପେକ୍ଷାକୃତ କମ୍ ଅନୁଲମ୍ବତାଯୁକ୍ତ । ଏପରି ହେବାର ଏକାଧିକ କାରଣ ରହିଛି । ଇତିହାସଗତ ଅନେକ ନିର୍ଦ୍ଧାରକ ରହିଛି ।

 

ଆଦିବାସୀ ସମାଜକୁ ଆଦିମ ସମାଜ ବୋଲି କୁହାଯାଇଥାଏ । ମନୁଷ୍ୟ–ସଭ୍ୟତାର ଅନେକ ଇତିହାସରେ ଏହି ସମାଜ ଓ ସଭ୍ୟତା ହେଉଛି ଆଦି ସମାଜ ଓ ଆଦି ସଭ୍ୟତା । ଅନେକ ସମୟରେ ଉନ୍ନତ ସମାଜର ଅନେକ ଏକାନ୍ତବାଦୀ primitive ଶବ୍ଦଟିକୁ ଗୋଟିଏ ଅନାଦରସୂଚକ ବ୍ୟଞ୍ଜନା ସହିତ ଗ୍ରହଣ କରିଥାନ୍ତି । ଆଦିବାସୀ ସମାଜ ଅପେକ୍ଷାକୃତ କମ୍ ଗତିଶୀଳତାଯୁକ୍ତ ସମାଜ । ସମ୍ଭବତଃ ସେହି ଅର୍ଥରେ ଆମେ ତାହାକୁ ଆଦିମ ସମାଜ ବା primitive Society ବୋଲି କହିପାରିବା । ଆଦିବାସୀ ସମାଜ ଅନେକ ଦୃଷ୍ଟିରୁ ଏକ ଆବଦ୍ଧ ଏବଂ ସ୍ପର୍ଶକାତରତାଦୁଷ୍ଟ ସମାଜ । ସ୍ପର୍ଶକାତରତା ହେଉଛି ପରିବର୍ତ୍ତନ–କାତରତାର ଗୋଟିଏ ଅନ୍ୟ ନାମ । ତଥାପି, ଆପଣାର ଚାରିବାଡ଼ ଭିତରେ ପ୍ରତ୍ୟେକ ଆଦିବାସୀ ସମାଜରେ ତା’ର ଆପଣାର ଏକ ଅର୍ଥନୀତି ରହିଛି, ଏକ ପରିଶାସନ ଓ ସମାଜସମ୍ବନ୍ଧଗତ ପରିବିଧି ମଧ୍ୟ ରହିଛି । ତାହାରି ଏକ ଉପାଙ୍ଗ ରୂପେ ଧର୍ମ ରହିଛି, ପୂଜା ଓ ପ୍ରସାଦନ (propitiation)ର ବହୁ ଅଭ୍ୟାସଜାଲ ରହିଛି, ଗୀତ ରହିଛି, ନୃତ୍ୟ ରହିଛି,–ପୁଲକ ରହିଛି, ପ୍ରମାଦସଚେତନତା ମଧ୍ୟ ରହିଛି । ଆଦିବାସୀ ଏକକ ସମାଜଗୁଡ଼ିକ ଆକାରରେ କ୍ଷୁଦ୍ର, ଆୟତନରେ କ୍ଷୁଦ୍ର, ପାରସ୍ପରିକ ସମ୍ବନ୍ଧ ଏବଂ ସଂସ୍ରବର କ୍ଷେତ୍ରରେ ମଧ୍ୟ ଏହାର ଅନୁମାନ ଓ ଆଧାରବାକ୍ୟଗୁଡ଼ିକର ଦିଗ୍‌ବଳୟ ଅତ୍ୟନ୍ତ ସ୍ଥାନୀୟ ଓ ତେଣୁ ଅନେକ ସମୟରେ ଅତ୍ୟନ୍ତ ତାତ୍କାଳିକ । ଆଦିବାସୀ ସାମୂହିକ ଜୀବନରେ ବ୍ୟବହୃତ ହେଉଥିବା ସାଧନ ଏବଂ କୌଶଳବିଜ୍ଞତାଗୁଡ଼ିକ ମଧ୍ୟ ଅତ୍ୟନ୍ତ ପ୍ରାଥମିକ ସ୍ତରର । ଆମ ଆଧୁନିକ ସମାଜର ଜଟିଳ ଶ୍ରମବିଭାଜନ ପଦ୍ଧତି, ଆଦିବାସୀ ସମାଜରେ ପ୍ରାୟ ଦେଖିବାକୁ ହିଁ ମିଳେନାହିଁ । ଆଦିବାସୀ ତା’ପରିବେଶକୁ ବଦଳାଏ ନାହିଁ, ପରିବେଶ ହିଁ ଆଦିବାସୀ ଜୀବନର ଯାବତୀୟ କରଣ ତଥା ପ୍ରତିକରଣର ପ୍ରଦ୍ୟୋତକ ହୋଇ ରହିଥାଏ । ଆଦିବାସୀ ନିଜକୁ ତା’ଚାରିପାଖରେ ଘେରି ରହିଥିବା ପ୍ରକୃତିର ଏକ ଅଂଶ ବୋଲି ଗ୍ରହଣ କରି ନେଇଥାଏ । ତେଣୁ, ସିଏ ପ୍ରକୃତିକୁ ଜୟ କରେନାହିଁ, ନିଜକୁ ପ୍ରକୃତି ଭିତରେ ହିଁ ଅନୁରଞ୍ଜିତ କରି ରଖେ । ଏବଂ, ତାହାକୁ ହିଁ ବାସ୍ତବ ଜୀବନର ସଫଳତା ବୋଲି ମଣୁଥାଏ ।

 

ଆଦିବାସୀର ସ୍ଵର୍ଗ ଏହି ମର୍ତ୍ତ୍ୟମଣ୍ଡଳରେ, ଏକ ଦ୍ରବ୍ୟାତ୍ମବୋଧୀ (animistic) ପବିତ୍ରତାଭାବ ଦ୍ଵାରା ଆଦିବାସୀର ଯାବତୀୟ ବେଦନା, ଶଙ୍କା ଓ ସମ୍ବେଦନା ପରିଚାଳିତ ହେଉଥାଏ । ଏଣୁ ତାହାର ଦେବତାକଳ୍ପନା କୌଣସି ପଳାୟନଧର୍ମୀ ସୁଖବାଦୀ ବୌରାଗ୍ୟ ଦ୍ଵାରା ମୋଟେ ପରିଚାଳିତ ହୁଏନାହିଁ । ଜର୍ମାନୀର ସମୀକ୍ଷକ Rudolf Otto ଏକଦା idea of the holy ବିଚାରଟି ଦ୍ୱାରା ଯେଉଁ ଜୀବନଦୃଷ୍ଟିଗତ ଦିଗ୍‌ବିନ୍ୟାସର ସୂଚନା ଦେଇଥିଲେ, ଆଦିବାସୀ ମେଦିନୀଧାରଣାରେ ସେହିପରି ପ୍ରାୟ ସବୁକିଛି ପ୍ରତ୍ୟକ୍ଷ, ସବୁ ଅପରୋକ୍ଷ; ତେଣୁ ଜୀବନ୍ତ । କୌଣସି ସଂସ୍କୃତି ମୂଳତଃ ପ୍ରତୀକାତ୍ମକ ହୋଇ ରହିଥିଲେ ଜୀବନ ଠିକ୍ ଏହିପରି ଏକ ବ୍ୟଞ୍ଜନା ଦ୍ଵାରା ଭାରି ଐଶ୍ୱର୍ଯ୍ୟମୟ ହୋଇ ରହିଥାଏ ।

 

ଆଦିବାସୀ ସମାଜ ଏବଂ ସଂସ୍କୃତିରେ ବ୍ୟକ୍ତି ନାହିଁ,–ବ୍ୟକ୍ତି ଜନ୍ମଲାଭ ହିଁ କରିନାହିଁ । ସର୍ବପ୍ରଧାନ ଏବଂ ସର୍ବନିୟାମକ ରୂପେ ଏକ ସମୂହ ରହିଛି । ମାତ୍ର ସେହି ସାମୂହିକତା ଓ ସାମୂହିକ କର୍ତ୍ତୃତ୍ଵ ମଧ୍ୟରେ ଆମେ ଆଧୁନିକ ନାନା ମାର୍କାର ସାମୂହିକତାବାଦ ଗୁଡ଼ିକର ଉଗ୍ରତା ଏବଂ ଦୈରାତ୍ମ୍ୟଗୁଡ଼ାକୁ ହୁଏତ ଆଦୌ ଦେଖିବାକୁ ପାଇବାନାହିଁ । ହୁଏତ ଏକ participation mystique ଦେଖିବାକୁ ପାଇବା । ଆଦିବାସୀ ସଂସ୍କୃତିରେ ସମାଜ ସହିତ ବ୍ୟକ୍ତିର ନାହି ଏବେ ମଧ୍ୟ କଟା ହୋଇନାହିଁ,–ତେଣୁ ସାମାଜିକ ଜୀବନରେ ଯେତିକି ଅନ୍ତର ଘଟିଲେ ଅର୍ଥାତ୍ weaning ହେଲେ ବ୍ୟକ୍ତିଟିଏ ସମ୍ଭବ ହୁଏ, ଆଦିବାସୀ ସମାଜରେ ସେତିକି Weaning ଆଦୌ ହୋଇନାହିଁ । ଏହାହିଁ ଯୁଗପତ୍ ଭାବରେ ଆଦିବାସୀ ସଂସ୍କୃତିର ଏକ ଗୌରବ ଓ ଏକ ଅଭାବ । ସମାଜ ବ୍ୟକ୍ତିକୁ ବିଚରଣ ଲାଗି ଏକ ବୃହତ୍ତର ଭୂମି ଅବଶ୍ୟ ଯୋଗାଇଦିଏ, ବ୍ୟକ୍ତିଜୀବନର ମାଧ୍ୟମରେ ହିଁ ସମାଜ ଆଗକୁ ଯାଏ, ସମାଜରେ ଯାବତୀୟ ନବପ୍ରବର୍ତ୍ତନ ସମ୍ଭବ ହୁଏ । ଆଦିବାସୀ ସମାଜର କ୍ଷେତଠାରୁ ଆରମ୍ଭ କରି ଭାବନାଜଗତ ପର୍ଯ୍ୟନ୍ତ ସର୍ବବିଧ କ୍ଷିତିକଳ୍ପନାରେ ଆମେ ସେଥିଲାଗି କେବଳ ଏକ ସାମୂହିକତାକୁ ହିଁ ଦେଖିବା,–ବ୍ୟକ୍ତିଭାବନା ସତେଅବା ପାରମ୍ପରିକ ଭାବରେ ଏକ taboo ହୋଇ ରହିଥିବାର ଦେଖିବାକୁ ପାଇବା । ଆଦିବାସୀ ସମାଜରେ କେବଳ ଭୂମିକାମାନ ରହିଛି, ବ୍ୟକ୍ତିତ୍ଵବୋଧ ପ୍ରାୟ ମୋଟେ ନାହିଁ । ଅଲଗା ହେଲେ ଯାଇ ମଣିଷ କୃତ୍ରିମ ହୋଇପାରେ, ଜାଣି ଶୁଣି କୃତ୍ରିମତାକୁ ନିଜ ଭିତରକୁ ଗ୍ରହଣ କରିନେବାକୁ ସମର୍ଥ ହୁଏ,–ଏବଂ ହୁଏତ ଏହିପରି ଭାବରେ ସିଏ ପାହାଚ ପରେ ପାହାଚ ଉଠିଯାଏ-। ପିଣ୍ଡକୁ ଦେଖେ, ବ୍ରହ୍ମାଣ୍ଡ ସହିତ ପିଣ୍ଡକୁ ଯୁଗପତ୍ ଭାବରେ ମିଳାଇ ଦେଖେ ଓ ଅଲଗା କରି ଦେଖେ । ସେଇଥିରୁ ନୂତନ ଉନ୍ମେଷଣା ଲାଗି ଏକ ସାହସିକତା ସମ୍ଭବ ହୁଏ । ଆଦିବାସୀ ସମାଜରେ ବ୍ୟକ୍ତି ବୋଲି ସମୂହଠାରୁ ଅଲଗା ହୋଇ କିଛି ନାହିଁ । ତେଣୁ, ସେହି ସମାଜର ଯାବତୀୟ ପାରସ୍ପରିକତା ହୁଏତ ପ୍ରଧାନତଃ ଏକ ଅଚେତନ ଓ ତେଣୁ ବର୍ଣ୍ଣ ଓ ବୈଚିତ୍ର୍ୟବିହୀନ ଏକ ପାରସ୍ପରିକତାରେ ପର୍ଯ୍ୟବସିତ ହୋଇ ରହିଥାଏ । ସେହି ସାମୂହିକତାର ଦଉଡ଼ିରୁ କୌଣସି କାରଣରୁ ଅଲଗା ହୋଇଯିବା, ତାହାହିଁ ଆଦିବାସୀ ସକାଶେ ମହତୀ ବିନଷ୍ଟି, ଚରମ ଦୁର୍ବିପାକ;–ତା’ ପାଇଁ ସାମାଜିକ ମୃତ୍ୟୁ ହେଉଛି ଶାରୀରିକ ମୃତ୍ୟୁ ଠାରୁ ଅଧିକ ଦୁର୍ବିସହ, ଅଧିକ ଅଭାବନୀୟ-। ଆଧୁନିକ ବିଚ୍ଛିନ୍ନତାବୋଧ କହିଲେ ସଭ୍ୟମାନଙ୍କର ପଙ୍ଗତରେ ଯାହା ବୁଝାଏ, ଆଦିବାସୀ ସମାଜରେ ତାହା ସକାଶେ ଆଦୌ କୌଣସି ଅବକାଶ ନାହିଁ ।

 

ଭାରତବର୍ଷର ଶାସ୍ତ୍ରମାନଙ୍କରେ ଆଦିବାସୀମାନଙ୍କୁ ଆଟର୍ବିକ ବୋଲି କୁହାଯାଇଛି । ଏବଂ ପୃଥିବୀର ସର୍ବତ୍ର ଆଦିବାସୀ ସମୂହଗୁଡ଼ିକ ସେହି ଅଟବୀ ବା ଅରଣ୍ୟାଞ୍ଚଳରେ ହିଁ ବାସ କରନ୍ତି । ମାତ୍ର, ସେଥିଲାଗି, ସେମାନେ ଯେ ସର୍ବକାଳରେ ସେହି ଅରଣ୍ୟରେ ବାସ କରୁଥିଲେ, ସେପରି ଭାବିବାର ଆଦୌ କୌଣସି କାରଣ ନାହିଁ । ଯେଉଁ ଆଫ୍ରିକା ମହାଭୂଖଣ୍ଡକୁ ଏକଦା ଏକ dark continent ବୋଲି କୁହା ଯାଉଥିଲା, ପ୍ରତ୍ନତତ୍ତ୍ୱବିତ୍‌ମାନେ ସେଠାରେ ମଧ୍ୟ ଅନେକ ସମୃଦ୍ଧ ପ୍ରାଚୀନ ସଭ୍ୟତା ରହିଥିବାର ପ୍ରମାଣ କ୍ରମେ ପାଇଲେଣି । ଆର୍ଯ୍ୟମାନେ ଭାରତରେ ଅନୁପ୍ରବେଶ କରିବା ପୂର୍ବରୁ ଏଠାରେ ଆଦିବାସୀ ଆର୍ଯ୍ୟେତରମାନେ କଦାପି ଅରଣ୍ୟବାସୀ ନଥିଲେ । ଆଟବିକ ମାନଙ୍କର ରାଜ୍ୟ ଥିଲା, ରାଜ୍ୟବ୍ୟବସ୍ଥା ଥିଲା । ସେମାନେ ଆର୍ଯ୍ୟ ଆକ୍ରମଣକାରୀଙ୍କ ଦ୍ୱାରା ବିତାଡ଼ିତ ହେଲେ ଏବଂ ଅରଣ୍ୟରେ ରହିଲେ । ଆର୍ଯ୍ୟମାନେ ସେମାନଙ୍କର ଧର୍ମ, ସଂସ୍କୃତି ଓ ବ୍ୟାବହାରିକ ଜୀବନକୁ ଆତ୍ମସାତ୍ କଲେ । ଏହାକୁ ସମନ୍ୱୟ ନକହି ଅଧକାଂଶତଃ ଏକ ଗ୍ରାସ ବୋଲି କୁହାଯାଇ ପାରିବ । ଆଦିବାସୀ ମୂଲ୍ୟକଳ୍ପନାର ନାନା ପିଣ୍ଡକୁ ଆର୍ଯ୍ୟ ଭୂଷା ଏବଂ ଅଭିଧାମାନ ପିନ୍ଧାଇ ଦିଆଗଲା ଏବଂ ଆର୍ଯ୍ୟଦେବତା ରୂପେ ପ୍ରତିଷ୍ଠିତ କରାଗଲା । ଆମ ଓଡ଼ିଶାର ଜଗନ୍ନାଥ ମଧ୍ୟ ସମ୍ଭବତଃ ସେହି ପ୍ରକ୍ରିୟାର ଗୋଟିଏ ଉଦାହରଣ । ଯେଉଁମାନେ ଜଗନ୍ନାଥଙ୍କୁ ଆତ୍ମସାତ୍‌ କରି ଆଣିଛନ୍ତି, ସେମାନେ ଏହି ସମଗ୍ର ଉପଚାରଟିକୁ ଏକ ସମନ୍ଵୟ ବୋଲି କହନ୍ତି । ଯେଉଁମାନଙ୍କୁ ଏହି ପ୍ରକ୍ରିୟାରେ ହିଁ ବଞ୍ଚିତ କରାଯାଇଛି, ସେମାନେ ମଧ୍ୟ ହୁଏତ ଆପଣାକୁ ପ୍ରବଞ୍ଚିତ ବୋଲି ଅନୁଭବ କରୁଛନ୍ତି ।

 

ଆଦିବାସୀ ସମାଜର ଦାରିଦ୍ର୍ୟ ହେଉଛି ତାହାର ଏକ ବିଶ୍ୱବ୍ୟାପୀ ଏବଂ ସର୍ବସାମାନ୍ୟ ଲକ୍ଷଣ । ସହି ସହି ଆଦିବାସୀ ସତେଅବା ସହିବାକୁ ହିଁ ଜୀବନର ଅନ୍ୟନାମ ବୋଲି ଗ୍ରହଣ କରି ନେଇଛି । ଆଦିବାସୀମାନେ ଖୁବ୍‌ ସରଳ ବୋଲି କାଳେ କାଳେ ଅଣଆଦିବାସୀ ସମାଜରେ ଏକ ଅପବାଦ ରହିଛି । ସେମାନେ ଏତେ ସରଳ ଯେ ଆଙ୍ଗୁଠି ମାଗିଲେ ବି ଆଙ୍ଗୁଠି କାଟି ଦେଇ ଦିଅନ୍ତି-। ଆମେ ଏହାକୁ ସରଳତା କହିବା, ସହିଷ୍ଣୁତା କହିବା ନା ସତେଅବା ଆପଣା ଉପରେ ପ୍ରତିଶୋଧ ନେଉଥିବା ଏକ ଅସହାୟତା ବୋଲି କହିବା ? ଭାରତବର୍ଷରେ ଶହେରେ ପ୍ରାୟ ସାତଜଣ ହେଉଛନ୍ତି ଆଦିବାସୀ, ଓଡ଼ିଶାର ଏହି ସଂଖ୍ୟା ଶହେରେ ତେଇଶି । ଆମ ରାଜ୍ୟରେ ୬୨ ପ୍ରକାରର ଆଦିବାସୀ ସମୂହ ରହିଛି । ପ୍ରାୟ ଅଧକୋଟି ଆଦିବାସୀ ବାସ କରୁଛନ୍ତି । ରାଜ୍ୟରେ ଅନ୍ତତଃ ତିନୋଟି ଜିଲ୍ଲାରେ ଅଣଆଦିବାସୀଙ୍କ ତୁଳନାରେ ସେମାନଙ୍କର ସଂଖ୍ୟାଗରିଷ୍ଠତା ରହିଛି-। ଶତକଡ଼ା ପ୍ରାୟ ସତାନବେ ଆଦିବାସୀ ଗ୍ରାମାଞ୍ଚଳରେ ଅର୍ଥାତ୍ ଅରଣ୍ୟାଞ୍ଚଳରେ ହିଁ ବାସ କରନ୍ତି-! ଯେଉଁ ତିନିଜଣ ତଥାକଥିତ ସହରବାସୀ ହୋଇ ରହିଛନ୍ତି ବୋଲି ହିସାବ କହୁଛି, ସେମାନେ ପ୍ରାୟ ସମସ୍ତେ ସହରତଳିର ଅକିଞ୍ଚନରୂପେ ବାସ କରନ୍ତି । ୧୯୭୧ର ଜନଗଣନା ଅନୁସାରେ ଓଡ଼ିଶାର ସାକ୍ଷର ସଂଖ୍ୟା ୨୬ ହୋଇଥିବା ବେଳେ ଆଦିବାସୀମାନଙ୍କ ଭିତରୁ ଦଶଜଣ ବି ସାକ୍ଷର ହୋଇ ପାରିନାହାନ୍ତି । ସ୍ତ୍ରୀଲୋକମାନଙ୍କର କ୍ଷେତ୍ରରେ ଏହି ସଂଖ୍ୟା ଶତକଡ଼ା ଅଢ଼େଇ ପାଖରେ ରହିଛି । ବହି ଗୁଡ଼ାକର ମାପ ଓ ସଂଜ୍ଞା ଅନୁସାରେ ଆମ ଦେଶରେ ଯାହାକୁ ଦାରିଦ୍ର୍ୟର ସୀମାରେଖା ବୋଲି କୁହାଯାଏ, ଶହେରେ ଅନେଶ୍ୱତରୁ ଅଧିକ ଆଦିବାସୀ ତାହାର କେତେ ନା କେତେ ତଳେ ଯାଇ ରହିଛନ୍ତି । ସବୁଠାରୁ ବଡ଼ ବିଡ଼ମ୍ବନାର କଥା ହେଉଛି, ସେମାନେ ପ୍ରାୟ ପାଞ୍ଚଶହ ବର୍ଷତଳେ ଯେଉଁଭଳି ଅବସ୍ଥାରେ ରହିଥଲେ, ଏବେ ମଧ୍ୟ ପ୍ରାୟ ସେହିପରି ରହିଛନ୍ତି । ଚୂଡ଼ାନ୍ତ ଅବହେଳା ମଧ୍ୟରେ ଚୂଡ଼ାନ୍ତ ଭାବରେ ଭଦାସୀନ ହୋଇ ରହିଛନ୍ତି । ଆମ ଅନେକଙ୍କର ଖାତାରେ ମଣିଷ ବୋଲି ଏବେ ବି ଗଣା ହୋଇନାହାନ୍ତି । ସେମାନଙ୍କର ନିଜ ଆଖିରେ ହୁଏତ ଜଙ୍ଗଲର ଗଛଟାଏ ଅଥବା କୌଣସି ପାହାଡ଼ରେ ଥିବା ପଥରଖଣ୍ଡ ହୋଇ ପଡ଼ିଛନ୍ତି ।

 

ଅଣଆଦିବାସୀମାନେ ପ୍ରାୟ ଏକ କର୍ତ୍ତାମନୋଭାବ ନେଇ ଆଦିବାସୀଙ୍କ ପାଖକୁ ଯାଆନ୍ତି । ନୃତତ୍ତ୍ୱବିତ୍ Kroeberଙ୍କ ଭାଷାରେ ଏକ ethnocentrism of the benign kind ଅର୍ଥାତ୍ ଏକ ଅହଙ୍କାରୀ ହିତୈଷୀପଣିଆର ଭାବ ନେଇ ସେମାନଙ୍କ ପାଖକୁ ଯାଆନ୍ତି । ଦୟା ଦେଖାଇବାକୁ ଯାଆନ୍ତି । ଦୟା କଲେ ପୁଣ୍ୟ ହୁଏ ବୋଲି ଭାରତୀୟ ପରମ୍ପରାରେ ଏକ ଅପସଂସ୍କାର ମଧ୍ୟ ରହିଛି । ଭାରତୀୟ ବୃହତ୍ ପରମ୍ପରାର ହିସାବ–ବହିରେ ଏତେ ନିର୍ମମ ଭାବରେ ସେହି ଦୟା ଭର୍ତ୍ତି ହୋଇ ରହିଛି ଯେ, ସେଥିରେ ସମଭାବନା, ସହଭାବନା ଅର୍ଥାତ୍ ଆତ୍ମୀୟତା ଲାଗି ହୁଏତ ପ୍ରାୟ କୌଣସି ସ୍ଥାନ ନାହିଁ । ଆମ ପୃଥିବୀରେ ସଭ୍ୟତାବଞ୍ଚିତ ଆଦିବାସୀ ପ୍ରତି ସଭ୍ୟତାଭୋଗୀ ଉଚ୍ଚ ମଣିଷର ପ୍ରଧାନତଃ ଯେଉଁ ଦୃଷ୍ଟିଭଙ୍ଗୀ ପ୍ରାୟ ପୂର୍ଣ୍ଣସ୍ଵୀକୃତ ଭାବରେ ରହି ଆସିଛି, ନୃତତ୍ତ୍ଵବିତ୍ ମାଲିନୋଭ୍‌ସ୍କି ତାହାକୁ discriminative give and individuous takeର ଏକ ଦୃଷ୍ଟିଭଙ୍ଗୀ ବୋଲି କହିଛନ୍ତି । ଭାରତବର୍ଷର ସାହିତ୍ୟ ଓ ସଂସ୍କୃତି–ଆଲୋଚନାର କ୍ଷେତ୍ରରେ ଅଧିକାଂଶ ସମୟରେ ଆଦିବାସୀମାନଙ୍କର କଥା ପକାଇଲା ବେଳେ ଆମେ ପ୍ରାୟ ଏକ ନିରର୍ଥକ ଭାବବିହ୍ୱଳତାର ଅଧିକ ପରିଚୟ ଦେଇଛୁ । କାର୍ଲ ମାର୍କ୍‌ସ୍ ଯାହାକୁ ଠାଏ worthles earnestness ବୋଲି କହିଛନ୍ତି, ଏହା ପ୍ରାୟ ସେହିପରି ଏକ ଅପ–ଉତ୍‌ପ୍ରେରକ । ଆମର ଏହି ବିହ୍ଵଳତା ହୁଏତ ଯେତେ ନିରୀହ ହୋଇଥିଲେ ମଧ୍ୟ ତାହା ଏକ ବର୍ବରତା ।

 

ପ୍ରାୟ ସେହିଭଳି ଏକ ବିହ୍ଵଳତାପ୍ରଧାନ ବର୍ବରତା ନେଇ, ଆମେ ଆଦିବାସୀମାନଙ୍କୁ ସାହିତ୍ୟ ଭିତରକୁ ଆଣିଛୁ, ସେମାନଙ୍କର ନାଚକୁ ରାଜଧାନୀରେ ଆସି ନାଚିଛୁ । ସେମାନଙ୍କର ଲୋକଗୀତକୁ ସଂଗ୍ରହ କରିଛୁ, ସଭ୍ୟ ଅଳିନ୍ଦମାନଙ୍କରେ ସେଗୁଡ଼ିକର ବହୁଳତର ପ୍ରଚାର କରି କେତେ ହୃଷ୍ଟ ବି ହୋଇଛୁ, କେଡ଼େ ହାଲୁକା ଅନୁଭବ କରିଛୁ । ଆମର ନିଜ ବେଷ୍ଟନୀ ଏବଂ ବର୍ତ୍ତମାନଗୁଡ଼ାକ ଆମଲାଗି ସତେଅବା ଅକକ ହୋଇ ଯିବାପରି ମନେ ହେଲାବେଳେ ଆମେ ସେହିପରି ଏକ ପଳାୟନଧର୍ମୀ ଆତୁରତା ଭିତରେ ହୁଏତ କେତେ ସାନ୍ତ୍ୱନା, କେତେ ବିସ୍ମରଣ ଓ କେତେ ସ୍ପୀତି ଲାଭ କରି ପାରିଛୁ । ଏହାଦ୍ୱାରା ଆମର ଟେକଗୁଡ଼ାକ ହୁଏତ ଆହୁରି ବଢ଼ିଛି ଓ ଅସଲ ମୁହଁଗୁଡ଼ାକ ମୁଖାତଳେ ଲୁଚି ରହି ଆହୁରି ଅଧିକ ଫୁଲାଇ ହେବାକୁ ବେଳେ ବେଳେ ଭାରି ପ୍ରଶ୍ରୟ ପାଇଛି ସତ, ମାତ୍ର ଆଦିବାସୀମାନଙ୍କର ତଦ୍ଦ୍ଵାରା କିଛି ଲାଭ ହୋଇନାହିଁ । ସେମାନଙ୍କର ସବୁଯାକ ଅନ୍ଧାର ତଥାପି ସେଇ ଅନ୍ଧାର ହୋଇ ରହିଛି । ସେମାନେ ସେହିଭଳି ଅସମ୍ମାନିତ ହୋଇ ରହିଛନ୍ତି । ଏବଂ, ଆର୍ଥିକ ଦାରିଦ୍ର୍ୟ ସେହି ଅସମ୍ମାନଗୁଡ଼ାକୁ ଆହୁରି ଅଧିକ ଜଉମୁଦ ଦେଇ ଚିରଞ୍ଜୀବୀ କରି ରଖିଛି । ଯେଉଁ ସମାଜର ପରିବର୍ତ୍ତନ ହେବ ବୋଲି ଉଦ୍ଦେଶ୍ୟ ରଖି ଯାବତୀୟ ଯୋଜନା ହେଉଛି, ସେହି ଯୋଜନାକୁ କରିବାଲାଗି ଓ ଚଳାଇବା ଲାଗି ଅସଲ ନେତୃତ୍ୱ ସେହି ସମାଜ ଭିତରୁ ହିଁ ଆସିବା ଉଚିତ । ଓଡ଼ିଶାରେ ଓ ଭାରତବର୍ଷରେ ଆଦିବାସୀ ସମାଜର ପରିବର୍ତ୍ତନ–କ୍ଷେତ୍ରରେ ତାହା ଏପର୍ଯ୍ୟନ୍ତ ହୋଇ ପାରିନାହିଁ । ଆଦିବାସୀଙ୍କୁ ଅଧିକରୁ ଅଧିକ ଦରିଦ୍ର କରି ଆମେ ଅଣଆଦିବାସୀ ସାମନ୍ତମାନେ ଅଧିକରୁ ଅଧିକ ଧନୀ ହେବାକୁ ମନ କରିଛୁ । ଆମେ ଅଣଆଦିବାସୀମାନେ ମାଷ୍ଟର ହୋଇ ଆଦିବାସୀମାନଙ୍କୁ ପାଠ ପଢ଼ାଇବାକୁ ଯାଇଛୁ । ନାନା ହାସ୍ୟାସ୍ପଦ ଅନୁକରଣ ଭିତରେ ଇଜ୍ଜତ ହରାଇ ଆମର ଦାସ ହୋଇ ରହିବାକୁ ଆମେ ସେମାନଙ୍କୁ ପଢ଼ାଉଛୁ । ଆମ ତଥାକଥିତ ସଂସ୍କୃତିଗୁଡ଼ାକୁ ନେଇ ସେମାନଙ୍କର ଗୋଡ଼ରେ ଗଳାଇ ଦେଇଛୁ । ଆମ ରାଜନୀତି ଭିତରେ ମଧ୍ୟ ଆମ ନିଜ ଝୁଣ୍ଟିଆଗୁଡ଼ାକୁ ନେଇ ସେମାନଙ୍କର ଗୋଡ଼ରେ ଗଳାଇ ଦେଇଛୁ । ଏକ ନିଜସ୍ୱ ମୂଳଦୁଆ ବୋଲି ସେମାନଙ୍କର ଯାହାକିଛି ଥିଲା, ଆମେ ସକଳ ସଦିଚ୍ଛା ସହିତ ତାହାକୁ ଭୁଷୁଡ଼ାଇ ପକାଇଛୁ ।

 

ଆଦିବାସୀ ସଂସ୍କୃତିର ଓ ସମାଜର ଯଥାର୍ଥ ପରିବର୍ତ୍ତନ ଆଦିବାସୀ ନେତୃତ୍ଵଦ୍ଵାରା ହିଁ ହେବ, ସାମନ୍ତମାନଙ୍କ ଦ୍ଵାରା କଦାପି ହେବନାହିଁ । ଆଦିବାସୀ ସଂସ୍କୃତିର ଅସଲ ସ୍ଵରୂପ କ'ଣ ଥିଲା ବା କ’ଣ ହେବ, ସେକଥା ଜଣେ ଆଦିବାସୀ ସ୍ଵତଃପ୍ରବୁଦ୍ଧ ହୋଇ ଯେଉଁଦିନ କହି ବାହାରିବ, ସେତିକିବେଳେ ଯାଇ ତାହା ବିଷୟରେ ପ୍ରକୃତ କଥା କୁହାଯିବ । ଆମେ ଯେଉଁ ଆଦିବାସୀମାନଙ୍କୁ ଆମ ପୋଷାହାତୀ ହୋଇ ରହିବାର ପାଠ ପଢ଼ାଇ ସେମାନଙ୍କର ଅସଲ ମାଟିରୁ ଚେର ଛିଣ୍ଡାଇ ଓ ଆମରି ଏକ ବିକୃତ ସଂସ୍କରଣ କରି ଆମ କଚେରୀମାନଙ୍କରେ ନଚାଉଛୁ, ସେମାନେ ବି କଦାପି ପ୍ରକୃତ କଥା କହି ପାରିବେନାହିଁ । ତେଣୁ, ଅସଲ ପ୍ରକ୍ରିୟାଟି ଦୟାପ୍ରଦର୍ଶନ ଏବଂ ଦାସତ୍ଵ–ସମ୍ପ୍ରସାରଣର ପ୍ରକ୍ରିୟା ଆଦୌ ନାହିଁ, ଅସଲ ପ୍ରକ୍ରିୟାଟି ହେଉଛି Conscientization ବା ବିବେକ–ଉଦ୍‌ବୋଧନର ପ୍ରକ୍ରିୟା । ଆଦିବାସୀଙ୍କୁ ଆଗ ଆଦିବାସୀ ବୋଲି ନଦେଖି ମଣିଷ ବୋଲି ଦେଖିବାର ପ୍ରକ୍ରିୟା । ଆଦିବାସୀମାନେ ଯେପରି ନିଜକୁ ଆଗ ଆଦିବାସୀ ବୋଲି ନଭାବି ମଣିଷ ବୋଲି ଭାବିବେ, ତାହାରି ସକାଶେ ଏକ ସଚଳ ବିବେକସ୍ପନ୍ଦନ ସୃଷ୍ଟି କରିବାର ପ୍ରକ୍ରିୟା ।

 

ଆଉଜଣେ ନୃତଭୂବିତ୍, Evans–Pritchard କହିଛନ୍ତି, ଅନ୍ୟ ସଂସ୍କୃତି ଓ ଅନ୍ୟ ସମାଜକୁ ଅଧିକରୁ ଅଧିକ ଯଥାର୍ଥ ଭାବରେ ବୁଝିବାଦ୍ୱାରା ହିଁ ଆମେ ନିଜେ ଆମ ନିଜର ସମାଜ ଓ ସଂସ୍କୃତିକୁ ଏକ ବୃହତ୍ତର ପରିପ୍ରେକ୍ଷୀରେ ଦେଖିବାକୁ ଓ ବୁଝିବାକୁ ସମର୍ଥ ହୋଇଥାଉ । ଆମେ ସେତିକିବେଳେ ଯାଇ ଏକ ସମଗ୍ରତର ମାନବୀୟ ଅନୁଭୂତି ଏବଂ ସାମାଜିକ ଜୀବନର ପୃଷ୍ଠଭୂମି ଉପରେ ଅଧିକ ସମ୍ପୂର୍ଣ୍ଣ ତଥା ଯଥାର୍ଥ ଭାବରେ ଆପଣାକୁ ମଧ୍ୟ ବୁଝୁ । ଆଦିବାସୀ ସମାଜ ଓ ସଂସ୍କୃତିର ଅଧ୍ୟୟନ ଏବଂ ସ୍ଵରୂପନିର୍ଣ୍ଣୟ ଆମକୁ ଠିକ୍ ଏହି ଦିଗରେ ହୁଏତ ବହୁତ ସାହାଯ୍ୟ କରି ପାରିବ । ଯେଉଁମାନେ ଆମ ବାହାରେ ରହିଛନ୍ତି, ଆମେ ଯେଉଁମାନଙ୍କୁ ବିଜିତ ଓ ଭଗ୍ନଜାନୁ କରି ରଖିଛୁ, ସେମାନଙ୍କୁ ମ୍ଳେଚ୍ଛ ବୋଲି କହି ବର୍ଜନ କରିବାର ଏକ ଉଦ୍ଧତ ଓ ଆତ୍ମସର୍ବସ୍ଵ ଅପପରମ୍ପରା ଭାରତବର୍ଷରେ ଯୁଗେ ଯୁଗେ ମନୁଷ୍ୟର ଅନେକ କ୍ଷତି କରି ଆସିଛି । ସେହି ନିଶାରେ ପଡ଼ି ଆମେ ନିଜକୁ ଦେବଗଣ ବୋଲି ଭାବିଛୁ ଓ ଅନ୍ୟମାନଙ୍କୁ ଉପେକ୍ଷା କରିଛୁ । ଉପେକ୍ଷାକୁ ଐଶ୍ୱର୍ଯ୍ୟ ବୋଲି ବି କରିଛୁ । ଯେତିକି ଅଧିକ ସହାନୁଭୂତି ଏବଂ ସହାନୁଭବ ଦ୍ଵାରା ପ୍ରେରିତ ହୋଇ ଆମେ ଅଣଆଦିବାସୀମାନେ ଆଦିବାସୀ ସମାଜର ନିକଟବର୍ତ୍ତୀ ହେବା, ତାହାର ଅଧ୍ୟୟନ କରିବା, ସେଥିରୁ ଶିଖିବା ଏବଂ ତାହାରି ଫଳରେ ନିଜେ ସମୃଦ୍ଧତର ହେବା, ଆମେ ସେତିକି ଅଧିକ ପରିମାଣରେ ଆପଣାକୁ ମଧ୍ୟ ମଣିଷ ହିସାବରେ ଚିହ୍ନି ପାରିବା, ଆପଣାର ଐତିହ୍ୟଟି ସହିତ ଅସଲ ଡୋରଟିକୁ ଲଗାଇ ଏଠି ବଞ୍ଚି ପାରିବା । ଆମର ସକଳ ଆଗ୍ରହକୁ ସେତେବେଳେ ଯାଇ ଯଥାର୍ଥ ହୃହୟଟିଏ ମିଳିଯିବ । ଭାରତବର୍ଷରେ ଅସଲ ସମନ୍ୱୟ ସେତିକିବେଳେ ହେବ । ବୃହତ୍ ମତ୍ସ୍ୟମାନେ କ୍ଷୁଦ୍ର ମତ୍ସ୍ୟଙ୍କୁ ଖାଇଯିବାର ଓ ସହରଜୀବୀମାନେ ଆଟବିକମାନଙ୍କୁ ଖାଇଯିବାର ଦୁର୍ଗତି ଯାଇ ସେତିକିବେଳେ ଯିବ ।

 

[ଓଡ଼ିଶା ସାହିତ୍ୟ ଏକାଡ଼େମୀର ଜୟନ୍ତୀ କାର୍ଯ୍ୟକ୍ରମରେ ଆଦିବାସୀ ସଂସ୍କୃତି ବିଷୟକ ଗୋଟିଏ ପରିଚର୍ଚ୍ଚାରେ ଭିତ୍ତିପ୍ରବନ୍ଧ ରୂପେ ଉପସ୍ଥାପିତ ହୋଇଥିଲା ।]

 

୨୨/୧୧/୮୨

Image

 

କୃଷ୍ଣ ଆଫ୍ରିକାର ଦର୍ପଣରେ

 

ରୁଆଣ୍ଡା ଦେଶର ଗୋଟିଏ ଲୋକକଥା ଅନୁସାରେ ସାପରାଜାଙ୍କୁ ଏକ ବିପଦରେ ସାହାଯ୍ୟ କରିଥିବାରୁ କାମ୍ବେଜୀ ନଦୀକୂଳରେ ବାସ କରୁଥିବା ଜଣେ ଶିକାରୀ ଏକଦା ତାଙ୍କଠାରୁ କୁହୁକ ଆଇନାଟିଏ ପାଇଥିଲା । ସେହି ଆଇନାକୁ ତୁମେ ଯାହା ମାଗିବ, ସିଏ ତୁମକୁ ତାହା ଆଣି ଦେଇଦେବ । ତାହାରି ବଳରେ ଶିକାରୀ ଧନୀ ହେଲା, ସ୍ଵର୍ଗପରି ମହାସୁଖରେ ରହିଲା । ତାକୁ କେହି କୌଣସି କଥାରେ ହଟାଇ ପାରିଲେ ନାହିଁ । ବାହାରର ଶତ୍ରୁମାନେ ତା’ର କିଛି କରି ପାରିଲେ ନାହିଁ । ଏପରିକି, ଯେତେବେଳେ ଇଉରୋପରୁ ଗୋରାମାନେ ଆସିଲେ, ସେତେବେଳେ ମଧ୍ୟ ସେମାନେ କଳା ସୈନ୍ୟବଳଙ୍କ ଦ୍ଵାରା ବାର ବାର ପରାସ୍ତ ହେଲେ । ଗୋରାମାନେ କଳାମାନଙ୍କରେ ଏହି ଅଧିକ ବଳର ରହସ୍ୟକୁ ଜାଣିବାଲାଗି ଜଣେ ଗୁପ୍ତଚର ପଠାଇଲେ । ଗୁପ୍ତଚର ସୂତର କରି ଆସି ଶିକାରୀ ଘରେ ରହିଲା, ମନ ଭୁଲାଇ ଶିକାରୀରର ଝିଅ ସହିତ ପ୍ରେମ କଲା ଓ ତାକୁ ବାହା ହେଲା । ଝିଅ ତାକୁ କୁହୁକ ଆଇନା କଥା କହିଦେଲା ଓ ସିଏ ତା’ପରେ କୁହୁକ ଆଇନାଟିକୁ ହସ୍ତଗତ କରି ଝିଅକୁ ଛାଡ଼ି ପଳାଇଲା । ହାତରୁ ଆଇନାଟି ଚାଲିଯିବା ପରେ କଳାମାନେ ଗୋରାମାନଙ୍କ ହାତରେ ହାରିଲେ । ସମସ୍ତ ଆଫ୍ରିକା ଏହିପରି ଭାବରେ ଇଉରୋପର ଗୋରାମାନଙ୍କ ଦ୍ଵାରା ଅଧକୃତ ହୋଇ ରହିଲା ।

 

କଳାମାନେ ବାସ କରୁଥିବା ଆଫ୍ରିକା ମହାଦେଶକୁ ଗୋରାମାନେ dark continent ବୋଲି କହିଲେ । ଆବିଷ୍କାରକମାନେ ଇଉରୋପରୁ ଆସି ଅତୀବ ଦୁଃସାହସିକ ଭାବରେ ଆଫ୍ରିକାର ଘନ ଅରଣ୍ୟକୁ ଆବିଷ୍କାର କଲେ, ସେମାନେ ଏହି ଭୂମିର ମାଲିକ ହେଲେ । ଅର୍ଥାତ୍ କଳାମାନଙ୍କ ଉପରେ ମାଲିକ ହେଲେ । ସେମାନଙ୍କୁ ଶାସନ କଲେ । ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ବେଲ୍‌ଜିଅମ, ସ୍ପେନ୍ ଏବଂ ପର୍ଟୁଗାଲ ପରସ୍ପର ଭିତରେ ଏଡ଼େ ବଡ଼ ମହାଦେଶକୁ ବାଣ୍ଟିନେଇ ସେଠାରେ ନିଜନିଜର ଉପନିବେଶ ସ୍ଥାପନ କଲେ । ଆଫ୍ରିକାରେ ଅରଣ୍ୟ ଥିଲା, ଅରଣ୍ୟରେ ଜନ୍ତୁମାନେ ଥିଲେ । ଆଫ୍ରିକାର ମଣିଷମାନଙ୍କୁ ମଧ୍ୟ ଇଉରୋପୀୟ ମାଲିକମାନେ ପ୍ରାୟ ଜନ୍ତୁପରି ହିଁ ଦେଖୁଥିଲେ । ସେମାନେ ଆଫ୍ରିକାରେ ସୁନା ଓ ହୀରୀ ଖଣିର ଠାବ କଲେ । ଭଗବାନ ସତେଅବା ଏଡ଼େ ବଡ଼ ଗନ୍ତାଘରଟାଏ ଆଣି ସେମାନଙ୍କ ଭାଗ୍ୟରେ ଜୁଟାଇଦେଲେ, ସେହି ଜ୍ଞାନରେ ହିଁ ଆଫ୍ରିକାରେ ଇଉରୋପର ଶାସନ ଚାଲିଲା । ଅସଭ୍ୟ ଲୋକମାନଙ୍କ ଉପରେ ଶାସନ କଲାବେଳେ ସଭ୍ୟମାନେ ସଚରାଚର ପ୍ରାୟ–ଏହିପରି ଭାବରେ ଅସଭ୍ୟ ଅର୍ଥାତ୍ ବିବେକହୀନ ହୋଇଥାନ୍ତି ।

 

ଆଫ୍ରିକାର ଅସଭ୍ୟ ଅନ୍ଧାର ଭିତରେ ସଭ୍ୟ ଆଲୋକର ସଞ୍ଚାର ଘଟାଇବାକୁ ଶାସକମାନଙ୍କ ସହିତ ପ୍ରାୟ ଯାଉଁଳି ହୋଇ ଇଉରୋପରୁ ପାଦ୍ରୀମାନେ ପହଞ୍ଚିଲେ । ସେମାନେ ଆଦିବାସୀମାନଙ୍କୁ ଖ୍ରୀଷ୍ଟିଆନ୍ କଲେ । ଶାସକମାନେ ପ୍ରାୟ ଏକଆଖିଆ ହୋଇ ଶାସନ କହିଲେ ଯାହା ବୁଝିଲେ, ସେହି ଅନୁସାରେ ଆଫ୍ରିକାର ଶାସନ କଲେ । ସେମାନଙ୍କ ହାତରେ ବନ୍ଧୁକ ଥିଲା, ବିଜ୍ଞାନ ରହିଥିଲା ଓ ସେମାନଙ୍କର ନିଜ ଧର୍ମକୁ ହିଁ ସେମାନେ ପୃଥିବୀର ଏକମାତ୍ର ଯଥାର୍ଥ ଧର୍ମ ବୋଲି ବିଶ୍ଵାସ କରୁଥିଲେ । ଏବଂ ଆଫ୍ରିକାକୁ ଆଦିମ ଅନ୍ଧାର ଭିତରୁ ଆଧୁନିକ କାଳ ମଧ୍ୟକୁ ଆଣିବାର କାର୍ଯ୍ୟଟିକୁ ଆପଣାର ଏକ ପୁଣ୍ୟ ବୋଝ ବୋଲି ବିଚାରୁଥିଲେ । ତେଣୁ, ଅତ୍ୟନ୍ତ ନିଷ୍ଠାର ସହିତ ସବୁକିଛି ଉପରୁ ଆଣି ଲଦି ଦିଆଗଲା ଓ ଭୋଗର ମଣ୍ଡଳଗୁଡ଼ିକୁ ଶାସକମାନଙ୍କ ନିମନ୍ତେ ଅଧିକରୁ ଅଧିକ ପ୍ରଶସ୍ତ କରି ଦିଆ ଯାଇଥିଲା । ଆଫ୍ରିକାର ପ୍ରାଚୀନ ସମାଜ ଶତାବ୍ଦୀ ଶତାବ୍ଦୀ ଧରି ଯେଉଁ ବ୍ୟବସ୍ଥା ବା ବିଧାନରେ ଚଳି ଆସିଥିଲା, ଶାସକମାନେ ତାହାକୁ ଆଦୌ ବିଧାନ ବୋଲି ମାନିଲେ ନାହିଁ । ଜଙ୍ଗଲୀମାନଙ୍କର ବିଧାନ ବୋଲି ପୁଣି କ’ଣ ଥିବ,–‘Nullajura, Nullum que judicium habet’ ବୋଲି ସେମାନେ ସେହି ଖିଆଲରେ ସବୁକିଛି କଲେ । ଗୋରାମାନଙ୍କର ଜୀବନ–ବାଣିଜ୍ୟକୁ ଅଧିକ ସମୃଦ୍ଧ କରାଇବା ଲାଗି କଳାମାନେ ସତେଅବା ନିରୀହ ପଣ୍ୟ ପରି ବ୍ୟବହୃତ ହୋଇଥିଲେ । ଆଫ୍ରିକାର ରକ୍ତ ଏବଂ ମାଂସରେ ଇଉରୋପୀୟ ସାମ୍ରାଜ୍ୟବାଦ ନିଜ ଭୂମିରେ ଆପଣାକୁ ଅଧିକରୁ ଅଧିକ ଲକ୍ଷ୍ମୀମନ୍ତ କରିବାର ସକଳ ଫନ୍ଦା ଆରମ୍ଭ କରି ଦେଇଥିଲା । ଆଧୁନିକ ଆଫ୍ରିକାରେ ଗୋଟିଏ ଦେଶରେ ଜଣେ ପୂର୍ବତନ ରାଷ୍ଟ୍ରପତି ଓ ଆଧୁନିକ ଆଫ୍ରିକୀୟ ସାହିତ୍ୟର ପ୍ରଖ୍ୟାତ କବି ଶ୍ରୀଯୁକ୍ତ ଲେଓପୋଲ୍‌ଡ଼୍ ସେଡ଼ାର ସେଂଘରଙ୍କ ଭାଷାରେ କହିବାକୁ ଗଲେ, “ନିଗ୍ରୋ–ଆଫ୍ରିକୀୟ ସଭ୍ୟତାର ଧ୍ଵଂସାବଶେଷ ଉପରେ ହିଁ ଇଉରୋପୀୟ ରେନୋସାଁସ୍‌ର ନିର୍ମାଣ ହୋଇଥିଲା । ନିଗ୍ରୋର ସ୍ଵେଦ ଏବଂ ରକ୍ତ ପିଇହିଁ, ଆମେରିକାର ଶକ୍ତି ଆପଣାର ବପୁ ବୃଦ୍ଧି କରିବାର ସୁଯୋଗ ଲାଭ କରିଥିଲା ।”

 

ଆମେରିକାର ଆବିଷ୍କାର ପରେ ସେଠାରେ ଆପଣ ନୂତନ ଭାଗ୍ୟ ଗଢ଼ିବାର ଏକ ବସତି ସ୍ଥାପନ କରିବା ଲାଗି ସେଠାକୁ ଇଉରୋପୀୟମାନେ କିପରି ଆଫ୍ରିକାରୁ ବୁହା ହୋଇ ଯାଉଥିବା କଳା କ୍ରୀତଦାସମାନଙ୍କର ଶ୍ରମର ବିନିଯୋଗ କରିଥିଲେ, ସେକଥା ଆମ ସମସ୍ତଙ୍କୁ ଜଣାଅଛି । ଜଙ୍ଗଲରେ ଜନ୍ତୁ ଧରିଲାପରି ସେମାନଙ୍କୁ ଅନ୍ୟାୟଭାବରେ ବଳପୂର୍ବକ ହରଣ କରି ନିଆ ଯାଉଥିଲା ଓ ଅତ୍ୟନ୍ତ ଅମାନୁଷିକ ଭାବରେ ଜାହାଜରେ ଆମେରିକା ନେଇ ହାଟରେ ବିକ୍ରୀ କରା ଯାଉଥିଲା । ଏହି କ୍ରୀତଦାସ–ବାଣିଜ୍ୟରେ ଇଂଲଣ୍ଡ ଓ ସ୍ପେନ୍ ଅଗ୍ରଣୀ ଥିଲେ । ପ୍ରାୟ ତିନି ଶତାବ୍ଦୀ ଧରି ଏହିପରି ଭାବରେ ଦଶ କୋଟି ନିଗ୍ରୋଙ୍କୁ ଆଫ୍ରିକାରୁ ଧରିନେଇ ଆମେରିକାର ଦାସରୂପେ ବିକ୍ରୀ କରାଯାଇଥିଲା । ଆଧୁନିକ ଆମେରିକାରେ ନିଗ୍ରୋ କଥାକାର ଶ୍ରୀ ରିଚାର୍ଡ଼ ରାଇଟ୍‌ଙ୍କ ଭାଷାରେ କହିଲେ, ଏହିପରି ଆଫ୍ରିକାରେ ଧରା ହୋଇ ଓ ଜାହାଜରେ ଖୁନ୍ଦା ହୋଇ ଆମେରିକାକୁ ରପ୍ତାନୀ କରାଯାଉଥିବା ପ୍ରତି ପାଞ୍ଚଶହ ନିଗ୍ରୋଙ୍କ ମଧ୍ୟରୁ ଚାରିଶହ ଜଣ ସମୁଦ୍ରବାଟରେ ଜାହାଜରେ ହିଁ କଲବଲ ହୋଇ ମରୁଥିଲେ । ଏହି ଦୁଷ୍ଟ ବାଣିଜ୍ୟ କାଳକ୍ରମେ ଆଇନ୍ ଦ୍ଵାରା ବନ୍ଦ ହେଲା ସତ, ମାତ୍ର ଆହୁରି ଅନ୍ୟାନ୍ୟ ଅନେକ ମାର୍ଗରେ ଶୋଷଣ ବଳବତ୍ତର ରହିଥିଲା । ଆଫ୍ରିକାର ଦେଶମାନେ ରାଜନୀତିକ ସ୍ଵାଧୀନତା ଲାଭ କଲା ପରେ ମଧ୍ୟ ସେହି ଶୋଷଣ ବଳବତ୍ତର ହୋଇ ରହିଛି । ଆର୍ଥିକ ସାମ୍ରାଜ୍ୟବାଦର ଲୋଭ ତଥାପି ଆଫ୍ରିକାକୁ ଛାଡ଼ି ପାରିନାହିଁ ।

 

ଔପନିବେଶିକ ଶାସନ ସମୟରେ ଆଫ୍ରିକାର ଦେଶମାନଙ୍କରେ ଆଧୁନିକ ଶିକ୍ଷା ବୋଲି ଯାହା ଆରମ୍ଭ ହୋଇଥିଲା ତାହାକୁ ଇଉରୋପୀୟ ମିଶନାରୀମାନେ ଆରମ୍ଭ କରିଥିଲେ । ଆପଣାର ଧର୍ମରେ କଳାମାନଙ୍କୁ ଦୀକ୍ଷିତ କରାଇବା ହିଁ ସେମାନଙ୍କର ମୂଳ ଫନ୍ଦା ଥିଲା ଏବଂ ଯେଉଁ ଦେଶରେ ଯିଏ ମାଲିକ ହେଲା, ସିଏ ଅପଣାର ଭାଷାକୁ ହିଁ ଅଧୀନସ୍ଥ ଆଫ୍ରିକା ଉପରେ ଲଦିଦେବାକୁ ସବାଆଗ କାର୍ଯ୍ୟବୋଲି ଗ୍ରହଣ କଲା । ପ୍ରତିବାଦ କରିବାକୁ କେହି ନଥିଲେ । ଇଂରାଜୀ ଶାସକମାନଙ୍କର ଅମଳରେ ଭାରତବର୍ଷର ହାଇସ୍କୁଲମାନଙ୍କରେ ଇଂଲଣ୍ଡର ଇତିହାସ ପଢ଼ା ହେଉଥିବା ସମୟରେ ବି ଏଠି ପ୍ରତିବାଦ କରିବାକୁ କିଏ ଥିଲା ? ପ୍ରାୟ ନିୟମତଃ ଅପେକ୍ଷାକୃତ ଥିଲା ଘରର ପିଲାଏ ମିଶନାରୀ ମାନଙ୍କର ଇସ୍କୁଲରେ ପାଠ ପଢ଼ିବାକୁ ଗଲେ, ସେମାନେ ଧର୍ମତଃ ଆପଣା ସମାଜରେ ଅନେକଙ୍କଠାରୁ ନିଜକୁ ଯଥାସମ୍ଭବ ସବୁମନ୍ତେ ବିଚ୍ଛିନ୍ନ କରି ନେବାକୁ ପାଠ ପଢ଼ିଲେ, ମନେ ମନେ ଆପଣାକୁ ସତେଅବା ଅଲଗା ଭାଗ୍ୟ ଓ ଅଲଗା ଭୋଗପାଇଁ ଗଢ଼ା ହେଉଥିବା ଏକ ସ୍ୱତନ୍ତ୍ର ମନୁଷ୍ୟବର୍ଗ ବୋଲି ଭାବିଲେ । ସେମାନେ କେଡ଼େ ଉତ୍ସାହର ସହିତ ସେକ୍ସପିଅର୍ ପଢ଼ିଲେ, ଏଣେ ନିଜ ଭୂମିକୁ ଗୋଟାସୁଦ୍ଧା ଭୁଲିଯିବାକୁ ହଁ ମଣ ହେଲେ । ଇସ୍କୁଲ ହତା ଭିତରେ ନିଜ ଘରେ ଚଳୁଥିବା ଭାଷାରେ ସାଙ୍ଗ ସାଙ୍ଗ ଭିତରେ କଥା ହେବାଟା ମଧ୍ୟ ଅଧିକାଂଶ ସ୍ଥଳରେ ଏକ ଦଣ୍ଡନୀୟ ଅପରାଧ ହୋଇ ରହିଥିଲା ।

 

କଳା ଆଫ୍ରିକା ଉପରେ ଇଉରୋପୀୟ ଔପନିବେଶିକ ଶାସନକୁ କାର୍ଯ୍ୟକାରୀ କରାଇ ପାରିବାର କ୍ଷେତ୍ରରେ ଯେଉଁସବୁ ସଂସ୍କୃତିଗତ ଅସୁବିଧାମାନ ଦେଖା ଦେଲା, ତାହାରି ଏକ ପ୍ରତିକାର ଖୋଜିବାକୁ ଯାଇ ନୃତତ୍ତ୍ୱବିଜ୍ଞାନ ବୋଲି ଗୋଟିଏ ନୂଆ ପାଠ ଇଉରୋପରେ ଆରମ୍ଭ ହେଲା । ପ୍ରଜାମାନଙ୍କୁ ଶାସନ କରିବାକୁ ହେଲେ ସେମାନଙ୍କର ମନ ବୁଝିବାକୁ ହେବ ଓ ତେଣୁ ସେମାନଙ୍କର ଗୋଷ୍ଠୀଗତ ଗଢ଼ଣ ଗୁଡ଼ିକୁ ଯଥାସମ୍ଭବ ଅଧିକ ବିଷୟନିଷ୍ଠ ଭାବରେ ଜାଣିବାକୁ ପଡ଼ିବ । ଭାରି ଭଲ ହେଲା, ଏହି ଆଳରେ ସମାଜ–ଅଧ୍ୟୟନର ଏକ ନୂଆ ଡାଳ ଏହିପରି ଭାବରେ ବାହାରି ପଡ଼ିଲା ଓ ବଟବୃକ୍ଷର ଓହଳ ପରି କ୍ରମେ ଏକ ସମ୍ପୂର୍ଣ୍ଣ ଅନ୍ୟ ମାନବସ୍ଵୀକୃତିର ଠାବ କରି ଆପଣାକୁ ଏକ ସ୍ଵତନ୍ତ୍ର ବୃକ୍ଷରୂପେ ପ୍ରତିଷ୍ଠିତ କରିଥିଲା । ଶାସକମାନଙ୍କର ଆଫ୍ରିକା ନୃତତ୍ତ୍ୱବିତ୍‌ମାନଙ୍କର ବିଜ୍ଞାନଆଖି ଦ୍ଵାରା ଏକ ଅନ୍ୟ ସମଗ୍ରର ଐଶ୍ଵର୍ଯ୍ୟରେ ଉଦ୍ଭାସିତ ହେଲା । ଆଫ୍ରିକାର ଏକ ଇତିହାସ ରହିଛି ବୋଲି ସମସ୍ତେ ଆଗ୍ରହର ସହିତ ଜାଣିଲେ । ଯାବତୀୟ ଜାଣିବା ପଛରେ ଏକ ସମ୍ବେଦନଶୀଳତା ରହିଥିଲେ ଜାଣିବାର ପ୍ରସ୍ଥ ହିଁ ଅଲଗା ହୋଇଯାଏ; ସେହି ଜାଣିବା ଅଧିକରୁ ଅଧିକ ନିକଟବର୍ତ୍ତୀ କରି ଆଣେ । ଆଫ୍ରିକା ଅବଶିଷ୍ଟ ପୃଥିବୀର ନିକଟବର୍ତ୍ତୀ ହୋଇ ଆସିଲା ।

 

ଭାରତ ସହିତ ଆଫ୍ରିକାର ସମ୍ବନ୍ଧ ପ୍ରଥମେ ହୁଏତ ଭାରତୀୟ ପଶ୍ଚିମ ଉପକୂଳର ବେପାରୀମାନଙ୍କ ମାଧ୍ୟମରେ ହୋଇଥିଲା । ଓଡ଼ିଶାର ଏକ ପ୍ରାଚୀନ ମନ୍ଦିରରେ ରହିଥିବା ଜିରାଫ ପରି ଏକ ଜନ୍ତୁର ପ୍ରସ୍ତରଚିତ୍ରର ସୂତାଖିଅ ନେଇ ଆଫ୍ରିକାର ସମ୍ପର୍କ ସେକାଳରେ ମଧ୍ୟ ଏହି ଭୂଖଣ୍ଡ ସହିତ ରହିଥିଲା ବୋଲି କେତେକ ଅନୁମାନ କରାଯାଇଥାଏ । ପୂର୍ବ ତଥା ଦକ୍ଷିଣ ଆଫ୍ରିକାରେ ଏବେ ମଧ୍ୟ ଭାରତୀୟମାନେ କାରବାରର କ୍ଷେତ୍ରରେ ଯେଉଁ ସ୍ଥିତିରେ ରହିଛନ୍ତି, ତାହା ପ୍ରାଧାନତଃ ବେପାର କାରବାରର ସ୍ଥିତି । ପ୍ରୟୋଜନତଃ ପରାଧୀନ ଆଫ୍ରିକାରେ ସେମାନେ ସ୍ଥାନୀୟ ଅଧିବାସୀଙ୍କ ତୁଳନାରେ ଶାସକ ଇଉରୋପୀୟମାନଙ୍କ ପଟକୁ ଅଧିକ ଢଳିକରି ରହିଥିଲେ । ଇଉରୋପୀୟମାନେ ଭାରତୀୟଙ୍କୁ ମଧ୍ୟ ନ୍ୟୂନ କରି ଦେଖୁଥିଲେ ଏବଂ ସତେଅବା ସେହି ଦୁଃଖର କ୍ଷତିପୂରଣ ପାଇଁ ଭାରତୀୟମାନେ କଳା ଆଫ୍ରିକାବାସୀଙ୍କୁ ତଦନନୂରୂପ ନ୍ୟୁନ ଆଖିରେ ଦେଖି ଆସୁଥିଲେ । ସ୍ଵାଧୀନ ଆଫ୍ରିକାରେ ମଧ୍ୟ ପରୋକ୍ଷ ଅନ୍ତସ୍କରଣରେ ଅଳ୍ପ ବହୁତ ସେହି ଦୃଷ୍ଟି ହିଁ ଆଫ୍ରିକାରେ ବସବାସ ଓ ବେପାର କରୁଥିବା ଭାରତୀୟମାନଙ୍କୁ ଗ୍ରାସ କରି ରହିଛି । ମାହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଗୋରାମାନଙ୍କର ବାଛ–ନୀତିର ଶିକାର ହେଉଥିବା ଭାରତୀୟମାନଙ୍କର ନେତୃତ୍ଵ ଗ୍ରହଣ କରି ଏହି ଶତାବ୍ଦୀର ଆରମ୍ଭରେ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ । ବଡ଼ ବିଚିତ୍ର ଲାଗେ ଯେ, ସେତେବେଳେ ଆଫ୍ରିକାର ଅସଲ ହକ୍‌ଦାର କଳା ମଣିଷମାନଙ୍କ ଉପରେ ଚାଲିଥିବା ଦାରୁଣ ନିଷ୍ପେଷଣ ବିରୋଧରେ ସେ ସମ୍ପୂର୍ଣ୍ଣ ନୀରବ ଥିଲେ । ଏବେ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଭାରତୀୟ ଓ ଆଫ୍ରିକୀୟମାନଙ୍କର ଜାତୀୟ ସଂସ୍ଥାଦ୍ଵୟ ପରସ୍ପରଠାରୁ ଅଲଗା ହୋଇ ରହିଛନ୍ତି । ଧଳା କଳା ସଂଗ୍ରାମର ଧର୍ମକ୍ଷେତ୍ରରେ ସେଠା ଭାରତୀୟମାନେ ହୁଏତ କଳାମାନଙ୍କ ପ୍ରତି ସହାନୁଭୂତି ରଖିଛନ୍ତି ସତ, ମାତ୍ର ତଥାପି ପ୍ରକାଶ୍ୟ ଓ ସକ୍ରିୟ ଭାବରେ କୌଣସି ପଦକ୍ଷେପ ନେଇ ନାହାନ୍ତି ।

 

ଔପନିବେଶିକ ଶାସନ ସମୟରେ କେତେକ ଇଉରୋପୀୟ କଳା ଆଫ୍ରିକାର ମଣିଷଙ୍କ ପ୍ରତି ତଥାପି ସହାନୁଭୂତି ଦେଖାଇଛନ୍ତି, ମାତ୍ର ତଥାପି ମଣିଷକୁ ମଣିଷର ସମ୍ମାନ ଦେଇ ତାକୁ ସମକକ୍ଷ ଭାବରେ ଆଦୌ ଦେଖି ପାରିନାହାନ୍ତି । ସହାନୁଭୂତି ଭିତରେ ଏକ ଦୂରତାଧର୍ମୀ ଦୟାଭାବ ଭାରି ପଶିଯାଇଛି । ଏଠାରେ My African Farmର ଲେଖିକା ଡେନମାର୍କର ଶ୍ରୀମତୀ କାରେନ୍‌ ବ୍ଲିକ୍‌ସନ୍‌ଙ୍କର କଥା କୁହା ଯାଇପାରେ । ନିଜର ଏକ ବୃହତ୍ ମାହାଲରେ ଲେଖିକା କେନିଆରେ ରହୁଥିଲେ । ନିଜର ଏକାଧିକ ଉପନ୍ୟାସରେ ସେ ଆଫ୍ରିକାବାସୀଙ୍କର ଜୀବନଚିତ୍ରର ପରିବେଷଣ କରିଛନ୍ତି । ଅତ୍ୟନ୍ତ ଦରଦର ସହିତ କେତେ କଥା ଲେଖିଛନ୍ତି, ତଥାପି ଦୂରରେ ଛିଡ଼ା ହୋଇ ଏହି ସବୁକିଛି କରିଛନ୍ତି । ଇଉରୋପରେ ପଶ୍ଚିମର ଗାନ୍ଧୀରୂପେ ପ୍ରଖ୍ୟାତ ଶ୍ରୀଯୁକ୍ତ ଆଲ୍‌ବର୍ଟ୍ଟ୍ ଶ୍ଵାଇତ୍‌ଜର୍ ମଧ୍ୟ ଆଫ୍ରିକାବାସୀଙ୍କ ପ୍ରତି କମ୍ ଦରଦ ଦେଖାଇ ନାହାନ୍ତି । କଳା ଅସହାୟ ମଣିଷର ସେବା କରି ଖ୍ରୀଷ୍ଟଧର୍ମର ଅନୁଜ୍ଞାଗୁଡ଼ିକୁ ପାଳନ କରିବା ଲାଗି ସେ ଡାକ୍ତର ହୋଇ ଫରାସୀ ଆଫ୍ରିକାକୁ ଯାଇଛନ୍ତି, ଚିକିତ୍ସାକେନ୍ଦ୍ର ଖୋଲିଛନ୍ତି ଓ ଏକ ଆଦର୍ଶ ପରାର୍ଥପରାୟଣ ଜୀବନର ନିଦର୍ଶନ ହୋଇ ରହିଛନ୍ତି । ଶାନ୍ତି ପାଇଁ ନୋବେଲ ପୁରସ୍କାର ଲାଭ କରିଛନ୍ତି । ତଥାପି ଆପଣାକୁ ସର୍ବାଦୌ ଖ୍ରୀଷ୍ଟିୟାନ୍ ବୋଲି ଅନୁଭବ କରିଛନ୍ତି ଏବଂ ସର୍ବୋପରି ଇଉରୋପୀୟ ସାମ୍ରାଜ୍ୟବାଦର ଆଫ୍ରିକାରେ ପ୍ରତ୍ୟକ୍ଷଦର୍ଶୀ ହୋଇ ମଧ୍ୟ ସେହି ବିଷୟରେ ଆଦୌ ପାଟି ଫିଟାଇ ନାହାନ୍ତି । ପୃଥୀଇତିହାସର ଜଣେ କେଡ଼େ ବଡ଼ ବ୍ୟକ୍ତି କେଡ଼େ ବିଡ଼ମ୍ବିତ ଭାବରେ ତଥାପି ଏତେ ପାଖକୁ ଆସି ଅଟକି ଯାଇଛନ୍ତି ।

 

ଏଠାରେ ଆମେ ଏହି ଶତାବ୍ଦୀର ପ୍ରଥମ ଦଶକର ଉପନ୍ୟାସକାର ଟମାସ୍ ମୋପୋଲୋଙ୍କୁ ସ୍ମରଣ କରିବା । ମୋଫୋଲୋ ମିଶନାରୀ ସ୍କୁଲରେ ପାଠ ପଢ଼ିଥିଲେ । ତାଙ୍କର ପିତାମାତା ଖ୍ରୀଷ୍ଟିଆନ୍ ଥିଲେ । ଇଉରୋପୀୟ ଧର୍ମସନ୍ଦେଶ, ଇଉରୋପୀୟ ଶାସନ ଏହାହିଁ ଆଫ୍ରିକାର ଅନ୍ଧକାରାଚ୍ଛନ୍ନ ଅରଣ୍ୟରେ ଆଲୋକର ବାର୍ତ୍ତା ଆଣିଦେବ, ନିଜ ଉପନ୍ୟାସ ଗୁଡ଼ିକରେ ସେ ସେହି ସୂଚନା ଦେଇଥିଲେ । ପ୍ରଥମ ସ୍ତରର କଳା ଲେଖକମାନେ ପ୍ରାୟ ସେହି କଥାଟିକୁ ମୂଳ କରି ଯାହାକିଛି ଲେଖିଥିଲେ । ଭାରତବର୍ଷରେ ରାଜା ରାମମୋହନ ରାୟ ଥରେ ଏପରି ଲେଖିଥିଲେ ଯେ ପରମ କରୁଣାମୟ ଭଗବାନ୍ ସବୁପ୍ରକାରେ ବଞ୍ଚିତ ଓ ନିଷ୍ପେଷିତ ହୋଇ ରହିଥିବା ବଙ୍ଗବାସୀଙ୍କ ଲାଗି ସୁରକ୍ଷାର ହସ୍ତ ପ୍ରସାରଣ କରି ଦେବାକୁ ଇଂରାଜ ଜାତିକୁ ଏହି ଦେଶକୁ ପ୍ରେରିତ କରି ଆଣିଛନ୍ତି । ଓଡ଼ିଶାରେ ଫକୀରମୋହନଙ୍କର ଏକ ଉପନ୍ୟାସରୁ ସେହି ସୂଚନା ମିଳିଥାଏ । ସୁଖର କଥା, ଇଉରୋପୀୟ ଶାସନର ଅନ୍ୟାୟ ଓ ଅମାନୁଷିକତା ଗୁଡ଼ିକୁ ଦେଖି ପରେ ଶ୍ରୀ ମୋଫୋଲୋଙ୍କର ମୋହଭଙ୍ଗ ହୋଇଥିଲା ଓ ସେ ଲେଖିନୀ ବନ୍ଦ କରି ଦେଇଥିଲେ । ତଥାପି ବିଦେଶୀ ଆଧିପତ୍ୟର ବିରୋଧରେ କୌଣସି ସ୍ଵର ଉତ୍ତୋଳନ କରିନଥିଲେ । ଏକ ସାହସଯୁକ୍ତ ବ୍ୟତିକ୍ରମ ରୂପେ ଆମେ ଶ୍ରୀ ଆଲାନ୍ ପ୍ୟାଟନ୍‌ଙ୍କର ପ୍ରସିଦ୍ଧ ଉପନ୍ୟାସ Cry the Beloved Countryର ଦୃଷ୍ଟାନ୍ତ ଦେଇ ପାରିବା । ସେ ନିଜେ କଳା ନଥିଲେ, ମାତ୍ର ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ । ଅତ୍ୟାଚାରିତ ମଣିଷକୁ ଅସହିଷ୍ଣୁ ହେବାଲାଗି ଓ ମାନବିକତାର ପକ୍ଷ ଗ୍ରହଣ କରିବାଲାଗି ସେ ସର୍ବପ୍ରଥମ ଉଦ୍‌ବୋଧନ ଦେଇଥିଲେ ।

 

ଏହି ଶତାବ୍ଦୀର ଚତୁର୍ଥ ଓ ପଞ୍ଚମ ଦଶକରେ ଆଫ୍ରିକାର ଅଧିକାଂଶ ଦେଶ ରାଜନୀତିକ ସ୍ଵାଧୀନତା ଲାଭ କରିଥିଲେ । ଏକ ଆନ୍ତର୍ଜାତିକ ବଳରୂପେ ସାମ୍ରାଜ୍ୟବାଦର କାଳ ସରିଯିବାରୁ ଏସିଆ ଓ ଆଫ୍ରିକାର ବହୁଦେଶ ସେତେବେଳେ ରାଜନୈତିକ ସ୍ଵାଧୀନତା ଲାଭ କରିଥିଲେ । ଅବଶ୍ୟ ଏହି କାୟାବଦଳରେ ଭାରତବର୍ଷ ଓ ଆଫ୍ରିକାର ଆଲ୍‌ଜିରିଆରେ ସଂଘଟିତ ସଂଗ୍ରାମଗୁଡ଼ିକର ମଧ୍ୟ ଏକ ଉଲ୍ଲେଖଯୋଗ୍ୟ ଓ ବଳିଷ୍ଠ ଅବଦାନ ରହିଥିଲା । ଆଫ୍ରିକାର ନବସ୍ଵାଧୀନ ଦେଶଗୁଡ଼ିକୁ ଅନ୍ତତଃ ଭୌଗୋଳିକ ଓ ସାଂସ୍କୃତିକ ଦୃଷ୍ଟିରୁ କେବଳ ଗୋଟିଏ ଗୋଟିଏ ତଥାକଥିତ ଦେଶ ବୋଲି କୁହାଯାଇ ପାରିବ ନାହିଁ । ଏହିସବୁ ଦେଶକୁ ଇଉରୋପୀୟ ଶକ୍ତିମାନେ ଯେପରି ଭାବରେ ବାଣ୍ଟି ନେଇଥିଲେ, ପ୍ରାୟ ସେହି ଅନୁସାରେ ସେଗୁଡ଼ିକର ସୀମା ନିର୍ଦ୍ଧାରିତ କରି ଦିଆ ଯାଇଥିଲା । ଜନସମୂହ ଓ ସେମାନଙ୍କର ସ୍ୱତନ୍ତ୍ର ତଥା ସ୍ଵକୀୟ ନିୟତି କିମ୍ବା ସଂସ୍କୃତିଗୁଡ଼ିକ ଉପରେ ଦୃଷ୍ଟି ରଖି ନୁହେଁ, ପ୍ରାୟ ଏକ ବେଖାତିରିଆ ମୋଟା ବୁଦ୍ଧିରେ ଗୋଟିଏ ଗୋଟିଏ ସିଧା ଗାର ପକାଇଦେଇ ଦେଶ ଦେଶ ଭିତରେ ସୀମାସୂଚକ ବାଡ଼ଗୁଡ଼ିକୁ ଚିହ୍ନିତ କରି ଦିଆଯାଇଥିଲା । ସେହି କୃତ୍ରିମ ଦେଶଗୁଡ଼ିକ ହିଁ ସ୍ୱାଧୀନତା ଲାଭ କରିଥିଲେ । ଆଫ୍ରିକାରେ ଜନଗଣ ଅନୁଭବ କଲାଭଳି କୌଣସି ଜାତୀୟତାବୋଧର ଉଦ୍ଭବ ହୋଇ ନଥିବାରୁ ଆଫ୍ରିକାର ପ୍ରତ୍ୟେକ ଉପଜାତି ଅନ୍ୟ ଉପଜାତିମାନଙ୍କଠାରୁ ଯାବତୀୟ ଅର୍ଥରେ ଅଲଗା ହୋଇ ରହିଥିଲେ । ଗୋଟିଏ ଦେଶରେ ବିଭିନ୍ନ ଉପଜାତି ଥିଲେ, ଗୋଟିଏ ଗୋଟିଏ ଉପଜାତି ହୁଏତ ଏକାଧିକ ଦେଶରେ ଖେଳାଇ ହୋଇ ରହିଥିଲେ । ଯାବତୀୟ ସଂହତି ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉପଜାତି ସ୍ତରରେ ରହିଥିଲା । ଦେଶମାନେ ରାଜନୀତିକ ସ୍ଵାଧୀନତା ପାଇବାପରେ ମଧ୍ୟ ଆନୁଗତ୍ୟ ଏବଂ ଅନୁରକ୍ତି ଗୁଡ଼ିକ ବହୁତ କ୍ଷେତ୍ରରେ ଉପଜାତୀୟ ହୋଇ ରହିଲା । ଆଫ୍ରିକାର ରାଜନୀତି ଏବେ ମଧ୍ୟ ପ୍ରଧାନତଃ ସେହି ସ୍ତରରେ ରହିଛି, ସେହି ସ୍ତରରେ ହିଁ ଯାବତୀୟ ହଣାକଟା ଓ ବିଚାର ବିକ୍ଷୋଭ ଲାଗି ରହିଛି । ଜାତୀୟ ବା ରାଷ୍ଟ୍ରୀୟ ସ୍ତରକୁ ଆସିବା ଲାଗି ଏକ ଅନୁକୂଳତା ଅଧିକାଂଶ ଦେଶରେ ଏବେ ମଧ୍ୟ ସମ୍ଭବ ହୋଇନାହିଁ । ସୋମାଲିଆ ଓ ଏଥିଓପିଆଠାରୁ ଆରମ୍ଭ କରି କେନିଆ ଓ ଉଗାଣ୍ଡା ଲଗାଏତ ପଶ୍ଚିମ ଓ କେନ୍ଦ୍ର ଆଫ୍ରିକାରେ ପ୍ରଧାନତଃ ଉପଜାତୀୟ ଗୋଳମାଳ ଲାଗି ରହିଛି ।

 

ବର୍ତ୍ତମାନର କଳା ଆଫ୍ରିକାକୁ ଆମେ ତିନିପ୍ରକାରେ ଭାଗ ଭାଗ କରି ଦେଖି ପାରିବା । ଦକ୍ଷିଣ ଆଫ୍ରିକାରେ ଅଳ୍ପସଂଖ୍ୟକ ଗୋରା ଅଧିକ ସଂଖ୍ୟକ କଳାଙ୍କ ଉପରେ ଏକ ଅସଭ୍ୟ ଶାସନ ଚଳାଇ ଆସିଛନ୍ତି । ପଡ଼ୋଶୀ ଦେଶ ଦକ୍ଷିଣ ରୋଡ଼େସିଆରେ ମଧ୍ୟ ପ୍ରଥମେ ସେହି ତାମସା ଲାଗିଥିଲା । ଏବେ ସେହି ତାମସା ଯାଇ ଗଣତନ୍ତ୍ରର ପ୍ରତିଷ୍ଠା ହୋଇଛି ଏବଂ ଦେଶର ନାମ ତା’ରି ଆଫ୍ରିକାନ୍ ନାମ ଅନୁସାରେ ଜିମ୍ବାୱେ ହୋଇଛି । ଦକ୍ଷିଣ ଆଫ୍ରିକା ମଧ୍ୟ ବହୁ ତୁମୁଳ ପରିବର୍ତ୍ତନର ଦ୍ଵାରଦେଶରେ ଆସି ପହଞ୍ଚିଲାଣି । ତଥାପି ଦକ୍ଷିଣପନ୍ଥୀ ଗୋରାମାନେ ଏହି ପରିବର୍ତ୍ତନକୁ ମାନି ନେବେନାହିଁ ବୋଲି ହୁଙ୍କାର ଦେଉଛନ୍ତି । ସେଦେଶର ଜୁଲୁ ଉପଜାତି ମଧ୍ୟ ରାଜନୀତିକ ବିବର୍ତ୍ତନ ଗୁଡ଼ିକରେ ସାମିଲ ହେବାକୁ ରାଜି ହୋଇନାହିଁ । କଳା ଆଫ୍ରିକାର ଏକ ଉଜ୍ୱଳ ବ୍ୟତିକ୍ରମ ହେଉଛି ତାଞ୍ଜାନିଆ, ବ୍ରିଟିଶ ଔପନିବେଶିକ ଅମଳରେ ଯାହାକୁ ଟାଙ୍ଗାନିକା ବୋଲି କୁହାଯାଉଥିଲା । ଶ୍ରୀଯୁକ୍ତ ଜୁଲିଅସ୍ ନାଇରେରେଙ୍କର ଏକ ପୂରୋଦୃଷ୍ଟି–ସମ୍ପନ୍ନ ଏବଂ ଲୋକମୁଖୀ ନେତୃତ୍ୱ, ବଳରେ ସେଠାରେ ଯାବତୀୟ ରାଜନୀତିକ ଉଦ୍ୟମର କ୍ଷେତ୍ରରେ ଏକ ଅଭିନବତା ସର୍ବଦା ପରିଲକ୍ଷିତ ହୋଇଛି ଓ ଶ୍ରୀ ନାଇରେରେ ଏବେ ଆଉ ରାଷ୍ଟ୍ରମୁଖ୍ୟ ହୋଇ ରହିନଥିଲେ ମଧ୍ୟ ସେହି ପରମ୍ପରାଟି ତଥାପି ଅକ୍ଷୁଣ୍ଣ ରହିଛି । କଳା ଆଫ୍ରିକାର ତୃତୀୟ ଧାରାଟିକୁ ଜାଣିବା ପାଇଁ ଆମକୁ ଘାଣା ଦେଶର ପ୍ରଥମ ସର୍ବେସର୍ବା ନେତା ସ୍ଵର୍ଗତ କ୍ଵାମେ ଙ୍କ୍ରୁମାଙ୍କ ପାଖକୁ ଯିବାକୁ ହେବ । ଙ୍କ୍ରୁମା ବିଲାତରେ ପାଠପଢ଼ି ଅତି ଅଳ୍ପ ବୟସରେ ନିଜ ଦେଶରେ ସର୍ବୋଚ୍ଚ ରାଜନୀତିକ କ୍ଷମତାକୁ ଆସିଥିଲେ । ସେ ତାଙ୍କ ସମୟରେ ଏକ African Personality କଥା କହୁଥିଲେ । ମାତ୍ର ନିଜ ଦେଶରେ ଆପଣାକୁ ଦେବତା ପରି ଥାପନା କରାଇଲେ । କହିବା ବହୁଲ୍ୟ, ଘାଣାର ଆଉଗୋଟିଏ ଉପଜାତିର ଆନ୍ଦୋଳନ ଦ୍ୱାରା ସେ ଦେଶରୁ ବିତାଡ଼ିତ ହେଲେ, ସେହି ବିଦେଶରେ ମଲେ ।

 

ଖ୍ରୀଷ୍ଟଧର୍ମରେ ପ୍ରଚଳିତ ଈଶ୍ଵର–ପ୍ରାର୍ଥନାର ଅନୁକରଣରେ ଶ୍ରୀ ଙ୍କ୍ରୁମା ନିଜ ପାଇଁ ତାଙ୍କ ଅନୁଗତ ଅମାତ୍ୟମାନଙ୍କ ଦ୍ଵାରା ଏକ ପ୍ରାର୍ଥନା ରଚନା କରାଇଥିଲେ, ଯାହାକୁ କି ସେତେବେଳେ ସେହି ଦେଶର ପିଲାମାନେ ପ୍ରତ୍ୟହ ବିଦ୍ୟାଳୟମାନଙ୍କରେ ପ୍ରାର୍ଥନା ପରି ଆବୃତ୍ତି କରୁଥିଲେ ! “ମୁଁ କ୍ଵାମେ ଙ୍କ୍ରୁମାଙ୍କୁ ବିଶ୍ୱାସ କରେ; ତାଙ୍କର ଏକମାତ୍ର ରାଜନୀତିକ ଦଳ ଏବଂ ଆମ ଭବିଷ୍ୟକୁ ମଧ୍ୟ ବିଶ୍ୱାସ କରେ, ଯାହାକୁ କି କାଳର ଆତ୍ମା ସ୍ୱୀକାର କରି ନେଇଛି, ଯିଏକି ଜନଗଣଙ୍କ ମଧ୍ୟରୁ ଜନ୍ମଲାଭ କରିଛି, ଯାହାକି ବ୍ରିଟିଶ ଶାସନ ଦ୍ଵାରା ଦାରୁଣ କଷ୍ଟ ଭୋଗୁଥିଲା ଏବଂ ଅତ୍ୟାଚାରିତ ହେଉଥିଲା ଏବଂ ଯାହାକୁ ସେତେବେଳେ ନତଜାନୁ ଓ ଅଧୀନସ୍ଥ କରି ରଖାଯାଇଥିଲା, ଯିଏ କି ପୁନର୍ବାର ଜାଗ୍ରତ ହୋଇ ଉଠିଲା, ଡେଣା ମେଲାଇ ମୁକ୍ତିର ସୂର୍ଯ୍ୟ ଆଡ଼କୁ ଉଡ଼ି ଚାଲିଗଲା–ମୁଁ ଆମ ସମୟର ପବିତ୍ର ଆତ୍ମାକୁ ବିଶ୍ୱାସ କରେ, ସ୍ଵାଧୀନତାରୂପୀ ପବିତ୍ର କ୍ରସ୍ ଉପରେ ବିଶ୍ୱାସ କରେ, ବିଦେଶୀ ଆଧିପତ୍ୟର ବିଲୟ ଉପରେ ବିଶ୍ଵାସ କରେ ଏବଂ ଚିରନ୍ତନ ଜୀବନ ଉପରେ ମଧ୍ୟ ବିଶ୍ୱାସ କରେ ।” ଖ୍ରୀଷ୍ଟଧର୍ମର ଯାବତୀୟ ପ୍ରାର୍ଥନା ପରି ଏହି ପ୍ରାର୍ଥନାଟିର ଶେଷରେ ମଧ୍ୟ Amen ବୋଲି ଉଚ୍ଚାରଣ କରା ଯାଉଥିଲା । କଳା ଆଫ୍ରିକାର ଅଧିକାଂଶ ଶାସକ ଏବେ ମଧ୍ୟ ଏହିପରି ଏକ ପ୍ରଜାମୋହ ସୃଷ୍ଟି କରିବାର ଫାଶ ଭିତରେ ବାନ୍ଧି ହୋଇ ରହିଛନ୍ତି । ଆଫ୍ରିକାର ସାମାଜିକ ଓ ରାଜନୀତିକ ଛାଞ୍ଚଗୁଡ଼ିକୁ ଗଠନ କରି ଆଣିବା ପଛରେ ସତେଅବା କୌଣସି ବୃହତ୍ ପରମ୍ପରାର ପ୍ରେରଣା କାମ କରୁନାହିଁ । କ୍ଷୁଦ୍ର ପ୍ରଜାତିଗତ ପରମ୍ପରାର ଗାରଗୁଡ଼ିକ ମଧ୍ୟରେ ଉଭୟେ ଶାସକ ଏବଂ ଶାସିତ ମୁହଁ ମାଡ଼ି ପଡ଼ିଛନ୍ତି । ପ୍ରଜାତି ପ୍ରଜାତି ମଧ୍ୟରେ ଋଣ ଲାଗି ରହିଛି, ପ୍ରଜାତିର ହିରୋମାନେ ଗୋଟିଏ ଗୋଟିଏ ଦେଶର ରାଜନୀତିକ ଅଙ୍କୁଶ ଗୁଡ଼ିକୁ ହସ୍ତଗତ କରିବା ଲାଗି ପରସ୍ପର ଗଦାପ୍ରହାର କରୁଛନ୍ତି । ଇଉରୋପରୁ ଆସୁଥିବା ଆଧୁନିକ ଅସ୍ତ୍ରମାନ ଏହି ଉତ୍ସାହରେ ଈନ୍ଧନ ଯୋଗାଇବାରେ ଲାଗିଛି ।

 

କୋଉକାଳେ ଇଉରୋପୀୟ ଖ୍ରୀଷ୍ଟିଆନ୍‌ମାନେ ମିଶନାରୀ ହୋଇ ଆଫ୍ରିକାକୁ ଆଲୋକ ପ୍ରଦାନ କରିବାକୁ ଏଠାକୁ ଆସିଥିଲେ ସତ, ମାତ୍ର ସୌଭାଗ୍ୟ ବା ଦୁର୍ଭାଗ୍ୟ ଯାହା ହେଉ ପଛକେ ଆଫ୍ରିକାର ଜନଗଣ ଇଉରୋପୀୟ ମାର୍କାର ଖ୍ରୀଷ୍ଟିଆନ୍ ଧର୍ମକୁ ମୋଟେ ସ୍ୱୀକାର କରି ପାରିନାହାନ୍ତି-। କାଳକ୍ରମେ ଏକ ଆଫ୍ରିକୀୟ ଖ୍ରୀଷ୍ଟିଆନ୍ ମାର୍ଗର ଉଦଭବ ହୋଇଆସିଛି-। ଆଫ୍ରିକାର କଳା ସମୂହଗୁଡ଼ିକର ପ୍ରଜାତିସ୍ତରୀୟ ଆନୁଗତ୍ୟ ହୁଏତ ସେହି ପ୍ରବୃତ୍ତିଟିକୁ ଉତ୍ସାହିତ କରିବାରେ ପ୍ରଭୂତ ପରିମାଣରେ ସାହାଯ୍ୟ କରିଛି । କଳା ମଣିଷମାନଙ୍କ ମାନସରେ ଏକ ମାନବିକ ସମ୍ମାନବୋଧ ଆଣିଦେବାରେ ଆଫ୍ରିକାର କଳା ମିଶନାରୀମାନେ ଅଧିକାଂଶ ସ୍ଥଳରେ ନେତୃତ୍ଵ ଦେଇ ଆସିଛନ୍ତି-। ଦକ୍ଷିଣ ଆଫ୍ରିକାର ଶାନ୍ତିରେ ନୋବେଲ ପୁରସ୍କାର ପ୍ରାପ୍ତ ସ୍ଵର୍ଗତ ଶ୍ରୀଯୁକ୍ତ ଆଲବର୍ଟ୍ ଲୁଥୁଲିଙ୍କୁ ଏହି କ୍ଷେତ୍ରରେ ଅଗ୍ରଣୀ ବୋଲି କୁହାଯାଇ ପାରିବ । ବର୍ତ୍ତମାନ ମଧ୍ୟ ସେହି ଦେଶର ଶ୍ରୀ ଡେସମଣ୍ଡ୍ ଟୁଚୁ ଏବଂ ଶ୍ରୀ ଅଲିଭର ଟ୍ରାମ୍ବୋ ମାନବିକ ଆକାଂକ୍ଷାର ଯାବତୀୟ ଆନ୍ଦୋଳନରେ ସେଠାରେ ଅଗ୍ରଭାଗରେ ରହିଛନ୍ତି । ଆଫ୍ରିକାର ଅନ୍ୟ କୋତୋଟି ଦେଶରେ ମଧ୍ୟ ଆମେ ଏକାଧିକ ସମାନ୍ତର ଉଦାହରଣ ଅବଶ୍ୟ ପାଇପାରିବା । ଏକଦା ଆଫ୍ରିକାରୁ ହିତାକାଂକ୍ଷୀ ଦେବପ୍ରତିମ ଡାକ୍ତର ଆଲବର୍ଟ୍ ଶ୍ଵାଇତ୍‌ଜର୍ ଯାହା କରି ପାରିନଥିଲେ, ଏବେ କଳା ଖ୍ରୀଷ୍ଟିଆନ୍ ଧର୍ମନେତାମାନେ ତାହା କରିପାରୁଛନ୍ତି; ସେମାନେ ଆଫ୍ରିକାକୁ ଆମ ଏକାଳର ସର୍ବଜାଗତିକ ମାନବିକ ଆକାଂକ୍ଷାଗୁଡ଼ିକ ମଧ୍ୟକୁ ଉପନୟନ କରାଇ ଆଣିବାରେ ହୁଏତ ଅସଲ ନେତାରୂପେ ସାହାଯ୍ୟ କରୁଛନ୍ତି । ତେଣେ, କୃଷ୍ଣ ଆଫ୍ରିକା ତା'ର ପୂର୍ବତନ ଉପନିବେଶୀୟ କାଳର ମାଲିକମାନଙ୍କ ପାଖରେ ଆର୍ଥିକ କ୍ଷେତ୍ରରେ ସତେଅବା ବନ୍ଧା ପଡ଼ିଛି । ଇଂଲଣ୍ଡ, ଫ୍ରାନ୍ସ, ବେଲଜିଅମ୍, ସ୍ପେନ୍ ଏବଂ ପର୍ଟୁଗାଲ୍ ନିଜ ନିଜର ପ୍ରାକ୍ତନ ଉପନିବେଶ ଗୁଡ଼ିକୁ ଏକାଧିକ ଅର୍ଥରେ ନିଜର ସ୍ଵାର୍ଥସିଦ୍ଧିଗତ ଛାୟାଞ୍ଚଳ ରୂପେ ବ୍ୟବହାର କରିବାରେ ଲାଗିଛନ୍ତି । ମରୁଭୂମି ମାଡ଼ି ମାଡ଼ି ଆସୁଛି, ଦାରିଦ୍ର୍ୟ ଘୋଟି ରହିଛି, ଆଧୁନିକ ମଣିଷମାନେ ପରମ୍ପରା ଭିତରେ କିଳି ହୋଇ ରହିଥିବା ମଣିଷଙ୍କ ସହିତ ଆଦୌ ଖାପ ଖାଇ ପାରୁନାହାନ୍ତି,–କଳା ଆଫ୍ରିକାରେ ସତେଅବା ଏକାବେଳକେ ଏକାଧିକ ଶତାବ୍ଦୀ ରାଜତ୍ୱ କରୁଛି ଓ ଦ୍ଵନ୍ଦଗୁଡ଼ିକୁ ଅଧିକ ଉତ୍କଟ କରିବାରେ ଲାଗିଛି ।

 

ଗବେଷକମାନେ କହନ୍ତି, କୃଷ୍ଣ ଆଫ୍ରିକାର ସଂସ୍କୃତି ପ୍ରାଚୀନ ମିଶରୀୟ ସଂସ୍କୃତିରୁ ଉଦ୍‌ଭୂତ ହୋଇ ଆସିଛି । ସପ୍ତମ ଶତାବ୍ଦୀରୁ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ କୃଷ୍ଣ ଆଫ୍ରିକା ଆରବୀ ସାହିତ୍ୟର ପ୍ରଭାବମଣ୍ଡଳ ମଧ୍ୟକୁ ଅତ୍ୟନ୍ତ ଘନିଷ୍ଠ ଭାବରେ ଆସିଛି । ଏହିସବୁ ସଂସ୍ପର୍ଶ ବାଜି ଆଫ୍ରିକା ମହାଦେଶରେ ଏକ ମୌଖିକ ପରମ୍ପରା ବା Oral tradition ନିୟତ କ୍ରମବିକଶିତ ହୋଇ ଆସିଛି । ଏହି ଭୂଖଣ୍ଡରେ ବାସ କରୁଥିବା ପ୍ରଜାତିମାନଙ୍କର ଅଞ୍ଚଳଭେଦରେ ଭିନ୍ନ ଭିନ୍ନ ଭାଷା ରହିଛି ସତ, ତଥାପି ମୁଖ୍ୟତଃ ସ୍ଵାହିଲି ଭାଷାକୁ ହିଁ ଆଫ୍ରିକାର ପ୍ରଧାନ ଭାଷା ବୋଲି କୁହାହୋଇ ଆସିଛି । ଔପନିବେଶିକ ଅମଳରେ ଯେଉଁ ଇଉରୋପୀୟ ଦେଶ ଯେଉଁଠାରେ ସାମ୍ରାଜ୍ୟ ବିସ୍ତାରି ରହିଛି, ସେଠାରେ ସେହି ଦେଶର ଭାଷା, ଜୀବନ–ଧାରା ଏବଂ କୃଷ୍ଟି ସେହି ଦେଶଟି ଦ୍ଵାରା ପ୍ରାୟ ଏକଆଖିଆ ଭାବରେ ଅନୁପ୍ରେରିତ ହୋଇଛି । ଫରାସୀ ଅଧିକୃତ ଅଞ୍ଚଳଗୁଡ଼ିକ ଫ୍ରାନ୍‌ସ୍‌ର ରାଜଧାନୀ ପାରିସ୍ ସହିତ ଆପଣାର ଯାବତୀୟ, ଭାବସୂତ୍ରକୁ ଯୋଡ଼ିବାକୁ ବାଧ୍ୟ ହୋଇଛନ୍ତି ଏବଂ ଇଂରାଜ ଅଧିକୃତ ଅଞ୍ଚଳଗୁଡ଼ିକ ଲଣ୍ଡନକୁ ହିଁ ଯାବତୀୟ ସମୃଦ୍ଧିର ପ୍ରାଣକେନ୍ଦ୍ର ସ୍ଵରୂପ ଗ୍ରହଣ କରି ନେଇଛନ୍ତି । ଏବେ ମଧ୍ୟ ସେହି ଉତ୍ସଗୁଡ଼ିକ ବଳବତର ହୋଇ ରହିଛି ଏବଂ ସେହି ଅନୁସାରେ ଆଫ୍ରିକାର ବିଭିନ୍ନ ଦେଶର ସଂସ୍କୃତି, ମନୋଦୃଷ୍ଟି ଏବଂ ଏପରିକି ରାଜନୀତିରେ ମଧ୍ୟ ଏକ ବିଭିନ୍ନତା ବେଶ୍ ସ୍ପଷ୍ଟ ଭାବରେ ପରିଲକ୍ଷିତ ହେଉଛି ।

 

ସେହି ବିଧାନଟି ଅନୁସାରେ ବ୍ରିଟିଶ୍ ଉପନିବେଶର ଶିଷ୍ଟବର୍ଗ ବ୍ରିଟେନ୍‌ରୁ ତାଲିମ୍ ପାଇଛନ୍ତି ଏବଂ ଫରାସୀ ଆଫ୍ରିକାର ଶିଷ୍ଟବର୍ଗ । ପାରିସ୍‌ରୁ ସେମାନେ ଆପଣାର ଆଦ୍ୟ ଶିକ୍ଷା ତଥା ସଂସ୍କାରରୁ ହିଁ ଗଡ଼ ଗଡ଼ କରି ଇଂରାଜୀ କିମ୍ବା ଫରାସୀ କହି ଜାଣିଛନ୍ତି ଓ ଆପଣା ଆପଣା ଦେଶର ଏକ ବିଶିଷ୍ଟ ବର୍ଗରୂପେ ସକ୍ରିୟ ହୋଇ ରହି ଆସିଛନ୍ତି । ଏହିସବୁ ଦେଶରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଗଢ଼ିହୋଇ ଆସିଥିବା ବିଶ୍ଵବିଦ୍ୟାଳୟଗୁଡ଼ିକ ମଧ୍ୟ ଯାବତୀୟ ଅର୍ଥରେ ବ୍ରିଟିଶ୍ ଅଥବା ଫରାସୀ ଛାଞ୍ଚରେ ତିଆରି ହୋଇଛନ୍ତି ଏବଂ ଶାଖା ପ୍ରଶାଖା ବିସ୍ତାର କରିଛନ୍ତି । ସ୍ୱାଧୀନତା ପରେ ଭାରତବର୍ଷ ପରି କୃଷ୍ଣ ଆଫ୍ରିକାର ଏହି ଶିଷ୍ଟ ବର୍ଗଟି ହିଁ ସାମୂହିକ ଜୀବନର ସିଂହଭାଗଟିକୁ ମାଡ଼ିବସିଛି, ନେତୃତ୍ଵର ଲଗାମଗୁଡ଼ିକୁ ହସ୍ତଗତ କରି ରଖିଛି । ଠିକ୍ ଭାରତବର୍ଷ ପରି ଏହି ବିଶିଷ୍ଟ ବା ଶିଷ୍ଟ ବର୍ଗଟି ସାଧାରଣ ଲୋକଜୀବନରୁ ଅତି ନିର୍ମମ ଭାବେ ଅଲଗା ହୋଇ ରହିଥିଲେ । ସେମାନଙ୍କ ଭିତରୁ ଯେଉଁମାନେ ଅଧିକ ବୟୋଜ୍ୟେଷ୍ଠ, ସେମାନେ ନିଜ ପିଲାଦିନେ ଇଉରୋପରେ ପାଠ ପଢ଼ିଛନ୍ତି, ଦୈନନ୍ଦିନ ଜୀବନରେ ନିଜର ଜନ୍ମଗତ ଭାଷାଟି ସହିତ ସେମାନେ ହୁଏତ ଯାବତୀୟ ଡୋରକୁ ଛିଣ୍ଡାଇ ପକାଇଛନ୍ତି । ଏମାନେ ନିଜ ଦେଶରେ ଉଚ୍ଚ ଥାନମାନଙ୍କରେ ପୀଢ଼ା ପକାଇ ବସିଛନ୍ତି ଏବଂ କେବଳ ଇଂଲଣ୍ଡ ବା ଫ୍ରାନ୍‌ସର ପାଠକଙ୍କୁ ନିଜ ଦେଶର କିଞ୍ଚିତ୍ କାବ୍ୟମୟ ପରିଚୟ ଦେବାକୁ ଇଂରାଜୀ ଅଥବା ଫରାସୀ ଭାଷାରେ ସାହିତ୍ୟ ଲେଖୁଛନ୍ତି । ଏମାନଙ୍କର ସବୁଯାକ ନାଭି ଓ ନାଡ଼ୀ ସେହି ବିଦେଶ ସହିତ ଲାଗିଛି । ଏମାନଙ୍କର ସାହିତ୍ୟରଚନା ଆଧୁନିକ ଇଉରୋପୀୟ ନିଃସଙ୍ଗତାର ଅନୁକରଣରେ ଏକ ଆଫ୍ରିକୀୟ ନିଃସଙ୍ଗତାର ନାଟକ ଫାନ୍ଦିଛି ଓ ସାହିତ୍ୟକୁ ଫାନୁଷ କରି ଆକାଶରେ ଉଡ଼ାଉଛି । ସତେଅବା କେତେବଡ଼ ଦିଶୁଛି ।

 

ଏକ ନମୁନା ରୂପେ ଆମେ ଏଠାରେ ନାଇଜିରିଆର ଶିଷ୍ଟ କବି Wole Soyinkaଙ୍କ ସମ୍ବନ୍ଧରେ ପଦେ ଆଲୋଚନା କରିପାରିବା । ସେ ଏବେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଛନ୍ତି । ସେ ଇଂରାଜୀ ସାହିତ୍ୟର ଅଧ୍ୟୟନ କରିଛନ୍ତି ଏବଂ ନିଜ ଦେଶର ଗୋଟିଏ ସେହି ଛାଞ୍ଚର ବିଶ୍ୱବିଦ୍ୟାଳିୟରେ ଇଂରାଜୀ ସାହିତ୍ୟର ଅଧ୍ୟାପନା କରିଛନ୍ତି । ଆମ ଭାରତବର୍ଷ ପରି କୃଷ୍ଣ ଆଫ୍ରିକାର ଅଧୁନାତନ ବିଶ୍ଵବିଦ୍ୟାଳୟଗୁଡ଼ିକ ସେହି ଆଗର ବିଲାତୀ ଢାଞ୍ଚାରେ ତିଆରି ହୋଇଛି ଓ ଉଚ୍ଚଶିକ୍ଷା ସେଠି କଳା ବାବୁମାନଙ୍କୁ ଗଢ଼ିବାରେ ବ୍ୟସ୍ତ ଅଛି । ଭୂମି ସହିତ ତା’ର ପ୍ରାୟ କୌଣସି ଚେର ଲାଗିନାହିଁ । ଶ୍ରୀଯୁକ୍ତ ସୋୟିଙ୍କା ପ୍ରେରଣାର କ୍ଷେତ୍ରରେ ସତେଅବା ଗୋଟାସୁଦ୍ଧା ବିଲାତରେ ଅଛନ୍ତି ଏବଂ ଆଫ୍ରିକୀୟ ସମାଜର ମିଥ୍ ଏବଂ ରୂପଚିତ୍ରଗୁଡ଼ିକୁ ନେଇ ଅଣ୍ଟାଭଙ୍ଗା ଇଂରାଜୀ କବିତାର ମାଧ୍ୟମରେ ଆନ୍ତର୍ଜାତିକ ଇଂରାଜୀ ପାଠକମାନଙ୍କର ଚିତ୍ତବିନୋଦନ କରୁଛନ୍ତି । ଆମ ଭାରତବର୍ଷ ପରି ସେହି କାଟର କବି ଓ ଲେଖକମାନେ ନିଜକୁ ଦୃଷ୍ଟିର କ୍ଷେତ୍ରରେ ଆନ୍ତର୍ଜାତିକ ବୋଲି କହୁଛନ୍ତି । ବଡ଼ ପୃଥିବୀ ସାନ ହୋଇ ଆସୁଥିବା ବେଳେ ସେମାନେ ଏକାବେଳେକେ ଆଉ ଗୋଟାଏ ଆକାଶରେ ଭୂଇଁଛଡ଼ା ହୋଇ ଉଡ଼ିବାକୁ ହିଁ କେଡ଼େ ଆସକ୍ତିର ସହିତ ଆନ୍ତର୍ଜାତିକତା ବୋଲି କହୁଛନ୍ତି । ସ୍ଥାନୀୟତାକୁ ପ୍ରାୟ ଅନାବଶ୍ୟକ ବୋଲି ଘୋଷଣା କରୁଛନ୍ତି । ସମ୍ଭବତଃ ଏହି ବର୍ଗର କବିମାନଙ୍କୁ ଉଦ୍ଦେଶ୍ୟ କରି ଜନୈକ କୃଷ୍ଣ କବିତାକାର ‘those who flaunt their proud pseudomorphosis’ ବୋଲି ଉଲୁଗୁଣା ଦେଇଛନ୍ତି ।

 

ନୂତନ ଅର୍ଥାତ୍ ସ୍ଵାଧୀନ କୃଷ୍ଣ ଆଫ୍ରିକାର ଅସଲ ସମସ୍ୟା ହେଉଛି ଅର୍ଥନୈତିକ ଦାରିଦ୍ର୍ୟ-। ଅର୍ଥନୈତିକ ଦାରିଦ୍ର୍ୟ ଯେ ପ୍ରାୟ ନିୟମତଃ ସାଂସ୍କୃତିକ ଦାରିଦ୍ର୍ୟକୁ ହାତଧରି ଡାକି ନେଇଆସେ, ତାହା ଭାରତବର୍ଷ ସମେତ ପୃଥିବୀର ବହୁ ଦେଶରେ ପ୍ରମାଣିତ ହୋଇଛି ଏବଂ ଏକ ଆଧୁନିକ ମାର୍କାର ନବ୍ୟସାମନ୍ତବାଦ ହିଁ ଭାରତବର୍ଷ ସମେତ ପୃଥିବୀର ବହୁ ଦେଶରେ ଅର୍ଥନୈତିକ ତଥା ସାଂସ୍କୃତିକ ଦାରିଦ୍ର୍ୟକୁ ସତେଅବା ଚିରସ୍ଥାୟୀ କରି ରଖିବାରେ ଷଡ଼ଯନ୍ତ୍ର କରିଆସିଛି । ବାହାରକୁ ଆଫ୍ରିକୀୟ କୃଷ୍ଣ ସମାଜର ଥୋକେ ଉପରିସ୍ଥ ନୂଆ ସାମନ୍ତ ବନିଛନ୍ତି ଓ ସାହିତ୍ୟ ସମେତ ସଂସ୍କୃତିର ଯାବତୀୟ ପରିମଳକୁ ପ୍ରାୟ ଏକଚାଟିଆ ଭାବରେ ଅଧିକାର କରି ରହିଛନ୍ତି । ଆଫ୍ରିକାର ଅରଣ୍ୟବାସୀ ଦୁଃସ୍ଥ ହୋଇ ରହିଛନ୍ତି । ଆଫ୍ରିକାର ଦ୍ଵିତୀୟ ବଡ଼ ସମସ୍ୟା ଓ ତେଣୁ ବଡ଼ ଆହ୍ଵାନ ହେଉଛି ପ୍ରଜାତୀୟ ସ୍ତରରୁ ସେଠା ଜନଗଣଙ୍କର ଉଚ୍ଚାକାଙ୍‌କ୍ଷାଗୁଡ଼ିକୁ ଏକ ସମ୍ମୁଖଦୃଷ୍ଟିସମ୍ପନ୍ନ ସାହସଯୁକ୍ତ ମାନବୀୟ ସ୍ତରକୁ ଉନ୍ନତ କରି ଆଣିବାର ସମସ୍ୟା ଓ ଆହ୍ଵାନ । ବାହାରକୁ ଦେଶମାନେ ଶାସନଗତ ଏକକ ହୋଇ ଦେଖାଯାଉଥିଲେ ମଧ୍ୟ ଅସଲ ନାଡ଼ୀ ଓ ଅସଲ ଗଣ୍ଠିଗୁଡ଼ିକର ସ୍ତରରେ ସେଠାରେ ଏବେ ମଧ୍ୟ ପ୍ରଜାତିଗତ ଉଗ୍ରାନୁରାଗଗୁଡ଼ିକ ବଡ଼ ଜବର ହୋଇ ରହିଛି ଓ ଯାବତୀୟ ସାମୂହିକ ତଥା ରାଜନୀତିଗତ ବିବର୍ତ୍ତନର ଗୋଡ଼ରେ ପଥର ବାନ୍ଧି ରଖିଛି । କଳା ଆଫ୍ରିକାର ଶିକ୍ଷିତମାନେ ହିଁ ସତେଅବା ଏହି ଅନ୍ଧାରିଆ ଅବସ୍ଥାରୁ ସବୁଠାରୁ ଅଧିକ ଫାଇଦା ଉଠାଉଛନ୍ତି ।

 

ଏହି ପରିପ୍ରେକ୍ଷୀରେ ଏକ ନୂତନ ଅଭିକ୍ରମ ସହିତ ନିଜ ଭୂମିକୁ ଭଲ ପାଉଥିବା ଓ ନିଜ ଭୂମିରେ ହିଁ ନିଜର ଚେରଗୁଡ଼ିକୁ ସ୍ଥିର କରି ରଖିଥିବା ଅନ୍ୟମାନେ କ୍ରମେ ଚଳନ୍ତି ସାହିତ୍ୟର ସାମନ୍ତମାନଙ୍କ ବିଷୟରେ ସଂଶୟ ପ୍ରକାଶ କଲେଣି ଏବଂ ପ୍ରତିବାଦର ସ୍ଵର ଉଠାଇଲେଣି । ସେମାନେ ଅତ୍ୟନ୍ତ ରୁଷ୍ଟ ଭାବରେ ଦାଣ୍ଡରେ ଶୋଭା ପାଉଥିବା ଆଫ୍ରିକୀୟ ସାହିତ୍ୟକୁ ଇଉରୋପୀୟ ସାହିତ୍ୟର ଏକ ଦରିଆପାରି ମାହାଲ ବୋଲି ବିଚାର କରୁଛନ୍ତି । ଉକ୍ତ ସାହିତ୍ୟର ଯାବତୀୟ ବୃତ୍ତିକୁ ସେମାନେ Euromodern ଏବଂ Eurocentric ବୋଲି କହୁଛନ୍ତି । ପୂର୍ଣ୍ଣ ଆସ୍ଥା ଏବଂ ପୂର୍ଣ୍ଣ ପ୍ରତ୍ୟୟ ସହିତ ସେହି ବୃତ୍ତି ଏପର୍ଯ୍ୟନ୍ତ ବି ଆଫ୍ରିକାର ଭୂମିକୁ ଅନୁଭବ କରି ପାରିନାହିଁ । ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ କେତେଟା ଇଉରୋପୀୟମାନଙ୍କର ତଥା ଇଉରୋପୀୟ ଆଙ୍ଗିକର ପ୍ରେମରେ ଯାଇ ପଡ଼ିଯାଇଛି ଏବଂ ନିଜ ଘରେ ଓ ନିଜ ଜୀବନମାଟିର ପରମ୍ପରାରେ ଯେ ଗୌରବବୋଧ କଲାଭଳି ଅନେକ ରତ୍ନ ରହିଛି ଓ ଭବିଷ୍ୟତ ଲାଗି ଯେ ବହୁ ପ୍ରତିଶ୍ରୁତି ଅପେକ୍ଷା କରି ରହିଛି, ମୋହାନ୍ଧ ଆଖିରେ ତାହା ସେହି ସତ୍ୟଟିକୁ ମୋଟେ ଦେଖି ପାରୁ ନାହିଁ । ବିଶ୍ୱବିଦ୍ୟାଳୟମାନେ ନିଜ ସଂବେଦନାଗତ ସ୍ତରରେ ଆଫ୍ରିକା ଅପେକ୍ଷା ବିଲାତ ଓ ଫ୍ରାନସ୍ ସହିତ ଅଧିକ ବାନ୍ଧିହୋଇ ରହିଥିବାରୁ ସେଠାରେ ବହୁ ପ୍ରତିଭାଧର ତରୁଣଙ୍କର ମସ୍ତିଷ୍କ ଏବଂ ମୂଲ୍ୟଦଣ୍ଡଗୁଡ଼ିକୁ ମୂଳରୁ ହିଁ ବିଗାଡ଼ି ଦିଆଯାଇଛି ।

 

ଇଉରୋପରୁ ମହାପ୍ରସାଦ ଆଣି ଆଫ୍ରିକାରେ ସାହିତ୍ୟରେ ପୁଣ୍ୟ ଅର୍ଜନ କରୁଥିବା ଲେଖକମାନେ ସାଧାରଣତଃ ଏକାନ୍ତ ବ୍ୟକ୍ତିଗତ ଓ ଅଧିକାଂଶ ସମୟରେ ମିଛ ଆବେଗଗୁଡ଼ିକୁ ଜିରା କରି ସେଥିରୁ ଶିରା ବାହାର କରୁଛନ୍ତି । ଯେଉଁସବୁ ଦୁଷ୍ଟ ରାଜନୀତିକ ଏବଂ ସାମାଜିକ ଅର୍ଗଳଗୁଡ଼ିକ ଆଫ୍ରିକାର ସାଧାରଣ ମଣିଷକୁ ଅଳ୍ପବଳ କରି ରଖିଛି, ସେମାନେ ସେସବୁ କ୍ଷେତ୍ରକୁ ସତେଅବା ଛୁଇଁବାକୁ ମଧ୍ୟ ଭୟ କରୁଛନ୍ତି । ସେମାନେ ଏହି ଉପସ୍ଥିତ ଅନ୍ଧାର ଓ ଅବ୍ୟବସ୍ଥାର ଉପରେ ରହିଛନ୍ତି, ରଜ୍ଜୁ ଗୁଡ଼ିକୁ ହାତରେ ରଖିଛନ୍ତି ଏବଂ ସେଥିରୁ ଲାଭବାନ ବି ହେଉଛନ୍ତି । ଉପସ୍ଥିତ ବ୍ୟବସ୍ଥାଟାରେ ପରିବର୍ତ୍ତନ ହେଉ ବୋଲି ସେମାନେ ହୁଏତ ଆଦୌ ଇଚ୍ଛା କରୁନାହାନ୍ତି ଏବଂ ଏକ ଶିକ୍ଷାପ୍ରାପ୍ତ ଶ୍ରେଣୀ ହିସାବରେ କାଳଟାକୁ ଅଟକାଇ ରଖିବାର ମନ୍ଦ ମତଲବରେ ସାହିତ୍ୟକୁ ଆପାଣାର ଚମ୍ପାଚାକରାଣୀ କରି ରଖିଛନ୍ତି । ଯଦି ସେମାନେ ଆଫ୍ରିକାର ସାଧାରଣ କୋଟି କୋଟି ମଣିଷଙ୍କ ସହିତ ନିଜକୁ ସାମିଲ କରି ରଖି ପାରୁଥାନ୍ତେ, ଯଦି ଏକ ସର୍ବମାନବିକ ଆଫ୍ରିକୀୟ ଜାତୀୟତାର ଭାବାଦ୍ଵାରା ଉଦ୍‌ବୁଦ୍ଧ ହୋଇ ପାରନ୍ତେ, ତେବେ ସେମାନେ ନିଃସନ୍ଦେହ ଭାବରେ ସାହିତ୍ୟରେ ଅନେକ ଅସମ୍ଭବକୁ ସମ୍ଭବ କରି ପାରନ୍ତେ । ବର୍ତ୍ତମାନର ନିର୍ଜୀବ, ପ୍ରେରଣାହୀନ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ଅପୂର୍ବ ଜୀବନ୍ତତା ସୃଷ୍ଟି କରି ପାରନ୍ତେ ଓ ଆଫ୍ରିକାର ସଂସ୍କୃତି ଓ ସାହିତ୍ୟକୁ ତା’ର ବର୍ତ୍ତମାନ ଔପନିବେଶିକ କେତେ କେତେ ବେଡ଼ୀରୁ ମୁକୁଳାଇ ଆଣି ପାରନ୍ତେ ।

 

ମାତ୍ର, ବର୍ତ୍ତମାନ ତାହା ହୋଇ ପାରୁନାହିଁ । ସାହିତ୍ୟ ସେଠାରେ ଏକ ନୂତନ ନେତୃତ୍ଵ ଲାଗି ଅପେକ୍ଷା କରୁଛି । ଯେତେବେଳେ ତୁମ ନିଜ ଭାଗ୍ୟ ସହିତ ଗୁନ୍ଥା ହୋଇଥିବା ମଣିଷମାନଙ୍କ ବିଷୟରେ ତୁମର କିଛି କହିବାକୁ ନଥିବ ଓ ଏକ ଉଗ୍ରମନ୍ୟ ଉଦାସୀନତା ତୁମକୁ ଅସଂଖ୍ୟ ଅହମିକାରେ ସେମାନଙ୍କଠାରୁ ଦୂରଛଡ଼ା କରି ରଖିଥିବ, ତେବେ ତୁମେ ତୁଚ୍ଛା ନିଜ ଜୁଗୁପସା ଗୁଡ଼ିକର ନାନା ଅନ୍ଦିସନ୍ଦି ଗୁଡ଼ାକରେ ପଶିହିଁ ଗୋଟାଏ ପ୍ରକାରର ରହସ୍ୟବିହରଣ କରୁଥିବ ଓ ତାହାକୁ ବିକାରଗ୍ରସ୍ତ ଭାବରେ ନିଜର ବ୍ୟକ୍ତିଗତ ଆଧ୍ୟାତ୍ମିକତା ବୋଲି କହୁଥିବ । ଅଥବା, ଯେଉଁମାନେ ତୁମ କବିତା ବା ତୁମ ସାହିତ୍ୟର ସତକୁ ସତ ଶ୍ରୋତା ହୋଇଥାନ୍ତେ, ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଦୂରସ୍ଥ ଆଉ କେଉଁ ରସିକସଭା ଉଦ୍ଦେଶ୍ୟରେ ଅଭିନବ ଚିତ୍ରଣରେ ସନ୍ଦେଶମାନ ପ୍ରେରଣ କରିବାରେ ଲାଗିଥିବ, ବିଦେଶୀମାନଙ୍କ ପାଇଁ ନିଜ ଦେଶର ସ୍ଵନିର୍ବାଚିତ ଦୂତ ସାଜିବ, ଛଳନା କରି ନିଜ ମାଟିର ବା ନିଜ ସାହିତ୍ୟର ପ୍ରତିନିଧି ବୋଲି ସେମାନଙ୍କ ଦରବାରରେ ଯାଇ ଭାଷଣ କରୁଥିବ । ବିଦେଶୀମାନେ ହୁଏତ ତୁମକୁ ଶୁଣୁଥିବେ ଏବଂ କରତାଳି ଦେଉଥିବେ, ମାତ୍ର ତୁମ ନିଜ ମାଟିର ଆପଣା ଲୋକେ ତୁମକୁ ବୁଝି ପାରୁନଥିବେ, ତୁମେ କାହାଲାଗି କ’ଣ କହୁଛ ବୋଲି ଅବାକ୍ ହୋଇ ଅନାଇଥିବେ ।

 

ଏହା କେବଳ କଳା ଆଫ୍ରିକାର ସାହିତ୍ୟ ଲାଗି ଏକ ଆହ୍ଵାନ ନୁହେଁ, ଆମ ଭାରତବର୍ଷ ନିମନ୍ତେ ମଧ୍ୟ ଏକ ଆହ୍ଵାନ । ପୁରୁଣାକୁ ଛାଡ଼ି ଏକ ନୂତନ ବିଶ୍ଵପରିଚୟ ଏବଂ ଜୀବନସମ୍ବନ୍ଧ ଲାଗି ବାଟ ଖୋଜୁଥିବା ଓ ତଥାପି ଆପଣାର ଭୂମିଉପରେ ସମଗ୍ର ଆକାଶଟିକୁ ଆବିଷ୍କାର କରି ଥିବାର ପୂର୍ଣ୍ଣ ପ୍ରତ୍ୟୟ ଲାଭ କରିନଥିବା ଆମ ସମସ୍ତଙ୍କ ଲାଗି ଏକ ଆହ୍ଵାନ, ଆମ ପାଇଁ ଅପେକ୍ଷା କରିଥିବା ପରବର୍ତ୍ତୀ ନିଶାନ୍ତଟି ଲାଗି ହୁଏତ ସବୁଠାରୁ ବଡ଼ ଆହ୍ଵାନ ।

 

–ନିଶାନ୍ତ, ୧/୩, ୧୯୯୪

Image

 

Unknown

ଶିଶୁସାହିତ୍ୟର ଔଚିତ୍ୟ

 

ଅଶିଶୁମାନେ ଶିଶୁମାନଙ୍କ ନିମନ୍ତେ ସାହିତ୍ୟ ବୋଲି ଯାହା କିଛିକୁ ରାନ୍ଧି ଥୋଇଦିଅନ୍ତି, ପାରମ୍ପରିକ ସଂଜ୍ଞାନିରୂପଣ ଭୋଳରେ ଆମେ ତାକୁ ଶିଶୁସାହିତ୍ୟ ବୋଲି ବୁଝିଥାଉ ଓ କହିଥାଉ । ଅଶିଶୁମାନଙ୍କର କାମ ଚଳିବାପାଇଁ ଏତିକି ସଂଜ୍ଞା ଯେ ବେଶ୍ ଚଳିଯାଏ, ଏଥିରେ କୌଣସି ସନ୍ଦେହ ନାହିଁ । ଶିଶୁମାନେ ସାହିତ୍ୟ ବୋଲି ଯାହା ଲେଖନ୍ତେ, ଯଥାର୍ଥତଃ ତାହାକୁ ହିଁ ଶିଶୁସାହିତ୍ୟ ବୋଲି କୁହାଯାଆନ୍ତା ବୋଲି ଶ୍ରୀ ପ୍ରମଥ ଚୌଧୁରୀ ଏକଦା ଯାହା ଲେଖିଥିଲେ, ସେଥିରେ ତଥାପି ବହୁତ ସତ୍ୟ ନିହିତ ହୋଇ ରହିଛି । ଆମ ସମାଜରେ ଗୋଟିଏ ଶିଶୁ ସତକୁ ସତ ତା’ ସାହିତ୍ୟ ବୋଲି କ’ଣ ସବୁ ପଢ଼ିବାକୁ ଇଚ୍ଛା କରୁଛି, ସେହି ସମାଜର ଅଶିଶୁମାନେ ନିଜେ ବାନ୍ଧି ହୋଇଥିବା ସଂସ୍କାରଗୁଡ଼ାକ ଦ୍ଵାରା ପରିଚାଳିତ ହୋଇ ତାହାର ନିରୂପଣ କରିଥାନ୍ତି । ସମାଜର ଅଧିକାଂଶ ବୟସ୍କ ପ୍ରୟୋଜନର ବଶବର୍ତ୍ତୀ ହୋଇ ଅନେକ ସମୟରେ ସଂସ୍କାରଗୁଡ଼ିକୁ ହିଁ ସତ୍ୟ ବୋଲି ଗ୍ରହଣ କରି ନେଇଥାଆନ୍ତି । ସେମାନେ ଯେତିକି ଭିତରେ ରହିଥାନ୍ତି ଓ ଆତଯାତ ହେଉଥାନ୍ତି, ତାହାକୁ ହିଁ ସତେଅବା ସନାତନ ବୋଲି ବୁଝନ୍ତି । ତଦ୍ଦ୍ୱାରା ‘ସନାତନ’ ଶବ୍ଦଟିର ପରିଧିଟିକୁ ଭାରି ଅଶୁଦ୍ଧ କରିପକାନ୍ତି ।

 

ଭାରତୀୟ ସମାଜରେ ଆମର ମାପକାଠି ଗୁଡ଼ିକ ଅନୁସାରେ ଶିଶୁ କିଏ, ଯାହାପାଇଁକି ଶିଶୁସାହିତ୍ୟ ଲେଖାଯିବ ? ଭାରତବର୍ଷର ସାମାଜିକ ସଂସ୍କୃତିରେ ସେହି ଆବହମାନ କାଳରୁ ହିଁ ଅସମାନ ମଣିଷମାନଙ୍କ ଭିତରେ ଏକ ଅସ୍ଵାସ୍ଥ୍ୟକର ଦଉଡ଼ ଲାଗି ରହିଆସିଛି ଓ କାଳେକାଳେ ଅଧିକ ପ୍ରବଳ ଓ ଅଧିକ ବଳଶାଳୀମାନେ ହିଁ ସେହି ଦଉଡ଼ଗୁଡ଼ିକର ନିୟମାବଳୀକୁ ନିର୍ଦ୍ଧାରଣ କରି ଦେଇଛନ୍ତି । ଅର୍ଥାତ୍, ଯୁଗେଯୁଗେ ସେହିମାନେ ହିଁ ସବୁ ଦଉଡ଼ରେ ଜିତିଛନ୍ତି ଏବଂ ସେହି ଜିତିବାକୁ ଭଗବାନଙ୍କର କୃପା ବୋଲି କହିଛନ୍ତି । ସେହି ଜିତିବାବାଲାଙ୍କୁ ଆଖି ଆଗରେ ରଖି ପଣ୍ଡିତମାନେ ଶାସ୍ତ୍ର ଲେଖିଛନ୍ତି, ଭାଟମାନେ ଶ୍ଲୋକାବୃତ୍ତି କରିଛନ୍ତି ଏବଂ ବିଷ୍ଣୁଶର୍ମାମାନେ କାହାଣୀ ଶୁଣାଇଛନ୍ତି । ନୈତିକତା ଓ ମୂଲ୍ୟବୋଧ ପ୍ରଭୃତିର ଅଭିଧାନ ଏବଂ ବ୍ୟାକରଣଗୁଡ଼ିକ ମଧ୍ୟ ନ୍ୟାୟତଃ ସେହି ହିସାବରେ, ବେହିସାବରେ ତିଆରି କରାଯାଇଛି । ସେହି ବେହିସାବର ବେଭାର ଆମ ଦେଶରେ ଓ ଆମ ସମାଜରେ ଅଳ୍ପବହୁତେ ଏବେ ମଧ୍ୟ ଚାଲିଛି । ବହୁବିଧ ଅବଜ୍ଞା ଓ ଉପେକ୍ଷାକୁ ଏକ ପଳାୟନଧର୍ମୀ ଓ ପରାଜୟବାଦୀ ସମାଜନୀତି ପ୍ରାୟ ଅବଶ୍ୟମ୍ଭାବୀ ବୋଲି ମାନିନେଇଛି ।

 

ଏକ ନିର୍ଦ୍ଦିଷ୍ଟ ବୟସର ବନ୍ଧନୀକୁ ସାଧାରଣତଃ ଆମ ସମାଜରେ ବାଲ୍ୟାବସ୍ଥା ବୋଲି ଧରାଯାଏ । ଶିଶୁସାହିତ୍ୟର ଯାବତୀୟ ଆଲୋଚନାରେ ଆମେ ହୁଏତ ଆହୁରି କିଛି ହ୍ରସ୍ଵ କରିଆଣି ସେହିସବୁ ବର୍ଷକୁ ଶିଶୁକାଳ ବୋଲି କହିବା, ଯେତେବେଳେ କି ପିଲାଟିଏ ତା’ ସ୍କୁଲକୁ ଯାଇଥାଏ । ଭାରତବର୍ଷରେ ଅଧେ ପିଲାଙ୍କର ଜୀବନରେ ଯେତେବେଳେ ସେହି ବୟସଟି ଆସେ, ସେତେବେଳେ ସେମାନେ ଈଶ୍ଵରଦତ୍ତ କିମ୍ବା ପ୍ରକୃତିନିର୍ଦ୍ଦିଷ୍ଟ ଆଦୌ କୌଣସି କାରଣରୁ ନୁହେଁ, ବିରାଟ ସାମାଜିକ ଅନ୍ୟାୟଗୁଡ଼ିକର କାରଣରୁ ସତକୁ ସତ କୌଣସି ସ୍କୁଲକୁ ଯାଇ ପାରନ୍ତି ନାହିଁ । ଏହି ଶିଶୁମାନେ ମଧ୍ୟ ବଡ଼ ହୁଅନ୍ତି, ବୟସ୍କ ହୋଇ ଆମ ସମାଜର ଚାଲିବାରେ ଭୂମିକାମାନ ଗ୍ରହଣ କରନ୍ତି । ଭାରତବର୍ଷର ଶିଶୁସାହିତ୍ୟ ସମ୍ଭବତଃ ଅଡ଼ୁଆରେ ପଡ଼ିବନାହିଁ ବୋଲି ସେହି କିସମର ପିଲାମାନଙ୍କର କଥା ଏପର୍ଯ୍ୟନ୍ତ ନିଜ ବିଚାରର ପରିଧି ମଧ୍ୟକୁ ନେଇ ନାହିଁ । ଅନେକ ସମୟରେ ଦୁଷ୍ଟଙ୍କ ପରି କହିବାକୁ ଇଚ୍ଛା ହୁଏ ଯେ, ଶିଶୁମାନଙ୍କୁ ଲକ୍ଷ୍ୟ ରଖି ସାହିତ୍ୟ ଲେଖୁଥିବା ବଡ଼ମାନେ ଭାରତବର୍ଷରେ ଏକାନ୍ତ ଭାବବିହ୍ଵଳ କୌଣସି ପ୍ରୟୋଜନରେ ଅଥବା ଆକର୍ଷଣରେ ପଡ଼ି ସାହିତ୍ୟ ଭିତରୁ ହିଁ ଶିଶୁ ପାଖକୁ ଆସନ୍ତି, ଆଗ ଶିଶୁମାନଙ୍କ ଭିତରେ ଅବଗାହି ଅର୍ଥାତ୍ ଯେକୌଣସି ଶିଶୁ ଭିତରେ ଅସଲ ଶିଶୁଟିକୁ ଛୁଇଁ ମୋଟେ ସାହିତ୍ୟ ଭିତରକୁ ଯାଆନ୍ତି ନାହିଁ । ଯେକୌଣସି ଘରେ ମାଆଟିଏ ତା’ର ଅନେକ ଶିଶୁଙ୍କ ଭିତରୁ ପ୍ରାୟ ଧର୍ମତଃ ଆଗ ତା’ର ଧଡ଼ିଆ ରୋଗିଣା ଏବଂ ଭୋକିଲା ଶିଶୁମାନଙ୍କୁ ଦେଖେ । ଆଗ ସେମାନଙ୍କର ଶୁଶ୍ରୂଷା କରି ତା’ପରେ ଯାଇ ଅନ୍ୟମାନଙ୍କ ପାଖକୁ ଯାଏ । ଭାରତବର୍ଷ ନାମକ ଘରେ ଶିଶୁସାହିତ୍ୟ ଲେଖୁଥିବା ବିଭୂତିମାନେ ଆଗ ଏହି କାଟର ପିଲାମାନଙ୍କୁ ଦେଖି ପାରୁଥାନ୍ତା । ସେମାନଙ୍କ ଲାଗି ସାହିତ୍ୟ ଲେଖୁଥିବା ଜଣେ ଲେଖକ ପ୍ରକୃତରେ ମାଆଟିଏ ନହୋଇ ଆଉ କ’ଣ ହୋଇପାରିବ ।

 

ଆମ ସମାଜରେ ଯେଉଁ ପିଲାମାନେ ପାଠ ପଢ଼ିବାଲାଗି ବିଦ୍ୟାଳୟକୁ ଆସୁନାହାନ୍ତି, ସେମାନଙ୍କର ଜୀବନ ଯେ ବୃଥା ହୋଇ ଯାଉଛି, ସେକଥା ଆଦୌ ନୁହେଁ । ସେମାନେ ଜୀବନରୁ ଶିକ୍ଷାଲାଭ କରୁଛନ୍ତି । ସେମାନଙ୍କ ଭିତରେ ହୁଏତ ଆତ୍ମବିଶ୍ଵାସ ଏବଂ ଆତ୍ମୀୟତାଭାବ ଅଧିକତର ପରିମାଣରେ ରହିଛି । ଏମାନେ ବଡ଼ ହୋଇ ଗେହ୍ଲା ପାଠପଢ଼ି, ଗେହ୍ଲା ସାହିତ୍ୟକୁ ଉପଭୋଗ କରି ବଡ଼ ହୋଇଥିବା ଅନ୍ୟମାନଙ୍କଠାରୁ ହୁଏତ କମ୍ ଅସାଧୁ ହେଉଛନ୍ତି । ପାଠୁଆମାନେ ଯେତେ ଯେତେ ଅପକର୍ମକୁ ସାହସ କରୁଛନ୍ତି, ଏମାନେ ହୁଏତ ସେତେଯାଏ ସାହସ କରୁନାହାନ୍ତି । ଦରିଦ୍ର ଭାରତବର୍ଷରେ ଏହିମାନଙ୍କର ସଂଖ୍ୟା ଅଧିକ ହୋଇ ରହିଛି ବୋଲି ସମ୍ଭବତଃ ଭାରତବର୍ଷ ତିଷ୍ଠି ରହିଛି । ଆମ ଦେଶର ଶିଶୁସାହିତ୍ୟ ଏମାନଙ୍କ ଲାଗି ମଧ୍ୟ ଆପଣାକୁ ନିୟୋଜିତ କରିପାରିବାର ଉପାୟ ବାହାର କରିବା ତ ବହୁତ ଦୂରର କଥା, ଆମ ଶିଶୁସାହିତ୍ୟିକମାନେ ପିଲାଙ୍କ ସକାଶେ ସାହିତ୍ୟ ଲେଖିବା ସମୟରେ ଏମାନଙ୍କ ପାଇଁ ଲେଖା ହେଉଥିବା ସାହିତ୍ୟର ମାଧ୍ୟମରେ ସେହି ଅନ୍ୟ ପିଲାଙ୍କ ବିଷୟରେ ସଚେତନ ହୁଅନ୍ତୁ, ସେମାନଙ୍କର ଭାଗ୍ୟ ସହିତ ନିଜ ଭାଗ୍ୟକୁ ସାମିଲ୍ କରି ଚିନ୍ତା କରିପାରନ୍ତୁ, ଏବଂ ତାହାଦ୍ଵାରା ଆଗାମୀ କାଲିର ଭାରତବର୍ଷକୁ ସେମାନେ ଏକ ଅନ୍ୟଭଳି ମାନବସ୍ୱୀକୃତିର ପରିଧି ଭିତରେ ଦେଖି ଶିଖନ୍ତୁ, ଆମର ଚଳନ୍ତି ଶିଶୁଲେଖାମାନ ଏଯାଏ ବି ତେଣେ ମନଦେଇ ପାରିନାହିଁ । ତେଣୁ ଶିଶୁସାହିତ୍ୟ ଏଠି ଅନେକତଃ ଥୋକେ ବିଶେଷ ପିଲାଙ୍କର ବସ୍ତୁତଃ ଉପଭୋଗପ୍ରଧାନ ଏକ ବଣଭୋଜୀ ପରି ହୋଇ ରହିଛି ।

 

ତେଣୁ, ଶିଶୁସାହିତ୍ୟ ଅଧିକତର ପରିମାଣରେ ଭୁଲାଇ ନେଉଛି, ରସାଉଛି, ମଜ୍ଜାଇ ରଖୁଛି, ସତେଅବା ଏକ ବିନୋଦନସାମଗ୍ରୀ ପରି କାର୍ଯ୍ୟ କରୁଛି । ସାହିତ୍ୟ ବିନୋଦନର ଏକ ସାମଗ୍ରୀରେ ପରିଣତ ହୋଇ ରହିଲେ ଆମ ସମସ୍ତଙ୍କ ଭିତରେ ରହିଥିବା ମନୁଷ୍ୟତ୍ମାଟିର ଯେଉଁ କ୍ଷତି ହୁଏ, ଶିସୁସାହିତ୍ୟରେ ମଧ୍ୟ ଅନୁରୂପ କିଛି ଘଟୁଛି କି ନାହିଁ, ତାହାର ଏକ ଆକଳନ ହୋଇ ପାରନ୍ତା । ବିଲୁଆ, ବେଙ୍ଗ, ହାତୀ, କୋକିଶିଆଳି, ବାଘମାମୁଁ ଏବଂ କଜଳପାତୀମାନେ ଆମ ଶିଶୁସାହିତ୍ୟରେ କାହିଁକି ଏଡ଼େ ଅଲିଅଳ ଭାବରେ ପାତ୍ରପାତ୍ରୀରୂପେ ଥାନ ମାଡ଼ି ବସୁଛନ୍ତି, ସେହି ପ୍ରସଙ୍ଗଟିର ମଧ୍ୟ ଅନୁସନ୍ଧାନ ହୋଇପାରନ୍ତା । ପୁରାଣମାନଙ୍କରୁ ତ୍ୟାଗ, ଦାନ, ମିତ୍ରତା ଓ ମହନୀୟତାର ମଡ଼େଲ୍ ଗୁଡ଼ିକୁ ଆଣି ପିଲାଙ୍କୁ ସତେଅବା ସେମାନଙ୍କର ବର୍ତ୍ତମାନଟି ବିଷୟରେ ଭାରି ବଧିରା କରି ଦିଆଯାଇଛି । ବର୍ତ୍ତମାନ ବିଷୟରେ ମନୁଷ୍ୟର ଚିତ୍ତକୁ ଯଥାସମ୍ଭବ ଅଧିକ ସମ୍ବେଦନଶୀଳ କରାଇବାର ପ୍ରୟାସ କରିବା ହୁଏତ ଯେକୌଣସି ସୁସ୍ଥ ସାହିତ୍ୟର ଅଭିପ୍ରାୟ ହୋଇ ରହନ୍ତା । ଆମ ତଥାକଥିତ ଶିଶୁସାହିତ୍ୟ ମଧ୍ୟ ସେଥିରୁ ମୋଟେ ବାଦ୍ ହୋଇ ରହନ୍ତା ନାହିଁ-। ବର୍ତ୍ତମାନ ବିଷୟରେ ସମ୍ବେଦନଶୀଳ ହୋଇ ନପାରିଲେ ଆମେ ଭବିଷ୍ୟତଟାକୁ ମଧ୍ୟ କଦାପି ନିଜ ଭିତରେ ସୁସ୍ଥଭାବରେ ଅନୁଭବ କରି ପାରିବା ନାହିଁ । ଭବିଷ୍ୟତର ଗଠନ ଅର୍ଥାତ୍ ଆବଶ୍ୟକ ବିଘଟନ ତଥା ପୁନର୍ଗଠନ ବିଷୟରେ ଯଥାର୍ଥ ଅନୁଭବ କରି ପାରିବା ନାହିଁ । ଭବିଷ୍ୟତର ଗଠନ ଅର୍ଥାତ୍ ଆବଶ୍ୟକ ବିଘଟନ ତଥା ପୁନର୍ଗଠନରେ ଯଥାର୍ଥ ଅନୁରାଗ ସହିତ ଭାଗ ନେଇ ପାରିବା ସକାଶେ ନିଜର ଏକ ଦାୟିତ୍ଵ ରହିଛି ବୋଲି ହୃଦୟଙ୍ଗମ କରିବା ତ ଆହୁରି ଅଧିକ ଦୂରର କଥା-। ମଜା କଥା ଓ ମଜା ଗୀତଦ୍ଵାରା ପିଲାମାନଙ୍କର ମିଜାଜଟାକୁ ବହଲାଇ ରଖିବା ଯଦି ବୟସ୍କ ଶିଶୁସାହିତ୍ୟ ଲେଖକମାନଙ୍କ ଅଭ୍ୟାସ ହୋଇ ରହିଯିବ, ତେବେ ଆମ ପିଲାଏ ସତେଅବା ଅଫିମ ଖାଇ ଏକାବେଳକେ ସମ୍ବେଦନାଶୂନ୍ୟ ହୋଇ ରହିଯିବେ । ଆମ ଏବର ସାହିତ୍ୟ ପାଠକମାନଙ୍କୁ ଯେପରି ମୁଖ୍ୟତଃ ଏକ ଆତ୍ମକାମୀ ଓ ଆତ୍ମରତି ଦାୟିତ୍ଵହୀନତାର କ୍ରୋଡ଼ରେ ନେଇ ଶୁଆଇ ପକାଉଛି, ଉପସ୍ଥିତ ଆହ୍ଵାନଗୁଡ଼ିକ ବିଷୟରେ ଅନ୍ୟମନସ୍କ କରି ରଖୁଛି, ଆମ ଶିଶୁସାହିତ୍ୟ ପିଲାମାନଙ୍କର ଗ୍ରହଣଦ୍ଵାର ଗୁଡ଼ିକୁ ମଧ୍ୟ ସେହିପରି କିଳି ରଖିବ ।

 

ଗୋଟିଏ ଶିଶୁଲାଗି ସତକୁ ସତ ଅସଲ ଆହ୍ଵାନଗୁଡ଼ିକ କହିଲେ ଆମେ କେଉଁସବୁ କଥାକୁ ବୁଝିବା ? ଶିଶୁଟିଏ ଭିତରେ ପୂର୍ଣ୍ଣ ମଣିଷଟିଏ ହେବାର ସମ୍ଭାବନାମାନ ଭର୍ତ୍ତିହୋଇ ରହିଛି । ବଡ଼ହୋଇ ଚତୁର୍ଦ୍ଦିଗର ପୃଥିବୀଟିକୁ ଅଧିକରୁ ଅଧିକ ଗବାକ୍ଷ ଦେଇ ଦେଖିବାର ସମ୍ଭାବନା, ସେହି ପୃଥିବୀଟିକୁ ଅଗ୍ରସର କରାଇ ନେଇ ପାରିବା ନିମନ୍ତେ ନିଜକୁ ଅଧିକରୁ ଅଧିକ ସମର୍ଥ କରାଇ ନେବାର ସମ୍ଭାବନା, ପୃଥିବୀ ବା ମୋର ସମାଜ ପାଖରୁ ମୁଁ ଯେତେ ପାଉଛି, ତା’ଠାରୁ ଯଥାସମ୍ଭବ ଅଧିକ ପରିମାଣରେ ଓ ଅଧିକ ଗୁଣାତ୍ମକ ଭାବରେ ତାକୁ ଦେଇ ପାରିବାର ଇଚ୍ଛାଗୁଡ଼ିକୁ ବିକଶିତ କରାଇ ଆଣିବାର ସମ୍ଭାବନା ଇତ୍ୟାଦି ଇତ୍ୟାଦି । ପୃଥିବୀ ଠାରୁ ଦୁହିଁନେବା ଠାରୁ ପୃଥିବୀକୁ ଅଧିକ ଦେବାସଚରାଚର ତାହାକୁହିଁ ଯଥାର୍ଥ ସଂସ୍କୃତିସମ୍ପନ୍ନତା ବୋଲି କୁହାଯିବା ଉଚିତ, ଯଥାର୍ଥ ଶ୍ରଦ୍ଧାବୋଲି କୁହାଯିବା ଉଚିତ । ଆମ ସଂସାରରେ ଏବେ ବହି ବଢ଼ୁଛି, ବିଜ୍ଞାନ ବଢ଼ୁଛି, ଧନସମ୍ପଦ କୁଢ଼ କୁଢ଼ ହୋଇ ବଢ଼ୁଛି, ତଥାପି ଏଠୁ ଭଲ ପାଇବା କମିଯାଉଛି କାହିଁକି, ସାଙ୍ଗ କହିବାର, ମିତ ବସିବାର, ଏତେ ଏତେ ସରଞ୍ଜାମ ଓ ସାଧନ ବଢ଼ୁଥିବା ସଙ୍ଗେ ସଙ୍ଗେ ଏଠି କବିମାନଙ୍କ ସମେତ ସାଧାରଣ ଅନ୍ୟ ସମସ୍ତେ ନିଃସଙ୍ଗ ଓ ଉଦାସୀନ ହୋଇ ଯାଉଛନ୍ତି, ଆମ ପିଲାଏ ଭଲ ହେବା ନିମନ୍ତେ ଆମଠାରୁ ଏତେ ଏତେ ଉପଦେଶ ଶୁଣୁଥିଲେ ମଧ୍ୟ ତଥାପି ବଡ଼ ହୋଇ କର୍କଶହୃଦୟ ହେବାକୁ ହିଁ ସବାବଡ଼ ସଫଳତା ବୋଲି ଗ୍ରହଣ କରି ନେଉଛନ୍ତି କାହିଁକି, ଆମ ସାହିତ୍ୟ ଭିତରେ କ’ଣ ସେ ବିଷୟରେ ଏକ ବିତର୍କ ଆରମ୍ଭ ହେବା ଉଚିତ ନୁହେଁ କି ? ଆମ ପିଲାମାନେ ଆମଭଳି ନହୋଇ ଅନ୍ୟପ୍ରକାର ହେବାକୁ ସତକୁ ସତ ମନ କଲେ ଯାଇ ପୃଥିବୀର ଏହି ସାମ୍ପ୍ରତିକ ମୋଡ଼ଟା ବଦଳିବ, କପଟ କମିବ, ଅଭିନୟମାନ ଯିବ, ସାହିତ୍ୟର ମାଧ୍ୟମରେ ଏସବୁ କିଭଳି ହେବ, ସାହିତ୍ୟରେ ଶିଶୁମାନଙ୍କ ପାଇଁ ଲେଖୁଥିବା ବଡ଼ମାନେ ମଧ୍ୟ କ୍ରମେ ଏଣିକି ଚିନ୍ତା କରିବା ଉଚିତ ।

 

ଏହି ପିଲାମାନେ ଆମ ହେପାଜତରେ ରହିବେ, ଆମମାନଙ୍କ ପରିବାରରେ ବଢ଼ିବେ, ସ୍କୁଲମାନଙ୍କରେ ଆମେ ବାନ୍ଧି ହୋଇଥିବା ପୁରୁଣା ଧିସାଗୁଡ଼ିକରେ ପାଠ ପଢ଼ିବେ, ନୃଶଂସ ରହିଥିବେ, ତଥାପି ଆମେ ସେମାନଙ୍କର ନିମନ୍ତେ ଏପରି ସାହିତ୍ୟ ଯୋଗାଇବାକୁ ସମର୍ଥ ହେବା, ଯାହା ଫଳରେ କି ସେମାନେ ଆଉଭଳି ହେବାକୁ ମନ କରିବେ, ଆଉଭଳି ହେବାକୁ ନିଜ ଭିତରୁ ଶକ୍ତି ପାଇବେ ଏବଂ ଏକାବେଳେକେ ଅନ୍ୟଭଳି ମୂଲ୍ୟମାନ ସେମାନଙ୍କୁ ଅଧିକ ଆକର୍ଷଣ କରିବେ, ଏହା ଆଦୌ ଏକ ସହଜସାଧ୍ୟ କାର୍ଯ୍ୟ ନୁହେଁ । ସେମାନଙ୍କ ସେମାନଙ୍କ ସକାଶେ ଆମେ ଲେଖୁଥିବା ସାହିତ୍ୟ ଯଦି ସାହିତ୍ୟ–ଆସ୍ଵାଦନର ଉପର ସ୍ତରଗୁଡ଼ିକ ଭେଦି ସତକୁ ସତ ସେମାନଙ୍କର ହୃଦୟଯାଏ ପହଞ୍ଚି ପାରିବ ଓ ସେମାନଙ୍କର ର real unconsciousକୁ ସ୍ପର୍ଶ କରିପାରିବ, ହୁଏତ ତେବେ ଯାଇ ହେବ । ତା’ ନହେଲେ ସାହିତ୍ୟ ନାମରେ ଯେଉଁସବୁ ତାମସାର ଅବତାରଣା କରି ପ୍ରଧାନତଃ ମିଛ ମିଥ୍ ଗୁଡ଼ାକର ଗହନରେ ଆମେ ଯେପରି ଲଟରପଟର ହେବାରେ ଲାଗିଛୁ ଏବଂ ସଂସ୍କୃତି ନାମରେ ଗୁଡ଼ାଏ କୃତ୍ରିମତାକୁ କାମୁଡ଼ି ପଡ଼ି ରହିଛୁ, ଆମ ଶିଶୁସାହିତ୍ୟ ମଧ୍ୟ ସମ୍ପୃକ୍ତ ଶିଶୁମାନଙ୍କୁ ପ୍ରାୟ ତଦ୍‌ବତ୍ ଏକ ବିଡ଼ମ୍ବନା ମଧ୍ୟରେ ଜଳକା ହୋଇ ରହିବାରେ ହିଁ ସାହାଯ୍ୟ କରୁଥିବ ।

 

ଶିଶୁସାହିତ୍ୟର ଗବେଷଣା ଇଚ୍ଛାକଲେ ଏହି ଦିଗରେ ମଧ୍ୟ ଆଗ୍ରହୀ ହୋଇପାରିବ । ଓଡ଼ିଆ ଶିଶୁସାହିତ୍ୟକୁ ଉପଜୀବ୍ୟ କରି ଏବେ ଯେଉଁ କାଁ ଭାଁ ତଥ୍ୟ ବ୍ୟବଚ୍ଛେଦମାନ ହେଉଛି, ତାହା ଏପର୍ଯ୍ୟନ୍ତ ତେଣେ ହୁଏତ ଏକ ବୃହତ୍ ସଂଶୟ କେଉଁଠି ରହି ତାକୁ ଅବଚେତନ ସ୍ତରରେ ଉତ୍ପୀଡ଼ିତ କରିବାରେ ଲାଗିଛି କି କ’ଣ କେଜାଣି, ବପୁଟାକୁ ଯଥାସମ୍ଭବ ଅଧିକ ଉଦାର ଭାବରେ ବଢ଼ାଇ ଲୋକଗଳ୍ପ, ଲୋକଗୀତ, ଓଷା ଓ ବ୍ରତଗୁଡ଼ିକର କଥାମାନ, ଢଗଢ଼ମାଳି ଓ ସମଗୋତ୍ରୀୟ ଆହୁରି କେତେ କ’ଣକୁ ତାହା ନିଜ ଇଲାକାର ଅନ୍ତର୍ଭୁକ୍ତ କରି ଦେଖାଇବାପାଇଁ ଭାରି ଆଗ୍ରହ ହେଉଛି । ପାରିଭାଷକ ଅଭିଧାଟିଏ ଉଧାର କରି ଆଣି ତାହା ଏହାକୁ ମୌଖିକ ଶିଶୁସାହିତ୍ୟ ବୋଲି କହିଲାଣି-। ଉତ୍ସାହଗୁଡ଼ିକୁ ଭାରି ବୁଝିହେଉଛି, ମାତ୍ର ଉତ୍ସାହ ପଛରେ ରହିଥିବା ପଳାୟନକାମୀ ମତଲବଗୁଡ଼ିକୁ ମଧ୍ୟ ବୁଝି ହୋଇ ଯାଉଛି । ଶିଶୁସାହିତ୍ୟର ଉତ୍ସକୁ ଆମେ ଇଚ୍ଛା କଲେ ଏକାବେଳେକେ ହୁଏତ ତ୍ରେତା ଯୁଗଯାଏ ଲମ୍ବାଇ ଦେଇ ପାରିବା, ମାତ୍ର ଶିଶୁସାହିତ୍ୟର ସବୁଠାରୁ ବଡ଼ ଅବଲୋକନଗୁଡ଼ିକ ଭବିଷ୍ୟାନୁରାଗୀ ହୋଇ ରହିଥିବା ଉଚିତ । ଆମ ଆଜିର ଶିଶୁ କାଲି ବଡ଼ ହୋଇ ଆମଠାରୁ ଅଧିକ ସମ୍ପୂର୍ଣ୍ଣ ଭାବରେ ଜୀବନଟିଏ ଗଢ଼ୁ ଓ ଜୀବନଟିଏ ବଞ୍ଚୁବୋଲି ଯଦି ଆମେ ସତକୁ ସତ ମନାସ ରଖିଯାଉ, ଆପଣାର ବିକୃତି ଏବଂ ଅତୃପ୍ତିଗୁଡ଼ାକୁ ହିଁ ଏବର ଆମରି ପରି ସିଏ ସଂସାର ଉପରେ ଲଦିଦେଇ ସମଗ୍ର ଆକାଶଟାକୁ ବିପର୍ଯ୍ୟସ୍ତ କରି ନଦେଉ ବୋଲି ଯଦି ଆମେ ପ୍ରକୃତରେ ଇଚ୍ଛା କରୁଥାଉ, ତେବେ ଆମେ ଆଜି ତାପାଇଁ ଯେଉଁ ସାହିତ୍ୟ ଲେଖିବା, ତାହାର ଯାବତୀୟ ଆବେଦନ ହିଁ ସମ୍ପୂର୍ଣ୍ଣଭାବରେ ଏକ ଅନ୍ୟ ପ୍ରସ୍ଥର ହେବା ଉଚିତ । ଆମ ମୂଳଭୂତ ଅବଲୋକନରେ ଆବଶ୍ୟକ ଏକ ପଙ୍କୋଦ୍ଧାର ହୋଇପାରିଲେ ହୁଏତ ତାହା ସମ୍ଭବ ହୁଅନ୍ତା-

 

ଆମେ ଶିଶୁମାନଙ୍କ ନିମନ୍ତେ ଏଭଳି ଗପ, ଗୀତ, ନାଟକ, ପ୍ରବନ୍ଧ ଅଥବା ବିଜ୍ଞାନ ଲେଖନ୍ତେ, ଯାହାଦ୍ୱାରା କି ଶିଶୁଟିଏ ଯାହା ଯେଉଁପରି ଯେତିକି ରହିଛି, ସେତିକିକୁ କଦାପି ମାନିନିଅନ୍ତା ନାହିଁ । ସିଏ ଆହୁରି ଅଧିକ ପ୍ରଶ୍ନ ପଚାରନ୍ତା–ନିଜ ଭିତରଟାକୁ ଓ ବାହାରର ଏହି ପୃଥିବୀକୁ ସିଏ ଭଳି ଭଳି ପ୍ରଶ୍ନ ପଚାରି ପାରୁଥାନ୍ତା ଏବଂ ସେହି ପ୍ରଶ୍ନ ପଚାରିବାର ଓ ଉତ୍ତର ପାଇବାର ପ୍ରକ୍ରିୟାଗୁଡ଼ିକ ଦ୍ଵାରା ଭାରି ସାବଲୀଳ ଭାବରେ ତା’ ଭିତରେ ସତତ ଏକ ଚିଦ୍‌ବିସ୍ତାର ଘଟି ଘଟି ଯାଉଥାନ୍ତା । ସଂସାରରେ କେବଳ ବୋଲ ମନାଇ ନେବାକୁ ଯେ ଗୁରୁଜନମାନଙ୍କର ମୋଟେ ସର୍ଜନା ହୋଇନାହିଁ, ଶିଶୁ ଭିତରେ ସେହି ସଂପ୍ରତ୍ୟଟି ବୃଦ୍ଧି ପାଇବାରେ ଲାଗିଥାନ୍ତା । ସେହିଭଳି ଏକ ମୂଳଦୁଆ ଉପରେ ହିଁ ସେ ବୃହତ୍ତର ଜଗତଟିକୁ ମୂଳତଃ ବନ୍ଧୁରୂପେ ଅନୁଭବ କରନ୍ତା । ଆଦୌ ସଙ୍କୁଚିତ ହୋଇ ରହନ୍ତା ନାହିଁ । ଗୋଟିଏ ଧର୍ମ, ଗୋଟିଏ ଜାତି, ଗୋଟିଏ ଦେଶ ତଥା ଗୋଟିଏ ପ୍ରକାର ନୈତିକତାର ଚାରିବାଡ଼ ଭିତରେ ଜନ୍ମିଥିଲେ ମଧ୍ୟ ସେ ଏକ କ୍ରମାରୋହଣ ତଥା କ୍ରମାତିକ୍ରମଣର ପ୍ରକ୍ରିୟାରେ ତା’ ସମ୍ମୁଖରେ ଆସି ଦଣ୍ଡାୟମାନ ହେଉଥିବା ଜାଗତିକ ଆହ୍ଵାନଗୁଡ଼ିକର ଯୋଗ୍ୟ ହୋଇପାରନ୍ତା । ଭୀରୁଟିଏ ପରି କେବଳ କେତେଟା ଅଳ୍ପତାକୁ ନିଜର ବୋଲି କହନ୍ତା ନାହିଁ । ଆଗାମୀ ଯୁଗକୁ ସେଇ ବିହନର କାମ ଦିଅନ୍ତା । ଆମ ସମାଜର ଔପଚାରିକ ପ୍ରସୀମନମାନେ ତାହାକୁ ଫିସାଦ କରି ନାନବିଧ ସ୍ଥାନୀୟତା ଓ ତଜ୍ଜନିତ ଉତ୍ତେଜନା ମଧ୍ୟରେ ଛନ୍ଦି ରଖିବାର ପ୍ରୟାସ କରୁଥିଲେ ମଧ୍ୟ ସେ ପ୍ରକୃତରେ ଆଗାମୀ ଭୂମାର ଯୋଗ୍ୟ ହେବାଲାଗି ଅନୁରାଗ ରଖିପାରନ୍ତା । ତେଣୁ ଜଣେ ସାହିତ୍ୟିକ ନିଜେ ପୋଖତ ହୋଇ ସାରିବାପରେ ଯାଇ ଶିଶୁସାହିତ୍ୟରେ ମନ ଦିଅନ୍ତା । ଅର୍ଥାତ୍ ଅତ୍ୟନ୍ତ ହାଲୁକା ହୋଇ ଅତ୍ୟନ୍ତ ସହଜ ଭାଷାରେ ଗଭୀରତମ ସତ୍ୟଗୁଡ଼ିକର ପରିବେଷଣ କରିପାରନ୍ତା । ମୋ’ର ଲେଖାଗୁଡ଼ିକର ମାଧ୍ୟମରେ ମୋ’ ଆଖିରେ ନବୀନ ଦିଶୁଥିବା ମୋର ପାଠକଟିଏ ସେଇଥିରୁ ଆଖି ପାଇ ମୋତେ ଟପିଯାଇ ପାରୁଛି, ମୋ’ ଲେଖାର ଶିଖରଟି ଉପରକୁ ଆସି ସିଏ ବୃହତ୍ତର ଆହୁରି ଅନ୍ୟ ଶିଖରଗୁଡ଼ିକ ଲାଗି ସ୍ଵତଃ ଏକ ଆକର୍ଷଣ ଅନୁଭବ କରୁଛି, ଜଣେ ଶିଶୁସାହିତ୍ୟିକ ନିମନ୍ତେ ତାହାଠାରୁ ବଳି ଶ୍ରେୟ ପ୍ରକୃତରେ କ’ଣ ହୋଇପାରେ ?

 

ବୟସ୍କମାନଙ୍କର ଭଗବାନଙ୍କ ପାଖରେ ବସ୍ତୁତଃ ଅତ୍ୟନ୍ତ କୃତଜ୍ଞ ହୋଇ ରହିବା ଉଚିତ ଯେ, ସେମାନଙ୍କୁ ତଥାପି ଜୀବନାଗ୍ରହୀ କରି ରଖିବାଲାଗି ଏହି ପୃଥିବୀରେ ଶିଶୁମାନେ ରହିଛନ୍ତି । ହୁଏତ ସେହି କାରଣରୁ ହିଁ ଏହି ପୃଥିବୀ ମୋଟେ ବୁଢ଼ା ହେଉନାହିଁ, ଆଦର୍ଶମାନେ କେବେ ବୁଢ଼ା ହେଉନାହାନ୍ତି ଓ ପୁରୁଣା ଆଦର୍ଶମାନଙ୍କର ଶୁଖିଲା କାଠଗଡ଼ରେ ତଥାପି ନୂଆ ପତ୍ରମାନେ ସମ୍ଭବ ହୋଇ ପାରୁଛନ୍ତି । ସ୍ଵୟଂ ଭଗବାନ ସାଙ୍ଗରେ ବାଟ ଚାଲୁଥିବାପରି ଅନୁଭବ ହେଉଛି । ଠିକ୍ ଏହି କାରଣରୁ ବାପା ମାଆମାନେ ବି ନିଜ ପିଲାଙ୍କ ପାଖରେ କୃତଜ୍ଞ ହୋଇ ରହୁଥାନ୍ତେ, ଶିକ୍ଷାର୍ଥୀମାନଙ୍କ ପାଖରେ ଶିକ୍ଷକମାନେ ମଧ୍ୟ କୃତଜ୍ଞ ହୋଇ ରହୁଥାନ୍ତେ । ସେପରି ହେଉଥିଲେ ଆମ ପରିବାରମାନେ ବି ଅନ୍ୟପ୍ରକାର ପ୍ରେରଣା ଯୋଗାଇ ଦେଇ ପାରୁଥାନ୍ତେ । ଶିସୁସାହିତ୍ୟିକ ଏହି କଥାଟିକୁ ବୁଝୁ ଏବଂ, ଏହିପରି ବୁଝି ସେ ନିଜ ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ଶିଶୁଟିକୁ ମଧ୍ୟ ଆବିଷ୍କାର କରି ଶିଖୁ । ନିଜ କାଳଟିରେ ସେ ସେହି ଶିଶୁଟିକୁ ଯେତିକି ଆଖିରେ ଚିହ୍ନି ପାରିଥିଲା ବା ଯେତିକି ଆଖିରେ ଚିହ୍ନିବାର ପରିବେଶ ପାଇଥିଲା, ଏବେ ନିଜର ସାହିତ୍ୟ ମାଧ୍ୟମରେ ସେ ଏବର ଶିଶୁମାନଙ୍କର ଆଖିକୁ, ଆଗ୍ରହକୁ ଏବଂ ସାହିତ୍ୟକୁ ଆହୁରି ଅନେକଗୁଣ ଅଧିକ ଦୂରକୁ ସମ୍ପ୍ରସାରିତ କରିନେବାର ପ୍ରୟାସ କରୁ । ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଏଥିପାଇଁ ଆମକୁ ଏକାବେଳେକେ ଏକ ଅନ୍ୟ ଭାଷା ଏବଂ ଅନ୍ୟ ବ୍ୟଞ୍ଜନାର ଅନୁସନ୍ଧାନ କରିବାକୁ ପଡ଼ିବ, ଆମ ଶିଶୁପାଠକ ଓ ଆମ ଭିତରେ ଏକାବେଳେକେ ଏକ ଅନ୍ୟ ଉଚ୍ଚତାର rapport ସୃଷ୍ଟି କରିବାକୁ ହେବ ।

 

ବୟସ୍କମାନେ ଜଣେ ଶିଶୁକୁ ଦେଖିବାର ବି କେତେଭଳି ଦୃଷ୍ଟିକୋଣ ରହିଛି । ସେହି ତାଲିକାରେ ଇଂରାଜୀ କବି ୱାର୍ଡ଼୍‌ସ୍‌ୱାର୍ଥ ରହିଛନ୍ତି, ଆମ ଏହି ଶତାବ୍ଦୀର ଫ୍ରଏଡ଼୍ ବି ରହିଛନ୍ତି । କେଉଁ ଦୃଷ୍ଟିଟି ଠିକ୍ ଓ କେଉଁ ଦୃଷ୍ଟିଟି ଠିକ୍ ନୁହେଁ, ଆମେ ତାହାର ମୀମାଂସା କରି ବସିବାର ଜଙ୍ଗଲ ଭିତରେ ମୋଟେ ପଶିବା ନାହିଁ । ହୁଏତ ସେଗୁଡ଼ିକ ସବୁଯାକ ଏକାବେଳକେ ଠିକ୍ ଓ ଏକାବେଳକେ ଅଠିକ୍ । ହାତୀକୁ ଦେଖୁଥିବା ଅନ୍ଧମାନେ ଯାହା ଦେଖୁଥିଲେ, ତାହାକୁ ସେମାନେ ସମ୍ପୂର୍ଣ୍ଣ ଭାବରେ ଠିକ୍ ହିଁ ଦେଖୁଥିଲେ । ତଥାପି ସମ୍ପୂର୍ଣ୍ଣ ହାତୀଟିକୁ ଦେଖି ପାରୁନଥିଲେ । ଇଏ ହେଉଛି ସେହିଭଳି ଗୋଟିଏ କଥା । ମାତ୍ର, ଏଇଟି ମଧ୍ୟ ସମ୍ପୂର୍ଣ୍ଣଭାବରେ ଏକ ସତ୍ୟ କଥା ଯେ, ଆମେ ନିଜେ ଯେତିକି, ଆମର ଯାବତୀୟ ଦେଖିବାଟା ମଧ୍ୟ ତାହାରି ଦ୍ଵାରା ଅବଶ୍ୟ ପ୍ରସୀମିତ ଏବଂ ଖଣ୍ଡିତ ହୋଇ ରହିବ । ଆମେ ସ୍ଵୟଂ ବାଟ ଚାଲୁଥିଲେ ଓ ଶିଖର ଉଠୁଥିଲେ ଆମ ଦେଖିବାର ଦୈର୍ଘ୍ୟ ଓ ପ୍ରସ୍ଥଗୁଡ଼ିକ ମଧ୍ୟ ଅଧିକରୁ ଅଧିକ ସମଗ୍ର ହେବାରେ ଲାଗିଥିବ । ତେଣୁ, ଆମେ ବିଷ୍ଣୁଶର୍ମାଙ୍କର ଅନୁସରଣ କରିବା ନାହିଁ, ମୋଟେ କାହାରି ଅନୁସରଣ କରିବା ନାହିଁ । ତଥାପି ଆମ ଦେଖିବାର ସାମର୍ଥ୍ୟ ତଥା ପ୍ରସ୍ଥଗୁଡ଼ିକୁ ସତତ ସମ୍ପ୍ରସାରିତ କରିବାରେ ଲାଗିଥିବା, ସାନ ଓ ସ୍ଥାନୀୟ ଭାବପ୍ରବଣତାଗୁଡ଼ିକୁ ଅତିକ୍ରମ କରିଯାଇ ପାରୁଥିବା । ତେବେ, ଏବର ଶିଶୁମାନଙ୍କୁ ସେମାନଙ୍କର ଭବିଷ୍ୟତଟିର ପରିପ୍ରେକ୍ଷୀରେ ଅଧିକରୁ ଅଧିକ ସମଗ୍ର ଭାବରେ ଦେଖିବାକୁ ସମର୍ଥ ହେବା ଏବଂ, ସେଇଥିରୁ ଶିଶୁସାହିତ୍ୟ ଲେଖିବାର ମୂଳ ପ୍ରେରଣାଗୁଡ଼ିକୁ ଲାଭ କରିପାରିବା । ଏକ ସାମନ୍ତବାଦୀ ସମାଜର ଜଣେ ବୟସ୍କ ଲେଖକ ପାଇଁ ଏହା ମୋଟେ ସହଜସାଧ୍ୟ ହେବ ନାହିଁ । ନିଜ ପିଲାଦିନେ ସେତେବେଳର ବୟସ୍କମାନଙ୍କର ଅନୁଗ୍ରହରୁ ଗିଳିଥିବା ଅନେକ ତାତ୍କାଳିକତାରୁ ନିଜକୁ ମୁକ୍ତ କରି ଆଣିଲେ ଯାଇ ସିଏ ସେକଥା କରିପାରିବ । ମାତ୍ର, ଏକାନ୍ତ ଭାବପ୍ରବଣ ହୋଇ ପିଲାମାନଙ୍କ ପାଇଁ ସାହିତ୍ୟ ଲେଖିବାର ସରାଗରେ ସତେଅବା କୌଣସି ଜାଲ ଭିତରକୁ ଡେଇଁ ପଡ଼ିବା ଯେତିକି ସହଜ, ଆପଣାର ପୂର୍ବ ଗ୍ରହଗୁଡ଼ିକରୁ ନିଜକୁ ମୁକ୍ତ କରି ଆଣିବାପାଇଁ ରାଜି ହେବା ହୁଏତ ସେତିକି କଷ୍ଟକର ।

 

ଓଡ଼ିଆ ଶିଶୁସାହିତ୍ୟର ପରିମାଣ ଏବେ ହୁ ହୁ ବଢ଼ୁଛି । ତାହା ଆହୁରି ବଢ଼ୁ, ମାତ୍ର ଓଡ଼ିଆ ଶିଶୁସାହିତ୍ୟର କ୍ଷେତ୍ରରେ ଏକ ନିରନ୍ତର dialougeର ମଧ୍ୟ ଆରମ୍ଭ ହେଉ । ଯେଉଁମାନେ ସତ୍ୟକୁ ପାଇଗଲେଣି ବୋଲି ଦମ୍ଭ ଧରି ବସିଥାନ୍ତି, ସେମାନେ ଆଦୌ କୌଣସି dialogueକୁ ସହଜରେ ମଙ୍ଗନ୍ତି ନାହିଁ । କେବଳ ଶିଶୁସାହିତ୍ୟ ନୁହେଁ, ଯେକୌଣସି ସାହିତ୍ୟଲାଗି ମଧ୍ୟ ସେମାନେ ପ୍ରମାଦ ପରି ହୋଇ ରହିଥାନ୍ତି । ଶିଶୁସାହିତ୍ୟିକମାନେ ଏକାଠି ବସନ୍ତୁ, ପରସ୍ପରର ଲେଖାଗୁଡ଼ିକୁ ଭିତ୍ତି କରି ଆଲୋଚନା ହେଉ । ଆତ୍ମାଆସ୍ଫାଳନ ଏବଂ ପରଧିକ୍‌କାର ମୋଟେ ନହେଉ । ତେବେଯାଇ ସେମାନେ ପରସ୍ପରଦ୍ଵାରା ଉପକୃତ ହୋଇ ପାରିବେ ଏବଂ ତାହା ଫଳରେ ଶିଶୁସାହିତ୍ୟର ବୃତ୍ତଟି ଭିତରେ ମଧ୍ୟ ଆଗକୁ ଆଗକୁ ବହୁ ପ୍ରସାରଣ ସମ୍ଭବ ହେବ । ସମ୍ପୃକ୍ତ ସମସ୍ତଙ୍କର ଅଭିବୃଦ୍ଧି ହେବ । ଆମେ ପଢ଼ୁଥିବା ଶିଶୁସାହିତ୍ୟର ସମୀକ୍ଷା ଓ ସର୍ବେକ୍ଷଣ ନିମନ୍ତେ ଶିଶୁ ପାଠକମାନେ ମଧ୍ୟ ଏକାଠି ବସନ୍ତୁ । ବୟସ୍କ ଲେଖକମାନେ ସେଠାରେ ଉପସ୍ଥିତ ଅବଶ୍ୟ ରହନ୍ତୁ, ମାତ୍ର ଆଦୌ ମୁହଁ ନଖୋଲନ୍ତୁ । ପିଲାମାନେ ଏକାଠି ବସି ନିଜ ନିଜର ଲେଖାଗୁଡ଼ିକର ମଧ୍ୟ ସମୀକ୍ଷା କରନ୍ତୁ । ଏଥିଲାଗି ଅନୁକୂଳ କର୍ମଶାଳାଗୁଡ଼ିକର ଆୟୋଜନ ହେଉ । ବୟସ୍କ ଲେଖକ ଏବଂ ଶିଶୁ ପାଠକମାନଙ୍କର ତଥା ଏକତ୍ର ବୟସ୍କ, ତରୁଣ ତଥା ଶିଶୁ ଲେଖକମାନଙ୍କର ମଧ୍ୟ ସୀମକ୍ଷା ବୈଠକମାନ ବସୁ । ଆମ ପିଲାମାନଙ୍କୁ ନିଜେ ମନନ କରିବାର ଏବଂ ନିଜ ମତ ଦେବାର ସ୍ଵାଧୀନତା ଦିଆଯାଉ । ପୃଥିବୀକୁ ଆଗକୁ ଯେଉଁ ଯୁଗଟି ଆସୁଛି, ସେଥିରେ ମଣିଷମାତ୍ରକେ ସମସ୍ତେ ମଣିଷଯୋଗ୍ୟ ସମ୍ମାନର ଅଧିକାରୀ ହେବେ । ପିଲାମାନଙ୍କୁ କଞ୍ଚା ମାଟି ବୋଲି ଧରିନେଇ ଯେଉଁ ଶିଶୁସାହିତ୍ୟ ଲେଖାଯାଏ ଏବଂ ଶିଶୁ ଭିତରେ ପ୍ରଚ୍ଛନ୍ନ ରହିଥିବା ସମ୍ଭାବନାଗୁଡ଼ିକୁ ସମ୍ମାନ ଦେଇ ଯେଉଁ ଶିଶୁସାହିତ୍ୟ ଲେଖାଯାଏ, ଉଭୟ ମଧ୍ୟରେ ବହୁ ଅନ୍ତର ସବୁବେଳେ ରହିବ ହିଁ ରହିବ । ଆମ ଶିଶୁସାହିତ୍ୟ ସେହି ଅନ୍ତରଟିକୁ ହୃଦୟଙ୍ଗମ କରୁ ।

 

ଓଡ଼ିଶାରେ ଯେଉଁମାନେ ଶିଶୁମାନଙ୍କ ପାଇଁ ସାହିତ୍ୟ ଲେଖିବାର ମୂଳଦୁଆଟିକୁ ପକାଇଛନ୍ତି, ଆମେ ସେମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କୁ ଅତିକ୍ରମ ବି କରିଯିବା । ସେହିମାନଙ୍କ ପାଖରେ ମୋଟେ ଲାଖି ରହିଯିବା ନାହିଁ । ସେମାନଙ୍କୁ ଆମ ସମ୍ଭାବ୍ୟ ଆକାଶର ଚୂଡ଼ାନ୍ତ ଜ୍ୟୋତିଷ୍କ ବୋଲି ଆଦୌ କହିବା ନାହିଁ ଏବଂ ଓଡ଼ିଆ ଶିଶୁସାହିତ୍ୟକୁ ଯେଉଁମାନେ ସମୀକ୍ଷା ଓ ଗବେଷଣାର ପରିସରକୁ ଆଣିଛନ୍ତି, ସେମାନଙ୍କୁ ମଧ୍ୟ ଆମେ ସମ୍ମାନ ଦେବା ଓ ସେମାନଙ୍କର ଋଣକୁ ସ୍ଵୀକାର କରିବା ଏବଂ ସେମାନଙ୍କୁ ଅତିକ୍ରମ ବି କରିଯିବା । ସେମାନଙ୍କ ଭଳି ପଛକୁ କୋରି କୋରି ଶିସୁସାହିତ୍ୟର ଉତ୍ସଗୁଡ଼ିକୁ ଖୋଜି ଯିବା ନାହିଁ । ଆମେ ଆଗକୁ ଓ ଆହୁରି ଆଗକୁ ଯିବାଲାଗି ସାହସ କରିବା । ସମଗ୍ର ପୃଥିବୀର ଶିଶୁସାହିତ୍ୟ–କ୍ଷେତ୍ରରେ ଆଧୁନିକତମ ପ୍ରବୃତ୍ତିଗୁଡ଼ିକୁ ଅନୁଧ୍ୟାନ କରିବା । ଇଉରୋପ ଓ ଆମେରିକାରେ ପିଲାଙ୍କର ବୟସ ଅନୁସାରେ ବିଜ୍ଞାନସମ୍ମତ ଅନୁମାନଗୁଡ଼ିକର ଭିତ୍ତିରେ ସେମାନଙ୍କ ପାଇଁ ସାହିତ୍ୟ ଲେଖାଯାଏ ଏବଂ ଯାହାକିଛି ଲେଖାଯାଏ ତାହାକୁ ଦେଶର ସବୁ ପିଲା ପଢ଼ନ୍ତି । ଭାରତବର୍ଷରେ ସବୁପିଲା ସିନା ଆମେ ଲେଖୁଥିବା ଶିଶୁସାହିତ୍ୟକୁ ପଢ଼ି ପାରିବେ ନାହିଁ ମାତ୍ର ସବୁଯାକ ପିଲା ଆମ ଶିସୁସାହିତ୍ୟର ଲେଖକମାନଙ୍କର ଦିଗ୍‌ବଳୟ ଭିତରେ କାହିଁକି ରହି ପାରିବେ ନାହିଁ ? ବର୍ତ୍ତମାନ ସାମନ୍ତବାଦୀ ଛାଇଗୁଡ଼ାକ ଆମ ସାମୂହିକ ଜୀବନରେ ଚିରନ୍ତନ ହୋଇ ରହିଥାଉ ବୋଲି ଆମ ଭିତରୁ ଯଦି କେହି ମନ କରୁଥିବ, ତେବେ ହୁଏତ ତାହା ଏକ ଭିନ୍ନ ବ୍ୟାପାର ହିଁ ହେବ । ଏହିପରି ଏକ ବ୍ୟାପାର ଭିତରେ ଗୁରାଇ ତୁରାଇ ହୋଇ ଆମ ଆଧୁନିକ କବିମାନେ କବିତାକୁ ସାମନ୍ତବାଦ ଭିତରେ ବାନ୍ଧି ରଖିଛନ୍ତି । ଅନ୍ତତଃ ଶିଶୁସାହିତ୍ୟର କ୍ଷେତ୍ରରେ ସେହି ଅବିବେକ ଆଦୌ ପ୍ରବେଶ ନକରୁ । ତଦ୍ଦ୍ଵାରା ଲେଖକ ହିସାବରେ ଅନ୍ତତଃ ଆମମାନଙ୍କ ଜୀବନରେ ଏକ ବିମୋଚନ ହୁଏତ ସମ୍ଭବ ହେବ ।

 

ଆମେ ଇଚ୍ଛା କରୁ କି ନକରୁ, ଆମ ପିଲାମାନେ ବଡ଼ ହୋଇ କଦାପି ଆମପରି ହେବେ ନାହିଁ । ସେମାନେ ବଡ଼ ହେଲା ବେଳକୁ ପୃଥିବୀ ଆମର ଏହି ବର୍ତ୍ତମାନର ଭୀରୁ ପୃଥିବୀଟାକୁ ପଛରେ ପକାଇ କେତେ ନା କେତେ ଆଗକୁ ଚାଲି ଯାଇଥିବ । ଭବିଷ୍ୟତଟାକୁ ସାହସ କରି ପାରୁଥିବାରୁ ତାହା ଅତୀତଟାକୁ କଦାପି ସୁବର୍ଣ୍ଣଯୁଗ ବୋଲି କହି ସେଇଠି ଖୁଣ୍ଟାବନ୍ଧା ହୋଇ ରହିବ ନାହିଁ । ଆଜିର ଏ ପିଲାମାନଙ୍କୁ ବଡ଼ ହୋଇ ସେହିଭଳି ଏକ ପୃଥିବୀରେ ବାଟ ଚାଲିବା ନିମନ୍ତେ ସେମାନଙ୍କର ମୋହାଚ୍ଛନ୍ନ ବାପାମାଆ ଏବଂ ତାତ୍କାଳିକ ହାଟସ୍ଵାର୍ଥ ଭିତରେ ବନ୍ଧା ହୋଇ ପଡ଼ିଥିବା ଶିକ୍ଷକମାନେ ପିଲାମାନଙ୍କୁ ଯେତେ ସାହାଯ୍ୟ ନ କରିବେ, ଶିଶୁସାହିତ୍ୟିକମାନେ ତାହାର ଅନେକ ଗୁଣ ସାହାଯ୍ୟ କରି ପାରିବେ ।

 

ଅଥ, ଚରୈବେତି, ଚରୈବତି ।

 

–କୋଣାର୍କ, ୯୮, ଅକ୍ଟୋବର, ୧୯୯୫

Image

 

ପ୍ରବନ୍ଧ ପତ୍ରିକା–‘କୋଣାର୍କ’

 

ଓଡ଼ିଆ ଗବେଷଣା ପରିଷଦର ‘ଏଷଣା’ ବ୍ୟତୀତ ‘କୋଣାର୍କ’ ସମ୍ଭବତଃ ଏକମାତ୍ର ଓଡ଼ିଆ ପତ୍ରିକା, ଯେଉଁଥିରେ ସାମଗ୍ରୀ ହିସାବରେ କେବଳ ପ୍ରବନ୍ଧଗୁଡ଼ିକୁ ପ୍ରକାଶ କରାଯାଏ । ଏଷଣା ବରଷରେ ଦୁଇଥର ବାହାରେ, ‘କୋଣାର୍କ’ ଚାରିଥର । ଅନ୍ୟାନ୍ୟ ଓଡ଼ିଆ ପତ୍ରପତ୍ରିକାରେ ପ୍ରବନ୍ଧ ବାହାରେ ସତ, କିନ୍ତୁ ଗଳ୍ପ ଓ କବିତାର କୁଢ଼ କୁଢ଼ ସମାରୋହ ମଧ୍ୟରେ ସତେଅବା ପୋଇଲୀ ଅଂଶର ପ୍ରାପ୍ୟଟିଏ ପରି ବାହାରେ । ଗୋଟିଏ ଥାଳୀରେ ଯଦି ଦେଉଳ ପରି ଭାତ ବଢ଼ା ହୋଇଥିବ ଓ ତା’ କଡ଼କୁ ତୁଉଣ ବୋଲି ଫୁଟେ କିମ୍ବା ଦୁଇ ଫୁଟ ଅଲଗା ହୋଇ ଦିଶୁଥିବା କିଛି ଦ୍ରବ୍ୟକୁ ଛିଟିକାଇ ଦିଆଯାଇଥିବ, ବହୁତ ବାସ୍ତବ ଅର୍ଥରେ ଅନ୍ୟ ପତ୍ରିକାଗୁଡ଼ିକୁ ତାହାରି ସହିତ ତୁଳନା କରାଯାଇ ପାରିବ । ଅନେକେ ବୁଝିବା ସୁଝିବା ଲୋକ ଏହାକୁ ଏକ ଦୁର୍ଦ୍ଦଶା ବୋଲି କହିଥାନ୍ତି । ମୁଁ ଦୁର୍ଦ୍ଦଶା ବୋଲି ନକହି ଦଶା ବୋଲି କହିବି । ଆମର ଯୋଉ ଦଶା, ଆମେ ବାହାର କରୁଥିବା ଏବଂ ଆମ ପଢ଼ୁଥିବା ପତ୍ରିକାଗୁଡ଼ିକର ମଧ୍ୟ ସେହିପରି । ଏଥିରେ ବିସ୍ମିତ ହେବାର କିଛି କାରଣ ନାହିଁ, କିନ୍ତୁ ଚିନ୍ତାର କାରଣ ବହୁତ ରହିଛି ।

 

ଓଡ଼ିଆଭାଷା ଓ ସାହିତ୍ୟକୁ ସ୍ନାତକୋତ୍ତର ସ୍ତରକୁ ଟେକି ଦେଇ ଯେଉଁ ଅନୁଷ୍ଠାନମାନେ ପାଠ ପଢ଼ାନ୍ତି ଓ ପରୀକ୍ଷା ନିଅନ୍ତି, ଭାଗ୍ୟକୁ ପ୍ରଶ୍ନପତ୍ରରେ ସେଠି ପରୀକ୍ଷାର୍ଥୀମାନଙ୍କୁ ଉଦ୍ୟମରେ ଫାନ୍ଦି କବିତାଟିଏ ଅଥବା ଗଢ଼ିଦେବାକୁ କୁହା ହୁଏ ନାହିଁ; ନଚେତ୍ ପରୀକ୍ଷାରେ ବସୁଥିବା ଅଧିକାଂଶ ପିଲା ଅପେକ୍ଷାକୃତ ଅଧିକ ସହଜ ଲାଗିବା ଦୃଷ୍ଟିରୁ ନିଶ୍ଚୟ କବିତା ଏବଂ ଗଳ୍ପରେ ଉତ୍ତରଖାତା ଗୁଡ଼ିକୁ ଭର୍ତ୍ତି କରି ଦେଉଥାନ୍ତେ । ଏଥିରେ ବିଚଳିତ ନ ହୋଇ ଟିକିଏ ଭାବିଲେ ଆମେ ବୁଝିପାରିବା ଯେ, ଏହାଦ୍ଵାରା ସୃଜନାତ୍ମକତା ଦୃଷ୍ଟିରୁ ପିଲାମାନଙ୍କୁ ଅଧିକ ଯୁକ୍ତିଯୁକ୍ତ ଭାବରେ ପରୀକ୍ଷା କରାଯାଇ ପାରନ୍ତା । ପିଲାମାନେ ଆଉ ସୁଲଭ ଟୀକାପୁସ୍ତକମାନଙ୍କ ଉପରେ ସେତେବେଶୀ ନିର୍ଭର କରନ୍ତେ ନାହିଁ, ପସନ୍ଦକୁ ଆସୁ ନଥିବା ମହାଶୟ ମାନଙ୍କର ଶ୍ରେଣୀରେ ଯୋଗ ଦେବାର କମ୍ ପ୍ରୟୋଜନ ରହିଥାନ୍ତା ଏବଂ କପି କରିବାର କୌଣସି ଆବଶ୍ୟକତା ମଧ୍ୟ ରହନ୍ତା ନାହିଁ । ବର୍ତ୍ତମାନ ପ୍ରଚଳିତ ଉତ୍ତର ଦେବାର ବ୍ୟବସ୍ଥାରେ କେବଳ ସମୀକ୍ଷାତ୍ମକ ଓ ଚର୍ଚ୍ଚାତ୍ମକ କିସମର ଯେଉଁ ପଦ୍ଧତିଟି ଜାରି ରହିଛି, ତଦ୍ଦ୍ଵାରା ପରୀକ୍ଷାରେ ବସୁଥିବା ବାବୁମାନଙ୍କର ସର୍ଜନାତ୍ମକତାର ସାମର୍ଥ୍ୟକୁ କେତେ ଦୂର ବାରି ହେଉଛି ବା ମାପି ହେଉଛି, ଅଧ୍ୟାପନାର ପଥ ଓ ଅପଥରେ ସେମାନଙ୍କୁ ଗୋଠ ପରି ଅଡ଼ାଇ ନେଉଥିବା ଓ ତା’ପରେ ସେମାନଙ୍କ ଦ୍ଵାରା ଅର୍ଜିତ ବିଦ୍ୟା ଉପରେ ଗୋଟାଏ ମୋହର ମାରି ଦେଉଥିବା ଆଚାର୍ଯ୍ୟ ଅର୍ଥାତ୍ ଅଧ୍ୟାପକମାନେ ତାହାର ନିର୍ଣ୍ଣୟ ଦେଇପାରିବେ ।

 

କବିମାନେ ତ କହିବେ, କବିତା ତା’ ମନକୁ ମନ ଲେଖି ହୋଇଯାଏ । ଉଦ୍ୟମ କଲେ ସବୁ ପଣ୍ଡ ହୋଇଯାଏ । କବିତା ମାଡ଼େ, ମାଡ଼ୁ ମାଡ଼ୁ ଲେଖି ହୋଇଯାଏ । ଆଗେ ବି କବିମାନେ କହୁଥିଲେ ଯେ ଦେବୀ ସରସ୍ଵତୀ ପ୍ରସନ୍ନ ହେଲେ କାବ୍ୟ ଉତ୍ସାରିତ ହୋଇଆସେ । ଉପରର ବ୍ୟକ୍ତିଟିର ସାତତଳେ କୁଆଡ଼େ ଅସଲ ଓରଫ କେବଳ ବ୍ୟକ୍ତିଟିଏ ରହିଛି, ସେଇ ଭିତରୁ ଥାଇ ଉଖାରିବା ମାତ୍ରକେ କବିତା ଗଳେ । କବି ପ୍ରସନ୍ନ ହେଲେ କିଛି ହୁଏନାହିଁ, କବିଆତ୍ମାକୁ କାଳିସୀଟିଏ ପ୍ରସନ୍ନ ହୋଇ ମାଡ଼ି ବସିବାକୁ ମନ କଲେ କବିତା ଲେଖି ହୋଇଯାଏ । ବାହାରେ ତୁମେ ଯାହା ହୋଇଥାଅ ବା ନହୋଇଥାଅ ପଛକେ, ଏକାବେଳେକେ ନିର୍ମମ ଭାବରେ ଭିତରୁ ବାହାରି ଆସୁଥିବା କବିତାଗୁଡ଼ିକୁ ତୁମେ ବାହାରର ମୂଲ୍ୟକାଠି ଦେଇ କଦାପି ମାପି ପାରିବ ନାହିଁ । ପ୍ରାଚୀନ ଓ ମଧ୍ୟଯୁଗରେ ତଥାପି କାବ୍ୟତତ୍ତ୍ଵ ବୋଲି ଦ୍ରବ୍ୟଟିଏ ରହିଥିଲା, ରୀତିକାବ୍ୟକୁ ବୁଝିବା ସକାଶେ ତା’ସାଙ୍ଗକୁ ରୀତିଟିଏ ବି ରହିଥିଲା । ମାତ୍ର ଏବେ ଆଧୁନିକ ପର୍ଯ୍ୟାୟକୁ ଆସି ସେସବୁ ଉପରେ ଆଉ ବେଶୀ ଗୁରୁତ୍ଵ ଦିଆ ଗଲାନାହିଁ । ଏହିଭଳି ଏକ ଅନୁକୂଳତା ପାଇଲେ କବିତା ଯେ ଆମ ସାହିତ୍ୟିକ ଶଗଡ଼ର ଅଧେ ବା ତା’ଠାରୁ ଅଧିକ ଜାଗା ମାଡ଼ିବସିବ, ସେଥିରେ ଆମେ ମୋଟେ ଆଶ୍ଚର୍ଯ୍ୟ ହେବାନାହିଁ । ନିତ୍ୟନୈମିତ୍ତିକତାର ଏହି ଘଷର ଘଷର ଜୀବନରୁ ଯଦି କିଏ କେଇ ଦଣ୍ଡ ହୁଡ଼ିଯିବାକୁ ଇଚ୍ଛା କରୁଥିବ, ତେବେ କବିତାର ଆଶ୍ରା ଧରି ସିଏ ଆପଣାକୁ ନିଜ ଭିତରେ ପୋତି ହୋଇ ରହିଥିବା ସେହି ଅନ୍ୟ ବ୍ୟକ୍ତିତ୍ଵଟି ହାତରେ ଛାଡ଼ିଦେବ; ଆଖି ବୁଜିଦେବ, ଯାବତୀୟ ସଂଶୟ, ଅବିଶ୍ଵାସ ଅର୍ଥାତ୍ ସୀମକ୍ଷଣର ଘରେ ଗୋଟାସୁଦ୍ଧା ରାଜି ହୋଇ ତାଲା ପକାଇଦେବ,–ତେବେ ତୁମେ ସେହି ମୂହୁର୍ତ୍ତଗୁଡ଼ିକର ନିଚ୍ଛକ ଉପଭୋଗ କରିପାରିବ । ସାବଧାନ, ତୁମେ ସେହି ରତିକୁ ମୂର୍ଖଙ୍କ ପରି ଆତ୍ମରତି ବୋଲି ମୋଟେ କହିବ ନାହିଁ ।

 

ଗଳ୍ପ ଲେଖିବାର କଳା ଓ କାରିଗରି ବିଷୟରେ ଏବେ ଓଡ଼ିଆରେ ବି ବହି ବାହାରିଲାଣି-। ସେହି ବହିକୁ ପଢ଼ି ଗାଳ୍ପିକ ହେବାକୁ ମନ କରୁଥିବା କେତେ ସଂଖ୍ୟାର ମନୁଷ୍ୟମାନେ କେତେଯାଏ ଖୋରାକ ଲାଭ କରିବେ ବା ନକରିବେ, ସେକଥା କେହି କହି ପାରିବେ ନାହିଁ ସିନା, ମାତ୍ର ଏପରି ବହିଟିଏ ଯେ ଲେଖା ହେଲା, ଏଥିରୁ ସେହି ବହିର ଅବଶ୍ୟ ଏକ ଆବଶ୍ୟକତା ରହିଥିଲା ବୋଲି ପ୍ରମାଣଟିଏ ମିଳିଯାଉଛି । ଶିଶୁସାହିତ୍ୟ ଲେଖୁଥିବା ବଡ଼ମାନଙ୍କୁ ଆବଶ୍ୟକ ପରାମର୍ଶ ଦେବାକୁ ଓଡ଼ିଶାରେ ଯେ ଅନୁଷ୍ଠାନମାନ ରହିଛି କେବଳ ସେତିକି ନୁହେଁ, ତାହାର ବିଧି ଏବଂ ଅବିଧିଗୁଡ଼ିକ ସୂଚାଇ ଦେଇ ଏବେ ସଂହିତାମାନ ବି ଲେଖାଯାଉଛି, ଆଦୃତ ହେଉଛି । ଠିକ୍ ସେହିପରି ଆମେ ପ୍ରବନ୍ଧ ଲେଖିବାର କଳା ବିଷୟରେ ଯଦି ବହିଟିଏ ରଚନା କରିବାକୁ ଇଚ୍ଛା କରିବା, ତେବେ ସେଥିରେ କ’ଣ ସବୁ ସାମଗ୍ରୀ ରହିବ ବା ନରହିବ, ଓଡ଼ିଶାରେ ସେହି ଦିଗରେ କେହି ଏପର୍ଯ୍ୟନ୍ତ ମୁଣ୍ଡ ଖେଳାଇ ନାହାନ୍ତି । କବିତା ଓ ଗଳ୍ପ ଲେଖିବାର ଏକାଧିକ କର୍ମଶାଳା ଆୟୋଜିତ ହେଲାଣି, ମାତ୍ର ପ୍ରବନ୍ଧ ଲେଖି ଶିଖାଇବାର କୌଣସି କର୍ମଶାଳା ହେଉ ବୋଲି ଏପର୍ଯ୍ୟନ୍ତ କେହି ପ୍ରସ୍ତାବ ଦେଇନାହାନ୍ତି । ସେହି କଥାଟି ବିଷୟରେ ମଧ୍ୟ କିଞ୍ଚିତ୍ ଚିନ୍ତା କରାଯାଇ ପାରନ୍ତା । ହଁ, ଇସ୍କୁଲ କିମ୍ବା କଲେଜ ପିଲାଏ କିପରି ପ୍ରବନ୍ଧ ଲେଖିବେ, ଅର୍ଥାତ୍ କିପରି ପ୍ରବନ୍ଧ ଲେଖିଲେ ସେମାନେ ଅଧିକ ନମ୍ବର ପାଇବେ, ସେଥିପାଇଁ କ୍ରମେ ପୁସ୍ତିକା ଓ ମାର୍ଗଦର୍ଶିକା ବାହାରିଲାଣି । ସାହିତ୍ୟରେ ପ୍ରବନ୍ଧ ଲେଖିବା ନିମନ୍ତେ କେହି ଏପର୍ଯ୍ୟନ୍ତ ମାର୍ଗଦର୍ଶିକା ଲେଖିନାହାନ୍ତି-। ଆମର ଅଧିକାଂଶ ସାହିତ୍ୟକ ପ୍ରବନ୍ଧ ଓ ଗବେଷଣା ଯେ ବହୁ ଅବସରରେ ଇସ୍କୁଲ ଓ କଲେଜରେ ପ୍ରବନ୍ଧସ୍ତରର ହୋଇଥିବା ପରି ମନେ ହୋଇଥାଏ, ସେଥିପାଇଁ ଆମେ ସେହି ସ୍ତରୀୟ ମାର୍ଗଦର୍ଶିକାମାନଙ୍କୁ ଦାୟୀ କରିପାରିବା କି ? ସାହିତ୍ୟ–ଗବେଷଣାର ପଦ୍ଧତିଗୁଡ଼ିକୁ ପ୍ରଦର୍ଶାଇ ଦେବାପାଇଁ ଏବେ ଖଣ୍ଡେ ଅଧେ ପ୍ରଚେଷ୍ଟା ହେଉଛି । ଅବଶ୍ୟ ଏକଥା ସତ୍ୟ ଯେ ଏହି କ୍ଷେତ୍ରରେ ଯାବତୀୟ ଗବେଷଣାକୁ ପ୍ରଧାନତଃ ଏକ ଅର୍ଥାର୍ଥୀ ବିଶେଷ ଉଦ୍ୟମ ବୋଲି ଧରି ନିଆଯାଇଛି-

 

ଏସବୁ ‘କେମିତି’ର ପ୍ରସଙ୍ଗ ପରେ ‘କାହିଁକି’ର ସେହି ଅନ୍ୟ ପ୍ରସଙ୍ଗଟିର ବି ଉତ୍ଥାପନ କରାଯାଇପାରେ । କବିତାର କିଭଳି କାହିଁକିମାନ ରହିଛି, ସେକଥା କବିମାନେ ଏକତ୍ର ବସି ଆଲୋଚନା କଲେ ହୁଏତ କିଛି କହିପାରନ୍ତେ । ଗଳ୍ପ ଓ ଉପନ୍ୟାସର ସେହିଭଳି କିଛି କାହିଁକି ଅବଶ୍ୟ ରହିଥିବ । ଶିଶୁମାନଙ୍କୁ ସଦ୍‌ବାଟରେ ରଖିବାକୁ ଏବଂ ପରିଚାଳିତ କରିବାକୁ ଉଦାର ବଡ଼ମାନେ ଶିଶୁସାହିତ୍ୟରେ ମନୋନିବେଶ କରନ୍ତି ବୋଲି ଯଦି କୁହାଯାଏ, ତେବେ ସେଥିରେ ହୁଏତ ସମ୍ପୃକ୍ତ ଲେଖକମାନେ ବିଶେଷ ଆପତ୍ତି କରିବେନାହିଁ । ମାତ୍ର, ଜଣେ ପ୍ରବନ୍ଧଲେଖକ କେଉଁ କାରଣରୁ ପ୍ରବନ୍ଧଟିଏ ଲେଖେ ? କ’ଣ ପାଇଁ ସେ ସାହିତ୍ୟସର୍ଜନାର ଏତେ ଏତେ ଦାଣ୍ଡିକୁ ନଧରି ପ୍ରବନ୍ଧକୁ ମନ କରେ ? ଅବଶ୍ୟ, ବହୁତ ମହାନ୍ ଲେଖକ ରହିଛନ୍ତି, ଯେଉଁମାନେ କି କବିତା, ଗଳ୍ପ, ନାଟକ ଓ ପ୍ରବନ୍ଧ ସବୁକିଛିରେ ହାତ ଦିଅନ୍ତି ଓ ଆପଣାର ସିଦ୍ଧହସ୍ତତାର ପ୍ରତିପାଦନ କରନ୍ତି ଏବଂ ପ୍ରବନ୍ଧ, ଗଳ୍ପ ଓ କବିତା ଲେଖିବାର କାହିଁକିଗୁଡ଼ିକ ମଧ୍ୟରେ ପ୍ରକୃତରେ କୋଣସି ଧାତୁଗତ ପାର୍ଥକ୍ୟ ରହିଛି ନା ଏକ ତାତ୍କାଳିକ ଖିଆଲ ବା ଅଗ୍ରାଧିକାରର ମର୍ଜି ଅନୁସାରେ ବିଶେଷ କୌଣସି ବାରଣ ନରଖି ଏଇଟା ଅଥବା ସେଇଟା ଲେଖି ହୋଇଯାଏ, ଏକାବେଳକେ ସବୁଗୁଡ଼ିକୁ ଭେଦ କରି କିଏ କହିପାରିବ ? ଗୋଟିଏ କାଳ ଥିଲା, ଯେତେବେଳେ ଯାବତୀୟ ସୃଜନଶୀଳତା କେବଳ କାବ୍ୟ ଓ ପଦ୍ୟରେ ସମ୍ଭବ ହୋଇପାରିବ ବୋଲି ପ୍ରଚଣ୍ଡ ଭାବରେ ବିଶ୍ଵାସ କରା ଯାଉଥିଲା । ଓଡ଼ିଆ ସାହିତ୍ୟର ଆଧୁନିକ ଅଳିନ୍ଦମାନଙ୍କରେ ହୁଏତ ଏବେ ବି କେତେ କେତେ ଥିବେ, ଯେଉଁମାନେ ପ୍ରବନ୍ଧ ବ୍ୟତୀତ ସାହିତ୍ୟର ବାକି ସବୁକିଛିକୁ ସିନା ସୃଜନାତ୍ମକ କାର୍ଯ୍ୟ ବୋଲି କହିବେ, ମାତ୍ର ପ୍ରବନ୍ଧ ବେଳକୁ ମୁହଁ ବଙ୍କାଇଦେବେ । କବି ଓ ଗଳ୍ପକାରକୁ ଶିଳ୍ପୀ ବୋଲି ଭାବିବେ ସିନା, ମାତ୍ର ପ୍ରବନ୍ଧକାରକୁ ସମ୍ଭବତଃ ମିସ୍ତ୍ରୀଟିଏ ବୋଲି ବିଚାର କରୁଥିବେ ।

 

ଏତେ ଏତେ କଟକଣାକୁ କାଟି ପ୍ରବନ୍ଧ ଯେ ସାହିତ୍ୟ ଭିତରକୁ ଆସୁଛି ଓ ଆହୁରି ଆସିବ, ସେକଥା ଭାବିବା ସମୟରେ ନିଜ ଭିତରକୁ ଅନାଇ ପ୍ରକୃତରେ ବଡ଼ ରହସ୍ୟପୂର୍ଣ୍ଣ ମନେ ହୋଇଥାଏ । ଏବର ସାହିତ୍ୟରେ ତଥାକଥିତ କବି ଓ ଗଳ୍ପକାରମାନେ ଏଣିକି ପ୍ରବନ୍ଧର ହିଁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଛନ୍ତି ବୋଲି କହିବାକୁ ଏକାଧିକ କାରଣ ଦିଶିଦିଶି ଯାଉଥାଏ । ଗୋଟାଏ ଯୁଗ ଆସୁଛି, ମାନବିକ ଅଧ୍ୟାତ୍ମଚେତନାରେ ଏପରି ସ୍ତରଟିଏ କ୍ରମେ ପରିଚିତ ହୋଇଆସୁଛି, ଯେଉଁଠାରେ କି ମଣିଷର ଖାଲି ସିଧା କହିବାକୁ ମନ ହେବ । ଆଳଙ୍କାରିକତା ନକରି ମୋଟେ କିଛିହେଲେ ନବୁଲାଇ, ନିଷ୍କପଟ ଓ ନିଶ୍‌ଛଳ ଭାବରେ ନିଜର କଥାଟିକୁ ବ୍ୟକ୍ତ କରିବାକୁ ହିଁ ସତ୍ୟପ୍ରତି ନିଜର କର୍ତ୍ତବ୍ୟ ବୋଲି କୁହାଯିବ । ଗଦ୍ୟର ଆଙ୍ଗିକ ପିନ୍ଧିଲେ କାଳେ ସାହିତ୍ୟରେ କଥାଗୁଡ଼ିକୁ ସିଧା କରି ଓ ସିଧା ହୋଇ କହିବାକୁ ପଡ଼ିବ ବୋଲି ହୁଏତ ପୁରୁଣାକାଳର କାବ୍ୟକାର ଓ ରାଜସଭାର ଉପଭୋଗୀ ମାର୍ତ୍ତଣ୍ଡମାନେ ଗଦ୍ୟକୁ ସଭାବାହାର ଏବଂ ସାହିତ୍ୟବାହାର କରି ରଖିଥିଲେ । ତଥାପି ଗଦ୍ୟ ଆସି ପହଞ୍ଚିଗଲା, ସାହିତ୍ୟରେ ସ୍ଵୀକୃତ ହେଲା । ସମ୍ଭବତଃ ଗଦ୍ୟର ମୁହୂର୍ତ୍ତଟି ଆସି ପହଞ୍ଚିଗଲା ବୋଲି ଗଦ୍ୟ ଆସିଗଲା । ସାହିତ୍ୟ ଜୀବନର ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଗଦ୍ୟର ସମ୍ଭାବନାକୁ ଅଧିକରୁ ଅଧିକ ମଣିଷ ହୃଦୟଙ୍ଗମ କରିଥିଲେ । ଡାଇଲ୍‌ଗର ଯୁଗ ଆସିଲା,–ଗଦ୍ୟ ସେହି ଡାଇଲ୍‌ଗର ମାଧ୍ୟମ ହେଲା । କବିତା ମଧ୍ୟ ଅଧିକରୁ ଅଧିକ ଯୁକ୍ତିସଙ୍ଗତ ଭାବରେ ନିଜ ସହିତ ଏକ ଅନ୍ତର୍ଗତ Dialogue ବା କଥୋପକଥନ କରିବାକୁ ବୁଝାଇଲା । ମଣିଷମାନେ ସାହିତ୍ୟଠାରୁ ଅଧିକ ମୂଲ୍ୟବାନ୍ ଦେଖାଗଲେ-। ତେଣୁ ମୂଲ୍ୟାୟନର ଭତ୍ତିକଳ୍ପ ଗୁଡ଼ିକ ମଧ୍ୟ ଅଲଗା ପ୍ରକାରର ହୋଇଗଲା । ତେଣୁ, ବାହାର ଆଙ୍ଗିକଟା ଅକସ୍ମାତ୍ ଯାହା ହୋଇଥାଉ ପଛକେ, ଭିତରେ ସମସ୍ତେ ପ୍ରବନ୍ଧକୁ ଲୋଡ଼ିଲେ । ନିଜ ପାଖରେ ବିଦେଶୀ ହୋଇ ରହିବାକୁ ଇଚ୍ଛା କଲେନାହିଁ । ପୁରାତନର ଅନେକ ଅନେକ ମିଛ ଖୋଳମାନ ଖସି ପଡ଼ିବା ସଙ୍ଗେ ସଙ୍ଗେ ପ୍ରବନ୍ଧ ଓ Belles letters ସତେଅବା ପରସ୍ପର ସହିତ ଆସି ଛନ୍ଦି ହୋଇଗଲେ । ଦୁହେଁ ଦୁହିଁଙ୍କୁ ଲୋଡ଼ୁଥିବା ପରି ପରସ୍ପର ପାଖରେ ଆସି ପହଞ୍ଚିଗଲେ-। Satire ନାମକ ସାହିତ୍ୟର ସେହି ଅନ୍ୟ genre ବା ବର୍ଗଟିର ବି ବ୍ୟଞ୍ଜନା ବଦଳିଗଲା-। ତିନିହେଁ ମିଶି ଯେଉଁ ଯୁକ୍ତବେଶୀଟିକୁ ସାହିତ୍ୟ ଭିତରକୁ ସମ୍ଭବ କରିଆଣିଲେ, ତାହାକୁ ଆଧୁନିକ ପରିଭାଷାର ସକଳ ପ୍ରସ୍ଥ ଅନୁସାରେ ଆଧୁନିକ ପ୍ରବନ୍ଧ ବୋଲି କୁହାଗଲା ଏବଂ, ଏଇଠି ସୃଜନାତ୍ମକ ନୁହେଁ ବୋଲି କହିବା ପାଇଁ ଆଉ କାହାରି ସାହସ ହେଲା ନାହିଁ ।

 

ଓଡ଼ିଶାରେ ସାମ୍ପ୍ରତିକ କବିତା ନିଃସଙ୍ଗତାର କଥା କହୁଥିଲା । ନିଃସଙ୍ଗତାକୁ ସତେଅବା କୁଣ୍ଢାଇ ଧରିଥିବା ପରି ତାହା ନିଃସଙ୍ଗତାର କଥା କହୁଥିଲା । ସଂସାର ଭିତରେ ଏତେ ଏତେ ସଙ୍ଗର ସମ୍ଭାବନା ମହଜୁଦ ରହିଥିଲେ ମଧ୍ୟ ନିଃସଙ୍ଗତାର କଥା କହୁଥିଲା । ପୁରାତନ ସାହିତ୍ୟରେ ମଧ୍ୟ କବି ମନବୋଧ ଚଉତିଶା ଲେଖି ଯେତେବେଳେ ସଂସାରରେ କେହି କାହାର ନୁହନ୍ତି ବୋଲି ଘୋଷଣା କରୁଥିଲେ, ସେତେବେଳେ ତାକୁ ତଥାପି ବୁଝି ହେଉଥିଲା । ସେପରି କହିବା ପଛରେ ତଥାପି ଗୋଟିଏ ଉପଲବ୍ଧି ରହିଥିଲା, ଏକ ଜୀବନଦର୍ଶନ ଥିଲା, ହୁଏତ ଏକ ସକାରାତ୍ମକ ଆବେଦନ ମଧ୍ୟ ରହିଥିଲା । ଏବକା କବିତାର ନିଃସଙ୍ଗତାବାଦୀମାନେ ସତେଅବା ଗୋଟିଏ କଉତୁକିଆ ଆଙ୍ଗିକ ରୂପେ ନିଃସଙ୍ଗତାକୁ ଗ୍ରହଣ କରିଥିଲେ । ଜୀବନରେ ହୁଏତ ସାତ ଜାଗାରେ ସତର ପ୍ରକାର କାମୁକ ହୋଇ ରହିଥିଲେ, ମାତ୍ର ତଥାପି ଶବ୍ଦର ଗଛମାନଙ୍କରୁ ଅନୁରୂପ ଚିତ୍ରକଳ୍ପମାନଙ୍କୁ ଦୁହିଁ ଆଣି ନିଃସଙ୍ଗତାର କିସୁନ୍ଦର ବଜାରଟିଏ ମେଲି ଦେଉଥିଲେ । ଗଳ୍ପ ଓ ଉପନ୍ୟାସ ମଧ୍ୟ ବେଶ୍ କେତେ ଦିନ ତାହାର ଅନୁକରଣ କଲା, ମାୟାମିରିଗ କଥା କହିଲା, ଜୀବନଟାକୁ ସତେଅବା ଏକ ଭାନୁମତୀର ମଧ୍ୟାନ୍ତର ବିରତି ବୋଲି କହିବାକୁ ଚେଷ୍ଟା କଲା । ନୂଆ ନୂଆ ଶୈଳୀ ଓ ନୂଆ ନୂଆ ଛଟାମାନ ଖୋଜାହେଲା, ଦୂର ବିଦେଶରୁ ଉଧାର ଅଣାଗଲା । ଆମର ସୃଜନଶୀଳ କବି ଓ ଲେଖକମାନେ ସତେଅବା ପଡ଼ିଶାଘରୁ ମାଗି ଆଣିଥିବା କେତେଟା ଗହଣା ପିନ୍ଧି କୋଉ ମହାଦେବ ମନ୍ଦିରକୁ ଯାଉଥିବା ସୀମନ୍ତିନୀମାନଙ୍କ ପରି ଦେଖାଗଲେ । ସେମାନେ କେତେ କ’ଣ କହିଲେ; ଯାହା ମୋଟେ ନୁହନ୍ତି ତାହା କହିଲେ । ସତେଅବା ନିଜକୁ କ’ଣ ପାଇଁ ଲୁଚାଇ ରଖିବାକୁ ଏପରି କଲେ । ଗୋଟାଏ ଯୁଗ ହୁଡ଼ିଗଲା ପରି ମନେହେଲା ।

 

ଆମ ସାହିତ୍ୟିକ ମନଟା ମୂଳତଃ ସେଇଆଡ଼େ ଉଚ୍ଚାଟିତ ହୋଇ ରହିବାକୁ ଏତେବେଶୀ ମନ କଲାବୋଲି ଆଉ କ’ଣ ପ୍ରବନ୍ଧ ଉପେକ୍ଷିତ ହୋଇ ରହିଗଲା କି ? କବିତା, ଗପ, ନାଟକ ବା ଉପନ୍ୟାସ ଖୁବ୍ ସହଜରେ ଉଦ୍‌ଗାରି ହୋଇଯିବ ବୋଲି ଭ୍ରମ କରି ସମସ୍ତେ ପ୍ରବନ୍ଧକୁ ଅବହେଳା କରି ପକାଇଲେ କି ? ରଜା ନିଜର ମନ୍ତ୍ରୀ ଓ ପାରିଷଦମାନଙ୍କର ଗହଣରେ ମହୋଲ୍ଲସିତ ହୋଇ ଅଦ୍‌ଭୂତ ପରିଚ୍ଛଦଟିକୁ ପିନ୍ଧି ଅର୍ଥାତ୍ ଲଙ୍ଗଳା ହୋଇ ନଗର ପରିକ୍ରମଣରେ ବାହାରିବ ବେଳେ କୋଉଠି କୋଉ ଗଳି ବା ମୋଡ଼ରେ ଲଙ୍ଗଳା ପିଲାଟାଏ ତାଙ୍କୁ ଦେଖି ସତକଥାଟା କହିଦେବ ବୋଲି ଅପେକ୍ଷା କରି ଯେ ଛିଡ଼ା ହୋଇଛି, ସେକଥା ସିଏ କାହିଁକି ବା ଭାବିଥାଆନ୍ତେ ? ବାବୁ, ତୁମେ ଯାହା ଲେଖିବ ଲେଖ ପଛକେ, ଯୋଉ ଛାଞ୍ଚରେ ଲେଖିବ ଲେଖ ପଛକେ, ତୁମେ ତୁମ ଚାରିପାଖରେ ରହିଥିବା ଜୀବନଟିକୁ କେତେ ଅନ୍ତରଙ୍ଗ, ଅଙ୍ଗୀକାରବଦ୍ଧ ଏବଂ ସମଗ୍ର ଭାବରେ ସମୀକ୍ଷା କରି ପାରୁଛ, ତୁମର ଯାବତୀୟ ରଚନାରୁ ମୂଳତଃ ସେହି କଥାଟା ହିଁ ଧରା ପଡ଼ିଯିବ । ସମୀକ୍ଷାର ସେହି ଦିଗଟି ହେଉଛି ପ୍ରବନ୍ଧର ଦିଗ । ବଞ୍ଚିବାର ସର୍ବପ୍ରଧାନ ଦିଗଟିକୁ ଯଦି ସମୀକ୍ଷଣ ବୋଲି କୁହାଯାଏ, ତେବେ, କେଉଁ ସମାଜରେ କେଉଁସବୁ କାରଣରୁ ସୁଜନମାନେ ପ୍ରବନ୍ଧକୁ ସାହିତ୍ୟରଚନାର ସର୍ଜନାତ୍ମକ ହାଣ୍ଡି ଭିତରେ ଗଳ୍ପ, ନାଟକ ବା ଉପନ୍ୟାସ ସହିତ ଏକାଠି ରଖିବାକୁ ରାଜି ହୁଅନ୍ତି ନାହିଁ, ସେହି କଥାଟିକୁ ମଧ୍ୟ କେତେକ ପରିମାଣରେ ଅନୁମାନ କରାଯାଇ ପାରିବ । କବିତାରେ ଜୀବନର ହିଁ ସମୀକ୍ଷା, ଗଳ୍ପ, ଉପନ୍ୟାସ ଓ ନାଟକରେ ମଧ୍ୟ ସେହି ଜୀବନର ସମୀକ୍ଷା । ଉନ୍ମୋଚିତ ହୋଇ ସତ୍ୟ ପାଖରେ ନିଜକୁ ତଉଲି ନେବାର, କଣ୍ଟି ନେବାର ସେହି ସାହସ ଓ ସେହି ଶ୍ରଦ୍ଧା,–ଏଇଟି ହେଉଛି ପ୍ରବନ୍ଧର ଧର୍ମ । ଆଧୁନିକ ସାହିତ୍ୟରେ କ୍ରମେ ଏହି ସମୀକ୍ଷାର ଦିଗଟି ଯେ ଅଧିକରୁ ଅଧିକ ପ୍ରତିଫଳିତ ହୋଇଆସୁଛି, ତାହା ସାହିତ୍ୟ ତଥା ଆମ ପାଇଁ ଏକ ଶୁଭ ଲକ୍ଷଣ । ମଣିଷ ଯେତେବେଳେ ନିଜ ପାଖରୁ ଆଉ ଲୁଚି କରି ରହିବାକୁ ମୋଟେ ମନ ନକରେ, ଯେତେବେଳେ ସିଏ ପୂରା ଧରାପଡ଼ି ଆପଣାକୁ ପୂରା ଆବିଷ୍କାର କରିପାରିବ ବୋଲି ସେହି ଅନ୍ୟ ପ୍ରତ୍ୟୟଟିକୁ ପାଇଯାଏ, ସେତିକିବେଳେ ସାହିତ୍ୟରେ ତାକୁ ପ୍ରବନ୍ଧ ହିଁ ହୁଏତ ସବାଆଗ ଭଲ ଲାଗେ । ନିଜର ଖୋଳଗୁଡ଼ିକୁ ଆଗ ସ୍ଵୀକାର କରିନେଇ ତା’ପରେ ସେଗୁଡ଼ିକୁ ନିଜର ଦେହ ଉପରୁ ଖସାଇଦେଇ ସମ୍ପୂର୍ଣ୍ଣ ଭାବରେ ସତ୍ୟ ଆଗରେ ଯାଇ ଛିଡ଼ା ହୋଇଯିବା ଏବଂ ଦ୍ଵିଜ ହେବାକୁ ରାଜି ହୋଇ ତୁମେ ତା’ପାଖକୁ ଆସିଛ ବୋଲି ସ୍ଵୀକାର କରିବା–ଆମ ଜୀବନରେ ଯିଏ ଏତିକି ପାହାଚକୁ ଉଠି ପାରିଥିବ, ତାକୁ ସାହିତ୍ୟ ଭିତରେ ସବାଆଗ ପ୍ରବନ୍ଧ ହିଁ ଭଲ ଲାଗିବ । ନିଜେ କିଛି ଲେଖିବସିଲେ ସିଏ ସବାଆଗ ପ୍ରବନ୍ଧ ହିଁ ଲେଖିବ । ହୃଦୟ ଭିତରୁ କହୁଛି ବୋଲି ଗୋଟାଏ ମିଛ ପ୍ରତ୍ୟୟ ସୃଷ୍ଟିକରି ନିର୍ଧୂମ ମାନସିକତା ଭିତରୁ କବିତା ବା ଗପ ଫାନ୍ଦିବାକୁ ଇଚ୍ଛା ନକରି ସିଏ ମାନସିକତାର ଯାବତୀୟ ବାଡ଼କୁ ଡେଇଁ ହୃଦୟକୁ ଛୁଇଁ ପାରିବାର ପ୍ରୟାସ କରୁଥିବ ।

 

ଆମର ହୃଦୟଟାକୁ ନାନା ଅବୁଝା ମାନସିକତା ଦ୍ଵାରା ପୋତି ପକାଇବାର ଏକ ଦୁଷ୍ପ୍ରୟାସ–ତାହାକୁ ଆମେ ବହୁ ସମୀଚୀନତା ସହିତ ଭାବପ୍ରବଣତା ବୋଲି କହିପାରିବା । ଆଧୁନିକ କଳାର ଗପ, ଉପନ୍ୟାସ ଓ ନାଟକମାନେ ଅଧିକାଂଶତଃ ତାହାହିଁ କରନ୍ତି । ଅଧିକ ଦେଖାଇ ପାରିବାର ଭାଣ କରି ସେମାନେ ସତେଅବା ଅସଲଟିକୁ ଲୁଚାଇ ରଖିବାର ଫିକର କରିବାରେ ଲାଗିଥାନ୍ତି । ଆଧୁନିକ କାଳର ସାହିତ୍ୟ ଏବଂ ସେହି କେତେ କ’ଣ ଭିତରେ ସବୁଠାରୁ ଅଧିକ ସମର୍ଥତା ସହିତ ନିଜକୁ ଲୁଚାଇ ପକାଇବାର ସାହିତ୍ୟ । ଏହି ଦୃଷ୍ଟିରୁ ଏବର କଳା ଏବଂ ସାହିତ୍ୟକାରିତାକୁ ଅନେକତଃ ଲୁଚାଇ ରଖିବାର ଅର୍ଥାତ୍ ଲୁଚିରହିବାର ଏକ ଶୋଚନୀୟ କୁଶଳତା ବୋଲି କୁହାଯାଇ ପାରିବ । ଅସଲ ପ୍ରବନ୍ଧ ଠିକ୍ ଓଲଟାଟା କରିବ ବୋଲି ଅଭିଳାଷ ରଖିଥାଏ । ଉପରର ଆଭରଣପରସ୍ତ ଗୁଡ଼ିକୁ ଖୋଲି ତାହା ଯଥାସମ୍ଭବ ଅଭିପ୍ରାୟଗୁଡ଼ିକୁ ଖୋଲି ଦେଖାଇଦିଏ-। ଚେତନାଟାକୁ ଉଖାଡ଼ି ଅବଚେତନ ଅର୍ଥାତ୍ ମଗ୍ନଚେତନ ପର୍ଯ୍ୟନ୍ତ ଯିବାକୁ ଆଗ୍ରହ ରଖିଥାଏ-। ସେଥିପାଇଁ କେବଳ ଶୈଳୀଗୁଡ଼ିକୁ ଜାଣିଲେ ନୁହେଁ, ନିଜକୁ ମଧ୍ୟ ଯଥାସମ୍ଭବ ଯାବତୀୟ ଖୋଳରୁ ମୁକ୍ତକରି ଆଣି ଏକାବେଳେକେ ବନ୍ଧୁ ପରି ସତ୍ୟଗୁଡ଼ିକ ବିଷୟରେ ଏକ ଆଲୋକନକାରୀ କଥୋପକଥନର ଅବକାଶ ସୃଷ୍ଟି କରିବା ସକାଶେ ପ୍ରବନ୍ଧ ବାଟ ଖୋଜୁଥାଏ । ଗୋଟାଏ ସର୍ବନିମ୍ନ ଦୂରତା ନରଖିଲେ କବିତା ବା ଗଳ୍ପ ଲେଖି ହୁଏ ନାହିଁ ସିନା, ସେହି ଦୂରତାଟି ରହିଥିବା ପର୍ଯ୍ୟନ୍ତ ହୁଏତ ପ୍ରବନ୍ଧମାନେ ଭାରି ଖଣ୍ଡିଆ ହୋଇ ରହିଯାଆନ୍ତି ଏବଂ, ଯେଉଁମାନେ ଖଣ୍ଡିଆ ହୋଇ ରହିବାଠାରୁ ଚତୁର ନହେବାଟାକୁ ଜୀବନର ଅଧିକ ବଡ଼ ବିପର୍ଯ୍ୟୟ ପରି ବୁଝନ୍ତି, ସେମାନେ ପ୍ରବନ୍ଧରେ ବେଶୀ ଦୂର ଯାଇପାରନ୍ତି ନାହିଁ । ଯଥାସମ୍ଭବ ଅଧିକ କର୍କଶ ବିବିଧ ଶବ୍ଦଘନତା ଭିତରେ କ’ଣ ଗୋଟାଏ ଫାନ୍ଦି ପକାଇ ତାହାକୁ ହିଁ ପ୍ରବନ୍ଧ ବୋଲି ଆମଆଗରେ ଆଣି ଥୋଇଦିଅନ୍ତି-। ନିଜଜୀବନର ପାହାଚଉଠା ସହିତ ନିଜର ଜୀବନଶ୍ରଦ୍ଧା ମଣିଷକୁ ଯେତିକି ଅଧିକ ସ୍ଵାଭାବିକ ଏବଂ ନିରାଭରଣ ଭାବରେ ଯୋଡ଼ି କରି ରଖିଥାଏ, ପ୍ରବନ୍ଧ ଲେଖିବାଟା ଏବଂ ପ୍ରବନ୍ଧ ପଢ଼ିବା ମଧ୍ୟ ସମ୍ଭବତଃ ସେତିକି ଭଲ ଲାଗେ, ସେତିକି କାମ୍ୟ ବୋଲି ମନେ ହୋଇଥାଏ ।

 

ଯାବତୀୟ ଅର୍ଥରେ ପୃଥିବୀ କ୍ରମେ ଏକ ବୃହତ୍ ପ୍ରତିବେଶରେ ପରିଣତ ହୋଇଆସୁଥିବା ସମୟରେ ପ୍ରବନ୍ଧ ହୁଏତ ଆଉ ମୋଟେ ସ୍ଥାନୀୟ ହୋଇ ରହିବ ନାହିଁ । ସ୍ଥାନୀୟ ଭାଷାର ପରିଚ୍ଛଦରେ ସ୍ଥାନୀୟ ସାହିତ୍ୟବୃତ୍ତାନ୍ତ ଗୁଡ଼ିକର ସମୀକ୍ଷା କରୁଥିଲେ ମଧ୍ୟ ତାକୁ ଅନାଇ ଦେଉଥିବା ମାତ୍ରକେ ସମଗ୍ର ପୃଥିବୀ ହିଁ ଦିଶି ଦିଶି ଯାଉଥିବ ଏବଂ ତେବେ ଯାଇ ହେବ । ସ୍ଥାନୀୟ ମଣ୍ଡୁକଦୃଷ୍ଟି ଗୁଡ଼ିକର ପ୍ରଲୋଭନରୁ ବାହାରି ଆସିବାକୁ ହେବ । ସମ୍ଭବତଃ ଜାତୀୟତାବାଦର ଗଣ୍ଡି ଓ ବେଢ଼ଗୁଡ଼ାକୁ ମଧ୍ୟ ଡେଇଁ ଆସିବାକୁ ହେବ । ନିଜ ଘରର ଇଷ୍ଟଦେବମାନଙ୍କର ମୋହକୁ ପାର ହୋଇ ଏକ ବିଶ୍ଵଦେବଙ୍କର ପରିମିତି ମଧ୍ୟରେ ପ୍ରବେଶ କରିବାକୁ ହେବ । ସତ୍ୟରେ କୌଣସି ଭୂଗୋଳ ନାହିଁ,–ଗଛମାନେ ଏକ ନିର୍ଦ୍ଦିଷ୍ଟ ଭୂଇଁ ଉପରେ ଚେର ମଡ଼ାଇ ଛିଡ଼ା ହୋଇଥିଲେ ମଧ୍ୟ ସେହି ଗଛରେ ଫୁଟୁଥିବା ଫୁଲର ଆସ୍ପୃହାକୁ କଦାପି ସେହି ଚେରଦ୍ଵାରା ହିଁ ନିର୍ଦ୍ଦେଶିତ କରି ହେବନାହିଁ । ସାହିତ୍ୟ ସାହିତ୍ୟ ମଧ୍ୟରେ ତୁଳନା କରି ନିଜଟାକୁ ଏମିତି ଅଥବା ସେମିତି ବୋଲି କହିବା ମଧ୍ୟ ପ୍ରବନ୍ଧର ବିଧିଟି ଭିତରେ ଭାରି ଅକରଣୀୟ ହୋଇ ରହିବ । ସ୍ଥାନୀୟକୁ ବିଶ୍ଵଯାକର ସବୁଯାକ ସ୍ଥାନକୁ ଯୋଡ଼ି ଏକତ୍ର କରି ଦେଖିବାର ଯେତେ ଯେତେ ଅନ୍ତର୍ଗତ ଏବଂ ବହିସ୍ଥ ସାଧନ ରହିଛି, ସେହି ସବୁଗୁଡ଼ିକୁ ଖିଅରୂପେ ବ୍ୟବହାର କରି ନ ଶିଖିଲେ ଆମେ ଲେଖୁଥିବା ପ୍ରବନ୍ଧଟି ହୁଏତ ନିତାନ୍ତ ଚକ୍ଷୁହୀନ ଭଳି ଦେଖା ଯାଉଥିବ ଏବଂ ନିଜଟା ବିଷୟରେ ଅତିରଞ୍ଜିତ କରି ଯାହା ତାହା ଦେଖିବାରେ ମନଟା ମାତି ରହିଥିବା ପର୍ଯ୍ୟନ୍ତ ଆମେ ମୂଳତଃ ଚକ୍ଷୁହୀନ ହୋଇ ହିଁ ରହିଥିବା-। ଯାହା ସ୍ଥାନୀୟ, ତାହାକୁ ବିଶ୍ଵାକାଶର ପରିପ୍ରେକ୍ଷୀରେ ଦେଖିପାରିବା ସମ୍ଭବ ହେଲେ ଯାଇ ଆମେ ସମ୍ଭବତଃ ସ୍ଥାନୀୟତା ରୂପକ କାକରବିନ୍ଦୁଟି ଉପରେ ଆକାଶର ସୂର୍ଯ୍ୟକୁ ଆଣି ପ୍ରତିଫଳିତ କରିବାରେ ବାଟ ପାଇଯିବା, ଜୀବନରେ ବି ଠିକ୍ ସେହିପରି କରିବାର ଯଥାର୍ଥ ବାଗଟିଏ ପାଇଯିବା-। ଓଡ଼ିଆ ସାହିତ୍ୟ ଯେତେଦିନ ଯାଏ ଏକାଧିକ କାରଣରୁ ସ୍ଥାନୀୟ ବୃହତ୍‌ମନ୍ୟତାର ଏକ ନିମିତ୍ତ ହୋଇ ରହିଥିବ, ହୁଏତ ସେପର୍ଯ୍ୟନ୍ତ ଏଥିରେ ପ୍ରବନ୍ଧକୁ ଅଧିକ ମଣିଷ ମୋଟେ ସାହି ପାରିବେ ନାହିଁ । ଆମେ ଜଳାଶୟଟିଏ ହୋଇ ରହିବାକୁ ପଣ କରିଥିବା ପର୍ଯ୍ୟନ୍ତ ଜଳଧି ସହିତ ଖିଅଲଗାଇବା ପାଇଁ ଆମକୁ ହୁଏତ ଭାରି ଡର ମାଡ଼ୁଥିବ । ଡରରୁ ବିଦ୍ଵେଷ ଜନ୍ମଲାଭ କରୁଥିବ-। ଗତ ପ୍ରାୟ ଏକଶହ ବର୍ଷ ହେଲା ଆମେ ଅଧିକାଂଶରେ ସେହିଭଳି ଏକ ବିଦ୍ଵେଷର କାରଣରୁ ହିଁ ଭାରି ହୀନମନ୍ୟ ହୋଇ ରହିଛୁ । ସେହି ହିନମନ୍ୟତାର ଚର୍ଚ୍ଚା ହୁଅନ୍ତା, ସେହି ଜଳାଶୟଧର୍ମିତାର ବି ଚର୍ଚ୍ଚା ହୁଅନ୍ତା । ପ୍ରବନ୍ଧ ବଳିଷ୍ଠ ହେଲେ ଯାଇ ସାହିତ୍ୟ ମଧ୍ୟ ସେହି ଚର୍ଚ୍ଚାର ଭାଜନ ହୁଅନ୍ତା । ସାହିତ୍ୟ ଆମକୁ ଆଉ ସବାଆଗ ଓଡ଼ିଆସାହିତ୍ୟ ବୋଲି ନ ଦିଶି ସାହିତ୍ୟ ଭଳି ଦିଶନ୍ତା ଓ ସେହିଭଳି ଦେଖିବାରୁ ହିଁ ଆମେ ସର୍ବାଧିକ ଆନନ୍ଦ ଲାଭ କରିପାରନ୍ତେ ।

 

ଗଙ୍ଗାଧର, ଗୋପବନ୍ଧୁ ଏବଂ ଗୋଦାବରୀଶଙ୍କ ଲଗାଏତ ଫକୀରମୋହନ ଓ ଫତୁରାନନ୍ଦଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ଆଲୋଚନାକୁ ଆଣି ପ୍ରବନ୍ଧଟିଏ ଲେଖିବା ପଛକେ, ଆମେ ନିଜ ପ୍ରବନ୍ଧଟିକୁ ଲେଖିବା ଆଗରୁ, ସମ୍ପୃକ୍ତ ବିଷୟଟିରେ ଆଗରୁ ଯେତେ ଯାହା ଲେଖାହୋଇଛି, ସେଗୁଡ଼ିକ ପଢ଼ିବା ଓ ତା’ପରେ ଯାଇ ନିଜର ବୋଲି କିଛି ଲେଖିବା । ତେବେଯାଇ ଆମେ ହୁଏତ ନୂଆ କରି କିଛି କହିପାରିବା । ଖବରକାଗଜରେ ଗତ ପ୍ରାୟ କୋଡ଼ିଏ ବର୍ଷ ହେଲା ଦଶହରା ସମୟକୁ ଦୁର୍ଗା ଅର୍ଥାତ୍ ଶକ୍ତିଙ୍କର ପୂଜା ବିଷୟରେ ଲେଖାମାନ ବାହାରୁଛି । କେତୋଟି ବର୍ଷର ଲେଖାକୁ ଅକସ୍ମାତ୍ ସଂଗ୍ରହ କରି ଯଦି ପାଠ କରାଯାଏ, ତେବେ ସେଥିରୁ ଆମେ ବହୁ ପୁନରାବୃତ୍ତି ଦେଖିବାକୁ ପାଇବା । ନିଜର କିଛି ଖାସ୍ କହିବାକୁ ନଥିଲେ ଜଣେ ଆଦୌ ପ୍ରବନ୍ଧଟିଏ କାହିଁକି ଲେଖିବ ? ଯଦି ଜଣେ ବ୍ୟକ୍ତି ସତ୍ୟକୁ ଦେଖିବାର ନିଜସ୍ୱ ବାଗଟିଏ ନପାଇଛି, ଯଦି ମୋର ଅଧିକ କିଛିହେଲେ କହିବାର ନାହିଁ, ତେଣୁ ଦାଣ୍ଡରେ ଆଚରିତ ହୋଇ ଆସିଥିବା ଏକ ବିବରଣାତ୍ମକ ଶୈଳୀରେ କିଛି ଲେଖି ଥୋଇଦେଲେ ତାହାକୁ ଆଦୌ କୌଣସି ସମୀକ୍ଷା ବୋଲି କାହିଁକି କୁହାଯିବ-? କେବଳ ସେତିକି ନୁହେଁ, ଆମ ପ୍ରବନ୍ଧମାନଙ୍କରେ ସର୍ବଦା ଏପରି ଅନେକ ପାରିଭାଷିକ ଶବ୍ଦର ବ୍ୟବହାର କରାଯାଇଥାଏ, ଯେଉଁଗୁଡ଼ିକର ଅର୍ଥ ପୃଥ୍ୱୀ–ଇତିହାସର ବିବର୍ତ୍ତନରେ କେତେମନ୍ତେ ବଦଳି ବଦଳି ଆସିଛି । ସେଗୁଡ଼ିକୁ ମୁଁ ନିରାଲମ୍ବ ଭାବରେ ବ୍ୟବହାର କରିବାକୁ ମନ କଲେ ତାହାଦ୍ୱାରା ହୁଏତ ଅଧିକ ବିଭ୍ରାନ୍ତି ସୃଷ୍ଟି କରିବା ହିଁ ସାର ହେବ । ଜାତୀୟତାବାଦ, ଆଦର୍ଶବାଦ, ଚେତନା, ବିବର୍ତ୍ତନ,–ଏହି ଯାବତୀୟ ଅଭିଧାଗୁଡ଼ିକର ବ୍ୟଞ୍ଜନା ମଧ୍ୟ କେତେମନ୍ତେ ବଦଳି ବଦଳି ଯାଉଛି ଅର୍ଥାତ୍ ସମ୍ପ୍ରସାରିତ ହୋଇଯାଉଛି । ଏହିପରି ଭାବରେ ସେଗୁଡ଼ିକୁ ବୁଝିବାର କ୍ଷେତ୍ରରେ ଏକ ଐତିହାସିକ କ୍ରମ ମଧ୍ୟ ରହିଛି । ସେଗୁଡ଼ିକ ବିଷୟରେ ଏକ ମୂଳଭୂତ ଧାରଣା ନ ରହିଲେ ଆମେ ସେଗୁଡ଼ିକୁ କିପରି ଭାବରେ ଆମ ପ୍ରବନ୍ଧରେ ବ୍ୟବହାର କରିପାରିବା ?

 

ତୁଳନାତ୍ମକ ଯାବତୀୟ ସମୀକ୍ଷାରେ ଆମେ ଇଂରାଜୀ ସାହିତ୍ୟରୁ ମାପକ ନାମଗୁଡ଼ିକୁ ଆଣି ପ୍ରବନ୍ଧରେ ବ୍ୟବହାର କରିଥାଉ । ତାହାର ବି କାରଣ ରହିଛି । ତଥାପି ତାହା ଯେ ଆମ ଆଲୋଚନାର ଆଭିମୁଖ୍ୟଗୁଡ଼ିକୁ ସବୁବେଳେ ଅଧିକ ସ୍ପଷ୍ଟ କରିବାରେ ସହାୟକ ହେବ, ସେକଥା ଆଦୌ ନୁହେଁ । ପାଶ୍ଚାତ୍ୟ ବିଚାରସମ୍ପଦ କହିଲେ ଇଂରାଜୀ ବ୍ୟତୀତ ଆହୁରି କେତେ ଐତିହ୍ୟକୁ ମଧ୍ୟ ବୁଝାଏ । ଇଉରୋପରେ ସକ୍ରେଟିସ୍, ସାର୍ତ୍ର ବା ବୁବର୍ କେହି ବିଲାତୀ ନୁହନ୍ତି । ସେହିସବୁ ଦୂରଗଭୀରର କଥାକୁ ବାଦ୍ ଦେଲେ ମଧ୍ୟ, ଅନ୍ୟାନ୍ୟ ଭାରତୀୟ ସାହିତ୍ୟଗୁଡ଼ିକୁ ବାଦ୍ ଦେଇ ଆମେ କିପରି ଓଡ଼ିଆସାହିତ୍ୟର ପରିଶୀଳନ କରିପାରିବା ? ପୁନର୍ବାର ପ୍ରାୟ ସେହି ଗୋଟିଏ କାରଣରୁ, ଯାବତୀୟ ଅଧ୍ୟୟନର ସନ୍ଦର୍ଭରେ ଓଡ଼ିଶାରେ ଆମେ କେବଳ ସଂସ୍କୃତସାହିତ୍ୟ ମଧ୍ୟରୁ ଏଇଟାକୁ ବା ସେଇଟାକୁ ଦୁହିଁ ଆଣି ଆମର ବକ୍ତବ୍ୟକୁ ପୁଷ୍ଟ କରିଥାଉ । ସ୍ମରଣ ରଖିବାକୁ ହେବ ଯେ ସଂସ୍କୃତ ସାହିତ୍ୟର ମଧ୍ୟ ଏକ ଇତିହାସ ରହିଛି, ଏକ ପ୍ରକ୍ରିୟାଗତ କ୍ରମ ରହିଛି । ଭାରତର ପ୍ରତ୍ୟେକ ଭାଷାସାହିତ୍ୟ ନିଜସ୍ୱ ଅନନ୍ୟତାର ସମୃଦ୍ଧ ଓ ଉଜ୍ଜ୍ଵଳ ହୋଇ ରହିଛନ୍ତି । ସେଗୁଡ଼ିକ ନଜାଣି ଆମେ ନିଜ ସାହିତ୍ୟର କି ଆଲୋଚନା କରି ପାରିବା,–ଏକ ଭାରତୀୟ ସାହିତ୍ୟର ଅଂଶ ବୋଲି ନିଜର ପରିଚୟ ଦେବାକୁ କିଭଳି ଭାଜନ ହେବା ? ଏପରିକି, ମଧ୍ୟଯୁଗରେ ସମଗ୍ର ଭାରତବର୍ଷରେ ଏକ ଉଦବେଳନ ଘଟାଇ ଯେଉଁ ସନ୍ଥସାହିତ୍ୟ ବିଭିନ୍ନ ଭାଷାର ମାଧ୍ୟମରେ ସାହିତ୍ୟ ପାଇଁ ଏକ ନୂତନ ଆଲୋକନର ଯୁଗକୁ ଉନ୍ମୋଚିତ କରି ଆଣିଥିଲା, ତାହକୁ ପୃଷ୍ଠଭୂମିରେ ନରଖି ଆମେ ଓଡ଼ିଶାର ସନ୍ଥମାନଙ୍କର ଏକ ସମଗ୍ର ଆଲୋଚନା କିପରି କରିପାରିବା ? ଅନ୍ତତଃ ଦୁଇ ତିନୋଟି ଅନ୍ୟ ଭାରତୀୟ ସାହିତ୍ୟର ପରିବୃତ୍ତକୁ ନିକଟରୁ ଚିହ୍ନିବାଲାଗି ମନ ନକଲେ ଆମେ ଓଡ଼ିଆ ସାହିତ୍ୟର ଯାବତୀୟ ଆଲୋଚନାକୁ ହୁଏତ ଭାରି ଏକଦେଶୀ କରି ରଖିଥିବା ।

 

ସବାଶେଷରେ ଗ୍ରନ୍ଥସମୀକ୍ଷା । ‘କୋଣାର୍କ’ର କର୍ତ୍ତାମାନେ ଚାପ ନପଡ଼ିଲେ ଏହାକୁ ମନ କରନ୍ତି ନାହିଁ । ସତେଅବା ଉପ୍ରୋଧକୁ ଏଡ଼ି ନପାରି ବାଧ୍ୟ ହୋଇ ତାହା କରିଥାନ୍ତି । ପ୍ରବନ୍ଧପତ୍ରିକାରେ ଗ୍ରନ୍ଥସମୀକ୍ଷା ଏକ ଅନ୍ୟତମ ମୁଖ୍ୟଅଙ୍ଗ ହୋଇ ରହିବା ଉଚିତ । ଗ୍ରନ୍ଥର ସମୀକ୍ଷାଗୁଡ଼ିକ ଗୋଟିଏ ଗୋଟିଏ ପ୍ରବନ୍ଧ ପରି ହେବା ଉଚିତ୍ । ‘ଏଷଣା’ ଆପଣାର ଆରମ୍ଭରୁ ହିଁ ସେହି କଥାଟି ଉପରେ ଧ୍ୟାନ ଦେଇ ଆସିଛି । ଆମ ଖବରକାଗଜରେ ଓ ପତ୍ରିକାମାନଙ୍କରେ ଯେଉଁ ଚଟପଟିଆ ଗ୍ରନ୍ଥସମୀକ୍ଷା ବାହାରେ, ତଦ୍ଦ୍ଵାରା ଯାବତୀୟ ସମୀକ୍ଷାର ହୁଏତ ଅବମାନନା ହିଁ କରାଯାଏ । ଜନରବରୁ ଜଣାଯାଏ ଯେ ସୁଚାରୁରୂପେ ନେଇଆଣି ଥୋଇ ଜାଣିବା ଦୃଷ୍ଟିରୁ ଲେଖକମାନଙ୍କୁ ବେଳେବେଳେ ନିଜ ବହିର ସମୀକ୍ଷାକୁ ନିଜେ କେଉଁଠାରୁ ଅଥବା ନିଜଦ୍ଵାରା ଲେଖି ଆଣିବାକୁ କୁହାଯାଇଥାଏ । ‘କୋଣାର୍କ’ର ପ୍ରତ୍ୟେକ ସଂଖ୍ୟାରେ ନୂଆ ନୂଆ ଗ୍ରନ୍ଥର ସମୀକ୍ଷା ବାହାରୁ ଥାଆନ୍ତା । ସମୀକ୍ଷାଗୁଡ଼ିକର ବି ପୁନଃସମୀକ୍ଷା ହେଉଥା’ନ୍ତା । ଆବଶ୍ୟକ ହେଲେ ଏକ ବହୁମୁଖୀ ବିତର୍କ ଲାଗି ରହିଥାନ୍ତା । ଖାଲି ଓଡ଼ିଆ ବହିମାନଙ୍କର ନୁହେଁ, ବଙ୍ଗଳା, ହିନ୍ଦୀ, ତେଲୁଗୁ ଓ ଇଂରାଜୀ ଏକାଧିକ ପୁସ୍ତକର ବି ସମୀକ୍ଷା ହେଉଥାନ୍ତା । ପାଠକମାନଙ୍କ ପାଇଁ ଏକ ବିସ୍ତାରିତ ଭୂମି ଏହାଦ୍ୱାରା ଯେ ସମ୍ଭବ ହେଉଥା’ନ୍ତା, ସେକଥାକୁ ଅଧିକ ବୁଝାଇ କହିବାର କୌଣସି ପ୍ରୟୋଜନ ନାହିଁ ଏବଂ ଓଡ଼ିଶାରେ ପ୍ରବନ୍ଧସାହିତ୍ୟ ପ୍ରତି ଏକ ଆବଶ୍ୟକ ରୁଚିକୁ ତିଆରି କରି ଆଣିବାରେ ତାହା ଅନେକ ଦୃଷ୍ଟିରୁ ଏକ ଆଦ୍ୟଭୂମି ହୁଏତ ତିଆରି କରି ନେଇପାରନ୍ତା । ଦକ୍ଷିଣ ଭାରତର ଇଂରାଜୀ ‘ହିନ୍ଦୁ’ ସମ୍ବାଦପତ୍ରର ସାପ୍ତାହିକ ପୁସ୍ତକସମୀକ୍ଷାରେ ଯଦି ଇଂରାଜୀ ପୁସ୍ତକଗୁଡ଼ିକ ସହିତ ତାମିଳ, ତେଲୁଗୁ, ମାଲାୟଲମ୍ ଓ କନ୍ନଡ଼ ପୁସ୍ତକର ସମୀକ୍ଷା ବାହାରି ପାରୁଛି, ‘କୋଣାର୍କ’ ପତ୍ରିକାରେ ଓଡ଼ିଆ ବ୍ୟତୀତ ଅନ୍ୟ ଭାଷାରେ ଲିଖିତ ମହତ୍ତ୍ଵପୂର୍ଣ୍ଣ କତିପୟ ପୁସ୍ତକର ସମୀକ୍ଷା ବାହାରି ନପାରିବ କାହିଁକି ? ଗ୍ରନ୍ଥସମୀକ୍ଷା ଆମ ସମସ୍ତଙ୍କୁ ଅଧିକଆଡ଼କୁ ଚକ୍ଷୁ ପ୍ରସାରି ଶିଖାଇବ ଏବଂ ତାହା ପ୍ରବନ୍ଧର ବୃହତ୍ତର କ୍ଷେତ୍ରଟିକୁ ମଧ୍ୟ ଆମକୁ ହାତଧରି ନେଇଯାଇ ପାରିବ ।

 

–କୋଣାର୍କ/୧୦୩, ଜାନୁଆରୀ, ୧୯୯୭

Image

 

ଅନୁବାଦ,–ଭାଷାର ଗବାକ୍ଷ

 

“ଭାଷା ବହତା ନୀର”–ଭାଷା ହେଉଛି ବହି ଯାଉଥିବା ପାଣିର ଗୋଟିଏ ସ୍ରୋତ । କବୀରଙ୍କର ଏହି ଉକ୍ତିଟି ତାଙ୍କ ନିଜର ଯୁଗଟି ଅପେକ୍ଷା ଆମର ଏହି ଆଧୁନିକ ଯୁଗରେ ଯେ ଅନେକ ଅଧିକ ପରିମାଣରେ ପ୍ରଯୁଜ୍ୟ, ଏହି କଥାରେ କେହି କଦାପି ଦ୍ଵିମତ ହେବେନାହିଁ । ଭାଷା ବହି ଚାଲିଥାଏ; ଭାଷା ଦିଏ, ଭାଷା ନିଏ । ଭାଷା ଜୀବନ୍ତ, ତେଣୁ ଠିକ୍ ଆମ ଜୀବନ ପରି ବହି ଚାଲିଥାଏ, ଦେଇକରି ସମୃଦ୍ଧ ହୁଏ, ନେଇକରି ବି ସମୃଦ୍ଧ ହୁଏ । ଏବଂ, ପ୍ରତ୍ୟେକ ଭାଷାକୁ ଯଦି ଆମେ ଗୋଟିଏ ଗୋଟିଏ ଘର ବୋଲି କଳ୍ପନା କରି ପାରିବା, ତେବେ ଅନୁବାଦକୁ ସେହି ଭାଷାରେ ଏକ ବା ଅନେକ ଗବାକ୍ଷ ବୋଲି କୁହାଯିବ ।

ଆମେ ଅନୁବାଦକୁ ଅନେକ ଗୌରବ ବା ଯଶୋଲାଭର ଏକ ସାଧନ କରି ବ୍ୟବହାର କରିଥାଉ ଅର୍ଥାତ୍, ଆମଭିତରୁ ଯେତେ ବ୍ୟକ୍ତିଙ୍କର ଲେଖା ବା ଆମ ଭାଷାରୁ ଯେତେ ପରିମାଣରେ ଲେଖା ପାଖର ଅଥବା ଦୂରର ଯେତେ ଅଧିକ ଭାଷାରେ ଅନୁବାଦ କରାଯାଇ ପାରିଲା, ଆମେ ସେହି ବ୍ୟକ୍ତିଙ୍କୁ ବା ଆମ ଭାଷାକୁ ସେତେ ଅଧିକ ଖ୍ୟାତିମଣ୍ଡିତ ଏବଂ ଗୌରବାନ୍ଵିତ ବୋଲି ଅନୁଭବ କରିଥାଉ ଓ ସେହି କଥାକୁ ନେଇ କେତେ ଟାକରା ବି ଫୁଟାଇଥାଉ । ଅନୁବାଦ ଗୌରବବର୍ଦ୍ଧନର ଏକ ସାଧନ ନୁହେଁ, ଏହା ହେଉଛି ଏକ ଆବଶ୍ୟକତା ଓ, ଆପଣା ଭାଷାର ଜୀବନଟି ସହିତ ଛନ୍ଦିହୋଇ ରହିଥିବା ଆଧୁନିକ ପ୍ରତ୍ୟେକ ମଣିଷର ମଧ୍ୟ ଏକ ଆବଶ୍ୟକତା ।

ଦିଲ୍ଲୀର ନେସନାଲ୍ ବୁକ୍ ଟ୍ରଷ୍ଟ୍ ଏବଂ ଭୁବନେଶ୍ଵରର ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁକୂଲ୍ୟର ଏହି ମାସରେ ଗୋଟିଏ ପାଞ୍ଚଦିନିଆ ଅନୁବାଦ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ପ୍ରାୟ ପଚିଶି ଜଣ ଲେଖକ, ଅନୁବାଦକ ଏବଂ ସମ୍ପାଦକ ଅଂଶଗ୍ରହଣ କରିଥିଲେ-। ଅନୁବାଦ–ସାହିତ୍ୟର ଭିନ୍ନ ଭିନ୍ନ ବିଭାଗକୁ ବସ୍ତୁରୂପେ ଗ୍ରହଣ କରି ପ୍ରବନ୍ଧ ପାଠ କରା ଯାଇଥିଲା-। ସେହି ବିଭାଗଗୁଡ଼ିକ ଅନୁସାରେ ବିଷୟଗୁଡ଼ିକ ଏହିପରି ଭାବରେ ନାମିତ ହୋଇଥିଲା: ଅନୁବାଦର କଳା, ସୃଜନଶୀଳ ସାହିତ୍ୟର ଅନୁବାଦ, ବୈଜ୍ଞାନିକ ଏବଂ ଟେକ୍‌ନିକାଲ୍ ସାହିତ୍ୟର ଅନୁବାଦ, ଏବଂ, ଭାରତୀୟ ଗୋଟିଏ ଭାଷାରୁ ଆଉଗୋଟିଏ ଭାଷାକୁ ଅନୁବାଦ-। ଏହି ପ୍ରବନ୍ଧଗୁଡ଼ିକୁ ନେଇ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଲେଖାଏଁ ଆଲୋଚନା ମଧ୍ୟ କରା ଯାଉଥିଲା-। ଆମେ ସାଧାରଣତଃ ଯେଉଁସବୁ ବିଷୟକୁ ଗୋଟିଏ ଗୋଟିଏ ସହଜ କଥା ବୋଲି ଭାବିଥାଉ, ସେଗୁଡ଼ିକ ଯେ ସେଗୁଡ଼ିକର ନାନାବିଧ ଗଭୀରତର ପ୍ରସ୍ଥକୁ ଆମ ଆଗରେ ଆଣି ଉନ୍ମୋଚନ କରି ଦେଇଥାନ୍ତି, ଆଲୋଚନା ଗୁଡ଼ିକରୁ ତାହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇ ଯାଉଥିଲା ।

ଏବଂ, ଅନୁବାଦର କାର୍ଯ୍ୟଟି ମଧ୍ୟ ପ୍ରକୃତରେ ଆଦୌ ସେତେ ସହଜ ନୁହେଁ । ଏଥିଲାଗି ଆଗ ଆପଣାର ସାହିତ୍ୟକୁ ଭଲ ପାଇବାକୁ ହୁଏ, ଆପଣାର ଭାଷାକୁ ଭଲ ପାଇବାକୁ ହୁଏ, ଆପଣାର ଭୂଇଁଟିକୁ ଭଲ ପାଇବାକୁ ହୁଏ । ଏହି ଭଲ ପାଇବାରୁ ଏକ ଅଭାବବୋଧ ଆସେ ଏବଂ ସେହି ଅଭାବବୋଧରୁ ଏକ ଅସନ୍ତୋଷ ଜନ୍ମଲାଭ କରେ । ସେହି ଅସନ୍ତୋଷ ଆମକୁ ବହିର୍ମୁଖୀ କରାଏ, ରତ୍ନ ସାଉଁଟି ଶିଖାଏ । ଆମର ଅନୁରାଗ ସମ୍ପ୍ରସାରିତ ହୋଇ ଅନ୍ୟ ଭାଷା ଅନ୍ୟ ସାହିତ୍ୟକୁ ଛୁଏଁ । ଆମେ ଗୋଟାଏ ଭଣ୍ଡାରରୁ ରତ୍ନ ଆଣି ଆଉଗୋଟାଏ ହାଟରେ ପରଷି ଦେବାକୁ ପ୍ରସ୍ତୁତ ହୋଇଯାଉ ।

ଏହି ପ୍ରସ୍ତୁତ ହେବାରୁ ହିଁ ଆଉଗୋଟାଏ ଭାଷା ଶିଖିବା ଆରମ୍ଭ ହୋଇଯାଏ, ଆଉ ଗୋଟାଏ ସାହିତ୍ୟ ମଧ୍ୟରେ ବିହାର କରିବା ଆରମ୍ଭ ହୁଏ; ଆଉ ଗୋଟାଏ ସଂସ୍କୃତି ସହିତ ସଖ୍ୟସ୍ଥାପନ ହୁଏ, ଆଉ ଗୋଟାଏ ଜଳବାୟୁ ସହିତ ଅନେକ ପରିମାଣରେ ଏକ ଏକାତ୍ମକତା ଅର୍ଜନ କରିବାକୁ ହୁଏ । ଅନୁବାଦ କରିବା ପୂର୍ବରୁ ପରକାୟପ୍ରବେଶ କରିବାକୁ ହୁଏ, ଅର୍ଥାତ୍ ଆଉ ଏକ କାୟାକୁ ନିଜ କାୟାର ଏକ ସଂପ୍ରସାରଣ ବୋଲି ଅନୁଭବ କରିବାକୁ ହୁଏ । ତା’ପରେ ଯାଇ ସେହି ନୂତନ ରଙ୍ଗରେ ଆପଣାର ଭାଷାକୁ ଉକୁଟାଇ ଆଣିବା ମଧ୍ୟ ସମ୍ଭବ ହୋଇଯାଏ ।

ଅନୁବାଦକୁ ଏକ ସୃଜନାତ୍ମକ କାର୍ଯ୍ୟ ବୋଲି କେତେ ଦୂର କୁହାଯାଇ ପାରିବ କି ନପାରିବ, କର୍ମଶିବିରରେ ତାହାର ଆଲୋଚନା ହୋଇଥିଲା । ହୁଏତ ଏପରି ଏକ ଯୁଗ ଥିଲା, ଯେତେବେଳେ କି କେବଳ ପଦ୍ୟ ଲେଖିବାକୁ ହିଁ ଏକ ସୃଷ୍ଟିମୂଳକ ବା ସୃଜନାତ୍ମକ କାର୍ଯ୍ୟ ବୋଲି କୁହାଯାଉଥିଲା । ଏବେ ଆମ ଭିତରୁ ଅନେକ ଲୋକ ଥିବେ, ଯେଉଁମାନେ କି କବିତା ସହିତ ହୁଏତ କେବଳ ଗଳ୍ପ ଏବଂ ଉପନ୍ୟାସ ଲେଖିବାକୁ ହିଁ ସୃଜନାତ୍ମକ କାର୍ଯ୍ୟ ବୋଲି କହିବେ । ସେମାନେ ଅନୁବାଦକୁ ଏକ ସୃଜନାତ୍ମକ କାର୍ଯ୍ୟ ବୋଲି କହିବାକୁ କଦାପି ମଙ୍ଗିବେ ନାହିଁ । ଯାହାକିଛି ଲେଖାହେବାର କଥା, ସେସବୁ ତ ଆଗରୁ ମୂଳ ଭାଷାରେ ଲେଖା ହୋଇ ରହିଛି, ଜଣେ ଅନୁବାଦକ ସେହି ମୂଳଟିକୁ କେବଳ ଆଉଏକ ଭାଷାକୁ ବଦଳାଇ ଦେବା ଅପେକ୍ଷା ପ୍ରକୃତରେ ଆଉ ଅଧିକ କ’ଣ କରୁଛି ? –ସେମାନେ ଏହିପରି ଏକ ସଂଶୟ ବ୍ୟକ୍ତ କରିବେ । କିନ୍ତୁ, ପ୍ରକୃତ କଥା ହେଉଛି, ଅନୁବାଦ କେବଳ ଏକ ଭାଷାନ୍ତର ନୁହେଁ, ଏକ ଅନୁକୃତି ବା ଯାନ୍ତ୍ରିକ କର୍ମ ନୁହେଁ; ଏହା ଏକ ସୃଜନାତ୍ମକ କାର୍ଯ୍ୟ, ଯେଉଁଠି ଅନୁବାଦକକୁ ଏକାବେଳେକେ ଦୁଇଟି ଥାନାରେ ଲୟ ରଖିବାକୁ ହୁଏ, ଦୁଇଟି ଥାନାରେ ଏକାତ୍ମକତା ଅର୍ଜନ କରିବାକୁ ପଡ଼େ । ନୂତନ ଶବ୍ଦର ତଲାଶ କରିବାକୁ ପଡ଼େ, ଅଭିବ୍ୟକ୍ତିର ନାନା ନୂତନ ସମ୍ଭାବନାକୁ ନେଇ ବ୍ୟାପୃତ ରହିବାକୁ ପଡ଼େ ।

ଓଡ଼ିଆ ସାହିତ୍ୟରେ ଅନୁବାଦର କ୍ଷେତ୍ରରେ ଅନେକ ଅସୁବିଧା ଓ ଅନେକ ସମସ୍ୟା ରହିଛି । ପ୍ରଥମ ସମସ୍ୟା ହେଉଛି ଭାଷାଜ୍ଞାନର ସମସ୍ୟା । ବିଦେଶୀ ଭାଷା କହିଲେ ଆମେ ସାଧାରଣତଃ ଗୋଟିଏ ଭାଷାକୁ ବୁଝୁ । ସେଇଟି ଇଂରାଜୀ ଭାଷା । ବିଦେଶରୁ ଆମ ଭାଷାକୁ ଯାହାକିଛି ସାହିତ୍ୟ ଆସେ, ତାହାକୁ ଇଂରାଜୀ ଭାଷାର ଗୋହରୀ ଦେଇ ଆମ ଘରକୁ ଆସିବାକୁ ହୁଏ । ସେଇଟା ସ୍ଵାଭାବିକ ବାଟ ନୁହେଁ । ଏଠାରେ ତିନି ସେଣାରେ ଉଠି ସାହିତ୍ୟ ଆମ ଘରେ ଆସି ପହଞ୍ଚିଲା ବେଳକୁ ତାହା ଭିତରେ ହୁଏତ କେତେ ବିକୃତି ପ୍ରବେଶ କରି ଯାଇଥାଏ । ଓଡ଼ିଶାରେ ଆମେ ଯେଉଁମାନେ ବିଶ୍ଵସାହିତ୍ୟକୁ ମନ କରୁଛେଁ, ସେମାନେ ଇଂରାଜୀ ବ୍ୟତୀତ ପୃଥିବୀର ଅନ୍ୟ ସମୃଦ୍ଧ ଭାଷାଗୁଡ଼ିକୁ ମଧ୍ୟ ଜାଣିବା, ମୂଳ ଭାଷାରେ ହିଁ ସେସବୁର ସାହିତ୍ୟକୁ ଅଧ୍ୟୟନ କରିବା ଓ ସିଧା ସେହିସବୁ ଭାଷାରୁ ଓଡ଼ିଆକୁ ଅନୁବାଦ କରିବା । ତେବେଯାଇ ଆମର ଗବାକ୍ଷଗୁଡ଼ିକ ପ୍ରକୃତରେ ଖୋଲିଯାଇ ପାରିଲା ବୋଲି କୁହାଯାଇ ପାରିବ, ଆମ ବିଶ୍ଵପରିଚୟର ଅନୁରାଗଟି ସେତେବେଳେ ଯାଇ ଫୁଲଫଳ ଧରିବ ।

ଆମର ଏହି ଭାରତବର୍ଷରେ ମଧ୍ୟ ବହୁତ ଭାଷା ରହିଛି ଏବଂ ସେହିସବୁ ଭାଷାର ସାହିତ୍ୟରେ ଅସୁମାରି ରତ୍ନ ରହିଛି । ସେଗୁଡ଼ିକ ଆମର ଏଠାରେ ମଧ୍ୟ ରତ୍ନ ବୋଲି ପରିଚିତ ହୁଅନ୍ତା, ଆଦୃତ ହୁଅନ୍ତା । ଔପନିବେଶିକ କାଳର ଏକ ଅଭିଶାପ ଫଳରେ ଆମ ପଡ଼ିଶାକୁ ନିଜଠାରୁ ଦୂରଛଡ଼ା କରି ରଖିବାକୁ ଆମେ ଏକ ଚାତୁରୀ ବୋଲି ଭାବି ଆସିଛୁ । ଆମ ପଡ଼ିଶାରେ ଆନ୍ଧ୍ର, ଅମା ପଡ଼ିଶାରେ ବଙ୍ଗ, ମାତ୍ର ଆମର ଭାବଗତ ବେଭାରରେ ଆମେ ସେମାନଙ୍କୁ କୋଉ ଦୂରରେ ଅତ୍ୟନ୍ତ ଅଲୋଡ଼ା କରି ରଖିଛୁ । ଆମ ସାହିତ୍ୟିକମାନେ ମଧ୍ୟ ଏସବୁ ପଡ଼ିଶା ସାହିତ୍ୟ ମଧ୍ୟକୁ ଗମିବାକୁ ପ୍ରାୟ କେବେହେଲେ ଆବଶ୍ୟକ ମନେ କରିନାହାନ୍ତି । ଆମ ସମୀକ୍ଷକମାନେ ଇଂରାଜୀ ଭାଷାର ଦୋକାନରୁ ସଉଦା କରି ଯାଇଛନ୍ତି ସିନା, କିନ୍ତୁ ଆମ ପଡ଼ିଶା ସାହିତ୍ୟଗୁଡ଼ିକର ଦୁଆର ମାଡ଼ିନାହାନ୍ତି । ତେଣୁ, ସାହିତ୍ୟର ପାରସ୍ପରିକ ସଞ୍ଚାରକ୍ଷେତ୍ରରେ ଆମେ ସମସ୍ତେ ଭାରି ହାସ୍ୟାସ୍ପଦ ହୋଇ ରହିଛୁ । ଏହି କୁସଂସ୍କାରଟି କ୍ରମେ ଭାଙ୍ଗିଯିବା ଉଚିତ । ନିଜକୁ ଆପଣା ପ୍ରତିବେଶଟିର ଏକ ଅଂଶ ବୋଲି ଅନୁଭବ କରି ଶିଖିଲେ ଯାଇ ତାହା ସମ୍ଭବ ହେବ । ତେଣୁ, ଅନୁବାଦରେ ଅନୁରାଗ ରଖୁଥିଲେ ଆମେ ଭାରତୀୟ ଭାଷାଗୁଡ଼ିକ ମଧ୍ୟରୁ କେତୋଟି ଶିଖିବା, ଉଭୟ ଉତ୍ତର ଓ ଦକ୍ଷିଣରୁ ଶିଖିବା, ସଂସ୍କୃତ ମଧ୍ୟ ଶିଖିବା, ଏହା କରିବା ଆଦୌ କଷ୍ଟକର ହେବନାହିଁ । ଆପଣାର ଅଭ୍ୟସ୍ତ କୁରୀତିଗୁଡ଼ିକୁ ହିଁ ଭାଙ୍ଗିବା ସମ୍ଭବତଃ କଷ୍ଟକର ହେବ ।

ସ୍ଵାଧୀନ ଭାରତବର୍ଷ ଆମକୁ ଏହିପରି ଅନେକ ବାଡ଼କୁ ଭାଙ୍ଗିଦେବାର ଆହ୍ଵାନ ଦେଇଯାଉଛି । ଆମେ ଓଡ଼ିଶାରେ ମଧ୍ୟ ସେହିସବୁ ଆହ୍ୱାନର ଯୋଗ୍ୟ ହେବା । ଏହି ଯୋଗ୍ୟତାଟିକୁ ହାସଲ କରିବାରେ ଅନୁବାଦ ଆମକୁ ଅନେକ ଦୂର ଅଗ୍ରସର କରାଇନେଇ ପାରିବ-। ଆଦାନପ୍ରଦାନ ଆମକୁ ପରସ୍ପରର ଅନେକ ନିକଟବର୍ତ୍ତୀ କରାଇ ଆଣିବ, ଆମର ବହୁବିଧ ଜଡ଼ତାକୁ ଦୂର କରି ଜଣେ ସଚେତନ ଭାରତୀୟ ଓ ସମାନ ଭାବରେ ଜଣେ ସଚେତନ ତଥା ସମ୍ମାନଶୀଳ ଆଧୁନିକ ମନୁଷ୍ୟରୂପେ ବିକଶିତ ହେବାରେ ତାହା ଆମର ବହୁତ ସହାୟତା କରିବ-। ଦେଇ ଓ ନେଇ ଆମେ ସମସ୍ତେ ସମୃଦ୍ଧ ହେବା, ଆମର ଅନେକ ଉପରଠାଉରିଆ ଖୋଳମାନଙ୍କୁ ଭେଦ କରି ଆମେ ନିଜର ମଧ୍ୟ ଏକ ନୂତନ ପରିଚୟ ଲାଭ କରି ପାରିବା । ସାନ ଓଡ଼ିଶା ଯୁଗ ତଥା ଜଗତର ଯାବତୀୟ ପୁରୋଦୃଷ୍ଟି ସହିତ ସୁସ୍ଥଭାବରେ ସାମିଲ ହୋଇଯାଇ ପାରିବ-

 

‘ପ୍ରଗତିବାଦୀ, ୧୯/୩/୭୫

Image

 

ଓଡ଼ିଆ ଅନୁବାଦ–ସାହିତ୍ୟ

 

ସାହିତ୍ୟ ଭାଷାର ଅନେକ ପଛରେ, ମାତ୍ର ସାହିତ୍ୟର ପରିଧି ଭାଷାର ପରିଧିଠାରୁ ଅନେକ ବଡ଼ । ଭାଷା ସ୍ଥାନୀୟ ହୋଇପାରେ, ଜାତୀୟ ହୋଇପାରେ; ମାତ୍ର ସାହିତ୍ୟ ବିଶ୍ଵଜନୀନ । ସ୍ଥାନୀୟ କୌଣସି ସାହିତ୍ୟରେ ମଧ୍ୟ ଏକ ବିଶ୍ଵଜନୀନ ଆବେଦନ ରହି ପାରିଲେ ଯାଇ ତାହା ଯଥାର୍ଥ ସାହିତ୍ୟର ସୋପାନ ଭିତରେ ସୁମାରି ହୋଇପାରେ । ଯେତେବେଳେ ଭାଷାମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଅଥବା ଜନପଦୀୟ ବାଡ଼ ଭିତରେ ବନ୍ଦ ହୋଇ ରହିଥିଲେ, ସେତେବେଳେ ସେମାନେ ଆପଣାକୁ ହିଁ ଏକମାତ୍ର ଭାଷା ଅଥବା ଅନ୍ୟ ଯାବତୀୟ ଭାଷା ମଧ୍ୟରେ ଶ୍ରେଷ୍ଠ ଭାଷା ଅଥବା ଦେବଭାଷା କିଛି ମିଛ ଗର୍ବ କରୁଥିଲେ । ଭାରତୀୟ ପ୍ରାଚୀନ ସାହିତ୍ୟରେ ଏକଦା ବେଶ୍ କେତେ ଶତାବ୍ଦୀ ଧରି ଗୋଟିଏ ନିର୍ଦ୍ଦିଷ୍ଟ ଭାଷାକୁ “ଗିର୍ବାଣ–ଭାଷା” ବୋଲି କୁହା ଯାଉଥିଲା । ଭାଷା ବା ସାହିତ୍ୟ ଗିର୍ବାଣ ହେବାକୁ ମନ କଲେ ଜଳାଶୟଟିଏ ହୋଇ ରହିଯାଏ, ତେଣୁ ତାହାର ଅବକ୍ଷୟ ଆରମ୍ଭ ହୁଏ । ମଣିଷ ମଣିଷ ଭିତରେ ବାଡ଼ଗୁଡ଼ିକ କ୍ରମେ ଉଠିଯିବାକୁ ଆରମ୍ଭ କଲେ ଓ ନିଜର ପରିଚିତ ପରିଧିଟିର ସେପାଖକୁ ଅନ୍ୟ ପରିଧିମାନ ଦୃଷ୍ଟିଗୋଚର ହେବାକୁ ଲାଗିଲେ ଭାଷା ତଥା ସାହିତ୍ୟ ସାହିତ୍ୟ ମଧ୍ୟରେ ଆଦାନପ୍ରଦାନର ଏକ ଅନ୍ୟ ପର୍ଯ୍ୟାୟ ଆରମ୍ଭ ହୋଇଯାଏ । ସେତେବେଳେ, ନିଜର ଘର ଭିତରେ ସୁନ୍ଦର ବୋଲି ଯେତିକି ଥାଏ, ତାହା ଆଦୌ ଯଥେଷ୍ଟ ବୋଲି ବୋଧ ହୁଏ ନାହିଁ । ପ୍ରେରଣାମାନେ ପରିଧି ଡେଇଁବାକୁ ମନ କରନ୍ତି, ସମ୍ବେଦନାମାନେ ଅଧିକ ଗ୍ରହଣଶୀଳ ହୁଅନ୍ତି । ପ୍ରାୟ ସେହି ପର୍ଯ୍ୟାୟରୁ ହିଁ ସାହିତ୍ୟରେ ଅନୁବାଦ ବୋଲି ଏକ ବିଶେଷ ଆଗ୍ରହ ସଂକ୍ରାମିତ ହୋଇଯିବ ବୋଲି କେତେ ମଣିଷ ସତର୍କ କରିଦେବାକୁ ମନ କରନ୍ତି । ତଥାପି ନବୀନ ସଂସ୍ରବେଚ୍ଛମାନେ ନିଜର ଆଗ୍ରହକୁ ମୋଟେ ଛାଡ଼ନ୍ତି ନାହିଁ ।

ପ୍ରାଚୀନ ଯୁଗରେ ଅନୁବାଦ ଅବଶ୍ୟ ଥିଲା, ତାତ୍କାଳିକ ନାନା କାରଣରୁ ଅନୁବାଦ ଆବଶ୍ୟକ ପଡ଼ୁଥିଲା ସତ, ମାତ୍ର ସାହିତ୍ୟର ଏକ ବିଶେଷ ବିଭାବ ରୂପେ ତାହା ଆମର ଏହି ଆଧୁନିକ ଯୁଗରେ ହିଁ ଯଥାର୍ଥ ସ୍ୱୀକୃତି ଲାଭ କଲା । ପରସ୍ପରକୁ ଅଧିକ ଅନ୍ତରଙ୍ଗ ଭାବରେ ଚିହ୍ନିବାକୁ ମନ କରି ଓ ପରସ୍ପର ଦ୍ଵାରା ଅଧିକରୁ ଅଧିକ ଉପକୃତ ହେବା ସକାଶେ ଆଗ୍ରହ ପ୍ରକାଶ କରି ହିଁ ଗୋଷ୍ଠୀମାନେ ପରସ୍ପର ସାହିତ୍ୟକୁ ବି ମନ କଲେ । ସେମାନେ ଆଉ ସଂକ୍ରମଣକୁ ଡରିଲେ ନାହିଁ । ସ୍ଥାନୀୟତାର ଯାବତୀୟ ଭୂଗୋଳକୁ ଅତିକ୍ରମ କରି ସେମାନେ ପରସ୍ପରକୁ ଚିହ୍ନିଲେ, ପରସ୍ପର ଠାରୁ ଗ୍ରହଣ କଲେ; ଆଧୁନିକ ବିଜ୍ଞାନ ପରି ଆଧୁନିକ ସାହିତ୍ୟ ମଧ୍ୟ ବିଶ୍ଵଜନୀନ ହେବାକୁ ବାଧ୍ୟ କଲା । ଇଉରୋପୀୟ ସାମ୍ରାଜ୍ୟ–ବିସ୍ତାରର ଯୁଗରେ ପୁରୁଣା ମୂଳଦୁଆଗୁଡ଼ିକ ତା’ପରେ ବଡ଼ ଅଯଥେଷ୍ଟ ବୋଲି ମନେହେଲା । ଅଳପର ଯାବତୀୟ ମାୟାକୁ ଛାଡ଼ି ପୁରୁଣାମାନେ ଏକ ଅନ୍ୟ ସଚେତନତାରେ ଚଞ୍ଚଳ ହୋଇ ଉଠିଲେ, ସତେଅବା ଏକ ନବଜାଗରଣର ଯୁଗ ଆରମ୍ଭ ହୋଇଗଲା । ସାହିତ୍ୟରେ ମଧ୍ୟ ଏକ ନୂତନ ସ୍ପୂର୍ତ୍ତି ଆସିଲା, ନୂତନ ଗବାକ୍ଷମାନ ଖୋଲିବା ଲାଗି ସମ୍ପୃକ୍ତ ପୁରୋଗୀମାନେ ଉତ୍ସାହ ପ୍ରକାଶ କଲେ । ସେହି ପର୍ଯ୍ୟାୟରେ ଅନୁବାଦ ମଧ୍ୟ ଅନ୍ୟତମ ଗବାକ୍ଷରୂପେ କାର୍ଯ୍ୟ କରିଥିଲା । ପ୍ରତୀଚ୍ୟରୁ ପ୍ରାଚ୍ୟକୁ ଅନୁବାଦ ମଧ୍ୟ ଏକ ଅନ୍ୟତମ ଗବାକ୍ଷରୂପେ କାର୍ଯ୍ୟ କରିଥିଲା । ପ୍ରତୀଚ୍ୟରୁ ପ୍ରାଚ୍ୟକୁ ଅନୁବାଦ ହେଲା, ପ୍ରାଚ୍ୟରୁ ପ୍ରତୀଚ୍ୟକୁ ମଧ୍ୟ ହେଲା । ଦ୍ଵିତୀୟ ମହାଯୁଦ୍ଧ ପରେ ଯେତେବେଳେ ଉପନିବେଶଗୁଡ଼ିକ ସ୍ଵାଧୀନ ହେଲେ ଏବଂ ସାମ୍ରାଜ୍ୟବାଦର ଅନ୍ତ ହେଲା, ସେତେବେଳେ ସେହି ଆଦାନପ୍ରଦାନ ବହୁଗୁଣିତ ହୋଇଥିଲା, ଅଧିକ ସମୃଦ୍ଧ ହେଲା । ଯଥାର୍ଥ ବିଶ୍ଵସାହିତ୍ୟ ଅର୍ଥାତ୍ ବିଶ୍ଵମାନବୀୟ ସାହିତ୍ୟ ଯଥାର୍ଥରେ ଆପଣାକୁ କେତେ ଦୂର ଅଧିକ ପରିମାଣରେ ବିଶ୍ଵତୋମୁଖ କରିପାରିଛି, ତାହାର ଆକଳନ କରିବା ଲାଗି ଅନୁବାଦ–ସାହିତ୍ୟର ପରିମାଣ ଏବଂ ଗୁଣାତ୍ମକତାକୁ ମଧ୍ୟ ଏକ ମାନଦଣ୍ଡରୂପେ ଗ୍ରହଣ କରାଯାଇ ପାରିବ ।

ଓଡ଼ିଆ ସାହିତ୍ୟରେ ସର୍ବପ୍ରଥମ ଅନୁବାଦ ଗୁଡ଼ିକୁ ଅଧିକତର ସମୀଚୀନତା ସହିତ ସମ୍ଭବତଃ ଏକ ପ୍ରତିବାଦ–ସାହିତ୍ୟର ପର୍ଯ୍ୟାୟଭୁକ୍ତ କରି ବିଚାର କରାଯାଇ ପାରିବ । ଆମ ଭାରତୀୟ କଥିତ ଭାଷାମାନେ ସେହି ପ୍ରାଚୀନ ଶିଷ୍ଟ–ପ୍ରପୀଡ଼ିତ ଯୁଗରେ ସାହିତ୍ୟ ଭିତରୁ ବାହାର ହୋଇ ରହିଥିଲେ । ରାଜାମାନେ ଲୋକମାନଙ୍କ ପରି ସେମାନେ ଦୈନନ୍ଦିନ ଜୀବନରେ କହୁଥିବା ଭାଷାକୁ ମଧ୍ୟ ନ୍ୟୂନ ମନେ କରି କେବଳ ଶାସ୍ତ୍ରୀୟ ଭାଷାରେ କାବ୍ୟର ବିନୋଦ କରିବାକୁ ମନ କରୁଥିଲେ ବୋଲି ସେତେବେଳର ରାଜାଶ୍ରୟୀ କାବ୍ୟକାରମାନେ ସଂସ୍କୃତମୟ ଅଳଙ୍କାର ଦ୍ଵାରା କାବ୍ୟ ରଚନା କରିବାକୁ ମନ କରୁଥିଲେ ଅଥବା କାବ୍ୟକାରମାନଙ୍କ କାବ୍ୟ ପ୍ରାତ୍ୟହିକ ଲୋକଜୀବନର ଭାଷା ଏବଂ ଭାବାନୁବେଦନର ସାଧାରଣ ସ୍ତରକୁ ଖସି ଆସିଲେ ହୁଏତ ଆଉ କାବ୍ୟପଦବାଚ୍ୟ ହୋଇ ରହି ପାରିବ ନାହିଁ ଆଶଙ୍କା କରୁଥିଲେ ବୋଲି ରାଜାମାନଙ୍କୁ କେବଳ ସଂସ୍କୃତରେ ହିଁ କାବ୍ୟ ଶୁଣିବା ପାଇଁ ବାଧ୍ୟ କରି ରଖିଥିଲେ, ସେ କଥା ଆଦୌ ସୁସ୍ପଷ୍ଟ କରି କହି ହେବନାହିଁ । ଭାରତବର୍ଷରେ, ଅନ୍ତତଃ ଉତ୍ତର ଭାରତରେ, ଗୌତମବୁଦ୍ଧ ସେଥିରେ ଏକ ବ୍ୟତିକ୍ରମ ଘଟାଇଲେ । ସଂସ୍କୃତ–ସାହିତ୍ୟର ଏକ ସମାନ୍ତର ଭାବରେ ପାଲି ଓ ପ୍ରାକୃତ ସାହିତ୍ୟର ସୃଷ୍ଟି ହୋଇଥିଲା । ମହାଯାନ ଏବଂ ବଜ୍ରଯାନର ପର୍ଯ୍ୟାୟକୁ ଆସି ବୌଦ୍ଧସାହିତ୍ୟ ପୁନର୍ବାର ସଂସ୍କୃତର କବଳର ପଡ଼ି ଯାଇଥିଲେ ମଧ୍ୟ ତଥାପି ଗୌତମବୁଦ୍ଧଙ୍କ ଦ୍ଵାରା ପ୍ରବର୍ତ୍ତିତ ବ୍ୟତିକ୍ରମଟି ଆଦୌ ମରିଯାଇ ନଥିଲା ଓ ହୁଏତ ତାହାହିଁ ସ୍ଥାନୀୟ ଏବଂ କଥିତ ଭାଷାମାନଙ୍କରେ ସାହିତ୍ୟ ଲେଖା ହେବାକୁ ପ୍ରେରଣା ଦେଇଥିଲା । ଗୋରଖନାଥ ଓ ମତ୍ସ୍ୟେନ୍ଦ୍ରନାଥ ଲୋକଭାଷାରେ ପଦ ଲେଖିଲେ-। ବୌଦ୍ଧ ସିଦ୍ଧାଚାର୍ଯ୍ୟମାନେ ସେହି କଥିତ ଭାଷାକୁ ହିଁ ବାହନରୂପେ ଗ୍ରହଣ କରିଥିଲେ । ଓଡ଼ିଶାର ତଦାନୀନ୍ତନ ଭୂମିରେ ମଧ୍ୟ ତାହାର ପ୍ରତିକ୍ରିୟାମାନ ଅବଶ୍ୟ ଅନୁଭୂତ ହୋଇଥାଏ । ଏଠାରେ ମଧ୍ୟ ରାଜଧର୍ମ ଓ ଲୋକଧର୍ମର ସଙ୍ଘାତ–ପ୍ରକୋପରେ ସାହିତ୍ୟ ଦୁଇଭଳି ହୋଇ ରହିଥିବ ଓ ସମାଜସ୍ଥ ପ୍ରାୟ ଦୁଇ ଭିନ୍ନ ବର୍ଗର ସାହିତ୍ୟିକ ପ୍ରୟୋଜନର ପୂରଣ କରିଥିବ । ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସଙ୍କୁ ହିଁ ଆମେ ସେହି ପ୍ରତିବାଦ–ପର୍ଯ୍ୟାୟରେ ଏକ ଗୌରବମୟ ପରାକାଷ୍ଠା ବୋଲି ଗ୍ରହଣ କରିବା । ତାଙ୍କର ରଚିତ ଓଡ଼ିଆ ମହାଭାରତ ଏବଂ ଅନ୍ୟାନ୍ୟ ଗ୍ରନ୍ଥକୁ କ’ଣ କେବଳ ଗୋଟିଏ ଗୋଟିଏ ଅନୁବାଦ ବୋଲି କୁହାଯିବ ?

 

ସଂସ୍କୃତରେ ଯାହା ସମ୍ଭବ, କଥିତ ଓଡ଼ିଆ ଭାଷାରେ ମଧ୍ୟ ତାହା ଅବଶ୍ୟ ସମ୍ଭବ ବୋଲି ପଣ କରି ସାରଳା ଦାସ ଓଡ଼ିଆ ମହାଭାରତ ରଚନା କରିଥିବେ । ମହାଭାରତ କାହାଣୀ ସେତେବେଳେ ଭାରତବର୍ଷରେ ସର୍ବତ୍ର ଚାରଣମୁଖରେ ଜୀବନ୍ତ ହୋଇ ରହିଥିଲା । ସମ୍ଭବତଃ ସଂସ୍କୃତର ରଜ୍ଜୁରେ ବନ୍ଧା ହେବାର ବହୁ ପୂର୍ବରୁ ତାହା ଏକ ଭ୍ରାମ୍ୟମାଣ ଚାରଣକାବ୍ୟ ହୋଇ ରହିଥିଲା । ତେଣୁ, ଚାରଣମାନଙ୍କର ମୁଖରୁ ଲୋକମୁଖକୁ ଯାଇ ସେଥିରେ ସ୍ଥାନୀୟ ବହୁବିଧ ପ୍ରକ୍ଷେପ ଆସି ପ୍ରବେଶ କରିଥିଲା ଏବଂ ତଦ୍ଦ୍ଵାରା ତାହାର ସାହିତ୍ୟିକ ଲୋକକାବ୍ୟିକ ସୌନ୍ଦର୍ଯ୍ୟ ମଧ୍ୟ ଆହୁରି ବୃଦ୍ଧି ପାଇଥିଲା । ସାରଳା ଦାସ ସେହି ପ୍ରକ୍ଷେପଗୁଡ଼ିକୁ ମୂଳ ମୋଟାମୋଟି କାହାଣୀଟି ସହିତ ଯୋଡ଼ି ଓଡ଼ିଆ ଭାଷାରେ ମହାଭାରତର ସ୍ଵକୀୟ ସରସ କାବ୍ୟଟିକୁ ଲେଖିଲେ । ତେଣୁ, ପ୍ରାୟ ସକଳ ଦୃଷ୍ଟିରୁ ତାହାକୁ ଏକାଧିକ ସଙ୍ଗତି ସହିତ ଏକ ପ୍ରତିବାଦପ୍ରଧାନ ଅନୁବାଦ–କାବ୍ୟ ବୋଲି କୁହାଯାଇ ପାରିବ । ଏବଂ, ପ୍ରତିବାଦ–ପ୍ରଧାନ ହୋଇ ଥିବାରୁ ହିଁ ଯେ ତାହା ଏତେ ଅଧିକ ପ୍ରଭାବଶାଳୀ ଭାବରେ ସୃଜନାତ୍ମକ ହୋଇଛି, ହୁଏତ ଏପରି ଦାବୀ ମଧ୍ୟ କରାଯାଇ ପାରିବ । ଆପଣାର ସେହି ପ୍ରତିବାଦ ଏବଂ ଅନୁବାଦଟି ଦ୍ଵାରା ସାରଳା ଦାସ ଓଡ଼ିଆ ଭାଷାକୁ ସତକୁ ସତ ଦୁଇ ଗୋଡ଼ରେ ଛିଡ଼ା କରାଇ ପାରିଲେ, ତାହାକୁ ସାବାଳକ କଲେ । ଏହାଦ୍ଵାରା ସେ ଅନୁବାଦର ଏକ ସ୍ଵତନ୍ତ୍ର ପରମ୍ପରା ମଧ୍ୟ ସୃଷ୍ଟି କରିଦେଇ ଗଲେ, ଯାହାକି ପରବର୍ତ୍ତୀ କେତୋଟି ଶତାବ୍ଦୀ ଲାଗି ଓଡ଼ିଆ ସାହିତ୍ୟକୁ ଆଉ କେତୋଟି ମଣି ଯୋଗାଇ ଦେଇ ଯାଇଥିଲା । ସିଏ ପ୍ରତିବାଦର ଏକ ସୁନିର୍ଦ୍ଦିଷ୍ଟ ପରମ୍ପରା ସୃଷ୍ଟି କରି ଯାଇଥିଲେ ।

 

ସାରଳା ଦାସଙ୍କ ପରେ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାରେ ଓଡ଼ିଆ ଭାଷାରେ ରାମାୟଣ ଲେଖା ଗଲା, ଶ୍ରୀମଦ୍‌ଭାଗବତ ଲେଖାଗଲା । ଅଚ୍ୟୁତାନନ୍ଦ ହରିବଂଶ ଲେଖିଲେ, ବଳରାମ ଓ ଜଗନ୍ନାଥ ଶ୍ରୀମଦ୍‌ଭାଗବତ ଗୀତାର ଓଡ଼ିଆ ଅନୁବାଦ କଲେ । କେବଳ ଓଡ଼ିଆ ଭାଷାରେ ନୁହେଁ, ଉତ୍ତର ତଥା ଦକ୍ଷିଣ ଭାରତର ଏକାବେଳକେ ଅନେକ ଭାଷାରେ ସେତିକିବେଳେ ରାମାୟଣ, ମହାଭାରତ, ଗୀତା ପ୍ରଭୃତି ଗ୍ରନ୍ଥର ରଚନା ହୋଇଥିଲା । ଏଗୁଡ଼ିକୁ ସାଧାରଣତଃ ଅନୁବାଦ ବୋଲି କୁହାଗଲେ ମଧ୍ୟ ଏଗୁଡ଼ିକ ଅବିକଳ ଅନୁବାଦ ଆଦୌ ନୁହନ୍ତି; ଏଗୁଡ଼ିକ ମୌଳିକ ରଚନା, ପ୍ରତିବାଦଧର୍ମୀ ରଚନା, ଭାରତବର୍ଷୀୟ ସାଂସ୍କୃତିକ ଗାଥାର ବୃହତ୍ ପରମ୍ପରାକୁ ସ୍ଥାନୀୟ କ୍ଷୁଦ୍ରତର ପରମ୍ପରା ମଧ୍ୟକୁ ଅନୁସଜ୍ଜିତ କରି ଆଣିଥିବା ଗୋଟିଏ ଗୋଟିଏ ମୌଳିକ କୃତି । ସାରଳା ଦାସ ଓ ପଞ୍ଚସଖା ଏହି ଅନୁସୃଜନ ଗୁଡ଼ିକ ଦ୍ଵାରା ଓଡ଼ିଶାର କଥିତ ଗତିଶୀଳ ଭାଷାକୁ ସାହିତ୍ୟ ଭିତରକୁ ସମୃଦ୍ଧ କରି ଆଣିଥିଲେ, ଓଡ଼ିଶାର ଲୋକାନୁସ୍ମୃତି ଗୁଡ଼ିକୁ ସାହିତ୍ୟର ପ୍ରତିଷ୍ଠା ଦେଇଥିଲେ । ସେମାନଙ୍କ ପରେ ଓଡ଼ିଆ ସାହିତ୍ୟରେ ଯେଉଁ ରୀତିଯୁଗ ଆସିଲା, ସେହି ଯୁଗର କାବ୍ୟକାରୀମାନେ ସଂସ୍କୃତର ଅନୁକୃତି ଦ୍ଵାରା ଓଡ଼ିଆ ଭାଷା ତଥା ସାହିତ୍ୟକୁ ଏକ ସମସ୍ତର ସମାନ୍ତରତା ଆଣି ଦେବାଲାଗି ଚେଷ୍ଟା କରିଥିଲେ । ଏମାନଙ୍କର ପଦ୍ୟକୃତି ଗୁଡ଼ିକରେ ଓଡ଼ିଆ ଲୋକଜୀବନର ଶବ୍ଦ ଗୁଡ଼ିକ ଏକାବେଳେକେ ପାଶୋର ହୋଇ ରହିଗଲେ ଏବଂ, ଅଭିଧାନରୁ ଶବ୍ଦ ଆସି ସଂସ୍କୃତ ସାହିତ୍ୟ ଠାରୁ ଆହୁରି କେତେ ଚାଖଣ୍ଡ ଆଗକୁ ବଳିପଡ଼ି ନାନା କାବ୍ୟ ରଚନା କରାଗଲା । ଭାଷାକୁ ଅହେତୁକ ଆଳଙ୍କାରିକତା ଦ୍ଵାରା ଅତିମଣ୍ଡିତ କରିବାର ଅତ୍ୟୁତ୍ସାହରେ ରୀତିକବିମାନେ ଓଡ଼ିଆ ଭାଷାର ସାହିତ୍ୟିକ ପିଣ୍ଡଟିକୁ ଭାରି ଦରିଦ୍ର କରି ପକାଇଥିଲେ ।

 

ଓଡ଼ିଆ ସାହିତ୍ୟରେ ଅନୁବାଦ–ବିଭାଗଟିର ଚର୍ଚ୍ଚା କରି ଆମେ ଏହାପରେ ସିଧା ଉନବିଂଶ ଶତାବ୍ଦୀର ପ୍ରଥମ ଓ ଶେଷ ଭାଗକୁ ଚାଲି ଆସିବା । ଏହି ପର୍ଯ୍ୟାୟରେ ଆମକୁ ଦୁଇ କିସମର ଅନୁବାଦସାହିତ୍ୟ ଦେଖିବାକୁ ମିଳିବ । ପ୍ରଥମ ପର୍ଯ୍ୟାୟଟି ହେଉଛି ସଂସ୍କୃତରୁ ଓଡ଼ିଆରେ ଅନୁବାଦ କରିବାର ପର୍ଯ୍ୟାୟ । ଏହି ଅନୁବାଦଗୁଡ଼ିକ ଭିତରେ କାବ୍ୟ ଓ ନାଟକ ହେଉଛି ସର୍ବପ୍ରଧାନ । ଏହି ଅନୁବାଦ କାର୍ଯ୍ୟରେ କେତେକ ରାଜା ଉତ୍ସାହ ପ୍ରଦର୍ଶନ କରିଥିଲେ ଏବଂ ଖୁବ୍ ସମ୍ଭବ ସେମାନଙ୍କ ସଭାରେ ବିଭୂଷିତ ହୋଇ ରହିଥିବା ପଣ୍ଡିତମାନେ ନିଜେ ଅନୁବାଦଗୁଡ଼ିକୁ ପ୍ରସ୍ତୁତ କରି ଦରବାରମାନଙ୍କର ଚଳଣି ଅନୁସାରେ ସେଗୁଡ଼ିକୁ ସ୍ଵୟଂ ରାଜାଙ୍କ ନାମରେ ଚଳାଇ ଦେଉଥିଲେ । ସ୍ମରଣ ରଖିବା ଉଚିତ, ସେମାନେ ମୂଳତଃ ପଣ୍ଡିତ ଥିଲେ, କାବ୍ୟ ରଚନାର ଅନ୍ତର୍ଗତ କ୍ଷେତ୍ରଟିରୁ ହୁଏତ ଅନେକ ଦୂରରେ ରହିଥିଲେ । ତେଣୁ, ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଅନୁବାଦ ଗୁଡ଼ିକ କଠୋର ପାଣ୍ଡିତ୍ୟର ପରିଚୟ ଦେଉଥିଲେହେଁ, କାବ୍ୟର ଦୃଷ୍ଟିରୁ ଅନେକ ସମୟରେ ଭାରି କର୍କଶ ହୋଇ ରହି ଯାଉଥିଲା । ଏପରିକି, ବିଂଶ ଶତାବ୍ଦୀର ପ୍ରାରମ୍ଭ ସମୟକୁ ଲିଖିତ ଶ୍ରୀଯୁକ୍ତ ଗୋପୀନାଥ ନନ୍ଦଙ୍କର ଅନୁବାଦଗୁଡ଼ିକ ଏହିପରି କର୍କଶ ହୋଇ ରହିଥିଲା । ତତ୍କାଳୀନ ଅନେକ ଗଦ୍ୟାନୁବାଦରେ ସେହି କର୍କଶତା ଓ ତଜ୍ଜନିତ ଦାରିଦ୍ର୍ୟ ଅନେକ ପରିମାଣରେ ପ୍ରକଟ ହୋଇଥିବା ପରି ମନେହୁଏ ।

 

ରାଧାନାଥ ରାୟଙ୍କର ଏକ କ୍ଷୁଦ୍ରାନୁବାଦ ‘ବିବେକୀ’ର ଓଡ଼ିଆ ଗଦ୍ୟକୁ ପାଠ କଲେ ବୋଧେ ହୁଏ, ସିଏ ଯେପରି ଗଦ୍ୟ ଲେଖିବେ ବୋଲି ଶବ୍ଦଗୁଡ଼ାକୁ କୋଉ ଦନ୍ଥଡ଼ା ପାହାଡ଼ରୁ ବଡ଼ ଅବିନ୍ୟସ୍ତ ଏବଂ ଅକୁଶଳ ଭାବରେ କାଟି ମୁଣ୍ଡା ମୁଣ୍ଡା କରି ନେଇ ଆସିଛନ୍ତି । ଏକଥା ଅତ୍ୟନ୍ତ ସ୍ପଷ୍ଟ ଯେ, ରାଧାନାଥ ଓଡ଼ିଆ ଭାଗବତ ପଢ଼ି ନଥିଲେ, ଏପରିକି ବ୍ରଜନାଥ ବଡ଼ଜେନାଙ୍କର ‘ଚତୁର ବିନୋଦ’ର ଗଦ୍ୟ ସହିତ ମଧ୍ୟ ତାଙ୍କର ହୁଏତ ପ୍ରାଣପରିଚୟ ଘଟି ନଥିଲା । ଶ୍ରୀ ଅରକ୍ଷିତ ଦାସଙ୍କର ‘ମହୀମଣ୍ଡଳ ଗୀତା’ରେ ଯେଉଁ ଅଧ୍ୟାୟେ ମାତ୍ର ଗଦ୍ୟ ରହିଛି, ତାହାକୁ ସାମନାରେ ରଖି ରାଧାନାଥ ଓ ମଧୁସୂଦନଙ୍କ ଗଦ୍ୟ ପାଠ କଲେ ମନେହୁଏ, ସେହି ଆଧୁନିକ ଯୁଗର ପ୍ରାକ୍‌କାଳରେ ମଧ୍ୟ ସେମାନେ ଓଡ଼ିଆ ଗଦ୍ୟକୁ ତାର ଐତିହ୍ୟ ତଥା ଐଶ୍ଵର୍ଯ୍ୟରୁ କାଟି ଆହୁରି ପଛକୁ ନେଇଯିବା ସକାଶେ ପ୍ରୟାସ କରିଛନ୍ତି ।

 

ସେହି ପର୍ଯ୍ୟାୟର ଆଉ ଗୋଟିଏ କିସମ ହେଉଛି ମିଶନାରୀମାନଙ୍କ ଦ୍ଵାରା ଅନୂଦିତ ହୋଇଥିବା ଖ୍ରୀଷ୍ଟଧର୍ମୀୟ ସାହିତ୍ୟ । ବାଇବେଲ୍‌ର ପ୍ରଥମ ଓଡ଼ିଆ ଅନୁବାଦ ଓଡ଼ିଶାରେ ନୁହେଁ, ବଙ୍ଗଳାରେ ଶ୍ରୀଯୁକ୍ତ କେରୀ ସାହେବଙ୍କର ତତ୍ତ୍ଵାବଧାନରେ ପଣ୍ଡିତମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା । ଭାରତବର୍ଷର ପାରମ୍ପରିକ ମାଟିରେ ଖ୍ରୀଷ୍ଟୀୟ ଧର୍ମବାସନାର ବୀଜଟିକୁ ବପନ କରିବା ସକାଶେ ସେତେବେଳେ ମିଶନାରୀମାନଙ୍କର ଛାପାଖାନାରେ ଭାରତୀୟ ଧର୍ମଗୁଡ଼ିକ ସହିତ ବିବାଦ ଲଗାଇ ଶବ୍ଦଯୁକ୍ତିର ଯେଉଁସବୁ ସାହିତ୍ୟ, ଏଥିରେ କେତୋଟି ପ୍ରଚାରମୂଳକ ଗଳ୍ପ ମଧ୍ୟ ରହିଥିଲା,–ଲେଖାଯାଇଥିଲା, ସେଗୁଡ଼ିକ ସବାଆଗ ଓଡ଼ିଆ ଭାଷା ଏବଂ ସାହିତ୍ୟର ସମୃଦ୍ଧି ସକାଶେ ଆଦୌ ଉଦ୍ଦିଷ୍ଟ ନଥିଲା । ତେଣୁ, କେତେକ ଦୃଷ୍ଟିରୁ ସେଗୁଡ଼ିକୁ ଅନୁବାଦର କିଞ୍ଚିତ୍ ନମୁନାରୂପେ ଅବଶ୍ୟ ଗ୍ରହଣ କରାଯାଇପାରେ, ମାତ୍ର ଅନୁବାଦ–ସାହିତ୍ୟର କୌଣସି ପ୍ରତିନିଧିମୂଳକ ନମୁନାରୂପେ କଦାପି ଗ୍ରହଣ କରାଯାଇ ପାରିବ ନାହିଁ । ଏହିସବୁ ଅନୁବାଦର ଉଦ୍ଦେଶ୍ୟ ସର୍ବପ୍ରଥମେ ଆଦୌ ସାହିତ୍ୟିକ ନଥିଲା, ତାହା ମୂଳତଃ ପ୍ରାୟୋଜନିକ ହିଁ ଥିଲା । ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର କରିବାକୁ ହେଲେ ସେହି ଧର୍ମର ବାର୍ତ୍ତାଗୁଡ଼ିକୁ ଓଡ଼ିଶାବାସୀଙ୍କର ଭାଷାରେ ହିଁ କରିବାକୁ ହେବ, ଏହି କଥାଟିକୁ ଉପଲବ୍ଧି କରିଥିବାରୁ ଆମେ ଆମ ସାହିତ୍ୟରେ ମିଶନାରୀମାନଙ୍କୁ ନିଶ୍ଚୟ ମନେ ରଖିବା ସତ, ମାତ୍ର ସାହିତ୍ୟାନୁବାଦର ମାନଦାଣ୍ଡରେ ସେମାନଙ୍କୁ କୌଣସି ଉଲ୍ଲେଖନୀୟ ସ୍ଥାନ ଦେବା ସମ୍ଭବତଃ ଆଦୌ ସମୀଚୀନ ହେବ ନାହିଁ ।

 

ଫକୀରମୋହନ ଅନୁବାଦରୁ ହିଁ ତାଙ୍କର ଗଦ୍ୟରଚନା ଆରମ୍ଭ କରିଥିଲେ । ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଦ୍ଵାରା ଲିଖିତ କେତେକ ଜୀବନୀକୁ ସେ ବଙ୍ଗଳାରୁ ଓଡ଼ିଆକୁ ଅନୁବାଦ କରିଥିଲେ-। ‘ବୌଦ୍ଧାବତାର କାବ୍ୟ’ ସେନାପତିଙ୍କର ଆଉ ଗୋଟିଏ ଅନୁବାଦ । ନିଜର ସହଧର୍ମିଣୀଙ୍କୁ ଶୁଣାଇବା ନିମନ୍ତେ ସେ ରାମାୟଣ ଓ ମହାଭାରତର ଅନୁବାଦ ମଧ୍ୟ ପ୍ରସ୍ତୁତ କରିଥିଲେ ବୋଲି ତାଙ୍କର ‘ଆତ୍ମଜୀବନ–ଚରିତ’ରୁ ଜଣାଯାଏ । ଓଡ଼ିଆ ଭାଷାରେ ସେ ସାହିତ୍ୟିକ ସୁଖାନୁବାଦ ପ୍ରକୃତରେ ସମ୍ଭବ ଏବଂ ଯଥାର୍ଥ ଶ୍ରଦ୍ଧା ରହିଥିଲେ ତାହା ଯେ ଅବଶ୍ୟ ଏକ ସୃଜନାତ୍ମକ କାର୍ଯ୍ୟରେ ପରିଣତ ହୋଇ ପାରିବ, ଫକୀରମୋହନଙ୍କର ଅନୁବାଦ ଆପଣା ଲାଗି ଏକ ସଚେତନ ସ୍ୱୀକୃତି ଲାଭ କରିଥିଲା । କୌଣସି ଏକ ଅନ୍ୟ ପ୍ରୟୋଜନରେ ପଡ଼ି ନୁହେଁ, ଓଡ଼ିଶାର ଗବାକ୍ଷଗୁଡ଼ିକୁ ଯେ ବୃହତ୍ତର ବିଶ୍ଵ ଆଡ଼କୁ ଅଧିକରୁ ଅଧିକ ଗ୍ରହଣଶୀଳ କରି ରଖିବା ଆବଶ୍ୟକ, ଗୋଦାବରୀଶ ଓ ନୀଳକଣ୍ଠ ଏହିପରି ଏକ ଆବଶ୍ୟକତା–ବୋଧ ଦ୍ଵାରା ପ୍ରେରିତ ହୋଇ ଆପଣାର ସାହିତ୍ୟାନୁବାଦର କାର୍ଯ୍ୟରେ ହାତ ଦେଇଥିଲେ । ସେହି ପର୍ଯ୍ୟାୟଟି ଠାରୁ ଆଜି ପର୍ଯ୍ୟନ୍ତ ସାହିତ୍ୟାନୁବାଦର ପରିସର ଅଧିକରୁ ଅଧିକ ବିସ୍ତୃତ ହୋଇ ଆସିଛି ।

 

ଭାରତବର୍ଷ ସ୍ଵାଧୀନତା ଲାଭ କରିବା ପରେ ଏବଂ ତାହାର ଏକ ସମଗ୍ର ଆଲୋଡ଼ନ ସ୍ୱରୂପ ଭାରତୀୟ ଭାଷାଗୁଡ଼ିକର କ୍ଷେତ୍ରରେ ଏକ ଯଥାର୍ଥ ସାହିତ୍ୟ–ସଚେତନତାର ସୃଷ୍ଟି ହେବା ଫଳରେ ଅନୁବାଦର କ୍ଷେତ୍ରରେ ମଧ୍ୟ ଅଧିକ ବିସ୍ତାରଣ ଓ ସମୃଦ୍ଧି ଦେଖା ଦେଇଛି । ଗତ ପ୍ରାୟ ଚାରି ଦଶକ ଭିତରେ ଇଉରୋପୀୟ ସାହିତ୍ୟରୁ ଓଡ଼ିଆ ଭାଷାକୁ ବହୁ ଅନୁବାଦ କରାଯାଇଛି । ଜାତୀୟ ଏବଂ ରାଜ୍ୟ ସ୍ତରରେ ପ୍ରତିଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ସାହିତ୍ୟସଂସ୍ଥାମାନେ ଅନୁବାଦକୁ ଗୋଟିଏ ବିଶେଷ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଛନ୍ତି । ଅନୁବାଦ ଏବଂ ଅନୁବାଦମାନଙ୍କର ଏକ ଦୀର୍ଘ ନାମତାଲିକା ଦେବା ବର୍ତ୍ତମାନ ପ୍ରବନ୍ଧଟିର ଉଦ୍ଦେଶ୍ୟ ନୁହେଁ । ତାଲିକାଟିଏ ଖୋଜୁଥିବା ଓ ତାହାରି ମାଧ୍ୟମରେ ଓଡ଼ିଆ ଅନୁବାଦ–ସାହିତ୍ୟର ଆକଳନ କରିବାକୁ ଇଚ୍ଛା କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଅତି ସହଜରେ ତାଲିକାଟିଏ ଉପଲବ୍ଧି ହୋଇପାରିବ ।

 

ତଥାପି ଜଣେ ବ୍ୟକ୍ତିଙ୍କର ନାମ ଅବଶ୍ୟ ଉଲ୍ଲେଖ କରିବାକୁ ହେବ । ସିଏ ହେଉଛନ୍ତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଦାସ । ଓଡ଼ିଆ ସାହିତ୍ୟର ଉନ୍ନତିବିଧାନ କରିବାର କୌଣସି ସଚେତନ ପ୍ରୟୋଜନବୁଦ୍ଧି ସକାଶେ ନୁହେଁ, ଆପଣା ଭିତରୁ ଏକ ସ୍ଵତଃପ୍ରେରିତ ଶ୍ରଦ୍ଧାଦ୍ଵାରା ପରିଚାଳିତ ହୋଇ ହିଁ ସିଏ ବିଶ୍ଵସାହିତ୍ୟର ଏକାଧିକ ସାହିତ୍ୟକୃତିକୁ ଓଡ଼ିଆ ଅନୁବାଦ କରାଇ ପୁସ୍ତକ ପ୍ରକାଶ କରିବା ବିଷୟରେ ପ୍ରାୟ ତାଙ୍କର ସାହିତ୍ୟିକ ହେତୁ ହେବା ସମୟରୁ ଏକ ବିଶେଷ ଶ୍ରଦ୍ଧା ଦେଖାଇ ଆସିଛନ୍ତି ଓ ସେଇଥିରୁ ହିଁ ଅପାର ଆନନ୍ଦ ଲାଭ କରିଛନ୍ତି । ବ୍ୟବସାୟିକ ଦୃଷ୍ଟିରୁ ଅନେକ ହରାଇଛନ୍ତି, ଅନେକ ଗଞ୍ଜଣା ସହ୍ୟ କରିଛନ୍ତି, ତଥାପି ନିଶା ଛାଡ଼ି ନାହାନ୍ତି । ଯେଉଁମାନେ ବର୍ଷକୁ ବର୍ଷ ସାହିତ୍ୟରେ ନୋବେଲ୍ ପୁରସ୍କାର ଲାଭ କରିଛନ୍ତି, ସେହିମାନଙ୍କର ଗ୍ରନ୍ଥକୁ ଓଡ଼ିଶୀ ରୂପ ଦେବାଲାଗି ସେ ନିଜର ବ୍ରତରୂପେ ଗ୍ରହଣ କରି ଆସିଛନ୍ତି । ଏହା ଫଳରେ ସେ ପଚାଶରୁ ଅଧିକ ଏହିପରି ଗ୍ରନ୍ଥର ଓଡ଼ିଆ ଅନୁବାଦ କରାଇ ପ୍ରକାଶ କରିଛନ୍ତି । ମୂଳ ଲେଖକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ଓଡ଼ିଆ ଅନୁବାଦଗୁଡ଼ିକ ନିମନ୍ତେ ସେମାନଙ୍କ ଠାରୁ ବିଶେଷ ସନ୍ଦେଶମାନ ଆଣି ସେ ଯେପରି ନିପୁଣ ଓ ନିଖୁଣ ଭାବରେ ପୃଥିବୀର ଏତେଗୁଡ଼ିଏ କୃତିଗ୍ରନ୍ଥକୁ ଏଠି ପ୍ରକାଶିତ ରୂପ ଦେଇଛନ୍ତି, ସେହି ନିଦର୍ଶନ ଓଡ଼ିଶାରେ ସର୍ବପ୍ରଥମ ହୋଇ ରହିଛି; ହୁଏତ ଏକଥା ମଧ୍ୟ କୁହାଯାଇ ପାରିବ ଯେ, ତାଙ୍କର ସେହି ଶ୍ରଦ୍ଧାରେ ଓଡ଼ିଶାରେ ଏପର୍ଯ୍ୟନ୍ତ ମଧ୍ୟ କେହି ତାଙ୍କୁ ଅତିକ୍ରମ କରିଯାଇ ନାହାନ୍ତି । ଜଣେ ପ୍ରକାଶକ ସାହିତ୍ୟଶ୍ରଦ୍ଧାଳୁ ହେଲେ ଓଡ଼ିଶାରେ ମଧ୍ୟ କେତେ କଥା ଯେ ସମ୍ଭବ ହୋଇପାରେ, ଶ୍ରୀଯୁକ୍ତ ଦାସ ଆହୁରି ବହୁଦିନ ଯାଏ ନିଶ୍ଚୟ ତାହାର ଦୃଷ୍ଟାନ୍ତ ହୋଇ ରହିବେ ।

 

ରାଷ୍ଟ୍ରୀୟ ସ୍ତରରେ କେନ୍ଦ୍ର ଓ ରାଜ୍ୟରେ ପ୍ରତିଷ୍ଠିତ ସାହିତ୍ୟ–ସମ୍ବର୍ଦ୍ଧକ ଏକାଡେମୀ ଗୁଡ଼ିକ ଯୋଜନା କରି କେତେକ ପ୍ରଖ୍ୟାତ ଗ୍ରନ୍ଥର ଓଡ଼ିଆ ଅନୁବାଦ ପ୍ରକାଶ କରିଛନ୍ତି । ଏହାଦ୍ଵାରା ଓଡ଼ିଆ ଅନୁବାଦର ଭଣ୍ଡାର ବଢ଼ିଛି, ଭଣ୍ଡାରରେ ଲକ୍ଷ୍ମୀ ବଢ଼ିଛନ୍ତି, ମାତ୍ର ସେଥିରୁ ଅନ୍ତତଃ ସାହିତ୍ୟର ଦୃଷ୍ଟିରୁ କେତେକ ବିଡ଼ମ୍ବନା ମଧ୍ୟ ସୃଷ୍ଟି ହୋଇଛି । କେଉଁସବୁ ବହିର ଅନୁବାଦ କରାଯିବ, ସେକଥା ସଂସ୍ଥାଗୁଡ଼ିକର କର୍ତ୍ତାମାନେ ଠିକ୍ କରିଛନ୍ତି । କେଉଁମାନେ ଅନୁବାଦକ ହେବେ, ସେମାନେ ସେକଥାଟିର ମଧ୍ୟ ନିର୍ଦ୍ଧାରଣ କରି ଦେଇଛନ୍ତି । କଚେରୀରୁ ସମନ ଆସି ପହଞ୍ଚିଲା ପରି ଅଜଣା କର୍ତ୍ତାମାନଙ୍କ ଠାରୁ ଆଗତୁରା ଅର୍ଥପ୍ରତିଶ୍ରୁତି ସହିତ ଔପଚାରିକ ଭାବରେ ଅନୁବାଦ ଲାଗି ନିର୍ଦ୍ଦେଶ ପତ୍ରମାନ ଆସି ପହଞ୍ଚିଯାଇଛି । ବେଳେବେଳେ ନିତାନ୍ତ ଅଲୋଡ଼ାମାନେ ଏହିପରି ଆନୁଷ୍ଠାନିକ ଭାବରେ ଆପଣାକୁ ଲୋଡ଼ା ହେଉଥିବାର ଦେଖି ପ୍ରଲୋଭନରେ ପଡ଼ି ନିଜକୁ ପ୍ରସ୍ତାବିତ କାର୍ଯ୍ୟଟି ନିମନ୍ତେ ଏକମାତ୍ର ଓ ଯୋଗ୍ୟତମ ବ୍ୟକ୍ତି ବୋଲି ଅନୁଭବ କରିଛନ୍ତି ଏବଂ ହୁଏତ ଶ୍ରଦ୍ଧା ନଥାଇ ମଧ୍ୟ ଶ୍ରଦ୍ଧା ଦେଖାଇବାକୁ ଚେଷ୍ଟା କରିଛନ୍ତି । ଅନୁବାଦକ ମାତ୍ରକେ କଦାପି ଯେକୌଣସି ଗ୍ରନ୍ଥର ଅନୁବାଦକରି ପାରିବେ ନାହିଁ ଏବଂ, ପ୍ରକୃତରେ ଶ୍ରଦ୍ଧା ରହିଥିବା ବ୍ୟକ୍ତି ଫରମାସ ପାଇଛନ୍ତି ବୋଲି ଶ୍ରଦ୍ଧା ଦେଖାଇବାକୁ ନିଶ୍ଚୟ ସଙ୍କୋଚ ବୋଧ କରିବେ । ଅଧିକ ଭଲ ହେଉଥାନ୍ତା ବା ହୁଅନ୍ତା, ଯଦି ଅନୁବାଦକ ସ୍ଵୟଂ ବହିଟିଏ ବାଛନ୍ତା, ତାହାର ଅନୁବାଦ ଲାଗି ସଂପୃକ୍ତ ଏକାଡ଼େମୀର ଅନୁମୋଦନ ଲୋଡ଼ନ୍ତା, ଅନୁମୋଦନ ଲାଭ କରି ଅନୁବାଦ କରନ୍ତା ଏବଂ ପ୍ରକାଶନ ଲାଗି ଏକାଡେମୀ ପାଖକୁ ପଠାଇ ଦିଅନ୍ତା । ସେପରି ହେଲେ ଅନୁବାଦଗୁଡ଼ିକ ଅଧିକ ଶ୍ରଦ୍ଧାଯୁକ୍ତ ହୋଇପାରନ୍ତା, ତେଣୁ ଅଭିପ୍ରେତ ସ୍ଥାନଗୁଡ଼ିକରେ ତାହା ଅଧିକ ଯଥାର୍ଥ ଭାବରେ ଆହୁରି ଅଧିକ ଶ୍ରଦ୍ଧାର କାରଣ ହୋଇ ପାରନ୍ତା । ଦିଲ୍ଲୀଠାରୁ ସାରା ଭାରତର ସାହିତ୍ୟିକ ଅନୁବାଦ ଓ ସାହିତ୍ୟିକ ଆଦାନପ୍ରଦାନର ହାଲଚାଲ ବୁଝୁଥିବା ନେଶନାଲ୍ ବୁକ୍ ଟ୍ରଷ୍ଟ୍ ବିଷୟରେ ମଧ୍ୟ ଉଣାଅଧିକେ ସେହିକଥା କୁହାଯାଇ ପାରିବ । ଅବଶ୍ୟ ଏକଥା ମଧ୍ୟ ସତ ଯେ, ଯେକୌଣସି ସରକାରୀ ଅଥବା ତଥାକଥିତ ଅର୍ଦ୍ଧ–ସରକାରୀ ଅନୁଷ୍ଠାନର ଏକ ସାମର୍ଥ୍ୟସୀମା ସର୍ବଦା ରହିଛି; ବିଶେଷତଃ ସାହିତ୍ୟଭଳି ଏକ ସୃଜନାତ୍ମକ କ୍ଷେତ୍ରରେ ସେହି ସୀମାଗୁଡ଼ିକ ଆହୁରି ଅଧିକ ସୀମିତ ହୋଇ ଏକାନ୍ତ ସ୍ଵାଭାବିକ ।

 

ଭାରତୀୟ ଭାଷାଗୁଡ଼ିକୁ ଆଧୁନିକ ଶିକ୍ଷା ତଥା ସାହିତ୍ୟର ଏକ ସୁସମର୍ଥ ମାଧ୍ୟମକୁ ଉନ୍ନୀତ କରି ଆଣିବାଲାଗି ଏକଦା ଭାରତ ସରକାରଙ୍କ ତରଫରୁ ଯେଉଁ ବଦାନ୍ୟ ଉଦ୍ୟମ ହୋଇଥିଲା, ସେଥିରେ ଅନ୍ୟାନ୍ୟ ପ୍ରତ୍ୟେକ ଭାଷା ପରି ଓଡ଼ିଆ ଲାଗି ମଧ୍ୟ କୋଟିଏ ଟଙ୍କାର ବ୍ୟବସ୍ଥା କରାଯାଇଥିଲା । ସରକାରୀ ସରଘରର ବିଭାଗୀୟ କାରପଟଦାରମାନେ ସେହି ଅର୍ଥରାଶିର ବିନିଯୋଗ ଲାଗି ଯେଉଁ ନୂଆ ଦପ୍ତରଟିକୁ ଗଢ଼ିଲେ, ତାହାକୁ କୌଣସି ବ୍ୟାବସାୟିକ କାରଣ ଦୃଷ୍ଟିରୁ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ପ୍ରକାଶନର ଏକ ସଂସ୍ଥାରୂପେ ନାମିତ କରାଗଲା । ଅର୍ଥଫଳର ଲୋଭନୀୟ ପ୍ରତିଶ୍ରୁତି ରହିଥିବାରୁ, ଯେଉଁ ବ୍ୟକ୍ତିମାନେ ଓଡ଼ିଆରେ କେବେହେଲେ କିଛି ଲେଖି ନଥିଲେ ଓ ଓଡ଼ିଆରେ କୌଣସି ଗାମ୍ଭୀର୍ଯ୍ୟପୂର୍ଣ୍ଣ ବିଷୟରେ ଚିନ୍ତା ବି କରିନଥିଲେ, ସେମାନେ ଆସି ପ୍ରାୟ ଏକ ସ୍ଵୟଂ–ବରଣ ରୀତିରେ ସେଠାରେ ପହଞ୍ଚିଗଲେ, ଇଂରାଜୀ ଛାଞ୍ଚରେ ଓଡ଼ିଆ ଅନୁବାଦ କଲେ । ଅନୁବାଦ ନାଆଁରେ ଗୁଡ଼ାଏ ଆବୁରୁଜାବୁରୁ ଛାପାହେଲା ଓ ଥାକ ମରାହୋଇ ଗୋଦାମଘରେ ରହିଲା । ଶିକ୍ଷା ବିଭାଗର ଶାସକମାନେ ଅନେକ ସମୟରେ ଆପଣାକୁ ଯେପରି ଶିକ୍ଷା–ବିତରଣ କାର୍ଯ୍ୟରେ ମଧ୍ୟ ଶକ୍ଷିତ ଓ ସିଦ୍ଧହସ୍ତ ବୋଲି ମନେ କରନ୍ତି, ସେହିପରି ତୁଚ୍ଛା ଶାସକମାନେ ଦୈବାତ୍ ସାହିତ୍ୟର କାରବାର ଭିତରକୁ ବନ୍ଧାହୋଇ ଆସି ନିଜକୁ ସାହିତ୍ୟ–ଶାସକ ଅର୍ଥାତ୍ ସାହିତ୍ୟ ଲାଗି ଉପଯୁକ୍ତ ଭାବରେ ଶିକ୍ଷିତବୋଲି ମନେ ନକରିବେ କାହିଁକି ? ଓଡ଼ିଆ ସାହିତ୍ୟ, ବିଶେଷତଃ ଓଡ଼ିଆ ସାହିତ୍ୟାନୁବାଦର ତରଫରୁ ହୁଏତ କେବଳ ଏତିକି କୁହାଯାଇ ପାରିବ ଯେ, ଆଲୋଚିତ ଯୋଜନାଟି ଦ୍ଵାରା ବିଶ୍ଵସାହିତ୍ୟକୁ ଘର ଭିତରକୁ ବରଣକରି ଆଣିବା ଲାଗି ଓଡ଼ିଆ ସାହିତ୍ୟ ଓ ଅନୁବାଦକୁ ଯେଉଁ ଆହ୍ଵାନ ମିଳିଥିଲା, ଅସିଦ୍ଧ ଓ ଅନ୍ୟାଭିପ୍ରାୟୀ ଅବ୍ୟକ୍ତିମାନଙ୍କ ହାତରେ ପଡ଼ି ତାହା ପ୍ରାୟ ଅତ୍ୟନ୍ତ ଅକୁଶଳ ଅନ୍ୟାଚାରରେ ପରିଣତ ହୋଇ ରହିଗଲା ।

 

ଅନୁବାଦ–ସାହିତ୍ୟ ଅଥବା ସାହିତ୍ୟାନୁବାଦକୁ ଯଥାର୍ଥରେ ସୃଜନାତ୍ମକ ସାହିତ୍ୟ କୁହାଯାଇ ପାରିବ କି ନାହିଁ, ସେହି ବିଷୟରେ ଦୃଷ୍ଟିବିଶେଷରେ ବିବାଦାସ୍ପଦ ଏକାଧିକ ମତ ରହିଛି-। ଓଡ଼ିଶାରେ ଏପରି ବିଜ୍ଞ ବ୍ୟକ୍ତି ମଧ୍ୟ ଅବଶ୍ୟ ଅଛନ୍ତି, ଯେଉଁମାନେ କି ପ୍ରବନ୍ଧ ସାହିତ୍ୟକୁ ମଧ୍ୟ ସର୍ଜନାତ୍ମକ କୁହାଯିବ କି ନାହିଁ, ସେ ବିଷୟରେ ସନ୍ଦେହ ପ୍ରକାଶ କରିଥାନ୍ତି । କିନ୍ତୁ ଗୋଟିଏ କଥା ଅବଶ୍ୟ ସତ ଯେ, ଜଣେ ଅନୁବାଦକ ତଥାକଥିତ ସୃଜନାତ୍ମକ ସାହିତ୍ୟଲେଖକ ଭଳି ଆଦୌ ଏତେବେଶୀ ସ୍ଵାଧୀନ ନୁହେଁ । ତା’ ନିଜର ସୃଜନାତ୍ମକ ଶକ୍ତି ଓ ତଜ୍ଜନିତ ବ୍ୟାକୁଳତାକୁ ସିଏ ଏପରି ଅହଂଶୂନ୍ୟ ଭାବରେ ବ୍ୟବହାର କରି ପାରୁଥିବ, ଯେପରିକି, ସିଏ ଯେଉଁ ଲେଖକଙ୍କର କୌଣସି ଗ୍ରନ୍ଥକୁ ମୂଳରୁ ଭାଷାନ୍ତରିତ କରୁଛି, ତାଙ୍କର ସୃଜନାତ୍ମକତାକୁ ଆଦୌ କୌଣସି ପ୍ରକାରେ କ୍ଷୁନ୍ନ କରିପକାଇବ ନାହିଁ । ତେଣୁ ଅନୁବାଦ ଲାଗି ହୁଏତ ଅନେକ ଅଧିକ ସଂଯମ ଦରକାର, ମାତ୍ର, ତାହାର ଆହୁରି ଅନେକ ଗୁଣ ଅଧିକ ଶ୍ରଦ୍ଧା ଆଦୌ ନୁହେଁ; ମାତ୍ର, ଯେଉଁ ଶ୍ରଦ୍ଧା ସମ୍ମାନ ଦେଇପାରେ, ଯେତେ ନିକଟବର୍ତ୍ତୀ ହେଲେ ମଧ୍ୟ ତଥାପି ଗିଳି ପକାଇବାକୁ ମନ କରେନାହିଁ, ସେହିପରି ଏକ ଶ୍ରଦ୍ଧା ଦରକାର । ଯେକୌଣସି ଗ୍ରନ୍ଥ ଏବଂ ଗ୍ରନ୍ଥକାରଙ୍କୁ ଅନନ୍ୟ ଏବଂ ସ୍ଵକୀୟ ଭାବରେ ବୁଝିବାଲାଗି ଯେଉଁ ଶ୍ରଦ୍ଧା ସମର୍ଥ ହୁଏ, ଜଣେ ଅନୁବାଦକ ଠାରେ ସେହି ଶ୍ରଦ୍ଧା ରହିଥିବା ଦରକାର । ହୁଏତ, ସେହି ଶ୍ରଦ୍ଧାର ଅଭାବ ହିଁ ଏକ କାରଣ ହୋଇପାରେ, ଯେଉଁଥିପାଇଁ ଅତ୍ୟୁତ୍ସୁକ ଭକ୍ତମାନେ ଆଦୌ ଭଲ ଅନୁବାଦକ ହୋଇ ପାରନ୍ତି ନାହିଁ, ପ୍ରଚାରର ଆକାଙ୍‌କ୍ଷା ରଖି ପ୍ରାୟ ଏକ ଅସାହିତ୍ୟିକ ଉତ୍ତେଜନାରେ ସାହିତ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ଭଲ ଅନୁବାଦ କରନ୍ତି ନାହିଁ । ଏବଂ ସର୍ବୋପରି, ଅତି ବିନୟୀ ତଥା ଅହଙ୍କାରୀମାନେ ମଧ୍ୟ ଅନୁବାଦର କ୍ଷେତ୍ରରେ ଆଦୌ ବେଶୀ ବାଟ ଉତ୍ତୀର୍ଣ୍ଣ ହୋଇ ପାରନ୍ତିନାହିଁ । ତେଣୁ ଅନୁବାଦ ଆଦୌ ଏକ ସହଜ କଥା ନୁହେଁ, ଏକ ସ୍ଵେଚ୍ଛାଚାରିତା ଆଦୌ ନୁହେଁ-

 

ଓଡ଼ିଆରେ ଅନୁବାଦ ବୋଲି ଯାହାକିଛି ସାହିତ୍ୟ ଅଛି, ତାହା ପ୍ରଧାନତଃ ଇଂରାଜୀରୁ ଅନୁବାଦ କରାଯାଇ ଓଡ଼ିଆକୁ ଆସିଛି । ଅନେକ ସାହିତ୍ୟଗ୍ରନ୍ଥ ଇଉରୋପୀୟ ଅନ୍ୟାନ୍ୟ ଭାଷାରୁ ଅନୂଦିତ ହୋଇ ଆଗ ଇଂରାଜୀ ଭାଷାକୁ ଆସିଛି, ତା’ପରେ ଆମେ ତାହାକୁ ଇଂରାଜୀରୁ ଅନୁବାଦ କରି ଓଡ଼ିଆକୁ ଆଣିଛୁ । ତାହାର ବାସ୍ତବ କାରଣଟି ହେଉଛି ଯେ, ଏହି ରାଜ୍ୟରେ ଇଂରାଜୀ ବ୍ୟତୀତ ଅନ୍ୟ ବିଦେଶୀ ଭାଷା ସହିତ ପରିଚିତ ହେବାର ପ୍ରାୟ କୌଣସି ସୁଯୋଗ ନାହିଁ । ତେଣୁ, ଇଂରାଜୀ ବାହାରେ ରହିଥିବା ଅନ୍ୟାନ୍ୟ ଭାଷାର ଗ୍ରନ୍ଥଗୁଡ଼ିକୁ ଆମେ ଇଂରାଜୀ ଅନୁବାଦରେ ପଢ଼ିବାକୁ ଓ ତାହାକୁ ହିଁ ଯଥେଷ୍ଟ ବୋଲି ଗ୍ରହଣ କରିବାକୁ ବାଧ୍ୟ ହେଉଛୁ । କେତେକ କ୍ଷେତ୍ରରେ କୌଣସି ଜର୍ମାନ୍ କିମ୍ବା ଅନ୍ୟ ଅଣଇଂରାଜୀ ସାହିତ୍ୟିକଙ୍କର କୃତିର ଆଲୋଚନା କରି ଗବେଷଣା–ନିବନ୍ଧମାନ ପ୍ରସ୍ତୁତ କରାଯାଇଛି ଓ ଆମ ବିଶ୍ୱବିଦ୍ୟାଳୟରୁ ସେଗୁଡ଼ିକୁ ଆକାଙ୍‌କ୍ଷିତ ସ୍ଵୀକୃତି ମଧ୍ୟ ମିଳିଛି । ମାତ୍ର, ଏଣେ ହୁଏତ ସ୍ଵୟଂ ନିବନ୍ଧକାର ଓ ତାଙ୍କର ପଥନିର୍ଦ୍ଦେଶକ କେହି ଅସଲ ମୂଳ ଭାଷାରେ ସମ୍ପୃକ୍ତ ଗ୍ରନ୍ଥଗୁଡ଼ିକ ପାଠ କରିନାହାନ୍ତି । ଅନୁବାଦର କ୍ଷେତ୍ରରେ ମଧ୍ୟ ଏହିପରି ହୋଇଛି ଓ ତଦ୍ଦ୍ଵାରା କେଉଁଠି କିଛି ଅଭାବ ରହିଯାଉଛି ବୋଲି ସାଧାରଣତଃ ଅନୁଭବ କରା ହୋଇନାହିଁ । ଏହି ଦୃଷ୍ଟିରୁ ଓଡ଼ିଆ ଅନୁବାଦସାହିତ୍ୟ ଅତ୍ୟନ୍ତ ଅପୂର୍ଣ୍ଣତାଯୁକ୍ତ ହୋଇରହିଛି । ଅଧିକନ୍ତୁ, ଏପରି କେତେକ ଦୃଷ୍ଟାନ୍ତ ରହିଛି ଯେ, ଅପେକ୍ଷାକୃତ ଅଧିକ ସହଜ ହେବ ବୋଲି କେତେକ ଅନୁବାଦକ ସେହି ଇଂରାଜୀ ମୂଳ ପୁସ୍ତକ ବା ଅନୁବାଦର ବଙ୍ଗଳା ପୁନରାନୁବାଦରୁ ମଧ୍ୟ ଓଡ଼ିଆକୁ ଅନୁବାଦ କରିପକାଇଛନ୍ତି ଓ ତାହାକୁ ହିଁ ପୂର୍ଣ୍ଣଫଳ ବୋଲି ଅନୁଭବ କରିଛନ୍ତି । ଏକ ଭାଷାଭାଷୀ ହେବା ଆଧୁନିକତା ଓ ଆଧୁନିକ ଜୀବନ ଦୃଷ୍ଟିରୁ ଏକାନ୍ତ ବିରୋଧୀ । ବହୁ ଭାଷାଭାଷୀ ହେଲେ ନିଜର ଭାଷାଟିକୁ ଯେ ଅଧିକ ସମଗ୍ର ଭାବରେ ଦେଖିହୁଏ ଓ ତାହାକୁ ଅଧିକ ସମଗ୍ରତା ସହିତ ଆପଣାର ବୋଲି ଭଲ ପାଇହୁଏ, ଓଡ଼ିଶାରେ ସେହି ସତ୍ୟଟିର ଉପଲବ୍ଧି ଲାଗି ଯେତେ ଶୀଘ୍ର ଏକ ଅନୂକୁଳ ଏବଂ ଆହ୍ଵାନମୟ ପରିବେଶ ସୃଷ୍ଟି ହୋଇ ପାରିବ, ଓଡ଼ିଶାର ସାହିତ୍ୟ ଲାଗି, ଓଡ଼ିଆ ଅନୁବାଦ–ସାହିତ୍ୟ ଲାଗି ମଧ୍ୟ ତାହା ସେତିକି ଅଧିକ ସ୍ୱାସ୍ଥ୍ୟକର ହୋଇ ପାରିବ ।

 

ଭାରତୀୟ ଭାଷାଗୁଡ଼ିକ ସେମାନଙ୍କର ଉତ୍ସ ତଥା ବିକାଶଗତ କ୍ଷେତ୍ରରେ ପରସ୍ପର ସହିତ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଯୋଡ଼ିହୋଇ ରହିଥିଲେ ମଧ୍ୟ ଭାରତବର୍ଷର ସାଂପ୍ରତିକ ସାହିତ୍ୟମାନେ ପରସ୍ପର ପାଖରେ ଆଦୌ ଯଥେଷ୍ଟ ଘନିଷ୍ଟ ଭାବରେ ପରିଚିତ ନୁହନ୍ତି । ଏହାର କେତେକ କାରଣ ରହିଛି ସତ, ମାତ୍ର ଏହାକୁ ତଥାପି ଏକ ବ୍ୟାଧି ବୋଲି କହିବାକୁ ହେବ । ଆମ ଦେଶର ଯେଉଁମାନେ ନିଜକୁ ଅପେକ୍ଷାକୃତ ଅଧିକ ସଂସ୍କୃତି–ସଚେତନ ବୋଲି ମନେ କରନ୍ତି, ସେମାନେ ପ୍ରତିବେଶୀମାନଙ୍କ ସହିତ ପ୍ରତିବେଶୀ ହୋଇ ରହି ପାରିବାର ଯୋଗ୍ୟତା ଅର୍ଜନ କରିବା ପୂର୍ବରୁ ଆଗ ପ୍ରବାସୀ ହୁଅନ୍ତି । ବିଶ୍ଵ–ଭାଷା ରୂପେ ଇଂରାଜୀକୁ ସ୍ଵୀକୃତି ଦେଇ ସେମାନେ ତାହାରି ସହିତ ଏପରି ଜୁଡ଼ୁବୁଡ଼ୁ ହୋଇ ରହିବାକୁ ମନ କରୁଥାନ୍ତି ଯେ, ନିଜ ଖଞ୍ଜାଟି ସେପାଖକୁ ଯେଉଁ ପ୍ରତିବେଶୀ ସାହିତ୍ୟମାନେ ଦୀର୍ଘ ପ୍ରାୟ ଏକ ହଜାର ବର୍ଷ ହେଲା ନାନା ବୈଚିତ୍ର୍ୟ ସହିତ ସମୃଦ୍ଧ ଓ ବର୍ଣ୍ଣାଢ଼୍ୟ ହୋଇ ରହି ଆସିଛନ୍ତି, ସେମାନେ ସିଆଡ଼କୁ ଅନାଇବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ଓଡ଼ିଆ ସାହିତ୍ୟରେ ଏହି ପ୍ରତିବେଶୀ ସାହିତ୍ୟ ଗୁଡ଼ିକର ହୁଏତ ସେହି କାରଣରୁ ଆଦୌ ଆଶାନୁରୂପ ଅନୁବାଦ ହୋଇ ପାରିନାହିଁ । ପଡ଼ୋଶୀ ଭାଷା ଏବଂ ପଡ଼ୋଶୀମାନଙ୍କ ସହିତ ଓଡ଼ିଆମାନଙ୍କର ମନୋଗତ ଆତ୍ମୀୟତା ଅପେକ୍ଷା ଏକ ମନୋଗତ ବୈମନସ୍ୟ ହୁଏତ ଅଧିକ ପରିମାଣରେ ରହିଛି, ଏବଂ ସେହି କାରଣରୁ ଦୂରତା ମଧ୍ୟ ଭାରି ଦୃଶ୍ୟ ଭାବରେ ଏବେ ମଧ୍ୟ ରହିଛି-। ଅନ୍ୟ ଭାରତୀୟ ଭାଷାଗୁଡ଼ିକୁ ଶିକ୍ଷା କରିବା ଲାଗି ଆମର ଶିକ୍ଷିତ ଅଳିନ୍ଦଗୁଡ଼ିକରେ ଖୁବ୍ କମ୍ ଆଗ୍ରହ ସୃଷ୍ଟି କରାଯାଇ ପାରିଛି, ତେଣୁ ପଡ଼ୋଶୀମାନଙ୍କ ସହିତ ଆମର ଭାବଗତ ଆଦାନପ୍ରଦାନ ଖୁବ୍ କମ୍ ହୋଇଛି । ଅନେକ ଶିକ୍ଷିତ ଓ ଆହୁରି ଶିକ୍ଷିତମାନେ ଆମର ଏଠି ଆଖି ବୁଜିଦେବା ମାତ୍ରକେ ସବାଆଗ ସତେଅବା ଇଂରାଜୀ ଭାଷାକୁ ଦେଖନ୍ତି, ଏବଂ ତେଣୁ ଏହି ନିକଟବର୍ତ୍ତୀ ଚଉହଦୀ ଗୁଡ଼ିକରେ ଅନ୍ୟ ଭାଷା କିମ୍ବା ଅନ୍ୟ ସାହିତ୍ୟ ରହିଛି ବୋଲି ଦେଖିବାକୁ ହିଁ ଇଚ୍ଛା କରନ୍ତିନାହିଁ । ଜାତୀୟ ସାହିତ୍ୟ ଏକାଡେମୀ ଓ ନେଶନାଲ୍ ବୁକ୍‌ଟ୍ରଷ୍ଟ୍ ଏବେ କେତୋଟି ଯୋଜନା ଅନୁସାରେ ଭାରତୀୟ ଭାଷାର କେତେ ପୁସ୍ତକର ଓଡ଼ିଆ ଅନୁବାଦ କରାଇଛନ୍ତି ସତ, ମାତ୍ର ଆମ ଘରର ଝରକାଗୁଡ଼ିକ ଆମ ପ୍ରତିବେଶୀ ସହୋଦର ମାନଙ୍କ ଆଡ଼କୁ ଖୋଲିଦେଇ ପାରିବାକୁ ଓଡ଼ିଶାରେ ଯେଉଁ ଆଗ୍ରହ ରହିଥାନ୍ତା, ସେହି ଆଗ୍ରହ ଏବେ ମଧ୍ୟ ସୃଷ୍ଟି କରାଯାଇ ପାରିନାହିଁ-। ପଡ଼ୋଶୀ ତେଲେଗୁ ଭାଷାରୁ ଓଡ଼ିଆକୁ ସମ୍ଭବତଃ ଆଦୌ କୌଣସି ସିଧା ଅନୁବାଦ ହୋଇନାହିଁ-। ଓଡ଼ିଶାର ଭାଷା, ଧର୍ମ, ଶାସନ ଓ ସାହିତ୍ୟ ଆମ ଇତିହାସର ନାନା ପର୍ଯ୍ୟାୟରେ ଅଧିକତର ପରିମାଣରେ ଦକ୍ଷିଣରୁହିଁ ସଂକ୍ରମିତ ହୋଇ ଆସିଥିଲେ ମଧ୍ୟ ଏହି ଆଧୁନିକ ଯୁଗପର୍ଯ୍ୟାୟରେ ଆମ ସାହିତ୍ୟ ଦକ୍ଷିଣର ସାହିତ୍ୟ ସହିତ ସୂତ୍ରସଂଯୋଗ ରଖି ପାରିନାହିଁ । ତାହା ପ୍ରକୃତରେ ଏକ ବିଡ଼ମ୍ବନାର କଥା । ଓଡ଼ିଆ ସାହିତ୍ୟାନୁବାଦରେ ସେହି ବିଡ଼ମ୍ବନା ଅଧିକ ପରିମାଣରେ ପରିଲିକ୍ଷିତ ହୋଇଥାଏ ।

 

ଓଡ଼ିଆ ସାହିତ୍ୟନୁବାଦର ସମୀକ୍ଷାତ୍ମକ ମୂଲ୍ୟବିଚାର କରୁଥିବା ସମୟରେ ଆମ ଅନୁବାଦର ଆଉଗୋଟିଏ ଧାରା ଆଡ଼କୁ ମଧ୍ୟ ଦୃଷ୍ଟି ଆକର୍ଷିତ ହୋଇଥାଏ । ଆମର ସାହିତ୍ୟିକମାନଙ୍କ ମଧ୍ୟରୁ ଯେଉଁମାନେ ଅନୁକୂଳରେ ଉଚ୍ଚଥାନ ଏବଂ ମଥାନ ମାନଙ୍କରେ ରହିଛନ୍ତି, ସେମାନେ ପ୍ରବଳ ଆଗ୍ରହରେ ଏବେ ନିଜର ଅଧିକରୁ ଅଧିକ ଲେଖାକୁ ଇଂରାଜୀରେ ଅନୁବାଦ କରାଇବାର ପ୍ରୟାସ କରୁଛନ୍ତି । ଏହି ପ୍ରୟାସ ବେଳେବେଳେ ପ୍ରାୟ ଏକ ଅସାହିତ୍ୟିକ ଜ୍ଵରବତ୍ ପ୍ରତୀତ ବି ହେଉଛି । ଅନେକ ଲେଖକ ନିଜେ ନିଜ ଲେଖାଗୁଡ଼ିକର ଇଂରାଜୀ ଅନୁବାଦ କରାଇ ଦେବାର ବ୍ୟବସ୍ଥା କରୁଛନ୍ତି, ପୁଣି ବେଳେ ବେଳେ ନିଜେ ନିଜର ଅନୁବାଦ କରିବାର ମନ୍ଦ ବ୍ରତ ଆଚରଣ କରିଛନ୍ତି । ଆହୁରି କେତେଜଣ ହୁଏତ ଅଧିକ ମୌଳିକ ହୋଇ ପାରିବା ସକାଶେ ଆଗ ଇଂରାଜୀରେ ଲେଖୁଛନ୍ତି ଏବଂ ତା’ପରେ ଯାଇ ଏକ ଦ୍ଵିତୀୟ କାର୍ଯ୍ୟ ପରି ତାହାର ଅନୁବାଦ କରି ଓଡ଼ିଆରେ ବାହାର କରୁଛନ୍ତି । ଇଂରାଜୀକୁ ରାଧା ମଣି ଓଡ଼ିଆକୁ ଲଳିତା ପ୍ରାୟ ମଣୁଛନ୍ତି ।

 

ଏକ ଅନ୍ୟଭଳି ଫଳଶ୍ରୁତିର ଆକାଂକ୍ଷା ଦ୍ଵାରା ଉଦ୍‌ବୁଦ୍ଧ ଏବଂ ଉତ୍ପୀଡ଼ିତ ହୋଇ ସେମାନେ ଆମର ଏଠାରେ ଫଳ ଯିବା ମାତ୍ରକେ ବା ଏପରିକି ଫଳ ଯିବା ପୂର୍ବରୁ ମଧ୍ୟ ଏକାବେଳକେ ସିଆଡ଼ୁ ବିଶ୍ଵବିଜୟୀ ହୋଇ ଘରକୁ ବାହୁଡ଼ିବା ଲାଗି ମନ କରୁଛନ୍ତି । ଯୋଜନା ଅନୁସାରେ କାର୍ଯ୍ୟଟିର କ୍ଷିପ୍ରତର ସିଦ୍ଧି ସକାଶେ ଓଡ଼ିଶାରେ ଇଂରାଜୀ ପତ୍ରିକାମାନ ବାହାରୁଛି, ଅନେକ ସମୟରେ ମଫସଲରୁ ମଧ୍ୟ ବାହାରୁଛି । ଅବର୍ଜିଆ ଇଂରାଜୀ ଭାଷାରେ ବାହାରିଲେ ମଧ୍ୟ ଇଂରାଜୀ ଛପାରେ ବାହାରୁ ଥିବାରୁ ତାହା ସତେଅବା ସମ୍ପୃକ୍ତ ବ୍ରତଚାରିଣୀମାନଙ୍କୁ ପ୍ରକୃତରେ ଫଳପ୍ରସବନୀ ହୋଇ ପାରିବାର ଅଶେଷ ଆନନ୍ଦ ଦେଇଯାଇ ପାରୁଛି । ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ, ଉପଯୁକ୍ତ ପ୍ରଚାର ହୋଇ ପାରୁନାହିଁ ବୋଲି ଓଡ଼ିଆ ଲେଖକମାନଙ୍କୁ ବାହାରେ କେହି ଚିହ୍ନୁ ନାହାନ୍ତି–ତେଣୁ ଏଥର ଅସଲ ଥଳମାନଙ୍କରେ ଯାଇ ପହଞ୍ଚିବାକୁ ପଡ଼ିବ, ତାଙ୍କରି ସେମିଜ୍ ଓ ବ୍ଲାଉଜ୍ ପିନ୍ଧି ସେମାନଙ୍କ ପାଖରେ ଚିହ୍ନା ଦେବାକୁ ପଡ଼ିବ, ଏହିପରି ଗୋଟିଏ ମନ୍ଦୋତ୍ସାହୀ ପ୍ରବୃତ୍ତି ମଧ୍ୟ ସେହି ଅନୁବାଦଗୁଡ଼ିକୁ ଲାଗି ପ୍ରରୋଚନା ଯୋଗାଇ ଦେଇ ଯାଉଛି । ଫୁଲକୁ ଆଉ ଯୋଉଠି ସେଠି ଫୁଟିଲେ ହେବନାହିଁ; ଯୋଉଠି ଭଅଁରମାନେ ଅଛନ୍ତି, ସେହିସବୁ ଜାଗାରେ ଯାଇ ଫୁଟିବାକୁ ହେବ, ତେବେ ଯାଇ ଆମକୁ ସମସ୍ତେ ଫୁଲ ବୋଲି ଚିହ୍ନିବେ, ସ୍ଵୀକୃତି ଦେବେ, ଶିରିପା ପିନ୍ଧାଇବେ, ଏହିପରି ଏକ ଯୁକ୍ତି ମଧ୍ୟ ଓଡ଼ିଶାରେ ଏବେ ଶୁଣିବାକୁ ମିଳିଲାଣି । ଯେଉଁମାନେ ଏସବୁ କରୁଛନ୍ତି, ସେମାନଙ୍କର ଉଚ୍ଚାଆକାଂକ୍ଷା ସେମାନଙ୍କୁ ଅବଶ୍ୟ ସଫଳ କରାଉ, ସେମାନେ ଇସ୍ପିତ ମଞ୍ଚାଗୁଡ଼ିକ ଉପରେ ଅବଶ୍ୟ ଯାଇ ବସନ୍ତୁ ଓ ଇସ୍ପିତ ଆଦରଗୁଡ଼ିକ ଅବଶ୍ୟ ପାଆନ୍ତୁ ସତ, ମାତ୍ର ଏକଥା ମଧ୍ୟ ସ୍ଵୀକାର କରିବାକୁ ପଡ଼ିବ ଯେ, ଏହି ବୃତ୍ତିଗୁଡ଼ିକ ଓଡ଼ିଶାରେ ଆମ ସାହିତ୍ୟ–ଘରେ ଅଧିକରୁ ଅଧିକ ପରିମାଣରେ ଏକ ବିଟବୃତ୍ତିର ଭିଆଣ କରିବାରେ ଲାଗିଛନ୍ତି । ଏବଂ, ବିଟବୃତ୍ତି ପ୍ରବଳ ହେଲେ ଆମ ଘରଟିର ପ୍ରକୃତରେ କି ମହତ ରହିବ ? ଯେଉଁମାନେ ଏହି ଘରଟିକୁ ଏକାବେଳକେ ଗୋଟିଏ ଅତିସାନ ଘର ବୋଲି ମନେ କରୁଛନ୍ତି ଓ ଏଠାରେ ସେମାନଙ୍କୁ ମୋଟେ ଥାନ ଅଣ୍ଟୁନାହିଁ ବୋଲି ଛଟପଟ ହେଉଛନ୍ତି, ଏହିଠାରେ ହିଁ ଆପଣାର ଚେରଗୁଡ଼ିକୁ ଅନୁଭବ କରୁଥିବା ଏବଂ ସେହି ଅନୁଭବ ଦ୍ଵାରା ଆପଣାକୁ ଗୌରାବାନ୍ଵିତ ମନେ କରୁଥିବା ଆମ ଅନେକଙ୍କର ଦୁଃଖକୁ ସେମାନେ କାହୁଁ ବୁଝିବେ ? ସାହିତ୍ୟରେ ଓ ସାହିତ୍ୟାନୁବାଦରେ ପ୍ରୀତିର ସ୍ଵୀକୃତି ଯେ କ୍ଷମତାକାଙ୍‌କ୍ଷା ଠାରୁ ଅନେକ ଅଧିକ, ଇଚ୍ଛାରୋଗୀମାନଙ୍କୁ ସେକଥା କିଏ କିପରି ବୁଝାଇବ ?

 

ଓଡ଼ିଆ ସାହିତ୍ୟରେ ଅନୁବାଦର କ୍ଷେତ୍ର ଏବେମଧ୍ୟ ଅତୀବ ପ୍ରଶସ୍ତ ପଡ଼ିଛି–ଶ୍ରଦ୍ଧାଶୀଳ ଅନୁବାଦକମାନଙ୍କ ଲାଗି ସେହି କ୍ଷେତ୍ର ଅପେକ୍ଷା କରି ରହିଛି । ଯଥେଷ୍ଟ ଅନୁବାଦର ଅଭାବରୁ ହିଁ ସମ୍ଭବତଃ ଓଡ଼ିଆ ଭାଷାରେ ପାରିଭାଷିକ ଶବ୍ଦଗୁଡ଼ିକର ଭଣ୍ଡାର ଯଥେଷ୍ଟ ପରିମାଣରେ ଆଦୌ ସମୃଦ୍ଧ ହୋଇ ପାରୁନାହିଁ । ପୃଥିବୀର ଜ୍ଞାନ ଓ ବିଜ୍ଞାନର ବିଚରଣ କ୍ଷେତ୍ରମାନ କେତେ କୁଆଡ଼କୁ ପ୍ରଲମ୍ବିତ ହୋଇଗଲାଣି, ବିଶ୍ଵସାହିତ୍ୟର ଏକ ବହୁପ୍ରସାରଯୁକ୍ତ ଐତିହ୍ୟ ଆଧୁନିକ ମନୁଷ୍ୟର ସମ୍ମୁଖରେ ପଡ଼ି ରହିଛି । ସେଗୁଡ଼ିକ ଆମ ନିଜ ଘରକୁ ଆମନ୍ତ୍ରିତ କରି ଆଣିବାଲାଗି, ଏପରିକି ସେଗୁଡ଼ିକୁ ଆମ ସାହିତ୍ୟ ଏବଂ ଆମର ଭବିଷ୍ୟ ଲାଗି ଗୋଟିଏ ଗୋଟିଏ ଆହ୍ଵାନରୂପେ ଅନୁଭବ କରିପାରିବା ନିମନ୍ତେ ଓଡ଼ିଆ ଅନୁବାଦ–ସାହିତ୍ୟର ଦ୍ଵାର ଓ ଗବାକ୍ଷମାନ ଆହୁରି ଅଧିକ ଉନ୍ମୋଚିତ ହୋଇ ପାରୁଥିବା ଆବଶ୍ୟକ । ସମଗ୍ର ବିଶ୍ଵର ଜ୍ଞାନ, ପ୍ରତିଭା ତଥା ପ୍ରୀତିକୁ ଆମେ ଆମ ଘରେ ପ୍ରେରଣାର ଆଧାରପୁଞ୍ଜି ରୂପେ ଗ୍ରହଣ କରିପାରିଲେ ତାଦ୍ଦ୍ଵାରା ଏଠାରେ ଯେଉଁ ସାମର୍ଥ୍ୟ–ସଚେତନତା ଏବଂ ସୃଜନାତ୍ମକ ସାହସ ଉନ୍ମେଷ ଲାଭ କରିବ, ଆମର ଦୃଷ୍ଟିକୁ ତାହାହିଁ ବଳୀୟାନ୍ କରିବ, ଆମ ସାହିତ୍ୟକୁ ବଳିଷ୍ଠ କରିବ । ତା’ପରେ ଆମେ ଆଉ ନ୍ୟୂନ ମନର ସରଞ୍ଜାମଗୁଡ଼ିକୁ ନେଇ ଆଗ ଇଂରାଜୀ ଆଡ଼େ ଦଉଡ଼ିଯାଇ ସେଇଆଡ଼ୁ ଛାପା ବହିମାନଙ୍କୁ ଧରି ଉଗ୍ରତାରା ହୋଇ ଆମ ଭୂଇଁଟିରେ ଆସି ଏଡ଼େବଡ଼ ହୋଇ ଦିଶିବାକୁ ମୋଟେ ମନ କରିବାନାହିଁ । ସେତେବେଳେ ଆମକୁ ସ୍ଵୀକାର କରି ଅନ୍ୟମାନେ ଆମ ଘରେ ଆସି ପହଞ୍ଚିବେ, ସେମାନେ ଓଡ଼ିଆ ସାହିତ୍ୟକୁ ନିଜ ଭାଷାମାନଙ୍କରେ ଅନୁବାଦ କରିବାଲାଗି ଆପେ ଆକାଂକ୍ଷୀ ହେବେ । ମାତ୍ର, ଆମକୁ ସେଥିଲାଗି ନିଜର ଭାଷାକୁ ଓ ନିଜର ଭୂମିକୁ ସତକୁ ସତ ଭଲପାଇବାକୁ ହେବ ।

 

ଯେଉଁମାନେ ଭୂଇଁକୁ ଛାଡ଼ି ଅନ୍ୟ ଅରଣ୍ୟମାନଙ୍କରୁ ରଙ୍ଗପର ଗୋଟାଇ ଆଣି ସେଗୁଡ଼ିକୁ ମୁଣ୍ଡରେ ଖୋସି ଅଧିକ ହୋଇ ଦିଶିବାକୁ ଲୋଭ କରୁଛନ୍ତି, ସେମାନେ ହୁଏତ ଆପଣାକୁ ହିଁ ସବାଆଗ ଓ ସବୁଠାରୁ ଅଧିକ ଭଲ ପାଉଛନ୍ତି । ଆପଣା ସହିତ ରତିଲିପ୍ତ ହୋଇ ରହିବାରୁ ସେମାନେ ଏଠାରେ ଗୋଟିଏ ଭୂମି ରହିଛି ବୋଲି ହୁଏତ ଭୁଲି ବି ଯାଉଛନ୍ତି । ସବାଆଗ ଆପଣାକୁ ଭଲ ପାଉଥିବା ମଣିଷ ହୃଦ୍‌ବିସ୍ତାର ଲାଗି ମୋଟେ ସମ୍ମତ ହୋଇ ପାରେନାହିଁ ବୋଲି ପୃଥିବୀଯାକର କାବ୍ୟସମୀକ୍ଷକମାନେ ଯୁଗେଯୁଗେ କହି ଯାଇଛନ୍ତି ।

 

ତେଣୁ, ଓଡ଼ିଆ ଅନୁବାଦ–ସାହିତ୍ୟ ଅପେକ୍ଷାକୃତ ଅଳପ ଦିନର ଏକ ସାହିତ୍ୟିକ ବିଭାଗ ହୋଇଥିଲେ ମଧ୍ୟ ସାହିତ୍ୟର ସମଗ୍ର କ୍ଷେତ୍ରଟିରେ ତାହାର ଏକ ବିଶେଷ ଦାୟିତ୍ଵ ରହିଛି । ଓଡ଼ିଶାରେ ସାହିତ୍ୟ–ସୃଜନ ଏବଂ ସାହିତ୍ୟ–ଚର୍ଚ୍ଚା ଲାଗି ଯୋଗ୍ୟତାର ଭୂମିଟିଏ ତିଆରି କରିବାର ଉଦ୍ୟମକ୍ଷେତ୍ରରେ ଓଡ଼ିଆ ଅନୁବାଦ–ସାହିତ୍ୟର ସମ୍ମୁଖରେ ଅନେକ ପ୍ରତିଶ୍ରୁତି ଏବଂ ଫଳଶ୍ରୁତି ତା’ଲାଗି ଅପେକ୍ଷା କରି ରହିଛି ।

 

କୋଣାର୍କ୍, ୬୬ ତମ ସଂଖ୍ୟା, ୧୯୮୮

Image

 

Unknown

ଅନୁବାଦ ଓ ଓଡ଼ିଆ ସାହିତ୍ୟ

 

ଯେତେବେଳେ ଗୋଟିଏ ସାହିତ୍ୟ ଆଉଗୋଟିଏ ସାହିତ୍ୟକୁ ଚିହ୍ନିବା ସକାଶେ ମନ କରେ, ସେତେବେଳେ ତାହାର ସେହି ପ୍ରବୃତ୍ତି ଏବଂ ସେହି ଆଗ୍ରହରୁ ହିଁ ଅନୁବାଦ ଲାଗି ଏକ ଅବସରର ସୃଷ୍ଟି ହୋଇଥାଏ । ଯେତେବେଳେ ଜଣେ ମଣିଷ ଆଉଜଣେ ମଣିଷ ବିଷୟରେ ଆଗ୍ରହୀ ହୁଏ, ତାହାର ନିକଟବର୍ତ୍ତୀ ହେବାକୁ ଇଚ୍ଛାକରେ, ସେତେବେଳ ସାଂସାରିକ ଭାବର ଭାଷାରେ ତାହାକୁ ସଖ୍ୟ କୁହାଯାଏ । ଅନେକ ମଣିଷ ଅଛନ୍ତି, ଯେଉଁମାନେ ଆମ ସଂସାର ଭିତରେ ସତେଅବା ଗୋଟିଏ ଗୋଟିଏ ଦ୍ଵୀପ ହୋଇ ରହିଥାନ୍ତି । ସେମାନେ ନିଜକୁ ସତେଅବା ସ୍ଵୟଂସଂପୂର୍ଣ୍ଣ ବୋଲି ଅନୁଭବ କରୁଥାନ୍ତି । ସେମାନେ ସଂକ୍ରମଣକୁ ଭୟ କରନ୍ତି । ଆଉଗୋଟିଏ ପ୍ରକାରର ମଣିଷ ଆଉ କାହାର ସମ୍ପର୍କରେ ଆସିବା ମାତ୍ରକେ ତାହାକୁ ଗ୍ରାସ କରିବାକୁ ବାହାରି ପଡ଼ନ୍ତି ଅଥବା ଆପେ ସେହି ଅନ୍ୟଜଣକର ଗ୍ରାସ ମଧ୍ୟରେ ଯାଇ ପଡ଼ିଯାଆନ୍ତି । ଏମାନେ ସଖ୍ୟ କରି ପାରନ୍ତି ନାହିଁ । ଗୋଟିଏ ସାହିତ୍ୟ ଆଉ ଏକ ସାହିତ୍ୟ ସହିତ ସଖ୍ୟ ଲୋଡ଼ିଲେ ସାହିତ୍ୟରେ ଅନୁବାଦର ପର୍ବ ଆରମ୍ଭ ହୋଇଥାଏ ଓ ଅନୁବାଦର ପ୍ରୟୋଜନ ଅନୁଭୂତ ହୋଇଥାଏ । ଅନୁବାଦ, ଅର୍ଥାତ୍ ସାହିତ୍ୟରେ ଏକ ଆଦାନପ୍ରଦାନର ରୀତି ।

 

ମୂଳତଃ ଏକ ପାରସ୍ପରିକ ଆଦାନପ୍ରଦାନର ପ୍ରକ୍ରିୟାଦ୍ଵାରା ହିଁ ପୃଥିବୀର ବିଭିନ୍ନ ଭାଷାର ଉଦ୍‌ଭବ ହୋଇ ଆସିଛି । ପୃଥିବୀରେ ଏଭଳି କୌଣସି ଗୋଟିଏ ଭାଷା ନାହିଁ, ଯାହାକି ଅନ୍ୟ ବହୁ ଭାଷାଠାରୁ ସଂପୂର୍ଣ୍ଣ ଅସଂଲଗ୍ନ ରହି ତଥାକଥିତ ସଂପୂର୍ଣ୍ଣ ଶୁଦ୍ଧ ଭାବରେ ଆପଣାର ବିକାଶ ସମ୍ଭବ କରି ପାରିଛି । ବସ୍ତୁତଃ, ଯାବତୀୟ ବିକାଶ ଏବଂ ବିବର୍ତ୍ତନ ଲାଗି ପ୍ରତ୍ୟେକ ଭାଷାକୁ ଆପଣାର ଗ୍ରହଣ । ଦ୍ଵାରଗୁଡ଼ିକୁ ଯଥାସମ୍ଭବ ଅଧିକ ପରିମାଣରେ ଉନ୍ମୁକ୍ତ କରି ରଖିବାକୁ ହୋଇଥାଏ । ଇତିହାସରେ ଯେଉଁ ଭାଷା ଯେତେ ଅଧିକ ସଂକ୍ରମଣ ଓ ତେଣୁ ଅଧିକ ସଂସ୍ରବର ଇଚ୍ଛା କରିଛି, ତାହାର ବିବର୍ଦ୍ଧନ ହୁଏତ ସେତିକି ଅଧିକ ସୁସ୍ଥ ଏବଂ ପ୍ରସାରଯୁକ୍ତ ହୋଇପାରିଛି । ମାତ୍ର, ସାହିତ୍ୟର କ୍ଷେତ୍ରରେ ସାଧାରଣତଃ ସେହି ପାରସ୍ପରିକ ସଂକ୍ରମଣଟି ଆଦୌ ସେତେ ସୁଲଭ ଭାବରେ ଘଟି ପାରିନାହିଁ । ଅନ୍ତତଃ, ପ୍ରତ୍ୟେକ ସାହିତ୍ୟର ଆଦ୍ୟ ତଥା ମଧ୍ୟଯୁଗ ବିଷୟରେ ସେକଥା ଅଧିକ ଦୃଢ଼ ଭାବରେ କୁହାଯାଇ ପାରିବ । ସେହି ଆଦ୍ୟ ଓ ମଧ୍ୟକାଳରେ ସାହିତ୍ୟ ସାହିତ୍ୟ ମଧ୍ୟରେ ଯଥେଷ୍ଟ ପରିମାଣରେ ଏକ ସଂସ୍ରବ ସୃଷ୍ଟି କରିପାରିବା ଲାଗି ହୁଏତ ଏକ ଭୌତିକ ଭୂମି ମଧ୍ୟ ତିଆରି ହୋଇ ନଥିଲା । ଭୌଗୋଳିକ ଦୂରତାମାନେ ଅତିମାତ୍ରାରେ ରହିଥିଲେ ଏବଂ ତେଣୁ ଏକ ମିଛ ସ୍ଵୟଂସମ୍ପୂର୍ଣ୍ଣତା ମଧ୍ୟ ମନୁଷ୍ୟର ଦୃଷ୍ଟିକୁ ଭାରି ସଙ୍କୁଚିତ କରି ରଖିଥିଲା । ଆଧୁନିକ ଯୁଗରେ ଯାଇ ସେହି ସଙ୍କୋଚର ଦୂରୀକରଣ ହେଲା । ସ୍ଥଳଭାଗ ତଥା ସମୁଦ୍ରରେ ନୂଆ ବାଟମାନ ଫିଟିବା ସଙ୍ଗେସଙ୍ଗେ ଗୋଟିଏ ସଂସ୍କୃତି ଆଉ ଗୋଟିଏ ସଂସ୍କୃତିକୁ ଜାଣିଲା, ଭାବଗତ ସଂସ୍ରବମାନ ବୃଦ୍ଧି ପାଇଲା । ସେହି ସ˚ସ୍ରବର ପ୍ରଭାବ ସାହିତ୍ୟର କ୍ଷେତ୍ରରେ ମଧ୍ୟ ଅନୁଭୂତ ହେଲା । ସେହି ଅଭୁତପୂର୍ବ ଦ୍ଵାର–ଉନ୍ମୋଚନର ଯୁଗରେ ଜର୍ମାନୀର ମହାକବି ଗୁଏଟ ପ୍ରାୟ ସର୍ବପ୍ରଥମେ ଏକ ବିଶ୍ଵସାହିତ୍ୟର କଥା କହିଥିଲେ । ଏହି ବିଶ୍ଵସାହିତ୍ୟ କହିଲେ ଧର୍ମତଃ ପରସ୍ପର ଠାରୁ ଅଲଗା ହୋଇ ରହିଥିବା ଭିନ୍ନ ଭିନ୍ନ ସାହିତ୍ୟର ଏକ ସମାହାରକୁ ଆଦୌ ବୁଝାଏ ନାହିଁ । ବିଶ୍ଵସାହିତ୍ୟ ଅର୍ଥାତ୍ ପରସ୍ପର ଦ୍ଵାରା ସଂକ୍ରମିତ ହେବାର ଇଚ୍ଛାକୁ ବହନ କରି ପ୍ରାୟ ଅନୁଲମ୍ବ ଭାବରେ ଏକ ଅନ୍ୟସ୍ତରୀୟ ସମୃଦ୍ଧି ନିମନ୍ତେ ପରସ୍ପରର ନିକଟବର୍ତ୍ତୀ ହୋଇଥିବା ସାହିତ୍ୟଗୁଡ଼ିକ ଏକତ୍ର ଗଅଁଠାଇ ରଖି ଏକ ଅନ୍ୟ ପୂର୍ଣ୍ଣତରତାର ଉଦ୍‌ବୋଧନ ଦେଇ ପାରୁଥିବା ଏକ ପ୍ରେରଣା । ସାହିତ୍ୟରେ ଏହି ପ୍ରେରଣା ହେଉଛି ଏକ ଆଧୁନିକ ପ୍ରେରଣା । ଯଥାର୍ଥ ଶ୍ରଦ୍ଧା ଓ ଆତ୍ମୀୟତା ସହିତ ଅନ୍ୟ କୌଣସି ସଂସ୍କୃତି ଅଥବା ଅନ୍ୟ କୌଣସି ସାହିତ୍ୟକୁ ଚିହ୍ନିଲେ ଆପଣାର ସଂସ୍କୃତି ଏବଂ ସାହିତ୍ୟକୁ ଯେ ଅଧିକ ନିବିଡ଼ ଓ ଅଧିକ ସଂପୂର୍ଣ୍ଣ ଭାବରେ ଚିହ୍ନିବାର ଅବକାଶ ମିଳିଥାଏ, ଏଇଟି ହେଉଛି ଆମ ସଂସ୍କୃତିର କ୍ଷେତ୍ରରେ ଏକ ଆଧୁନିକ ଆବିଷ୍କାର । ସେହି ଆବିଷ୍କାରଟି ହିଁ ପୃଥିବୀର ସାହିତ୍ୟର କ୍ଷେତ୍ରରେ ଅନୁବାଦ ନିମନ୍ତେ ପ୍ରଶସ୍ତତର କ୍ଷେତ୍ରଟିଏ ଆଣି ଯୋଗାଇ ଦେଇଛି ।

 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସେହି ପ୍ରଥମକାଳୀନ ଅନୁବାଦ–ସାହିତ୍ୟ ହେଉଛି ପ୍ରଧାନତଃ ପ୍ରତିବାଦସାହିତ୍ୟ । ସେତେବେଳେ ଭାରତବର୍ଷର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶାରେ ମଧ୍ୟ ସଂସ୍କୃତ ଭାଷାରେ ହିଁ ଯାହାକିଛି ସାହିତ୍ୟ ଲେଖା ଯାଉଥିଲା । ପୁନଶ୍ଚ, ସେହି ସାହିତ୍ୟ ପ୍ରଧାନତଃ ରାଜାସଭାର ସାହିତ୍ୟ ଥିଲା । ରାଜସଭାରେ ପଣ୍ଡିତମାନେ ରହିଥିଲେ, ସେମାନେ ପ୍ରାୟ ଫରମାସ ଅନୁସାରେ କାବ୍ୟ ଏବଂ କାବ୍ୟତାତ୍ତ୍ଵିକ ସନ୍ଦର୍ଭମାନ ଲେଖୁଥିଲେ ଓ ତଦ୍ଦ୍ଵାରା ରାଜାମାନଙ୍କୁ ଜଣେ ଜଣେ ସାହିତ୍ୟକାର ରୂପେ ମଧ୍ୟ ପରିଚିତ କରାଉଥିଲେ । ସେହି ରାଜା ଓ ପଣ୍ଡିତ ଉଭୟେ ଯେ ସେତେବେଳେ ଯାବତୀୟ କଥୋପକଥନର କ୍ଷେତ୍ରରେ ସ୍ଥାନୀୟ କଥିତ ଭାଷାକୁ ବ୍ୟବହାର କରୁଥିଲେ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ, ମାତ୍ର କାବ୍ୟ ଓ ସାହିତ୍ୟ ଭିତରେ ପ୍ରବେଶ କରିବା ମାତ୍ରକେ ସଂସ୍କୃତ ଭାଷାର ଆଶ୍ରୟ ଗ୍ରହଣ କରୁଥିଲେ । ଓଡ଼ିଶାର ଶୂଦ୍ରମୁନି ସାରଳା ଦାସ ସେହି ରୀତିରେ ପ୍ରତିବାଦ କରି ପଞ୍ଚଦଶ ଶତାବ୍ଦୀରେ ତାଙ୍କର ଓଡ଼ିଆ ମହାଭାରତ ଲେଖିଥିଲେ । ସାରଳାଙ୍କ ମହାଭାରତ ଆଦୌ ସଂସ୍କୃତ ମହାଭାରତର ଅନୁବାଦ ନୁହେଁ, ଯାବତୀୟ ଦୃଷ୍ଟିକୋଣରୁ ବିଚାର କରି ଦେଖିଲେ ଏହା ଏକ ବଳିଷ୍ଠ ଅନୁସୃଜନ । ସେତେବେଳେ ଖୁବ୍ କମ ଲୋକ ସଂସ୍କୃତ ଭାଷାରେ ଲିଖିତ ମହାଭାରତ ପାଠ କରିଥିଲେ ମଧ୍ୟ ମହାଭାରତର ଗାଥା ଏବଂ ଆଖ୍ୟାୟିକାଗୁଡ଼ିକ ଲୋକମୁଖରେ ବହୁପରିଚିତ ହୋଇରହିଥିଲା । ମୁହଁରୁ ମୁହଁକୁ ହେବାର ପ୍ରକ୍ରିୟାରେ ତାହା ନାନାପ୍ରକାରେ ପରିବର୍ତ୍ତିତ ମଧ୍ୟ ହୋଇ ଯାଉଥିଲା । ସୃଜନଶୀଳ କଥାନୁରାଗୀମାନଙ୍କର ହାତକୁ ଆସି ସେଥିରେ ଆହୁରି ଅନେକ କଥା ଅତ୍ୟନ୍ତ ସ୍ଵାଭାବିକ ଭାବରେ ଯୋଡ଼ା ବି ହୋଇ ଯାଉଥିଲା । ସାରଳାଦାସ ସେହି ସବୁଗୁଡ଼ିକୁ ଏକାଠି ଗୁନ୍ଥି ଓ ସେଗୁଡ଼ିକୁ ଏକ ମନୋରମ ଲୋକବାକ୍ୟର ଅତ୍ୟୁଦାର ରୂପ ଦେଇ ଓଡ଼ିଆ ମହାଭାରତର ପ୍ରଣୟନ କରିଥିଲେ ।

 

ସାରଳାଦାସଙ୍କ ପରେ ଓଡ଼ିଆ ସାହିତ୍ୟର ପଞ୍ଚସଖା–ଯୁଗରେ ସେହି ପରମ୍ପରାଟି ଅଧିକ ପ୍ରସାରିତ ହୋଇଥିଲା । ରାମାୟଣ ଓଡ଼ିଶାର ବଳରାମ ଦାସଙ୍କ ହାତରେ ଜଗମୋହନ ରାମାୟଣ ହେଲା । ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ଲେଖିଥିଲେ । ଅଚ୍ୟୁତାନନ୍ଦ ହରିବଂଶର ଓଡ଼ିଆ କଲେ । ଉଭୟେ ଜଗନ୍ନାଥ ଦାସ ଓ ବଳରାମ ଦାସ ଶ୍ରୀମଦ୍‌ଭଗବତ୍ ଗୀତାର ଓଡ଼ିଆ ଅନୁବାଦ ଲେଖିଲେ । ଜଗନ୍ନାଥ ତାହାକୁ ନବାକ୍ଷରୀରେ ପକାଇଲେ ଓ ବଳରାମ ତାକୁ ନାନାବିଧ ଓଡ଼ିଆ ଛାନ୍ଦର କଳେବର ପ୍ରଦାନ କରିଥିଲେ । ଏଗୁଡ଼ିକୁ ଆମେ ଗୋଟିଏ ଗୋଟିଏ ଅନୁସୃଜନ ବୋଲି କହି ପାରିବା । ପ୍ରଧାନତଃ ଏକ ପ୍ରତିବାଦ ଦ୍ଵାରା ହିଁ ପ୍ରେରିତ ହୋଇ ସେମାନେ ଏଗୁଡ଼ିକୁ ଲେଖିଥିଲେ । ପଞ୍ଚସଖାଙ୍କ ପରେ ଓଡ଼ିଆ ସାହିତ୍ୟକୁ ଯେଉଁ ରୀତିଯୁଗ ଆସିଲା, ତାହା ଓଡ଼ିଆ ଭାଷାର ଚଳନ୍ତି ଗଢ଼ଣଗୁଡ଼ିକୁ ଭାଙ୍ଗିଦେଇ ତୁଚ୍ଛା ଏକ ସଂସ୍କୃତ ଗଢ଼ଣର ଆଳଙ୍କାରିତା ଦେଇ ଓଡ଼ିଆ କାବ୍ୟସୃଜନକୁ ମନ ବଳାଇଥିଲା । ଅନ୍ୟପ୍ରକାରରେ କହିଲେ ରୀତିର ଚୟନରେ ତାହା ସଂସ୍କୃତରେ ଅନୁକରଣ କରି ହିଁ ସଂସ୍କୃତର ବାଡ଼କୁ କାଟିବା ଲାଗି ଚେଷ୍ଟା କରିଥିଲା । ଅବଶ୍ୟ ଏକଥା ମଧ୍ୟ ସତ ଯେ, ଓଡ଼ିଶାର ସନ୍ଥମାନେ ଚଳନ୍ତି ଓଡ଼ିଆ ଭାଷାକୁ ତଥାପି ବଞ୍ଚାଇ ରଖିଥିଲେ ।

 

ଊନବିଂଶ ଶତାବ୍ଦୀର ପ୍ରଥମ ଓ ଦ୍ଵିତୀୟ ଭାଗରେ ଯାଇ ଓଡ଼ିଆ ସାହିତ୍ୟରେ ଏକ ଯଥାର୍ଥ ଅନୁବାଦ ଯୁଗ ଆରମ୍ଭ ହୋଇଥିଲା । ଏହି ପର୍ଯ୍ୟାୟରେ ଆମକୁ ପ୍ରଧାନତଃ ଦୁଇ କିସମର ଅନୁବାଦ ସାହିତ୍ୟ ଦେଖିବାକୁ ମିଳିବ । ପ୍ରଥମ କିସମଟି ହେଉଛି ସଂସ୍କୃତ ଭାଷାରୁ ଓଡ଼ିଆ ଭାଷାକୁ ଅନୁବାଦ । ସେହି ପର୍ଯ୍ୟାୟରେ କେତୋଟି ସଂସ୍କୃତ କାବ୍ୟ ଓ ନାଟକର ଓଡ଼ିଆ ଅନୁବାଦ ହୋଇଥିଲା । ତତ୍କାଳୀନ କେତେକ ରାଜା ସେହି ଅନୁବାଦଗୁଡ଼ିକୁ ପ୍ରୋତ୍ସାହିତ କରିଥିଲେ । ସେହି ଅନୁବାଦଗୁଡ଼ିକରେ କାବ୍ୟିକତା କମ୍ ଏବଂ ପାଣ୍ଡିତ୍ୟ ଅଧିକ । ଭାରି ଅସାବଲୀଳ, ଭାରି କର୍କଶ । ସତେଅବା ସଂସ୍କୃତରୁ ଆନୀତ ଶବ୍ଦବୋଝ ଗୁଡ଼ିକୁ ଓଡ଼ିଆ ଅକ୍ଷରର ବେଶ ପିନ୍ଧାଇ ତାହାକୁ ହିଁ ଓଡ଼ିଆ ବୋଲି ଦେଖାଇବାର ପ୍ରୟାସ କରାଯାଇଥିଲା । ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦଙ୍କର ଅନୁବାଦକୁ ତାହାର ନମୁନା ବୋଲି ଗ୍ରହଣ କରା ଯାଇପାରେ ଏବଂ କିଞ୍ଚିତ୍ ପରବର୍ତ୍ତୀ ଯୁଗରେ ଶ୍ରୀ ରାଧାନାଥ ରାୟଙ୍କର ଅନୂଦିତ ଗଦ୍ୟ ମଧ୍ୟ ତାହାର ପରିଚୟ ପ୍ରଦାନ କରିଥାଏ । ଅତ୍ୟନ୍ତ ସ୍ପଷ୍ଟ କଥା ଯେ, ରାଧାନାଥ ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତ ପାଠ କରି ନଥିଲେ । ଦ୍ଵିତୀୟ କିସମର ଅନୁବାଦର ନମୁନା ମିଶନାରୀମାନଙ୍କର ଲେଖାରୁ ଦେଖିବାକୁ ମିଳିବ । ମିଶନାରୀମାନେ ପ୍ରୟୋଜନରେ ପଡ଼ି ବାଇବେଲର ତଥା କେତେକ ଖ୍ରୀଷ୍ଟିଆନ୍ ସାହିତ୍ୟର ଓଡ଼ିଆ ଅନୁବାଦ କରାଇଥିଲେ ସତ, ମାତ୍ର ସେଗୁଡ଼ିକ ଯାବତୀୟ ଦୃଷ୍ଟିରୁ କଦାପି ଏକ ପ୍ରତିନିଧିମୂଳକ ଅନୁବାଦ ସାହିତ୍ୟର ଅନ୍ତର୍ଗତ ହୋଇ ପାରିବନାହିଁ । ସେହି କାଳର ପ୍ରତିନିଧିମୂଳକ ଅନୁବାଦ ଆମକୁ ଫକୀରମୋହନଙ୍କର ଦ୍ଵାରା ଲିଖିତ କେତେକ ଜୀବନୀର ଓଡ଼ିଆ ଅନୁବାଦରୁ ମିଳିଥାଏ । ବୌଦ୍ଧବତାର କାବ୍ୟ ତାଙ୍କର ଆଉ ଗୋଟିଏ ସଫଳ ଅନୁବାଦକୃତି ।

 

ଓଡ଼ିଆ ସାହିତ୍ୟରେ ଯେ ସାହିତ୍ୟିକ ସୁଖାନୁବାଦ ଅବଶ୍ୟ ସମ୍ଭବ ଏବଂ ଯଥାର୍ଥ ଶ୍ରଦ୍ଧା ରହିଥିଲେ ତାହା ଯେ ଏକ ସୃଜନାତ୍ମକ ସ୍ତରକୁ ଉନ୍ନୀତ ହୋଇ ପାରିବ, ଫକୀର ମୋହନଙ୍କର ଅନୁବାଦଗୁଡ଼ିକ ଓଡ଼ିଆ ସାହିତ୍ୟରେ ସମ୍ଭବତଃ ସେହି କଥାଟିର ସର୍ବପ୍ରଥମ ପ୍ରତ୍ୟୟ ଦେଇ ପାରିଥିଲା । ପରବର୍ତ୍ତୀ ସତ୍ୟବାଦୀଯୁଗରେ ସାହିତ୍ୟର ଗବାକ୍ଷ ଓ ପରିଧିଗୁଡ଼ିକ ଆହୁରି ଅନେକ ଆଡ଼କୁ ପ୍ରସାରିତ ହୋଇ ଯାଇଥିଲା । ନୀଳକଣ୍ଠ ଓ ଗୋଦାବରୀଶଙ୍କର ଅନୁବାଦଗୁଡ଼ିକ ମୂଳତଃ ସେହି ପ୍ରସାରଣ ନିମନ୍ତେ ହିଁ ଉଦ୍ଦିଷ୍ଟ ହୋଇ ରହିଥିଲା । ଭାରତବର୍ଷ ସ୍ଵାଧୀନତା ଲାଭ କରିବା ପରେ ଏବଂ ତା’ପରେ ଭାରତୀୟ ଭାଷାଗୁଡ଼ିକର କ୍ଷେତ୍ରରେ ଏକ ବିଶେଷ ସାହିତ୍ୟସଚେତନତାର ଉଦ୍‌ବେଳନ ଘଟିବା ଫଳରେ ଅନୁବାଦର କ୍ଷେତ୍ରରେ ମଧ୍ୟ ଏକ ସମୃଦ୍ଧି ଅବଶ୍ୟ ଦୃଷ୍ଟିଗୋଚର ହୋଇଛି । ବିଗତ ଚାରି ପାଞ୍ଚ ଦଶକ ମଧ୍ୟରେ ଇଉରୋପୀୟ ସାହିତ୍ୟରୁ ଓଡ଼ିଆକୁ ବହୁ ଗ୍ରନ୍ଥର ଅନୁବାଦ ହୋଇଛି । ଜ୍ଞାନର ଏକାଧିକ କ୍ଷେତ୍ରରେ ଅନୁବାଦମାନ ହୋଇଛି ଓ ତାହା ଓଡ଼ିଆ ଜ୍ଞାନଭଣ୍ଡାରକୁ ସମୃଦ୍ଧ କରିଛି । ଜାତୀୟ ଏବଂ ରାଜ୍ୟସ୍ତରୀୟ ସ୍ତରରେ ପ୍ରତିଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ସାହିତ୍ୟ–ସଂସ୍ଥାମାନେ ଅନୁବାଦକୁ ଏକ ବିଶେଷ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଛନ୍ତି । ଅନୁବାଦ ଏବଂ ଅନୁବାଦକମାନଙ୍କର ଏକ ସୁବିସ୍ତୃତ ନାମ ତାଲିକା ଯୋଗାଇ ଦେବା ପ୍ରସ୍ତୁତ ପ୍ରବନ୍ଧଟିର ଉଦ୍ଦେଶ୍ୟ ନୁହେଁ । ତଥାପି ବିଶେଷ ଭାବରେ ନୋବେଲପୁରସ୍କାର–ପ୍ରାପ୍ତ ସାହିତ୍ୟର ଓଡ଼ିଆ ଅନୁବାଦକୁ ଆପଣାର ପ୍ରାୟ ଏକ ଧର୍ମରୂପେ ଗ୍ରହଣ କରିଥିବା ଶ୍ରୀଯୁକ୍ତ ପ୍ରଫୁଲ୍ଲଚନ୍ଦ୍ର ଦାସଙ୍କର ନାମୋଲ୍ଲେଖ ଅବଶ୍ୟ କରିବାକୁ ହେବ । ବିଭିନ୍ନ ଅନୁବାଦକଙ୍କ ଦ୍ଵାରା ଅନୁବାଦ କରାଇ ଶ୍ରୀଯୁକ୍ତ ଦାସ ପ୍ରାୟ ଅର୍ଦ୍ଧଶତାଧିକ ଗ୍ରନ୍ଥ ପ୍ରକାଶ କରିଛନ୍ତି । ନିଜେ ମଧ୍ୟ କେତୋଟି ଗ୍ରନ୍ଥର ଅନୁବାଦ କରିଛନ୍ତି । ଜଣେ ପ୍ରକାଶକ ସାହିତ୍ୟଶ୍ରଦ୍ଧାଳୁ ହେଲେ ଏହି ସାନ ଏବଂ ଅଳ୍ପବିତ୍ତ ଓଡ଼ିଶାରେ ମଧ୍ୟ କେତେ କଥା ଯେ ସମ୍ଭବ ହୋଇପାରେ, ଶ୍ରୀଯୁକ୍ତ ଦାସ ଆହୁରି ବହୁଦିନ ପର୍ଯ୍ୟନ୍ତ ତାହାର ଦୃଷ୍ଟାନ୍ତ ହୋଇ ରହିଥିବେ ।

 

ସାହିତ୍ୟରେ ଅନୁବାଦ କାର୍ଯ୍ୟକୁ ବିଶେଷ ପ୍ରୋତ୍ସାହନ ଦେବାଲାଗି ଜାତୀୟ ଏବଂ ରାଜ୍ୟସ୍ତରରେ ସାହିତ୍ୟ–ସଂବର୍ଦ୍ଧକ ଏକାଡେମୀ ଗୁଡ଼ିକ ରହିଛି । ଦିଲ୍ଲୀଠାରୁ ସାରା ଭାରତର ସାହିତ୍ୟିକ ଗ୍ରନ୍ଥାନୁବାଦ ଓ ତାହାରି ମାଧ୍ୟମରେ ସାହିତ୍ୟିକ ଆଦାନପ୍ରଦାନର ହାଲ୍‌ଚାଲ୍ ବୁଝୁଥିବା ନ୍ୟାସନାଲ ବୁକ୍ ଟ୍ରଷ୍ଟ ମଧ୍ୟ ରହିଛି । ଏହି ସଂସ୍ଥାଗୁଡ଼ିକର ଆନୁକୂଲ୍ୟରେ କେତେକ ଉପାଦେୟ ଗ୍ରନ୍ଥର ଓଡ଼ିଆ ଅନୁବାଦ କରାଯାଇଛି । ତଦ୍ଦ୍ଵାରା ଓଡ଼ିଆ ଅନୁବାଦ ଭଣ୍ଡାରର ଲକ୍ଷ୍ମୀ ବଢ଼ିଛନ୍ତି ସତ, ମାତ୍ର କେତେକ ବିଡ଼ମ୍ବନା ମଧ୍ୟ ସୃଷ୍ଟି ହୋଇଛି । ଓଡ଼ିଆ ସମେତ ଭାରତୀୟ ବିଭିନ୍ନ ଭାଷାରେ କେଉଁସବୁ ଗ୍ରନ୍ଥର ଅନୁବାଦ ପ୍ରସ୍ତୁତ କରାଯିବ, ତାହାକୁ ଉକ୍ତ ସଂସ୍ଥାଗୁଡ଼ିକର କର୍ତ୍ତାମାନେ ହିଁ ସ୍ଥିର କରିଛନ୍ତି । ଅବଶ୍ୟ ଏକଥା ସତ ଯେ, ସେମାନେ ଗୋଟିଏ ଗୋଟିଏ ସ୍ଥାନୀୟ ପରମର୍ଶଦାତା କମିଟିର ସାହାଯ୍ୟ ଗ୍ରହଣ କରନ୍ତି । ସେହି କର୍ତ୍ତାମାନଙ୍କର ସ୍ତରରେ ହିଁ ଅନୁବାଦକମାନଙ୍କୁ ବଛା ଯାଇଥାଏ । ଏହି କାର୍ଯ୍ୟଗୁଡ଼ିକ ସହିତ ଜଡ଼ିତ ହୋଇ ରହିଥିବା ଅର୍ଥପ୍ରତିଶ୍ରୁତିମାନ ଅନେକ ସମୟରେ ଏକାନ୍ତ ଅନ୍ୟକ୍ଷେତ୍ରୀମାନଙ୍କୁ ମଧ୍ୟ ଏହି କ୍ଷେତ୍ରଟି ଭିତରକୁ ପ୍ରଲୁବ୍ଧ କରିଆଣେ ଓ ସେମାନେ ମଧ୍ୟ ଏହି ଭୋଗବଣ୍ଟାରୁ ଲାଭବାନ୍ ହେବାପାଇଁ ଆସି ପହଞ୍ଚି ଯାଆନ୍ତି । ଯଥାର୍ଥ ଶ୍ରଦ୍ଧା ନଥିଲେ କୌଣସି ଅନୁବାଦ ଆଦୌ ସମ୍ଭବ ନୁହେଁ । ଜଣେ ସିଦ୍ଧ ଅନୁବାଦକ ମଧ୍ୟ କଦାପି ଯେକୌଣସି ଗ୍ରନ୍ଥର ଅନୁବାଦ କରି ପାରିବନାହିଁ ଏବଂ ପ୍ରକୃତରେ ଶ୍ରଦ୍ଧା ରହିଥିବା ଜଣେ ବ୍ୟକ୍ତି ଅନୁବାଦ ପାଇଁ ଫରମାସ ଆସିଛି ବୋଲି ହିଁ ସେଥିଲାଗି ଶ୍ରଦ୍ଧା ପ୍ରକଟ କରିବାକୁ ଅବଶ୍ୟ ସଙ୍କୋଚ ବୋଧ କରିବ । ହୁଏତ ଅଧିକ ଭଲ ହୁଅନ୍ତା, ଯଦି ସମ୍ପୃକ୍ତ ସଂସ୍ଥାମାନେ ଅନୁବାଦ କରିବାକୁ ନିର୍ବାଚିତ ହୋଇଥିବା ଗ୍ରନ୍ଥଗୁଡ଼ିକୁ ମନୋନୀତ ଅନୁବାଦକମାନଙ୍କ ପାଖକୁ ପଠାଇ ଦିଅନ୍ତେ, ଅନୁବାଦକ ନିଜର ରୁଚି ଅନୁସାରେ ସେଥିରୁ ବହିଟିଏ ବାଛନ୍ତା ଓ ତାହାର ଅନୁବାଦ କରି କର୍ତ୍ତାମାନଙ୍କର ଚୂଡ଼ାନ୍ତ ନିଷ୍ପତ୍ତି ନିମନ୍ତେ ପଠାଇ ଦେଉଥାଆନ୍ତା । ଅବଶ୍ୟ ସ୍ମରଣ ରହିଥିବା ଉଚିତ ଯେ, ଯେକୌଣସି ସରକାରୀ ବା ତଥାକଥିତ ଅର୍ଦ୍ଧସରକାରୀ ଅନୁଷ୍ଠାନର ସର୍ବଦା ଏକ ସାମର୍ଥ୍ୟସୀମା ମଧ୍ୟ ରହିଛି, ବିଶେଷତଃ, ସାହିତ୍ୟ ପରି ଏକ ସୃଜନାତ୍ମକ କ୍ଷେତ୍ରରେ ସେହି ସୀମାଗୁଡ଼ିକ ହୁଏତ ଆହୁରି ଅଧିକ ପରିମାଣରେ ସୀମିତ ହୋଇ ରହିବା ଅତ୍ୟନ୍ତ ସ୍ଵାଭାବିକ ।

 

ଓଡ଼ିଶାର ଯେଉଁ ସରକାରୀ ସଂସ୍ଥାକୁ ଏବେ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ–ସଂସ୍ଥା ବୋଲି କୁହାଯାଉଛି, ସାହିତ୍ୟିକ ଅନୁବାଦ–କ୍ଷେତ୍ରରେ ଆମେ ସଂପୃକ୍ତ ସମସ୍ତେ ଇଚ୍ଛା କରିଥିଲେ ତାହା ହୁଏତ କେତେ ପ୍ରଶଂସାଯୋଗ୍ୟ କାର୍ଯ୍ୟ କରି ପାରିଥାଆନ୍ତା । ବିଭିନ୍ନ ବିଦ୍ୟା ତଥା ବିଜ୍ଞାନର କ୍ଷେତ୍ରରେ ପ୍ରଧାନତଃ ପ୍ରତିଷ୍ଠିତ ପୁସ୍ତକଗୁଡ଼ିକର ଓଡ଼ିଆ ଅନୁବାଦ କରାଇବା ସକାଶେ ହିଁ କେନ୍ଦ୍ରରୁ ଅନୁଦାନ ରୂପେ ମିଳିଥିବା ଗୋଟିଏ କୋଟି ଟଙ୍କାରେ ସେହି ସଂସ୍ଥାକୁ ଗଢ଼ା ଯାଇଥିଲା । ଅଯୋଗ୍ୟ ଅଥଚ ଉଚ୍ଚସ୍ଥାନସ୍ଥ ହାକିମମାନଙ୍କର କବଳରେ ପଡ଼ି ତାହା ପାଠ୍ୟପୁସ୍ତକ ପ୍ରଣୟନ କରିବାର ହିଁ ଏକ ମହକୁମାରେ ପରିଣତ ହୋଇ ରହିଗଲା । ଯେଉଁମାନେ ଓଡ଼ିଆରେ କେବେ କିଛି ଲେଖି ନଥିଲେ କିମ୍ବା ଚିନ୍ତା କରି ନଥିଲେ, ବିଦ୍ୟାକୁ ଜୀବିକାରେ ପରିଣତ କରିଥିବା ଅର୍ଥଲୋଭୀ କେତେ କିଏ ସେଠାରେ ଆସି ପହଞ୍ଚିଲେ ଏବଂ ସଂସ୍ଥାଟିର ଅସଲ ଉଦ୍ଦେଶ୍ୟଗୁଡ଼ିକୁ ପଣ୍ଡ କରିବାରେ ନିମିତ୍ତ ହେଲେ । ତଥାପି, କେତେଗୁଡ଼ିଏ ଅନୂଦିତ ପାଠ୍ୟପୁସ୍ତକ ପ୍ରକାଶ ପାଇଲା ସତ, ମାତ୍ର ତାହା ବସ୍ତୁତଃ କାର୍ଯ୍ୟରେ ଲାଗିଲା ନାହିଁ । ଜୀବନଯାକ ଭୁବନେଶ୍ଵରରେ ଚାକିରି କରି ରହିବାକୁ ଇଚ୍ଛା କରୁଥିବା କେତେକ ବୃଦ୍ଧମନ ବାବୁମାନଙ୍କ ପାଇଁ ଏକ ଆଶ୍ରୟବିହାର ଯୋଗାଇଦେବା ନିମନ୍ତେ ସଂସ୍ଥାଟି ସରକାରଙ୍କ ହାତରେ ପ୍ରାୟ ଏକ ସୁବିଧାଜନକ ସ୍ଥାନ ହୋଇ ରହିଲା । ଅନୁବାଦର କାର୍ଯ୍ୟ ଏକ ସାହିତ୍ୟିକ କାର୍ଯ୍ୟ, ତାହା ଏକ ଅନୁରାଗର କାର୍ଯ୍ୟ; ଆତ୍ମକାମୀ ଅସାହିତ୍ୟିକମାନଙ୍କର ଅଠାଭିତରେ ପଡ଼ି ଉକ୍ତ ସଂସ୍ଥା ନିଷ୍କ୍ରିୟ ହୋଇ ରହିବାକୁ ହିଁ ଆପଣାର ଧର୍ମ ବୋଲି ଗ୍ରହଣ କରିନେଲା । ବିଶ୍ଵସାହିତ୍ୟକୁ ବରଣ କରି ଆଣିବା ନିମନ୍ତେ ଓଡ଼ିଶାକୁ ଯେଉଁ ବହୁ–ପ୍ରତିଶ୍ରୁତିଯୁକ୍ତ ସୁଯୋଗଟିଏ ମିଳିଥିଲା, ଆମ ସରକାରୀ ଧୁରନ୍ଧରମାନେ ତାହାକୁ ଅତ୍ୟନ୍ତ ଧୂର୍ତ୍ତ ଭାବରେ ଏକ ଚରମ ଅକୁଶଳତାରେ ପରିଣତ କରି ରଖିଲେ, ଏବେ ତାହାକୁ ଆହୁରି ଅଧିକ କାବୁ କରି ରଖିଛନ୍ତି-। ଏବେ ଯୁକ୍ତ ଦୁଇ ସ୍ତରର ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାରେ ତାହାକୁ ଦାମୁଡ଼ି ପରି ବ୍ୟବହାର କରାଯାଉଛି ।

 

ଓଡ଼ିଆ ଭାଷାରେ ବିଶ୍ଵସାହିତ୍ୟରୁ ଯାହାକିଛି ଅନୁବାଦ ହୋଇଛି, ତାହା ପ୍ରଧାନତଃ ଇଂରାଜୀ ଭାଷାରୁ ହୋଇଛି । ସତେଅବା ନିୟମତଃ ସେହିଭଳି ହୋଇଛି । ଏକାଧିକ କାରଣରୁ ଓଡ଼ିଶାରେ ଇଂରାଜୀ ଭାଷା ବ୍ୟତୀତ ଅନ୍ୟ କୌଣସି ଇଉରୋପୀୟ ଭାଷା ଶିକ୍ଷା କରିବାପାଇଁ ପ୍ରଶସ୍ତ ସୁଯୋଗ ନାହିଁ । ଓଡ଼ିଶାର ବିଶ୍ଵବିଦ୍ୟାଳୟମାନେ ତାହାକୁ ଏକ ଅତ୍ୟାବଶ୍ୟକତା ରୂପେ ଏବେ ମଧ୍ୟ ଗ୍ରହଣ କରିନାହାନ୍ତି । ଇଂରାଜୀ ବ୍ୟତୀତ ଅନ୍ୟାନ୍ୟ ଭାଷାରେ ରହିଥିବା ଇଉରୋପୀୟ ଗ୍ରନ୍ଥଗୁଡ଼ିକୁ ଆମେ ଇଂରାଜୀ ଅନୁବାଦରେ ହିଁ ପଢ଼ିଛୁ । ଅନୁବାଦ କଲାବେଳେ ସେହି ଇଂରାଜୀ ଅନୁବାଦରୁ ଓଡ଼ିଆକୁ ଅନୁବାଦ କରୁଛୁ । ଏହି ଦୃଷ୍ଟିରୁ ଓଡ଼ିଆ ଅନୁବାଦ ସାହିତ୍ୟ ଅତ୍ୟନ୍ତ ଅପୂର୍ଣ୍ଣତାଯୁକ୍ତ ହୋଇ ରହିଛି । ଏକଭାଷାଭାଷୀ ହେବା ଆଧୁନିକତା ଏବଂ ଆଧୁନିକ ଜୀବନଦୃଷ୍ଟିର ଏକାନ୍ତ ବିରୋଧୀ । ତଥାପି ଓଡ଼ିଶାରେ ଆମେ ଅନେକେ ଏକଭାଷାଭାଷୀ ହୋଇ ରହିଛୁ ଓ ତାହାକୁ ହିଁ ଯଥେଷ୍ଟ ବୋଲି ମନେ କରୁଛୁ । କେବଳ ଭାଷାର କ୍ଷେତ୍ରରେ ନୁହେଁ, ଭାବର କ୍ଷେତ୍ରରେ ମଧ୍ୟ ଆମର ଅନେକ ଅନୁବାଦକ ଏକପ୍ରସ୍ଥଯୁକ୍ତ ଏବଂ ଏକଭାଷାଭାଷୀ ହୋଇ ରହିଛନ୍ତି । ଏହି ଅଳ୍ପତା ଓ ଏହି ଦୈନ୍ୟ ଅପସାରିତ ହୋଇଯିବା ଉଚିତ । ତାହା ଫଳରେ ଓଡ଼ିଶାରେ ସାହିତ୍ୟର କ୍ଷେତ୍ରଟି ଅଧିକ ପୁଷ୍ପକ ହୋଇପାରିବ ଓ ଆମର ସାହିତ୍ୟାନୁବାଦକୁ ମଧ୍ୟ ତାହା ଆହୁରି ଅନେକ ପ୍ରସ୍ଥ ଆଣି ଦେଇଯିବ ।

 

ଭାରତୀୟ ଅନ୍ୟାନ୍ୟ ଭାଷାଗୁଡ଼ିକ ଓଡ଼ିଆ ଭାଷାର ସହୋଦର ଭାଷା । ଏପରିକି, ତଥାକଥିତ ଦ୍ରାବିଡ଼ ବା ଦକ୍ଷିଣ–ଭାରତୀୟ ଭାଷାଗୁଡ଼ିକୁ ଆମେ ଉତ୍ତର ଭାରତରେ ସାଧାରଣତଃ ଯେତେ ଅଲଗା ପ୍ରକାରର ବୋଲି ଭାବୁ, ସେଗୁଡ଼ିକ ଆଦୌ ସେତେ ଅଲଗା ପ୍ରକାରର ନୁହଁନ୍ତି । ଦକ୍ଷିଣ ଭାରତର ଭାଷାଗୁଡ଼ିକରେ ସଂସ୍କୃତମୂଳ ଶବ୍ଦଗୁଡ଼ିକ ବହୁତର ବ୍ୟଞ୍ଜନାରେ ଭର୍ତ୍ତି ହୋଇ ରହିଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ, ମାଲୟଲମ ଭାଷା ଓ ସାହିତ୍ୟର ଗୋଟିଏ ଯୁଗକୁ ଏବେ ମଧ୍ୟ ମଣିପ୍ରବାଳମ୍ ଯୁଗ ଅର୍ଥାତ୍ ଦ୍ରାବିଡ଼ୀୟ ମଣି ସହିତ ସଂସ୍କୃତରୁ ଆହୃତ ପ୍ରବାଳଗୁଡ଼ିକ ଆସି ମିଶିଥିବାର ଯୁଗ ବୋଲି କୁହା ଯାଇଥାଏ । ଓଡ଼ିଶାର ସଂସ୍କୃତିକୁ ମଧ୍ୟ ଅନେକ ଶିକ୍ଷିତ ଓଡ଼ିଆ ବିହ୍ଵଳ ଭାବରେ ଯେତେ ପରିମାଣରେ ତଥାକଥିତ ଆର୍ଯ୍ୟସଂସ୍କୃତିର ଏକ ଆଞ୍ଚଳିକ ପ୍ରକାଶ ବୋଲି ମନେ କରିଥାନ୍ତି, ପ୍ରକୃତରେ ସେକଥା ମୋଟେ ସେପରି ନୁହେଁ । ଏକାଧିକ ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଗୋଟିଏ ସେତୁ ପରି କାର୍ଯ୍ୟ କରି ଆସିଛି । ତେଣୁ ଉତ୍ତର ତଥା ଦକ୍ଷିଣ ଭାରତର ଭାଷା ଏବଂ ସାହିତ୍ୟରୁ ରତ୍ନ ଆହରଣ କରିବା ସକାଶେ ଓଡ଼ିଶାରେ ସ୍ଵଭବତଃ ଏକ ପ୍ରଶସ୍ତ ଅବକାଶ ରହିଥିବା ଉଚିତ । ମାତ୍ର, ଅତ୍ୟନ୍ତ ଦୁଃଖର ବିଷୟ ଯେ, ଇଂରାଜୀ ଭାଷାରୁ ଓଡ଼ିଆକୁ ଯେତିକି ଅନୁବାଦ ହେଇଛି, ଭାରତୀୟ ବିଭିନ୍ନ ଭାଷାରୁ ତାହାର ଦଶଭାଗରୁ ଭାଗେ ମଧ୍ୟ ଅନୁବାଦ ହୋଇନାହିଁ । ଦକ୍ଷିଣ ଓଡ଼ିଶାରେ ବହୁସଂଖ୍ୟକ ତେଲେଗୁ ଭାଷାଭାଷୀ ବାସ କରୁଥିଲେ ମଧ୍ୟ ହୁଏତ ଖଣ୍ଡିଏ ତେଲେଗୁ ଗ୍ରନ୍ଥର ସିଧା ଓଡ଼ିଆ ଅନୁବାଦ ହୋଇନାହିଁ । ପଞ୍ଜାବୀ, ତାମିଲ, କାଶ୍ମିରୀ ଏବଂ ମରାଠୀ ପ୍ରଭୃତି ଦୂରତର ଭାଷାଗୁଡ଼ିକରୁ ଓଡ଼ିଆକୁ ହୋଇଥିବା ଅନୁବାଦ ବିଷୟରେ କିଛି କହିବାର ପ୍ରଶ୍ନ ହିଁ ଉଠୁନାହିଁ । ଭାରତୀୟ ସଂସ୍କୃତିର ଅସଲ ଗର୍ବ ହେଉଛି ବୈଚିତ୍ର୍ୟ ମଧ୍ୟରେ ଐକ୍ୟର ଅନ୍ଵେଷଣ କରିବା ଓ ଯାବତୀୟ ବୈଚିତ୍ର୍ୟ ସତ୍ତ୍ୱେ ଏକ ସଂହତିଗତ ବିପୁଳତାକୁ ଅନୁଭବ କରିବା । ଭାରତୀୟ ବିଭିନ୍ନ ରାଜ୍ୟଖଣ୍ଡ ସାହିତ୍ୟର ଅନୁବାଦ ଦ୍ଵାରା ପରସ୍ପରକୁ ଅଧିକ ଆତ୍ମୀୟତା ସହିତ ଜାଣି ପାରୁଥିଲେ ତାହା ଆମର ଏହି ଭୂମିଟିକୁ ଆମର ଏହି ଭୂମିଟିକୁ ଆମ ଜୀବନରେ ପ୍ରକୃତରେ ଗୋଟିଏ ବୋଲି ଅନୁଭୂତ କରାଇବାରେ ଅନେକ ସହାୟକ ହେଉଥାନ୍ତା । ଏବେ ଭାରତବର୍ଷରେ ଆଞ୍ଚଳିକତାର ନାନା ଭାବନା ଯେପରି ପ୍ରାୟ ଏକ ରାଜନୀତିକ ରାକ୍ଷସର ରୂପ ଧରି ଆମର ଏହି ସମଗ୍ର ଘରଟିକୁ ମିଛଟାରେ ଉତ୍ତେଜିତ କରି ରଖୁଛି, ଆମେ ଯେ ପରସ୍ପରକୁ ଭାରି କମ୍ ଜାଣିଛୁ, ଏଇଟି ମଧ୍ୟ ତାହାର ଗୋଟିଏ ମୁଖ୍ୟ କାରଣ । ଆମ ଶିକ୍ଷିତମାନଙ୍କର ଅନ୍ୟ ଭାରତୀୟ ଭାଷାଗୁଡ଼ିକରେ ଇଂରାଜୀ ଭାଷାସହିତ ଯେ ଅଧିକ ନାଡ଼ ଲାଗିଛି, ଓଡ଼ିଆକୁ ଅନ୍ୟ ଭାରତୀୟ ଭାଷାଚୟର ସାହିତ୍ୟରୁ ପର୍ଯ୍ୟାପ୍ତ ଅନୁବାଦ ହୋଇପାରିଲେ ତାହା ନିଃସନ୍ଦେହ ଭାବରେ ଏକ ବୃହତ୍ ପ୍ରତିକାରକ ରୂପେ କାର୍ଯ୍ୟ କରି ପାରନ୍ତା ।

 

ସେହି ପରିପ୍ରେକ୍ଷୀରେ ନ୍ୟାଶନାଲ୍ ବୁକ୍ ଟ୍ରଷ୍ଟ୍‌ର ଆଦାନପ୍ରଦାନ ପୁସ୍ତକଯୋଜନା ପ୍ରକୃତରେ ଏକ ଉଲ୍ଲେଖଯୋଗ୍ୟ ପଦକ୍ଷେପ ଗ୍ରହଣ କରି କରି ପାରିଛି । ଆନୁଷ୍ଠାନିକ ଭାବରେ ଓ ଜାତୀୟ ସ୍ତରରେ ଏଭଳି ପଦକ୍ଷେପ ଆଗରୁ କେବେହେଲେ ଗ୍ରହଣ କରାଯାଇ ନଥିଲା । ମାତ୍ର ସେହି ଉଦ୍ୟମଟିରେ ମଧ୍ୟ ବହୁତ ଖୁଣ ରହିଯାଉଛି । ଭାରତୀୟ ଭାଷାର ପୁସ୍ତକଗୁଡ଼ିକୁ ପ୍ରଥମେ ହିନ୍ଦୀକୁ ଅଥବା ଇଂରାଜୀକୁ ଅନୁବାଦ କରାଯାଉଛି ଏବଂ ତା’ପରେ ଯାଇ ସେହି ଅନୁବାଦଟାରୁ ହିଁ ଅନ୍ୟ ଏକ ଭାଷାକୁ ଅନୁବାଦ ହେଉଛି । ଏହା ଗୋଟିଏ ଲଜ୍ଜାକର ପ୍ରକ୍ରିୟା । ଭାରତୀୟ ପ୍ରତ୍ୟେକ ରାଜ୍ୟରେ ଏକାଧିକ ଦ୍ଵିଭାଷୀ ସୀମାଞ୍ଚଳମାନ ରହିଛି ଏବଂ ସେଠାରେ ଏପରି କୁଶଳ ଅନୁବାଦକାରୀ ମଧ୍ୟ ରହିଛନ୍ତି, ଯେଉଁମାନେ ନିଜ ମାତୃଭାଷା ସହିତ ପାଖ ଭାଷାଟିକୁ ଭଲ ଭାବରେ ଜାଣିଛନ୍ତି । ସେମାନଙ୍କୁ ଆବିଷ୍କାର କରାଯାଇପାରନ୍ତା । ସେମାନେ ଯେଉଁ ଅନୁବାଦ କରନ୍ତେ, ଅନୁବାଦରୁ ଅନୁବାଦ କରିଦେବା ନିମନ୍ତେ ହାତପାଆନ୍ତାରେ ମିଳୁଥିବା ଚିହ୍ନା ପଣ୍ଡିତମାନଙ୍କର ପାଣ୍ଡିତ୍ୟଗୁଡ଼ିକର ତୁଳନାରେ ତାହା ବହୁଗୁଣାରେ ଅଧିକ ଉପାଦେୟ ହୋଇପାରନ୍ତା ।

 

ଓଡ଼ିଆ ଅନୁବାଦ–ସାହିତ୍ୟ କହିଲେ ସାଧାରଣତଃ ଭାରତବର୍ଷ ତଥା ପୃଥିବୀର ଅନ୍ୟାନ୍ୟ ଭାଷାରୁ ଓଡ଼ିଆକୁ ହେଉଥିବା ସାହିତ୍ୟକୁ ବୁଝାଇଲେ ମଧ୍ୟ ଏବେ ଗତ ପ୍ରାୟ ଦୁଇ ଦଶନ୍ଧି ହେଲା ଓଡ଼ିଶାରେ ଅନୁବାଦର ଯେଉଁ ଆଉ ଏକ ବିପରୀତ ରତିକୌତୂହଳ ଆସି ଦେଖାଦେଇଛନ୍ତି, ପ୍ରବନ୍ଧଟି ଶେଷ କରିବା ପୂର୍ବରୁ ତାହାର ଉଲ୍ଲେଖ କରିବାକୁ ହିଁ ପଡ଼ିବ । ଆମ ଆଧୁନିକମାନଙ୍କ ମଧ୍ୟରୁ ଯେଉଁମାନେ ଉଚ୍ଚତର ଜୀବିକା–ସ୍ଥାନମାନଙ୍କରେ ରହିଛନ୍ତି ଏବଂ ତେଣୁ ଏକ ଅନୁକୂଳତର ଯୋଗସୂତ୍ର ସ୍ଥାପନ କରି ପାରୁଛନ୍ତି, ସେମାନେ ପ୍ରବଳ ଆଗ୍ରହର ସହିତ ନିଜର ଲେଖାଗୁଡ଼ିକୁ ଇଂରାଜୀରେ ଅନୁବାଦ କରାଇ ନେବାରେ ନାନା ପ୍ରୟାସ କରୁଛନ୍ତି । ପ୍ରାୟ ଏକ କୋପନ–ପ୍ରବୃତ୍ତିର ବଶବର୍ତ୍ତୀ ହୋଇଥବା ପରି ଆଉକେହି ସେହି ଅନୁବାଦ ଲାଗି ମନ କରିବା ପୂର୍ବରୁ ସେମାନେ ନିଜେ ସେଗୁଡ଼ିକର ଅନୁବାଦ ଲାଗି ବ୍ୟାକୁଳ ହୋଇପଡ଼ୁଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ହୁଏତ ପ୍ରଥମେ ଇଂରାଜୀରେ ଲେଖୁଛନ୍ତି ଏବଂ ତା ପରେ ସତେ ଅନ୍ୟ ଏକ ଦ୍ଵିତୀୟ କର୍ମ ରୂପେ ତାହାର ଓଡ଼ିଆ ଅନୁବାଦ କରୁଛନ୍ତି । ଅତ୍ୟନ୍ତ ସ୍ପଷ୍ଟ କଥା ଯେ, ସେମାନଙ୍କର ଆମର ଏହି ଭୂମିଟା ପ୍ରତି ମୋଟେ ମନ ନାହିଁ, ହୁଏତ ଆଉ କେଉଁ ଅନ୍ୟ ଭୂମିରେ ଯାଇ ମନ ରହିଛି, ସମ୍ଭବତଃ ଆପଣା ପ୍ରତି ହିଁ ସର୍ବାଧିକ ରତି ରହିଛି କିମ୍ବା ଅଧିକ ଯଥାର୍ଥ ଭାବରେ କହିଲେ କୌଣସି ସାହିତ୍ୟବୃଦ୍ଧିରେ ମନ ନାହିଁ, ଆତ୍ମବୃଦ୍ଧିରେ ହିଁ ଅଧିକ ମନ ରହିଛି । ଏହିଭଳି ଗୋଟାଏ ଅପଲାଳସା ଦ୍ଵାରା ସଂକ୍ରମିତ ହୋଇ ସେମାନଙ୍କ ଦେଖାଦେଖି ଆହୁରି ଅନ୍ୟମାନେ ମଧ୍ୟ ସେହି ଦିଗରେ ଭାରି ମାତି ଯାଉଛନ୍ତି । କ୍ଷିପ୍ରତର ସିଦ୍ଧିଲାଭର ଆକାଂକ୍ଷାରେ ଓଡ଼ିଶାରେ ଇଂରାଜୀ ସାହିତ୍ୟାନୁବାଦର ପତ୍ରିକାମାନ ମଧ୍ୟ ବାହାରୁଛି, ବେଳେବେଳେ ମଫସଲରୁ ମଧ୍ୟ ବାହାରୁଛି । ଅବର୍ଜିଆ ଇଂରାଜୀ ଭାଷାରେ ବାହାରୁଥିଲେ ମଧ୍ୟ ଇଂରାଜୀ ଛାପାରେ ବାହାରୁ ଥିବାରୁ ତାହା ସମ୍ପୃକ୍ତ ଅଭିସାରସ୍ପର୍ଦ୍ଧୀ ମାନଙ୍କୁ ସତେଅବା ପ୍ରଭବସଂଯୁକ୍ତ ହେବାର ଏକ ମିଛ ପରିତୋଷ ଆଣି ଦେଇ ଯାଉଛି । ଭଗବାନ କରନ୍ତୁ, ସେମାନେ ସିଦ୍ଧିଲାଭ କରନ୍ତୁ । ସେମାନେ ଯେଉଁ ଗଡ଼ଗୁଡ଼ିକୁ ଜୟ କରିବାର ଅଭିଳାଷରେ ବାହାରିଛନ୍ତି, ସେମାନଙ୍କୁ ସେହି ଗଡ଼ ମଧ୍ୟରେ ଅବଶ୍ୟ ଥାନ ମିଳୁ । ମାତ୍ର, ସେମାନଙ୍କ ବାହାରେ ଆମେ ଯେଉଁମାନେ ଆମର ଏହି ଘରଟିକୁ ଓ ଏହି ଭୂମିଟିକୁ ପ୍ରକୃତରେ ଭଲ ପାଉ, ସେମାନଙ୍କୁ ସେହି ଯାବତୀୟ ବିଟବୃତ୍ତି ବିଷୟରେ ଅବଶ୍ୟ ସାବଧାନ ହୋଇ ରହିବାକୁ ପଡ଼ିବ ।

 

ପୃଥିବୀର ଜ୍ଞାନ ଓ ବିଜ୍ଞାନ ଦିନକୁ ଦିନ ବହୁଗୁଣିତ ହେବାରେ ଲାଗିଛି । ଅନୁବାଦର ମାଧ୍ୟମରେ ହିଁ ତାହା ଓଡ଼ିଶାକୁ ଆସିପାରିବ ଏବଂ ଏଠାରେ ଏହି ସ୍ଥାନୀୟ ଭୂମିଟିକୁ ମଧ୍ୟ ବିଶ୍ଵତୋଦୃଷ୍ଟି କରିପାରିବ । ଆଧୁନିକ ପରିଭାଷାର କ୍ଷେତ୍ରରେ ଆମେ ଓଡ଼ିଆରେ ଭାରି ଦାରିଦ୍ର୍ୟ ଅନୁଭବ କରିଥାଉ । ଅଧିକରୁ ଅଧିକ ଅନୁବାଦ ଦ୍ଵାରା ହିଁ ଆମର ସେହି ଅଭିଳଷିତ ପରିଭାଷାଟି କ୍ରମେ ବିବର୍ତ୍ତିତ ହୋଇ ଆସିପାରନ୍ତା । ଓଡ଼ିଆକୁ ରାଜ୍ୟ ପ୍ରଶାସନର ଭାଷାରେ ପରିଣତ କରିବା ପରେ ସେହିଭଳି ଏକ ବିବର୍ତ୍ତନ ଅତ୍ୟାବଶ୍ୟକ ହୋଇ ପଡ଼ିଛି । ପରବର୍ତ୍ତୀ ସୋପାନରେ ଓଡ଼ିଆ ଯେ ଆମ ଉଚ୍ଚ ଶିକ୍ଷାର ମାଧ୍ୟମ ହେବାକୁ ଯାଉଛି, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଓଡ଼ିଆ ଭାଷାରେ ସବୁ କଥାକୁ ପ୍ରକାଶ କରି ହେବନାହିଁ, ଆମ ଶିକ୍ଷିତମାନଙ୍କ ମଧ୍ୟରେ ଏହିପରି ଗୋଟିଏ ଶଙ୍କା ରହିଯାଉଛି ବୋଲି ଉପରେ ଥୋକେ ମଣିଷ ସେହି ପଦକ୍ଷେପକୁ ସତେଅବା ଓଗାଳି ରହିଛନ୍ତି । ନାନା କାରଣରୁ ଅନେକ ଉଚ୍ଚପଦସ୍ଥ ଓଡ଼ିଆଙ୍କର ଓଡ଼ିଆ ଭାଷା ବିଷୟରେ ଏକ ହୀନମାନ୍ୟତା ରହିଛି ଓ ସେହି ସାମନ୍ତମାନେ ହିଁ ଫଳଶ୍ରୁତି ଗୁଡ଼ିକୁ ବାଟ ଓଗାଳି ବସିଛନ୍ତି । ବର୍ତ୍ତମାନ ଯେଉଁଠି ପ୍ରାୟ ଏକ ଅବଜ୍ଞା ରହିଛି, ସେଠାରେ ତାହାର ସ୍ଥାନାପନ୍ନ ଭାବରେ ଶ୍ରଦ୍ଧାର ପ୍ରତିଷ୍ଠା କରିବାକୁ ହେବ । ନିଜ ଘରଟିକୁ ପ୍ରକୃତରେ ଭଲ ପାଇବାକୁ ହେବ । ନିଜର ଅସଲ ଚେରଗୁଡ଼ିକୁ ଅନୁଭବ କରିବାକୁ ହେବ । ତେବେ ଯାଇ ଉଚିତ ପଦକ୍ଷେପ ଗୁଡ଼ିକୁ ଗ୍ରହଣ କରିବା ଲାଗି ଆମ ଭିତରେ ଯଥାର୍ଥ ପ୍ରତ୍ୟୟଟି ଉପଲବ୍ଧ ହୋଇପାରିବ ।

 

ଅନୁବାଦ ଗବାକ୍ଷ ଖୋଲେ । ନୂତନ ଆଖିଗୁଡ଼ିକୁ ଯୋଗାଇଦିଏ । ଏକ ବୃହତ୍ତର ପରିପ୍ରେକ୍ଷୀରେ ଆପଣାର କଳନା କରି ପାରିବାଲାଗି ତାହା ଆମକୁ ଏକ ସୁସ୍ଥ ତୁଳନାତ୍ମକ ମାନଦଣ୍ଡ ପ୍ରଦାନ କରେ । ଆମକୁ ଅନେକ ମିଛ ସ୍ଵୟଂସମ୍ପୂର୍ଣ୍ଣତାବୋଧରୁ ରକ୍ଷା କରେ । ଏକ ସ୍ଥାନୀୟ ଭୂମି ଉପରେ ବିତରଣ କରୁଥିଲେ ମଧ୍ୟ ତାହା ଆମକୁ ବିଶ୍ଵର ବୋଧ ଆଣିଦିଏ । ଆମକୁ ଅନେକାନେକ ସଂକୀର୍ଣ୍ଣତା ଭିତରୁ ଉଦ୍ଧାର କରେ । ଓଡ଼ିଆ ଅନୁବାଦ–ସାହିତ୍ୟ ଆହୁରି ଅଧିକ ସମୃଦ୍ଧିଯୁକ୍ତ ହେଉ । ତେବେଯାଇ ଆମେ ସମଗ୍ର ବିଶ୍ଵର ଦର୍ପଣ ଉପରେ ନିଜକୁ ତଉଲି ଦେଖିବାର ଯଥାର୍ଥ ଅବସରଟିଏ ପାଇ ପାରିବା । ଆମର ନିଜ ସମ୍ଭାବନା ଗୁଡ଼ିକ ବିଷୟରେ ଆମରି ଭିତରୁ ହିଁ ଆବଶ୍ୟକ ଉଦ୍‌ବୋଧନ ଗୁଡ଼ିକୁ ଲାଭ କରି ପାରିବା ।

 

କୋଣାର୍କ–୧୦୪/ଏପ୍ରିଲ୍ ୧୯୯୭

Image

 

ଓଡ଼ିଶାର ସାହିତ୍ୟ ଓ ଓଡ଼ିଶା ସାହିତ୍ୟ ଏକାଡେମୀ

 

ଓଡ଼ିଆ ସାହିତ୍ୟ ଏକାଡେମୀ ପଚିଶିବର୍ଷ ତଳେ ୧୯୫୭ ମସିହାରେ ସ୍ଥାପିତ ହୋଇଥିଲା । ଏ ବର୍ଷ ତାହାକୁ ପଚିଶିବର୍ଷ ପୂର୍ଣ୍ଣ ହୋଇଗଲା । ଭାରତ ସରକାରଙ୍କର ଉଦ୍ୟମ ଓ ପ୍ରସ୍ତାବନାକ୍ରମେ ଯେମିତି ଜାତୀୟ ସାହିତ୍ୟ ଏକାଡେମୀ ବୋଲି ଗୋଟିଏ ଅନୁଷ୍ଠାନର ଆରମ୍ଭ ହୋଇଥିଲା, ଓଡ଼ିଆ ସାହିତ୍ୟ ଏକାଡେମୀକୁ ଆମେ ପ୍ରାୟ ସେହିପରି ଏକ ଉଦ୍ୟମ ଓ ଆବିର୍ଭାବ ରୂପେ ବିଚାର କରି ପାରିବା । ଜାତୀୟ ସାହିତ୍ୟ ଏକାଡେମୀର ମୁଖ୍ୟ କର୍ମପେଣ୍ଠ ହେଉଛି ଭାରତବର୍ଷର ରାଜଧାନୀ ନୂଆଦିଲ୍ଲୀରେ । ସମ୍ଭବତଃ ସେହି ପଦ୍ଧତିଟିକୁ ଅନୁସରଣ କରି ଆମ ରାଜଧାନୀ ଭୁବନେଶ୍ଵରଠାରେ ହିଁ ଓଡ଼ିଆ ସାହିତ୍ୟ ଏକାଡେମୀର ଦପ୍ତର ରହିଛି ।

 

ଏକାଡେମୀ ଗ୍ରୀକ୍ ଭାଷାର ଗୋଟିଏ ଶବ୍ଦ । ଏକାଡେମୀ ପ୍ରାଚୀନ ଗ୍ରୀକ୍ ସମାଜର ଏକ ଅନୁଷ୍ଠାନ । ସେହି ଏକାଡେମୀ ସହିତ ତତ୍କାଳୀନ ଗ୍ରୀକ୍ ସରକାରଙ୍କର ଆଦୌ କୌଣସି ସମ୍ପର୍କ ନଥିଲା । ଦାର୍ଶନିକମାନେ ହିଁ ସେତେବେଳେ ଅଧିକ ଫଳପ୍ରଦ ଗୋଷ୍ଠୀଗତ ଅଧ୍ୟୟନ ଏବଂ ଅଧ୍ୟାପନା ସକାଶେ ଏହି ଏକାଡେମୀ ଗୁଡ଼ିକର ନିର୍ମାଣ ଓ ସ୍ଥାପନ କରୁଥିଲେ । ପ୍ରତ୍ୟେକ ଏକାଡେମୀ ସେହି କାରଣରୁ ଅଧ୍ୟୟନ ଏବଂ ଅଧ୍ୟାପନାର ଏକ ବିଶିଷ୍ଟ ପରମ୍ପରାକୁ ବହନ କରୁଥିଲା ଓ ପ୍ରତ୍ୟେକ ଏକାଡ଼େମୀକୁ ସମସ୍ତେ ତାହାର ଏକ ବିଶିଷ୍ଟ ପରମ୍ପରା ଅର୍ଥାତ୍ ଆଭିମୁଖ୍ୟର ମାଧ୍ୟମରେ ହିଁ ସର୍ବୋତ୍ତମ ଭାବରେ ଚିହ୍ନିବାକୁ ଚେଷ୍ଟା କରୁଥିଲେ । ପରେ ସେହି ନାମଟିର ଅନୁକରଣରେ ଇଉରୋପର ବିଭିନ୍ନ ଦେଶରେ ଏକାଡେମୀମାନ ପ୍ରତିଷ୍ଠା ହୋଇଥିଲା । ଏକାଡେମୀ ଶବ୍ଦଟି ହୁଏତ ମୂଳ ବ୍ୟଞ୍ଜନାଟିକୁ ହୁଡ଼ି ଆହୁରି କେତେପ୍ରକାର ଅଧ୍ୟୟନ ଓ ଗବେଷଣା କେନ୍ଦ୍ରମାନଙ୍କୁ ମଧ୍ୟ ବୁଝାଇଲା । ଭାରତବର୍ଷକୁ ସେହି ଶବ୍ଦଟି ଆମଦାନୀ ହୋଇ ଆସି ଇଂରାଜୀମାନଙ୍କ ଅମଳରେ କେତେକ ସ୍ଥଳରେ ଏକ ବିଶେଷ ପ୍ରଶିକ୍ଷଣ–କେନ୍ଦ୍ର ଏବଂ ସାଧାରଣ ବିଦ୍ୟାଳୟକୁ ମଧ୍ୟ ବୁଝାଇବାକୁ ଆରମ୍ଭ କରିଥିଲା । ଯଥା, ଡେହରାଡ଼ୁନ୍‌ରେ ଇଣ୍ଡିଆନ୍ ଡିଫେନ୍‌ସ୍ ଏକାଡେମୀ ଓ ଆମ କଟକର ପ୍ୟାରୀମୋହନ ଏକାଡେମୀ । କହିବା ବାହୁଲ୍ୟ, ଦିଲ୍ଲୀକୁ ଭିତ୍ତି କରି ସମଗ୍ର ଦେଶ ପାଇଁ ଗୋଟିଏ ସାହିତ୍ୟମଣ୍ଡଳ ଗଠନ କରିବା ସମୟରେ ଭାରତ ସରକାର ନାମକରଣର ଉକ୍ତ ପରମ୍ପରାଟିରୁ ନିଶ୍ଚୟ ଅନେକ ପ୍ରେରଣା ପାଇଥିବେ । ସେହି ପ୍ରେରଣାଟି ଓଡ଼ିଶା ସାହିତ୍ୟ ଏକାଡେମୀ ଗଠନ କରିବା ସମୟରେ ଦିଲ୍ଲୀରୁ ଭୁବନେଶ୍ଵରକୁ ଆହୃତ ହୋଇ ଆସିଲା ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ବିଧାନଟିକୁ ପାଠ କଲେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଜ୍ଞାତ ହୋଇଥାଏ ଯେ ଏକାଡେମୀ ଯଥାର୍ଥରେ ସାହିତ୍ୟ–ସୃଜନ ଲାଗି ଏକ ଅନୁଷ୍ଠାନ ନୁହେଁ । ଏପରିକି, ଏହା ମୁଖ୍ୟତଃ ଲେଖକ ଓ ସାହିତ୍ୟିକମାନଙ୍କର ଏକ ଅନୁଷ୍ଠାନ ନୁହେଁ । ସାହିତ୍ୟ ଓ ସାହିତ୍ୟିକମାନଙ୍କୁ ଆପଣାର ମୁଖ୍ୟ କ୍ଷେତ୍ର ରୂପେ ଗ୍ରହଣ କରି ସାହିତ୍ୟର ସୃଜନ ଏବଂ ପ୍ରସାରଣ ଲାଗି ଏକ ଉତ୍ସାହଦାୟକ ଓ ଅନୁକୂଳ ସହଯୋଗିତାର ବାତାବରଣ ସୃଷ୍ଟି କରିବା ହେଉଛି ଏକାଡେମୀର ଅସଲ କାର୍ଯ୍ୟ । ଆଗେ ଦରବାରମାନଙ୍କରେ ଏହି କାର୍ଯ୍ୟଟି ହେଉଥିଲା । ରାଜାମାନେ ଉତ୍ସାହ ଦେଉଥିଲେ । ଏବେ ରାଜାମାନଙ୍କର ସେହି କାର୍ଯ୍ୟଟିକୁ ସରକାର କରିବ । ବିଶେଷତଃ, ଆପଣାକୁ ଜନଗଣଙ୍କର କଲ୍ୟାଣକାମୀ ରୂପେ ଉଦ୍ଦିଷ୍ଟ କରି ରଖିଥିବା ଏକ ସରକାର ସାହିତ୍ୟ ଓ ସଂସ୍କୃତିକୁ ମଧ୍ୟ ଆପଣାର ଗୋଟିଏ ଗୋଟିଏ ମାହାଲ ରୂପେ ଯେ ଅବଶ୍ୟ ଗ୍ରହଣ କରିବ ଓ ଆପଣାର ଏହି ବିଶେଷ ଭୂମିକାଟିକୁ ଯେ ସମ୍ପୃକ୍ତ ସଭିଙ୍କ ପାଖରେ ଅବଶ୍ୟ ଅନୁଭୂତ କରାଇବ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ।

 

ପୁସ୍ତକ–ପ୍ରକାଶନ ଯାଜନାମାନ ତିଆରି କରି ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ସମ୍ଭବତଃ ଓଡ଼ିଆ ସାହିତ୍ୟ ଏକାଡେମୀର ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଆଖିଦୃଶିଆ କାର୍ଯ୍ୟ ଓ କାର୍ଯ୍ୟକ୍ରମ ହୋଇ ରହିଆସିଛି । ଓଡ଼ିଶା ଏକ ପୁସ୍ତକଦରିଦ୍ର ଭୂମି । ଓଡ଼ିଆ ଭାଷା ଏକ ପୁସ୍ତକଦରିଦ୍ର ଭାଷା । ଓଡ଼ିଶା ସାହିତ୍ୟର ଏକାଧିକ କ୍ଷେତ୍ର ଆଜି ମଧ୍ୟ ଅନାବିଷ୍କୃତ ପ୍ରାୟ ହୋଇ ରହିଛି । ଓଡ଼ିଶାର ବିଶ୍ଵବିଦ୍ୟାଳୟମାନେ ଏହି ଦିଗରେ ସାଧାରଣତଃ ଯେଉଁ କର୍ମଦୃଷ୍ଟାନ୍ତ ଦେଖାଇ ଥାଆନ୍ତେ, ବିବିଧ କାରଣରୁ ତାହା ସେମାନେ କରିପାରିନାହାନ୍ତି । ରାଜ୍ୟରେ ଆଉ ଯେଉଁ ଅନୁଷ୍ଠାନଟି ଆପଣାକୁ ଏହି ବିଶେଷ କାର୍ଯ୍ୟଟି ଲାଗି ନିୟୋଜିତ କରି ପାରିଥାନ୍ତା, ତାହା କେତେକ ପ୍ରୟୋଜନସୀମାର ଦୃଷ୍ଟିରୁ ପ୍ରାୟ ଇଚ୍ଛାକୃତ ଭାବରେ ଏକ ପାଠ୍ୟ ପୁସ୍ତକପ୍ରଣୟନ–ସଂସ୍ଥାରେ ପରିଣତ ହୋଇ ରହିଛି । ସେହି ପରିପ୍ରେକ୍ଷୀରେ ଓଡ଼ିଶା ସାହିତ୍ୟ ଏକାଡେମୀ ବିଗତ ପଚିଶ ବର୍ଷ ଭିତରେ ଯାହା କରିଛି, ତାହା ପ୍ରକୃତରେ ଅଭିନନ୍ଦନୀୟ । ହୁଏତ ଆହୁରି ଅନେକ ଅଧିକ ସମ୍ଭବ ହୋଇ ପାରିଥାନ୍ତା, ଗୁଣାତ୍ମକ ମାନ ଦୃଷ୍ଟିରୁ ଆହୁରି ଅଧିକର ପରିଚୟ ମିଳି ପାରିଥାନ୍ତା । ତଥାପି ଯେତିକି ହୋଇଛି, ତାହା ଆମ ସମସ୍ତଙ୍କ ପକ୍ଷରେ ଅତ୍ୟନ୍ତ ଆନନ୍ଦର ବିଷୟ । ଅଭିଜ୍ଞତା ବଢ଼ିବା ସଙ୍ଗେ ସଙ୍ଗେ ଏକାଡେମୀର ଯୋଜନାଗୁଡ଼ିକ ମଧ୍ୟ ଅଧିକରୁ ଅଧିକ ସୁଚିନ୍ତିତ ହେବାରେ ଲାଗିଛି ।

 

ଓଡ଼ିଆ ସାହିତ୍ୟର ଏକ ସମ୍ପୂର୍ଣ୍ଣ ଇତିହାସ ପ୍ରସ୍ତୁତ କରିବାର ଏକ ଯୋଜନା ଓଡ଼ିଶା ସାହିତ୍ୟ ଏକାଡେମୀ ହାତକୁ ନେଇଛି । ଏହି ଇତିହାସ ଏକ ଯୁଗାନୁକ୍ରମିକ ବିଭାଜନ ଅନୁସାରେ ତେରୋଟି ଖଣ୍ଡରେ ସମ୍ପୂର୍ଣ୍ଣ ହେବ ଏବଂ ସେହି ଦାୟିତ୍ଵଟିକୁ ତେର ଜଣ ଲେଖକଙ୍କ ଉପରେ ନ୍ୟସ୍ତ କରାଯାଇଛି । ତିନୋଟି ଖଣ୍ଡରେ ଓଡ଼ିଶାର ସାଂସ୍କୃତିକ ଇତିହାସ ଲେଖିବା ସକାଶେ ମଧ୍ୟ ସେହିପରି ଆଉ ଗୋଟିଏ ଯୋଜନା ରହିଛି । ଓଡ଼ିଆ ସାହିତ୍ୟର ପ୍ରାଚୀନ ଲେଖକମାନଙ୍କର ରଚନାବଳୀକୁ ଅଧିକ ସମ୍ପୂର୍ଣ୍ଣ କରି ପ୍ରକାଶ କରିବା ଓଡ଼ିଶା ସାହିତ୍ୟ ଏକାଡେମୀର ଆଉଗୋଟିଏ ଯୋଜନା । ସାହିତ୍ୟ କ୍ଷେତ୍ରରେ ଓଡ଼ିଶାରେ ଏପର୍ଯ୍ୟନ୍ତ ଯାହାସବୁ ସମୀକ୍ଷା ଓ ସମ୍ପାଦନା ହୋଇଛି, ତାହା ଅଧିକାଂଶତଃ ପାଠ୍ୟ ପୁସ୍ତକମାନଙ୍କ ମଡ଼େଲ୍‌ରେ ହୋଇଛି । ତେଣୁ ଅଧ୍ୟୟନଗୁଡ଼ିକ ଅନେକ ସମୟରେ ପାଠଶାଳାଗତ ପ୍ରୟୋଜନର ବାଡ଼ଗୁଡ଼ାକୁ ଆଦୌ ଅତିକ୍ରମ କରି ପାରିନାହିଁ । ତେଣୁ ଭାରି ଅଳପ ଆୟତନର ହୋଇ ରହିଛି । ଗଭୀରତାକୁ ଆଦୌ ଉପସ୍ଥାପିତ କରି ପାରିନାହିଁ । ଓଡ଼ିଆ ସାହିତ୍ୟ ଏକାଡେମୀର ଉଦ୍ୟମ ଗୁଡ଼ିକ ହୁଏତ ଗୋଟିଏ ଗୋଟିଏ ପ୍ରଶଂସନୀୟ ବ୍ୟତିକ୍ରମ ହୋଇ ରହିବ ।

 

ଭାରତବର୍ଷର ବିଭିନ୍ନ ଭାଷା ପରସ୍ପର ପାଖରେ ଭାରି ଲଜ୍ଜାକର ଭାବରେ ପରବାସୀ ହୋଇ ରହିଛନ୍ତି । ମୋଟେ ପ୍ରତିବେଶୀ ହୋଇ ପାରିନାହାନ୍ତି । ଭାରତୀୟ ବିଭିନ୍ନ ଭାଷାରୁ ଓଡ଼ିଆକୁ ଅନୁବାଦ ଏବଂ ଓଡ଼ିଆ ଭାଷାରୁ ଭାରତୀୟ ବିଭିନ୍ନ ଭାଷାକୁ ଅନୁବାଦ,–ଗୃହିତ କାର୍ଯ୍ୟକ୍ରମ ମଧ୍ୟରେ ଏଇଟି ମଧ୍ୟ ଏକାଡେମୀର ଏକ ଲକ୍ଷ୍ୟ ହୋଇ ରହିଥିଲା । ସେହି ଲକ୍ଷ୍ୟ ଦିଗରେ ପ୍ରାୟ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଗବେଷଣା ଲାଗି ପ୍ରୋତ୍ସାହନ ଦେବା ମଧ୍ୟ ଗୋଟିଏ କାର୍ଯ୍ୟକ୍ରମ ଥିଲା-। ସେହି ଦିଗରେ ଆମ ଏକାଡେମୀ ଆହୁରି ଅଧିକ ସକ୍ରିୟ ହୋଇ ପାରନ୍ତା । ବୈଜ୍ଞାନିକ ସାହିତ୍ୟ ଓ ପାଠ୍ୟ–ପୁସ୍ତକ ପ୍ରସ୍ତୁତ କରାଇବା ଦିଗରେ ପ୍ରାୟ କୌଣସି ପଦକ୍ଷେପ ନିଆ ଯାଇନାହିଁ-। ବିଜ୍ଞାନର କୌଣସି ବିଷୟକୁ ନେଇ ବହିଟିଏ ଲେଖିଦେଲେ ଯେ ତାହା କଦାପି ବୈଜ୍ଞାନିକ ସାହିତ୍ୟ ହୋଇ ଯାଏନାହିଁ, ଆଧୁନିକ ଜଗତରେ ଆମେ କ୍ରମେ ଅଧିକ ପରିମାଣରେ ସେହି କଥାଟିକୁ ଉପଲବ୍ଧି କରିବାକୁ ଆରମ୍ଭ କଲୁଣି । ଏକ ବୈଜ୍ଞାନିକ ଦୃଷ୍ଟିକୋଣର ସମଧିକ ସ୍ଵୀକୃତି, ତାହାହିଁ ବୈଜ୍ଞାନିକ ସାହିତ୍ୟର ସର୍ବପ୍ରଥମ ଉଦ୍ଦେଶ୍ୟ ଭାରତୀୟ ଭୂମି ଉପରେ, ଆହୁରି ନିର୍ଦ୍ଦିଷ୍ଟ କରି କହିଲେ, ଓଡ଼ିଶାର ଭୂମି ଉପରେ ଏକ ସତତ ପ୍ରସାରିତ ହୋଇ ଯାଉଥିବା ଦିଗ୍‌ବଳୟ ରୂପେ ଆମେ ଯେପରି ବିଜ୍ଞାନକୁ ଅଧିକରୁ ଅଧିକ ପରିମାଣରେ ଆମର ଜୀବନ ତଥା ଜୀବନଦୃଷ୍ଟି ମଧ୍ୟକୁ ଆହରଣ କରି ଆଣି ପାରିବା, ସେଥିଲାଗି ଏକ ଉପଯୁକ୍ତ ସହମତି ସୃଷ୍ଟି କରିବା ଦିଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏକ ପୁରୋଗାମୀ ଅନୁଷ୍ଠାନ ରୂପେ ନିଶ୍ଚିତ କିଛି ନା କିଛି କରି ପାରନ୍ତା-

 

ସାହିତ୍ୟର ପ୍ରାୟ ସବୁ ଯୁଗ ପରି ଆମ ଏ ଯୁଗରେ ମଧ୍ୟ ପୁରାତନ ଓ ନବୀନ ମଧ୍ୟରେ ଏକ ଦ୍ଵନ୍ଦ୍ୱ ରହିଛି, ଏକ ଦୂରତା ରହିଛି । ଭାରତୀୟ ସମାଜର ବିଶେଷ ପରିପ୍ରେକ୍ଷୀଟିର କାରଣରୁ ସେହି ଦୂରତା ଏଠାରେ ଅନେକ ସମୟରେ ଭାରି ଉତ୍କଟ ଓ ଅନିଷ୍ଟକାରୀ ବି ହୋଇ ପଡ଼ୁଛି । ପ୍ରାଚୀନମାନେ ସମ୍ମୁଖ ଆଡ଼କୁ ଅନାଇବାକୁ ସତେଅବା ମୋଟେ ସମ୍ମତ ହେଉନାହାନ୍ତି ଏବଂ ନୂତନମାନେ ପ୍ରାଚୀନ ସହିତ ରହିଥିବା ଚେରଗୁଡ଼ାକୁ ଛିଣ୍ଡାଇ ବାହାରି ଆସିବାକୁ ହିଁ ଅନେକ ସମୟରେ ପ୍ରାୟ ଏକ ପ୍ରଗତିବାଦୀ ପହିଲମାନୀ ପରି ବିଚାର କରୁଛନ୍ତି । ଏହିପରି ଭାବରେ ପୁରାତନ ଓ ନବୀନ ଉଭୟ କିସମର ସାମନ୍ତମାନଙ୍କ ମଧ୍ୟରେ ଏକ ନିତ୍ୟବିବାଦ ଲାଗି ରହିଛି । ସାହିତ୍ୟ ଭିତରକୁ ତାହା ନାନା ପ୍ରକାରର ଅସୁସ୍ଥତା ବହନ କରି ଆଣୁଛି । ଓଡ଼ିଶାର ସାହିତ୍ୟାକାଂକ୍ଷା ଏହା ଦ୍ଵାରା ଭାରି କ୍ଷତିଗ୍ରସ୍ତ ହେଉଛି । ନାନା ଅନ୍ୟ ଆକାଂକ୍ଷା ଆସି ସାହିତ୍ୟର ଘରଟିକୁ ଭାରି ଗୋଳମାଳିଆ କରି ପକାଇବା ସଙ୍ଗେ ସଙ୍ଗେ ସାହିତ୍ୟ ଭିତରେ ଅନେକ ଅସାହିତ୍ୟିକତାକୁ ଆଣି ଭର୍ତ୍ତି କରିଦେଉଛି । ଅହମିକା ଗୁଡ଼ାକ ସତେଅବା ଆତ୍ମୀୟତାକୁ ଗିଳି ପକାଉଛି । ସାହିତ୍ୟରେ ଅଧିକ ସହଯୋଗ ଏବଂ ସୁହୃଦ୍‌ଭାବ ସୃଷ୍ଟି କରିବାକୁ ଆପଣାର ଏକ ଆଭିମୁଖ୍ୟ ରୂପେ ଗ୍ରହଣ କରିଥିବା ଓଡ଼ିଶା ସାହିତ୍ୟ ଏକାଡେମୀର ଏହି ଦିଗରେ ଅନେକ କିଛି କରିବାକୁ ରହିଛି ।

 

ଆପଣା ସାଙ୍ଗଠନିକ କାର୍ଯ୍ୟକ୍ରମ ଗୁଡ଼ିକ ଭିତରେ ଏକ ନିର୍ଦ୍ଦିଷ୍ଟ ଅବଲୋକନର ଯୋଗ୍ୟ ହୋଇ ପାରିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାଚୀନ ଓ ନବୀନକୁ ଏକ ସୁସ୍ଥ ପାରସ୍ପରିକତାର ପରିବେଶ ମଧ୍ୟରେ ଏକତ୍ରିତ କରାଇ ପାରନ୍ତା । ଏକାଡେମୀର ଆନୁକୂଲ୍ୟରେ ଏପରି ଏକାଧିକ ସମାବେଶ ଏବଂ ସେମିନାର୍‌ର ଆୟୋଜନ ହୋଇପାରନ୍ତା, ଯେଉଁଠାରେ କି ଏକ ଆଧୁନିକ ଜୀବନାନୁରାଗର ଆଖିରେ ପ୍ରାଚୀନର ସମୀକ୍ଷଣ ଏବଂ ମୂଲ୍ୟାୟନ ସମ୍ଭବ ହୁଅନ୍ତା । ଭାବପ୍ରବଣତା ଆଦୌ ରହନ୍ତା ନାହିଁ, ଆପଣାର ସମ୍ପତ୍ତିକୁ ସଂସାରରେ ସବୁଠାରୁ ବଡ଼ ବୋଲି କହିବାର କୌଣସି ଲାଳସା ରହନ୍ତା ନାହିଁ । ନବୀନମାନେ ପ୍ରାଚୀନକୁ ଏକ ଅଧିକତର ବିସ୍ତାର ଆଣି ଯୋଗାଇ ଦିଅନ୍ତେ ଏବଂ ପ୍ରାଚୀନମାନେ ନବୀନକୁ ଅଧିକ ଗଭୀରତା ଆଣି ଦିଅନ୍ତେ । ତେବେଯାଇ ଆମେ ପ୍ରାଚୀନ ଓ ନବୀନ ଉଭୟରୁ ହିଁ ଉପକୃତ ହୋଇ ପାରନ୍ତେ । ଦୂରତାର ହ୍ରାସ ହୁଅନ୍ତା, ସାହିତ୍ୟର ସମୃଦ୍ଧି ହୁଅନ୍ତା-

 

ଆଗରୁ କୁହାଯାଇଛି, ଓଡ଼ିଶା ସାହିତ୍ୟ ଏକାଡେମୀ ଏକ ସହଯୋଗୀ ଅନୁଷ୍ଠାନ । ଆବଶ୍ୟକ ଅବସରଗୁଡ଼ିକୁ ଯୋଗାଡ଼ କରି ଆଗରେ ଆଣି ରଖି ଦେଉଥିବା ଏକ ଅନୁଷ୍ଠାନ । ଅଧିକନ୍ତୁ, ଏହା ହେଉଛି ଏକ ସରକାରୀ ଅନୁଷ୍ଠାନ । ସରକାର ହେଉଛି ମୂଳତଃ କର୍ତ୍ତୃତ୍ଵର ପ୍ରତୀକ । ସରକାରୀ କର୍ତ୍ତାମାନେ ଆଗ କର୍ତ୍ତା, ତାପରେ ନେତା । ମାତ୍ର ସାହିତ୍ୟର ଯାବତୀୟ ଉପାଦାନ ଏପରି ଗୋଟିଏ ଧାତୁରେ ଗଢ଼ାହୋଇଛି, ଯାହାକି କର୍ତ୍ତୃତ୍ଵର ଏକ ଉତ୍ପୀଡ଼ନମୟ କୁଚ୍‌କାଓଆଜ୍ ଭିତରେ ନୁହେଁ, ନେତୃତ୍ଵ ଏକ ସମଗ୍ର ପରିବେଶ ମଧ୍ୟରେ ହିଁ ଅଧିକ ଝଟକେ । ସାହିତ୍ୟର ସ୍ୱୟମ୍ବର–ସଭାରେ କର୍ତ୍ତୃତ୍ଵ ହାରେ, ନେତୃତ୍ଵର ଜୟଲାଭ ହୁଏ । ତେଣୁ, ଯେତେବେଳେ କର୍ତ୍ତାମାନେ ହିଁ ସବାଆଗ ଆଗ୍ରହ କରି ସାହିତ୍ୟ କରି ସାହିତ୍ୟ ଲାଗି ଏକ ପରିବେଶ ସୃଷ୍ଟି କରିବାକୁ ମନ ବଳାନ୍ତି, ସେତେବେଳେ ସେମାନଙ୍କୁ ସ୍ଵେଚ୍ଛାକୃତ ଭାବରେ ହିଁ ଅଧିକରୁ ଅଧିକ ହାରିବାକୁ ପଡ଼ିଥାଏ-। ତେବେଯାଇ ଯଥାର୍ଥ ନେତୃତ୍ଵ ସମ୍ଭବ ହୁଏ, ସାହିତ୍ୟର ଯଥାର୍ଥ ଅଭିବୃଦ୍ଧି ମଧ୍ୟ ସମ୍ଭବ ହୁଏ । ମାତ୍ର ଅନେକ ସମୟରେ ଏକଥା ସମ୍ଭବ ହୋଇ ପାରେନାହିଁ । କର୍ତ୍ତାମାନେ କର୍ତ୍ତୃତ୍ଵପ୍ରଣୋଦିତ ହୋଇ ହିଁ ସାହିତ୍ୟର ଉପକାର କରିବାକୁ ଆସନ୍ତି । ସେମାନେ ତଦ୍ଦ୍ଵାରା କାହାର କି ଉପକାର କରନ୍ତି କି ନକରନ୍ତି କେଜାଣି, ମାତ୍ର ଆପଣାକୁ ଭାରି ଶୋଚନୀୟ ଭାବରେ ଧରା ପକାଇ ଦଅନ୍ତି । ଭାରତୀୟ ସମାଜବେଭାରରେ କର୍ତ୍ତୃତ୍ଵର ଭାଗ ବେଶି, ନେତୃତ୍ଵର ଭାଗ ଅପେକ୍ଷାକୃତ ଅନେକ କମ୍ । ଭାରତବର୍ଷର ଶିକ୍ଷାକ୍ଷେତ୍ରରେ ସେଇଆ, କଲ୍ୟାଣ–କ୍ଷେତ୍ରରେ ସେଇଆ, ଶାସନର କ୍ଷେତ୍ରରେ ମଧ୍ୟ ସେଇଆ । କର୍ତ୍ତୃତ୍ଵ ସାହିତ୍ୟକୁ ମନେ କଲେ ଯେଡ଼େ ଉଦାର ଓ ହିତାଂକାକ୍ଷୀ ହେବାକୁ ପଣ କରି ବାହାରିଥିଲେ ମଧ୍ୟ ତଥାପି ସାହିତ୍ୟକୁ ଗିଳିପକାଏ, ସୁସ୍ଥତାକୁ ଗିଳିପକାଏ,–ସାହିତ୍ୟ ପାଖରେ ଅସାଧୁ ହୁଏ ଏବଂ ସାହିତ୍ୟକୁ ଅପଦସ୍ଥ କରିବାରେ ଲାଗିଥାଏ ।

 

ଏହି ଦୃଷ୍ଟିରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରେ ଆପଣାର ଘୋଷିତ କର୍ତ୍ତବ୍ୟ ଗୁଡ଼ିକର ନିର୍ବାହ କରିବା ପ୍ରକୃତରେ ଏକ ଭାରି କଠିନ କାର୍ଯ୍ୟ । ଏକାଡେମୀ ଏପରି ଗୋଟିଏ ମଞ୍ଚ, ଯେଉଁଠାରେ କି କର୍ତ୍ତାମାନେ ମୋଟେ କର୍ତ୍ତୃତ୍ଵ ଦେଖାଇବେ ନାହିଁ, ସାହିତ୍ୟକୁ ହିଁ ନେତୃତ୍ଵ ନେବାକୁ ବାଟ ଛାଡ଼ିଦେବେ ଓ ସାହିତ୍ୟ ଯେପରି ସୁଯୋଗ୍ୟତା ସହିତ ଆପଣାର ଭୂମିକାଟିକୁ ନିର୍ବାହ କରିପାରିବ, ସେଥିଲାଗି ଆବଶ୍ୟକ ସହଯୋଗ କରିବେ, ଯାବତୀୟ ପ୍ରକାରେ ସାହାଯ୍ୟ କରିବାରେ ମୋଟେ କୌଣସି କୃପଣତା କରିବେ ନାହିଁ । ସବୁକିଛି ନେଇ ଆଣି ପାରୁଥିବେ, ତଥାପି ହାକିମି ଦେଖାଇବେ ନାହିଁ । ମାତ୍ର, ଆମର ସମ୍ବନ୍ଧଗତ ବିବେକଗୁଡ଼ାକ ଏହି ଦେଶରେ ଏପରି ସଂସ୍କାରଗତ ଭାବରେ ଅନ୍ୟପ୍ରକାର ହୋଇ ରହିଥାଏ ଯେ ଅନେକ ସମୟରେ ଗୋଟାଏ ଢୋଲର ମୂଷା ଅତ୍ୟନ୍ତ ଆତ୍ମସଚେତନ ଭାବରେ ପ୍ରାୟ ସବୁ ଢୋଲରେ ପଶି ପରାକ୍ରମ ଦେଖାଇବ ବୋଲି ଆଗ୍ରହୀ ହୋଇ ରହିଥାଏ । ଯେଉଁମାନେ ରାଜନୀତିରେ ଥାଇ ରାଜନୀତି ଅପେକ୍ଷା କ୍ଷମତାକୁ ଅଧିକ ମନ କରୁଥାନ୍ତି, ସେମାନେ ଏହିପରି କରନ୍ତି । ଠିକ୍ ସେହିପରି, ଯେଉଁମାନେ ସାହିତ୍ୟ ଭିତରେ ଥାଇ ସାହିତ୍ୟ ଅପେକ୍ଷା କ୍ଷମତାକୁ ଅଧିକ ମନ କରୁଥାନ୍ତି, ସେମାନେ ଏହିପରି କରନ୍ତି । ସେମାନେ ସାହିତ୍ୟକୁ ସତେଅବା ଭାର୍ଯ୍ୟା ବୋଲି ମଣନ୍ତି, ଆପଣାକୁ ସାହିତ୍ୟର ଭର୍ତ୍ତା ବୋଲି ମଣୁଥାନ୍ତି । ଏହି କାଟର ଲୋକ ସରକାର ଭିତରେ ଥାଆନ୍ତି, ସାହିତ୍ୟିକମାନଙ୍କ ଭିତରେ ବି ରହିଥାନ୍ତି । ସାନ ସାନ ଗଉଁକୁ ବଡ଼ ବଡ଼ ଆବୁ ପରି ଦେଖାଇ ହେବାରେ ଲାଗିଥାନ୍ତି । ଏମାନଙ୍କୁ ଆସନ ଗିଳି ପକାଏ ଏବଂ ପ୍ରାୟ ପ୍ରତିଶୋଧ ନେବାପରି ଏମାନେ ମଧ୍ୟ ସାହିତ୍ୟକୁ ଗିଳିବାରେ ଲାଗିଥାନ୍ତି ।

 

ଓଡ଼ିଶା ସାହିତ୍ୟ ଏକାଡେମୀକୁ ହୁଏତ ଏକ ବିଶେଷ ବାତାବରଣ ଭିତରେ କାର୍ଯ୍ୟ କରିବାକୁ ପଡ଼େ । ଏକାଡେମୀର ବରାଦଗୁଡ଼ାକ ଭିତରେ ତେଣୁ ସାହିତ୍ୟକୁ ଭାରି ସତର୍କତାର ସହିତ ଅଗ୍ରସର ହେବାକୁ ପଡ଼େ । ତେଣୁ, ଯେତିକି ହୁଏତ ହୋଇ ପାରୁଥାନ୍ତା, ତାହା ଆଦୌ ହୋଇ ପାରେନାହିଁ । ନାନା ଲୋଭର ବଶବର୍ତ୍ତୀ ହୋଇ ସେଠି କେତେ ଭଳି ମଣିଷ ନସରପସର ହେବାରେ ଲାଗିଥାନ୍ତି, ସାହିତ୍ୟକୁ ଲଜ୍ଜିତ କରି ରଖିଥାନ୍ତି । ସେଠି ସାହିତ୍ୟ ଲାଗି କାମ ହେଉଥିଲେ ମଧ୍ୟ ମଣିଷଗୁଡ଼ାକ ସତେଅବା ଚଉକୀ ପରି ଦିଶନ୍ତି,–ଯନ୍ତ୍ର ପରି ବାଟ ଉଗାଳନ୍ତି । ଯିଏ କର୍ତ୍ତୃତ୍ଵ ଅପେକ୍ଷା ନେତୃତ୍ଵକୁ ହିଁ ଉଚ୍ଚତର ସ୍ଥାନ ଦିଏ, ହୁଏତ ସେଇ କିଛି କରିପାରେ । ଅନ୍ୟମାନେ ସିରସ୍ତା କରନ୍ତି, ବୋଝ ବଢ଼ାନ୍ତି । ଆପଣାର ଅଇଁଗୁଣ ଗୁଡ଼ାକ ଦ୍ଵାରା ସେମାନେ ସତେଅବା ସାହିତ୍ୟକୁ ହୁରୁଡ଼ାଇ ଦେବାରେ ଲାଗିଥାନ୍ତି ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରଥମ ପଚିଶି ବର୍ଷ ପୂରିଗଲା । ଏହାପରେ ଦିନେ ଦ୍ଵିତୀୟ ପଚିଶିବର୍ଷ ବି ପୂରିବ । ରୌପ୍ୟ–ଜୟନ୍ତୀ ପରେ ସୁବର୍ଣ୍ଣ–ଜୟନ୍ତୀ ବି ଆସିବ । ଏହି ଯାତ୍ରାପଥରେ କର୍ତ୍ତୃତ୍ଵ ଯେତିକି ପରିମାଣରେ ନେତୃତ୍ଵକୁ ବାଟ ଛାଡ଼ିଦେବ,ଏକାଡେମୀର କାର୍ଯ୍ୟଗୁଡ଼ିକ ସେତିକି ଅଧିକ ଯଥାର୍ଥ ହେବ । ସେତେବେଳେ ତାହା ସରକାରଙ୍କ ଘର ଭିତରର ଗୋଟାଏ ଖଞ୍ଜା ହୋଇ ରହିଥିଲେ ମଧ୍ୟ ତଥାପି ଏକ ସାହିତ୍ୟିକ ଅନୁଷ୍ଠାନ ପରି ଅଧିକ ପରିମାଣରେ ଦିଶିବ । ଆଦୌ ଗୋଟାଏ କର୍ତ୍ତାମାନଙ୍କର ସନ୍ତୋଷଭାଜନ ହୋଇ ରହିଥିବା କୌଣସି ମେସିନ୍ ପରି ଦେଖା ଯିବନାହିଁ । ଏକାଡେମୀର କର୍ମକର୍ତ୍ତାମାନଙ୍କର ସେତେବଳେ ଅଧିକ ସ୍ଵତନ୍ତ୍ରତା ରହିବ । ଏକାଡେମୀର ସଦସ୍ୟମାନେ ମଧ୍ୟ ସେତେବେଳେ କେଉଁ କର୍ତ୍ତୃତ୍ଵଘରର ଖିଆଲ ଅନୁସାରେ ମୋଟେ ଧରା ହୋଇ ଆସିବେ ନାହିଁ । ସେମାନଙ୍କୁ ଠାବ କରିବାର କୌଣସି ଅଧିକ ଭଦ୍ର ପଦ୍ଧତି ଗ୍ରହଣ କରାଯିବ । ସାହିତ୍ୟକୁ ପାରସ୍ପରିକ ସ୍ଵୀକୃତିର ସର୍ବପ୍ରଧାନ ମାନଦଣ୍ଡ କରି ଏକାଡେମୀ ସେତେବେଳେ ସମ୍ପୃକ୍ତ ସମସ୍ତଙ୍କୁ ଅଧିକ ନିକଟବର୍ତ୍ତୀ କରାଇ ଆଣିବ । ସାହିତ୍ୟର ସନ୍ତକରୁ ସାହିତ୍ୟକୁ ଚିହ୍ନିବ । ସାହିତ୍ୟିକର ସନ୍ତକରୁ ସାହିତ୍ୟିକକୁ ଚିହ୍ନିବ । ସାହିତ୍ୟ ଯେ ଆମ ସାମୂହିକ ଜୀବନରେ ଏକ ଯଥାର୍ଥ ଐଶ୍ଵର୍ଯ୍ୟ, ଆମକୁ ତାହାରି ଏକ ସକ୍ରିୟ ପ୍ରମାଣ ଦେଇ ଯାଉଥିବ-। ଏହାଦ୍ଵାରା ଶାସନର ମଧ୍ୟ କଳୁଷକ୍ଷୟ ସମ୍ଭବ ହେବ । ଯେତେବେଳେ ନିଜକୁ ସବାଆଗ ଜଣେ ମଣିଷ ପରି ଗ୍ରହଣ କରିନିଏ, ସେତେବେଳେ ହିଁ ତାହା ଯଥାର୍ଥ ଶାସନର ଭାଜନ ହୋଇଥାଏ ।

 

–ଏଷଣା–୫, ଅକ୍ଟୋବର–୧୯୮୨

Image

 

ଜଗନ୍ନାଥଂ ପ୍ରଣିପତ୍ୟ

 

ଏବେ ମଧ୍ୟ ଓଡ଼ିଶାରେ ଜଗନ୍ନାଥ ନାମକ ଅନୁଷ୍ଠାନଟି ବିଷୟରେ ଆମେ ଯାହାସବୁ ଲେଖୁଛୁ, ତିରିଶି ଚାଳିଶି ବର୍ଷ ପୂର୍ବେ ଆମରି ଭଳି ଅନ୍ୟମାନଙ୍କ ଦ୍ଵାରା ଲେଖା ହୋଇଥିବା ରଚନାଗୁଡ଼ିକର ତୁଳନାରେ ଏଗୁଡ଼ିକର କୌଣସି ଗୁଣାତ୍ମକ ପାର୍ଥକ୍ୟ ରହିଛି କି ନାହିଁ, ସେହି ବିଷୟରେ ଚିନ୍ତା କରିବାକୁ ମଧ୍ୟ ଆମର ବେଳ ନାହିଁ, ହୁଏତ ବଳ ମଧ୍ୟ ନାହିଁ । ଏବଂ, ଏହି କ୍ଷେତ୍ରରେ ଏକ ଗୁଣାତ୍ମକ ଉତ୍ତୋଳନର ପ୍ରସଙ୍ଗ ଉଠାଇବା ତ ସମ୍ପୂର୍ଣ୍ଣ ଭାବରେ ଅପ୍ରାସଙ୍ଗିକ ମଧ୍ୟ ମନେ ହୋଇପାରେ । ଆମ ନିଜ ଜୀବନରେ ଉତ୍ତୋଳନ ଘଟିଲେ ଆମ ଲେଖାରେ ତାହା ବଳେ ବଳେ ପ୍ରତିଫଳିତ ହୋଇଥାଏ । ସେଇଥିଲାଗି, ଯାବତୀୟ ସାହିତ୍ୟରଚନାରେ ବିଶେଷତଃ ଯାବତୀୟ ପ୍ରବନ୍ଧରଚନାରେ ଆମେ କ’ଣସବୁ ଲେଖିଲୁ ତାହାର ଯେତିକି ମହତ୍ତ୍ଵ ବା ମୂଲ୍ୟ ରହିଥାଏ, ଆମେ କେଉଁ ସ୍ଥିତିରେ ଥିବାରୁ ସେଭଳି ଲେଖିଲୁ, ଏଇ କଥାଟିର ସମ୍ଭବତଃ ତାହାଠାରୁ ଅନେକ ଅଧିକ ମହତ୍ତ୍ଵ ରହିଥାଏ ।

 

ବିଗତ କୋଡ଼ିଏ ବା ତିରିଶ ବର୍ଷର ଏହି ଅବଧିଟି ମଧ୍ୟରେ ଆମେ ଜଗନ୍ନାଥଙ୍କୁ ପ୍ରାୟ ଏକ କ୍ରୀଡ଼ନକର ସ୍ତରକୁ ଖସାଇ ଆଣିଲୁଣି । ଅଧିକାଂଶ ପିଲା ନିଜର ଖେଳନାଟିକୁ ନେଇ ଖେଳନ୍ତି ବୋଲି ଯେତେ ଆନନ୍ଦ ନପାଆନ୍ତି, ଖେଳନାଟି ସେମାନଙ୍କର ନିଜର ବୋଲି ଅନୁଭବ କରୁଥିବାରୁ ହୁଏତ ତା’ଠାରୁ ଅଧିକ ଆନନ୍ଦ ପାଇଥାନ୍ତି । ଏବେ ଜଗନ୍ନାଥଙ୍କୁ ଗୋଟାସୁଦ୍ଧା ଆମେ ନିଜର ଖେଳନାଟିଏ ବୋଲି ଅନୁଭବ କରୁଥିବାରୁ ଆମେ ତାଙ୍କୁ ନେଇ ବୋଧହୁଏ ସବୁଠାରୁ ଅଧିକ ହୃଷ୍ଟତା ଅନୁଭବ କରୁଛୁ । ଭଗବାନ ମୋ ନିଜର ଓ ମୁଁ ଭଗବାନଙ୍କର,–ଆଧ୍ୟାତ୍ମିକ ବ୍ୟାଖ୍ୟାର କ୍ଷେତ୍ରରେ ଏହି ଦୁଇଟି ବାକ୍ୟ ଏକାବେଳେକେ ଦୁଇଟି ବିଭିନ୍ନ ଭୂଇଁର । ଏଥିରୁ ଗୋଟିକୁ କହୁଥିବା ମୁଁ ପ୍ରକୃତରେ କେଉଁଠାରେ ରହିଛି, ସେଥିରେ ତାହାର ହିଁ ସୂଚନା ମିଳି ଯାଇଥାଏ । ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗରେ ଏବଂ ଏପରିକି ତା’ପୂର୍ବରୁ ସାରଳା ଦାସଙ୍କ ମହାଭାରତରେ ଜଗନ୍ନାଥଙ୍କୁ କେହି ‘‘ମୋ’ର’’ ବୋଲି କହିନାହାନ୍ତି । ‘‘ଆମର’’ ବୋଲି କହିବାର ରୀତିଟିର ସେତେବେଳେ ଜନ୍ମ ବି ହୋଇନଥିଲା । ସଂସ୍କୃତ ଭାଷାରେ ଲିଖିତ କେତେକ ତନ୍ତ୍ରପୁସ୍ତକରେ ଜଗନ୍ନାଥଙ୍କୁ ଧ୍ୟାନର ବସ୍ତୁ ଅର୍ଥାତ୍ ଏକ ଦେବତା ବୋଲି କଳ୍ପନା କରାଯାଉଛି ଏବଂ ବିମଳାଙ୍କୁ ତାଙ୍କର ଭୈରବୀ ବୋଲି ମଧ୍ୟ କୁହାଯାଇଛି । ସାଧକମାନେ ଭ୍ରମରେ ମଧ୍ୟ ତାଙ୍କୁ ମୋ’ର ବା ଆମର ବୋଲି କହିବାକୁ ପ୍ରୟାସ କରିନାହାନ୍ତି । ଏହି ଦ୍ଵିତୀୟ ରୀତିଟି ଓଡ଼ିଆ ଦେବତା–ବିଚାରରେ ଯାବତୀୟ ଅର୍ଥରେ ଏକାବେଳେକେ ଏବେ ଅମଳ ହୋଇ ଖଳକୁ ଆସେ ଓ ଅବଶ୍ୟ, ଯେଉଁ ବର୍ଷ ବା ଯେଉଁ ବର୍ଷ ବା ଯେଉଁ ଥର ଧାନ ଫଳେନାହିଁ, ସେ ବର୍ଷ ହଇରାଣିଆ ବିଚରା ଚାଷୀଟି ସୁଆଁ ବା କୋଦୁଅ କିଛି ଅମଳ କରି ଘରକୁ ଆଣେ । ଆମ ଜଗନ୍ନାଥ–ଚେତନାରେ ଏବେ ଆଉ କୌଣସି ଧାନ ଫାଳୁନାହିଁକି ?

 

ଓଡ଼ିଶାରେ ଜାତୀୟତାବାଦ ପଶିବା ପରେ ଜଗନ୍ନାଥଙ୍କୁ ଆମେ କ୍ରମେ କ୍ରମେ ଆମର ବୋଲି କହିବାକୁ ଆରମ୍ଭ କଲୁ । ଜାତୀୟତାବାଦର ଭାବନାଟି କେତେକ ତାତ୍କାଳିକ ପରିସ୍ଥିତିର କାରଣରୁ କିଞ୍ଚିତ୍ ଅସୁସ୍ଥଭାବରେ ହିଁ ଓଡ଼ିଶାରେ ପ୍ରବେଶ କରିଥିଲା । ଅସୁସ୍ଥ ହୃଦୟକୁ ତା’ ନିଜର ତଥାକଥିତ ଭୂଇଁଟିରେ ରହିଥିବା ଯାବତୀୟ ବସ୍ତୁ ସବୁବେଳେ ଭାରି ବଡ଼ ଓ ଉଚ୍ଚ ହୋଇ ଦିଶିଥାଏ-। ଶହେବର୍ଷ ତଳେ ପ୍ରାୟ ସେହିଭଳି ଏକ ଉତ୍ସାହରେ ଆମୋଦିତ ହୋଇ ଉତ୍କଳକୁ ଜନନୀ ବୋଲି କୁହାଗଲା । ଯୋଗକୁ ବା ଦୁର୍ଯୋଗକୁ ଭକ୍ତକବି ମଧୁସୂଦନ ବ୍ରାହ୍ମ ଥିଲେ, ରାଧାନାଥ ଓ ଫକୀରମୋହନ ହିନ୍ଦୁ ଧର୍ମ ଓ ହିନ୍ଦୁ ଆଚାର ଗୁଡ଼ାକ ପ୍ରତି ମୋଟେ ପ୍ରସନ୍ନ ନଥିଲେ ଏବଂ ସେଥିଲାଗି ସେମାନଙ୍କର ଲେଖାରେ ଜଗନ୍ନାଥ ମହାପ୍ରଭୁଙ୍କର କୌଣସି ଉଲ୍ଲେଖ ହିଁ ହୋଇ ପାରିଲା ନାହିଁ । ଜଗନ୍ନାଥ ଓ ନୀଳାଚଳ କଥା ଉତ୍କଳମଣି ଗୋପବନ୍ଧୁ ସାହିତ୍ୟ ଭିତରକୁ ଆଣିଲେ,ଜଗନ୍ନାଥ–ସଂସ୍କୃତିକୁ ଏକ ସ୍ଵତନ୍ତ୍ର ବୃହତ୍ ପରମ୍ପରା ବୋଲି ପ୍ରମାଣ କରିବାପାଇଁ ପଣ୍ଡିତ ନୀଳକଣ୍ଠ ବିଶଦ ସ୍ଵକୀୟ ତଥ୍ୟମାନ ଦେଇ ନିବନ୍ଧମାନ ଲେଖିଲେ । ସବୁଜ ଓ ସ୍ଵାଧୀନତା–ପୂର୍ବ ଆଧୁନିକ ଯୁଗରେ ସେହି ଉତ୍ସାହରେ କିଞ୍ଚିତ୍ ଭଟ୍ଟା ହୁଏତ ପଡ଼ିଗଲା । ମାତ୍ର, ସ୍ଵାଧୀନତା ଆସିବାପରେ ଜଗନ୍ନାଥଚର୍ଚ୍ଚା ପୂନର୍ବାର ବହୁଳ ଏବଂ ବିପୁଳ ହୋଇ ଓଡ଼ିଆ ସାହିତ୍ୟକୁ ଫେରି ଆସିଲା । ଓଡ଼ିଶାରେ ବିଶ୍ଵବିଦ୍ୟାଳୟ ନାମକ ଏକ ନୂଆ ହାଟ ବସିଲା । ସେଠାରେ ଓଡ଼ିଆ ସାହିତ୍ୟକୁ ନେଇ ସବା ଉଞ୍ଚ ପାହିଆର ଗବେଷଣା ଓ ଆଲୋଚନାମାନ ହେଲା । ଭାବପପ୍ରବଣତା ଭର ଭର ହୋଇ ଉଠିଲା । ଦେବତା ସମ୍ପତ୍ତିରେ ପରିଣତ ହୋଇଗଲେ । ପ୍ରତୀକ ଉପାସନା ଉଦ୍ଦଣ୍ଡ ସ୍ଵାଭିମାନୀମାନଙ୍କ ଦ୍ଵାରା ଏକ, ପ୍ରତିମାତୃଷ୍ଣା ଅର୍ଥାତ୍ ପୌତ୍ତଳିକତା ଭିତରେ ପୋତିହୋଇ ପଡ଼ିଲା ।

 

ଯାବତୀୟ ଭକ୍ତି ପରି ଜଗନ୍ନାଥ–ଭକ୍ତିର ମଧ୍ୟ ନାନା ସ୍ତର ରହିଛି । ଏକାନ୍ତ ଆର୍ତ୍ତ ଏବଂ ଅତି ସ୍ପର୍ଶକାତର ସ୍ତରଠାରୁ ଆରମ୍ଭକରି ସ୍ଵାଧିକାର–ପ୍ରମତ୍ତତା ପର୍ଯ୍ୟନ୍ତ ଏଥିରେ କେତେକେତେ ଗେଞ୍ଜ ଓ ଗୋଜମାନ ନିରନ୍ତର ରହିଛି । ବନ୍ଧୁ ଡକ୍ଟର କ୍ଷେତ୍ରବାସୀ ନାୟକ ଏକାଧିକ ଖଣ୍ଡରେ ଯେଉଁ ‘ଜଗନ୍ନାଥ ପଦାବଳୀ’ର ସଂକଳନ କରି ଯାଇଛନ୍ତି, ସେଥିରେ ଆମେ ପ୍ରଧାନତଃ ପ୍ରଥମୋକ୍ତ ସ୍ତରଟିରେ ଅଧିକ ନିଦର୍ଶନ ପାଇଥାଉ । ଏହି ସଂସାର ଅତିଶୟ ହେଲା, ଦୁଃଖମାନେ ଦିନୁଁଦିନ ଅଧିକରୁ ଅଧିକ ଘାରିଲେ, ମୁଁ ଭବସାଗରରେ ପଡ଼ି ଘାଣ୍ଟିହେଲି,–ତେଣୁ ହେ ନୀଳାଦ୍ରିସାଇଁ, ତୁମେ ମୋତେ ଏଠାରୁ ଶୀଘ୍ରାତିଶୀଘ୍ର ତୁମ ଚରଣକୁ ଅର୍ଥାତ୍ ସେଠାକୁ ନେଇଯାଅ । ମୋକ୍ଷକୁ ଯାବତୀୟ ଅର୍ଥରେ ଏକ ବ୍ୟକ୍ତିଗତ ଅନୁଗ୍ରହଲାଭ ଦ୍ଵାରା ସଂସାରର ବନ୍ଧନରୁ ଛୁଟୀ ଅର୍ଥରେ ଭାରତୀୟ ସାଧନାପରମ୍ପରା ବିଶେଷତଃ ସଗୁଣ ଶାଖାଟି କେତେ କଳାତ୍ମଙ୍କ ଭାବରେ ବ୍ୟବହାର କରି ଆସିଛି-। ଏହି କାଟର ଜଗନ୍ନାଥ–ଭଜନ ଓ ଜଣାଣମାନଙ୍କରେ ବେଳେ ବେଳେ ଏକ ଦୃଷ୍ଟିଆକର୍ଷଣକାରୀ ଶ୍ଳେଷ ମଧ୍ୟ ଦେଖିବାକୁ ମିଳିଥାଏ । ଅମୁକବେଳେ ପ୍ରଭୁ ତୁମେ ଅମୁକକୁ ତାରିଲ, ସେଠି ସ୍ତମ୍ଭରୁ ବାହାରିଲ ତ ଆଉ କେଉଁଠି କୋଟିବସ୍ତ୍ର ଆଣି ଜମା କରି ଦେଲ, ତଥାପି ମୋ ବେଳକୁ କାହିଁକି ନିଷ୍ଠୁର ହେଲ, କରୁଣାର ସରିତଟାକୁ ଛଳ କରି ତେଣେ ମୁହାଇଁ ନେଲ,–ଏଗୁଡ଼ିକରେ ଏଭଳି ଅଭିଯୋଗମାନଙ୍କର ଭୂରି ଭୂରି ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ ।

 

ଜଣାଣ ଏବଂ ଏହି ଭଜନର ଭେଳାଟା, ଏକାବେଳେକେ ଆମ ନାକତଳର ଯୁଗଟା ଭିତରେ ପ୍ରବେଶ କରି ଆହୁରି ବହୁ ଅଭିନବ ଗହଳ ଭିତରେ ଆମକୁ ଆଣି ପୂରାଇ ଦେଲାଣି । ଏବେ ଅତ୍ୟନ୍ତ ନିଜପଣରେ ଜଗନ୍ନାଥଙ୍କୁ ତୁ ବୋଲି ସମ୍ବୋଧନ କରାଗଲାଣି, ତାଙ୍କର କଳାକୁ ଆଣି ନିଜ ମୁହଁରେ ବୋଳି ଦେବାକୁ ମାଗୁଣି କରାଗଲାଣି । କିଏ ଆରଜନ୍ମରେ ତାଙ୍କର ଜମିହଳିଆ ହେବାରୁ ଅନୁରୋଧ ଜଣାଉଛି । ଜଗନ୍ନାଥଙ୍କୁ ସାଧାରଣ ମଣିଷ ପରି ଦୁଖଃସବୁ ବି ଲାଗିଲାଣି । ଜଗନ୍ନାଥ ଉପରେ ମଣିଷମାନଙ୍କର ଯାବତୀୟ ଗୁଣ ଏବଂ ଅଗୁଣକୁ ନେଇ ଆରୋପ କରି ଦିଆଗଲାଣି । ଲୋକଗୀତର ଯେଉଁ ଗବେଷକମାନେ ଏବେ ସେମାନଙ୍କର ଗବେଷଣାକ୍ଷେତ୍ର ଭାରି ସଙ୍କୁଚିତ ହୋଇ ଆସିଲାଣି ବୋଲି କ୍ଷୋଭ ପ୍ରକାଶ କରୁଛନ୍ତି, ଜଗନ୍ନାଥଙ୍କୁ ନେଇ ଏବେ ଲେଖା ହୋଇ ଯନ୍ତ୍ରରେ ଲଗାହୋଇଥିବା ଫିତା ଭିତରୁ ବାଜୁଥିବା ଅନ୍ୟତମ ଜଗନ୍ନାଥ ସଙ୍ଗୀତଗୁଡ଼ିକରୁ ସେମାନଙ୍କୁ ପ୍ରକୃତରେ ବହୁତ ବ୍ୟବହାରଯୋଗ୍ୟ ରସଦ ମିଳିଯାଇ ପାରନ୍ତା । ବର୍ତ୍ତମାନର କୁଶଳୀ ସଂଗୀତକାରମାନେ କିପରି ଲୋକଗୀତରୁ ଉପାଦାନ ଏବଂ ଭାବଚିତ୍ରଟିକୁ ଆଣି ନୂଆ ଜଗନ୍ନାଥ ରସିକମାନଙ୍କର ରୁଚିକୁ ପାଇଲା ପରି ଏବର ଭଜନ ଓ ଜଣାଣଗୁଡ଼ିକୁ ଲେଖିଦେଇ ପାରୁଛନ୍ତି ଓ କାହିଁକି ଏପରି କରୁଛନ୍ତି, ଗବେଷକମାନେ ଚମତ୍କାର ଭାବରେ ତାହାର ଏକ ଆଲୋଚନା କରିପାରନ୍ତେ । ଭିତରେ ଭକ୍ତି ନ ଥାଇ ତୁଚ୍ଛା ବଜାରଟାକୁ ସମ୍ମୁଖରେ ରଖି ଆମେ ଭକ୍ତମାନଙ୍କ ପାଇଁ ଯେପରି ରସାଳ ଗୀତମାନ ଲେଖିଦେଇ ପାରୁଛୁ, ବନମାଳୀ ଓ ସାଲବେଗ ଆଦି ସେକାଳର ଆଶ୍ରିତମାନେ ଏଠି ଥିଲେ ସେଥିରେ ଅବଶ୍ୟ ଆଚମ୍ବିତ ହୋଇ ଯାଆନ୍ତେ ।

 

ଗୋଟାଏ ଯୁଗ ଆସିଲା, ଯେତେବେଳେ ଜଗନ୍ନାଥଙ୍କୁ ସମ୍ପ୍ରଦାୟୀମାନେ ଆସି ମାଡ଼ିବସିଲେ । ସେତେବେଳେ ରାଜାମାନେ ଆନୁଷ୍ଠାନିକ ଭାବରେ ଜଗନ୍ନାଥ ନାମକ ସମ୍ପତ୍ତିର ମାଲିକ ଥିଲେ । ପୁରୁଷୋତ୍ତମ କ୍ଷେତ୍ରକୁ ସମ୍ପ୍ରଦାୟର ପ୍ରଚାର ପାଇଁ ଆସିଥିବା ନାନା ଉପାସନାମତର ଅଧୀଶ ଏବଂ ପଣ୍ଡିତମାନେ ପ୍ରଥମେ ରାଜାଙ୍କର ଅନୁକମ୍ପା ଏବଂ ଅନୁମୋଦନ ଲାଭ କରି ଦେଉଳ ଭିତରକୁ ପ୍ରବେଶର ଅଧିକାର ଯାଇଥିଲେ । ଏମାନଙ୍କର ପୂର୍ବରୁ ଜୈନ ଓ ବୌଦ୍ଧମାନେ ମଧ୍ୟ ସମ୍ଭବତଃ ଠିକ୍ ଅନୁରୂପ ମାର୍ଗରେ ଜଗନ୍ନାଥଙ୍କ ଯାଏ ପହଞ୍ଚିଯିବାରେ ସଫଳ ହୋଇପାରିଥିଲେ । ଏହି ସଭିଏଁ ନିଜ ନିଜର କିଛି ଉପାସନାବିଧିକୁ ମନ୍ଦିରର ପୂଜାର୍ଚ୍ଚନା ଭିତରେ ପୂରାଇ ଦେଇଥିଲେ । ଯେଉଁମାନେ ସାକାର ମାର୍ଗରେ ଥାଆନ୍ତି, ସେମାନେ ପୂଜିତ ପ୍ରତିମାଙ୍କ ବେକରେ ଆଉକେତେଟା ସୁନାହାର ପଡ଼ିବାର ଅବସର ଆସି ମିଳିଗଲେ କାହିଁକି ବା ଆପତ୍ତି କରନ୍ତେ ? ଚୈତନ୍ୟଦେବ ଓଡ଼ିଶାକୁ ଆସି ଜଗନ୍ନାଥଙ୍କୁ କୃଷ୍ଣଙ୍କର ସମତୁଲ କରିଦେଲେ । ତାଙ୍କୁ ଠାକୁର କରି ପୂଜା କରୁଥିବା ଅନୁରାଗୀମାନଙ୍କୁ ତାହା ହୁଏତ ଏତେ ବେଶୀ ଭଲ ଲାଗିଲା ଯେ, ଏବେ ମଧ୍ୟ ବହୁ ଓଡ଼ିଆ ଜଗନ୍ନାଥଙ୍କୁ ନନ୍ଦସୁତ କଦମ୍ବମୂଳିଆ ଶ୍ରୀକୃଷ୍ଣ ସହିତ ଗୋଟାସୁଦ୍ଧା ଫେଣ୍ଟି ଦିଆ ଯାଇଥିବାର ଦେଖିବାକୁ ଦହିଭାର ପଠାଇଛନ୍ତି, ସିଏ ସିଧା ବଡ଼ଦାଣ୍ଡକୁ ଆସି ଶ୍ରୀକ୍ଷେତ୍ରବାସୀଙ୍କୁ ଜଗନ୍ନାଥଙ୍କର ମନ୍ଦିରଭିତରକୁ ବାଟ ପଚାରୁଛି । ସମତୁଲ କରି ଦେଖାଇ ଦେବାର ଏହିସବୁ, ଅତିତରଳ ଉଦ୍ୟମ ଦ୍ଵାରା କିଏ କାହାକୁ ଗିଳି ପକାଇବାର ଉଦ୍ୟମ କରିଛନ୍ତି କେଜାଣି ? ଅବଶ୍ୟ ଏପରି ବି ହୋଇପାରେ ଯେ, ପ୍ରତ୍ୟେକ ପଟ ଅପର ପଟଟିକୁ ଗିଳି ପକାଇଛି ବୋଲି ହୁଏତ ଏକ ଆଶ୍ଵାସନା ପାଇପାରୁଛି । ଏହାକୁ ଆମେ ଆଦୌ ଏକ ସମନ୍ଵୟ ବୋଲି କହି ପାରିବାନାହିଁ । ସମନ୍ଵୟ ନିଜଦୃଷ୍ଟିରେ ପ୍ରସାରଣ ଘଟିଲେ ଯାଇହୁଏ । ପିତୁଳାଟି ଦେହରେ ଆଉ ଚାରିଟା ବା ଛଅଟା ପିତୁଳା ଦେହରୁ ପୁଳାଏ ପୁଳାଏ ମାଟି ଆଣି ଲେଶିଦେଲେ ଆଦୌ ସମନ୍ଵୟ ହୁଏ ନାହିଁ । ନିଜେ ପାହାଚ ଉଠିଲେ ଯାଇ ଅସଲ ସମନ୍ଵୟର ଅଧିକାର, ମିଳିଥାଏ ।

 

ଆମର ସାମ୍ପ୍ରତିକ କାଳଟିର କବଳରେ ପଡ଼ି ଶ୍ରୀଜଗନ୍ନାଥ ଓଡ଼ିଶାରେ ଅନେକ ଲେଖକଙ୍କ କଲମ ବଳରେ ଏକ ଜାତୀୟ ସମ୍ପତ୍ତିରେ ପରିଣତ ହୋଇଯାଇଛନ୍ତି । ପଣ୍ଡିତ ଗୋପବନ୍ଧୁ ଏକଦା ଓଡ଼ିଶାର ନିଜେ ନାରାୟଣ ବୋଲି ଯାହା କହିଥିଲେ, ତାହାର ମର୍ମାର୍ଥଟିକୁ କିଏ କୋଉ ଭୂମିରେ ରହି କେତେଦୂର ଯାଏ କ’ଣ ବୁଝିଛି କେଜାଣି, ଆମ ଗବେଷଣା–ଘରର, ଢେଙ୍କାନାଳଠାରୁ ଢିଙ୍କିଶାଳ ଯାଏ ଜଗନ୍ନାଥ ନହେଲେ ଆମର ଯେପରି ଆଦୌ କୌଣସି କାମ ହିଁ ଚଳୁନାହିଁ । ଜଗନ୍ନାଥ ଯଦି ପ୍ରକୃତରେ ଜଗତର ନାଥ ହୋଇଥିବେ, ତେବେ ଏସବୁ ଦୌରାତ୍ମ୍ୟରୁ ସିଏ ଅତ୍ୟନ୍ତ ଆଘାତ ପାଉଥିବେ । ଆମେ ଥୋକାଏ ମଣିଷ ଆମର ଭୋଗଘରମାନଙ୍କରେ ଯେତିକି ଯେତିକି ଅଧିକ ବୀରପଣରେ ସତେଅବା ସଂସାରଟାକୁ ଯେତିକି ଗଳି ପକାଇବାରେ ଲାଗିଛୁ, ଆମ ଲୋଭଗୁଡ଼ାକ ଯେତିକି ବହୁହସ୍ତ ଏବଂ ବହୁଦନ୍ତ ହେବାରେ ଲାଗିଛି, ଆମର ଜଗନ୍ନାଥ–ସ୍ମରଣ ସେତିକି ଲୋକଦେଖାଣିଆ ହେବାରେ ଲାଗିଛି । ଜଗନ୍ନାଥଙ୍କର ଅଙ୍ଗର ଅଂଶଗୁଡ଼ାକ ଆମ ଶୁଭଗୁଡ଼ାକର ଶକୁନରୂପେ ଆମେ ବ୍ୟବହାର କରୁଥିବା ବାରପ୍ରକାରର ସରଞ୍ଜାମ ଉପରେ ଅଙ୍କା ହୋଇ ରହିଲେଣି; ଆମ ନେତାମାନେ କ୍ଷମତାସୀନ ହେବାର ଅବ୍ୟବହିତ ପରେ ପୁରୁଷତ୍ତମୋ କ୍ଷେତ୍ରକୁ ଦଉଡ଼ିଯାଇ ଧଣ୍ଡାମାଳ ମାଗି ଆଣୁଛନ୍ତି ଓ ତା’ପରେ ବିରାଡ଼ିବୈଷ୍ଣବ ପାଲଟି ଯାଉଛନ୍ତି । ବାରାନ୍ତରରେ ଜଗନ୍ନାଥଙ୍କୁ ଓଡ଼ିଶାର ରାଷ୍ଟ୍ରପତି ବୋଲି କୁହାଗଲାଣି । ଭଗବାନ ଯେ ଭକ୍ତ ଏବଂ ସେବକର ସେବା ଖଟିବା ନିମନ୍ତେ ଛାଏଁ ଦେଉଳ ଭିତରୁ ବାହାରି ଆସନ୍ତି, ତାହାର ଆଖ୍ୟାନ ଓଡ଼ିଶାର ଗଜପତିମାନଙ୍କର ଅମଳରୁ ରହି ଆସିଛି । ଏବେ ଆମେ ଅଧିକ ବୁଦ୍ଧିମାନ୍ ଓ ଅଧିକ ଆର୍ତ୍ତମାନେ ଯାହା ସେହି ଆଖ୍ୟାନଟିର ଉଦାରୀକରଣ କରିବାରେ ଆନନ୍ଦ ଲାଭକରୁଛୁ ।

 

ଜଗନ୍ନାଥ ଠାକୁର ହିସାବରେ ଯେ ସତକୁ ସତ କେଡ଼େ କେଡ଼େ ବଡ଼ । ସତେଅବା ସେହି ଠାକୁରଙ୍କର ଅନୁଧ୍ୟାୟୀ ହିସାବରେ ଆପଣାକୁ କେଡ଼େବଡ଼ ବୋଲି ଦର୍ଶାଇ ଦେବାକୁ ଆମେ ଜଗନ୍ନାଥଙ୍କ ଗବେଷଣାରେ ବେଳେବେଳେ ସଂସ୍କୃତ ପୁରାଣରୁ ଶ୍ଳୋକମାନ ଉଦ୍ଧାର କରିଥାଉ । ଜଗନ୍ନାଥଙ୍କ ବିଷୟରେ ସ୍କନ୍ଦ ପୁରାଣରେ ଏତେସବୁ କଥା ଲେଖାହୋଇଛି ବୋଲି ଉଲୁଗୁଣା ଦେଇଥାଉ । ପ୍ରାୟ ସବୁ ପୁରାଣ ପରି ସେହି ପୁରାଣଟି ମଧ୍ୟ ଏକ ସାମ୍ପ୍ରଦାୟିକ ପୁସ୍ତକ ଏବଂ ସେଥିରେ ସେହି ସମ୍ପ୍ରଦାୟର ଉପାସ୍ୟମାନଙ୍କର ପ୍ରଶସ୍ତି ରହିବ ହିଁ ରହିବ । ତାହାକୁ ଆମେ କାହିଁକି ଲୋଭରେ ପଡ଼ି ଇତିହାସର ପରିସର ଭିତରକୁ ଆଣିବାକୁ ଚେଷ୍ଟା କରିବା ? ଶ୍ରୀ ଦିବାକର ଦାସ ନିଜ ବହିରେ ଯେତେବେଳେ ଜଗନ୍ନାଥଙ୍କୁ ଷୋଳକଳା ଓ ନନ୍ଦତନୟ କୃଷ୍ଣଙ୍କୁ ତାଙ୍କର ଷୋଳଭାଗରୁ ଏକ ଭାଗ ବୋଲି ଲେଖିଲେ, ସେତେବେଳେ ସିଏ ତାଙ୍କ ସମ୍ପ୍ରଦାୟର ନ୍ୟାୟ ଅନୁସାରେ ସେପରି କହିଥିଲେ । ତାହାକୁ ଆମେ ତଥ୍ୟବୋଲି ଗ୍ରହଣ କାଲେ ତାହା ଆମର ନିର୍ବୋଧତା ହିଁ ହେବ । ଏକାମ୍ର ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରିବାକୁଯାଇ ସମ୍ଭବତଃ ମହାଦେବଙ୍କ ପାଇଁ ମନ୍ଦିରଟିଏ ଗଢ଼ି ଦେଇଥିବା ରାଜାଙ୍କର ଆଦେଶରେ କୌଣସି ସଂସ୍କୃତକବି ଯେଉଁ ପ୍ରଶସ୍ତି–ଉଦ୍ଦୀପକ ଏକାମ୍ର ପୁରାଣକୁ ରଚନା କରିଛନ୍ତି, ଆମେ କ’ଣ ତାହାକୁ ଇତିହାସ ବୋଲି ଗ୍ରହଣ କରିବା ?

 

ଓଡ଼ିଶାରେ ଷୋଡ଼ଶଶତାବ୍ଦୀର ପଞ୍ଚସଖା ହିଁ ସମ୍ଭବତଃ ଜଗନ୍ନାଥଙ୍କୁ ସାହିତ୍ୟ ଭିତରକୁ ଆଣିଲେ । ସାରଳା ମହାଭାରତରେ ଜଗନ୍ନାଥଙ୍କୁ ବୌଦ୍ଧ ଅବତାରଣର ଏକ ଠୁଳ ପ୍ରକାଶବୋଲି ବର୍ଣ୍ଣନା କରିବା ବ୍ୟତୀତ ତାଙ୍କ ବିଷୟରେ ଆଉ ବିଶେଷ କିଛି ଉଲ୍ଲେଖ ନାହିଁ । ପଞ୍ଚସଖା ଜଗନ୍ନାଥଙ୍କର ସାକାର ଆନୁଷ୍ଠାନିକତାଗୁଡ଼ିକୁ ମୋଟେ ଅସ୍ଵୀକାର କଲେନାହିଁ, ତଥାପି ତାଙ୍କୁ ଏକ ଆଧ୍ୟାତ୍ମିକ ଉଚ୍ଚତା, ମଧ୍ୟକୁ ଉତ୍ତୋଳିତ କରି ନେଇଥିଲେ । ଭାରତୀୟ ମଧ୍ୟଯୁଗରେ ସନ୍ଥ କବିମାନେ ଯେଉଁ ସାହିତ୍ୟ ରଚନା କରିଛନ୍ତି, ସେଥିରେ ସର୍ବତ୍ର ଏହିପରି ଏକ ଉତ୍ତୋଳନ ଖୁବ୍ ସ୍ପଷ୍ଟଭାବରେ ପରିଲକ୍ଷିତ ହୋଇଥାଏ । ପଞ୍ଚସଖା ବୈଷ୍ଣବ ଥିଲେ, ବୌଦ୍ଧ ଥିଲେ, କାୟାସାଧକ ଥିଲେ । ଦ୍ଵୈତ ଓ ଅଦ୍ଵୈତ ଉଭୟ ଥିଲେ, ତଥାପି ଏକ ସାମ୍ପ୍ରଦାୟିକ ନିବୁଜ ଅର୍ଥରେ ସେମାନେ ଏସବୁ କିଛି ନଥିଲେ-। ସେମାନେ ପଞ୍ଚସଖା ହିଁ ଥିଲେ । ସେମାନେ ଏକ ଅଭିନବ ଲୋକାଭିମୁଖୀ ଧର୍ମ–ଆନ୍ଦୋଳନଦ୍ଵାରା ସାହିତ୍ୟକୁ ଏବଂ ତତ୍କାଳୀନ କଥିତ ଓଡ଼ିଆଭାଷାକୁ ଯେଉଁ ଅଦ୍ଭୁତପୂର୍ବ ମହିମାମୟତା ଆଣି ଦେଇଥିଲେ, ତାହା, ଏବେ ମଧ୍ୟ ଆମକୁ ବିସ୍ମିତ କରି ଦେଇଥାଏ । ମାତ୍ର, ଜଗନ୍ନାଥଙ୍କୁ ସେମାନେ କେବେହେଲେ ଏକ ପିତୁଳା ପରି ନଚାଇ ନଥିଲେ କିମ୍ବା ଆମ ଏ ଯୁଗ ଭଳି ତାଙ୍କୁ ଆମର ବୋଲି କହି ନାଚି ନଥିଲେ । ଜଗନ୍ନାଥରୂପୀ ପ୍ରତୀକଟି ଭିତରେ ସେମାନେ ଭାରତୀୟ ଆଧ୍ୟାତ୍ମିକ ସାଧନାର ନିର୍ଯ୍ୟାସଟିକୁ ନେଇ ଆରୋପିତ କରି ଦେଇଥିଲେ-। କବି ବଲରାମ ଦାସ ପୁରୀର ଦେଉଳକୁ ଏକ ଏକାବେଳେକେ, ଅନ୍ୟ ବ୍ୟଞ୍ଜନାରେ ଖଞ୍ଜି ଦେଇ ତାହାକୁ ମନୁଷ୍ୟର ଶରୀର ଭିତରେ ନେଇ ଚିହ୍ନାଇ ଦେଇଥିଲେ ଏବଂ ତାହାକୁ କେଡ଼େ ଅର୍ଥପୂର୍ଣ୍ଣ ଭାବରେ ବ୍ରହ୍ମାଣ୍ଡ ଭୂଗୋଳ ବୋଲି ଘୋଷଣା କରି ଦେଇଥିଲେ । ଯାବତୀୟ ମାର୍ଗକୁ ଅତିକ୍ରମ କରି ଯେ ଏକ ମୂଳସତ୍ୟ ରହିଛି ଏବଂ ବାହ୍ୟଗୁଡ଼ାକୁ ପରିହାର କରି ଭିତରକୁ ଭେଦିଲେ ଏକ ଉପଲବ୍ଧି ଦ୍ଵାରା ଯେ ତାହା ସମ୍ଭବ ହୁଏ, ପଞ୍ଚସଖା କେଡ଼େ ନିଶ୍‌ଛଳ ଭାବରେ ତାହାକୁ ସତେଅବା ଗାର କାଟି ବୁଝାଇ ଦେଇଥିଲେ । ସର୍ବୋପରି, ତତ୍କାଳୀନ ରାଜାଙ୍କର ଛାଇଗୁଡ଼ାକର ବାହାରେ ସେମାନେ ଏଇ ସତ୍ୟଟିର ପ୍ରତିପାଦନ କରିଥିଲେ । ରାଜା, ପଣ୍ଡା ଓ ଉଚ୍ଚବର୍ଣ୍ଣ ଗୁଡ଼ିକର ଉତ୍ପୀଡ଼ନକୁ ବରଣ କରିଥିଲେ ସିନା ତଥାପି ଆପଣା ପଥରୁ ଓହରି ନଥିଲେ । ପଞ୍ଚସଖାଙ୍କର ଅଧ୍ୟାତ୍ମଦୃଷ୍ଟି ବଳରେ ଜଗନ୍ନାଥ ନାମକ ଅନୁଷ୍ଠାନ ତଥା ପ୍ରେରଣାଟି ତାହାର ସର୍ବୋଚ୍ଚ ମହିମାଶୀର୍ଷକୁ ସ୍ପର୍ଶ କରିଥିଲା ବୋଲି ଏବେ ମଧ୍ୟ ପୂର୍ଣ୍ଣ ଔଚିତ୍ୟର ସହିତ ଦାବୀ କରାଯାଇ ପାରିବ । ଉପାସକ ହିଁ ତା’ ନିଜ ଲୋଡ଼ିବାର ଉଚ୍ଚତା ଅନୁସାରେ ଉପାସ୍ୟ ପ୍ରତୀକଗୁଡ଼ିକୁ ଏହି ଭଳି କେତେକେତେ ଉଚ୍ଚତା ମଧ୍ୟକୁ ଉଠାଇ ନେଇଥାଏ ।

 

ଊନବିଂଶ ଶତାବ୍ଦୀର ଭୀମଭୋଇ ବ୍ରହ୍ମ ଉପାସକ ଥିଲେ । ଏହି ଜଗତକୁ ସେ ବ୍ରହ୍ମରାଶି ଦ୍ଵାରା ପୂର୍ଣ୍ଣହୋଇ ରହିଥିବାର ପ୍ରତ୍ୟକ୍ଷ କରିଥିଲେ । ସିଏ ଜଗନ୍ନାଥଙ୍କୁ ଡେଇଁ ଆହୁରି କେତେ ନା କେତେ ଆଗକୁ ଚାଲିଗଲେ । ସର୍ବମୟ ପରମକର୍ତ୍ତାଙ୍କର ଅଧିଷ୍ଠାନ ରୂପେ ସେ ଯେଉଁ ମହାନିତ୍ୟମଣ୍ଡଳର ବର୍ଣ୍ଣନା ଦେଇଛନ୍ତି, ସେଥିରେ ପୂର୍ବ ପରମ୍ପରାର ମହାମହିମ ପ୍ରଭୁ ଜଗନ୍ନାଥ ଚାରିଦ୍ଵାର ମଧ୍ୟରୁ ଗୋଟିଏ ଦ୍ଵାରରେ ଦ୍ଵାରପାଳ ହୋଇ ଛିଡ଼ା ହୋଇଛନ୍ତି । ଦେବତା ଓ ପ୍ରତୀକମାନଙ୍କୁ କାଟି କାଟି ପଞ୍ଚସଖା ଜଗନ୍ନାଥଙ୍କ ପାଖରେ ଯାଇ ଅଟକିଥିଲେ;–ଭୀମ ଭୋଇ ଜଗନ୍ନାଥଙ୍କୁ ମଧ୍ୟ କାଟି ଦେଲେ । ଏହା ଫଳରେ ସିଏ କୌଣସି ଦ୍ରୋହ ଆଚରଣ କଲେ ବୋଲି କଦାପି ଅଭିଯୋଗ କରି ହେବନାହିଁ । ଯେଉଁମାନେ ତାଙ୍କୁ ପିତୁଳାପ୍ରାୟ ସ୍ଥୂଳ କରିଆଣି ସମ୍ପତ୍ତି ବେଭାରରେ ତାଙ୍କୁ ଆମର ଆମର ବୋଲି କହି କିଳି ରଖିଥିଲେ, ନ୍ୟାୟତଃ ସିଏ ସେହିମାନଙ୍କର ବିରୁଦ୍ଧରେ ଦ୍ରୋହ ଘୋଷଣ କରିଥିଲେ । ଯିଏ ଜଗତର ନାଥ, ସିଏ କାହିଁକି ସାମନ୍ତ ଉଚ୍ଚବର୍ଗମାନଙ୍କର ଏକାଧିକାର ରହିବେ, ଭୀମ ଭୋଇ ସମ୍ଭବତଃ ତତ୍କାଳୀନ ଓଡ଼ିଶାର ବଞ୍ଚିତମାନଙ୍କର ପ୍ରତିନିଧିତ୍ଵ କରି ଏହି ପ୍ରଶ୍ନଟିକୁ ଉତ୍ଥାପନ କରିଥିଲେ । ଭଗବାନ କ’ଣ ଖାଲି ଦେଉଳରେ ଅଛନ୍ତି–ସିଏ କାହିଁକି ଆମ ସମାଜରେ ସମ୍ବନ୍ଧଗୁଡ଼ିକରେ ନିୟାମକରୂପେ ପ୍ରତିଭାତ ହେବେନାହିଁ ବୋଲି ଭୀମ ଭୋଇ ସ୍ଵର ଉତ୍ତୋଳନ କରିଥିଲେ । ତୋ’ର ଯେଡ଼େ ପ୍ରଭୁଙ୍କୁ ପୂଜିବାକୁ ମାନ ହେଉଛି, ତୁ ନିଜର ବୁଦ୍ଧିକୁ ମଧ୍ୟ ସେଡ଼ିକି ବଡ଼ କର ବୋଲି ସିଏ କେଡ଼େ ସାହସର ସହିତ ଉଦ୍‌ବୋଧନ ଦେଉଥିଲେ ।

 

ଏଥରୁ ଆମେ ଇଚ୍ଛା କଲେ ନିଜ ମୂଲ୍ୟକଳନାର କ୍ଷେତ୍ରରେ, ଭୀମଭୋଇଙ୍କର ପ୍ରତିବାଦଟିରୁ ଏକାଧିକ ଅନ୍ତର୍ଦୃଷ୍ଟି ଲାଭ କରିପାରିବା । ଆମ ଠାକୁରମାନେ କ’ଣ କେବଳ ଆମଦ୍ଵାରା ଏକ ପୂଜା ପାଇଁ ସିଂହାସନରେ ବସିବା ପାଇଁ ନା ଆମକୁ ଆମ ସାମୂହିକ ଜୀବନରେ ଏକ ଅନୁରୂପ ଆତ୍ମୀୟତା ସହିତ ଜୀବନଟିଏ ବଞ୍ଚିବାର ପ୍ରେରଣା ଦେବାପାଇଁ ? ଏକ ଅସମାନ ସମାଜରେ ଠାକୁରମାନେ କ’ଣ କାଳ କାଳ ଧରି ସାମନ୍ତମାନଙ୍କର ସମ୍ପତ୍ତି ବୋଲାଉଥିବେ ନା କେବେ ପ୍ରକୃତରେ ସବୁ ମଣିଷଙ୍କର ସମ୍ପଦ ବୋଲି ଘୋଷିତ ହେବେ ? ସେହି ଅନ୍ଧାକାରମୟ ମଧ୍ୟଯୁଗ ପରି ଏବେ ମଧ୍ୟ କ’ଣ ରଜା ଏ ଠାକୁରମାନଙ୍କର ଆଦ୍ୟସେବକ ବୋଲାଉଥିବେ ? ଠାକୁର କହିଲେ ଯେଉଁସବୁ ବିଦ୍ୟ ବ୍ୟବସ୍ଥାକୁ ସଚରାଚର ସୂଚିତ କରି ଦେଇଥାଏ, ତାହା ସତକୁ ସତ କେବେ ଆମର ଏହି ମର୍ତ୍ତ୍ୟ ଜୀବନବ୍ୟବସ୍ଥାରେ ପ୍ରକଟିତ ହେବାର ଅନୁକୂଳତା ଲାଭ କରିବ ନା ଆମକୁ ଖାଲି ପର୍ବରେ, ମହୋତ୍ସବର ଓ ମଣୋହିମାନଙ୍କରେ ଏବଂ ମିଛ ନାନା ଉଦ୍ଦୀପନା ଗୁଡ଼ାକରେ ଭଣ୍ଡାଇ ରଖିଥିବ ? ଯିଏ ଭଗବାନ ହୋଇ ମଣିଷ ଦ୍ଵାରା ପୂଜା ପାଉଛନ୍ତି, ସିଏ କ’ଣ ମଣିଷର ନିଜଭିତରେ ନାହାନ୍ତି ? ତେବେ ମଣିଷ ଅଧିକ ବ୍ୟାକୁଳତା ସହିତ ତାଙ୍କୁ ସେଠାରେ କାହିଁକି ଆବିଷ୍କାର କରିବାକୁ ମନ ନବଳାଇବ ? ଏବଂ, ଯିଏ ଜଗତର ନାଥଙ୍କୁ ସତକୁ ସତ ନିଜ ଭିତରେ ବସିଥିବା ପ୍ରତ୍ୟକ୍ଷ ଅନୁଭବ କରିବାକୁ ସମର୍ଥ ହେବ, ସିଏ କ’ଣ ତା’ପରେ ଏହି ଅସମାନ ସମାଜଟାକୁ ତଥାପି ମାନିବ ? ଭଗବାନଙ୍କର ଉପାସନା କରି ତାଙ୍କଠାରୁ ଏକ ଦୁଃଖ ଏବଂ ଯନ୍ତ୍ରଣାମୟ ଜଗତରେ ନିଜପାଇଁ ସୁଖ, ଶାନ୍ତି ଓ ସେହି କାଟର ଆଉ ଯାବତୀୟ ସବୁକିଛି ନିମନ୍ତେ ମାଗୁଣି କରିବା,–ଏବଂ ନିଜେ ଦୁଃଖ ଭିତରେ, ନର୍କ ଭିତରେ ରହିଥିଲେ ମଧ୍ୟ ଠାକୁରଙ୍କ ପାଖରେ ସବୁ ପ୍ରଦାନ କରି ପାରୁଥିବା ସେହି ମଣିଷମାନଙ୍କର ମଣିମାଙ୍କ ପାଖରେ ଆଗ ଜଗତର ଉଦ୍ଧାର ହେଉ ବୋଲି ପ୍ରାର୍ଥନା କରିବା, ଦୁଇଟିଯାକ କ’ଣ ଏକା କଥା, ଏକା ସ୍ତରର କଥା ? ନିଜକୁ ଅତ୍ୟନ୍ତ ସମ୍ପୃକ୍ତ ଭାବରେ ଏହିସବୁ ପ୍ରଶ୍ନ ନ ପଚାରିଥିବା ପର୍ଯ୍ୟନ୍ତ ମୋଟେ ଭୀମ ଭୋଇଙ୍କର ହାବୁଡ଼ରୁ ପଳାଇ ଯାଇ ହୁଏନାହିଁ । ଏବଂ, ଜଗନ୍ନାଥଙ୍କ ପାଖରୁ ମଧ୍ୟ ଆମେ ୟାଡ଼ୁ ସ୍ୟାଡ଼ୁ ଦି’କଥା କହି ପଳାଇ ଯାଇପାରିବା ବୋଲି ଚିନ୍ତା କରି ପାରୁଛୁ କିପରି ? ସିଏ ଆମର, ଆମ ଓଡ଼ିଶାର, ସିଏ ସବାବଡ଼ ଠାକୁର, ତାଙ୍କର ରଥଯାତ୍ରା ପୃଥିବୀ ପ୍ରସିଦ୍ଧ–ଏତିକି କହିଲେ କ’ଣ ତାଙ୍କ ବିଷୟରେ ଯଥେଷ୍ଟ କୁହାଯାଇପାରିବ ? ଆହୁରି ଆଗକୁ ଯାଇ କହିଲେ ସିଏ ପୁରୁଷୋତ୍ତମ, ଦାରୁବ୍ରହ୍ମ, ଉତ୍କଳୀୟ ସଂସ୍କୃତିର ସବମୂଳ ଉତ୍ସ,–ହୁଏତ ଏଗୁଡ଼ିକ ମଧ୍ୟ ସେହି ପୁରାତନ କଥା । ଅମୁକଙ୍କ ସାହିତ୍ୟରେ ଜଗନ୍ନାଥ–ତତ୍ତ୍ଵର କେଉଁଭଳି ଆଭାସମାନ ରହିଛି, ଏସବୁର ତ ଆଗରୁ କେତେ କେତେ ଆଲୋଚନା ହୋଇଛି । ସେହି ଚିହ୍ନା ଗୁଳାଟାରେ କିଞ୍ଚିତ୍ ପରିବର୍ତ୍ତନ ଆଣି ଏକଦା ଜର୍ମାନୀର ଗବେଷକଗୋଷ୍ଠୀ କେଡ଼େ ଗମ୍ଭୀର ଭାବରେ ଏହି କ୍ଷେତ୍ରରେ ଆଉ କେତେ କ’ଣ ଆଲୋଚନାର ପ୍ରବେଶ ଘଟାଇଥିଲେ । ସେମାନେ ମୁଖ୍ୟତଃ ଇତିହାସ କ୍ଷେତ୍ରରେ ଥିଲେ, ତେଣୁ ଚେର, ମୂଳ ଓ ଶାଖାଗୁଡ଼ାକୁ ଖିନ୍‌ଭିନ୍ କରି ଦେଖାଇଦେଲେ । ତାହାଦ୍ୱାରା ଆମର ଉପକାର ହେଲା, ମାତ୍ର ତଥାପି ଆହୁରି ଅସଲ ଅନେକ କିଛି ବାକି ରହିଗଲା ପରି ମନେ ହୋଇଥିଲା । ଆମ ପ୍ରତୀକମାନଙ୍କରେ ପରିପୂର୍ଣ୍ଣ ମହିମା ଏବଂ ସମଗ୍ର ସମ୍ଭାବନାକୁ ଯେ ବାହାରୁ ପାଣ୍ଡିତ୍ୟ ଆଣି ବହିରାଗତର ବସ୍ତୁନିଷ୍ଠା ସହିତ ଖୋଳିଲେ ତାଡ଼ିଲେ ତଥାପି ଉଦ୍‌ଘାଟନଟି ପୂର୍ଣ୍ଣ ହେବନାହିଁ, ସେମାନଙ୍କର ଗବେଷଣାରୁ ସେହି କଥାଟି ପ୍ରତିପାଦିତ ହେଲା ।

 

ମସ୍ତିଷ୍କ ସହିତ ହୃଦୟ ରହିଥିଲେ ଗବେଷଣା ମଧ୍ୟ ଏକାବେଳେକେ ଅନ୍ୟପ୍ରକାରର ହୋଇପାରେ । ଇତିହାସ ଦୃଷ୍ଟି, ଧର୍ମର ଦୃଷ୍ଟି, ଜାତୀୟତାବାଦୀ ଭାବପ୍ରବଣତାର ଦୃଷ୍ଟି,–ଏସବୁ ବ୍ୟତୀତ ଏକ ଆଧ୍ୟାତ୍ମିକ ଦୃଷ୍ଟି ମଧ୍ୟ ରହିଛି, ଯାହାକି ଯାବତୀୟ ଗବେଷଣାକୁ ଏକ ଏପରି ଉଜ୍ଜଳତା ଆଣିଦେଇପାରେ, ଯାହା ଫଳରେ କି ଆମେ ଜଗନ୍ନାଥଙ୍କୁ ଆଦୌ ନିଜର ସମ୍ପତ୍ତି ବୋଲି ନ କହି ତଥାପି ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ତାଙ୍କର କଳନା ଏବଂ ବୀକ୍ଷଣା କରିପାରିବା । ଆମେ ସ୍ଵୟଂ ଆଧ୍ୟାତ୍ମରେ ବାଟ ଚାଲୁଥିଲେ ତାହା ସମ୍ଭବ ହେବ । ପଞ୍ଚସଖା ଆଧ୍ୟାତ୍ମରେ ଥିଲେ, ତେଣୁ ଜଗନ୍ନାଥଙ୍କ ଭିତରେ କେତେ କ’ଣ ଅନୁଦ୍‌ଘାଟିତ ଉଦ୍‌ଘାଟନ କରିପାରିଲେ । ଜଗନ୍ନାଥଙ୍କ ଭିତରେ, ତାଙ୍କରି ମହିମାର ବେଢ଼ା ଭିତରେ ଅବଶ୍ୟ ରହିଲେ, ଅଥଚ କେତେ ନା କେତେ ଅନ୍ୟ ଆକାଶକୁ ସ୍ପର୍ଶ କରିପାରିଲେ । ଉତ୍କଳୀୟ ସ୍ଥାନୀୟ ପରମ୍ପରାକୁ ଭାରତୀୟ ବୃହତ ପରମ୍ପରା ସହିତ କେଡ଼େ ଚମତ୍କାର ଭାବରେ ନେଇ ଯୋଡ଼ିଦେଲେ । ଅସଲ କଥା ହେଉଛି, ଆମେ ନିଜେ ଯେତିକି ଯାଏ ଯାଇଥାଉ ବା ଯିବାକୁ ଇଚ୍ଛା କରୁଥାଉ, ଆମର ସକଳ ଗବେଷଣା ଏବଂ ଆଲୋଚନା ମଧ୍ୟ ସେତିକି ଯାଏ ଯାଏ । ଆମେ ପାହାଚ ଉଠୁଥିଲେ ଆଲୋଚନା ବି ପାହାଚ ଉଠି ଉଠି ଯାଉଥାଏ । ଆମେ ସ୍ଵାଧିକାରପ୍ରମତ୍ତ ହୋଇଥିଲେ ଆମର ଆଲୋଚନା ମଧ୍ୟ ଭାରି ଅଜାଣତରେ ଅଥଚ ଅବଲୀଳାକ୍ରମେ ସ୍ଵାଧିକାରପ୍ରମତ୍ତ ହୋଇ ରହିଯାଏ । ତେଣୁ, ଆଗକୁ ଆଗକୁ ଯାଉଥିବା ସଙ୍ଗେ ସଙ୍ଗେ, ଅଧିକ ଗଭୀରକୁ ଭେଦି ପାରୁଥିବାସଙ୍ଗେ ସଙ୍ଗେ ଆମର ଆଲୋଚନାମାନେ ବହୁ ନୂତନ ବାର୍ତ୍ତାକୁ ବହି ଆଣିବାର ସମର୍ଥ ହୁଅନ୍ତି । ବହୁ ନୂତନ ଉନ୍ନୀଳନ ଘଟାଇ ପାରନ୍ତି । ଜଗନ୍ନାଥ ଆମ ଅନ୍ତର୍ଯାତ୍ରାର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ସ୍ଵୟଂ ଅଭିବୃଦ୍ଧି ଲାଭ କରୁଥାନ୍ତି ଏବଂ ତଥାପି ଆମେ ଲୋଡ଼ିବା ମାତ୍ରକେ ଆମକୁ ଅନୁରୂପ ତଥ୍ୟମାନ ଅବଶ୍ୟ ମିଳି ଯାଉଥାଏ । ଆମେ ଲେଖିବାକୁ ବସିଲେ ସିଏ ଆବଶ୍ୟକ ତଥ୍ୟମାନଙ୍କୁ ଯୋଗାଇ ନ ଦେବେ କାହିଁକି ? ତା’ପରେ ଯାବତୀୟ ଗବେଷଣା ଏକ ଶ୍ରମକଷଣର ସ୍ତରକୁ ଅତିକ୍ରମ କରିଯାଏ ଏବଂ ଏକ ଆନନ୍ଦମୟ ପଥଚାରଣାରେ ପରିଣତ ହୋଇଯାଏ ।

 

ଓଡ଼ିଶାରେ ଆମେ “ଆମ” ଜଗନ୍ନାଥଙ୍କ ସହିତ ବନ୍ଧା ହୋଇ ପଡ଼ିଥିବା ବେଳେ ତେଣେ ପୃଥିବୀ କେତେ ବଦଳି ଯିବାରେ ଲାଗିଛି । ଗୋଟିଏ ପ୍ରତୀକକୁ ଇଷ୍ଟଦେବ ବୋଲି ମାନି ତାଙ୍କୁ ଗୋଟିଏ ଭୌଗୋଳିକ ସମୂହର ସମ୍ପତ୍ତିରେ ପରିଣତ କରି ରଖିବା, ଏଇଟା ଏବେ ଏକ ସାମନ୍ତବାଦୀ ଅବଶେଷ ବୋଲି ପ୍ରମାଣିତ ହେଲାଣି । ଯାବତୀୟ ଧର୍ମ, ଧର୍ମାସକ୍ତତା ଏବଂ ବାହ୍ୟ ଉପାସନାରୀତି ପଛରେ ଆଧ୍ୟାତ୍ମିକତାର ଏକ ଅନ୍ୟ ଭୂମି ରହିଛି ବୋଲି ପୃଥିବୀର ସନ୍ଥମାନେ ସବୁକାଳେ କହି ଯାଇଛନ୍ତି । ଏହି ଦୃଷ୍ଟିରୁ ଆମେ ଓଡ଼ିଶାରେ ମଧ୍ୟ କେବେ ଏକ ବୃହତ୍ତର ଆଖିରେ ଜଗନ୍ନାଥଙ୍କୁ ଦେଖିବା ଓ ତାଙ୍କର ଆକଳନ କରିବା ? ଆମ ଜଗନ୍ନାଥ–ଗବେଷଣା ଇଚ୍ଛା କଲେ ସେଥିପାଇଁ ନୂତନ ଦ୍ଵାର ଗୁଡ଼ିକୁ ଉନ୍ମୋଚିତ କରି ଦେଖାଇ ଦେବାରେ ନିମିତ୍ତରୂପେ କାର୍ଯ୍ୟ କରିପାରିବ । ଏକ ପ୍ରତୀକ ସହିତ ସାମ୍ୟ, ମୈତ୍ରୀ ଓ ଭ୍ରାତୃତ୍ଵ ପ୍ରଭୃତି ଉଚ୍ଚ ଗୁଣଗୁଡ଼ିକୁ ବିଶେଷଣ କରି ଯୋଡ଼ିଦେଲେ ଆମେ ତଦ୍ଦ୍ଵାରା କେବଳ ଆମ ସାମୂହିକ ଭୂମିରେ ମଣିଷମାନଙ୍କୁ ଠକିବାରେ ଲାଗିଥିବା । ସେହି ଗୁଣଗୁଡ଼ିକୁ ସାମୂହିକ ଜୀବନରେ ପ୍ରତିଷ୍ଠିତ କରିବାକୁ ପଡ଼ିବ ଏବଂ ସେହି ଉଦ୍ୟମରେ ଜଗନ୍ନାଥରୂପୀ ପ୍ରତୀକଟିଏ ମଧ୍ୟ ଆମକୁ ବହୁତ ପ୍ରେରଣା ଦେଇପାରିବ ।

 

ଉପଲବ୍ଧିର ପାହାଚରେ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ଓ ଅନ୍ତରଙ୍ଗତାରେ ଆସି ପହଞ୍ଚିଲେ ଆଉ କୌଣସି କିଛିକୁ ମୋ’ର ବା ଆମର ବୋଲି କହିବାକୁ ଇଚ୍ଛା ହୁଏନାହିଁ । ଚେତନାରେ ଏପରି ଏକ ସମ୍ପ୍ରସାରଣ ଘଟେ, ଯାହାଦ୍ଵାରା କି, ଯାହାକୁ ମୁଁ ଏ ପର୍ଯ୍ୟନ୍ତ ମୋ’ର ବୋଲି କହି ଆସୁଥିଲି, ତାହା ସମଗ୍ର ବିଶ୍ଵର ଧନରୂପେ ଅନୁଭୂତ ହୁଏ ଏବଂ ତାହା ଆମର ଯାବତୀୟ ଆନନ୍ଦର କାରଣ ହୁଏ । ସେହି ଆନନ୍ଦ ମଧ୍ୟରେ ଏହି ପୃଥିବୀରେ ଏକ ବୃହତ୍ତର ସତ୍ୟ ନିମନ୍ତେ ବଞ୍ଚିବା ଲାଗି ଶକ୍ତି ଭରି ରହିଥାଏ । ସେହି କାରଣରୁ ହିଁ ଅଧ୍ୟାତ୍ମ ବଢ଼ିଲେ ଏହି ପୃଥିବୀ ମଧ୍ୟ ବଦଳେ । ଧର୍ମ ତାହା କରିପାରେ ନାହିଁ । ଧର୍ମ ସେହି ପୁରୁଣାଟା ଭିତରେ ବାନ୍ଧି ରଖେ । ବାନ୍ଧି ରଖିବାର ଫିକରରେ ବହୁ ଭାବପ୍ରବଣତା ଏବଂ ବାହ୍ୟତାର ଆଶ୍ରୟ ନିଏ । ମଣିଷର ଭୋକ ଭୁଲାଇ ରଖେ । ଯାହା ଭୋକ ଭୁଲାଇ ରଖେ, ତାହାକୁ ଆମେ ଅସଲ ଚେତନା ଏବଂ ଅସଲ କ୍ରିୟାଶୀଳତା ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ବୋଲି ହିଁ କହିପାରିବା । ଓଡ଼ିଶା ଯେ ନାନାଭାବେ କର୍ମବିମୁଖ ଏବଂ ସ୍ପୃହାହୀନ ହୋଇ ରହିଛି, ଏକ ପ୍ରତୀକର ମାଧ୍ୟମରେ ଆମକୁ ଏବେ ମଧ୍ୟ ଏକ ସାମନ୍ତବାଦୀ ମିଥ୍ୟାବର୍ତ୍ତନ ନାନା ଫୁସୁଲା ଭିତରେ ବଡ଼ ଶୀତଳ କରି ରଖି ଦିଆଯାଇଥିବାଟାକୁ ମଧ୍ୟ ହୁଏତ ତାହାର ଏକ କାରଣ ବୋଲି ଅନୁମାନ କରାଯାଇ ପାରିବ । ଆମର ସାମୂହିକ ଜୀବନରେ ଏବେ ମଧ୍ୟ ସାମନ୍ତମାନେ ରହିଛନ୍ତି, ଯେଉଁମାନେ କି ଆମକୁ ଆମର ପରବର୍ତ୍ତୀ ସୋପାନ ଏବଂ ପ୍ରସାରଣ ଗୁଡ଼ିକ ଆଡ଼କୁ ଯିବାକୁ ଦେଉନାହାନ୍ତି । ଏହି ଅକାର୍ଯ୍ୟଟାରେ ସେମାନେ ଜଗନ୍ନାଥଙ୍କୁ ମଧ୍ୟ ପ୍ରାୟ ଏକ ଛାଗଳ ପରି ବ୍ୟବହାର କରୁଛନ୍ତି । ସେମାନେ ଓଡ଼ିଶାକୁ ସମ୍ମୁଖସ୍ଥ ନୂତନ ଆହ୍ଵାନଗୁଡ଼ିକରୁ ବିସ୍ମିତପ୍ରାୟ କରିରଖିଛନ୍ତି । ଜଗନ୍ନାଥ–ଗବେଷଣାରେ ଏସବୁ ମଧ୍ୟ ସ୍ଥାନ ପାଇବା ଉଚିତ । ମାତ୍ର, ଏକ ଅସମାନ ସମାଜରେ ତଥାକଥିତ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରାୟ ନିୟମତଃ ସାମନ୍ତମାନଙ୍କର ସାଥୁଆ ହୋଇ ରହିବାକୁ ହିଁ ଅଧିକ ନିରାପଦ ବୋଲି ବିଚାର କରୁଥାନ୍ତି । ସମ୍ଭବତଃ ସେହି କାରଣରୁ ଆମର ସାହିତ୍ୟ-ଗବେଷଣା, ଧର୍ମ-ଗବେଷଣା ଏବଂ ଅଧ୍ୟାତ୍ମ ଗବେଷଣାମାନ ଗମ୍ଭୀରିଗୁଡ଼ିକ ଭିତରୁ ବାହାରି ବୃହତ୍ତର ଦିଗ୍‌ବଳୟଗୁଡ଼ିକ ଆଡ଼କୁ ଅନାଇ ଦେଖିବା ଲାଗି ସାହସ କରି ପାରୁନାହିଁ-। ଜଗନ୍ନାଥଙ୍କୁ ଭୂମାର ପ୍ରତୀକ ବୋଲି ଗ୍ରହଣ କରି ଏକ ସମଗ୍ରତର ଅନୁରୂପ ଆଖିରେ ଦୃଷ୍ଟିପାତ କଲେ ଆମକୁ ଏହି ସବୁକିଛି ପ୍ରକୃତରେ ଭାରି ଅଳ୍ପ ବୋଲି ଲାଗିବ । ଆମକୁ ଅଧୀର କରିବ, ଅଳପର କାନ୍ଥଗୁଡ଼ାକୁ ଭାଙ୍ଗିଦେବାଲାଗି ଆମ ଭିତରେ ବଳ ଆଣି ଦେବ ଓ ଆମକୁ ପାହାଚ ଉଠାଇ ନେଇଯିବ ।

 

କୋଣାର୍କ–୧୦୧/ଜୁଲାଇ, ୧୯୯୬

Image